ମେଘ ନ’ଅଙ୍କରେ

ହୃଦୟ ର˚ଜନ ଶତପଥୀ

ଓଡ଼ିଶାରେ ଅଙ୍କର ପ୍ରଚଳନ ସମ୍ବନ୍ଧୀୟ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ। ଗାଣିତିକ ବିଷୟର ଅଙ୍କ ଠାରୁ ରାଜାରାଜୁଡ଼ାମାନଙ୍କର ଶାସନରେ ବ୍ୟବହୃତ ଅଙ୍କରେ ବହୁତ ପାର୍ଥକ୍ୟ ଦେଖାଯାଏ। ବିଭିନ୍ନ ରାଜା ମହାରାଜାମାନେ ନିଜ ଶାସନ ସମୟରେ ଭିନ୍ନ ଭିନ୍ନ ଅଙ୍କ ପ୍ରଚଳନ କରିଥିବାର ଦୃଷ୍ଟାନ୍ତ ମିଳେ। କିନ୍ତୁ ନଅଙ୍କ କଥା କହିଲେ, ପ୍ରତ୍ୟେକ ଓଡ଼ିଆଙ୍କ ମନରେ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର କଥା ଫୁଟିଉଠେ। ଏହି ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଦୁର୍ଭିକ୍ଷର ଶିକାର ହୋଇ ଭୋକ ଉପାସରେ ମୃତ୍ୟୁବରଣ କରିଥିଲେ। ପୁରୀ ରାଜା ଦିବ୍ୟସି˚ହ ଦେବଙ୍କ ନ’ ଅଙ୍କରେ ପଡ଼ିଥିବାରୁ ଏହା ନଅଙ୍କ ଦୁର୍ଭିକ୍ଷ ନାମରେ କଥିତ। ଏହାର ବିଭିନ୍ନ କାରଣ ତର୍ଜମା କରିବାକୁ ଯାଇ ଐତିହାସିକମାନେ ଭିନ୍ନ ଭିନ୍ନ ମତ ରଖନ୍ତି। ତନ୍ମଧୢରୁ ଗୋଟିଏ ପ୍ରଧାନ କାରଣ ହେଲା, ସେହି ସମୟରେ ଶାସନ କରୁଥିବା ବ୍ରିଟିସ୍‌ ଶାସକମାନେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଦ୍ରବ୍ୟ ଯୋଗାଇବା ପରିବର୍ତ୍ତେ ପାଖ ବଙ୍ଗଳା ରାଜ୍ୟକୁ ଖାଦ୍ୟ ସାମଗ୍ରୀ ଯୋଗାଇଥିଲେ।

ତେବେ ଦୁର୍ଭିକ୍ଷ କଥା ମନରେ ନିରସ ଶୁଷ୍କତା ଜାତ କରୁଥିବା ବେଳେ ମେଘ କଥା ପଡ଼ିଲେ ମନଟି ଉତ୍ସାହ, ଉଦ୍ଦୀପନା, ରୋମାଞ୍ଚ, ପ୍ରେମ ତଥା ଅନେକ ଆବେଗ ଦ୍ବାରା ପୁଲକିତ ହୁଏ। ଏହି ମେଘକୁ ନେଇ ଅନେକ ଉପମା, ରୂପକ, ଚିତ୍ରକଳ୍ପ, କବିତା, ଗଳ୍ପ, ଉପନ୍ୟାସ, ନାଟକ ତଥା ମହାକାବ୍ୟ ରଚନା କରାଯାଇଛି, ଯାହା ବର୍ତ୍ତମାନ ମଧୢ ପାଠକଙ୍କୁ ମେଘର ଆହ୍ଲାଦ, ଚମତ୍କାରିତା ତଥା ମାଧୁର୍ଯ୍ୟର ପ୍ରେରଣା ଯୋଗାଇ ଦେଇ ଆସିଛି। ସବୁଠାରୁ ପ୍ରେରଣାଦାୟୀ କାବ୍ୟ ହେଲା ମହାକବି କାଳିଦାସଙ୍କ ରଚିତ ‘ମେଘଦୂତ’, ଯେଉଁଥିରେ କବି ମେଘକୁ ପତ୍ନୀ ବିଚ୍ଛେଦ ଦୁଃଖରେ ଅଧୀର ଯକ୍ଷ ପତିଙ୍କର ଦୂତ ରୂପେ ବର୍ଣ୍ଣନା କରି ତାଙ୍କ ପ୍ରିୟ ପତ୍ନୀ ପାଖକୁ ପ୍ରେମବାର୍ତ୍ତା ପ୍ରେରଣ କରି କାବ୍ୟିକ ପ୍ରତିଭାର ଚରମ ନିପୁଣତା ତଥା ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି।

କିନ୍ତୁ ବର୍ତ୍ତମାନ ସମୟର ଯୁବକଯୁବତୀମାନଙ୍କ ମଧୢରେ ନିଜର ଭାଷା, ସାହିତ୍ୟ ଓ ସ˚ସ୍କୃତି ସ˚ପର୍କରେ ଜାଣିବା ପାଇଁ ବିଶେଷ ଆଗ୍ରହ ଥିଲା ଭଳି ମନେ ହେଉନାହିଁ। ପାଶ୍ଚାତ୍ୟ ସ˚ସ୍କୃତି ଦ୍ବାରା ସମସ୍ତେ ଏତେ ମାତ୍ରାରେ ପ୍ରଭାବିତ ଯେ ସେମାନଙ୍କ ପାଇଁ ‘ମେଘ’ ଓ ‘ନ’ଅଙ୍କ’ର ଅର୍ଥ ସ˚ପୂର୍ଣ୍ଣ ଅଲଗା ଗୁରୁତ୍ବ ବହନ କରେ। ଇ˚ରେଜୀ ଭାଷାରେ ‘cloud 09’ ବା ‘କ୍ଲାଉଡ୍‌ ନାଇନ୍‌’ ବୋଲି ଏକ ଅଭିବ୍ୟକ୍ତିର ବ୍ୟବହାର ହୋଇଥାଏ; ଯାହାର ଅର୍ଥ ହେଉଛି ଅତିଶୟ ଖୁସି ହେବା। ଉଦାହରଣ ସ୍ବରୂପ, ଝିଅଟିର ନିର୍ବନ୍ଧ ସରିଲା ପରେ ସେ ବର୍ତ୍ତମାନ ‘କ୍ଲାଉଡ୍‌ ନାଇନ୍‌’ରେ ବା ‘ମେଘ ନ’ଅଙ୍କ’ରେ ଅଛି ଅର୍ଥାତ୍‌ ସେ ଅତିଶୟ ଉଲ୍ଲସିତ ଅବସ୍ଥାରେ ଅଛି। ଏହି ନଅଙ୍କ ମେଘକୁ ନେଇ ବିଭିନ୍ନ ପ୍ରକାର ମତବାଦ ରହିଛି। କେହି କେହି କହନ୍ତି, ବୌଦ୍ଧ ଧର୍ମର ଦଶ ପର୍ଯ୍ୟାୟରୁ ନ’ ପର୍ଯ୍ୟାୟକୁ ଭଗବାନଙ୍କ ସହିତ ମିଳନର ସବୁଠାରୁ ନିକଟତମ ପର୍ଯ୍ୟାୟ ବୋଲି ଧରାଯାଏ।

କିନ୍ତୁ ପ୍ରାମାଣିକ ଭାବେ ଆମେରିକାର ଏକ ଆଟ୍‌ଲାସରେ ଏହାର ପ୍ରଥମ ବ୍ୟବହାର ଦେଖିବାକୁ ମିଳେ। ଏମାନଙ୍କ ମତରେ ମେଘର ସବୁଠାରୁ ଶୀର୍ଷତମ ସ୍ତର ହେଲା ନବମ ସ୍ତର। ତେଣୁ ମେଘ ନ’ଅଙ୍କର କଥା କହିଲେ ଶୀର୍ଷତମ ପର୍ଯ୍ୟାୟକୁ ବୁଝାଏ, ଯାହାକି ବର୍ତ୍ତମାନ ଖୁସିର ଶୀର୍ଷତମ ସୋପାନକୁ ଇଙ୍ଗିତ କରୁଛି।

କେଉଁମାନେ ସବୁଠାରୁ ବେଶୀ ଖୁସିରେ ରହନ୍ତି, ସେ ବିଷୟରେ ନିକଟରେ ହାର୍ଭାର୍ଡ‌୍ ବିଶ୍ବବିଦ୍ୟାଳୟର ଏକ ଗବେଷଣାତ୍ମକ ତଥ୍ୟ ପ୍ରକାଶ ପାଇଛି। ଏହି ତଥ୍ୟ ଅନୁସାରେ ଏହି ବିଶ୍ବବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କର ପ୍ରାୟ ପଞ୍ଚସ୍ତରି ବର୍ଷ ବ୍ୟାପୀ ଜୀବନର ଗବେଷଣାତ୍ମକ ଅନୁଧୢାନ ଫଳରେ ବହୁତ ରୋଚକ ତଥ୍ୟ ପ୍ରକାଶ ପାଇଛି। ବିଶ୍ବର ପ୍ରସିଦ୍ଧ ବିଶ୍ବବିଦ୍ୟାଳୟମାନଙ୍କ ମଧୢରୁ ଆମେରିକାର ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରୁ ଅନେକ ରାଷ୍ଟ୍ରନାୟକ, ବୈଜ୍ଞାନିକ, ନୋବେଲ ପୁରସ୍କାର ବିଜେତା, ମହାକାଶଚାରୀ, ବିଶ୍ବର ଧନାଢ଼୍ୟ ବ୍ୟକ୍ତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ କିଛି କଳଙ୍କିତ ବ୍ୟକ୍ତି ମଧୢ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କର ସାମଗ୍ରିକ ଜୀବନଶୈଳୀର ଅନୁଧୢାନ ସମୟରେ ସବୁଠାରୁ ସୁଖୀ ବ୍ୟକ୍ତି କିଏ, ତାହା ଅନ୍ୟତମ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା। ଏଥିରୁ ଦେଖାଗଲା ଯେ, ଅତିଶୟ ଧନସ˚ପତ୍ତି, ପ୍ରତିପତ୍ତି, ସଫଳତା, ପିଲାମାନଙ୍କର ଅସାଧାରଣ କୃତିତ୍ବ ତଥା ପରିବାରର ପ୍ରତିଷ୍ଠା ମଧୢରୁ କୌଣସି ଗୋଟିଏ ହେଲେ ମଧୢ କାହାକୁ ଅତିଶୟ ଖୁସି ପ୍ରଦାନ କରିପାରି ନ ଥିଲା। ଯେଉଁ କିଛି ବ୍ୟକ୍ତି ଅତିଶୟ ଖୁସିରେ ଜୀବନ ଯାପନ କରିଥିଲେ, ସେମାନଙ୍କ ଜୀବନର ଏକମାତ୍ର ବିଶେଷତ୍ବ ହେଲା ଉତ୍ତମ ସ˚ପର୍କ ସ୍ଥାପନ କରିବା ତଥା ନିଭେଇବାର କୌଶଳ। ନିଜ ପରିବାର ମଧୢରେ, ବନ୍ଧୁକୁଟୁମ୍ବ ମଧୢରେ ତଥା ସମାଜରେ ଯେଉଁମାନେ ଉତ୍ତମ ସ˚ପର୍କ ସ୍ଥାପନ କରି ଜୀବନଯାପନ କରିପାରିଲେ ସେହିମାନେ ହିଁ ପ୍ରକୃତରେ ଅତିଶୟ ଖୁସି ବା ‘ମେଘ ନ’ଅଙ୍କ’ରେ ବା ‘କ୍ଲାଉଡ୍‌ ନାଇନ୍‌’ରେ ରହି ଜୀବନକୁ ଉପଭୋଗ କରିପାରିଥିଲେ।

ତେଣୁ ବନ୍ଧୁଗଣ, ଜୀବନରେ ଖୁସିରେ ରହିବାକୁ ହେଲେ ପରସ୍ପର ମଧୢରେ ଉତ୍ତମ ସ˚ପର୍କ ସ୍ଥାପନ ତଥା ନିଭେଇବାର କୌଶଳ ଆପଣାଇ ପାରିଲେ ଆମେ ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ମଧୢ ଖୁସିରେ ରଖି ପାରିବା।

ମୋ- ୯୮୬୧୧୨୪୨୦୨

ସମ୍ବନ୍ଧିତ ଖବର