ଦାରିଦ୍ର୍ୟ ଓ ନାରୀ ନିର୍ଯାତନା

ଦର୍ପଣ

ଯଦିଓ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରର ସମସ୍ତ ସମାଜ ପୁରୁଷ ପ୍ରଧାନ, ତଥାପି ଦେଖାଯାଇଥାଏ ଯେ ଯେଉଁ ଦେଶଗୁଡ଼ିକର ଆର୍ଥିକ ସ୍ଥିତି ନିମ୍ନ, ସେ ଦେଶରେ ନାରୀଙ୍କ ପ୍ରତି ଅଧିକ ନିର୍ଯାତନା ଦିଆଯାଇଥାଏ।

‘ଦ ଫାଷ୍ଟ ପଲିଟିକାଲ୍ ଅର୍ଡର୍: ହାଓ ସେକ୍ସ ସେପ୍‍ସ ଗଭର୍ନାନ୍ସ ଆଣ୍ଡ୍ ନେସ୍‍ନାଲ୍ ସିକ୍ୟୁରିଟି ଵାର୍ଲଡ୍‍ଵାଇଡ୍’ ନାମକ ପୁସ୍ତକରେ ୧୭୬ଟି ଦେଶକୁ ନେଇ ଏ ସମ୍ବନ୍ଧରେ ଏକ ସୂଚକାଙ୍କ ଦେଖିବାକୁ ମିଳେ। ଏହା ଦର୍ଶାଇଥାଏ ଯେ ଅଷ୍ଟ୍ରେଲିଆ, ସ୍ବିଡେନ୍, ସୁଇଜର୍‍ଲାଣ୍ଡ ଭଳି ଧନୀକ ରାଷ୍ଟ୍ର ମହିଳାଙ୍କ ପ୍ରତି ସର୍ବୋତ୍କୃଷ୍ଟ ଆଚରଣ କରୁଥିବା ବେଳେ ଇରାକ, ନାଇଜେରିଆ, ୟେମେନ ଭଳି ଦରିଦ୍ର ଦେଶର ମହିଳାମାନେ ପୁରୁଷଙ୍କ ଦ୍ବାରା ସର୍ବାଧିକ ନିର୍ଯାତିତ ହୋଇଥାନ୍ତି। ଚୀନ, ଭାରତ ଭଳି ଦେଶରେ କନ୍ୟା ସନ୍ତାନ ଚାହୁଁ ନ ଥିବା ପରିବାର ଦ୍ବାରା ଭ୍ରୂଣହତ୍ୟା ଓ କନ୍ୟା ସନ୍ତାନଙ୍କ ଅବହେଳା ଯୋଗୁଁ ଅନ୍ୟୂନ ୧୩ କୋଟି କନ୍ୟା ବିଶ୍ବ ଜନସଂଖ୍ୟାରୁ ନିଖୋଜ ଅଛନ୍ତି ବୋଲି ତହିଁରେ ସ୍ଥାନିତ ଏକ ହିସାବ ଦର୍ଶାଇଥାଏ। ତହିଁରେ ଏହା ମଧ୍ୟ କୁହାଯାଇଛି ଯେ ପୁରୁଷ ଓ ନାରୀଙ୍କ ଭିତରେ ଅନୁପାତର ତାରତମ୍ୟ ପୁରୁଷମାନଙ୍କ ଦ୍ବାରା ନାରୀଙ୍କ ପ୍ରତି ହିଂସାରେ ବୃଦ୍ଧି ଘଟାଇଥାଏ। ଚୀନରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ପୁରୁଷ ଓ ମହିଳା ଜନସଂଖ୍ୟାରେ ୧% ପ୍ରଭେଦ ବୃଦ୍ଧି ହେଲେ ୩.୭% ନାରୀ ବିରୋଧୀ ଅପରାଧ ବୃଦ୍ଧି ପାଉଛି।

ତେଣୁ ଯେଉଁ ସମାଜ ଆର୍ଥିକ ଭାବେ ଉନ୍ନତ ଓ ଯେଉଁଠି ନାରୀ ଓ ପୁରୁଷଙ୍କ ସଂଖ୍ୟା ଅନୁପାତରେ ବିଶେଷ ତାରତମ୍ୟ ନ ଥାଏ, ସେଠାରେ ନାରୀ ବିରୋଧୀ ହିଂସାର ମାତ୍ରା କମ୍‌।

ସମ୍ବନ୍ଧିତ ଖବର