ମୋ ପେଁକାଳି ତୋ ଢୋଲ

ସରସ ରସ - ସୁଭାଷ ପଟ୍ଟନାୟକ

ନା, ପେଁକାଳି ବଜେଇବା ଓ ଢୋଲ ପିଟିବା ଦୁଇଟା ଯାକ କେବେ ବି ଏକା କଥା ନୁହେଁ। ପେଁକାଳି ଅଣ୍ଟାରେ ଖୋସି ବୁଲିବା ସୁବିଧା। ଯେଉଁଠି ମନ ସେଇଠି ବଜେଇ ପାରିବେ। ଢୋଲ ତ ଓଜନିଆ, ତାକୁ କାନ୍ଧରେ ପକେଇ ବଜେଇବା ସହିତ ନାଚିବାକୁ ହେବ। ଆପଣଙ୍କ ଢୋଲର ତାଳରେ ଆଉ ଜଣେ ନାଚିବ, ସେପରି ହେବନି। ଉଭୟଙ୍କ ଇଜ୍ଜତ ଚାଲିଯିବ।

ପ୍ରଥମେ ପେଁକାଳି କଥାକୁ ଆସନ୍ତୁ। ଇଏ ହେଉଛି ମନୁଷ୍ୟର ଦେଖେଇ ହେବା ପ୍ରକୃତି। ଆମେ ସମସ୍ତେ ପେଁକାଳି ବଜେଇବାକୁ ଭଲ ପାଉ, ତାହା ଦ୍ବାରା ନିଜକୁ ପ୍ରଦର୍ଶନ କରୁ। ଏବେ ତ ସଭିଙ୍କ ହାତରେ ପେଁକାଳି। ଯାହାର ନାହିଁ ସେ ପାଟିରେ ଆଙ୍ଗୁଠି ଦେଇ ପେଁକାଳିର ସ୍ବର ବାହାର କରିଦେଉଛି। ଏ କୃତ୍ରିମ ପୃଥିବୀରେ ବାସ କରି ଆମେ ଯାହା ବି କରୁ, ସମାଜ ସେବା, ରାଜନୀତି, ଦାନଧର୍ମ; ସବୁଥିରେ ଟିକିଏ ପେଁକାଳି ନ ଫୁଙ୍କିଲେ ଭଲଲାଗେନି। ବନ୍ଧୁ ଯଦି ନୂଆ ଗାଡ଼ି କିଣିଲେ ବା ପୁଅ ତାଙ୍କର ପ୍ରଥମ ଶ୍ରେଣୀରେ ପାସ୍‌ କଲା, ଆପଣଙ୍କ ଘରକୁ ଆସି ବୁଲେଇ ବଙ୍କେଇ ଖବରଟି ବଖାଣିବା ଥୟ। ପେଁକାଳି ବାଜିଲା ନା ନାହିଁ? କୋଡ଼ିଏ ବର୍ଷ ହେବ ବାବୁ ଅବସର ନେଇଥିବେ, କିନ୍ତୁ ଘର ସାମନା ନାମ ଫଳକରେ ଅତୀତର ସେଇ ସରକାରୀ ଉଚ୍ଚ ପଦଟି ଲେଖିଥିବେ। ଆଉ ସେ ମୁକୁଟ ଅଛି ଯେ ଆପଣ ପେଁକାଳି ବଜାଉଛନ୍ତି! ମୃତ୍ୟୁ ପର୍ଯ୍ୟନ୍ତ ଆମେ ନାମ ସହିତ ‘ଅଧ୍ୟାପକ’, ‘ଡକ୍ଟର’ ଓ ନିଜର ଶିକ୍ଷାଗତ ଯୋଗ୍ୟତା ଆଦି ଲେଖି ପେଁକାଳି ଫୁଙ୍କିବାକୁ ଭଲପାଉ। ଏବେ ଆମେ ଦେଖିଲୁ ଜଣେ ମନ୍ତ୍ରୀ ନିଯୁକ୍ତି ଆଶାୟୀ କିଛି ସଫଳ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। କିହୋ, ତମେ ଯଦି ଡାକ ବାଲାର କାମ ତୁଲେଇବ, ମନ୍ତ୍ରୀ ହେଉଥିଲ କ’ଣ ପାଇଁ? ପ୍ରାର୍ଥୀମାନଙ୍କର ଯୋଗ୍ୟତା କୁଆଡ଼େ ଗଲା, ମନ୍ତ୍ରୀ ପେଁକାଳି ବଜେଇକି କହିଲେ, ‘‘ଦେଖରେ ପିଲେ, ମୁଁ କେଡ଼େ ଦୟାଳୁ! ତୁମକୁ ନିଯୁକ୍ତି ଦେଇଦେଲି”। ଏବେତ ମନ୍ତ୍ରୀ ମହୋଦୟ ପେଁକାଳି ମାଧ୍ୟମରେ ପରୀକ୍ଷା ଫଳ ବି ଘୋଷଣା କଲେଣି।

ପେଁକାଳି ବଜେଇବା ଏବେ ଗୋଟେ ଫେସନ ପାଲଟିଛି। ରାଜରାସ୍ତାରେ ମାଣ ବସେଇବା, ଦାନ ଦେଲେ ଚେକ୍ ଖଣ୍ଡକ ହାତରେ ଧରି ଫଟୋ ଉଠେଇବା କିମ୍ବା ଗଛ ଦେହରେ ରାଖି ବାନ୍ଧି କ୍ୟାମେରା ଆଡ଼କୁ ସୁନ୍ଦର ମୁହଁଟି ଦେଖେଇବା, ଏସବୁ ସେଇ ଫେସନବାଲା ପେଁକାଳି। ଜଣେ ପାଠକ ଏବେ ଆମକୁ ଲେଖାଟିଏ ପଢ଼ି ଫୋନ୍‌ କଲେ। ପ୍ରଥମରୁ ପରିଚୟ ଦେଲେ, “ମୁଁ ଜଣେ ଓଏଏସ୍ ଅଫିସର କହୁଛି”। ଲେଖକ ସହିତ ପାଠକର ସଂପର୍କ, ଓଏଏସ୍ ଅଫିସରଙ୍କର ନୁହେଁ। କିନ୍ତୁ ଏ ପେଁକାଳି ଫୁଙ୍କିବାକୁ କିଏ କ’ଣ ମନା କରି ପାରିବ! ଏଗୁଡ଼ିକ ଆମର ‘ନାର୍ସିସିଅସ୍’ ମନୋବୃତ୍ତି। ନାର୍ସିସିଅସ୍ ଯେମିତି ପାଣିରେ ପ୍ରତିଫଳିତ ନିଜର ଛବିଦେଖି ସେ ଛବିର ପ୍ରେମରେ ପଡ଼ିଗଲେ ଓ ଜୀବନ ସାରା ନିଜର ସେଇ ପ୍ରତିଫଳିତ ଛବିକୁ ଅନାଇ ରହିଲେ, ଆମେ ସେମିତି ଏବେ ଅଳ୍ପେବହୁତେ ‘ନାର୍ସିଷ୍ଟିକ୍ ପର୍ସୋନାଲିଟି ଡିଜଅର୍ଡର’ ବ୍ୟାଧିରେ ପୀଡ଼ିତ। ପେଁକାଳି ବଜାଇବା ପଛରେ ଲୁଚିରହିଛି ଆମର ଗୁରୁତ୍ୱ ଓ ଖ୍ୟାତି ବଢ଼ାଇବାର ଇଚ୍ଛା, ନିଜ ପରିଚୟର ସୁରକ୍ଷା ଏବଂ ଅନ୍ୟ ଠାରୁ ନିଜକୁ ଉଚ୍ଚା ଦେଖାଇବାର ପ୍ରଚେଷ୍ଟା। ଅନେକ ସମୟରେ ନିଜର ସାମର୍ଥ୍ୟ ପ୍ରତି ସନ୍ଦେହ, ଅସୁରକ୍ଷାର ଭାବନା ଓ ସାମାଜିକ ଗ୍ରହଣୀୟତାର ବୃଦ୍ଧି ପାଇଁ ଆମେ ପେଁକାଳିର ସାହାଯ୍ୟ ନେଇଥାଉ।

ଏବେ ଆସିବା ଢୋଲ ପାଖକୁ। ପୃଥିବୀଟା ଏବେ ଏତେ କୋଳାହଳରେ ପରିପୂର୍ଣ୍ଣ ଯେ, ନିଜ ଢୋଲ ନିଜେ ନ ପିଟିଲେ ଆମ ପାଖରେ ଥିବା ପ୍ରତିଭାର ଟେର କେହି ବି ପାଇବେନି। ପ୍ରତିଭା ପ୍ରକାଶନର ରାସ୍ତା ଏବେ ସଙ୍କୁଚିତ। ସେ ସାହିତ୍ୟ ହେଉ, ନୃତ୍ୟ ହେଉ, ସଙ୍ଗୀତ ହେଉ ବା ଅନ୍ୟ ଯାହାବି ପ୍ରତିଭା ହେଉ, ଢୋଲ ପିଟି ପାରିଲେ ଆଗକୁ ବଢ଼ିବ, ନ ହେଲେ ବଣମଲ୍ଲୀଟି ବଣରେ ଝଡ଼ିବ। ଏବେ ସାମାଜିକ ଗଣମାଧ୍ୟମ ଗୁଡ଼ିକ ଏ ଢୋଲର ଦାୟିତ୍ୱ ଖୁବ୍ ସୁଚାରୁ ରୂପେ ତୁଲାଉଛନ୍ତି। ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ଆଦି ମାଧ୍ୟମରେ ନିଜ ଢୋଲ ପିଟି ପିଲାମାନେ କେତେ ଉଚ୍ଚରେ ପହଞ୍ଚିଲେଣି। ରେଳ ଷ୍ଟେସନର ଭିକାରୁଣୀ ରାନୁ ମଣ୍ଡଳଙ୍କୁ ଦେଖନ୍ତୁ, ତା’ଙ୍କ ସୁମଧୁର କଣ୍ଠ ସ୍ବରର ଦୁଇ ମିନିଟ୍‌ର ଏକ ଭିଡିଓ ତାଙ୍କୁ ନେଇ ବଲିଉଡରେ ପହଞ୍ଚାଇଦେଲା। ଡ୍ୟାନ୍‌ସିଂ ଅଙ୍କଲ ସଞ୍ଜୀବ ଶ୍ରୀବାସ୍ତବଙ୍କ ନୃତ୍ୟ ଫେସ୍‌ବୁକ ମାଧ୍ୟମରେ ତାଙ୍କୁ ରାତାରାତି ପ୍ରସିଦ୍ଧି ଆଣିଦେଲା। ଆଉ ତେଇଶ ବର୍ଷର ଝିଅ ଅରଣ୍ୟା ଜୋହାର। ୟୁଟ୍ୟୁବ୍‌ରେ ନିଜ ଦ୍ବାରା ଆବୃତ ସ୍ବଲିଖିତ ଇଂରେଜୀ କବିତା ‘ଏ ବ୍ରାଉନ୍ ଗାର୍ଲସ୍ ଗାଇଡ୍ ଟୁ ଜେଣ୍ଡର୍’କୁ ଦୁଇ ଦିନରେ ଏକ ନିୟୁତ ଦର୍ଶକ ଦେଖିଲେ ଓ ସେଇଥିରୁ ସେ ପାଲଟିଗଲେ ଜଣେ ବିଶିଷ୍ଟ ନାରୀବାଦୀ କବୟିତ୍ରୀ। ଏବେ ୟୁଟ୍ୟୁବ୍‌ରେ ସର୍ବାଧିକ ଅନୁଗାମୀ ଥିବା ବିଶ୍ବର ଦଶଜଣ ମହିଳାଙ୍କ ମଧ୍ୟରେ ସେ ଜଣେ। ଇଏ ସବୁ ସେଇ ଢୋଲ ବଜାଇବାର ଫଳଶ୍ରୁତି।

ଶେଷ କଥା ହେଲା, ଆପଣ ଯଦି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଓ ଆପଣ କହିବାକୁ ଚାହୁଁଥିବା କଥାର ଗୁରୁତ୍ୱ ଅଛି ଏବଂ ଆପଣ ଭାବୁଛନ୍ତି ଯେ ଅନ୍ୟମାନେ ଆପଣଙ୍କୁ ଗୁରୁତ୍ୱ ଦେଉଛନ୍ତି, ସେ କ୍ଷେତ୍ରରେ ଅନାବଶ୍ୟକ ପେଁକାଳି ଫୁଙ୍କି ଉପହସିତ ହେବା ଅନୁଚିତ। ପେଁକାଳି ବଜେଇବା ହେଉଛି ଆମର ଉଚ୍ଚତା ଦର୍ଶାଇବା ପାଇଁ ମସ୍ତିଷ୍କର ଏକ ପ୍ରୟାସ ଓ ଏହା ସେତିକିବେଳେ ଆବଶ୍ୟକ, ଯେତେବେଳେ ଆମେ ଅନୁଭବ କରିବା ଯେ ଏ ଉଚ୍ଚତା ଆମର କମିଆସୁଛି। ଅବଶ୍ୟ ମୌକା ଦେଖି ପେଁକାଳି ଫୁଙ୍କିବାର ଆବଶ୍ୟକତା ମଧ୍ୟ ରହିଛି। ନ ହେଲେ ଆପଣ ପରିଶ୍ରମ କରି ଯାହା ଅର୍ଜିଥିବେ ତାକୁ ଉଠାଇ ନେଇ ଅନ୍ୟ ଜଣେ ନିଜ ନାମରେ ପେଁକାଳି ଫୁଙ୍କି ଦୁନିଆକୁ ଜଣାଇଦେବ। ଅପରପକ୍ଷରେ ଢୋଲ ବଜାଇବା ଆଜିର ଏକ ଆବଶ୍ୟକତା। ନିଜ ଢୋଲ ନିଜେ ନ ପିଟିଲେ କେହି ଆମକୁ ଅନାଇବେ ନାହିଁ। କିନ୍ତୁ ନିଜ ଢୋଲର ତାଳରେ ନିଜକୁ ହିଁ ନାଚିବାକୁ ହେବ। ଦେଖିଚାହିଁ ଢୋଲ ନ ପିଟିଲେ, ‘କାଲିରାମକା ଫଟଗୟା ଢୋଲ୍’ ଗୀତଟି ତ ଶୁଣିଥିବେ ନା! ଆମ ପ୍ରକୃତି ଯେତେ ଖରାପ ହେଉ ପଛେ, ଦୁନିଆ ଆମକୁ ଆମର ଦେଖେଇ ହେବା ଚେହେରାରୁ ହିଁ ଚିହ୍ନେ ଏବଂ ଦେଖେଇ ହେବା ଯେତେ ନିଖୁଣ ହେଲେ ମଧ୍ୟ ଉପର ବାଲା ଆମକୁ ଆମ ପ୍ରକୃତିରୁ ହିଁ ଜାଣେ। ମୋ ପାଖରେ ପେଁକାଳି ଗୋଟେ ଆଉ ଢୋଲ ଗୋଟେ ଥୁଆ ହୋଇଛି, ଶୁଣିବାକୁ ଇଚ୍ଛା ହେଲେ କହିବେ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର