ଅମୃତ ମହୋତ୍ସବର ଅନୁଚିନ୍ତା

ପବିତ୍ର ମୋହନ କର

ଚଳିତ ବର୍ଷ ଆମ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଚାଲିଲା। ଏହି ଅବସରରେ ସରକାର ଘୋଷଣା କରିଥିବା ବର୍ଷ ବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ର ପାଳନ ସ୍ବାଗତଯୋଗ୍ୟ। କାରଣ ଏକଚ୍ଛତ୍ରବାଦ ଓ ସାମରିକ ଶକ୍ତି କବଳରେ ବିଶ୍ବର ଅନେକ ରାଷ୍ଟ୍ରର ସାର୍ବଭୌମତ୍ୱ ବିପନ୍ନ ହେଉଥିବା ବେଳେ ବିବିଧତାରେ ଭରା ବିଶାଳ ଭାରତବର୍ଷରେ ଗତ ୭୫ ବର୍ଷର ଅକ୍ଷୁଣ୍ଣ ରହିଥିବା ସ୍ବାଧୀନତା ଓ ମଜଭୁତ ଗାଣତାନ୍ତ୍ରିକ ଢାଞ୍ଚା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଶହେ ବର୍ଷ ପୂର୍ବେ ଆମ ସ୍ବାଧୀନତା ସଂଗ୍ରାମରେ ଅସ୍ତ୍ର ରୂପେ ବ୍ୟବହୃତ ଅହିଂସା ଓ ସତ୍ୟାଗ୍ରହ ଆଜି ବି ବିଶ୍ୱ ପାଇଁ ବିସ୍ମୟ। ଧର୍ମ ନିରପେକ୍ଷତା ଓ ଅନ୍ତର୍ଭୁକ୍ତୀ ସହାବସ୍ଥାନ ଭାରତର ଅନନ୍ୟତା।

ଆଜି ଭାରତ ବିଶ୍ବର ଷଷ୍ଠ ବୃହତ୍‌ ଅର୍ଥନୀତି। କୃଷି, ଶିଳ୍ପ, ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ଉପଲବ୍‌ଧିରେ ଆମ ଦେଶ ବିଶ୍ବରେ ଅଗ୍ରଣୀ। ପରମାଣୁ ଶକ୍ତି ହାସଲ ସହ ଗମନାଗମନ, ଶକ୍ତି ଉତ୍ପାଦନ, ମହାକାଶ ବିଜ୍ଞାନ ଓ ସଂଚାର କ୍ଷେତ୍ରରେ ମଧ୍ୟ ଏହା ବିକଶିତ ରାଷ୍ଟ୍ରମାନଙ୍କର ସମକକ୍ଷ। ଏ ସବୁ ଦୃଷ୍ଟିରୁ ‘ଅମୃତ ମହୋତ୍ସବ’ର ପାଳନ ଅଗଣିତ ସ୍ବାଧୀନତା ସଂଗ୍ରାମୀ, ସମ୍ବିଧାନର ପ୍ରଣେତା ଓ ସଫଳ ସଂସଦୀୟ ବ୍ୟବସ୍ଥାର ଧୂରୀଣ ସ୍ଥପତିମାନଙ୍କୁ ସଶ୍ରଦ୍ଧ କୃତଜ୍ଞତା ଜ୍ଞାପନ ନିମନ୍ତେ ଏକ ଅନନ୍ୟ ସୁଯୋଗ।

ତେ‌େବ, ଏହି ପରିପ୍ରେକ୍ଷୀରେ କିନ୍ତୁ ଦେଶର ସାଂପ୍ରତିକ ରାଜନୈତିକ ଓ ସାମାଜିକ ସ୍ଥିତି ଚିନ୍ତାଜନକ ମନେ ହୁଏ। ଏ ବର୍ଷ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ‘ଅମୃତ ମହୋତ୍ସବ’ ସଂକ୍ରାନ୍ତୀୟ ଘୋଷଣା କରୁଥିବା ବେଳେ ଅନତି ଦୂରରେ ପ୍ରାୟ ବର୍ଷେ ପୂରଣ କରିବାକୁ ବସିଥିବା ହଜାର ହଜାର କୃଷକଙ୍କର ଆନ୍ଦୋଳନ ଅବ୍ୟାହତ ରହିଛି, ଯାହାର ଉଦ୍ଦେଶ୍ୟ ସ୍ବାଭିମାନ ଓ ବୃତ୍ତିଗତ ମର୍ଯ୍ୟାଦାର ସୁରକ୍ଷା। ଶତାଧିକ କୃଷକ ଇତିମଧ୍ୟରେ ସେଠାରେ ମୃତ୍ୟୁବରଣ କଲେଣି। କରୋନା ଯୋଗୁଁ ସବୁ କ୍ଷେତ୍ରରେ ଆର୍ଥିକ କ୍ଷତି ସତ୍ତ୍ବେ କୃଷି ଉତ୍ପାଦନ ସକାରାତ୍ମକ ରହିଛି, ଅଥଚ ସରକାରୀ ଦଳର ମନ୍ତ୍ରୀ ଓ ନେତାମାନେ ସେମାନଙ୍କୁ ଦେଶଦ୍ରୋହୀ ଓ ମୱାଲି ବୋଲି କହି ଅପମାନିତ କରୁଛନ୍ତି। ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଡ଼ମ୍ବନା ନୁହେଁ କି?

ପାର୍ଲାମେଣ୍ଟର ଚଳିତ ମୌସୁମୀ ଅଧିବେଶନ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବିନା ଆଲୋଚନାରେ ବିଲ୍‌ ପାରିତ ହୋଇଛି ଏବଂ ଏଭଳି ପ୍ରଥା ସମସ୍ୟା ଉପୁଜାଇବ ବୋଲି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଆଶଙ୍କା ପ୍ରକଟ କରିଛନ୍ତି। ସଂସଦୀୟ ଗଣତନ୍ତ୍ର ଆମ ଦେଶର ମେରୁଦଣ୍ଡ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ସଂସଦକୁ ପ୍ରଣାମ କରିଥିଲେ। ହେଲେ, ଏବେ ସଂସଦକୁ ଦଳୀୟ କାର୍ଯ୍ୟାଳୟ ଭଳି ବ୍ୟବହାର କରାଯାଉଛି। ଏହା ଦ୍ବାରା ସଂସଦର ଗରିମା କ୍ଷୁଣ୍ଣ ହେଉନାହିଁ କି?

ଆମ ଦେଶର ରାଜନେତା, ବିଚାରପତି, ପ୍ରଶାସକ ଓ ଅନ୍ୟମାନଙ୍କ ଉପରେ ‘ପେଗାସସ୍‌’ ସ୍ପାଏଓୟାର ଦ୍ବାରା ଗୋଇନ୍ଦାଗିରି କରାଯାଉଥିବା ଅଭିଯୋଗ ହେଲା। ସରକାର ଏଭଳି କରୁନାହାନ୍ତି ବୋଲି ସଫେଇ ଦେଲେ କିନ୍ତୁ ସଂସଦରେ ଏହାର ଆଲୋଚନା ପାଇଁ ଅନୁମତି ଦେଲେ ନାହିଁ କିମ୍ବା ଏହାର ତଦନ୍ତ ମଧ୍ୟ କରାଇଲେ ନାହିଁ। ସରକାରଙ୍କ ଅଗୋଚରରେ ଏପରି ଗୋଇନ୍ଦାଗିରି ଦେଶର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁନାହିଁ କି?
ମହାତ୍ମା ଗାନ୍ଧୀ ଅତୁଳନୀୟ ଭାରତର ଅମ୍ଳାନ ପ୍ରତୀକ। ପ୍ରଥମ ଭାରତୀୟ ଭାବେ ତାଙ୍କୁ ‘ଆମେରିକା କଂଗ୍ରେସର ସ୍ବର୍ଣ୍ଣ ପଦକ’ ପ୍ରଦାନ ନିମନ୍ତେ ଆମେରିକାର ପ୍ରତିନିଧି ସଭାରେ ଏବେ ପ୍ରସ୍ତାବ ଆଗତ ହୋଇଛି। ସାବରମତୀ ଆଶ୍ରମ ଗାନ୍ଧୀ ଆଦର୍ଶର ଅନ୍ତୁଡିଶାଳ। ଏହାର ପ୍ରସ୍ତାବିତ ନବୀକରଣ କାର୍ଯ୍ୟକାରୀ ହେଲେ ଭାରତରେ ଗାନ୍ଧୀଜୀଙ୍କ ସ୍ମାରକୀ ଲୋପ ପାଇଯିବାର ଆଶଙ୍କା ମଧ୍ୟ ରହିଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ମଧ୍ୟ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ, ଜାତୀୟ ଅଭିଲେଖାଗାର, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଭଳି ସ୍ମାରକୀ ଅଟ୍ଟାଳିକାମାନଙ୍କୁ ଧରାଶାୟୀ କରାଯିବାର ଯୋଜନା ରହିଛି। ଏହା ଦ୍ବାରା ଆଧୁନିକ ଭାରତର ନିର୍ମାତାମାନଙ୍କର ସ୍ମୃତି ସ୍ବାକ୍ଷର ହଜିଯିବାର ଆଶଙ୍କା ହେଉନାହିଁ କି?

ଗାନ୍ଧୀ, ନେହରୁ, ପଟେଲ, ଆମ୍ବେଦକର ଆଦି ମନୀଷୀଗଣ ସମାଲୋଚନା ଓ ସମାଲୋଚକଙ୍କୁ ସମ୍ମାନ କରୁଥିଲେ। ନାଥୁରାମ ଗଡ଼ସେକୁ ଆଲୋଚନା ପାଇଁ ସ୍ବୟଂ ଗାନ୍ଧୀ ଏକାଧିକ ବାର ଡାକିଥିଲେ। ନେହରୁ ତାଙ୍କ କ୍ୟାବିନେଟ୍‌ରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଆମ୍ବେଦକରଙ୍କ ଭଳି କଂଗ୍ରେସର ସମାଲୋଚକଙ୍କୁ ସାମିଲ କରିଥିଲେ। ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ଅଧିକାର ଦେଇଛି। କିନ୍ତୁ ଏବେ ସ୍ଥିତି ଭିନ୍ନ। ସରକାର ଓ ସରକାରୀ ଦଳର ସମାଲୋଚନା ଓ ବ୍ୟଙ୍ଗକୁ ଦେଶବିରୋଧୀ ଭାବେ ଗଣାଯାଇ ଦଣ୍ଡବିଧାନ କରାଯାଉଛି। ଗତ ସତୁରି ବର୍ଷର ଶାସନ ଓ ଶାସକଙ୍କୁ ନିନ୍ଦା କରି ସେଇ ଅବଧିରେ ଭାରତ ହାସଲ କରିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିକୁ ନ୍ୟୂନ କରାଯାଉଛି ଓ ସେମାନଙ୍କ ଉଦ୍ୟମରେ ନିର୍ମିତ ବନ୍ଦର, ବିମାନଘାଟୀ, ରେଳବାଇ ଓ ଟେଲିକମ ଭଳି ସଂସ୍ଥାମାନଙ୍କୁ ଘରୋଇ ପରିଚାଳନାକୁ ହସ୍ତାନ୍ତର କରାଯାଉଛି।

କଳା, ସାହିତ୍ୟ, ସଂଗୀତ ତଥା କ୍ରୀଡ଼ା ପ୍ରତି ସରକାରୀ ଉଦାସୀନତା ସ୍ପଷ୍ଟ। ଖେଳ ପ୍ରତି ସରକାରଙ୍କ ଅନୁରାଗ କେବଳ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରର ନାଁ ବଦଳେଇ ହକିର କିଂବଦନ୍ତି ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବାରେ ସୀମିତ। ଧ୍ୟାନଚାନ୍ଦ ଏଭଳି ସମ୍ବର୍ଦ୍ଧନାରେ ନିଶ୍ଚୟ ଉଲ୍ଲସିତ ହୁଅନ୍ତେ ନାହିଁ, ଯେମିତି ସର୍ଦାର ପଟେଲ ନିଜ ଉଚ୍ଚତମ ପ୍ରତିମା ଦେଖି ଖୁସି ହେଇ ନ ଥାଆନ୍ତେ।

‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଅନ୍ତତଃ ଏହାର ଆଦ୍ୟ ସ୍ଥପତିମାନଙ୍କ ଅବଦାନକୁ ସ୍ବୀକାର କରି ସଂସଦ, ନ୍ୟାୟପାଳିକା, ନିର୍ବାଚନ ଆୟୋଗ, ଗଣମାଧ୍ୟମ ଭଳି ଗାଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଗରିମା ଅକ୍ଷୁଣ୍ଣ ରଖାଯିବା ଦରକାର। ଦଳୀୟ ସ୍ବାର୍ଥରୁ ଉପରକୁ ଉଠି ସଂଘୀୟ ଶାସନ ବ୍ୟବସ୍ଥା ପ୍ରତି ବିଶ୍ବସ୍ତ ହୋଇ ଏକ ଅନ୍ତର୍ଭୁକ୍ତୀ ପ୍ରଜାମଙ୍ଗଳ ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେଇ ପାରିଲେ ତାହା ହିଁ ସେଇ ମହାନ ଜନନାୟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଦେଶ ପ୍ରତି ପ୍ରକୃତ ସମ୍ମାନ ହେବ।

‘କଳ୍ପବଟ’
ଫକିରାବାଦ, ଠାକୁରପାଟଣା, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର