‘ସେଣ୍ଟ୍ରାଲ୍‌ ଭିସ୍‌ଟା ପ୍ରକଳ୍ପ’ : ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ନିବାସ ଯଥାର୍ଥ କି?

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଗତ ମାସରେ ‘ନିଉଜ୍‌ଲନ୍‌ଡ୍ରି’ ୱେବ୍‌ସାଇଟ୍‌ରେ ଅଳ୍ପନା କିଶୋରଙ୍କ ଲିଖିତ ଏକ ନିବନ୍ଧ ଦୁଇ ଭାଗରେ ପ୍ରକାଶ ପାଇଥିଲା। ନିବନ୍ଧକାର ଏଥିରେ ନୂଆଦିଲ୍ଲୀରେ କାର୍ଯ୍ୟକାରୀ ହେବାକୁ ଥିବା ‘ସେଣ୍ଟ୍ରାଲ୍‌ ଭିସ୍‌ଟା ପ୍ରୋଜେକ୍‌ଟ’ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପ୍ରଥମ ଭାଗରେ ଏକ ପ୍ରଶ୍ନ ପଚରାଯାଇଥିଲା: ‘ରାଜଧାନୀର ଅତି ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ଏବଂ କ୍ରମଶଃ ହ୍ରାସ ପାଉଥିବା ଜୀବନ-କାଳକୁ ସଜାଡ଼ିବା ପରିବର୍ତ୍ତେ ଏକ ଅ˚ଶର ନବ-ନିର୍ମାଣକୁ କାହିଁକି ପ୍ରାଧାନ୍ୟ ଦିଆଯାଉଛି?

ନିଜ ନିବନ୍ଧରେ ଅଳ୍ପନା ଏହି ନବ-ନିର୍ମାଣ ପ୍ରକଳ୍ପର ଏକ ମୁଖ୍ୟ ଉପାଦାନ ଆଡ଼କୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି ଏବ˚ ତାହା ହେଉଛି ଏଥିରେ ଥିବା ଏକ ବ୍ୟବସ୍ଥା, ଯାହା ଅନୁଯାୟୀ ରାଜପଥରେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ଭବ୍ୟ ପ୍ରାସାଦର ନିର୍ମାଣ ହେବ। ସେ ଯୁକ୍ତି ବାଢ଼ିଛନ୍ତି, ଏ ଭଳି ଆତ୍ମ-ପରିତୃପ୍ତି ବା ତୁଷ୍ଟୀକରଣ ସ୍ବୈରତନ୍ତ୍ର ପାଇଁ ସାଧାରଣ ହୋଇପାରେ; କିନ୍ତୁ, ସାଧାରଣତନ୍ତ୍ର ପାଇଁ ଅନୁପଯୁକ୍ତ। ଆମ ସାଧାରଣତନ୍ତ୍ରର ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣ ଜନିତ ସମସ୍ୟାରେ ହନ୍ତସନ୍ତ। ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ଦିନ ଅଶୀ ଜଣଙ୍କର ମୃତ୍ୟୁ ହେଉଛି। ଏହା ମଧ୍ୟ ପଞ୍ଚଚାଳିଶ ପ୍ରତିଶତ ଅକାଳ ମୃତ୍ୟୁର କାରଣ। ଏହି ସମସ୍ୟାର ସମାଧାନ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ଦ୍ବିତୀୟ ବାସଭବନର ନିର୍ମାଣ ଯୋଜନା ଏକ ଅସମ୍ବେଦନଶୀଳ ପଦକ୍ଷେପ। ଏହା ଦ୍ବାରା ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ତୁଷ୍ଟୀକରଣ ପାଇଁ ଲୋକମଙ୍ଗଳକୁ ଜଳାଞ୍ଜଳି ଦିଆଯାଉଛି। ବେଜି˚, ପିୟୋନ୍‌ଗିଆଙ୍ଗ୍‌, ମସ୍କୋରେ ଏ ଭଳି ପଦକ୍ଷେପ ସ୍ବାଭାବିକ ହୋଇପାରେ। କାରଣ ଏଗୁଡ଼ିକ ଯେଉଁସବୁ ରାଷ୍ଟ୍ରର ରାଜଧାନୀ, ସେଠାରେ ନାଗରିକ କେବଳ ନିଷ୍କ୍ରିୟ-ନିରବ ଦର୍ଶକ ମାତ୍ର।
ଅଳ୍ପନାଙ୍କ ନିବନ୍ଧର ଦ୍ବିତୀୟ ଭାଗ, ଏହି ପ୍ରକଳ୍ପ କେଉଁ ପଦ୍ଧତିରେ କାର୍ଯ୍ୟକାରୀ ହେବାକୁ ଯାଉଛି, ତାହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରେ। ଅତ୍ୟନ୍ତ ଗୋପନୀୟତା ଓ ଚତୁରତାର ସହ ଏହି ପ୍ରକଳ୍ପ ଗୁଜରାଟର ଏକ ସ୍ଥାପତ୍ୟ କ˚ପାନିକୁ ଦିଆଯାଇଛି, ଯାହା ସହ ପ୍ରଧାନମନ୍ତ୍ରୀଙ୍କର ଅନ୍ତରଙ୍ଗ ସ˚ପର୍କ ରହିଛି। ଏହି କ˚ପାନିର ଅତୀତର ବିଭିନ୍ନ କାର୍ଯ୍ୟ ଉପରେ ଅଧ୍ୟୟନ କରି ସେ ଲେଖିଛନ୍ତି, ଏହି ସ˚ସ୍ଥା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସମସ୍ତ ପ୍ରତିବନ୍ଧ ହଟାଇବା ଉପରେ ଗୁରୁତ୍ବ ଦିଏ। ବୈଧ ପଦ୍ଧତିର ଅନୁସରଣ କରେନାହିଁ, ପ୍ରଭାବ ଆକଳନ କରେନାହିଁ, ଆଲୋଚନା କରେନାହିଁ କି˚ବା ବିଶ୍ବ ସ୍ତରରେ ପ୍ରଚଳିତ ନୀତିର ଧାର ଧାରେନାହିଁ। ମୋଟାମୋଟି ଭାବେ କହିଲେ, ଏହା ଅତୀତରେ କୌଣସି ପ୍ରକଳ୍ପରେ ନାଗରିକକୁ ସାମାନ୍ୟତମ ସମ୍ମାନ ଦେଇ କାର୍ଯ୍ୟ କରିନାହିଁ।

ଦୁଇ ଭାଗରେ ପ୍ରକାଶିତ ନିଜ ନିବନ୍ଧର ଉପସ˚ହାରରେ ସେ ଲେଖିଛନ୍ତି- ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି, ଏକ ନିମ୍ନ ପୃଷ୍ଠଭୂମିରୁ ଆସିଥିବା ଜଣେ ପ୍ରଧାନମନ୍ତ୍ରୀ ରାଜପଥରେ ଏ ଭଳି ଏକ ପ୍ରାସାଦ ଲୋଡ଼ୁଛନ୍ତି, ଯେଉଁଠାରୁ ତାଙ୍କ ବ୍ୟକ୍ତିଗତ ମହାନତାର ଦୂରଦୃଷ୍ଟି ଓ ଉତ୍ତରାଧିକାରିତ୍ବ ପ୍ରସାରିତ ହୋଇପାରିବ। ‘ଚାଂପ୍‌ ଏଲିସିସ୍‌’ ଉପରେ ନିଜ ପାଇଁ ଏକ ପ୍ରାସାଦ ଇମାନୁଏଲ୍‌ ମାକ୍ରନ୍‌ ଦାବି କରିପାରିବେ କି? ଏପରିକି ଟ୍ରମ୍ପ୍‌ ମଲ୍‌ ଉପରେ ଏକ ଦ୍ବିତୀୟ ବାସଭବନ ପାଇଁ ଆଦେଶ ଦେଇପାରିବେ କି? ଶେଷରେ ଲେଖିଛନ୍ତି- ଏକଦା ପ୍ରଧାନମନ୍ତ୍ରୀ ଦଶ ଲକ୍ଷ ଟଙ୍କାର ସୁଟ୍‌ଟିଏ ପିନ୍ଧି ସର୍ବସାଧାରଣରେ ଦର୍ଶନ ଦେଇଥିଲେ, ଯେଉଁଥିରେ ତାଙ୍କ ନାମ ବହୁ ସ˚ଖ୍ୟାରେ ସିଲେଇ (ଏମ୍ବ୍ରୋଡେରି) ହୋଇଥିଲା। ତାହା ମନେପଡ଼ିଲେ ଲଜ୍ଜା ଲାଗେ। ଆଉ ଏବେ ଟିକସ ଦେଉଥିବା ଲୋକଙ୍କ ଅର୍ଥରେ ବୃଥା ଆଡ଼ମ୍ବର ପ୍ରଦର୍ଶନର ବ୍ୟବସ୍ଥା ଚାଲିଛି।

ଅଳ୍ପନାଙ୍କ ନିବନ୍ଧରେ ‘କୋଭିଡ୍‌-୧୯’ ସ˚କଟର ଉଲ୍ଲେଖ ନାହିଁ। କାରଣ, ଏହାର ପ୍ରଳୟଙ୍କରୀ ଚେହେରା ବିଶ୍ବ ଦେଖିବା ପୂର୍ବରୁ ସେ ନିବନ୍ଧଟି ରଚନା କରିଥିଲେ। ଏହି ସ˚କଟ ପରିପ୍ରେକ୍ଷୀରେ ମୋତେ ତାଙ୍କ ଆଶଙ୍କା ଓ ଉଦ୍‌ବେଗକୁ ପୁଣି ଥରେ ଆଲୋଚନା କରିବାକୁ ଦିଅନ୍ତୁ। ସରକାରୀ ସ୍ତରରେ ବିଶେଷ ଆଲୋଚନା କରା ନ ଯାଇ, ନଗର ଯୋଜନା ଓ ସ୍ଥାପତ୍ୟ କ୍ଷେତ୍ର ସହ ସ˚ପୃକ୍ତ ବିଶେଷଜ୍ଞଙ୍କ ସହ ସୁଦ୍ଧା ବିନା ଆଲୋଚନାରେ, ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ପଥ ପରିଷ୍କାର କରାଯାଇଛି। ଏହି ପ୍ରକଳ୍ପ ଯେଉଁ କ˚ପାନି ହାତରେ ଟେକି ଦିଆଯାଇଛି ଏବ˚ ଅହମଦାବାଦରେ ଯେଉଁମାନେ ଏହାର କାର୍ଯ୍ୟ-ଧାରା ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ମୁଁ ଜଣେ। ତେଣୁ, ମୁଁ ଏକ ଅତିରିକ୍ତ ଆଶଙ୍କା ଦ୍ବାରା ଆଶଙ୍କିତ ଏବ˚ ତାହା ହେଉଛି, ଏହି କ˚ପାନିର ଇତିହାସ ଓ ଐତିହ୍ୟ ପ୍ରତି ସ˚ପୂର୍ଣ୍ଣ ବିମୁଖତା। ଅହମଦାବାଦସ୍ଥିତ ‘ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌’ର ଦ୍ବିତୀୟ କ୍ୟାମ୍ପସ୍‌ ସ˚ପର୍କିତ ଏହାର ନକ୍‌ସା ଏକ ମୁଖ୍ୟ ଦୃଷ୍ଟାନ୍ତ। ଲୁଇସ୍‌ କାନ୍‌ଙ୍କ ଦ୍ବାରା ମୂଳ ‘ଆଇଆଇଏମ୍‌-ଏ’ କ୍ୟାମ୍ପସ୍‌ର ନକ୍‌ସା ପାର˚ପରିକ ଓ ଆଧୁନିକତାର ମିଶ୍ରଣ; ଲାଲ ଇଟା, ଉନ୍ମୁକ୍ତ ଗବାକ୍ଷ ଏବ˚ ଖୋଲା ଅଗଣା। ଦେଖିବା, ଚାଲିବା, ପଢ଼ିବା ଓ ପଢ଼ାଇବା ଏକ ଆନନ୍ଦଦାୟକ ଅନୁଭବ। ଏହାର ଉତ୍ତରାଧିକାରୀଟି କିନ୍ତୁ ଆତ୍ମାହୀନ ଓ ଶୀତଳ; ପୂରାପୂରି କ˚କ୍ରିଟ୍‌ ନିର୍ମିତ। ସେଠାରେ ଯେଉଁମାନେ କାମ କରୁଛନ୍ତି, ମୂଳ କ୍ୟାମ୍ପସ୍‌କୁ ଫେରିଆସିବାକୁ ସର୍ବଦା ବ୍ୟାକୁଳ। ସମସ୍ତଙ୍କ ପାଇଁ ମୂଳ କ୍ୟାମ୍ପସ୍‌ ସର୍ବଦା ସ୍ବାଗତଯୋଗ୍ୟ।

ଏହା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଯୁକ୍ତି ହେଉଛି, ଭାରତୀୟ ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପୂର୍ତ୍ତି ବା ହୀରକ ଜୟନ୍ତୀକୁ ଅବିସ୍ମରଣୀୟ କରିବା ନିମନ୍ତେ ଏହି ପ୍ରକଳ୍ପ। ତେବେ, ପ୍ରଧାନମନ୍ତ୍ରୀଙ୍କ ଯୁକ୍ତି ଅଯଥାର୍ଥ। କାରଣ, ଅତୀତର ପ୍ରଧାନମନ୍ତ୍ରୀମାନେ ଏ ଭଳି ବାର୍ଷିକୀଗୁଡ଼ିକୁ ଅଣଦେଖା କରିଆସିଛନ୍ତି। ଏଥିପାଇଁ ଅଯଥା ଅପବ୍ୟୟ କରିନାହାନ୍ତି। ଆମ ସ୍ବାଧୀନତାର ରୌପ୍ୟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ˚ସଦରେ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା, ଯାହା ଏ ଭଳି ଅବସର ପାଇଁ ଅଧିକ ମହତ୍ତ୍ବ ରଖେ। ଯାହା ଇନ୍ଦିରା ଗାନ୍ଧୀ ଓ ଇନ୍ଦ୍ର କୁମାର ଗୁଜରାଲଙ୍କ ପାଇଁ ଯଥେଷ୍ଟ ଥିଲା, ତାହା ନରେନ୍ଦ୍ର ମୋଦୀଙ୍କ ତୁଷ୍ଟୀକରଣ ଲାଗି ଯଥେଷ୍ଟ ହୋଇ ନ ପାରେ।

ମୋଦୀ ସରକାରର ନୂଆଦିଲ୍ଲୀର ନବୀକରଣ ଯୋଜନା କଥା ଭାବିଲେ ସେ ଭଳି ଅଧିକ ସ˚ଖ୍ୟକ ଜୀବିତ କମ୍ୟୁନିଷ୍ଟ୍ ଏକଚ୍ଛତ୍ରବାଦୀଙ୍କ ନାମ ମନକୁ ଆସୁନାହିଁ। କେବଳ ମନେପଡ଼ୁଛନ୍ତି, କିଛି ମୃତ ଆଫ୍ରିକାନ୍‌ କୁଖ୍ୟାତ ଶାସକ। ଶାସକର ଅମର ହେବା ଅଭିଳାଷ ଚରିତାର୍ଥ ପାଇଁ ଏ ଭଳି ବୃଥା ଆଡ଼ମ୍ବରପୂର୍ଣ୍ଣ ପ୍ରକଳ୍ପ ବନିଥିଲା ଆଇଭରି କୋଷ୍ଟ୍ ଓ ସେଣ୍ଟ୍ରାଲ୍‌ ଆଫ୍ରିକାନ୍‌ ରିପବ୍ଲିକ୍‌ରେ। ଶାସକ ଦୁହେଁ ଥିଲେ ଫେଲିକ୍‌ସ ହୁଫୁୟେତ୍‌-ବନି ଏବ˚ ଜଁ-ବଦେଲ୍‌ ବୋକାସା। (ପ୍ରଥମ ଜଣଙ୍କ ବାବଦରେ ଅଧିକ ଜାଣିବା ପାଇଁ ଭିଏସ୍‌ ନାଇପଲଙ୍କ ନିବନ୍ଧ ‘ଦ କ୍ରୋକୋଡାଇଲ୍‌ସ ଅଫ୍‌ ୟାମୁସୁକ୍ରୋ’ ପଢ଼ିପାରନ୍ତି।)

ଏପରିକି ‘କୋଭିଡ୍‌-୧୯’ ଆମ ଦେଶରେ ବ୍ୟାପିବା ପୂର୍ବରୁ ନୂଆଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଅତ୍ୟଧିକ ବ୍ୟୟବହୁଳ ନିର୍ମାଣ କାର୍ଯ୍ୟ ଅଯଥା, ଅଯଥାର୍ଥ ଓ ଅନାବଶ୍ୟକ ଥିଲା ଏବ˚ କେବଳ ଏକ ବ୍ୟକ୍ତି-କୈନ୍ଦ୍ରିକ କସରତ ଥିଲା। ଏବେ ଏହା ଅଧିକ ଅଯଥାର୍ଥ ହୋଇଯାଇଛି। ଦୁର୍ବଳ ହୋଇସାରିଥିବା ଏକ ଅର୍ଥନୀତି ଏବେ ମହାମାରୀ ପରେ ଭୁଶୁଡ଼ି ପଡ଼ିବା ଅବସ୍ଥାକୁ ଆସିଯାଇଛି। ବିନା କୌଣସି ଯୋଜନାରେ ‘ଲକ୍‌ଡାଉନ୍‌’ ଦ୍ବାରା ମଣିଷର ଯନ୍ତ୍ରଣା ବହୁଗୁଣିତ ହୋଇଛି। କାମ କରୁଥିବା, ବିଶେଷତଃ ଶ୍ରମିକ ଶ୍ରେଣୀର ଲୋକେ ପତନର ମୁହଁକୁ ଆସିଯାଇଛନ୍ତି। ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି।

ଏହି ପରିସ୍ଥିତିରେ ଗରିବ ଅଧିକରୁ ଅଧିକ ଗରିବ ହେଉଥିବା ଅଧିକା˚ଶ ବିତ୍ତଶାସ୍ତ୍ରୀ କହୁଛନ୍ତି ଏବ˚ କେନ୍ଦ୍ର ସରକାର ଅବିଳମ୍ବେ ଆର୍ଥିକ ସହାୟତା ଯୋଗାଇବା ଦରକାର ବୋଲି ଯୁକ୍ତି ବାଢ଼ୁଛନ୍ତି। ‘ସେଣ୍ଟ୍ରାଲ୍‌ ଭିସ୍‌ଟା’ ଯୋଜନାରେ ବ୍ୟୟ ହେବାକୁ ଥିବା କୋଡ଼ିଏ ହଜାର କୋଟି (ଏହାଠାରୁ ଅଧିକ ହୋଇପାରେ) କାହିଁକି ଗରିବଙ୍କ ଉଦ୍ଧାର ପାଇଁ ବିନିଯୋଗ କରାଯିବ ନାହିଁ?

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ବିତ୍ତୀୟ, ସାମାଜିକ ଓ ମାନବୀୟ ସ˚କଟରୁ ମଣିଷକୁ ଉଦ୍ଧାର କରିବା ରାଜ୍ୟର କାମ। ସେମାନଙ୍କର ଦରକାର ଟଙ୍କା- ସେହି ଟଙ୍କା, ଯାହା କେନ୍ଦ୍ର ସେମାନଙ୍କୁ ଦେବାର ଅଛି। କେନ୍ଦ୍ର ପକ୍ଷରୁ ଏବେ ବି ରାଜ୍ୟଗୁଡ଼ିକ ପ୍ରାୟ ତିରିଶ ହଜାର କୋଟି (ଜିଏସ୍‌ଟି ରାଜସ୍ବର ନିଜସ୍ବ ଭାଗ) ପାଇବା ବାକି ଅଛି। ଏହା କାହିଁକି ଦିଆଯାଉନାହିଁ? ‘ସେଣ୍ଟ୍ରାଲ୍‌ ଭିସ୍‌ଟା’ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ପାଇଁ କାହିଁକି ଏତେ ତତ୍ପରତା ଦେଖାଯାଉଛି?

ଅର୍ଥନୀତି ସ୍ବାଭାବିକ ହେବା ପାଇଁ ଅନ୍ୟୂନ ଏକ ବର୍ଷ ବା ଅଧିକ ଲାଗିପାରେ। ସାମାଜିକ ପୁନରୁଦ୍ଧାର ଆହୁରି ଅଧିକ ସମୟ ନେଇପାରେ। ‘କୋଭିଡ୍‌-୧୯’ର ଆଗମନ ପୂର୍ବରୁ ଆମ ଦେଶ ଯେଉଁ ଅବସ୍ଥାରେ ଥିଲା, ତାହା ଫେରିପାଇବା ପାଇଁ ଅନ୍ୟୂନ ପାଞ୍ଚ ବର୍ଷ ବା ଦଶ ବର୍ଷ ଲାଗିପାରେ। ତେଣୁ, ଆମ ନେତୃବୃନ୍ଦଙ୍କର ନୈତିକ, ରାଜନୈତିକ ଓ ବୌଦ୍ଧିକ ଶକ୍ତି ନିଶ୍ଚିତ ଭାବେ ଅର୍ଥନୈତିକ ଏବ˚ ସାମାଜିକ ପୁନର୍ନିର୍ମାଣ ଦିଗରେ ବିନିଯୁକ୍ତ ହେବା ଆବଶ୍ୟକ।

ମହାମାରୀ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଦେଶବାସୀଙ୍କୁ ଭାଷଣରେ ଗୋଟିଏ କଥା କହୁଛନ୍ତି ଏବ˚ ତାହା ହେଉଛି- ଦେଶ ପାଇଁ ବଳିଦାନ ଦିଅ। ଏଠାରେ ବଳିଦାନର ଅର୍ଥ ଜୀବନ ଦେବା ନୁହେଁ, ଉତ୍ସର୍ଗୀକୃତ ହେବା; ଦେଶକୁ ସମୟ ଦେବା, ଶ୍ରମ ଦେବା, ଏକତ୍ର ହେବା ଆଦି। ତେଣୁ, ଏବେ ନାଗରିକଙ୍କର ମଧ୍ୟ ତାଙ୍କୁ ପଚାରିବାର ବେଳ ଆସିଛି। ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗୀକୃତ ହୁଅନ୍ତୁ ବୋଲି ସେମାନେ ଏକ ସ୍ବରରେ କହିବା ଉଚିତ। ତାଙ୍କର ‘ସେଣ୍ଟ୍ରାଲ୍‌ ଭିସ୍‌ଟା’ ପ୍ରକଳ୍ପ ପ୍ରଥମରୁ ବିବାଦୀୟ। ଏବେ ତ ସ˚ପୂର୍ଣ୍ଣ ଅଗ୍ରହଣୀୟ। ସେ ଦେଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶିତ କରି ଏହି ଅଯଥାର୍ଥ ଓ ସମୟ ଅନୁପଯୋଗୀ ପ୍ରକଳ୍ପରୁ ପ୍ରଥମେ ଓହରିବା ଉଚିତ।

ସମ୍ବନ୍ଧିତ ଖବର