ଭାରତକୁ ସବୁବେଳେ କୁହାଯାଏ, ଏହା ହେଉଛି ଦେବଭୂମି। ଏ ଦେଶରେ କେତେ କେତେ ଯୋଗୀ ଋଷି, ମୁନିମାନେ ଜନ୍ମ ଗ୍ରହଣ କରିଛନ୍ତି। ଏ ଦେଶ ଉଦାର। ଏ ଦେଶ ବିଶ୍ବର ବିଭିନ୍ନ ପ୍ରାନ୍ତରରୁ ଅତ୍ୟାଚାରିତ ହୋଇ ପଳାଇ ଆସୁଥିବା ଲୋକମାନଙ୍କୁ ଆଶ୍ରୟ ଦେଇଛି। ଭାରତୀୟମାନେ ଦୟା, କ୍ଷମାର ଅବତାର ଅଟନ୍ତି। ଏ ଦେଶରେ ବୁଦ୍ଧ, ଗାନ୍ଧୀ, ମହାବୀର ଜୈନ, ଶଙ୍କରାଚାର୍ଯ୍ୟ ଆଦି ଜନ୍ମ ଗ୍ରହଣ କରିଛନ୍ତି ଯେଉଁମାନେ ଅହିଂସାର ପ୍ରତିମୂର୍ତ୍ତି। ତେଣୁ ଏ ଦେଶର ଜନସାଧାରଣ ନିଜର ସାମାଜିକ ଗୁରୁ ଦାୟିତ୍ବ ପାଳନ କରିବା କଥା। ସେମାନେ ମଧ୍ୟ ଅନ୍ୟ ଜଣକ ପ୍ରତି ଏପରି ବ୍ୟବହାର କରିବା ଉଚିତ, ଯଦ୍ଦ୍ବାରା ସେମାନେ ସୁଖୀ ହେବେ। ଏପରିକି ଜଣକର ବ୍ୟବହାର ଫଳରେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତିଟିଏ ମଧ୍ୟ କେମିତି ମନେ କରିବ, ସେ କଥାକୁ ମଧ୍ୟ ଭାରତୀୟମାନେ ଭାବିବା ଆବଶ୍ୟକ। ଭାରତୀୟମାନେ ଏ ଧରଣର ଉଦାରତା ତଥା ସାମାଜିକ ସମ୍ବେଦନଶୀଳତାକୁ ପାଳନ କରିଥା’ନ୍ତି ବୋଲି କୁହାଯାଇଥାଏ। କିନ୍ତୁ ନିକଟ ଅତୀତରେ ସାମାଜିକ ଉତ୍ତରଦାୟିତ୍ବ ପରିପ୍ରେକ୍ଷୀରେ ଭାରତୀୟମାନେ କେମିତି ଆଚରଣ କରିଥା’ନ୍ତି, ସେ ସମ୍ପର୍କରେ ଗୋଟିଏ ଅଧ୍ୟୟନର ଫଳାଫଳ ଗୋଟିଏ ବିଶିଷ୍ଟ ପତ୍ରିକାରେ ପ୍ରକାଶିତ ହୋଇଛି। କେବଳ ଭାରତରେ ନୁହେଁ, ପୃଥିବୀର ଅଧିକାଂଶ ଦେଶର ଜନସାଧାରଣ ସେମାନଙ୍କର ସାମାଜିକ ସମ୍ବେଦନଶୀଳତା କେମିତି ପ୍ରଦର୍ଶନ କରିଥା’ନ୍ତି, ଏ ସମ୍ପର୍କରେ ସେହି ପତ୍ରିକାରେ ସୂଚନା ଦିଆଯାଇଛି। ସେହି ଅନୁସାରେ କିନ୍ତୁ ଦେଖାଯାଉଛି ଯେ, ସାମାଜିକ ସମ୍ବେଦନଶୀଳତା ପ୍ରସଙ୍ଗରେ ଭାରତ ଅନେକ ତଳେ। ଯୋଗୀ, ମୁନିର ଦେଶ ଠାରୁ ଏହା ଆଶା କରାଯାଏନା।
ଏ ସମ୍ପର୍କରେ ଏକ ଗବେଷଣା ପତ୍ରିକା ‘ପ୍ରସିଡିଂଗସ୍ ଅଫ୍ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ’ରେ ପ୍ରକାଶିତ ହୋଇଛି। ଏହି ପ୍ରକଳ୍ପ ପାଇଁ ୬୫ ଜଣ ଗବେଷକଙ୍କର ଗୋଟିଏ ଆନ୍ତର୍ଜାତିକ ଗୋଷ୍ଠୀ ବିଭିନ୍ନ ଦେଶମାନଙ୍କରେ ମଣିଷମାନଙ୍କର ସାମାଜିକ ବ୍ୟବହାର ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏ ଧରଣର ସାମାଜିକ ବ୍ୟବହାର ଉପରେ ମଧ୍ୟ ଗବେଷଣାମାନ କରାଯାଇଛି। ସେଥିରେ ଦେଖାଯାଇଛି ଯେ, ମଣିଷର ସହଯୋଗ ନିର୍ଭର କରୁଛି କେତେକ ବାସ୍ତବ ଉଦ୍ୟମ ଉପରେ ଅବା ଅନ୍ୟ ଲୋକର ସମସ୍ୟା ଦୂର କରିବା ପାଇଁ ଜଣେ ଲୋକ କେତେ ଖର୍ଚ୍ଚ କରୁଛି, ତାହା ଉପରେ। କିନ୍ତୁ ମଣିଷର ଛୋଟ ଛୋଟ ଆଚରଣ ଉପରେ ଏଭଳି ଅଧ୍ୟୟନ ବେଳେ ଗୁରୁତ୍ବ ଦିଆଯାଇ ନ ଥାଏ। ଏହି ଛୋଟ ଛୋଟ ଆଚରଣ ମଧ୍ୟରେ ଅଛି ଟିକେ ହସି ଦେବା, କେହି ଆସିଲା ବେଳେ ତାକୁ ବାଟ ଛାଡ଼ିଦେବା ଇତ୍ୟାଦି କଥାମାନ। ବିଶେଷକରି ଅନ୍ୟ ପ୍ରତି ଭଲ ଆଚରଣ କଲା ବେଳେ ଯେତେବେଳେ ନିଜର କୌଣସି କ୍ଷତି ନ ହୁଏ, ସେପରି କ୍ଷେତ୍ରରେ ସେହି ଆଚରଣ ପ୍ରଦର୍ଶନ କରାଯାଉଛି କି ନାହିଁ ତାହା ମଧ୍ୟ ଧ୍ୟାନ ପୂର୍ବକ ଦେଖିବାର କଥା। ଏହି ଅଧ୍ୟୟନରେ ୩୧ଟି ଦେଶର ନାଗରିକମାନଙ୍କର ସାମାଜିକ ଆଚରଣ ସମ୍ପର୍କରେ ଅଧ୍ୟୟନ କରାଯାଇଛି।
ଅନ୍ୟମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା କ୍ଷେତ୍ରରେ ବିଶ୍ବରେ ଜାପାନ ସବା ଆଗେ ରହିଛି। ସେମାନଙ୍କର ବ୍ୟବହାର ଅନ୍ୟମାନଙ୍କୁ କେମିତି ପ୍ରଭାବିତ କରୁଛି, ସେ ସମ୍ପର୍କରେ ଜାପାନୀମାନେ ପ୍ରଥମେ ବିଚାର କରିଥା’ନ୍ତି। ଏପରି କି ଯେଉଁ ଅଚିହ୍ନା ବ୍ୟକ୍ତିଙ୍କ ସହ ସେମାନଙ୍କର ସାକ୍ଷାତ ହୁଏ, ସେମାନଙ୍କ ପ୍ରତି ଆଚରଣର ପ୍ରଭାବ କେମିତି ପଡ଼ିବ, ସେ କଥା ମଧ୍ୟ ସେମାନେ ଧ୍ୟାନର ସହ ଲକ୍ଷ୍ୟ କରିଥା’ନ୍ତି। ଜାପାନୀମାନେ ସାମାଜିକ ଆଚରଣରେ ସମସ୍ତଙ୍କ ଅପେକ୍ଷା ଆଗରେ ବୋଲି ଗୋଟିଏ ରିପୋର୍ଟ ପ୍ରକାଶ ପାଇବା ନୂଆ କଥା ନୁହେଁ। ବିନା ରିପୋର୍ଟରେ ମଧ୍ୟ ଜାପାନୀମାନେ ସର୍ବଦା ଅନ୍ୟମାନଙ୍କ ପ୍ରତି ଅତ୍ୟନ୍ତ ମାର୍ଜିତ ଓ ସାହାଯ୍ୟକାରୀ ମନୋବୃତ୍ତି ପ୍ରଦର୍ଶନ କରିଥାଆନ୍ତି ବୋଲି ସାରା ବିଶ୍ବରେ ପ୍ରଚାରିତ। ଏହି ମନୋଭାବ ଯେ ଏକାନ୍ତ ସତ୍ୟ ସେ କଥା ଉପରେ ବର୍ତ୍ତମାନର ରିପୋର୍ଟ କେବଳ ମୋହର ଲଗାଇଛି। ଜଣାପଡ଼ିଛି ଯେ ୭୨% ଜାପାନୀମାନେ ସର୍ବଦା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ଆଚରଣ ପ୍ରଦର୍ଶନ କରିଥିଲା ବେଳେ ୬୯% ଅଷ୍ଟ୍ରେଲୀୟ ଏ ଧରଣର ଆଚରଣ ପ୍ରଦର୍ଶନ କରିଥା’ନ୍ତି। ଏବଂ ଆଶ୍ଚର୍ଯ୍ୟର ବିଷୟ, ୬୮% ମେକ୍ସିକୀୟ ମଧ୍ୟ ଏହିପରି ଆଚରଣ କରିଥା’ନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ଯଦିଓ ମେକ୍ସିକୋରେ ଗୁଣ୍ତାମି, େଚାରି, ଡକାୟତି, ଅପହରଣ, ହିଂସା ଆଦି ଅତି ସାଧାରଣ ଘଟଣା ବୋଲି କୁହାଯାଇଥାଏ।
ଜାପାନ ଓ ଏପରିକି ମେକ୍ସିକୋ ଉପର ଆଡୁ ତିନିଟି ସ୍ଥାନ ମଧ୍ୟରେ ଆସୁଥିଲା ବେଳେ ଭାରତ କିନ୍ତୁ ତଳ ଆଡୁ ତିନିଟି ସ୍ଥାନ ମଧ୍ୟରେ ଆସୁଛି। ଏ ଦୃଷ୍ଟିରୁ ସବା ତଳେ ଅଛି ଇଣ୍ଡୋନେସିଆ ଯେଉଁଠି ୪୬% ଲୋକ ଅନ୍ୟର ଭାବନା ପ୍ରତି ସମ୍ବେଦନଶୀଳ ଅଟନ୍ତି । ତୁର୍କୀର ୪୭% ଲୋକ ଏ ଧରଣର ସାମାଜିକ ଗ୍ରହଣଯୋଗ୍ୟ ବ୍ୟବହାର କରିଥା’ନ୍ତି। ଭାରତରେ ୫୦% ଲୋକ ଅପରର ମନୋଭାବ ପ୍ରତି ଗ୍ରହଣଯୋଗ୍ୟ ଆଚରଣ ପ୍ରଦର୍ଶନ କରିଥା’ନ୍ତି।
ସାମାଜିକ ସମ୍ବେଦନଶୀଳତାର ଅର୍ଥ ହେଲା ସହଯୋଗିତାମୂଳକ ପାରସ୍ପରିକ ବ୍ୟବହାର। ଏଥିରେ ଜଣେ ମଣିଷ ଅନ୍ୟ ଜଣଙ୍କର ଆବଶ୍ୟକତାକୁ ବିଚାର କରିଥାଏ।
ଚୀନରେ ଅନ୍ୟର ଭାବନାକୁ ସମ୍ମାନ ଦେଉଥିବା ଲୋକଙ୍କ ସଂଖ୍ୟା ଭାରତ ଠାରୁ ଅନେକ ଅଧିକ ଅର୍ଥାତ୍ ୬୭%। ଆମେରିକାରେ ୫୮% ଲୋକ ଏପରି ସମ୍ବେଦନଶୀଳ ଆଚରଣ କରୁଥିଲା ବେଳେ ୟୁନାଇଟେଡ୍ କିଂଡମ୍ରେ ଏହା ୬୪ ପ୍ରତିଶତ। ବିଶ୍ବରେ କାନାଡାକୁ ସବୁଠାରୁ ବିନମ୍ର ଦେଶ ବୋଲି କୁହାଯାଇଥାଏ। କିନ୍ତୁ ଏଠାରେ ମାତ୍ର ୫୭% ଲୋକ ସାମାଜିକ ସମ୍ବେଦନଶୀଳତା ପ୍ରକଟ କରିଥା’ନ୍ତି।
ତେବେ କ’ଣ ପାଇଁ ମାନବୀୟ ଓ ସାମାଜିକ ସମ୍ବେଦନଶୀଳତା କ୍ଷେତ୍ରରେ ଦେଶ ଦେଶ ମଧ୍ୟରେ ଫରକ ଥାଏ, ସେ ସମ୍ପର୍କରେ କୌଣସି ବିଶେଷ ଅନୁସନ୍ଧାନ ହୋଇନାହିଁ। ଭବିଷ୍ୟତ୍ରେ ଗବେଷଣା ହେଲେ ଯାଇ ଏହି ପ୍ରଶ୍ନର ଉତ୍ତର ମିଳିବ।
ଭାରତୀୟମାନଙ୍କର ସାମାଜିକ ଆଚରଣର କିଛି ଦୃଷ୍ଟାନ୍ତକୁ ଅନୁଧ୍ୟାନକୁ ନିଆ ଯାଉ। ରାସ୍ତାରେ ଯଦି କେହି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥାଏ, ତେବେ ଅଧିକାଂଶ ଭାରତୀୟ ସେହି ବାଟ ଦେଇ ଚାଲିଯାଆନ୍ତି ସିନା ଆହତ ବ୍ୟକ୍ତିଟିକୁ ସାହାଯ୍ୟ କରନ୍ତି ନାହିଁ। ସେମାନେ ଭାବନ୍ତି ଯଦି ଆହତ ବ୍ୟକ୍ତିଟିକୁ ହସ୍ପିଟାଲ୍କୁ ନିଆଯାଏ, ତେବେ ପୁଲିସ ତାଙ୍କୁ ଧରିବ ଓ ନାନା ପ୍ରକାର ଆଇନଗତ ସମସ୍ୟାରେ ପକାଇବ। ପୁଲିସ ମଧ୍ୟ ସେପରି ଆଚରଣ ଅନେକ ସମୟରେ କରିଥାଏ ଓ ଆହତ ବ୍ୟକ୍ତିଟିକୁ ଚିକିତ୍ସା ଲାଗି ଆଣିଥିବା ବ୍ୟକ୍ତିଟିକୁ ଅନେକ ସମୟରେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ବୋଲି ବିଚାର କରେ। ଏହାକୁ ରୋକିବା ପାଇଁ କେତେ ବର୍ଷ ତଳେ ଆଇନରେ ସଂଶୋଧନ କରାଯାଇ ଆହତ ବ୍ୟକ୍ତିକୁ ହସ୍ପିଟାଲକୁ ନେଇଥିବା ବ୍ୟକ୍ତିକୁ ଆଇନଗତ ସମସ୍ୟାରେ ନ ପକାଇବାକୁ ନିେର୍ଦ୍ଦଶ ଦିଆଯାଇଛି।
ଭାରତରେ ଅନେକ ସମୟରେ ଦେଖାଯାଏ, ଗାଡ଼ି ଚଢ଼ିଥିବା ଲୋକ ଭାବନ୍ତି ଯେ ତା’ର ଆଗେ ଯିବାର ଅଧିକାର ଅଛି। ଯିଏ ଚାଲି କରି ଯାଉଛି ସେ ପଛରେ ଯିବା ଉଚିତ। ପାଶ୍ଚାତ୍ୟ ଦେଶମାନଙ୍କରେ କିନ୍ତୁ ଗାଡ଼ି ମାଲିକମାନେ ପାଦରେ ଚାଲି ରାସ୍ତା ପାର ହେଉଥିବା ଲୋକକୁ ପ୍ରଥମେ ରାସ୍ତା ପାର ହେବା ପାଇଁ ସୁଯୋଗ ଦେଇଥା’ନ୍ତି।
ଯଦିଓ ଭାରତ ସରକାର ‘ଅତିଥି ଦେବୋ ଭବଃ’ ବୋଲି କହି ବା ହୋର୍ଡିଂ ଲଗାଇ ପ୍ରଚାର କରିଥା’ନ୍ତି, ଅଧିକାଂଶ ସମୟରେ ଭଡ଼ା ଗାଡ଼ିବାଲାମାନେ ବାହାରର ଲୋକ ଦେଖିଲେ ସେମାନଙ୍କୁ ଦରଦସ୍ତୁର ବେଳେ ନାନା ପ୍ରକାର ଅଡୁଆରେ ପକାଇଥା’ନ୍ତି। ରେଳ ଷ୍ଟେସନ ବା ବସ୍ଷ୍ଟାଣ୍ତରୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରୀଟିକୁ ନେଲାବେଳେ ଅନେକ ରାସ୍ତା ଅଯଥାରେ ବୁଲାଇ ବୁଲାଇ ଅନେକ ପଇସା ଦାବି କରିଥା’ନ୍ତି। ରାତିରେ ରେଳ ଷ୍ଟେସନ ବା ବସ୍ଷ୍ଟାଣ୍ତରେ ପିଲାଛୁଆ ନେଇ ଓହ୍ଲାଇଥିବା ଅସହାୟ ଲୋକଟିକୁ ବହୁତ ଅର୍ଥ ଦାବି କରିଥା’ନ୍ତି, ଯାହା ବାସ୍ତବରେ ନେବା କଥା ନୁହେଁ। ହସ୍ପିଟାଲରେ ରୋଗୀଟିଏ ମରିଗଲେ, ମାନବିକତାକୁ ଭୁଲି ଯାଇ ମୃତକର ହତଭାଗ୍ୟ ସମ୍ପର୍କୀୟ ଠାରୁ ବହୁତ ଅର୍ଥ ଆଦାୟ କରିବାର ଚେଷ୍ଟାରେ ଅନେକ ଲାଗିଯାଆନ୍ତି।
ଅନେକ ସମୟରେ ନିଜର ବାହାଘର, ବ୍ରତଘର, ପୂଜା ପାର୍ବଣ ପାଇଁ ଦିନ-ରାତି ମାଇକ ବଜା ଯାଇଥାଏ, ଯଦ୍ଦ୍ବାରା ପାଖପଡ଼ିଶା ଶାନ୍ତିରେ ରହିପାରନ୍ତି ନାହିଁ। ପୂଜା ପାର୍ବଣରେ ସବୁବେଳେ ମାଇକ ବଜାଇବା ଏକ ଜନ୍ମଗତ ଅଧିକାର ବୋଲି ଅନେକ ଆୟୋଜକମାନଙ୍କର ମତ। ଅନ୍ୟମାନେ ସେଥିରେ ଅସନ୍ତୁଷ୍ଟ ହେଲେ ପରବାୟ ନାହିଁ ବୋଲି ସେମାନେ ଭାବିଥା’ନ୍ତି। କିନ୍ତୁ ଅନେକ ପାଶ୍ଚାତ୍ୟ ଦେଶମାନଙ୍କରେ ରାସ୍ତା ଦେଖାଇ ଦେବାକୁ ଲୋକମାନେ ଆଗଭର ହୋଇଥା’ନ୍ତି। କେହି ଯଦି ଅଳିଆ ରାସ୍ତାରେ ଫିଙ୍ଗେ ସେମାନେ ନିଜେ ତାହା ଉଠାଇ ଡଷ୍ଟବିନ୍ରେ ପକାଇ ଦିଅନ୍ତି। ଅଳିଆ ପକାଇଥିବା ଲୋକକୁ ସେଥିପାଇଁ ମୌଖିକ ଆକ୍ରମଣ କରିନଥା’ନ୍ତି।
ଭାରତ ତେଣୁ କେବଳ ଏକ କୃତ୍ରିମ ଆତ୍ମବଡ଼ିମା ନେଇ ନ ରହୁ। ନିଜ ସ୍ବାର୍ଥ ସହ ଅନ୍ୟ ସ୍ବାର୍ଥର ରକ୍ଷା ଏକ ମାନବୀୟ କର୍ତ୍ତବ୍ୟ ବୋଲି ବିଚାର କରୁ। କାରଣ ଯେଉଁ ଦେଶମାନେ ଆତ୍ମ ସ୍ବାର୍ଥକୁ ଛାଡ଼ି ଅନ୍ୟ ସ୍ବାର୍ଥକୁ ସମ୍ମାନ ଦେଇଥା’ନ୍ତି, ସେମାନେ ବାସ୍ତବରେ ଅତି ଉନ୍ନତ ଓ ସମୃଦ୍ଧ। ଭାରତ ହୁଏ’ତ କେବେ ସେମିତି ଥିଲା, କିନ୍ତୁ ହଜାରେ ବର୍ଷର ଗୋଲାମି ପରେ ଭାରତର ମାନସିକ ଦାରିଦ୍ର୍ୟ ଉତ୍କଟ ହୋଇଛି ଯାହା ଦେଶ ପାଇଁ ଅମର୍ଯ୍ୟାଦା ଆଣୁଛି।
ମୋ- ୯୪୩୭୦୨୦୨୯୦
[email protected]
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/SSSSSSS.jpg)