ସଂକଳ୍ପ କରିବାର କଥା

ସୃଜନ ପ୍ରକାଶ ଦାସ

ଏକଦା ଜନ୍ମ ଦିନର ସଂକଳ୍ପର ବିଶେଷ ମହତ୍ତ୍ବ ଥିଲା। ଜନ୍ମ ଦିନମାନଙ୍କରେ ବାପାମା’ମାନେ ସେମାନଙ୍କର ପିଲାମାନଙ୍କର ଚରିତ୍ର ଗଠନ ଉଦ୍ଦେଶ୍ୟରେ ସେମାନଙ୍କୁ ସଂକଳ୍ପ କରିବା ପାଇଁ ଉତ୍ସାହିତ କରୁଥିଲେ। ସେ ଦିନ ସକାଳୁ ସକାଳୁ ବାପା ମା’, ଦେବଦେବୀମାନଙ୍କୁ ମୁଣ୍ଡିଆ ମାରିବା ପରେ ସମସ୍ତଙ୍କ ଗହଣରେ କେକ୍‌ କଟା ହେଉଥିଲା କିମ୍ବା ମିଠା ବଣ୍ଟା ହେଉଥିଲା। ତା’ ପରେ ପରେ ପିଲାମାନେ ସଂକଳ୍ପ କରୁଥିଲେ, ଯେମିତିକି ଆଜି ଠାରୁ ମୁଁ ମିଛ କଥା କହିବି ନାହିଁ ବା ଖରାପ କଥା ପାଟିରେ ଧରିବି ନାହିଁ ବା ଭଲ ମଣିଷଟିଏ ହେବି ଇତ୍ୟାଦି। ହେଲେ ଅଧିକାଂଶ ପିଲାଙ୍କର ଜୀବନରେ ଏହି ଭଳି ସଂକଳ୍ପମାନର ମୂଲ୍ୟ କିଛି ନ ଥାଏ। ସଂକଳ୍ପ ତା’ ବାଟରେ ତ ପିଲାଏ ତାଙ୍କ ବାଟରେ। ପୁଣି ଆଉ ଗୋଟିଏ ବର୍ଷର ଅପେକ୍ଷା। ୩୬୫ ଦିନ ପରେ ପୁଣି ଥରେ ସଂକଳ୍ପ ପାଠ।

କେବଳ ଜନ୍ମ ଦିନରେ ନୁହେ, ବର୍ଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିବସ ମାନଙ୍କରେ ମଧ୍ୟ ଆମେ ଶପଥ ନେଉ। ଉଦ୍ଦେଶ୍ୟଟି ନିଶ୍ଚିତ ଭାବରେ ମହତ। ସେହି ସେହି ଦିନମାନଙ୍କରେ ଅନ୍ତତଃ ଆମେ ସଚେତନ ହେଉ। ସେହି ଦିବସର ଗୁରୁତ୍ୱ କ’ଣ ବୁଝୁ। ଉଦାହରଣ ସ୍ବରୂପ ଅଗଷ୍ଟ ୨୦ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଜୀଙ୍କର ଜନ୍ମ ଦିନଟିକୁ ଜାତୀୟ ସଦ୍‌ଭାବନା ଦିବସ ଭାବରେ ପାଳନ କରୁଥିବା ବେଳେ ଶପଥ ନେଉ ଯେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ସଦ୍‌ଭାବ ଏବଂ ଏକତା ନିମନ୍ତେ କାର୍ଯ୍ୟ କରିବା। ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋସ ଆଲୋଚନା, ଅହିଂସ ତଥା ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବା। ହେଲେ ଶପଥ ପାଠ ସରିବା ମାତ୍ରକେ ଆମେ ପୁଣି ନିଜ ନିଜ ପ୍ରକୃତ ସ୍ବଭାବକୁ ଫେରିଆସୁ। ପୁଣି ସେହି ମତାନ୍ତର-ମନାନ୍ତର, ବିଦ୍ବେ‌ଷ ଏବଂ କାଦୁଅ ଫିଙ୍ଗା। ସଦ୍‌ଭାବନା ତ ଦୂରର କଥା, ଅନ୍ୟକୁ ବୁଝିବା ପାଇଁ ବି ଆମର ଧୈର୍ଯ୍ୟ ନ ଥାଏ। ତା’ ହୋଇ ନ ଥିଲେ କଥା କଥାକେ ଗଣ୍ଡଗୋଳ ହୁଅନ୍ତା ନାହିଁ କି ଗୁଳି ବା ଛୁରୀ ଚଳନ୍ତା ନାହିଁ।

ପ୍ରତି ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଥାଏ। ସମସ୍ତ ସରକାରୀ ଦପ୍ତରମାନଙ୍କରେ ପ୍ରତ୍ୟେକ କର୍ମଚାରୀ ଦେଶର ସେବକ ଭାବରେ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ କରିବାର ସତ୍ୟନିଷ୍ଠ ଶପଥ ନିଅନ୍ତି। ଲାଗେ, ସତେ ଯେମିତି ପ୍ରତ୍ୟେକ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସେମାନେ ବିନା ଦ୍ବିଧାରେ କାର୍ଯ୍ୟ କରିବେ, ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବେ। ଏହା ସତ ଯେ ସମସ୍ତଙ୍କ ଗହଣରେ ଠିଆ ହୋଇ ଶପଥ ପାଠ କରିବା ବେଳେ ନିଶ୍ଚୟ ପ୍ରତ୍ୟେକ କର୍ମଚାରୀ ଶିହରିତ ହେଉଥିବେ। କାରଣ, ଏହା ଏକ ଆହ୍ୱାନଭରା ଶପଥ। ଏହା ପାଠ କଲା ବେଳେ ସ୍ୱତଃ ଛାତି ଚଉଡ଼ା ହେବା ଭଳି ଅନୁଭବ ହୁଏ। ମାତ୍ର, ବିଡ଼ମ୍ବନା ଯେ, ସେଦିନ ସନ୍ଧ୍ୟା ବେଳକୁ ଟିଭି ସମ୍ବାଦର ଶିରୋନାମାରେ ରହିଥାଏ ଏମିତି ଖବର, ଯାହାର ଶୀର୍ଷକ ‘ଅମୁକ ଦପ୍ତରର ଅମୁକ ଅଧିକାରୀ ମୋଟା ଅଙ୍କର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ।’ ବିସ୍ମିତ ଲାଗେ ଯେ ସକାଳେ ଦେହରେ ରୋମାଂଚ ଭରି ଦେଇଥିବା ଶପଥ କେମିତି ଏତେ ଶୀଘ୍ର ବିସ୍ମୃତ ହୋଇଯାଏ।

ତେବେ କହି ରଖିବା ଉଚିତ ଯେ ଏକ ନକାରାତ୍ମକ ବାର୍ତ୍ତା ଦେବାର ଉଦ୍ଦେଶ୍ୟ ଏହି ଆଲେଖ୍ୟର ଲକ୍ଷ୍ୟ ନୁହଁ। ଏହା ସ୍ବୀକାର କରିବାକୁ ହେବ ଯେ ଅତି କମ୍ ସଂଖ୍ୟାରେ ହେଲେ ମଧ୍ୟ ମୁଷ୍ଟିମେୟ ବ୍ୟକ୍ତି ଏଭଳି ସଂକଳ୍ପ ଦ୍ବାରା ପ୍ରଭାବିତ ହୁଅନ୍ତି ଏବଂ ସେମାନଙ୍କ ଜୀବନର ଧାରା ବଦଳିଯାଏ। କେବଳ ସେତିକି ନୁହେଁ, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏହା ଦ୍ବାରା ପ୍ରଭାବିତ କରିପାରନ୍ତି। ୧୯୮୪ ମସିହାରେ ପଂଜାବରେ ଖଲିସ୍ତାନୀ ବିଦ୍ରୋହୀମାନଙ୍କ ବିରୋଧରେ ଅପେରସନ ବ୍ଲୁ ଷ୍ଟାର୍‌ ଚାଲିଥିବା ବେଳେ ବିଚ୍ଛିନ୍ନତାବାଦୀ ଆତଙ୍କବାଦୀମାନଙ୍କୁ ସେମାନଙ୍କ କାର୍ଯ୍ୟକଳାପରୁ ଓହରି ଆସିବା ପାଇଁ ରେଡିଓ ମାଧ୍ୟମରେ ବାରମ୍ବାର ଆହ୍ୱାନ ଦିଆଯାଉଥିଲା। ଏହି ମର୍ମରେ ଜଣେ ସ୍କୁଲ ପିଲା ତା’ର ବାପାଙ୍କୁ ପ୍ରଶ୍ନ କରିଥିଲା ଯେ ଏହାର କିଛି ପ୍ରଭାବ କ’ଣ ସେମାନଙ୍କ ଉପରେ ପଡ଼ିଥିବ? ଉତ୍ତରରେ ତା’ ବାପା କହିଥିଲେ ଯେ- ସେମାନେ ହୁଏ’ତ ସେହି ମୁହୂର୍ତ୍ତରେ ତାହା ଶୁଣୁନାହାନ୍ତି, କିନ୍ତୁ ଯେଉଁମାନେ ବଡ଼ ହୋଇ ଭବିଷ୍ୟତ୍‌ରେ ସେମାନଙ୍କ ସହିତ ଯୋଗ ଦେବାର ସମ୍ଭାବନା ଅଛି ବା ଯୋଜନା କରୁଛନ୍ତି, ସେମାନଙ୍କ ଭିତରୁ ଅନେକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ସେମାନେ ଧୀରେ ଧୀରେ ଏଭଳି କାମରୁ ଦୂରେଇ ଯିବେ। ସେମାନଙ୍କର ଦୁର୍ଗ ଭାଙ୍ଗିଯିବ। ସମୟ ଲାଗିଲେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ନିଶ୍ଚୟ ମିଳିବ। ପରିଶେଷରେ ତାହା ହିଁ ହୋଇଥିଲା।

କେବଳ ସଂକଳ୍ପ ପାଠ କରି ଦେଲେ ‌େହବ ନାହିଁ। ତାହାକୁ ଅନ୍ତଃକରଣରେ ହୃଦୟଙ୍ଗମ କରିପାରିଲେ ଯାଇ ତା’ର ସୁଫଳ ସମାଜକୁ ମିଳିପାରିବ। ଅନ୍ୟଥା, ଏହା କେବଳ ଏକ ଔପଚାରିକତା ମାତ୍ର ହୋଇ ରହିଯିବ।

ମୋ- ୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର