ପ୍ରାଚୀନ ଅଲିମ୍ପିକ୍‌ସ- ଏକ ସୁଦୀର୍ଘ, ସଫଳ କାହାଣୀ

ଇତିହାସର ଗବାକ୍ଷ - ଦେବବ୍ରତ ମହାପାତ୍ର

ବିଗତ ଦିନରେ କରୋନା ମହାମାରୀ ଭିତରେ ଏକ ଅଭୂତପୂର୍ବ ପରିସ୍ଥିତିରେ ନିର୍ଦ୍ଧାରିତ ସମୟଠାରୁ ଏକ ବର୍ଷ ପରେ ଟୋକିଓଠାରେ ଅଲିମ୍ପିକ୍ସ କ୍ରୀଡ଼ା ସମ୍ପନ୍ନ ହୋଇଯାଇଅଛି। ପ୍ରାଚୀନ ଅଲିମ୍ପିକ୍ସର ସୁଦୀର୍ଘ ଇତିହାସରେ ଏହି ଭଳି ବ୍ୟତିକ୍ରମ ମଧ୍ୟ ଥରେ ମାତ୍ର ହୋଇଥିଲା, ଯେତେବେଳେ ଖ୍ରୀ ୬୫ର ଅଲିମ୍ପିକ୍ସ କ୍ରୀଡ଼ା ଖ୍ରୀ ୬୭ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଗ୍ରୀସ ରୋମାନ୍ ସାମ୍ରାଜ୍ୟର ଅଧୀନ ଥିଲା ଆଉ ସମ୍ରାଟ ଥାଆନ୍ତି ନିରୋ। ନିରୋ ଅଲିମ୍ପିକ କ୍ରୀଡ଼ାରେ ଭାଗ ନେବାକୁ ଚାହିଁବାରୁ ତାର କାର୍ଯ୍ୟନିର୍ଘଣ୍ଟକୁ ପୁନଃନିର୍ଦ୍ଧାରଣ କରାଯାଇଥିଲା। ସେ ରଥ ଚଳନାରେ ଅଂଶ ଗ୍ରହଣ କରିଥିଲେ ଏବଂ ତାଙ୍କ ଆଦେଶରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରାଯାଇଥିବା ସଙ୍ଗୀତ ଓ ଅଭିନୟ ପ୍ରତିଯୋଗିତାରେ ମଧ୍ୟ ସେ ଭାଗ ନେଇଥିଲେ। ତାଙ୍କର ପ୍ରଦର୍ଶନ ସେପରି ଉଲ୍ଲେଖନୀୟ ହୋଇନଥିଲେ ମଧ୍ୟ ତାଙ୍କୁ ସବୁଥିରେ ବିଜୟୀ ଘୋଷିତ କରା ଯାଇଥିଲା। ଏଥିରୁ ପ୍ରତୀତ ହୁଏ ପ୍ରାଚୀନ ଅଲିମ୍ପିକ୍ସର ପ୍ରସିଦ୍ଧି କେ‌େତ ବେଶୀ ଥିଲା ଯେଉଁ କାରଣରୁ ନିରୋଙ୍କ ଭଳି ନିରଙ୍କୁଶ ଶାସକ ମଧ୍ୟ ଅଲିମ୍ପିକ୍ସ ବିଜେତା ହୋଇ ଗୌରବାନ୍ବିତ ମନେ କରୁଥିଲେ।

ଏହି ଅଲିମ୍ପିକ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀସର ଦେବଦେବୀଙ୍କ ମୁଖ୍ୟ ଜିଅସଙ୍କ ସମ୍ମାନାର୍ଥେ ଏଲିସ୍ ଗଣରାଜ୍ୟର ଆଲ୍‌ଫିଅସ ଓ କ୍ଲେଡ୍‍ସ ନଦୀର ଅବବାହିକାସ୍ଥିତ ଜିଅସଙ୍କ ମୁଖ୍ୟ ତୀର୍ଥସ୍ଥଳୀ ଅଲିମ୍ପିଆଠାରେ ପ୍ରତି ଚାରି ବର୍ଷରେ ଅନୁଷ୍ଠିତ ହେଉଥିଲା। ଅଲିମ୍ପିକ୍ସର ସୃଷ୍ଟି ନେଇ ଅନେକ ରୋଚକ କିଂବଦନ୍ତି ଅଛି। ସେଗୁଡ଼ିକ ମଧ୍ୟରୁ ବିଖ୍ୟାତ ଗୀତିକବି ପିଣ୍ଡାରଙ୍କ ଅଲିମ୍ପିକ୍ସ କାବ୍ୟରେ ବର୍ଣ୍ଣିତ ଏକ ଆଖ୍ୟାୟିକା ସବୁଠାରୁ ଲୋକପ୍ରିୟ। ଜିଅସଙ୍କ ପତ୍ନୀ ହେରା ତାଙ୍କର ସାବତ ପୁତ୍ର ହେରାକ୍ଲେସ ଉପରେ ଈର୍ଷାନ୍ବିତା ହୋଇ ଯାଦୁ ଦ୍ବାରା ତାଙ୍କୁ ପାଗଳ କରିଦେଲେ। ଏହି ଉନ୍ମାଦଗ୍ରସ୍ତ ଅବସ୍ଥାରେ ହେରାକ୍ଲେସ ନିଜର ପତ୍ନୀ ଓ ପୁତ୍ରମାନଙ୍କୁ ହତ୍ୟା କଲେ। ତାଙ୍କ ଉପରୁ ଯାଦୁର ପ୍ରଭାବ ଦୂର ହୋଇଯିବା ପରେ ସେ ଏହି ଗ୍ଳାନି ଓ ପାପବୋଧରୁ ମୁକ୍ତି ପାଇବା ପାଇଁ ଡେଲ୍‌ଫିସ୍ଥିତ ଆପୋଲୋ ମନ୍ଦିରର ଦୈବବାଣୀ ଇଙ୍ଗିତରେ ଦଶ ବର୍ଷ ପାଇଁ ତାଙ୍କ ଦୁରନ୍ତ ଶତ୍ରୁ ମାଇସିନିର ରାଜା ୟୁରିସ୍ଥିନିସଙ୍କ ଦାସତ୍ବ ସ୍ବୀକାର କଲେ ଓ ତାଙ୍କଦ୍ବାରା ନ୍ୟସ୍ତ ବାରଟି ଦୁରୂହ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କଲେ। ଏହି କାର୍ଯ୍ୟଗୁଡ଼ିକ ଶେଷ ହେବାପରେ କୃତଜ୍ଞତା ସ୍ବରୂପ ଜିଅସଙ୍କ ସମ୍ମାନାର୍ଥେ ଅଲିମ୍ପିୟାଠାରେ ଆରମ୍ଭ କରିଥିଲେ ଅଲିମ୍ପିକ କ୍ରୀଡ଼ାର ପରମ୍ପରା। ଆଉ ଏକ କୁତୂହଳପ୍ରଦ ଦନ୍ତକଥା ଅନୁସାରେ ଏହା ପେଲୋପ୍‌ସ ନାମକ ଜଣେ ସ୍ଥାନୀୟ ବୀରଙ୍କ ଦ୍ବାରା ପ୍ରାରମ୍ଭ ହୋଇଥିଲା। ପିଶା ଗଣରାଜ୍ୟର ରାଜା ଓଏନୋମାଉସଙ୍କ ମୃତ୍ୟୁ ତାଙ୍କ ଜାମାତା ହାତରେ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା।

ଯୁଦ୍ଧଦେବତା ଏରିସ୍‌ଙ୍କ ପ୍ରଦତ୍ତ ଦୈବ ରଥ ଓ ଅଶ୍ବ ଯୋଗୁଁ ରଥଚାଳନାରେ ସେତେବେଳେ ତାଙ୍କର ସମକକ୍ଷ କେହି ନଥିଲେ। ତେଣୁ ସେ ତାଙ୍କର କନ୍ୟା ହିପୋଡମିଆକୁ ବିବାହ କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ସହ ନିଜର ଏକ ରଥଚାଳନା ପ୍ରତିଯୋଗିତାର ଆୟୋଜନ କରୁଥିଲେ। ସର୍ତ୍ତାନୁସାରେ ପରାଜିତ ପ୍ରତ୍ୟାଶୀର ଶିରଚ୍ଛେଦ ହେଉଥିଲା। ବାର ଜଣ ପ୍ରତ୍ୟାଶୀଙ୍କ ଶିରଚ୍ଛେଦ ପରେ ପେଲୋପ୍‌ସ ରାଜକନ୍ୟାକୁ ବିବାହ କରିବାକୁ ଆସିଲେ ଓ ଓଏନୋମାଉସଙ୍କ ରଥର ତତ୍ତ୍ୱାବଧାରକଙ୍କୁ କୌଶଳ କ୍ରମେ ନିଜ ପକ୍ଷଭୁକ୍ତ କରି ରାଜାଙ୍କ ରଥଚକରେ ପିତ୍ତଳ ଖିଲ ସ୍ଥାନରେ ମହମ ଖିଲ ଲଗାଇ ଦେଲେ। ଫଳରେ ରଥଚାଳନା ପ୍ରତିଯୋଗିତା ସମୟରେ ଓଏନୋମାଉସଙ୍କ ରଥ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ମୃତ୍ୟୁବରଣ କଲେ। ପେଲୋପ୍‌ସ ଏହି ପାପରୁ ମୁକ୍ତି ପାଇବା ପାଇଁ ଜିଅସ୍‌ଙ୍କ ସମ୍ମାନାର୍ଥେ ଅଲିମ୍ପିକ କ୍ରୀଡ଼ାର ପ୍ରଦର୍ଶନ କରିଥିଲେ। ଏହିଭଳି ଅନେକ କିଂବଦନ୍ତି ଓ ପ୍ରତ୍ନତାତ୍ତ୍ୱିକ ଆବିଷ୍କାରରୁ ଏହା ସ୍ପଷ୍ଟ ଯେ ପ୍ରାରମ୍ଭରେ ଏହି କ୍ରୀଡ଼ା ଥିଲା ଗ୍ରୀକ୍ ଧାର୍ମିକ ପରମ୍ପରାର ଏକ ବିବର୍ତ୍ତନ ମାତ୍ର। କ୍ରମେ ଏହି କ୍ରୀଡ଼ା ହେଲା ଗ୍ରୀକ୍ ବୌଦ୍ଧିକ ଓ ଦାର୍ଶନିକ ଚେତନା ପରିପ୍ରକାଶର ଏକ ମାଧ୍ୟମ। ଏହା ସେ ସମୟର ବାଣିଜ୍ୟ ଓ ରାଜନୈତିକ ଭାବର ଆଦାନ ପ୍ରଦାନର ଏକ ପ୍ରକୃଷ୍ଟ କ୍ଷେତ୍ର ମଧ୍ୟ ଥିଲା। ଯଦିଓ ଏହିସବୁ କିଂବଦନ୍ତି ଆଧାରରେ କିଛି ଐତିହାସିକ ଅଲିମ୍ପିକ୍ସ ଖ୍ରୀଷ୍ଟପୂର୍ବ ଏକ ହଜାର ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରନ୍ତି କିନ୍ତୁ ଅଧିକାଂଶ ଐତିହାସିକ ହିପ୍ପିଆସ, ଆରିଷ୍ଟୋଟଲ ପରି ପୁରାତନ ବିଦ୍ବାନମାନଙ୍କ ଲିପିବଦ୍ଧ ବିବରଣୀକୁ ଆଧାର କରି ପ୍ରଥମ ଅଲିମ୍ପିକ୍ସ ଖ୍ରୀ.ପୂ. ୭୭୬ରେ ଅନୁଷ୍ଠିତ ହୋଇଥିବାର ମତବ୍ୟକ୍ତ କରନ୍ତି।

ଖ୍ରୀ.ପୂ. ୭୮୪ରେ ଗ୍ରୀସର ବିଭିନ୍ନ ଗଣରାଜ୍ୟ ମଧ୍ୟରେ ଥିବା ଯୁଦ୍ଧ ଜନିତ ତିକ୍ତତା ଓ ଉତ୍ତେଜନା ପ୍ରଶମିତ କରିବା ପାଇଁ ଡେଲ୍‍ଫିସ୍ଥିତ ମନ୍ଦିର ଦୈବବାଣୀର ଉପଦେଶ ଅନୁସାରେ ଏଲିସ୍‌ର ରାଜା ଇଫିତୋସ, ସ୍ପାର୍ଟାର ରାଜା ଲାଇକର୍‌ଗସ ଓ ପିଶାର ରାଜା କ୍ଲିୟୋସ୍ଥାନିସ ଅଲିମ୍ପିଆରେ ପ୍ରତି ଚାରି ବର୍ଷରେ ଜିଅସଙ୍କ ପୂଜାର୍ଜନା ସହିତ ଏକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଲେ। ଖେଳାଳି, ଦର୍ଶକ ଓ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପୂରା ଗ୍ରୀସ ଭୂଖଣ୍ଡରେ ସେ ଅନୁଷ୍ଠାନର ଆୟୋଜନ ସମୟରେ ଅସ୍ଥାୟୀ ଯୁଦ୍ଧବିରତି କରାଯିବାକୁ ସ୍ଥିର ହେଲା। ଏହା ‘ଏକେଚେଇରିଆ’ ବା ପବିତ୍ର ଅଲିମ୍ପିକ ଟ୍ରୁସ (ଯୁଦ୍ଧବିରତି) ନାମରେ ଖ୍ୟାତ। ଖ୍ରୀ.ପୂ. ୭୭୬ରେ ଆୟୋଜିତ ପ୍ରଥମ ଅଲିମ୍ପିଆଡରେ ଗୋଟିଏ ମାତ୍ର ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ଯାହାକୁ ଷ୍ଟାଡିଅନ୍ ଦୌଡ଼ ବୋଲି କୁହାଯାଉଥିଲା। ଷ୍ଟାଡିଆନ୍ ପୁରାତନ ଗ୍ରୀସରେ ବ୍ୟବହୃତ ଦୈର୍ଘ୍ୟ ପରିମାପର ଏକ ଏକକ ଯାହା ଆଜିର ମାପରେ ଥିଲା ୧୯୨ ମିଟର। ଜିଅସଙ୍କ ପ୍ରତିମା ସମ୍ମୁଖରେ ପବିତ୍ର ଅଗ୍ନିକୁ ଜାଳିବା ନିମିତ୍ତ ବିଶେଷାଧିକାର ପାଇବା ପାଇଁ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର ଦୈର୍ଘ୍ୟରୁ ଷ୍ଟାଡିଅନ୍ ମାପର ସୃଷ୍ଟି ହୋଇଥିଲା ଓ ଆଜିର ଷ୍ଟାଡିୟମ୍ ଶବ୍ଦ ଏହି ଷ୍ଟାଡିଅନ୍‌ ଶବ୍ଦରୁ ସୃଷ୍ଟ। ପ୍ରଥମ ଅଲମ୍ପିଆଡର ଷ୍ଟାଡିଅନ୍ ଦୌଡ଼ ବିଜେତା ଏଲିସ୍ ଗଣରାଜ୍ୟର ଜଣେ ରାନ୍ଧୁଣିଆ କୋରେବସ ଥିଲେ ଇତିହାସର ପ୍ରଥମ ଅଲିମ୍ପିକ ବିଜେତା। ଏହି ଅନୁଷ୍ଠାନ ଅଲିମ୍ପିକ ବର୍ଷ ଅନୁଯାୟୀ ଗ୍ରୀକ୍ କ୍ୟାଲେଣ୍ଡରର ପ୍ରଥମ ମାସ ହେକାଟୋମିଆନ୍ (ଜୁଲାଇ-ଅଗଷ୍ଟ)ର ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିଲା। ଏହାର ପ୍ରାୟ ଦୁଇ ମାସ ପୂର୍ବରୁ ଏଲିସ୍ ଗଣରାଜ୍ୟଦ୍ୱାରା ଅନ୍ୟ ଗଣରାଜ୍ୟମାନଙ୍କୁ ଅଲିମ୍ପିକ୍ସର ସୂଚନା ଦେବା ସହିତ ପବିତ୍ର ଅଲିମ୍ପିକ ଯୁଦ୍ଧବିରତି ଘୋଷଣା କରାଯାଉଥିଲା। ଏହି ଅନୁଷ୍ଠାନ ଓ ତତ୍‍ସହିତ ସଂଲଗ୍ନ ଯୁଦ୍ଧବିରତିକୁ ଗ୍ରୀକ୍‌ମାନେ ଏତେ ପବିତ୍ର ମାନୁଥିଲେ ଯେ ଦୀର୍ଘ ବାର ଶହ ବର୍ଷର ଇତିହାସରେ ଦୁଇ ଥର ମାତ୍ର ଯୁଦ୍ଧବିରତିର ଉଲଂଘନ ହୋଇଥିଲା।

ଖ୍ରୀ.ପୂ.୪୨୦ରେ ସ୍ପାର୍ଟା ଯୁଦ୍ଧବିରତି ଘୋଷଣା ପରେ ଆଥେନ୍‍ସ ଆକ୍ରମଣ କରିଥିବାରୁ ତାକୁ ସେହିଥର ଅଲିମ୍ପିକ କ୍ରୀଡ଼ାରୁ ବହିଷ୍କାର କରାଯାଇଥିଲା। ଖ୍ରୀ.ପୂ. ୩୬୪ରେ ଅଲିମ୍ପିକ୍ସ ଚାଲିଥିଲା ବେଳେ ଅଲିମ୍ପିଆଠାରେ ହିଁ ଏଲିସ୍ ଓ ଆର୍‌କାଡିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଗୋଟିଏ ଓଳିର ଯୁଦ୍ଧ ପରେ ଅଲିମ୍ପିକ୍ସ ଯଥାରୀତି ଚାଲୁ ରହିଥିଲା। ଖ୍ରୀ.ପୂ. ୭୦୮ରୁ କ୍ରମଶଃ ଏହି ଅନୁଷ୍ଠାନର କଳେବର ବୃଦ୍ଧି ପାଇବାରେ ଲାଗିଲା। ପଚାଶ ହଜାର ଦର୍ଶକ କ୍ରୀଡ଼ା ପ୍ରତିଯୋଗିତା ଉପଭୋଗ କରିପାରିଲା ଭଳି ଷ୍ଟାଡିୟମ୍ ଓ ରଥଚାଳନା ପ୍ରତିଯୋଗିତା ପାଇଁ ଏକ ହିପ୍ପୋଡ୍ରମ୍ ନିର୍ମାଣ କରାହେଲା। ପିଡିଆସଙ୍କ ଦ୍ବାରା ଖ୍ରୀ.ପୂ. ୪୪୦ରେ ନିର୍ମିତ ଜିଅସ୍‌ଙ୍କ ଏକ ବିଶାଳକାୟ ଭବ୍ୟ ମୂର୍ତ୍ତି ଅଲିମ୍ପିଆର ଶୋଭାବର୍ଦ୍ଧନ କରୁଥିଲା। ଏହା ପୁରାତନ ବିଶ୍ବର ସାତଗୋଟି ବିସ୍ମୟ ଭିତରୁ ଅନ୍ୟତମ ଥିଲା। ଖ୍ରୀ.ପୂ. ୪୭୨ଠାରୁ ଏହି କ୍ରୀଡ଼ାନୁଷ୍ଠାନ ପାଞ୍ଚଦିନ ପାଇଁ ଅନୁଷ୍ଠିତ ହେବାକୁ ଲାଗିଲା। ଏହି କ୍ରୀଡ଼ୋତ୍ସବର ପ୍ରଥମ ଦିବସରେ ଜିଅସ୍‌ଙ୍କ ପୂଜାର୍ଚ୍ଚନା ପରେ ସମସ୍ତ କ୍ରୀଡାବିତ୍‌ ଓ ବିଚାରକମଣ୍ଡଳୀ ଜିଅସ୍‌ଙ୍କ ପ୍ରତିମା ଆଗରେ ଅଲିମ୍ପିକ କ୍ରୀଡ଼ାର ପବିତ୍ରତା ରକ୍ଷା କରିବାକୁ ଓ ସମସ୍ତ ନୀତି ନିୟମ ମାନିବାକୁ ଶପଥ ନେଉଥିଲେ। ତାପରେ ଅନୁଷ୍ଠିତ ହେଇଥିଲା ଉଦ୍‍ଘୋଷଣ ପ୍ରତିଯୋଗିତା। ଏଥିରେ ଜୟ ଲାଭ କରୁଥିବା ବ୍ୟକ୍ତି ପୂରା କ୍ରୀଡ଼ୋତ୍ସବରେ ଉଦ୍‌ଘୋଷକ ହିସାବରେ କାର୍ଯ୍ୟ କରୁଥିଲା।

ତତ୍‌ପଶ୍ଚାତ୍ ଷ୍ଟାଡିୟମରେ ସବୁ ପ୍ରତିଯୋଗୀଙ୍କ ଶୋଭାଯାତ୍ରା ସହ ଉଦ୍‌ଘାଟନା ଉତ୍ସବ ଅନୁଷ୍ଠିତ ହେଉଥିଲା। ଅପରାହ୍‍ଣ ସମୟ ଉଦ୍ଦିଷ୍ଟ ଥିଲା ୧୮ବର୍ଷରୁ କମ୍ କିଶୋରମାନଙ୍କ କୁସ୍ତି, ମୁଷ୍ଟିଯୁଦ୍ଧ ଓ ଦୌଡ଼ ପ୍ରତିଯୋଗିତା ପାଇଁ। ଦ୍ବିତୀୟ ଦିନ ପ୍ରଥମାର୍ଦ୍ଧରେ ଅଶ୍ବଚାଳନା, ରଥଚାଳନା ଏବଂ ଦ୍ବିତୀୟାର୍ଦ୍ଧରେ ପେଣ୍ଟାଥ୍ଲୋନ୍ ପ୍ରତିଯୋଗିତା ହେଉଥିଲା। ପେଣ୍ଟାଥ୍ଲୋନ୍ ଲମ୍ବଡିଆଁ, ଜାଭ୍‍ଲିନ୍, ଡିସ୍‌କସ୍, ଷ୍ଟାଡିଅନ୍ ଦୌଡ଼ ଓ କୁସ୍ତି ଆଦି ପାଞ୍ଚଟି କ୍ରୀଡ଼ାର ସମାହାର ଥିଲା। ତୃତୀୟ ଦିନ ସଂରକ୍ଷିତ ରହୁଥିଲା ଧାର୍ମିକ କାର୍ଯ୍ୟକଳାପ ପାଇଁ। ସେଦିନ ଜିଅସ୍‌ଙ୍କ ପୂଜା ସହ ତାଙ୍କୁ ପଶୁବଳି ପ୍ରଦାନ କରାହେଉଥିଲା ଓ ସନ୍ଧ୍ୟାରେ ସବୁ ପ୍ରତିଯୋଗୀ, ବିଚାରକ ଓ ବିଶିଷ୍ଟ ଅତିଥିଙ୍କ ପାଇଁ ଏକ ଭୋଜିସଭାର ଆୟୋଜନ କରାହେଉଥିଲା। ଚତୁର୍ଥ ଦିନ ବିଭିନ୍ନ ଦୌଡ଼, ମୁଷ୍ଟି ଯୁଦ୍ଧ, କୁସ୍ତି, ପାନ୍‍‌କ୍ରେସନ୍ ଏବଂ ଶେଷରେ ହୋପ୍‍ଲିଟୋଡ୍ରମସ୍ ପ୍ରତିଯୋଗିତା ଆୟୋଜିତ ହେଉଥିଲା। ଦୌଡ଼ ପ୍ରତିଯୋଗିତାରେ ଷ୍ଟାଡିଅନ୍, ୩୮୪ ମିଟର ବିଶିଷ୍ଟ ଡାଇଓଲସ୍ ଓ ୪୬୦୮ ମିଟର ବିଶିଷ୍ଟ ଡୋଲିଚସ୍ ଦୌଡ଼ ଅନ୍ତର୍ଭୁକ୍ତ ଥିଲା। ପାନ୍‍କ୍ରେସନ୍ ଥିଲା ମୁଷ୍ଟିଯୁଦ୍ଧ ଓ କୁସ୍ତିର ସମିଶ୍ରିତ ଏକ ବିପଜ୍ଜନକ କ୍ରୀଡ଼ା। ଏଥିରେ ପ୍ରାୟତଃ କିଛି ନିୟମ ନଥିଲା। ପ୍ରତିଯୋଗୀ ଚେତାଶୂନ୍ୟ ହେବାଯାଏ ବା ଆତ୍ମସମର୍ପଣ କରିବାଯାଏ ଏହା ଜାରି ରହୁଥିଲା। ହୋପ୍‍ଲିଟୋଡ୍ରମସ୍ ମଧ୍ୟ ଏକ ଦୌଡ଼ ପ୍ରତିଯୋଗିତା ଥିଲା ଯେଉଁଥିରେ ପ୍ରତିଯୋଗୀମାନେ ଶିରସ୍ତ୍ରାଣ, ସାଞ୍ଜୁଆଦି ସୈନିକ ପୋଷାକ ସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଭାଗ ନେଉଥିଲେ। ପଞ୍ଚମ ଦିନଟି ଉତ୍ସର୍ଗୀକୃତ ଥିଲା ଅଲିମ୍ପିକ୍ସ ବିଜେତାମାନଙ୍କ ପାଇଁ। ସବୁ ବିଜେତାମାନଙ୍କୁ ଜିଅସ୍‌ଙ୍କ ମୂର୍ତ୍ତି ସମ୍ମୁଖରେ ତାଙ୍କ ପବିତ୍ର ଉଦ୍ୟାନର ଅଲିଭ ପତ୍ରର ମୁକୁଟରେ ଅଭିଷିକ୍ତ କରାହୋଇ ସମ୍ମାନିତ କରାଯାଉଥିଲା। ଏହି ପାଞ୍ଚ ଦିନ ଅଲିମ୍ପିଆ ଉତ୍ସବମୁଖର ରହୁଥିଲା। ସମଗ୍ର ଗ୍ରୀସ ଓ ଗ୍ରୀସ ବାହାରୁ ହଜାର ହଜାର ତୀର୍ଥଯାତ୍ରୀ ଓ ଦର୍ଶକ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଅଲିମ୍ପିଆରେ ଏକତ୍ର ହେଉଥିଲେ। ସେହି ସମୟରେ ସେଠାରେ ସୁସ୍ବାଦୁ ଖାଦ୍ୟ ଓ ପାନୀୟ ଏବଂ ପଣ୍ୟଦ୍ରବ୍ୟର ବିପଣି ସହ ଏକ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଥିଲା। ମୂର୍ତ୍ତକାର ପିଦାସ; ଦାର୍ଶନିକ ପ୍ଲାଟୋ, ଆରିଷ୍ଟୋଟଲ, ଗୋର୍ଗିଆସ; ରାଜନୀତିଜ୍ଞ ଦେମୋସ୍ଥେନେସ; କବି ପିଣ୍ଡାର; ନାଟ୍ୟକାର ସଫେକ୍ଲେସ; ଗଣିତଜ୍ଞ ଥେଲିସ୍, ପିଥାଗୋରସ୍ ଓ ଐତିହାସିକ ହେରୋଡୋଟସ୍, ଥ୍ୟୁସିଡିଡିସ୍ ଆଦି ଅନେକ ମନିଷୀ ସେମାନଙ୍କ ସମସାମୟିକ ଅଲିମ୍ପିକକୁ ଆସି ନିଜର କୃତି ଓ ସ୍ବ ମତାମତ ଗ୍ରୀକ୍‌ବାସୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିଲେ। ତାହା ସେମାନଙ୍କ ମତବାଦ ପ୍ରସାର ଓ ଅନୁଗାମୀ ସୃଷ୍ଟି କରିବାରେ ସହାୟକ ହେଉଥିଲା।

ଅଲିମ୍ପିକ୍ ବିଜେତାମାନେ ନିଜ ନଗର ରାଜ୍ୟରେ ଅଜସ୍ର ଅର୍ଥ, ପ୍ରତିପତ୍ତି ଓ ସୁବିଧା ଲାଭ କରିବା ସହ ସାରା ଗ୍ରୀସରେ ଅମାପ ଜନପ୍ରିୟତା ଏବଂ ଉଚ୍ଛ୍ବସିତ ସମ୍ମାନ ଓ ପ୍ରଶଂସାର ଅଧିକାରୀ ହେଉଥିଲେ। ଏପରିକି ଶତ୍ରୁ ଦେଶର ଅଲିମ୍ପିକ୍ସ ବିଜେତାମାନଙ୍କୁ ମଧ୍ୟ ସମ୍ମାନର ଦୃଷ୍ଟିରେ ଦେଖା ଯାଉଥିଲା। ରୋଡ୍‍ସର ତିନିଥର ଅଲିମ୍ପିକ ବିଜେତା ଡୋରିଅସ୍ ଏକ ନୌଯୁଦ୍ଧରେ ଆଥେନ୍‍ସ ସେନାଦ୍ୱାରା ବନ୍ଦୀ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ ମଧ୍ୟ ତାଙ୍କର ଅଲିମ୍ପିକ୍ କୃତିତ୍ବକୁ ବିଚାରକୁ ନେଇ ତାଙ୍କୁ ସସମ୍ମାନେ ମୁକ୍ତି ଦିଆଯାଇଥିଲା।

ଖ୍ରୀ.ପୂ. ୧୪୬ରେ ରୋମାନମାନେ ଗ୍ରୀସ ଅଧିକାର କରିବା ପରେ ଅଲିମ୍ପିଆର ଧାର୍ମିକ ଗୁରୁତ୍ବ ହ୍ରାସ ପାଇଲା। ରୋମର ଶାସକ ଓ ରୋମାନ୍‌ମାନେ ଏହି ଶୁଦ୍ଧ କ୍ରୀଡ଼ା ପ୍ରତିଯୋଗିତା ଅପେକ୍ଷା ରକ୍ତ ରଞ୍ଜିତ ଓ ମରଣାନ୍ତ ଗ୍ଲାଡିଏଟର୍ ଏବଂ ମନୁଷ୍ୟ ସହିତ ପଶୁର ଯୁଦ୍ଧକୁ ଅଧିକ ପସନ୍ଦ କରୁଥିଲେ। ତେଣୁ କ୍ରମେ ଏହି କ୍ରୀଡୋତ୍ସବର ମୂଲ୍ୟବୋଧର ଅବକ୍ଷୟ ହେବାକୁ ଲାଗିଲା। ଅଧିକନ୍ତୁ ଖ୍ରୀଷ୍ଟଧର୍ମର ପ୍ରସାର, ଗୃହଯୁଦ୍ଧ, ଖ୍ରୀ. ୨୬୭ରେ ଜର୍ମାନ ଆକ୍ରମଣ ଏହାର ଭିତ୍ତିଭୂମିକୁ ଆହୁରି ଦୋହଲାଇ ଦେଲା। ତେଣୁ ଖ୍ରୀ. ୨୬୧ରୁ ଖ୍ରୀ. ୩୮୧ ପର୍ଯ୍ୟନ୍ତ ଏହାର ଆୟୋଜନରେ କୌଣସି ନିୟମିତତା ନଥିଲା। ଖ୍ରୀ. ୩୮୧ରେ ଅନୁଷ୍ଠିତ ଶେଷ ପ୍ରାଚୀନ ଅଲିମ୍ପିକ୍ସର ସର୍ବଶେଷ ବିଜେତା ଥିଲେ ଆର୍ମେନିଆର ଜଣେ ରାଜକୁମାର ଭାରାଜଦାତ। ଖ୍ରୀଷ୍ଟଧର୍ମାବଲମ୍ବୀ ରୋମାନ୍ ସମ୍ରାଟ ଥିଓଡୋସିଅସ ଅଲିମ୍ପିକ କ୍ରୀଡ଼ାକୁ ଖ୍ରୀଷ୍ଟ ଧର୍ମ ବିରୋଧୀ ବୋଲି ବିଚାର କରି ଖ୍ରୀ. ୩୮୫ରେ ଏହାକୁ ବାତିଲ କରିଥିଲେ ଓ ଖ୍ରୀ. ୩୯୩ରେ ଆନୁଷ୍ଠାନିକ ଭାବରେ ଏହା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କଲେ। ଏହାର ପ୍ରତିବାଦରେ ଗ୍ରୀସରେ ବିଦ୍ରୋହର ସୂତ୍ରପାତ ହେଲା। ହଜାର ହଜାର ଗ୍ରୀସ୍‍ବାସୀଙ୍କୁ ଶୂଳିରେ ଚଢ଼ାଗଲା। ସେମାନଙ୍କର ମନ୍ଦିର ଓ ଅନ୍ୟାନ୍ୟ କୀର୍ତ୍ତିରାଜିଗୁଡ଼ିକୁ ଧ୍ୱଂସ କରିଦିଆଗଲା। ସେହି ସମୟରେ ଜର୍ମାନମାନେ ପୁନଶ୍ଚ ଅଲିମ୍ପିଆ ଆକ୍ରମଣ ଓ ଲୁଣ୍ଠନ କଲେ। ଖ୍ରୀ. ୪୨୭ରେ ଥିଓଡୋସିଅସ ଦ୍ବିତୀୟଙ୍କ ଆଦେଶାନୁସାରେ ଅଲିମ୍ପିଆର ଜିଅସ୍ ମନ୍ଦିରକୁ ଭାଙ୍ଗି ଦିଆଗଲା। ଖ୍ରୀ. ୪୭୫ର କ୍ଲେଡ୍‌‍ସ ନଦୀର ବନ୍ୟା ଓ ଖ୍ରୀ. ୫୮୦ର ଭୂମିକମ୍ପରେ ଅଲିମ୍ପିଆର ଅବଶେଷ କୀର୍ତ୍ତିରାଜି ମାଟି ତଳେ ପୋତି ହୋଇ ନିଶ୍ଚିହ୍ନ ହୋଇଗଲା।

ପରିଶେଷରେ ମଣିଷ ଜାତିର ବାର ଶହ ବର୍ଷର ଏକ ସଫଳ ଓ ଭବ୍ୟ ପ୍ରୟାସ ପ୍ରାୟ ପନ୍ଦର ଶହ ବର୍ଷ ପାଇଁ ପରୀକଥାର ରାଜକୁମାରୀ ଭଳି ନିଦ୍ରାଗତ ହେଲା। ଏହି ପରୀ କଥାର ଏକ ସୁଖଦ ପରିସମାପ୍ତି ଘଟିଲା ଯେତେବେଳେ ଜଣେ ଫରାସୀ ଯୁବକ କ୍ୟୁବେଟାନ୍‌ଙ୍କର ସ୍ପର୍ଶ ଓ ପ୍ରଚେଷ୍ଟାରେ ଖ୍ରୀ. ୧୮୯୬ରେ ରାଜ କୁମାରୀର ନିଦ୍ରା ଭଙ୍ଗ ହେଲା ଓ ଆରମ୍ଭ ହେଲା ଅଲିମ୍ପିକ୍ସର ଆଉ ଏକ ପର୍ଯ୍ୟାୟ ଆଧୁନିକ ଅଲିମ୍ପିକ କ୍ରୀଡ଼ା।

ମୋ: ୯୪୩୭୦୨୬୪୪୯

ସମ୍ବନ୍ଧିତ ଖବର