ଓଜୋନ ସଚେତନତା ଓ ମଣ୍ଟ୍ରିଲ ଚୁକ୍ତି

ରୂପଶ୍ରୀ ରାଗିଣୀ ଦାସ

ସମୁଦ୍ର ପତ୍ତନ ଠାରୁ ୬୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଓଜୋନ୍ ପରିବ୍ୟାପ୍ତ ହୋଇ ରହିଛି। ବାୟୁମଣ୍ଡଳରେ ଏହାର ପରିମାଣ ୩୦ ଲକ୍ଷ ମେଟ୍ରିକ୍ ଟନ୍। ଏହା ବାୟୁମଣ୍ଡଳର ସମସ୍ତ ବାଷ୍ପୀୟ ପଦାର୍ଥର ୧ ମିଲିଅନ ଭାଗରୁ ମାତ୍ର ୦.୬ ଅଂଶ (୦.୬ ପି.ପି.ଏମ୍‌.)ଅଟେ। ବାୟୁମଣ୍ଡଳର ଶତକଡ଼ା ୯୦ ଭାଗ ଓଜୋନ୍ ଷ୍ଟ୍ରାଟୋସ୍‌ଫିଅର (ଭୂ-ପୃଷ୍ଠକୁ ଲାଗି ରହିଥିବା ବାୟୁମଣ୍ଡଳ)ରେ ରହିଥାଏ। ତିରିଶ କିଲୋମିଟର ଉଚ୍ଚତାରେ ଥିବା ଓଜୋନର ସୂକ୍ଷ୍ମ ବଳୟ ସମସ୍ତ ଅତି-ବାଇଗଣି ବା ଅଲ୍‌ଟ୍ରା ଭାୟୋଲେଟ୍‌ ରଶ୍ମି ବା ‘ୟୁଭି ରେ’ ଶୋଷି ନେଉଥିବାରୁ ଜୀବ ଓ ଉଦ୍ଭିଦ ମଣ୍ଡଳ ସୂର୍ଯ୍ୟ କିରଣର କ୍ଷତିକାରକ ପ୍ରଭାବରୁ ମୁକ୍ତ ରହିଥା’ନ୍ତି।

ଗଲା ପଞ୍ଚମ ଦଶକରେ ଆଣ୍ଟାର୍କଟିକା ଠାରେ ସର୍ବ ପ୍ରଥମେ ‘ଡବସନ୍ ସ୍ପେକ୍ଟ୍ରୋଫଟୋମିଟର୍’ ଦ୍ୱାରା ସମସ୍ତ ଓଜୋନର ପରିମାଣ ମାପ କରାଯାଇଥିଲା। ଷଷ୍ଠରୁ ସପ୍ତମ ଦଶକ ମଧ୍ୟରେ ବୈଜ୍ଞାନିକମାନେ ଲକ୍ଷ୍ୟ କଲେ ଯେ କ୍ଲୋରିନ୍ ଏବଂ ବ୍ରୋମିନ୍ ଥିବା ଅଣୁ ଦ୍ୱାରା ଓଜୋନରୁ ଗୋଟିଏ ଅମ୍ଳଜାନ ପରମାଣୁ ଚ୍ଛିନ୍ନ ହୋଇ ଓଜୋନ୍‌କୁ ଭାଙ୍ଗି ପକାଉଛି।। ଏଆର୍‌କଣ୍ଡିସନର୍ ଓ ଶୀତତାପ ନିବାରକ ଫୋମ୍‌ରେ ବ୍ୟବହୃତ ହେଉଥିବା ‘କ୍ଲୋରୋଫ୍ଲୋରୋକାର୍ବନ୍‌ (ସି.ଏଫ୍.ସି.), ହାଇଡ୍ରୋଫ୍ଲୋରୋକାର୍ବନ୍‌(ଏଚ୍.ଏଫ୍‌.ସି.)ରେ କ୍ଲୋରିନ୍ ପରିମାଣ ଅଧିକ ଥିବାରୁ ତାହା ବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶି ଷ୍ଟ୍ରାଟୋସ୍ଫିଅରରେ ପହଞ୍ଚି ଓଜୋନ୍‌କୁ ଦୁର୍ବଳ କରି ପକାଉଛି। ଅଷ୍ଟମ ଦଶକରେ ସି.ଏଫ୍‌.ସି.ର ବ୍ୟବହାର ସର୍ବୋଚ୍ଚ ସୀମା ଛୁଇଁଥିଲା। ପରିଣାମ ସ୍ୱରୂପ ଷ୍ଟ୍ରାଟୋସ୍ଫିଅରରେ ଓଜୋନର ପରିମାଣ ଦ୍ରୁତ ବେଗରେ ହ୍ରାସ ପାଇ ଓଜୋନ୍ ଓ ସୂର୍ଯ୍ୟ କିରଣର ସନ୍ତୁଳନକୁ ନଷ୍ଟ କରିଦେଲା। ୧୯୮୪ ମସିହାରେ, ଆଣ୍ଟାର୍କଟିକାରେ ଥିବା ବ୍ରିଟିସ୍ ଲାବୋରୋଟୋରିର ବୈଜ୍ଞାନିକ ଜୋସେଫ୍ ସି. ଫାର୍ମାନ୍ ଏବଂ ତାଙ୍କର ସହଯୋଗୀ ଦେଖିଲେ ଯେ ସେଠାରେ ଓଜୋନ୍ ପରିମାଣ ପଞ୍ଚମ ଦଶକ ତୁଳନାରେ ଶତକଡ଼ା ୪୦ ଭାଗ ହ୍ରାସ ପାଇଛି। ଫଳରେ ଓଜୋନ ସ୍ତର ଅତ୍ୟନ୍ତ ପତଳା ହୋଇଯାଇଛି। ଓଜୋନ୍ ସ୍ତରର ଏପରି ଅବସ୍ଥାକୁ ଓଜୋନ୍ ଗର୍ତ୍ତ ବୋଲି କୁହାଗଲା।

୧୯୭୩ ମସିହାରୁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ରୋଲାଣ୍ଡ ଏବଂ ସହଯୋଗୀ ଡକ୍ଟର ମୋଲିନା ନିରବଚ୍ଛିନ ଗବେଷଣା କରି ଓଜୋନ ସ୍ତର ହ୍ରାସ ପାଇଁ ଉପରୋକ୍ତ ରାସାୟନିକ ପଦାର୍ଥ ଦାୟୀ ବୋଲି ତାଙ୍କର ସିଦ୍ଧାନ୍ତକୁ ୧୯୮୫ ମସିହାରେ ‘ନେଚର୍’ ପତ୍ରିକାରେ ପ୍ରକାଶ କଲେ। ଏହି ନିବନ୍ଧ ସେତେବେଳେ ବୈଜ୍ଞାନିକ ମହଲରେ ଏକ ବୋମା ତୁଲ୍ୟ ଆବିର୍ଭୂତ ହୋଇଥିଲା। ପତଳା ଓଜୋନ୍ ସ୍ତର ଅନିଷ୍ଟକାରକ ‘ୟୁଭି ରେ’କୁ ଅଟକାଇ ନ ପାରିବାରୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଲା ଏବଂ ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ବିଶେଷ କରି ଚର୍ମ ଓ ଚକ୍ଷୁ ରୋଗର କାରଣ ହେଲା ଏବଂ କର୍କଟ ରୋଗର ବିପଦ ବଢ଼ାଇଲା। କେବଳ ସେତିକି ନୁହେ, ଏହା ମଣିଷର ରୋଗ ପ୍ରତିରୋଧ ଶକ୍ତି ହ୍ରାସ କରିବା ସହିତ ଅକାଳ ବାର୍ଦ୍ଧକ୍ୟ ଘଟାଇଲା। ଏହା ଦ୍ବାରା ପଶୁମାନଙ୍କର ଡି.ଏନ.ଏ ଭାଙ୍ଗି ଗଲା ଓ ଶସ୍ୟ କ୍ଷେତରେ ଶସ୍ୟ ଉତ୍ପାଦନକୁ ସାହାଯ୍ୟ କରୁଥିବା ‘ସିଆନୋ ବ୍ୟାକ୍ଟେରିଆ’ ନଷ୍ଟ ହୋଇଗଲେ, ଯାହା ଫଳରେ କୃଷି ଉତ୍ପାଦନ ଆକ୍ରାନ୍ତ ହେଲା।

ତେଣୁ, ପରିବେଶ ସୁରକ୍ଷା ଅନୁଷ୍ଠାନ ଏବଂ ଜାତିସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇ ୧୯୮୫ ମସିହା ମାର୍ଚ୍ଚ ୨୨ରେ ଜାତିସଂଘ ଆନୁକୂଲ୍ୟରେ ଭିଏନା ସମ୍ମିଳନୀର ଆୟୋଜନ କରାଗଲା। ଏଥିରେ ପ୍ରଥମେ ୨୮ଟି ରାଷ୍ଟ୍ରଙ୍କ ଦସ୍ତଖତ ମିଳିଲା। ଭିଏନା ସମ୍ମିଳନୀ, ୧୯୮୭ ମସିହା ସେପ୍‌ଟେମ୍ବର ୧୬ ତାରିଖରେ ମଣ୍ଟ୍ରିଲ ପ୍ରୋଟୋକଲକୁ ବାଟ କଢ଼େଇଲା, ଯହିଁରେ ୪୬ଟି ଦେଶ ଯୋଗ ଦେଇଥିଲେ। ଏଥିରେ ଶହେ ସରିକି ଓଜୋନ୍ ହ୍ରାସକାରୀ ପଦାର୍ଥକୁ ଚିହ୍ନଟ କରି ସ୍ଥିର କରାଗଲା ଯେ ସେଗୁଡ଼ିକର ଉତ୍ପାଦନ ଓ ବ୍ୟବହାର ମାତ୍ରାରେ ୧୯୯୮ ସୁଦ୍ଧା ଶତକଡ଼ା ୫୦ ଭାଗ ହ୍ରାସ କରାଯିବ। ଭାରତ ୧୯୯୧ ମସିହାରେ ଭିଏନା ରାଜିନାମା ଓ ୧୯୯୨ ମସିହାରେ ମଣ୍ଟ୍ରିଲ ପ୍ରୋଟୋକଲକୁ ଗ୍ରହଣ କଲା। ବର୍ତ୍ତମାନ ଭିଏନା ସମ୍ମିଳନୀ ଓ ମଣ୍ଟ୍ରିଲ ପ୍ରୋଟୋକଲକୁ ଜାତିସଂଘ ସହ ସଂପୃକ୍ତ ୧୯୬ଟି ରାଷ୍ଟ୍ର ଏବଂ ଇଉରୋପିଆନ୍ ୟୁନିୟନ୍ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଓଜୋନ୍‌କୁ କ୍ଷତି ପହଞ୍ଚାଉଥିବା ପଦାର୍ଥମାନଙ୍କ ସମ୍ପର୍କରେ ପୃଥିବୀବାସୀଙ୍କୁ ପ୍ରମାଣ ସହ ସାବଧାନ କରି ଦେଇଥିବା ହେତୁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ରୋଲାଣ୍ଡ, ଡକ୍ଟର ମୋଲିନା ଏବଂ ମ୍ୟାକ୍‌ସ୍ ପ୍ଲାନ୍‌କ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର କ୍ରୁଜେନଙ୍କୁ ୧୯୯୫ ମସିହାରେ ରସାୟନ ବିଜ୍ଞାନ ଲାଗି ନୋବେଲ୍ ପୁରସ୍କାର ପ୍ରଦାନ କରାଗଲା। କିନ୍ତୁ ଦେଖାଗଲା ଯେ ମଣ୍ଟ୍ରିଲ ପ୍ରୋଟୋକଲକୁ ସ୍ୱୀକୃତି ଦେଇଥିବା ରାଷ୍ଟ୍ରଗୁଡ଼ିକ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁ ନାହାନ୍ତି। ତେଣୁ, ଓଜୋନ୍ ଗର୍ତ୍ତର ଆକାର ବଢ଼ିବାକୁ ଲାଗିଲା। ଏହାର ଭୟାବହ ପରିଣାମ ବାବଦରେ ସଚେତନ କରେଇ ଦେବା ପାଇଁ ଇତିମଧ୍ୟରେ ମଣ୍ଟ୍ରିଲ ପ୍ରୋଟୋକଲର ୯ ଥର ପରିମାର୍ଜନା କରାଗଲାଣି। ଅବଶ୍ୟ, ଅନେକ ରାଷ୍ଟ୍ର ଏହି ବିପଦ ପ୍ରତି ଜାଗ୍ରତ ହେଲେଣି ଓ ଯାହାର କିଛିଟା ପ୍ରଭାବ ମଧ୍ୟ ପଡ଼ିଲାଣି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ମଣ୍ଟ୍ରିଲ ରାଜିନାମା ଅନୁସାରେ ଭାରତର ଲକ୍ଷ୍ୟ ହେଲା ୨୦୨୪-୨୬ ମସିହାରେ ବ୍ୟବହାର କରାଯାଉଥିବା ଓଜୋନ ହ୍ରାସକାରୀ ପଦାର୍ଥର ବ୍ୟବହାରରେ ୨୦୪୭ ସୁଦ୍ଧା ଶତକଡ଼ା ୮୫ ଭାଗ କମ୍‌ କରିବ। ଏବେ ଯୁକ୍ତରାଷ୍ଟ୍ର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ପକ୍ଷରୁ ପ୍ରତ୍ୟେକ ଦିନ ସାରା ପୃଥିବୀର ଓଜୋନ୍ ମାନଚିତ୍ର ପ୍ରସ୍ତୁତ କରାଯାଉଛି। ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍‌ଧି କରି ରାଷ୍ଟ୍ରଗୁଡ଼ିକ ମଣ୍ଟ୍ରିଲ ପ୍ରୋଟୋକଲ ଅନୁସାରେ ନିଜ ନିଜ ଦେଶରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଜରୁରୀ।

(ବିଶ୍ୱ ଓଜୋନ୍ ଦିବସ)
ମୋ- ୭୯୭୮୮୧୩୯୪୪
[email protected]

ସମ୍ବନ୍ଧିତ ଖବର