ଘରକଳି- ସାଧାରଣୀ ଓ ସନାତନୀ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଠାକୁର-ଠାକୁରାଣୀଙ୍କ ଘରକଳି ବା ଲକ୍ଷ୍ମୀ-ନାରାୟଣ ବଚନିକାର ଯେଉଁସବୁ ନିଦର୍ଶନ ଆମ ସାହିତ୍ୟରେ ମିଳେ, ସେଥିରୁ ଗୋଟିଏ ହେଉଛି- ଦୀନ ଯୁଧିଷ୍ଠିର ଦ୍ୱିଜଙ୍କ ରଚିତ ‘ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ବିଜୟେ’। ତାହା ଅପ୍ରକାଶିତ ଥାଇ, ସଂପ୍ରତି ‘କବିକଣ୍ଠେ ଲକ୍ଷ୍ମୀନାରାୟଣ ବଚନିକା’ରେ ସଂକଳିତ ହୋଇଛି। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ପରି, ଏଥିରେ ଲକ୍ଷ୍ମୀ ଉଭୟ ଦେବୀ ଓ ମାନବୀ। ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ଼ଦେଉଳରେ ବିଜେ ହେବା ପରେ, ଶ୍ରୀଜଗନ୍ନାଥଙ୍କୁ ଦେଖିନେବାକୁ ସେ ନିଜର ଦେବୀପଣ ଦେଖାଇଛନ୍ତି। ତାଙ୍କ ଆଜ୍ଞାରେ ବର୍ଷା, ବିଜୁଳି ଘୋଟି ଆସିଛି। ‘ଆଷାଢ଼ ଶୁକ୍ଳ’ ରାଗରେ ରଚିତ ଏ ବଚନିକାରେ କବି କହିଛନ୍ତି- “ଶ୍ରୀୟା ଆଜ୍ଞାରେ ବିଜୁଳି ଚହଟି/ଚାରିଦିଗରୁ ମେଘମାଳ ଘୋଟି/ଝରଝର ବନ/ସଙ୍ଗରେ ବହିଲା ଶୀତ ପବନ।”

ସେହି ବର୍ଷା, ପବନରେ ଦୀପ, ଦିହୁଡ଼ି ସବୁ ଲିଭିଯାଇଛି। ପଣ୍ଡାଏ ସେହି ବରଷାବାତ ସହି ପାରି ନାହାନ୍ତି। ଶ୍ରୀପୟରରେ ରତ୍ନକଠାଉ ପିନ୍ଧିଥିବା ଓ ଶ୍ରୀକରରେ ଦାଉଦାଉ ସୁବର୍ଣ୍ଣ ବେତ ଧରିଥିବା ଜଗନ୍ନାଥଙ୍କ ବସନ ବି ତିନ୍ତିଯାଇଛି। ନିଜର ଭୃତ୍ୟ (ସେବକ)ଙ୍କ ଆରତରେ ଜଗନ୍ନାଥ ବି ଆରତ ହୋଇଛନ୍ତି। ସମସ୍ତେ ଯାଇ ପଡ଼ିଯାଇଥିବା କବାଟ ଠାରେ ଉଭା ହୋଇଛନ୍ତି।

ଏହି ରଚନାର ଗୋଟିଏ ସ୍ବାତନ୍ତ୍ରୢ ହେଉଛି- ଏଥିରେ କିଛି ଅଂଶ ଗଦ୍ୟରେ ବି ଅଛି। ପଣ୍ଡା ପଢ଼ିହାରୀ ଓ ଦାସୀଙ୍କ ‘ଡାକ’କୁ ଏହିପରି ଭାବରେ ଗଦ୍ୟରେ ଲିପିବଦ୍ଧ କରିଛନ୍ତି କବି-
“ପଣ୍ଡା ପଢ଼ିହାରୀଙ୍କ ଡାକ: ଆହେ ଦାସୀମାନେ, କବାଟ ଫିଟାଅ ହେ ଦାସୀମାନେ। ଶ୍ରୀଜଗନ୍ନାଥ ପ୍ରଭୁ ନବଦିନ ଗୁଣ୍ଡିଚା ସାରି ବିଜୟେ କଲେ, କବାଟ ଫିଟାଅ ହେ ଦାସୀ।
ଦାସୀଙ୍କ ଡାକ: କିୟେ ସେ ହେ ତୁମ୍ଭେ ଡାକୁଛ? ୟେ ଘରେ ଆସାମୀ କିୟେ ନାହାନ୍ତି। ଶ୍ରୀଶ୍ରୀଶ୍ରୀ ମହାଲକ୍ଷ୍ମୀଙ୍କର ଦେଉଳ। ଆମେ ମାଇପି ଲୋକମାନେ ଅଛୁ। ତୁମେ କାହିଁକି ଡାକୁଅଛ? ଏ ଘରର ଆସାମୀ ବଡ଼ଦାଣ୍ଡରେ ଯାତ୍ରା କରୁଅଛନ୍ତି। … ତୁମ୍ଭେ ବାହାରିଯାଅ।

ପଣ୍ଡାଙ୍କ ଡାକ: ଦାସୀମାନେ, ଆମ୍ଭେ ଶ୍ରୀଜଗନ୍ନାଥଙ୍କ ସେବକଲୋକମାନେ। ଶ୍ରୀଶ୍ରୀଜଗନ୍ନାଥ ମହାପ୍ରଭୁ ନବଦିନ ଯାତ୍ରା ସାରି ଆସି ଦୁଆରେ ବିଜେ କରିଅଛନ୍ତି। ତୁମ୍ଭେମାନେ ବେଗକରି କବାଟ ଫିଟାଅ। ବରଷାପାଣି, ଶୀତ ପବନରେ ଦେହ କମ୍ପୁଅଛି।

ଦାସୀଙ୍କ ଡାକ: ଆହେ ପଣ୍ଡାମାନେ, ତୁମ୍ଭେ ଫେରିଯାଅ। ତାଙ୍କେ ୟେଠାକୁ କାହିଁକି ଆସିବେ। ତାଙ୍କେ ତ ନବତନ ଭାରିଯା ବିଭା ହେଲେଣି। ନୂଆ ନୂଆ ଯାତ୍ରା କଲେଣି। ନୂଆ ଭଉଣୀ ତାଙ୍କ ସଙ୍ଗରେ ଯାଉଛନ୍ତି। ତାହାଙ୍କୁ ଛାଡ଼ି ଏଠାକୁ କାହିଁକି ଆସିବେ? ଆସିଲେ ତାଙ୍କେ ଡାକୁ ନାହାନ୍ତି କି, ତୁମ୍ଭେ କାହିଁକି ଡାକୁଛ?”

ପଣ୍ଡା ପଢ଼ିହାରୀଏ ଏହା ଶୁଣି ଜଗନ୍ନାଥଙ୍କୁ କହିବା ପରେ, ଜଗନ୍ନାଥ ନିଜେ ଡାକିଛନ୍ତି। ସେହି ଆଷାଢ଼ ଶୁକ୍ଳ ରାଗରେ ତାହାର ବର୍ଣ୍ଣନା ଅଛି ଏମିତି-
“ଶୁଣି ଜଗନ୍ନାଥେ ଆପଣେ ଡାକନ୍ତି/ଦାସୀ ଲୋ ଫିଟା କପାଟ/ଶୀତଳ ପବନ ବରଷା ସହନ/ ତିନ୍ତିଲା ପତନି ପାଟ/ଲୋ ଦାସୀ/ରଥ ମଣ୍ଡଣି ଯାଉଛି ଭାସି ଲୋ/ଆମ୍ଭେ ନୋହୁ ତ ତୁମ୍ଭର ଦୋଷୀ ଲୋ/ଦୁଃଖ ଦେଖି ପଚାରୁଛ ହସି ଲୋ।”

କିନ୍ତୁ ତଥାପି କବାଟ ଫିଟି ନାହିଁ। ତେଣୁ “ମନରେ ପାଞ୍ଚି, ହୃଦରେ ବିଚାରି, ଉଚ୍ଚାଟ ବଚନ” କହିଛନ୍ତି ଜଗନ୍ନାଥ। “ଶ୍ରାବଣ ମାସରେ ଝୁଲଣ କରିବି, ତୁମେମାନେ ଦେଖିବ” ବୋଲି ବି ଦାସୀମାନଙ୍କୁ ପ୍ରବୋଧନା ଦେଇଛନ୍ତି। ପୁଣି ସେମାନଙ୍କୁ ଦେଇଛନ୍ତି ଅନେକ ଉପହାର। ତାହାର ସୁନ୍ଦର ବର୍ଣ୍ଣନା କରିଛନ୍ତି ଦୀନ ଯୁଧିଷ୍ଠିର ଦ୍ୱିଜ-
“ବାଛି ବାଛି ତୁମ୍ଭ ପାଇଁ ୟେ ଆଣିଛି/କଳା ଚିତ୍ରମେଘୀ ପାଟ/ଅଳକା ବେଣ୍ଟୁଲା ଚାପସରି ମାଳା/ସାରି ଦେଇଅଛି ହାଟ। /ଲୋ ଦେଖ, / ବାହା ଚୁଡ଼ିରେ ଦିଶଇ ମୁଖ ଲୋ,/ ବଳା ଝୁଣ୍ଟିଆ ନୂପୁର ପାଖ ଲୋ/ବେଗେ ନେଇଣ ଯତନେ ରଖ ଲୋ।”

ଏହାପରେ ଯାଇ ଦ୍ୱାର ଫିଟିଛି। ସଂଘଟିତ ହୋଇଛି ସେହି ଚିରବାଂଛିତ ଲକ୍ଷ୍ମୀନାରାୟଣ ଭେଟ। ତାହାର ବର୍ଣ୍ଣନା ବି ଅତି ସୁନ୍ଦର ଭାବରେ କରିଛନ୍ତି କବି-
“ରତ୍ନ ବସ୍ତ୍ର ପାଇ ଦାସୀୟେ ହରଷେ/ଫିଟାଇ ଦ୍ୱାର କବାଟ/ରଙ୍କ କରେ ଧନ ପ୍ରାପତ ପରାୟେ/ଲକ୍ଷ୍ମୀ ପାରୁଶରେ ଭେଟ। /ସେ ବାଳୀ/ତହିଁ ଥିଲେ ଦେଲେ ହୁଳୁହୁଳି ସେ, / ବନ୍ଦାଇଲେ ଘେନି ଅର୍ଘ୍ୟ ସ୍ଥାଳି ସେ, / ପଡ଼ିଗଲା ପୁରେ ହାଲହୋଳି ସେ।”

କିନ୍ତୁ କଥା ଏତିକିରେ ସରି ନାହିଁ। ଦେବୀତ୍ୱ ପରେ ଏବେ ଲକ୍ଷ୍ମୀଙ୍କର ମାନବୀତ୍ୱ ପ୍ରକଟନର ପାଳି। କମଳନୟନ ଜଗନ୍ନାଥ, କମଳାସନରେ ବସି, କମଳାଙ୍କୁ କୋଳରେ ଧରି, ତାଙ୍କର ମୁଖ ଚୁମ୍ବନ କରି, ନାନା ଚାଟୁ ବାକ୍ୟ କହିଛନ୍ତି। “ରେ ଧନ, ମୁଖ କାହିଁକି ଶୁଖିଲା ଦିଶୁଛି, କାହିଁକି ଏତେ ଗୁମାନ” ବୋଲି ପଚାରିଛନ୍ତି ଏବଂ କହିଛନ୍ତି- “ପିଣ୍ଡ ମୁହିଁ ତୁ ଅଟୁ ଜୀବନରେ/ତୁ ଘନ ମୁଁ ଚାତକ ପକ୍ଷୀରେ /ତୋର ଦୁଃଖରେ ମୁଁ ସିନା ଦୁଃଖୀରେ।” ଏହା ଫଳରେ ପ୍ରକଟିତ ହୋଇଛି ଲକ୍ଷ୍ମୀଙ୍କର ଅଭିମାନ ଓ ଅଭିଯୋଗ। ସେ କହିଛନ୍ତି- “ହେ ହରି, /ତୁମ୍ଭେ ନିରତେ ୟେହିପରି ହେ/ବୋଲୁ ନାହାନ୍ତି କିଏ ସେ ଡରି ହେ / ତୁମ୍ଭେ କୁଟୁମ୍ବ ଆସିଛ ମାରି ହେ।/ ତୁମ୍ଭଙ୍କୁ କି ମାତା ତୁମ୍ଭଙ୍କୁ କି ପିତା/ ତୁମ୍ଭଙ୍କୁ ଭାରିଯା କିସ/ଦ୍ୱାରକା ସଂପତ୍ତି କ୍ଷଣକେ ବୁଡ଼ାଇ/ଧରିଛ ତପୁସି ରୂପ/ହେ ହରି, /ସବୁ ଜଣା ଗୋଟି ଗୋଟି କରି ହେ।”

କେବଳ ଏତିକି ନୁହେଁ; ସେ ଆହୁରି ମଧ୍ୟ କହିଛନ୍ତି- “ଜାଣିଲୁ ତୁମର ବଚନ ମଧୁର/ପାଣିରେ ପକାଅ ସର, /ଅକଣ୍ଡା ଚାଉଳ ପାଳଙ୍ଗ ଶାଗରେ/ଢାଳ ଶ୍ରୀକୁଣ୍ଡି ବେସର। /ହେ ପ୍ରଭୁ, /ଫୁଟିଯାୟେ ଦେହ କହୁକହୁ /ମୋର ମନରେ ଏକଥା ଥାଉ ହେ।”

ଏହିପରି, ଲକ୍ଷ୍ମୀଙ୍କର ବହୁ କଠୋର ବଚନ ସତ୍ତ୍ୱେ, ଜଗନ୍ନାଥ କୋମଳ ବଚନ ହିଁ କହିଛନ୍ତି। ଫଳରେ ଏ ଘରକଳି ଉଗ୍ର ନହୋଇ କ୍ରମେ ଶାନ୍ତ ହୋଇଛି। ସେହି ଦାମ୍ପତ୍ୟ କଳିର ମଧୁର ପରିଣତି କବି ଆଙ୍କିଛନ୍ତି ଏମିତି-

“ହସାଇ ରସାଇ କୋଳରେ ବସାଇ/ମୋହିଲେ କମଳା ମନ/ନାନା କଉତୁକେ ବିନୋଦ କରିଣ/ ଲକ୍ଷ୍ମୀ ସଙ୍ଗେ ଭଗବାନ। /ସେ ନିଶି, /କ୍ଷଣକରେ ପୁହାଇଲେ ବସି ସେ। /ସ୍ନାନ ମୁଣହିଁ ସାରିଣ ଆସି ସେ /ନୀଳଗିରି ସିଂହାସନେ ବସି ସେ।”

ନୃପ ଗୋପୀନାଥ ସିଂହ ମଧ୍ୟ ତାଙ୍କ ‘ନୀଳାଦ୍ରି ବେହାର’ରେ ଜଗନ୍ନାଥ ଓ ଲକ୍ଷ୍ମୀଙ୍କର ଏହି ମିଳନର ସୁନ୍ଦର ବର୍ଣ୍ଣନା କରିଛନ୍ତି। କୃଷ୍ଣକାୟ ଜଗନ୍ନାଥ ଓ ଗୌରକାନ୍ତି ଲକ୍ଷ୍ମୀ ତାଙ୍କ କବିମାନସରେ ଏକ ବିସ୍ମୟକର ଦୃଶ୍ୟର ଅବତାରଣା କରିଛନ୍ତି। ଲକ୍ଷ୍ମୀ-ନାରାୟଣଙ୍କର ସେହି ଯୁଗଳ ରୂପ ତାଙ୍କୁ ବର୍ଷା ଓ ବସନ୍ତର ମିଳନ ପରି ପ୍ରତୀୟମାନ ହୋଇଛି। ରାଗ ‘କେଦାର କାମୋଦୀ’ରେ ସେ କହିଛନ୍ତି- “ବରୁଣ ନନ୍ଦିନୀକି ଧରି କୋଳରେ/ଶ୍ରୀହରି ବସିବାର ସେହି କାଳରେ ଯେ। /ଆଶ୍ଚର୍ଯ୍ୟ ଦୃଷ୍ଟି କବିମାନସେ ହେଲା। /ଘନକାଳେ କି ପୁଷ୍ପକାଳ ମିଶିଲା ଯେ।”

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଦୀନ ଯୁଧିଷ୍ଠିର ଦ୍ୱିଜଙ୍କ ପରି, ନୃପ ଗୋପୀନାଥ ସିଂହଙ୍କର ସମୟ ମଧ୍ୟ ଊନବିଂଶ ଶତାବ୍ଦୀ। ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ବଚନିକା ସାହିତ୍ୟର ଧାରାକୁ, ଊନବିଂଶ ଶତାବ୍ଦୀରେ ଆଉ ଯେଉଁମାନେ ପ୍ରବହମାନ ଓ ପୁଷ୍କଳ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଗଉରଚରଣ ଦାସ, ବିପ୍ର ମହେଶ୍ୱର ଓ ଜଗନ୍ନାଥ ପାଣି ପ୍ରମୁଖ। ଏମାନଙ୍କ ମଧ୍ୟରୁ ଗଉରଚରଣ ଦାସ, ଗୌରଚରଣ ଅଧିକାରୀ ଭାବରେ ଖ୍ୟାତ ଏବଂ ଶ୍ରୀଜଗନ୍ନାଥଙ୍କ ବିବିଧ ଲୀଳା ଓ ଉତ୍ସବକୁ ଆଧାର କରି ସେ ଅନେକଗୁଡ଼ିଏ ଗୀତ ରଚନା କରିଛନ୍ତି। ‘ଗୁଣ୍ଡିଚା ବିଜେ’, ‘ରଥଚଳା’, ‘ବାହୁଡ଼ାଯାତ୍ରା’ ଓ ‘ଲକ୍ଷ୍ମୀନାରାୟଣ କଳି’ ଆଦି ସେସବୁର ଅନ୍ତର୍ଗତ। ତାଙ୍କ ‘ଲକ୍ଷ୍ମୀନାରାୟଣ କଳି’ ବଙ୍ଗଳାଶ୍ରୀ ରାଗରେ ରଚିତ ଏବଂ ଅପେକ୍ଷାକୃତ ଦୀର୍ଘ। ଏହାର ସୁନ୍ଦର ଓ ରସାଳ ବର୍ଣ୍ଣନା ସେ କରିଛନ୍ତି। ସେ ଏହାକୁ ଆଖ୍ୟାୟିତ କରିଛନ୍ତି ‘ଅମିୟରସ’ ରୂପେ। ତାଙ୍କର ବର୍ଣ୍ଣନା ଅନୁସାରେ- ଭାଇ ଓ ଭଉଣୀଙ୍କ ସାଙ୍ଗରେ, କେତେ ରଙ୍ଗରେ ବାହୁଡ଼ା ବିଜେ କରି, ଦେଉଳକୁ ଆସିବା ଜାଣି, ଲକ୍ଷ୍ମୀଠାକୁରାଣୀ ସଖୀଗଣଙ୍କ ସଙ୍ଗେ ମିଶି କବାଟ କିଳି ଦେଲେ। ଜଗନ୍ନାଥେ ବୁଝିଲେ- ଏହା ଲକ୍ଷ୍ମୀଙ୍କର କୂଟ। ସେ ବିଚାରିଲେ- “ନାରୀ କରି ଯାହା ଦଇବ ଗଢ଼ିଛି /ସେ ଅତି ଅନର୍ଥ ମଞ୍ଜି / ତାଙ୍କ ସଙ୍ଗତରେ ବସି ନିରନ୍ତରେ ପୁରୁଷେ ହୁଅନ୍ତି ଗଞ୍ଜି।” ଏହା ସତ୍ତ୍ୱେ, ସେ ଜାଣିଥିଲେ- “ଆମ୍ଭେ ଯେବେ ଚାଟ ପଟଳ କରିଣ / ନକହିବା ତାଙ୍କୁ ଆଗ /କେବେହେଁ ମନରୁ ମାନ ନ ତେଜିବେ/ଘେନି ବସିଥିବେ ରାଗ।” ତେଣୁ ସେ ଲକ୍ଷ୍ମୀଙ୍କୁ କୋମଳ ବଚନ କହି, ଦୋଷ ସ୍ୱୀକାର କରିବା ସହିତ କ୍ଷମା ବି ମାଗିଛନ୍ତି। ତାହା ସତ୍ତ୍ୱେ ଲକ୍ଷ୍ମୀଙ୍କର କ୍ରୋଧ ଶାନ୍ତ ହୋଇ ନାହିଁ। ସୁଭଦ୍ରାଙ୍କୁ ନେଇ ବି ସେ ନାନା କଟୁକଥା କହିଛନ୍ତି। ତାହାର ବର୍ଣ୍ଣନା କରି ଗୌରଚରଣ କହିଛନ୍ତି- “ବାପା ତ ଗଉଡ଼ ନନ୍ଦ ମହାଖୁଡ଼ /ଝିଅ ପରା ଜେମାଦେଈ/ପିଲାଦିନରୁ ସେ ବହପି ଯାଇଛି /ଦହି ଦୁଧ ସର ଖାଇ।/ମୁଖେ ମାଖିଥାଇ ବନକ ହଳଦି /ପିନ୍ଧି କଳାଶାଢ଼ି ଖଣ୍ଡେ /ଛାତିକି ଫୁଲାଇ ହାତ ଦୋହଲାଇ/ବୁଲୁଥାଇ ବଡ଼ଦାଣ୍ଡେ। /ଭାଇ ଯେମନ୍ତକୁ ଭଉଣୀ ତେମନ୍ତ /କେ କାହାକୁ ନୁହେଁ ଊଣା। /ଗୋପପୁରେ ଥାଇ ଶିଖିଛି ଗୋସାଇଁ /ଗଉଡ଼ିଆ ବୁଝାମଣା।”

କିନ୍ତୁ ଏପରି ବହୁ କଥା ଶୁଣି ମଧ୍ୟ, ଜଗନ୍ନାଥ ମୃଦୁ ହସି ଇନ୍ଦ୍ରଦ୍ୟୁମ୍ନ ରାଜା ଓ ଗୁଣ୍ଡିଚାରାଣୀ ମାଗିଥିବା ବର କଥା ତାଙ୍କୁ ସ୍ମରଣ କରାଇ ଦେଇଛନ୍ତି। ଭକ୍ତବନ୍ଧୁ ଓ ଭାବଗ୍ରାହୀ ଭାବରେ ସେ ଭକ୍ତର ଭାବ ପାଇଁ ଗୁଣ୍ଡିଚା ଯାତ୍ରାରେ ଯାଇଥିଲେ ବୋଲି ବି କହିଛନ୍ତି। ତାହା ଶୁଣି ଲକ୍ଷ୍ମୀ ପଚାରିଛନ୍ତି- ତୁମେ ଯଦି ଗଲ, ମୋତେ କାହିଁକି ଛାଡ଼ିଗଲ? ତାହାର ଉତ୍ତରରେ ଜଗନ୍ନାଥ କହିଛନ୍ତି- “ମୋ ଜ୍ୟେଷ୍ଠ ସୋଦର ତୋର ଦେଢ଼ଶୁର / ସେ ସଙ୍ଗତେ ଥିଲେ ଯେଣୁ/ଏହି କଥା ଚିତ୍ତେ ବିଚାରିଣ ତୋତେ/ସଙ୍ଗତେ ନ ନେଲି ତେଣୁ।” କିନ୍ତୁ ତାହା ବି ଲକ୍ଷ୍ମୀଙ୍କ କ୍ରୋଧକୁ ପ୍ରଶମିତ କରିପାରି ନାହିଁ। ତେଣୁ ତାଙ୍କ ପାଇଁ ଆଣିଥିବା ଉପହାରର ଅବତାରଣା କରିଛନ୍ତି ଜଗନ୍ନାଥ। କହିଛନ୍ତି- “କବାଟ ଫିଟାଅ ମୋ ଦୁଃଖ ତୁଟାଅ/ଦେଖାଅ ସୁନ୍ଦର ମୁଖ/ଅନେକ ପ୍ରକାର ରତ୍ନ ଅଳଙ୍କାର/ଆଣିଅଛି ଗଣି ରଖ। /ଜୁଡ଼ାଭିଡ଼ା ଝରା କନକ ଦୁଦୁରା/ତଡ଼କି ଜଗତଜିଣା/ନାସିକାକୁ ଦଣ୍ଡି ଦେଉଥିବ ମଣ୍ଡି/ଶୁଆବସା ନାକଚଣା/ ସମ୍ବଲପୁରିଆ ବାଙ୍କ ଡେଉଁରିଆ/ଜାଲିତାଡ଼ ବିଦମାଳା/ହୃଦକୁ ପଦକ ମାଳ ଆଣିଅଛି/ପାଦକୁ ବାଜେଣି ବଳା। /କଳାମେଘି ଶାଢ଼ି ମରକତ ଚୁଡ଼ି /କମ କନିଆରି ନିଅ/ଅଙ୍ଗିକାର କରି ଅଙ୍ଗନା ରତନ /ଶ୍ରୀଅଙ୍ଗରେ ଲାଗି ହୁଅ।” ଏହା ଲକ୍ଷ୍ମୀଙ୍କର କ୍ରୋଧକୁ ଅବଶ୍ୟ ପ୍ରଶମିତ କରିଛି; କିନ୍ତୁ ଅଭିମାନକୁ ତୀବ୍ର କରିଦେଇଛି। ସେ କହିଛନ୍ତି- “ମୁଁ ଦୁଃଖୀଘର ଝିଅ। ଏସବୁ ପାଇବା ତ ଦୂରର କଥା, ଆଖିରେ କେବେ ଦେଖିନାହିଁ କି କାନରେ ଶୁଣିନାହିଁ। ଏସବୁକୁ ନେଇ ସେଇ ଗୋପପୁରର ଗଉଡ଼ୁଣୀଙ୍କୁ ଦିଅ।” କେବଳ ସେ ଏହା କହି ନାହାଁନ୍ତି, ଗୋପୀମାନଙ୍କୁ ବି ଅନେକ ନିନ୍ଦା କରିଛନ୍ତି। ଏହା ଜଗନ୍ନାଥଙ୍କୁ କ୍ରୋଧାନ୍ୱିତ କରିଛି। ସେ ଲକ୍ଷ୍ମୀଙ୍କୁ ‘ବାଇ ଠାକୁରାଣୀ’ କହି ଅନେକ ଗାଳିଦେଇଛନ୍ତି। ଶେଷରେ ଏହା ବି କହିଛନ୍ତି- “ମୁହିଁ ବୋଲି ତୋର ଦାଉ ସମ୍ଭାଳୁଛି/ ଆନ କେ ପାରନ୍ତା ସହି/ଘରଛାଡ଼ି କରି କଉପୁନି ମାରି/ଯାଆନ୍ତାଣି ଯୋଗୀ ହୋଇ।”
ତେବେ, ଏଇଠି ଅତି ନାଟକୀୟ ଭାବରେ, ବଡ଼ଭାଇ ବଳରାମଙ୍କ ହସ୍ତକ୍ଷେପର ଚିତ୍ର ଆଙ୍କିଛନ୍ତି ଗଉରଚରଣ। ବଳରାମ ଲକ୍ଷ୍ମୀଙ୍କର ପକ୍ଷ ନେଇ, ଜଗନ୍ନାଥଙ୍କୁ ଗାଳି ଦେଇଛନ୍ତି। ଏପରିକି ତାଙ୍କୁ ଭିନ୍ନେ କରିଦେବାର ଧମକ ବି ଦେଇଛନ୍ତି। ଶେଷରେ କହିଛନ୍ତି, “ସାକ୍ଷାତେ ଯେ ନାରୀ କୁଳ ଶିରୋମଣି /ତୋର ଜ୍ୟେଷ୍ଠ ପାଟରାଣୀ/ଅନନ୍ତକୋଟି ବ୍ରହ୍ମାଣ୍ଡଯାକର ସେ /ପଡ଼ିଦାତ୍ରୀ ସାଆନ୍ତାଣୀ। / ସର୍ବ ସୁଲକ୍ଷଣୀ ପରମ ସାଧବୀ/ବରୁଣ ନୃପତି ଜେମା/ ଯାର କଟାକ୍ଷରୁ ଐଶ୍ୱର୍ଯ୍ୟ ଭୁଞ୍ଜନ୍ତି/ଇନ୍ଦ୍ର ଚନ୍ଦ୍ର ହର ବ୍ରହ୍ମା।”

କେବଳ ଏତିକି ନୁହେଁ; “ସବୁ ହାର୍ ମୋ ଭାଇର ହେଲା, ମୋ ଆଜ୍ଞା ମାନ, ମନରୁ ସବୁ ଅଭିମାନ ଛାଡ଼” ବୋଲି ମଧ୍ୟ ସେ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ବଡ଼ପାଟିରେ କହିଛନ୍ତି। ଏହା ଲକ୍ଷ୍ମୀଙ୍କୁ ପରମ ସନ୍ତୋଷ ଦେଇଛି ଏବଂ ସେ ମନ୍ଦିରର ଦ୍ୱାର ଖୋଲି ଦେବାକୁ ଦାସୀଙ୍କୁ ନିର୍ଦ୍ଦେଶ ଦେବା ସହିତ, କରଯୋଡ଼ି ତାଙ୍କୁ କ୍ଷମା ମାଗିଛନ୍ତି। ଖଣ୍ଡେ ଦୂରରୁ ବଡ଼ସାଆନ୍ତଙ୍କ ଚରଣରେ ପ୍ରଣାମ ବି କରିଛନ୍ତି। କବାଟ ଫିଟି ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲା ପରେ, ତାଙ୍କ ଗଳାରେ ଫୁଲମାଳ ଦେଇ, ଆଳତି କରି, ତାଙ୍କ ପାଦକୁ ଧରି ପ୍ରଣାମ ବି କରିଛନ୍ତି। ଏହା ସହିତ ଠାକୁର-ଠାକୁରାଣୀଙ୍କ ଘରକଳିର ମଧୁର ପରିସମାପ୍ତି ଘଟିଛି।

ଏଣୁ ଏ ଘରକଳି ଯେପରି ସାଧାରଣ, ସେପରି ସନାତନ। ଦେବୀ ଲକ୍ଷ୍ମୀ ଏଠି ଯେପରି ସାଧାରଣୀ, ସେପରି ମଧ୍ୟ ସନାତନୀ। ଏଣୁ ଏ ଘରକଳି କେବେ ଘର ଭାଙ୍ଗିନି। ବରଂ କାଳେ କାଳେ ଘର ଯୋଡ଼ିଛି। ଏହାହିଁ ଏ ଘରକଳିର ବିଶେଷତ୍ୱ। ଆମର ଏ ବଚନିକା ସାହିତ୍ୟର ବାର୍ତ୍ତା।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର