ଏକଦା ବରୁଣ ଋଷିଙ୍କୁ ଦଶ ବର୍ଷର ପୁଅ ଭୃଗୁ ବ୍ରହ୍ମ କ’ଣ ବୋଲି ପଚାରିଲେ। ଋଷି କହିଥିଲେ-
‘ଅଗ୍ନୈା ପ୍ରାପ୍ତାହୁତିଃ ବ୍ରହ୍ମ, ନାଦିତ୍ୟ ମୁପ ଗଚ୍ଛତି।
ଆଦିତ୍ୟ ଯାୟତେ ବୃଷ୍ଟି, ବୃର୍ଷ୍ଟେରନ୍ନ ତତଃ ପ୍ରଜାଃ (ମହାଭାରତ, ଶାନ୍ତିପର୍ବ)।’

Advertisment

ଅର୍ଥାତ୍‌, ଅଗ୍ନିରେ ବିଧିପୂର୍ବକ ଯେଉଁ ଆହୁତି ଦିଆଯାଏ, ତାହା ସୂର୍ଯ୍ୟ ଦେବଙ୍କୁ ପ୍ରାପ୍ତ ହୁଏ। ତହିଁରୁ ବୃଷ୍ଟି ଓ ସେଥିରୁ ଅନ୍ନ ଜାତ ହୁଏ। ଅନ୍ନରୁ ପ୍ରଜା ଉତ୍ପତ୍ତି ହୁଅନ୍ତି। ସୁତରାଂ ଅନ୍ନକୁ ବ୍ରହ୍ମ ବୋଲି କୁହାଯିବ। ଅନ୍ନ ଓ ଅନ୍ନ ପୂଜାର ମାହାତ୍ମ୍ୟ ଉପନିଷଦରେ ମଧ୍ୟ ରହିଛି। ବ୍ରହ୍ମା ଛପନ କୋଟି ଜୀବ ସୃଷ୍ଟି କଲା ପରେ ଲକ୍ଷ୍ମୀଙ୍କ ମାଧ୍ୟମରେ ବୃକ୍ଷ ଓ ଖାଦ୍ୟ ଶସ୍ୟ ଉତ୍ପନ୍ନ କରାଇଲେ। ପ୍ରଥମ ଶସ୍ୟକୁ ପୃଥିବୀ ଧାରଣ ଅର୍ଥେ ଧାନ କୁହାଗଲା। ବୈଦିକ ଯୁଗରେ ଋଷି ମହର୍ଷିମାନଙ୍କ ପଂଚଜନ୍ୟ ତଥ୍ୟରେ ଅନ୍ନ ପର୍ବ କଥା କୁହାଯାଇଛି। ଆଗକାଳରେ ପୂଜା କରାଯାଉଥିବା ଶାକମ୍ବରୀ ଦେବୀ ହାତରେ ପରିବା ଡାଲାଟିଏ ଧରିଥିବାର ବର୍ଣ୍ଣନା ରହିଛି। ଦୁର୍ଗା ସପ୍ତସତୀରେ କହାଯାଇଛି–

‘ତତୋମହଖିଳଂ ଲୋକମାତ୍ମଦେହ ସମୁଦ୍‌ଭବୈଃ,
ଭରିଶ୍ୟାମି ସୁରା ଶାକୈରାବୁଷ୍ଟେଃ ପ୍ରାଣ ଧାରକୈ’।

ଅର୍ଥାତ୍‌ ହେ ଦେବଗଣ! ମୋର ଶରୀରରୁ ଅନ୍ନ ଉତ୍ପନ୍ନ କରାଇ ସଂସାର ଭରଣ ପୋଷଣ କରିବି। ଯେ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ମୋ ଅନ୍ନ (ଶାଗ) ସମସ୍ତଙ୍କ ପ୍ରାଣ ରକ୍ଷା କରିବ। ଆଦିମ ମଣିଷ ଅନ୍ନକୁ ଦେବତା ଭାବରେ ପୂଜା କଲା। କାରଣ ସାଧାରଣ ଅର୍ଥରେ ଯିଏ ନିଃସ୍ବାର୍ଥପର ଭାବରେ ଦିଏ ସେ ଦେବତା। ତା’ ଆଗରେ ପାଇବା ଲୋକର ମୁଣ୍ତ ସ୍ବତଃ ନଇଁଯାଏ। ଶରୀର ରକ୍ଷା ତଥା ଆବଶ୍ୟକତା ପୂରଣ ନିମନ୍ତେ ମାଟିରୁ ସବୁ କିଛି ପାଇଥିବା ଆଦିମ ମଣିଷ ଧରିତ୍ରୀ ଆଗରେ ଏବଂ ଅଲୌକିକ ଭାବରେ ସବୁ ପାଇଯାଉଥିବା ଅଜଣା ଶକ୍ତି ଆଗରେ ମଥାନତ କଲା। ଆଦିବାସୀମାନଙ୍କ ‘ଧରତୀ–ଧରମେସ’ ପୂଜା ମଧ୍ୟ ଏହି ଧାରାର ହୋଇପାରେ। ଭକ୍ତି ଓ ବିଶ୍ବାସକୁ ନେଇ ପୃଥିବୀକୁ ମାଁ ବିବେଚନା କରୁଥିବା ମଣିଷ ରଜ ସଂକ୍ରାନ୍ତି ଅବସରରେ ମାଟି ମାଁର ରଜସ୍ବଳା ସହ ତା’ର ଉର୍ବରତା ଚିନ୍ତା କରିଥାଏ। ପୁଣି ଶୀତଳଷଷ୍ଠୀର ଆଗମନରେ ପ୍ରତୀକାତ୍ମକ ଶିବ–ଶକ୍ତିଙ୍କ ବିବାହ ଉତ୍ସବର ମଉଜ ନିଏ। ତତ୍ପରେ ଧରିତ୍ରୀ ଶସ୍ୟସଂପନ୍ନା ହୋଇ ଉତ୍ପାଦନକ୍ଷମ ହୁଏ, ଯେଉଁ ପରିକଳ୍ପନା ନେଇ ଆସେ ନୂଆଁଖାଇ ପର୍ବ, ନବଚେତନାର ବାର୍ତ୍ତାବହ। ତେଣୁ ମାଟି ମା’ ପ୍ରତି ନୂତନ ଉତ୍ପାଦିତ ଧାନ ଫସଲ ପ୍ରତି ଭକ୍ତି ଓ ନିଜର ଇଷ୍ଟ ଦେବଦେବୀ, ବିଶ୍ବ ନିୟନ୍ତାଙ୍କ ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି। ମଣିଷ ନିଜ ଭିତରେ, ପ୍ରକୃତି ଭିତରେ ଏବଂ ଅଲୋୖକିକ ଶକ୍ତିି ସହିତ ପ୍ରଗାଢ଼ ଆନ୍ତରିକତା ସ୍ବୀକାରର ପରିକଳ୍ପନା ହିଁ ନବାନ୍ନ।

ଅନ୍ନ ଅମର। ସେଥିପାଇଁ ତ ଅନ୍ନ ବ୍ରହ୍ମ! ତେଣୁ ଅନ୍ନକୁ ନିନ୍ଦା କରିବା ଉଚିତ ନୁହେଁ। ଅନ୍ନକୁ ଫୋପାଡ଼ିବା ଲକ୍ଷ୍ମୀଛଡ଼ା ବୋଲି ଆମ ସଂସ୍କୃତି ବିଶ୍ବାସ କରେ। ନବାନ୍ନ ହେଉଛି ଅନ୍ନର ପର୍ବ। ଅନ୍ନଦାତାର ପର୍ବ। ଏକତାର ପର୍ବ। ସମାନତାର ପର୍ବ। ସାମ୍ୟବାଦର ପର୍ବ। ସବୁ କ୍ଷେତ୍ରରେ ସମାନ ଭାବ ପୋଷଣ କରିବା ସହ ଉଚ୍ଚ, ନୀଚ, ବଡ଼-ସାନ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ହିଁ ସାମ୍ୟବାଦ। ନବାନ୍ନ ପରମ୍ପରା ସାମ୍ୟବାଦ ଉପରେ ହିଁ ପ୍ରତିଷ୍ଠିତ। କାରଣ ଧନୀ ଦରିଦ୍ର ସମସ୍ତେ ଏକା ଅନ୍ନ ପାଇଥା’ନ୍ତି, ଯାହାକି ବୈଷମ୍ୟରେ ସାମ୍ୟ। ତେଣୁ ଉଦାରତା, ନିଃସ୍ବାର୍ଥପରତା ହିଁ ଏହାର ବୈଶିଷ୍ଟ୍ୟ। ଯେଉଁ ପର୍ବ ସାମ୍ୟବାଦର ପରିଚୟ ଦିଏ, ତାହା ସମଗ୍ର ବିଶ୍ବର ଚିନ୍ତା କରିବାର ଅବସର ମଧ୍ୟ ଦେଇଛି। ସୁତରାଂ, ସର୍ବତ୍ର ଦେଖାଦେଉଥିବା ସଂକଟ, ବିଷମତା ପ୍ରତି ଆଖି ବୁଜି ଦେଇ ଆନନ୍ଦ ଉଲ୍ଲାସରେ ମସଗୁଲ ମାନସିକତା ଏହି ପର୍ବର ଆଭିମୁଖ୍ୟ ନୁହେଁ। ମାନବ ସମାଜ ମଧ୍ୟରେ ଥିବା ଅସମାନତାକୁ ଦୂର କରିବା ପାଇଁ ଏହା ଆମକୁ ପ୍ରେରଣା ଦେଉ। ନବାନ୍ନର ନବଚେତନା ଆମକୁ ଆନ୍ଦୋଳିତ କରୁ କ୍ଷୁଧାମୁକ୍ତ ରାଷ୍ଟ୍ର ଗଠନ ଦିଗରେ। ବଂଚିବା ପାଇଁ ଖାଦ୍ୟ ଜରୁରୀ ହୋଇଥିବାରୁ ‘ଅନ୍ନ ବ୍ରହ୍ମ’ର ଯଥେଷ୍ଟ ମହତ୍ତ୍ବ ରହିଛି। ତେଣୁ ନବଚେତନାର ପରିପ୍ରକାଶ ପାଇଁ ଏହି ଅନ୍ନ ପର୍ବ ସମସ୍ତଙ୍କୁ ସାମ୍ୟବାଦର ମନ୍ତ୍ରରେ ମନ୍ତ୍ରାୟିତ କରୁ।

ତାଳପଦର, ବରଗଡ଼
ମୋ- ୯୯୩୮୨୭୭୬୩୫