ଜଣେ ଦୃଷ୍ଟାନ୍ତଯୋଗ୍ୟ ଭାରତୀୟ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୁଁ ମୋ ଜୀବନକୁ ମୁଖ୍ୟତଃ ବ୍ୟକ୍ତିଗତ ସଫଳତା ହାସଲ ପାଇଁ ସମର୍ପଣ କରିଦେଇଥିବାରୁ ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା ବ୍ୟକ୍ତିମାନଙ୍କୁ ଦେଖିଲେ ସବୁବେଳେ ଏକ ଗ୍ଳାନିବୋଧ ଦ୍ବାରା ଜର୍ଜରିତ ହୋଇଥାଏ। ମୁଁ ସବୁଠାରୁ ଅଧିକ ପ୍ରଶଂସା କରୁଥିବା ପ୍ରାଶାସନିକ ଅଧିକାରୀ ଜଣକ ୬୬ ବର୍ଷ ବୟସରେ ଗଲା ସେପ୍‌ଟେମ୍ବର ୫ ତାରିଖ, ରବିବାର ଦିନ ପରଲୋକ ଗମନ କଲେ। ସେ କୋଭିଡ୍‌-୧୯ରେ ପୀଡ଼ିତ ହୋଇ ନ ଥିବାରୁ ଏବଂ ସମାଜ ତଥା ଜ୍ଞାନ କ୍ଷେତ୍ର ପ୍ରତି ତାଙ୍କର ଆହୁରି କିଛି ଅବଦାନର ସମ୍ଭାବନା ରହିଥିବାରୁ ଲାଗୁଛି ସେ ବହୁତ ଆଗୁଆ ଚାଲିଗଲେ। ମାତ୍ର ସେ ଯାହା ସବୁ କରିଯାଇଛନ୍ତି ଓ ଯେଉଁ ଶୈଳୀରେ ତାହା କରିଛନ୍ତି, ତାହା ବିଚାର କଲେ ତାଙ୍କର ଏହି ଅକାଳ ବିୟୋଗରେ ମୁଁ ଶୋକ ପ୍ରକାଶ କରିବାକୁ ଇଚ୍ଛା କରିବି ନାହିଁ; ବରଂ ସବୁ ଦିଗରୁ ଉଦାହରଣୀୟ ଥିବା ଏକ ଜୀବନ ପାଇଁ ଉତ୍ସବ ପାଳନ କରିବି।

ମୁଁ ପ୍ରଥମେ ୧୯୮୮ ମସିହାରେ କେଶବ ଦେଶୀରାଜୁଙ୍କୁ ଭେଟିଥିଲି। ତାଙ୍କ ଭଳି ଜଣେ ତାମିଲ ଭାଷୀ ଓ କେମ୍ବ୍ରିଜ୍‌ ସ୍ନାତକଧାରୀ କିପରି ଉତ୍ତରାଖଣ୍ଡରେ ଚମତ୍କାରିତା ଦେଖାଇଥିଲେ, ସେ ସମ୍ପର୍କରେ ତାଙ୍କୁ ଜାଣିଥିବା ମୋ ବନ୍ଧୁମାନଙ୍କ ଠାରୁ ଆଗରୁ ଶୁଣିଥିଲି। ସେତେବେଳେ ସେ ଆଲମୋଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଭାବେ ସେବା କରୁଥା’ନ୍ତି। ସେହି ସ୍ଥାନ ସମ୍ପର୍କରେ ମୁଁ ମୋର ଗବେଷଣାରେ ଲେଖିଛି। ଦୀର୍ଘ ପାହାଡ଼ିଆ ରାସ୍ତାରେ ଅଭ୍ୟନ୍ତର ପ୍ରଦେଶକୁ ଯାଇ ସେହି ପାର୍ବତ୍ୟାଞ୍ଚଳର ଧାରଣକ୍ଷମ ବିକାଶ ଦିଗରେ ରହିଥିବା ଆହ୍ବାନର ମୁକାବିଲା କରିବା ନେଇ ତାଙ୍କ ଠାରେ ଗଭୀର ଆଗ୍ରହ ଓ ହିନ୍ଦୀରେ ତାଙ୍କ ପଟୁତା ମୋତେ ଆକୃଷ୍ଟ କରିଥିବାରୁ କାର୍ଯ୍ୟସ୍ଥଳୀରେ ତାଙ୍କୁ ଦେଖିବା ଲାଗି ମୁଁ ଯାଇଥିଲି।

ଉତ୍ତରପ୍ରଦେଶର ବିଭାଜନ ପରେ ଉତ୍ତରାଖଣ୍ଡ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ହୋଇ ରହିବାକୁ କେଶବ ପସନ୍ଦ କରିଥିଲେ। ମୁଁ ଡେରାଡୁନ୍‌ରେ ଜନ୍ମ ହୋଇ ବଡ଼ ହୋଇଥିଲି। ଏବେ ସେଠାରେ ତାଙ୍କର ଉପସ୍ଥିତି ମୋ’ ପାଇଁ ସେହି ନବ ଗଠିତ ରାଜ୍ୟକୁ ବାରମ୍ବାର ଯିବା ଲାଗି କାରଣ ଯୋଗାଉ ଥିଲା। ବିଶେଷ କରି ଏକ ବିଶାଳ ବନ୍ଧ ପାଇଁ ଖୁବ୍‌ ଶୀଘ୍ର ପରିତ୍ୟକ୍ତ ହେବାକୁ ବସିଥିବା ତେହରି ସହରକୁ ଯିବା ବାଟରେ ବନ୍ଧ ବିରୋଧରେ ଅନଶନ କରିଥିବା ସୁନ୍ଦରଲାଲ ବହୁଗୁଣାଙ୍କ କଥା ମୋର ନିର୍ଦ୍ଦିଷ୍ଟ ଭାବେ ମନେ ପଡୁଛି। ସେହିପରି ଫେରିବା ବାଟରେ ଗଡ଼ଵାଲ ହିମାଳୟ ଅନ୍ତର୍ଗତ ଶେଷ ଘଞ୍ଚ ପାଇନ୍‌ ଅରଣ୍ୟ ଦେଇ ଗାଡ଼ି ଚଳାଇବାର ଆନନ୍ଦ ମୋର ଏବେ ବି ସ୍ମରଣରେ ଅଛି। ଦେଶୀରାଜୁଙ୍କ ପ୍ରତି ଡେରାଡୁନ୍‌ସ୍ଥିତ ସଚିବାଳୟରେ ମଧ୍ୟ ପ୍ରଚୁର ସମ୍ମାନବୋଧ ଥିବା ମୁଁ ଲକ୍ଷ୍ୟ କରିଛି। ସେ ଏପରି ଜଣେ ଅଧିକାରୀ ଥିଲେ, ଯିଏ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରୁଥିବା ଆଚରଣରେ କୌଣସି ଅମଲାତାନ୍ତ୍ରିକ ପୂର୍ବାଗ୍ରହ ବା ଅହମିକା ରଖୁ ନ ଥିଲେ। କାର୍ଯ୍ୟ ସଂପର୍କରେ ଜ୍ଞାନ ସହିତ ବ୍ୟକ୍ତିଗତ ସାଧୁତାର ଏକ ଚମତ୍କାର ସମ୍ମିଶ୍ରଣ ତାଙ୍କ ଠାରେ ଦେଖିବାକୁ ମିଳୁଥିଲା।

୧୯୯୮ ମସିହାରେ ମୁଁ ଓ କେଶବ ମଧ୍ୟପ୍ରଦେଶର ଏକ ଆଦିବାସୀ ଅଞ୍ଚଳ ଗସ୍ତ କରିଥିଲୁ, ଯେଉଁଠି ନୃତତ୍ତ୍ବଶାସ୍ତ୍ରୀ ଭେରିଅର ଏଲଵିନ୍‌ କାମ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷ ରାତ୍ରିରେ ଆମେ ଅମରକଣ୍ଟକସ୍ଥିତ ରାସ୍ତା କଡ଼ ଏକ ରେସ୍ତୋରାଁରେ ରାତ୍ରିଭୋଜନ କଲୁ। ସେଠାରେ ଆମ ପୂର୍ବରୁ ଜଣେ ଗ୍ରାହକ ଛାଡ଼ି ଯାଇଥିବା ହିନ୍ଦୀ ଖବରକାଗଜରୁ ଏମ୍‌.ଏସ୍‌. ଶୁଭଲକ୍ଷ୍ମୀଙ୍କୁ ଭାରତ ରତ୍ନ ସମ୍ମାନ ମିଳିଥିବା ବିଷୟ ଜାଣିବାକୁ ପାଇଥିଲୁ। ଅନୁପୁରରୁ ଦିଲ୍ଲୀକୁ ଟ୍ରେନ୍‌ରେ ଫେରିବା ବେଳେ କେଶବ ଯୋଗ ଦେଇଥିବା ଶୁଭଲକ୍ଷ୍ମୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ସମ୍ପର୍କରେ ମୋତେ ଆବେଗର ସହିତ କହିଥିଲେ। ସେ କହିଥିଲେ, କିପରି ଆଠ ବର୍ଷ ବୟସରେ ସେ ମୁମ୍ବାଇର ସମ୍ମୁଖାନନ୍ଦ ହଲ୍‌ରେ ଶୁଭଲକ୍ଷ୍ମୀଙ୍କ ପ୍ରଥମ କାର୍ଯ୍ୟକ୍ରମର ଅନୁଭୂତି ଲାଭ କରିଥିଲେ, ଯାହାକୁ ସେ ଭୁଲି ନ ଥିଲେ।

ଉତ୍ତରାଖଣ୍ଡରେ ଅନେକ ବର୍ଷ ରହି କାମ କଲା ପରେ ଦେଶୀରାଜୁ ଦିଲ୍ଲୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ଯୋଗ ଦେଇଥିଲେ। ଏଠାରେ ସେ ପୋଲିଓର ମୂଳୋତ୍ପାଟନ କରିବା ତଥା ଭିନ୍ନକ୍ଷମମାନଙ୍କ ଅଧିକାରର ପ୍ରଚାର କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ପଦୋନ୍ନତି ପାଇ ସ୍ବାସ୍ଥ୍ୟ ବିଭାଗର ସଚିବ ହେବା ପରେ ଦେଶରେ ମାନସିକ ରୋଗର ଚିକିତ୍ସା କ୍ଷେତ୍ରକୁ ସଂପ୍ରସାରଣ କରିବା ପାଇଁ ପ୍ରୟାସ କରିଥିଲେ। ପ୍ରଭାବଶାଳୀ ରାଜନେତାଙ୍କୁ ହାତବାରିସି କରି ‘ମେଡିକାଲ କାଉନସିଲ୍‌ ଅଫ୍ ଇଣ୍ଡିଆ’ରେ ପ୍ରଭାବ ବିସ୍ତାର କରିଥିବା ଦୁର୍ନୀତିଗ୍ରସ୍ତ ଧୂର୍ତ୍ତ ପଦାଧିକାରୀମାନଙ୍କ ସହିତ ସେ କଠୋର ଆଚରଣ ପ୍ରଦର୍ଶନ କରିଥିଲେ। ତମାଖୁ ସମର୍ଥକ ଲବିକୁ ମଧ୍ୟ ସେ ପ୍ରବଳ ବିରୋଧ କରୁଥିଲେ। ଏହି ସବୁ କାରଣରୁ ସେତେବେଳର ଉପା ସରକାର ତାଙ୍କ ଭଳି ଜଣେ ଦୃଷ୍ଟାନ୍ତ ସୃଷ୍ଟିକାରୀ ଅଧିକାରୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଅନ୍ୟତ୍ର ବଦଳ କରି ଦେଇଥିଲା। କାରଣ ସେତେବେଳକୁ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିଲା ଓ ତାଙ୍କ ଭଳି ଜଣେ ସଚ୍ଚୋଟ ଅଧିକାରୀ ଅନୈତିକ ଉପାୟରେ ପାଣ୍ଠି ସଂଗ୍ରହରେ ପ୍ରତିବନ୍ଧ ହେବାର ଆଶଙ୍କା ରହିଥିଲା।

ବିଗତ କିଛି ବର୍ଷ ହେଲା ଭାରତରେ ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ନୈତିକତା ହରାଇବା ସହିତ ଅହଙ୍କାରୀ ହୋଇଛନ୍ତି। ତା’ସହିତ ସେମାନେ ନିଜ ନିଜ ରାଜନୈତିକ ମୁରବିଙ୍କ ସହିତ ମେଣ୍ଟ କରି ଦକ୍ଷ ଅଧିକାରୀର ଆଖ୍ୟା ଅର୍ଜନ କରୁଥିବା ଅଧିକ ଦେଖିବାକୁ ମିଳୁଛି। କେଶବ ଦେଶୀରାଜୁଙ୍କ ଠାରେ ସେଭଳି ଅପଗୁଣଟି ନ ଥିଲା। କାରଣ ସେ ସେବା କରୁଥିବା ଜନସାଧାରଣଙ୍କ ଠାରୁ ଯେଉଁ ଭଳି ଉଚ୍ଚ ସମ୍ମାନ ପାଉଥିଲେ, ତାହା ତାଙ୍କର ଅନେକ ସହକର୍ମୀଙ୍କ ଭାଗ୍ୟରେ ଜୁଟୁ ନ ଥିଲା। ତାଙ୍କ ପୂର୍ବବର୍ତ୍ତୀ ଅଧିକାରୀ କେ. ସୁଜାତା ରାଓଙ୍କ ଭଳି ସେ ମଧ୍ୟ ଜଣେ ବିରଳ ସ୍ବାସ୍ଥ୍ୟ ସଚିବ ଥିଲେ, ଯିଏ ଡାକ୍ତର, ଡାକ୍ତରୀ କଲେଜର ପ୍ରଫେସରଙ୍କ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅତ୍ୟନ୍ତ ସମ୍ମାନାସ୍ପଦ ଥିଲେ। ଉପା ସରକାରଙ୍କ ଦ୍ବାରା ତାଙ୍କର ଏପରି ବଦଳିକୁ ଦେଶ ସାରା ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନେ ଦୃଢ଼ ନିନ୍ଦା କରିଥିଲେ।

କେଶବ ଓ ମୁଁ ପରସ୍ପର ନିବିଡ଼ ହେବା ସହିତ ତାଙ୍କ ପ୍ରତି ମୋର ପ୍ରଶଂସା ବୃତ୍ତିଗତ ଠାରୁ ବ୍ୟକ୍ତିଗତ ସ୍ତର ଯାଏ ବ୍ୟାପ୍ତ ଥିଲା। ନିଜ ସହୋଦରଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଠାରୁ ଆରମ୍ଭ କରି ଶାସ୍ତ୍ରୀୟ ସଂଗୀତରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ପର୍ଯ୍ୟନ୍ତ ମୋତେ ମୁଗ୍‌ଧ କରିଥିଲା। ମଧ୍ୟ-ଭାରତରେ ଆମେ ଏକତ୍ର କରିଥିବା ରେଳଯାତ୍ରା ସମୟରେ ଏମ୍‌. ଏସ୍‌. ଶୁଭଲକ୍ଷ୍ମୀଙ୍କର ଏକ ସଂଗୀତ-ଜୀବନୀ ଲେଖିବାର ଅଭିଳାଷ ପୋଷଣ କରିଥିବା କଥା ସେ ମୋତେ କହିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଥିବା ବେଳେ ସପ୍ତାହ ସାରା ଦୀର୍ଘ ସମୟ ଧରି କାମ କରି ଶନିବାରଗୁଡ଼ିକୁ ନେହରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାରରେ ଶୁଭଲକ୍ଷ୍ମୀଙ୍କ ସଂଗୀତ କାର୍ଯ୍ୟକ୍ରମଗୁଡ଼ିକର ମାଇକ୍ରୋ-ଫିଲ୍ମସବୁକୁ ପରିଷ୍କାର କରିବାରେ ଏବଂ ସେ ସଂପର୍କିତ ଦସ୍ତାବିଜ୍‌ ପ୍ରସ୍ତୁତ କରିବାରେ ନିୟୋଜିତ କରିଥିଲେ। ବାର୍ଷିକ ଛୁଟି ପାଇଁ ଅନୁମତି ମିଲିଲେ ସେ ନିଜ ଖର୍ଚ୍ଚରେ ଲଣ୍ଡନ ଯାଇ ଭାରତରେ ଉପଲବ୍‌ଧ ହେଉ ନ ଥିବା ଭଳି ତଥ୍ୟ ବ୍ରିଟିସ୍‌ ପାଠାଗାରରୁ ସଂଗ୍ରହ କରୁଥିଲେ।

କେଶବ ଚାକିରିରୁ ଅବସର ନେଲା ପରେ ଦଶନ୍ଧି ଦଶନ୍ଧି ଧରି ତାଙ୍କ ମନରେ ଅଙ୍କୁରିତ ହୋଇ ଚାଲିଥିବା ଏମ୍‌. ଏସ୍‌. ପ୍ରକଳ୍ପ ଶେଷରେ ଫଳବତୀ ହୋଇଥିଲା, ଯାହା ଚଳିତ ବର୍ଷ ପ୍ରାରମ୍ଭରେ ହାର୍ପର କଲିନ୍‌ସ ଦ୍ବାରା ପ୍ରକାଶିତ ହୋଇଛି। ଏହି ପୁସ୍ତକର ଶୀର୍ଷକ ରହିଛି ‘ଅଫ୍‌ ଗିଫ୍‌ଟେଡ୍‌ ଭଏସ୍‌: ଦି ଲାଇଫ୍‌ ଆଣ୍ଡ୍‌ ଆର୍ଟ ଅଫ୍‌ ଏମ୍‌. ଏସ୍‌. ଶୁଭଲକ୍ଷ୍ମୀ’। ଏହା ଏକ ଗଭୀର ପାଣ୍ଡିତ୍ୟଭରା କାର୍ଯ୍ୟ ଯାହାକୁ ଅଲିଭର କ୍ରାସ୍କଙ୍କ ଦ୍ବାରା ରଚିତ ତଥା ଭାରତୀୟ ସଂଗୀତ ଓ ସଂଗୀତଜ୍ଞଙ୍କ ଲାଗି ଏକ ଅନବଦ୍ୟ ଉପହାର ‘ଇଣ୍ଡିଆନ୍‌ ସନ୍‌: ଦି ଲାଇଫ୍‌ ଆଣ୍ଡ୍‌ ମ୍ୟୁଜିକ୍‌ ଅଫ୍‌ ରବିଶଙ୍କର’ ସହ ତୁଳନୀୟ। ଅବସର ପରେ କେଶବ ଅକ୍‌ସଫୋର୍ଡ ୟୁନିଭର୍‌ସିଟି ପ୍ରେସ୍‌ ଦ୍ବାରା ପ୍ରକାଶିତ ‘ହିଲର୍ସ ଅର୍‌ ପ୍ରିଡେଟର୍ସ? ହେଲ୍‌ଥ କେୟାର କରପ୍‌ସନ୍‌ ଇନ୍‌ ଇଣ୍ଡିଆ’ ନାମକ ଏକ ଗବେଷଣାତ୍ମକ ସଂକଳନର ଯୁଗ୍ମ ସମ୍ପାଦନା ମଧ୍ୟ କରିଥିଲେ।

କେଶବ ଯାହା କରିଯାଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ଖୁବ୍‌ ପ୍ରଶଂସା କରେ ଏବଂ ତାଙ୍କ ଜ୍ଞାନ ପାଇଁ ମୁଁ ତାଙ୍କୁ ଈର୍ଷା ମଧ୍ୟ କରିଥାଏ। ଆମେ ଉଭୟ ନିଜକୁ ଜଣେ ନେହରୁବାଦୀ ଭାରତୀୟ ବୋଲି ପରିଚୟ ଦେବାକୁ ଭଲ ପାଉଥିଲୁ; ଯେହେତୁ ଆମର ଏହି ପ୍ରଥମ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତିସଂପନ୍ନ ଓ ବିବିଧତାଭରା ଭାରତ ସମ୍ମିଳିତ ଭାବେ ଛିଡ଼ା ହେଉ ବୋଲି ସେ ଲଢ଼େଇ କରିଥିଲେ। ତେବେ ଭାରତର ସାଂସ୍କୃତିକ ଓ ଭାଷାଗତ ପ୍ରାଚୁର୍ଯ୍ୟରେ ଅଧିକ ବୁଡ଼ି ପାରିଥିବା କେଶବ ମୋ’ ତୁଳନାରେ ଅଧିକ ଗଭୀର ନେହରୁବାଦୀ ଭାରତୀୟ ଥିଲେ। ଆମ ସଂଗୀତ ପ୍ରତି ତାଙ୍କର ପ୍ରଗାଢ଼ ଜ୍ଞାନ ଭଳି ଶାସ୍ତ୍ରୀୟ ସାହିତ୍ୟମାନଙ୍କରେ ମଧ୍ୟ ତାଙ୍କର ଗଭୀର ରୁଚି ଥିଲା। ସେ ପ୍ରାଞ୍ଜଳ ଭାବରେ ତେଲୁଗୁ, ତାମିଲ, ହିନ୍ଦୀ ଓ ଇଂରେଜୀ କହିପାରୁଥିଲେ ଏବଂ ସଂସ୍କୃତରେ ମଧ୍ୟ କିଛି ପ୍ରବେଶର ଅଧିକାରୀ ଥିଲେ। ସେଗୁଡ଼ିକ ମଧ୍ୟରୁ କେବଳ ତେଲୁଗୁ ବ୍ୟତୀତ ଅନ୍ୟ ଭାଷା ସବୁ ସହଜରେ ପଢ଼ିପାରୁଥିଲେ। ବାସ୍ତବିକ ମୃତ୍ୟୁ ବେଳକୁ ସେ ତାଙ୍କ ମାତୃଭାଷା ତେଲୁଗୁର ଲିପି ଶିଖୁଥିଲେ ଯାହା କି ସଂଗୀତଜ୍ଞ ତ୍ୟାଗରାଜଙ୍କ ଉପରେ ଏକ ପୁସ୍ତକ ପାଇଁ ତାଙ୍କ ଗବେଷଣାର ଅଂଶବିଶେଷ ଥିଲା; କିନ୍ତୁ ତାହା ଅଧାରେ ରହିଗଲା।

କେଶବ ହିନ୍ଦୁତ୍ବକୁ ନାପସନ୍ଦ କରୁଥିଲେ। ହିନ୍ଦୁବାଦ ଏକ ମାନବିକତା ଓ ସହାନୁଭୂତିସଂପନ୍ନ ପନ୍ଥା ବୋଲି ସେ ବୁଝିଥିଲେ ଏବଂ ତାହାର ସେହିଭଳି ଅନୁସରଣ କରୁଥିଲେ। ସଂପ୍ରତି ଦେଶର ସଡ଼କରେ ଦୃଶ୍ୟମାନ ହେଉଥିବା ହିଂସ୍ର ଭିଡ଼ରେ ଭାଗ ନେଉଥିବା ହିନ୍ଦୁଧର୍ମର ତଥାକଥିତ ଆତ୍ମଘୋଷିତ ରକ୍ଷକମାନଙ୍କୁ ସେ ପ୍ରକାର ଦାର୍ଶନିକ ଗଭୀରତା ଦୁର୍ବୋଧ୍ୟ ହେବ। ତାଙ୍କୁ ଜାଣିଥିବା ଜଣେ ଯୁବ ଭାରତୀୟ ଲେଖିଥିଲେ, ‘କେଶବ ଦେଶୀରାଜୁ ଜଣେ ପ୍ରକୃତ ଦେଶଭକ୍ତ, ଯାହାଙ୍କ ଠାରେ ଆମ ଗଣତନ୍ତ୍ରର ଉଚ୍ଚ ମୂଲ୍ୟବୋଧଗୁଡ଼ିକ ରକ୍ତମାଂସର ରୂପ ପାଇଛି।’

ବିଦ୍ବାନ୍‌ମାନେ ଗମ୍ଭୀର ଓ ରସହୀନ ହୋଇପାରନ୍ତି; ଅମଲାମାନେ ଅହଂକାରୀ ଓ ସ୍ବାର୍ଥ ସର୍ବସ୍ବ ହୋଇପାରନ୍ତି। କିନ୍ତୁ ଏହି ବିଦ୍ବାନ୍‌-ପ୍ରାଶାସନିକ ଅଧିକାରୀ ମଧ୍ୟ ଥିଲେ ମଉଜ ପ୍ରିୟ। ଏ ସମ୍ବନ୍ଧରେ ‘ଇଣ୍ଡିଆନ୍‌ ଏକ୍‌ସପ୍ରେସ୍‌’ରେ ଜୋ ଚୋପ୍ରା ଏକ ଚମତ୍କାର ଶ୍ରଦ୍ଧାଞ୍ଜଳି ଲେଖିଥିଲେ। ତାଙ୍କ ପରଲୋକର ମାତ୍ର ସପ୍ତାହେ ଭିତରେ ଅଧ ଡଜନେ ସରିକି ଏମିତି ମଜାଦାର କଥା ସବୁ ପଢ଼ିବାର ସୁଯୋଗ ମିଳିଛି, ଇଚ୍ଛା ହେଉଛି ସେ ସବୁ ଯେମିତି କେଶବଙ୍କୁ କହି ପକାନ୍ତି। କେଶବ ଦେଶୀରାଜୁ ପ୍ରଥମ ବ୍ୟକ୍ତି ଥିଲେ ଯାହାଙ୍କ ପାଖକୁ ସଂଗୀତ, ଭାଷା, ଶାସନ ଏବଂ ସାର୍ବଜନୀନ ଯୋଜନା ବିଷୟରେ ସୂଚନା ଓ ଜ୍ଞାନ ଆହରଣ ପାଇଁ ମୁଁ ଯାଉଥିଲି, ସେ ବି ପ୍ରଥମ ବ୍ୟକ୍ତି ଥିଲେ ଯାହାଙ୍କୁ କୌଣସି ହସ କଥା କି ମଜାଦାର ଗୁଲି ଗପ ଶୁଣାଇବାକୁ ମୋର ଇଚ୍ଛା ହେଉଥିଲା।

ମୋ’ ପାଖରେ ତାଙ୍କର ଅନେକ ଅଭିଳଷିତ ସ୍ମୃତି ରହିଛି। ଆଲମୋଡ଼ାକୁ ସେହି ୧୯୮୮ର ଗସ୍ତ ବେଳେ ସମାଜ-କର୍ମୀ ଅସିତ ମିତ୍ର, ଲଳିତ ପାଣ୍ଡେ, କେଶବ ଓ ମୁଁ ଏକତ୍ର ବନରିଦେବୀ ମନ୍ଦିର ନିକଟରେ ଏକ ପବିତ୍ର ସମାଧି ଦେଖିବାକୁ ଯାଇଥିଲୁ। କେଶବଙ୍କ ଅନୁରୋଧ କ୍ରମେ ଆମେ ଯାଇଥିଲୁ, ମାତ୍ର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନାଲିବତି ଗାଡ଼ି ନ ନେଇ ଅସିତଙ୍କ ଦଦରା ଜିପ୍‌ ବ୍ୟବହାର କରିଥିଲୁ। ନିଘଞ୍ଚ ଓକ୍‌ ବୃକ୍ଷଭରା ପାହାଡ଼ର ଶୀର୍ଷରେ ଥିବା ସେହି ଦେବୀ ପୀଠକୁ ଚାଲି ଚାଲି ଗଲା ବେଳେ ଜିଲ୍ଲାର ସବୁଠୁ କ୍ଷମତାଶାଳୀ ବ୍ୟକ୍ତି ତାଙ୍କ ବନ୍ଧୁମାନଙ୍କ ଗହଣରେ ଅତ୍ୟନ୍ତ ଖୁସି ଥିବା ଦେଖିଥିଲି।
ତାହାର ତିରିଶ ବର୍ଷ ପରେ କୁମାୟୁଁରେ ପୁଣି ଥରେ ମୁଁ ପହଞ୍ଚିବା ପରେ ବର୍ତ୍ତମାନର ଭାରତରେ ଗାନ୍ଧୀ ଆନ୍ଦୋଳନର ଜଣେ ପୁରୋଧା ରାଧା ଭଟ୍ଟଙ୍କୁ ଏହି କଥାଟି କହିଥିଲି। ରାଧା ମଧ୍ୟ ତାଙ୍କ ନିଜର ଏକ ଅନୁଭୂତି ଶୁଣାଇଥିଲେ। ଆଲମୋଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଥିବା ବେଳେ ଆମ ବନ୍ଧୁ ଯେତେବେଳେ କୌସନି ଯାଆନ୍ତି, ପାହାଡ଼ ପାଦଦେଶରେ ଗାଡ଼ିକୁ ଡ୍ରାଇଭରଙ୍କ ଦାୟିତ୍ବରେ ଛାଡ଼ି ଦେଇ ଉପରେ ଥିବା ଲକ୍ଷ୍ମୀ ଆଶ୍ରମକୁ ଏକା ଏକା ପାହାଡ଼ ଚଢ଼ି ଯାଆନ୍ତି। ସେଠାରେ ସେହି ପାର୍ବତ୍ୟାଞ୍ଚଳ ଓ ସେଠାକାର ବାସିନ୍ଦାଙ୍କ ବିଷୟରେ ବିଶେଷ ଧାରଣା ରଖିଥିବା ଜଣେ ବ୍ୟକ୍ତିଙ୍କ ସହ ଘଣ୍ଟାଏ କି ଦୁଇ ଘଣ୍ଟା ସମୟ ବିତାଇଥା’ନ୍ତି।

ମୁଁ ଏ ଆଲେଖ୍ୟ ପ୍ରସ୍ତୁତ କଲା ବେଳେ କେଶବଙ୍କର ବିୟୋଗରେ ଆଲମୋଡ଼ାବାସୀଙ୍କ ଶୋକ ସଂକ୍ରାନ୍ତ ଖବରକୁ ତାଙ୍କର ଜଣେ ବିଶ୍ବସ୍ତ ଓ ବିଦ୍ବାନ ବନ୍ଧୁ ମୋ’ ପାଖକୁ ପଠାଇଥିଲେ। ସେ ସେହି ଜିଲ୍ଲାରେ ଏ ପର୍ଯ୍ୟନ୍ତ ଲୋକଙ୍କର ଶ୍ରଦ୍ଧା ଓ ସମ୍ମାନର ପ୍ରାତ୍ର ହୋଇ ରହିଛନ୍ତି। ବାସ୍ତବରେ ଜିଲ୍ଲା ସ୍ତରରେ ହେଉ କି ରାଜ୍ୟ ସଚିବାଳୟ କି କେନ୍ଦ୍ର ସରକାରଙ୍କ ସ୍ତରରେ ହେଉ; ସେ ଯାହା ବି କାର୍ଯ୍ୟ କରିଛନ୍ତି, ତାହା ମାଧ୍ୟମରେ କେଶବ ତାଙ୍କ ଅମଳର ପ୍ରାଶାସନିକ ଅଧିକାରୀମାନଙ୍କ ତୁଳନାରେ ଲୋକଙ୍କ ମନକୁ ଅଧିକ ସମ୍ମାନାସ୍ପଦ ଢଙ୍ଗରେ ଛୁଇଁ ପାରିଛନ୍ତି।

ଗଣତନ୍ତ୍ର ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ହେଉଛନ୍ତି କେଶବ ଦେଶୀରାଜୁଙ୍କର ଅଜା। କେଶବ ତାଙ୍କ ବଂଶ ପରିଚୟକୁ ହାଲୁକାରେ ବହନ କରିଥିଲେ ବି ସେହି ମହାନ ବ୍ୟକ୍ତିତ୍ବଙ୍କ ବୈଶିଷ୍ଟ୍ୟର ପ୍ରଭାବ ତାଙ୍କ ଉପରେ ରହିଥିଲା। ତାଙ୍କୁ ଜାଣିଥିବା ଅନେକ ବ୍ୟକ୍ତି ସେ କାହାର ନାତି ବୋଲି ଜାଣିନାହାନ୍ତି। ତେବେ ଏକ ଅଦ୍ଭୁତ ସଂଯୋଗ ଭଳି ତାଙ୍କ ଅଜାଙ୍କର ଜନ୍ମ ଦିନ ଗଲା ଗୁରୁଦିବସରେ କେଶବଙ୍କର ପରଲୋକ ଘଟିଛି। କିପରି ଏକ ସମ୍ମାନାସ୍ପଦ ଜୀବନ ଜିଇବାକୁ ହୁଏ ଏବଂ ତା’ ସହିତ ଜୀବନକୁ କିଭଳି ରୋଚକ କରିହୁଏ, ତାହା ସେ ତାଙ୍କର କାର୍ଯ୍ୟ ଓ ବ୍ୟବହାରରେ ତାଙ୍କୁ ଜାଣିଥିବା ସମସ୍ତଙ୍କୁ ଶିଖାଇଛନ୍ତି। ମୋ’ ପରିଚିତ ବ୍ୟକ୍ତିଙ୍କ ମଧ୍ୟରେ ସେ ସବୁଠାରୁ ଅଧିକ ଦୃଷ୍ଟାନ୍ତଯୋଗ୍ୟ ଭାରତୀୟ ଥିଲେ। ପ୍ରାଶାସନିକ ଅଧିକାରୀ, ବିଦ୍ବାନ, ଶିକ୍ଷକ, ଜଣେ ପ‌ାରିବାରିକ ମନୁଷ୍ୟ ତଥା ବନ୍ଧୁ ଭାବରେ ମଧ୍ୟ ସେ ମୋ’ ଲାଗି ସବୁଠୁ ଅଧିକ ଦୃଷ୍ଟାନ୍ତଯୋଗ୍ୟ।

ସମ୍ବନ୍ଧିତ ଖବର