କାଲିର ‘ବାଲ୍‌ ସ୍ୱୟଂସେବକ’ ଆଜିର ‘ପ୍ରଧାନ ସେବକ’

ଜଗତ୍‌ ପ୍ରକାଶ ନଡ୍ଡା

ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ତଥା ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ଜନ୍ମଦିନ। ଦୀର୍ଘ ୨୦ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ସେ ଜଣେ ପ୍ରଭାବଶାଳୀ ରାଜନେତା ଭାବେ ଉଭା ହୋଇଛନ୍ତି। ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଏବେ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଦୀର୍ଘଦିନ ଧରି ଜନସେବା କରିଥିବା ପ୍ରମୁଖ ନିର୍ବାଚିତ ନେତାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ। ନରେନ୍ଦ୍ର ମୋଦୀଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ତାଙ୍କର ଦୃଢ଼ ରାଜନୈତିକ ଏବଂ ଭାବଗତ ସମ୍ବନ୍ଧ ତାଙ୍କୁ ଭାରତର ଜନସାଧାରଣଙ୍କର ଅତି ନିକଟତର କରିପାରିଛି। ତେଣୁ ଯେତେବେଳେ ଏକ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନକାରୀ ସଂସ୍ଥାର ସର୍ବେକ୍ଷଣରେ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତାର ଆଖ୍ୟା ଦିଆଯାଇଛି, ଆମେ ଭାରତୀୟମାନେ ଏଥିରେ ସେତେଟା ଚକିତ ହୋଇନାହୁଁ।

ଶ୍ରୀ ମୋଦୀ କେବଳ ଆମର ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ଆମ ପାଇଁ ସେ ଜଣେ ସମାଜ ସଂସ୍କାରକ ଭାବେ ଉଭା ହୋଇଛନ୍ତି। ଭାରତରେ ରହିଥିବା ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ଆନ୍ତରିକତା ପ୍ରକାଶ କରିଛନ୍ତି। ଜନଭାଗୀଦାରି ଏବଂ ଆଲୋଚନା ମାଧ୍ୟମରେ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ ମଧ୍ୟ କରିଛନ୍ତି। ଖୋଲା ଶୌଚମୁକ୍ତ ଭାରତ, ସ୍ୱଚ୍ଛ ଭାରତ ଅଭିଯାନ, ବେଟୀ ବଚାଓ-ବେଟୀ ପଢ଼ାଓ ଏବଂ ନମାମି ଗଙ୍ଗେ ଭଳି ଅଭିଯାନର ସଫଳତା ଏହାର ପ୍ରକୃଷ୍ଟ ଉଦାହରଣ।

ଶ୍ରୀ ମୋଦୀ ନିଜକୁ ‘ପ୍ରଧାନ ସେବକ’ ଭାବେ ପରିଚିତ କରାଇଥାନ୍ତି। ସେ ଉତ୍ତମ ନୈତିକ ଏବଂ ସାମାଜିକ ମୂଲ୍ୟବୋଧ ଜରିଆରେ ଆମ ସମାଜ ଓ ରାଷ୍ଟ୍ରର ସାମଗ୍ରିକ ବିକାଶରେ ବିଶ୍ୱାସ କରନ୍ତି। ନିଜ ଉତ୍ତରଦାୟିତ୍ୱ ନିର୍ବାହ କରିବା ପ୍ରତି ସେ କେବେହେଲେ ହେଳା କରନ୍ତି ନାହିଁ ଏବଂ ଦେଶର ସବୁଠୁ ଜଟିଳ ତଥା କଷ୍ଟକର ସମସ୍ୟାର ସମାଧାନ ଲାଗି ସେ ସମ୍ମୁଖ ଭାଗରେ ରହି ନେତୃତ୍ୱ ନେଇଥାନ୍ତି। ଖାଲି ସେତିକି ନୁହେଁ, ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନିଅନ୍ତି ନାହିଁ। ସାମାଜିକ ଓ ରାଜନୈତିକ ଜୀବନରେ ଜଣେ ନିର୍ବିବାଦୀୟ ଓ ସଚ୍ଚୋଟ ବ୍ୟକ୍ତିବିଶେଷ ଭାବେ ସେ ପରିଚିତ। ଜଣେ ତପସ୍ୱୀଙ୍କ ଭଳି ଜୀବନ ନିର୍ବାହ କରୁଥିବା ଶ୍ରୀ ମୋଦୀ ଏକ ନ୍ୟାୟପୂର୍ଣ୍ଣ ସମାଜ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଲାଗି ନିରନ୍ତର ଉଦ୍ୟମ କରିଚାଲିଛନ୍ତି।

ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ କରାଯିବ ବୋଲି କେହି ଭାରତୀୟ କେବେ କଳ୍ପନା କରିପାରିଥିଲେ କି? ଏହି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ ଲାଗି ବହୁ ଦଶନ୍ଧି ବିତିଯାଇଥିଲା। କିନ୍ତୁ ଅଗଷ୍ଟ ୫, ୨୦୧୯ରେ ସବୁକିଛି ବଦଳିଗଲା। ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଅତୁଟ ପ୍ରତିବଦ୍ଧତାକୁ ସମଗ୍ର ରାଷ୍ଟ୍ର ଦେଖିଲା, ଯାହା ଧାରା ୩୭୦ ଉଚ୍ଛେଦ ଲକ୍ଷ୍ୟକୁ ସାକାର କଲା। ‘ଏକ ରାଷ୍ଟ୍ର, ଏକ ସମ୍ବିଧାନ’ ପାଇଁ ଆମର ସଂକଳ୍ପକୁ ଏହା ପୂରଣ କଲା ଏବଂ ଜମ୍ମୁ-କାଶ୍ମୀରକୁ ବାସ୍ତବରେ ଭାରତର ଅଭିନ୍ନ ଅଙ୍ଗରେ ପରିଣତ କଲା।
ଅନୁରୂପ ଭାବେ, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୂର୍ବରୁ କୌଣସି ସରକାର ସାହସ ଜୁଟାଇ ପାରି ନ ଥିଲେ, କେବଳ ଯାହା ବାକ୍ୟବୀର ସାଜିଥିଲେ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ଏୟାର୍‌ ଷ୍ଟ୍ରାଇକ୍ ମାଧ୍ୟମରେ ଶ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ, ଭାରତବିରୋଧୀ ଶକ୍ତି ଏବଂ ସମଗ୍ର ବିଶ୍ୱକୁ କଠୋର ବାର୍ତ୍ତା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ପ୍ରଭାବୀ ଥିଲା- ଭାରତ ବଦଳିଯାଇଛି, ଏବେ ଆଉ ଦୁର୍ବଳ ରାଷ୍ଟ୍ର ହୋଇ ରହିନାହିଁ, ଭାରତ ନିଜର ଜନସାଧାରଣ ଏବଂ ସୀମାର ସୁରକ୍ଷା ପାଇଁ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

ମାନନୀୟ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ନେତା ଯାହାଙ୍କ ଆହ୍ୱାନରେ ଜନଗଣଙ୍କୁ ଆକୃଷ୍ଟ କରିବା ଏବଂ ସମଗ୍ର ଦେଶକୁ ଏକଜୁଟ କରିବାର ଏକ ବୈଦ୍ୟୁତିକ ପ୍ରଭାବ ରହିଛି। କରୋନା ମହାମାରୀ କାଳରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନକୁ ସମସ୍ତ ନାଗରିକ ଅକ୍ଷର ଅକ୍ଷରେ ପାଳନ କରିଥିଲେ, ଯାହାକି ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ଅଧିକ ସୁଦୃଢ଼ କରିଥିଲା। ଏପରିକି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରମାନେ ଯେତେବେଳେ ପ୍ରାଣଘାତୀ ଭୂତାଣୁର ମୁକାବିଲା କରିବା ଲାଗି ସଂଘର୍ଷ କରୁଥିଲେ, ଭାରତର ସ୍ଥିତି ସେମାନଙ୍କ ତୁଳନାରେ ଯଥେଷ୍ଟ ଭଲ ଥିଲା। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ, ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନର ସୁଅ ଛୁଟିଥିଲା, ନାଗରିକମାନଙ୍କ ସହାୟତା ଲାଗି ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଆଗେଇ ଆସିଥିଲେ ଏବଂ ଲୋକମାନେ ନିଜ ନିଜ ଆଶଙ୍କା ପରିତ୍ୟାଗ କରି ବିଶ୍ୱର ସର୍ବବୃହତ୍‌ ଓ ଦ୍ରୁତ ଟିକାକରଣ ଅଭିଯାନରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା, ଦେଶରେ ୭୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇସରିଲାଣି, ଯାହାକି ଏକ ବିଶ୍ୱ ରେକର୍ଡ।

ଦ୍ରୁତ ନିର୍ଣ୍ଣୟ ନେବା ଶ୍ରୀ ମୋଦୀଙ୍କର ଆଉ ଏକ ବିଶେଷ ଗୁଣ, ଯାହାକି ତାଙ୍କୁ ତାଙ୍କର ପୂର୍ବାଧିକାରୀ ଏବଂ ସମକାଳୀନମାନଙ୍କଠାରୁ ପୃଥକ୍‌ କରିଥାଏ। ରେକର୍ଡ ସମୟ ମଧ୍ୟରେ ‘ମେଡ୍ ଇନ୍ ଇଣ୍ଡିଆ’ କରୋନା ଟିକା ବିକଶିତ କରି ସେ ସାରା ବିଶ୍ୱକୁ ଚକିତ କରି ଦେଇଥିଲେ। କରୋନା ସଙ୍କଟ ଗମ୍ଭୀର ହେବାର କିଛିଦିନ ମଧ୍ୟରେ ସେ ମେଡ଼ିକାଲ ଅକ୍ସିଜେନ ଯୋଗାଣକୁ ତୁରନ୍ତ ବୃଦ୍ଧି କରିପାରିଥିଲେ। ଆମ ‘ପ୍ରଧାନ ସେବକ’ ହିଁ କେବଳ ଏପରି ପ୍ରଭାବୀ ପଦକ୍ଷେପ ନେଇପାରନ୍ତି।

ଶ୍ରୀ ମୋଦୀ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କର ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି ଏବଂ ଭାରତରେ ରାଜନୈତିକ କାର୍ଯ୍ୟ-ସଂସ୍କୃତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ଭାରତୀୟ ରାଜନୀତିରେ ଜାତିବାଦ, ବଂଶବାଦ, ତୁଷ୍ଟୀକରଣ ଏବଂ ପରିବାରବାଦ ଭଳି କଳୁଷତା ଭରି ରହିଥିଲା। ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଏଭଳି ସଂସ୍କୃତି ଏବେ ବଦଳି ଯାଇଛି। ରାଜନୀତିରେ ରହିବାର ଅର୍ଥ ଏବେ ହୋଇଛି- ବିନା କୌଣସି ଭୟ ଏବଂ ପକ୍ଷପାତରେ ଜନସାଧାରଣଙ୍କ ସେବା। ଜାତି କିମ୍ବା ବର୍ଣ୍ଣ, ରାଜ୍ୟ କିମ୍ବା ଅଞ୍ଚଳ ନିର୍ବିଶେଷରେ ସରକାର ଏବେ ସମସ୍ତଙ୍କ ପାଇଁ କାମ କରୁଛନ୍ତି। ‘ପ୍ରଧାନ ସେବକ’ ବିକାଶମୂଳକ ରାଜନୀତି ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରିଛନ୍ତି।

୨୦୧୪ ପୂର୍ବରୁ, ରାଜନୈତିକ ଦଳଗୁଡ଼ିକର ଘୋଷଣାପତ୍ର କେବଳ ଭୋଟ୍ ହାସଲ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ, ବିଜେପିର ନିର୍ବାଚନୀ ଘୋଷଣାପତ୍ରରେ ଲିଖିତ ପ୍ରତ୍ୟେକ ଶବ୍ଦ ‘ପ୍ରଧାନ ସେବକ’ଙ୍କ ପାଇଁ ପୁଣ୍ୟମୟ ହୋଇଛି। ଆମ ସରକାରଙ୍କ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକାରେ ପରିଣତ ହୋଇଛି।

ନରେନ୍ଦ୍ର ମୋଦୀ ସରକାରଙ୍କ ମୂଳମନ୍ତ୍ର ହେଉଛି ‘ପ୍ରଗତି’ (ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା)। ଏହା ବିନା ଦୁର୍ନୀତି ଏବଂ ପ୍ରିୟାପ୍ରୀତି-ତୋଷଣରେ ନାଗରିକମାନଙ୍କୁ ପ୍ରକଳ୍ପ ଓ କାର୍ଯ୍ୟକ୍ରମଗୁଡ଼ିକର ସମୟୋଚିତ ସୁଫଳ ପ୍ରଦାନ କରିପାରୁଛି। ଏହାଦ୍ୱାରା ବହୁଦଶନ୍ଧି ପର୍ଯ୍ୟନ୍ତ ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରୁଛି। ତାଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହେଉଛି mygov.nic.in – ଲୋକମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବାର ଚିନ୍ତାଧାରା ନେଇ ସେ ଏହି ୱେବ୍‌ସାଇଟ୍‌ ଆରମ୍ଭ କରିଥିଲେ। ବ୍ୟାପକ ଭାବେ ଲୋକପ୍ରିୟ ‘ମନ୍‌ କୀ ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ସିଧାସଳଖ ଲୋକମାନଙ୍କ ସହିତ ଆଲୋଚନା କରୁଛନ୍ତି। ପ୍ରଧାନମନ୍ତ୍ରୀ ଆମ ପିଲାମାନଙ୍କ ପାଇଁ ଆଲୋକବର୍ତ୍ତିକା ଏବଂ ପ୍ରେରଣାଦାୟୀ ‘ଗୁରୁ’ ପାଲଟିଛନ୍ତି। ‘ପରୀକ୍ଷା ପେ ଚର୍ଚ୍ଚା’ ଭଳି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଆମ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାଜନିତ ଚାପ ହ୍ରାସ କରିବା ସହିତ ସେମାନଙ୍କୁ ଆତ୍ମବିଶ୍ୱାସ ଏବଂ ପ୍ରେରଣା ଦେବାରେ ସଫଳ ହୋଇଛନ୍ତି।

ଅସାଧାରଣ ବ୍ୟକ୍ତିତ୍ୱ, ସଚ୍ଚୋଟ ଭାବମୂର୍ତ୍ତି, ପ୍ରଭାବୀ ଏବଂ ଦକ୍ଷ ନେତୃତ୍ୱ, ଦୂରଦୃଷ୍ଟିସମ୍ପନ୍ନ ନିର୍ଣ୍ଣୟ ନେବାର କ୍ଷମତା, କରୁଣା ଓ ଧୈର୍ଯ୍ୟ ସହିତ ନାଗରିକଙ୍କ ପାଇଁ ଶ୍ରେଷ୍ଠ କାର୍ଯ୍ୟ କରିବାକୁ ସର୍ବଦା ଆଗ୍ରହ ଆଦି ମହତ୍‌ ଗୁଣ ଶ୍ରୀ ମୋଦୀଙ୍କ ପାଖରେ ରହିଛି। ଏହା ତାଙ୍କର ଦୈନନ୍ଦିନ ରାଜନୈତିକ ଏବଂ ସାମାଜିକ ଜୀବନରେ ପ୍ରତିଫଳିତ ହୋଇଥାଏ। ‘ବାଳ ସ୍ୱୟଂସେବକ’ରୁ ଆରମ୍ଭ କରି ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ ତାଙ୍କର ଜୀବନଯାତ୍ରା ସବୁବେଳେ ଶୃଙ୍ଖଳିତ ରହିଆସିଛି।

ବିଶ୍ୱ ସ୍ତରରେ, ଆମେରିକା, ୟୁରୋପ ଏବଂ ଉପସାଗରୀୟ ଦେଶଗୁଡ଼ିକ ସହିତ କୂଟନୈତିକ ସମ୍ପର୍କକୁ ସେ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ସଦ୍ୟ ସମାପ୍ତ ଅଲିମ୍ପିକ୍ସ ଏବଂ ପାରା-ଅଲିମ୍ପିକ୍ସରେ ଭାରତ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ, ଦୃଢ଼, ସମ୍ବେଦନଶୀଳ ଏବଂ ଉଦ୍‌ଯୋଗୀ ନେତୃତ୍ୱ ଆମେ ପାଇଥିବାରୁ ଏସବୁ କିଛି ହାସଲ ହୋଇପାରିଛି।

କୃଷକ, ଦଳିତ, ମହିଳା, ବଞ୍ଚିତ, ଅବହେଳିତ ଏବଂ ଯୁବପିଢ଼ିଙ୍କ ଜୀବନରେ ସୁଧାର ଆଣିବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀ ଆଜୀବନ ନିଜକୁ ସମର୍ପି ଦେଇଛନ୍ତି। ମହାମାରୀ ବ୍ୟାପିବା ସମୟରେ ଦେଶର ୮୦ କୋଟି ଜନସାଧାରଣଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ୫୫ କୋଟି ଲୋକଙ୍କୁ ଆୟୁଷ୍ମାନ୍‌ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ମାତ୍ର ୩୩୦ ଓ ୧୫ ଟଙ୍କାରେ ଯଥାକ୍ରମେ ଜୀବନ ଓ ଦୁର୍ଘଟଣା ବୀମା ଯୋଗାଇ ଦିଆଯାଉଛି। କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ପ୍ରାୟ ୧୨ କୋଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏମାନଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି। ଗରିବଙ୍କୁ ସୁଲଭ ଆବାସ ଯୋଗାଇ ଦେବା ନିମନ୍ତେ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଥିରେ ଗରିବଙ୍କ ଘରେ ବିଦ୍ୟୁତ୍‌, ପାଣି ଏବଂ ଏଲ୍‌ପିଜି ସିଲିଣ୍ଡର ସୁବିଧା ଯୋଗାଇ ଦିଆଯାଉଛି।

ଦେଶର ବିକାଶ ପାଇଁ ନିଜ ଜୀବନକୁ ସମର୍ପି ଦେବା ସମ୍ପର୍କରେ ଆଲୋଚନା କଲେ ଆଜି ମଧ୍ୟ ଆମ ପ୍ରଧାନମନ୍ତ୍ରୀ ଉତ୍ସାହିତ ହୋଇପଡ଼ିଥାନ୍ତି। ଯୋଗ ପ୍ରତି ତାଙ୍କର ଆଗ୍ରହ ସମଗ୍ର ବିଶ୍ୱକୁ ଭାରତର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇପାରିଛି। ଜୁନ ୨୧ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ମାନବଜାତି ପାଇଁ ଏକ ଉପହାର। ତାଙ୍କର ଉତ୍ସାହ ଏବଂ ଦୃଢ଼ ମନୋବଳ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ବିଜେପି ସବୁବେଳେ ‘ସେବା ଦିବସ’ ଭାବେ ପାଳନ କରିଥାଏ। ତାଙ୍କର ନେତୃତ୍ୱରେ, ଦଳ ସବୁବେଳେ ‘ସେବା ହିଁ ସଂଗଠନ’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ତାଙ୍କ ଜୟନ୍ତୀରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାରା ଦେଶରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସାରା ଦେଶରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି ଏବଂ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବିତରଣ କରାଯାଉଛି। ଏହି ଦିନରେ ଅସହାୟମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଆଜି, ଆମ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ଆମେ ପ୍ରେରଣା ନେଇ ରାଷ୍ଟ୍ର ଏବଂ ନାଗରିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ଉଚିତ।

‘ସବ୍‌କା ସାଥ୍‌-ସବ୍‌କା ବିକାଶ’କୁ ସୁନିଶ୍ଚିତ କରିବା ସହିତ ଜନସାଧାରଣଙ୍କ କଲ୍ୟାଣ ଏବଂ ଉନ୍ନତି ଦିଗରେ ସମ୍ପୂର୍ଣ୍ଣ ସମର୍ପଣ କାରଣରୁ ଶ୍ରୀ ନରେନ୍ଦ୍ର ମୋଦୀ ଏପରି ଅବିସ୍ମରଣୀୟ ସଫଳତା ହାସଲ କରିପାରିଛନ୍ତି। ‘ରାଷ୍ଟ୍ର ପ୍ରଥମ’ ପ୍ରତି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତକୁ ‘ବିଶ୍ୱଗୁରୁ’ରେ ପରିଣତ କରିବା। ଆମ ପ୍ରଧାନମନ୍ତ୍ରୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି, ସାରା ଭାରତ ଓ ବିଶ୍ୱରେ ସ୍ମରଣୀୟ ହୋଇ ରହିବ।

ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭାରତୀୟ ଜନତା ପାର୍ଟି

ସମ୍ବନ୍ଧିତ ଖବର