ମଝିଆଁ ପୁଅର ଦୁଃଖ

ଶ୍ୟାମ ସୁନ୍ଦର ଅଗ୍ରୱାଲା

କଥାରେ ଅଛି ବଡ଼ପୁଅ ବାପର ତ ସାନପୁଅ ମା’ର ଆଉ ମଝିଆଁ ପୁଅଟା ବିଚରା କାହାର ନୁହେଁ। ବଡ଼ପୁଅର ପୁରୁଣା ବହି, ପୁରୁଣା ଡ୍ରେସ୍‌ ଓ ପୁରୁଣା ଖେଳନା ସବୁ ମଝିଆଁକୁ ଦିଆଯାଏ। ସାନ ଯାଏଁ ପହଞ୍ଚିଲା ବେଳକୁ ସେ ଗୁଡ଼ାକ ଆଉ ନ ଥାଏ; ତେଣୁ ସାନ ପାଇଁ ପୁଣି ନୂଆ ବହି, ନୂଆ ଡ୍ରେସ୍‌ ଓ ନୂଆ ଖେଳନା କିଣାଯାଏ। କାର୍‌ରେ ବସି ଗଲା ବେଳକୁ ବାଁ ପାଖ ଝର୍କା ପାଖ ସିଟ୍‌ର ଦାବିଦାର ହୋଇଥାଏ ବଡ଼ପୁଅ ଓ ଡାହାଣ ପଟ ଝର୍କା ପାଖ ସିଟ୍‌ର ଦାବିଦାର ହୋଇଥାଏ ସାନପୁଅ। ମଝିଆଁ ବିଚରା ଜାକିଜୁକି ହୋଇ ଦୁଇଭାଇଙ୍କ ମଝିରେ ବସିକି ଯାତ୍ରା କରିଥାଏ।

ଏହାକୁ କହନ୍ତି ‘ମଝିଆଁ ଶିଶୁ ସମସ୍ୟା’ ଯାହାକୁ ଅଷ୍ଟ୍ରିଆନ ମନସ୍ତତ୍ତ୍ବବିତ୍‌ ଆଲ୍‌‌େଫ୍ରଡ୍‌ ଆଡଲର ଊଣେଇଶ ଚଉଷଠି ମସିହାରେ ‘ମିଡିଲ ଚାଇଲ୍‌ଡ ସିଣ୍ଡ୍ରୋମ’ ନାମକ ଏକ ସିଦ୍ଧାନ୍ତର ରୂପ ଦେଇଥିଲେ। ଏହି ସିଦ୍ଧାନ୍ତ ଅନୁଯାୟୀ ପରିବାରର ବଡ଼ପୁଅ ପ୍ରାୟ ଶକ୍ତିଶାଳୀ ଓ ପ୍ରଭାବଶାଳୀ ହୋଇଥାଏ। ସାନପୁଅ ଖୁବ ଗେହ୍ଲା ହୋଇଥାଏ ଓ ମଝିଆଁ ପୁଅ ଏହି ଦୁଇଭାଇଙ୍କ ଭିତରେ ସଂକୁଚିତ ହୋଇ ବଢ଼ିଥାଏ।

ଏହି ସିଦ୍ଧାନ୍ତର ପ୍ରମାଣ କେବଳ ପରିବାରରେ ନୁହେଁ, ଆମ ସମାଜରେ ମଧ୍ୟ ଦେଖିବାକୁ ମିଳୁଛି। ଭାରତବର୍ଷରେ ଶତକଡ଼ା ପ୍ରାୟ ପଚାଶ ଭାଗରୁ ଅଧିକ ବ୍ୟକ୍ତି ହେଉଛନ୍ତି ଏଇ ମଝିଆଁ ବା ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଯେଉଁମାନଙ୍କ ଭିତରୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଛାଡ଼ି ଦେଲେ ଅଧିକାଂଶ ସ୍ବାବଲମ୍ବୀ ଧନ୍ଦାରେ ଥାଆନ୍ତି। ବିଭିନ୍ନ ପ୍ରକାର ଛୋଟମୋଟ ଶିଳ୍ପ, ବ୍ୟବସାୟ ଓ ଷ୍ଟାର୍ଟଅପ୍ ୱଗେରା କରି ଏମାନେ କାହା ଉପରେ ବୋଝ ହୋଇ ନଥାନ୍ତି ବରଂ ଭାରତବର୍ଷରେ ସର୍ବବୃହତ୍‌ ନିଯୁକ୍ତିଦାତା ହିସାବରେ ଉଭା ହୋଇ ଥାଆନ୍ତି।

ଆସନ୍ତୁ କରୋନା ଗ୍ରସ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ଶ୍ରେଣୀର ବ୍ୟକ୍ତିମାନଙ୍କର ଦୁଃଖ କଷ୍ଟ ଉପରେ ଟିକେ ଆଲୋଚନା କରିବା। ଏଥିପାଇଁ ଏହି ଗୋଷ୍ଠୀର ଏକ ସ୍ବାବଲମ୍ବୀ ବ୍ୟକ୍ତିର ଉଦାହରଣ ନିଆଯାଇପାରେ। ଧରନ୍ତୁ ବ୍ୟକ୍ତି ଜଣକ ହେଉଛନ୍ତି ଊଣା ଅଧିକ ସଫଳତା ହାସଲ କରିଥିବା ଜଣେ ବ୍ୟବସାୟୀ। ବଜାରରେ ‌େଦାକାନଟିଏ କରିଛନ୍ତି। ଚାରି ପ‌ାଞ୍ଚ ଜଣ କର୍ମଚାରୀ ରଖିଛନ୍ତି। ଜାତୀୟକରଣ ବ୍ୟାଙ୍କ୍‌ରୁ ଗୃହଋଣ ନେଇ ଘର ଖଣ୍ଡିଏ କରି ଭଡ଼ାରେ ଲଗେଇଛନ୍ତି। ଗାଡ଼ି ଲୋନ୍‌ ନେଇ ହିରୋହୋଣ୍ଡା ମଟରସାଇକେଲଟିଏ କିଣିଛନ୍ତି। ବ୍ୟବସାୟ ଚଳେଇବା ପାଇଁ ବ୍ୟାଙ୍କ୍‌ର ଚଳନ୍ତି ଖାତାରେ ଦଶ ପନ୍ଦର ଲକ୍ଷ ଋଣ ନେଇଛନ୍ତି। ପ୍ରତି ମାସ ଘରଭଡ଼ା ପାଉଛନ୍ତି। ନିର୍ଦ୍ଦିଷ୍ଟ ସମୟରେ ସଠିକ ଗୃହଋଣ ଓ ଗାଡ଼ିଋଣର ଇ.ଏମ୍.ଆଇ. ଦାଖଲ କରୁଛନ୍ତି। ବ୍ୟାଙ୍କ ଋଣର ସୁଧ ପ୍ରତି ମାସ ଚଳନ୍ତି ଖାତାରେ ଜମା କରୁଛନ୍ତି। କର୍ମଚାରୀମାନଙ୍କୁ ଦରମା ଗଣୁଛନ୍ତି। ଇଲେକ୍ଟ୍ରିସିଟି ଓ ଅନ୍ୟାନ୍ୟ ଦେୟ ସବୁ ଦେଇ ଦୁଃଖେ କଷ୍ଟେ ତାଙ୍କ ବ୍ୟବସାୟ ଚଳେଇଛନ୍ତି।

ହଠାତ୍ କରୋନା ଚଡ଼କ ପଡ଼ିଗଲା। କି ଧନୀ, କି ଗରିବ ସମସ୍ତଙ୍କ ଉପରେ ଏ ଚଡ଼କ ପଡ଼ିଗଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦୋକାନ ବଜାର ସବୁ ବନ୍ଦ ହୋଇଗଲା। ଦିନେକୁ ଦୁଇଦିନ, ଦୁଇ ଦିନକୁ ଏକୋଇଶ ଦିନ ଓ ଏବେ ଆହୁରି ଊଣେଇଶ ଦିନ ତାଲାବନ୍ଦ ଘୋଷଣା କରାଗଲା। ଏତେ ଦିନ ସମସ୍ତେ ଚଳିବେ କେମିତି? ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଗରିବ ଓ ଖଟିଖିଆମାନଙ୍କ ପ‌ାଇଁ ଏକ ପ୍ୟାକେଜ ଘୋଷଣା କରାଗଲା। ଏହା ଅତ୍ୟନ୍ତ ଜରୁରୀ ଥିଲା।

ଯେଉଁଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଏକ ଅର୍ଥନୈତିକ ପ୍ୟାକେଜ ଘୋଷଣା କରି କହିଲେ ଯେ ଇ.ଏମ୍.ଆଇ. ହେଉ କି ବ୍ୟାଙ୍କ କ୍ରେଡିଟ୍ ସୁଧ ହେଉ କି ଟର୍ମ ଲୋନ୍‌ ସୁଧ ହେଉ ତା’ର ସମସ୍ତ ଦେୟ ତିନି ମାସ ପାଇଁ ସ୍ଥଗିତ ରଖାଗଲା, ସେଦିନ ତାକୁ ଭାରି ଆଶ୍ବସ୍ତ ଲାଗିଲା। ଏହା ସାଙ୍ଗକୁ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସର ଘୋଷଣା ତାକୁ ଏହି ବିଷାଦମୟ ଘଡ଼ିରେ ପ୍ରଚୁର ଆଶ୍ବାସନା ଦେଉଥିଲା। ଏ ଖୁସି କିନ୍ତୁ କ୍ଷଣସ୍ଥାୟୀ ଥିଲା। ଏହାର ସପ୍ତାହ ପରେ ତା’ ବ୍ୟାଙ୍କରୁ ଚିଠି ଆସିଲା ଯେ ରିଜର୍ଭ ବ୍ୟାଙ୍କର ଘୋଷଣା ଅନୁଯାୟୀ ଆପଣଙ୍କର ଗୃହ ଋଣ ହେଉ କି ବ୍ୟବସାୟ ଋଣ ହେଉ କି ଗାଡ଼ି ଋଣ ହେଉ ଏହାର ଇ.ଏମ.ଆଇ. ହେଉ କି ଅନ୍ୟାନ୍ୟ ଦେୟ ହେଉ ଏହା କେବଳ ତିନି ମାସ ପାଇଁ ଘୁଞ୍ଚିଗଲା; ଅର୍ଥାତ୍‌ ଏହି ତିନି ମାସ ପରେ ଆପଣଙ୍କୁ ଚକ୍ରବୃଦ୍ଧି ହାରରେ ସୁଧ ମୂଳ ସହ ସବୁ ଏକାଠି ଦେବାକୁ ପଡ଼ିବ କିମ୍ବା ଦୀର୍ଘକାଳୀନ ସୁଧ ସୂତ୍ରରେ ପୁନଶ୍ଚ ନୂଆ ଇ.ଏମ.ଆଇ. ହିସାବରେ ଦେବାକୁ ପଡ଼ିବ। ଏହି ହିସାବରୁ ଜଣାପଡ଼େ ଯେ ଆପଣଙ୍କ ପାଖରେ ଯଦି ଟଙ୍କା ଅଛି ତେବେ ଏହି ସୁବିଧା ନେଇ ଚକ୍ରବୃଦ୍ଧି ହାରରେ ସୁଧ ଦେଇ କାଙ୍ଗାଳ ହୋଇଯିବା ଅପେକ୍ଷା ବର୍ତ୍ତମାନ ଦେଇଦେବା ଶ୍ରେୟସ୍କର ଅଟେ। ଏହା ଶୁଣି ତାକୁ କଟା ଘା’ରେ ଚୂନ ଦେଲା ଭଳି ଲାଗିଲା। ଆଉ ରହିଲା ସୁଧ ହାର ହ୍ରାସ କଥା। ରିଜର୍ଭ ବ୍ୟାଙ୍କର ସୁଧହାର ହ୍ରାସ ଘୋଷଣା ଏ ପର୍ଯ୍ୟନ୍ତ ବ୍ୟାଙ୍କମାନେ ଲାଗୁ କରି ନାହାନ୍ତି। ପ୍ରଶ୍ନ ହେବାରୁ ପୁନଶ୍ଚ ରିଜର୍ଭ ବ୍ୟାଙ୍କ ଗଭର୍ନର କହିଲେ ଯେ ଏ ସଂପର୍କରେ ନିଷ୍ପତ୍ତି ସଂପୃକ୍ତ ବ୍ୟାଙ୍କମାନଙ୍କ ଉପରେ ନିର୍ଭର କରେ, ତେବେ ବ୍ୟାଙ୍କମାନେ କେବେ ନିଷ୍ପତ୍ତି ନେବେ ତା’ ମା’ ଗ‌େଙ୍ଗଇ ଜାଣନ୍ତି।

ଏତିକିରେ ତା’ର ଦୁଃଖ ସରିନି। ଅଫିସ ଓ ଦୋକାନ ସବୁ ତାଲା ପଡ଼ିଛି। ମାସର ପ୍ରଥମ ସପ୍ତାହରେ ସଟର ତଳେ ଇଲେକ୍ଟ୍ରି ବିଲ୍‌ଟିଏ ଡିପାର୍ଟମେଣ୍ଟ ଗଳେଇ ଦେଇ ଯାଇଛି। ମାର୍ଚ୍ଚ ମାସରେ ମାତ୍ର ଅଠରରୁ କୋଡ଼ିଏ ଦିନ ଦୋକାନ ଖୋଲିଥିବା ବେଳେ ସେହି ମାସର ସମୁଦାୟ ଲୋଡ୍‌ ଫ୍ୟାକ୍ଟର, ମିଟର ରେଣ୍ଟ ଓ ସର୍ବନିମ୍ନ ବିଜୁଳି ବ୍ୟବହାର ନ କରିବାର ଜରିମାନା ଉତ୍ୟାଦି ଯୋଡ଼ି ବିଲ୍ ପ୍ରସ୍ତୁତ ହୋଇଛି। ଏପ୍ରିଲ ମାସ ତ ପୂରା ବନ୍ଦ। ଆପଣ ଭାବୁଥିବେ ତାକୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯାହା ଜଣାପଡ଼ୁଛି ଏ ସବୁ ବାବଦରେ ତାକୁ ହଜାର ହଜାର ଟଙ୍କା ଦେବାକୁ ପଡ଼ିବ।

ଏବେ ପୁଣି ଏକ ନିର୍ଦ୍ଦେଶନାମା ଆସି ପହଞ୍ଚିଛି ଶ୍ରମ ବିଭାଗ ତରଫରୁ। ତା’ପାଖରେ ଯେତେ କର୍ମଚାରୀ ଅଛନ୍ତି ସମସ୍ତଙ୍କୁ ସଂପୂର୍ଣ୍ଣ ମାସିକ ଦରମା ଦେବାକୁ ବାଧ୍ୟ; ନଚେତ୍ ଏକ ଦଣ୍ଡନୀୟ ଅପରାଧ ବୋଲି ଗ୍ରହଣ କରାଯିବ। ବୋଝ ଉପରେ ନଳିତା ବିଡ଼ା ପରି ଏ କଥା ମଧ୍ୟ ଘୋଷଣା କରିଦିଆଗଲା ଯେ ଘର ମାଲିକମାନେ ଏହି ଲକ୍‌ଡାଉନ ସମୟରେ ଘରଭଡ଼ା ନେବାକୁ ବାଧ୍ୟ ନୁହନ୍ତି। ଅର୍ଥାତ ତା’ର ଯେଉଁ ଘରଭଡ଼ାଟି ଆସୁଥିଲା ସେ ବି ଗଲା। ବର୍ତ୍ତମାନ ଚାରିଆଡ଼ୁ ତା’ର ସମସ୍ତ ଆୟ ଘର ଶୂନ ଆଉ ଖର୍ଚ୍ଚ ସବୁ ଯଥା ପୂର୍ବ ଚାଲୁ ରହିଲା। କୌଣସି ଅର୍ଥନୀତିରେ ଏହା ସମ୍ଭବପର କି? ଆସନ୍ତୁ ପିଲାଦିନେ ପଢ଼ିଥିବା ପାଣିଟାଙ୍କି ଗଣିତଟିଏ ମନେ ପକେଇବା।

ଗୋଟାଏ ଟାଙ୍କିରେ ଶହେ ଲିଟର ପାଣି ଅଛି। ଯଦି ଗୋଟିଏ ନଳ ସେହି ଟାଙ୍କିକୁ ଗୋଟିଏ ମିନିଟରେ ପାଞ୍ଚ ଲିିଟର ଲେଖାଏଁ ପାଣି ଭର୍ତ୍ତି କରୁଛି ଏବଂ ଆଉ ଗୋଟିଏ ନଳ ତା’ ଭିତରୁ ଗୋଟିଏ ମିନିଟରେ ଦଶ ଲିଟର ଲେଖାଏଁ ପାଣି ବାହାର କରୁଛି ତେବେ ଟାଙ୍କିକୁ ପୂରା ‌ଖାଲି ହେବା ପାଇଁ କେତେ ସମୟ ଲାଗିବ? ଏହାର ଉତ୍ତର ଦେବାକୁ ଆପଣଙ୍କୁ ହୁଏତ କାଗଜ କଲମ ଧରି ଟିକେ ହିସାବ କରିବାକୁ ପଡ଼ିବ। ପ୍ରଶ୍ନଟି ଟିକେ ବଦଳେଇ ଦିଅନ୍ତୁ। ଯଦି ସେହି ଟାଙ୍କିକୁ ଗୋଟିଏ ନଳ ଆଦୌ ପାଣି ଦେବ ନାହିଁ ଏବଂ ଆଉ ଗୋଟିଏ ନଳ ମିନିଟକୁ ଦଶ ଲିଟର ଲେଖାଏଁ ପାଣି ବ‌ାହାର କରିବ ତେବେ ସେହି ଟାଙ୍କିକୁ ପୂରା ଖାଲି ହେବା ପାଇଁ କେତେ ସମୟ ଲାଗିବ? ଏହାର ଉତ୍ତର ଦେବା ପାଇଁ ଆପଣଙ୍କୁ ବେଶି ସମୟ ଭାବିବାକୁ ପଡ଼ିବ କି? ବୋଧହୁଏ ଏତେ ସବୁ ଘୋଷଣାନାମା ଓ ନିର୍ଦ୍ଦେଶନାମା ପରେ ଲାଗୁଛି ଦ୍ବିତୀୟ ପ୍ରଶ୍ନର ଟାଙ୍କିକୁ ଖାଲି ହୋଇଯିବାକୁ ଯେତିକି ସମୟ ଲାଗିବ ସେତିକି ସମୟ ଭିତରେ ଉପରୋକ୍ତ ମଧ୍ୟବିତ୍ତ ସ୍ବାବଲମ୍ବୀ ବ୍ୟକ୍ତିଟି ଦରିଦ୍ର ସୀମାରେଖା ତଳକୁ ଚାଲି ଆସିବ।

୯୭ ଜନପଥ, ଭୁବନେଶ୍ବର
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର