ପୋଲିଓରୁ ପାରାଲିମ୍ପିକ୍ ଯାଏ

ଅଭିରାମ ବିଶ୍ବାଳ

ଏ ଲେଖାଟିର ଶୀର୍ଷକ ସହ ସ˚ପର୍କ ରଖୁଥିବା ସଦ୍ୟତମ ଶ୍ରେଷ୍ଠ ମୂର୍ତ୍ତିମନ୍ତ ଦୃଷ୍ଟାନ୍ତ ହେଲେ ଓଡ଼ିଶାର ଅତାବିରାର ପ୍ରମୋଦ ଭଗତ ଯିଏ ନିକଟରେ ସରିଥିବା ଟୋକିଓ ପାରାଲିମ୍ପିକ୍ ବ୍ୟାଡମିଣ୍ଟନ୍ ପୁରୁଷ ଏକକ ପ୍ରତିଯୋଗିତାରେ ଇ˚ଲଣ୍ତର ଡାନିଏଲ ବେଥେଲ୍‌ଙ୍କୁ ହରାଇ ସ୍ବର୍ଣ୍ଣପଦକ ହାସଲ କରିପାରିଛନ୍ତି। ଅଲିମ୍ପିକ୍, ବିଶେଷ କରି ପାରାଲିମ୍ପିକ୍‌ର ସ୍ବର୍ଣ୍ଣପଦକ ଯେ ନୋବେଲ୍ ପୁରସ୍କାର ସମ- ଏ ଭଳି ବିବେଚନା ଆଦୌ ଅସମୀଚୀନ ମନେ ହୁଏ ନାହିଁ। ପ୍ରମୋଦଙ୍କ କ୍ଷେତ୍ରରେ ତାଙ୍କ ଜୀବନଯାତ୍ରାକାଳୀନ ଘାତ ପ୍ରତିଘାତ ତଥା ସ˚ଘର୍ଷର ସୌନ୍ଦର୍ଯ୍ୟ ତାଙ୍କ କ୍ରୀଡ଼ା ନୈପୁଣ୍ୟ ଜନିତ ଅସାଧାରଣ ସଫଳତାର କାହାଣୀକୁ ଆହୁରି ମହତ୍ତ୍ବପୂର୍ଣ୍ଣ କରିଦିଏ। ତାଙ୍କୁ ଚାରି-ପାଞ୍ଚ ବର୍ଷ ବେଳେ ଜଣାପଡ଼ିଲା ତାଙ୍କ ବାମ ଗୋଡ଼ ପୋଲିଓ ଆକ୍ରାନ୍ତ। ତଥାପି ସିଏ ସେଥିରେ ଦବିଗଲେନି। ମୂଳରୁ ତାଙ୍କର କ୍ରିକେଟ୍ ନିଶା ଥିଲା; ବ୍ୟାଟ୍‌ସମ୍ୟାନ୍‌ ଭାବେ ବି ସିଏ ଖେଳିଛନ୍ତି। ସଚିନ୍ ତେନ୍ଦୁଲକର ପ୍ରମୋଦଙ୍କୁ ତାଙ୍କ ମୁମ୍ବାଇ ବାସଭବନକୁ ନିମନ୍ତ୍ରଣ କରି ଅଭିନନ୍ଦନ ଜଣାଇବା, ପ୍ରମୋଦଙ୍କ ସହ ସେଲ୍‌ଫି ଉଠେଇବା, ଉପହାର ଜର୍ସିରେ ‘ପ୍ରମୋଦ ଆମ ଗର୍ବ ଓ ଗୌରବ’ ବୋଲି ଲେଖାଥିବା ଏବ˚ ତେନ୍ଦୁଲକରଙ୍କୁ ଭେଟି ସାରିଲା ପରେ ‘ମୋ ପିଲାଦିନର ସ୍ବପ୍ନ ଶେଷରେ ସତ ହେଲା; ମୁଁ ଏତେ ଆନନ୍ଦିତ ଯେ ଆଜି ରାତିରେ ଆଦୌ ଶୋଇପାରିବିନି’ ବୋଲି ପ୍ରମୋଦ କହିବା ଆଦି ସେମାନଙ୍କ ଭେଟ୍‌ଘାଟର କଥା ନିଶ୍ଚୟ ଲୋକକଥାରେ ପରିଣତ ହୋଇ ଅନେକଙ୍କୁ ଅନୁପ୍ରାଣିତ କରିବ।

ପ୍ରାରମ୍ଭିକ କ୍ରିକେଟ୍ ପ୍ରୀତି ସତ୍ତ୍ବେ ଏକାଧିକ ଥର ଭଲ ଭାବେ ବ୍ୟାଡମିଣ୍ଟନ୍ ଖେଳ ଦେଖିଲା ପରେ ପ୍ରମୋଦଙ୍କ କ୍ରୀଡ଼ାଗତ ଆକର୍ଷଣ ଓ ଆଭିମୁଖ୍ୟର ଅଗ୍ରାଧିକାର ବଦଳିଗଲା। ଶୟନ, ସପନ ଓ ଜାଗରଣରେ ତାଙ୍କ ପାଇଁ ଖାଲି ବ୍ୟାଡମିଣ୍ଟନ୍ ହିଁ ବ୍ୟାଡମିଣ୍ଟନ୍। ଅନ୍ୟ ସାଙ୍ଗସାଥୀମାନେ ସନ୍ଧ୍ୟାରେ ସାଧାରଣତଃ ଟି.ଭି ଦେଖିବାରେ ମଜି ଯାଉଥିଲା ବେଳେ ପ୍ରମୋଦ ବ୍ୟାଡମିଣ୍ଟନ୍ ଅଭ୍ୟାସ କରୁଥିଲେ। ଗୋଟିଏ ପର୍ଯ୍ୟାୟରେ ସିଏ ସାଧାରଣ ବର୍ଗର ଖେଳାଳିଙ୍କ ସହ ଖେଳୁଥିଲେ ଓ ଜିତିପାରୁଥିଲେ। ଜଣେ କ୍ରୀଡ଼ାବିତ୍ ଭାବେ ତାଙ୍କର ଅସଲ ନିଅଁ ପଡ଼ିଥିଲା ଅତାବିରାରେ। ୨୦୦୬ ମସିହାରେ ଅନୁଗୁଳର ନାଲ୍‌କୋ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅ˚ଶଗ୍ରହଣ ଓ ସ୍ବର୍ଣ୍ଣପଦକ ଲାଭ ତାଙ୍କ ଜୀବନର ଗତିପଥ ବଦଳେଇ ଦେଇଥିଲା। ଗତ ପନ୍ଦର ବର୍ଷ ଭିତରେ ପ୍ରମୋଦ ବିଦେଶୀ ରାଷ୍ଟ୍ର ମାଲେସିଆ, ଦୁବାଇ, ବ୍ରାଜିଲ, ପେରୁ, ତୁରସ୍କ, ଉଗାଣ୍ତା, କାନାଡ଼ା, ଆୟାର୍ଲ୍ୟାଣ୍ତ, ଥାଇଲ୍ୟାଣ୍ତ, ଚୀନ୍, ଡେନ୍‌ମାର୍କ, ଅଷ୍ଟ୍ରେଲିଆ, ଇଣ୍ତୋନେସିଆ, ଜର୍ମାନି, ଇ˚ଲଣ୍ତ, ଦକ୍ଷିଣ କୋରିଆ ଓ ଜାପାନ ପ୍ରଭୃତିର ନିର୍ଦ୍ଧାରିତ ସହରରେ ଆୟୋଜିତ ଏସୀୟ/ଅନ୍ତର୍ଜାତୀୟ/ବିଶ୍ବ/ପାରାଲିମ୍ପିକ୍ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ-ରୌପ୍ୟ-କା˚ସ୍ୟ ପଦକ ହାସଲ କରିଛନ୍ତି। ପୁଣି ଜାତୀୟ ସ୍ତରରେ ସେଇ ୨୦୦୬ ମସିହା ଠାରୁ ସିଏ ଅନୁଗୁଳ, ବାଙ୍ଗାଲୋର, ମଦୁରାଇ, ଚେନ୍ନାଇ, ବେଲାରୀ, ତ୍ରିଚୀ, ମତୁଙ୍ଗା (ମୁମ୍ବାଇ), ବାରଣାସୀ ଓ ରୂଦ୍ରପୁର ଆଦି ସ୍ଥାନରେ ସ୍ବର୍ଣ୍ଣ-ରୌପ୍ୟ-କା˚ସ୍ୟ ପ୍ରାପ୍ତ ହୋଇଛନ୍ତି। ଅର୍ଜୁନ ଓ ବିଜୁ ପଟ୍ଟନାୟକ ପୁରସ୍କାର ବିଜେତା ପ୍ରମୋଦ ମଧୢ ପୃଥିବୀର ଏକ ନମ୍ବର ବ୍ୟାଡମିଣ୍ଟନ୍ ତାରକା ଓ ପାଞ୍ଚ ଥର ବିଶ୍ବ ଚାମ୍ପିଆନ୍‌ସିପ୍ ସ୍ବର୍ଣ୍ଣ ବିଜୟୀ। ୨୦୨୪ ମସିହାର ପ୍ୟାରିସ ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପାଇଁ ସିଏ ଏବେ ନିରବଚ୍ଛିନ୍ନ ଭାବେ ସମୁଚିତ ଅଭ୍ୟାସରତ ରହିବେ ବୋଲି କହିଛନ୍ତି।

ଅତି ପିଲାଟି ବେଳୁ ଚାରି-ପାଞ୍ଚ ବର୍ଷ ବୟସରୁ ପ୍ରମୋଦଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ ତାଙ୍କ ପିଉସା ଓ ପିଉସୀ ଯିଏ ବିହାରର ହାଜିପୁରରୁ ଅତାବିରା ଆସିଥିଲେ କର୍ମ ଅନ୍ବେଷଣରେ। ତାଙ୍କ ପିଉସା କୈଳାସ ଭଗତ ଅତାବିରାର ଏକ ରାଇସ୍ ମିଲ୍‌ରେ ଡ୍ରାଇଭର ଥିଲେ। ନିଜ ପିଉସା-ପିଉସୀଙ୍କୁ ପ୍ରମୋଦ ବାପା-ମା’ ମାନ୍ୟ କରୁଥିଲେ। ପନ୍ଦର ବର୍ଷ ତଳେ ତାଙ୍କ ବାପା କୈଳାସ ବାବୁ ଚାଲିଯାଇଥିଲେ ଓ ମହାମାରୀ କରୋନାର ପ୍ରଥମ ଲହର ପରେ ତାଙ୍କ ମା’ କୁସୁମ ଦେବୀ ପ୍ରାଣ ହରାଇଥିଲେ। ପ୍ରମୋଦଙ୍କର ଜଣେ ଭାଇ ଅତାବିରା ପାଖ ଜାତୀୟ ରାଜପଥ କଡ଼ରେ ପଙ୍ଖା, କୁଲର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ମରାମତି କରୁଥିଲେ ଯେଉଁଠି ବେଳେବେଳେ ପ୍ରମୋଦ ତାଙ୍କ ଭାଇଙ୍କୁ କାମରେ ସହାୟତା କରୁଥିଲେ। ପାଠ, ଖେଳ ଓ କାମ ଏକା ସାଙ୍ଗରେ ଚାଲିଥିଲା। ସେଇ ଅତାବିରାରେ ପ୍ରମୋଦଙ୍କ ସ୍କୁଲ ଓ କଲେଜ ପଢ଼ା ଏବ˚ ବ୍ୟାଡମିଣ୍ଟନ୍ ଆଦ୍ୟ ତାଲିମ। ସେଇଥିପାଇଁ ତ ସିଏ କୃତଜ୍ଞତା ଜଣାଇଲା ବେଳେ ନିଜ ଗାଁ ଲୋକ, କୋଚ୍, ଓଡ଼ିଶାବାସୀ ଓ ପିତାମାତାଙ୍କ କଥା ଉଲ୍ଲେଖ କରିଛନ୍ତି। ଏକଦା ବ୍ୟାଡମିଣ୍ଟନ୍ ରାକେଟ୍ କିଣିବାକୁ ତାଙ୍କ ପାଖରେ ପଇସା ନ ଥିଲା। ତାଙ୍କ ପରିବାର ବି ଅତାବିରାରେ ଭଡ଼ାଘରେ ରହୁଥିଲେ। ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ସ˚କଳ୍ପ, କଠିନ ପରିଶ୍ରମ, ଅସାଧାରଣ ପ୍ରତିଭା ଏବ˚ ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଜିଣିବାର ଦୁର୍ବାର ଅଭିଳାଷ ଜଣକୁ କେତେ ଉପରକୁ ନେଇପାରେ ତା’ର ପ୍ରମାଣ ଖୋଦ୍ ପ୍ରମୋଦ। ଏ ଭଳି ଜଣେ ଅତି ମହାନ୍ ଓ ସଫଳ ପ୍ରତିଭାଙ୍କୁ ସମ୍ମାନ ତଥା ସମ୍ବର୍ଦ୍ଧନା ଜଣେଇବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ଛଅ କୋଟି ଟଙ୍କାର ଚେକ୍ ଆଉ ଗ୍ରୁପ୍-ଏ ସରକାରୀ ଚାକିରିର ନିଯୁକ୍ତିପତ୍ର ହସ୍ତାନ୍ତର କରିବା ସବୁ ମହଲରେ ପ୍ରଶ˚ସିତ ହୋଇଛି।

ସର୍ବସମକ୍ଷରେ ଜଣେ ପ୍ରତିଯୋଗୀଙ୍କ ପ୍ରତିଭା ପରିବେଷଣରେ ସାହାଯ୍ୟ କରିବା ସାଙ୍ଗକୁ ବିଶାଳ ହୃଦୟ ବିଶିଷ୍ଟ ମାନବୀୟ ଭାବନାର ପ୍ରଦର୍ଶନ ସମ୍ଭବ କରେଇ ପାରୁଥିବା ଅନ୍ୟତମ ପ୍ରକୃଷ୍ଟ ମାଧୢମ ହେଲା ଖେଳ। ଗତ ଅଗଷ୍ଟରେ ଉଦ୍‌ଯାପିତ ଟୋକିଓ ୨୦୨୦ ଅଲିମ୍ପିକ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। ପୁରୁଷ ଉଚ୍ଚ ଡିଆଁର ଫାଇନାଲ ଚାଲିଥାଏ। କାତାରର ମୁତାଜ୍ଇସା ବାରସିମ୍ ଓ ଇଟାଲିର ଜିଆନମାର୍କୋ ତାମ୍ବେରି ଉଭୟ ୨.୩୭ ମିଟର ଡେଇଁ ସମାନ ସ୍ତରରେ ଥାଆନ୍ତି। ଦୁହେଁ ଆଉ ତିନିଟି ଲେଖାଏଁ ସୁଯୋଗ ପାଇଲେ। ସେଇ ୨.୩୭ ହିଁ ଦୁହେଁ ଛୁଇଁ ପାରିଲେ। ଶେଷ ଥରକ ପାଇଁ ଦୁଇଜଣଙ୍କୁ ଗୋଟିଏ ଲେଖାଏଁ ସୁଯୋଗ ମିଳିଲା। କିନ୍ତୁ ଇଟାଲିର ପ୍ରତିଯୋଗୀ ଜଣକ ନିଜର ଆହତ ଗୋଡ଼ ଯୋଗୁଁ ଶେଷ ସୁଯୋଗର ସଦୁପଯୋଗ କରିବା ଅବସ୍ଥାରେ ନ ଥିଲେ; ତେଣୁ ସେ ଓହରିଗଲେ। ବିରଳ ଖେଳୁଆଡ଼ ମନୋଭାବ ଓ ମାନବୀୟ ମନୋବୃତ୍ତିର ପ୍ରଦର୍ଶନ କରି କାତାରର ଖେଳାଳି ଜଣକ ବି ଶେଷ ପ୍ରୟାସରୁ ଓହରିଗଲେ; ଯଦିଓ ତାଙ୍କ ପାଖରେ ୨.୩୭ ଟପିବାର ଏକ ଅପ୍ରତିଦ୍ବନ୍ଦ୍ବୀ ଅବସର ଥିଲା। ଦୁଇ ଜଣ ଯାକ ଯୁଗ୍ମ ସ୍ବର୍ଣ୍ଣପଦକ ବିଜେତା ଘୋଷିତ ହେଲେ। ତାମ୍ବେରି ମୁହୂର୍ତ୍ତକ ପାଇଁ ନିଜ ଗୋଡ଼ କଥା ଭୁଲିଗଲେ, ଦୌଡ଼ିଯାଇ ବାର୍‌ସିମ୍‌ଙ୍କୁ କୁଣ୍ଢେଇ ପକେଇଲେ ଓ ଆନନ୍ଦରେ କୁରୁଳି ଉଠି କାନ୍ଦି ପକାଇଲେ। ଭାଷା, ଧର୍ମ, ରଙ୍ଗ ଓ ଜାତୀୟ ସୀମାରେଖା ସୃଷ୍ଟ କୃତ୍ରିମ କଟକଣାର ଉପରକୁ ଆଉ ଥରେ ଉଠିଗଲା ଖେଳ। ଗଲା ଅଲିମ୍ପିକ୍‌କାଳୀନ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଭାରତର ସ୍ବର୍ଣ୍ଣ ପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଖେଳୁଆଡ଼ ମନୋଭାବ ସମ୍ପର୍କିତ। ନିଜ ପ୍ରଥମ ପ୍ରୟାସର ଜାଭେଲିନ୍ ଫିଙ୍ଗିବାକୁ ଗଲାବେଳେ ସିଏ ହଠାତ୍ ତାଙ୍କ ଜାଭେଲିନ୍ ପାଇଲେନି। ଦେଖିଲେ ଭୁଲ୍‌ରେ ତାହା ପାକିସ୍ତାନୀ ଖେଳାଳି ଅର୍ସଦ୍ ନଦୀମ୍‌ଙ୍କ ହାତରେ। ଅର୍ସଦ୍‌ଙ୍କୁ ନୀରଜ କହିଲେ- ଭାଇ, ସେ ଜାଭେଲିନ୍ ମୋର, ତାହା ମୋତେ ଦେଇଦିଅ। ସିଏ ତାହା ସାଙ୍ଗେ ସାଙ୍ଗେ ଫେରାଇ ଦେଲେ। ପରେ କିନ୍ତୁ ପ୍ରଚାର ହୋଇଗଲା- ନୀରଜଙ୍କ ଜାଭେଲିନ୍ ଜଣେ ନେଇଯାଇ ସେଥିରେ ଏପଟସେପଟ କିଛି କରି ଦେଇଛନ୍ତି। ମାତ୍ର ନୀରଜ ସବୁ ସ୍ପଷ୍ଟ କରିବା ସହ ଏହାକୁ କଦର୍ଥ କରିବା ଅନୁଚିତ ବୋଲି କହିଥିଲେ। ଖେଳାଳି ଭାବେ ଆମେ ଜାଣୁ ଯେ ଖେଳ ଯୋଡେ଼, ଏକତା ଶିଖାଏ।

ଆଉ ଦୁଇଟି ପ୍ରସଙ୍ଗ ଉପରୋକ୍ତ ଦୁଇଟି ଅଲିମ୍ପିକ୍ ଘଟଣା ସହ ଛାଏଁ ଛାଏଁ ଗୁନ୍ଥି ହୋଇଯାଏ। ଗୋଟିଏ ପ୍ରସଙ୍ଗ ହେଲା, ଥରେ ସୂଚନା (ଜୟଦେବ) ଭବନରେ ଆୟୋଜିତ ଏକ ସଭା ମଞ୍ଚରେ ଅନ୍ୟମାନଙ୍କ ଭିତରେ ଉପସ୍ଥିତ ଥାଆନ୍ତି ଓଡ଼ିଶାର ଅନ୍ୟତମ ଜଣାଶୁଣା କର୍ମୀ, ଶିକ୍ଷକ, ବକ୍ତା, ଚିନ୍ତକ ଓ ଲେଖକ ଚିତ୍ତର˚ଜନ ଦାସ ଓ ଭିନ୍ନକ୍ଷମଙ୍କ ଅସାଧାରଣ କ୍ଷମତା କ୍ଷେତ୍ରରେ କାମ କରୁଥିବା ‘ସ୍ବାଭିମାନ’ ସ˚ସ୍ଥାର ମୁଖ୍ୟା, ବିଦୂଷୀ ଡ. ଶ୍ରୁତି ମହାପାତ୍ର। ଡ. ମହାପାତ୍ର ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମମାନେ ଭାଗ ନେଇଥିବା ଏକ ଦୌଡ଼ ପ୍ରତିଯୋଗିତାର ଅବତାରଣା କରିଥିଲେ। ଦୌଡ଼ର ଆଗରେ ଥିବା ତିନିଜଣ ଶେଷ ବିନ୍ଦୁ ଛୁଇଁବା ଛୁଇଁବା ଉପରେ। ହଠାତ୍ ପଡ଼ିଆ ମଝିରୁ ଜଣକର ବିକଳ କାନ୍ଦ ଶୁଭିଲା। ଜଣେ ପ୍ରତିଯୋଗୀ ତଳେ ପଡ଼ିଯାଇଥାନ୍ତି; ଗୋଡ଼ର ଅସୁବିଧା କାରଣରୁ ଆଉ ସହଜରେ ଉଠିପାରି ଦୌଡ଼ିବା ସ୍ଥିତିରେ ନ ଥାନ୍ତି। ଆଗରେ ଥିବା ସବୁ ପ୍ରତିଯୋଗୀ ସେ କାନ୍ଦ ଶୁଣି ପଛକୁ ଫେରି ଆସିଲେ ଓ ତଳେ ପଡ଼ିଯାଇଥିବା ପ୍ରତିଯୋଗୀ ଜଣକୁ ସାଙ୍ଗରେ ଧରି ଶେଷ ବିନ୍ଦୁ ଯାଏ ଗଲେ। ସଭିଏଁ ବିଜୟୀ ହେଲେ। ପରବର୍ତ୍ତୀ ବକ୍ତା ଥାଆନ୍ତି ଶ୍ରୀଯୁକ୍ତ ଦାସ। ନିଜ ଭାଷଣରେ ସିଏ କହିଥିଲେ- ଡ. ଶ୍ରୁତି ମହାପାତ୍ରଙ୍କ ଚମତ୍କାର ପ୍ରତିଭା ବାବଦରେ ମୁଁ ଆଗରୁ ଶୁଣିଥିଲି। ଆଜି ଏଠି ତାଙ୍କଠୁଁ ଦୌଡ଼ ପ୍ରତିଯୋଗିତାଟିର କାହାଣୀ ଶୁଣିଲା ପରେ ଜଣକର କ’ଣ ଆଉ କିଛି କହିବାର ଥାଏ! ରହୁଛି। ଧନ୍ୟବାଦ ଓ ପ୍ରଣାମ। ଅନ୍ୟ ପ୍ରସଙ୍ଗଟି ହେଲା ପ୍ରାଚୀନ ଆଫ୍ରିକୀୟ, ଜୁଲୁ ଶବ୍ଦ ‘ଉବୁଣ୍ଟୁ’ଜନିତ। ଏହାର ମୋଟାମୋଟି ଅର୍ଥ- ମୁଁ ଅଛି, କାରଣ ଆମେ ଅଛୁ। ମୁଁ ଯାହା ହୋଇପାରିଛି ମୁଁ ତାହା ହୋଇପାରିଛି ଆମ, ଅନ୍ୟ ସମସ୍ତଙ୍କ ପାଇଁ।

ଜଣେ ଅତି ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ପ୍ରମୋଦଙ୍କ ଆଖିର କ୍ୟାମେରାରେ ଥାଏ ସାରା ବ୍ୟାଡମିଣ୍ଟନ୍ କୋର୍ଟ। ଆଖି ସହ ହାତର ପୁଣି ଅତୁଳନୀୟ ସମନ୍ବୟ ଯାହା ତାଙ୍କ ଖେଳର ଲୟ, ଛନ୍ଦ ଓ ତାଳମେଳରେ ପ୍ରତିଫଳିତ। ଏ କରୋନା କାଳରେ ପାରାଲିମ୍ପିକ୍ ପୂର୍ବରୁ ସିଏ ନିଜକୁ ଅଧିକ ଫିଟ୍ ରଖିବା ପାଇଁ ଓ ନିଜ ଷ୍ଟ୍ରୋକ୍‌ର ମାନ ବଢ଼େଇବା ପାଇଁ ଅଧିକରୁ ଅଧିକ ଅଭ୍ୟାସ କରି ଚାଲିଥିଲେ। ଲୋ, ହାଇ, ଫ୍ଲିକ୍.. ସବୁ ଧରଣର ସର୍ତ୍ତରେ ସେ ଓସ୍ତାଦ୍। ପୁଣି କ୍ଲିଅର୍, ଡ୍ରପ୍, ସ୍ମାସ୍, ଜମ୍ପ୍, ଲବ୍…. ଭଳିକି ଭଳି ସଟ୍‌ରେ ସେ ମାହିର। ତାଙ୍କ ଖେଳରେ ସତେ ଯେମିତି ଅଲଗା ଦିବ୍ୟ କ୍ଷମତା ଓ ଦକ୍ଷତା ଫୁଟି ବାହାରେ। ଖେଳିଲା ବେଳେ ତାଙ୍କ ଆତ୍ମରକ୍ଷା ଯେମିତି ତାଙ୍କ ଆକ୍ରମଣ ସେମିତି। ସେଭଳି ଜଣେ ମହାପ୍ରତିଭା ଆତ୍ମପ୍ରକାଶ କରିଥିଲେ ସମ୍ବଲପୁର ଓ ବରଗଡ଼ ମଝିରେ ଅବସ୍ଥିତ ଅତାବିରା ଭଳି ଏକ ସାନ ସହରରୁ। ତେବେ ଅତାବିରାର ପ୍ରମୋଦମାନେ କହନ୍ତି, ସାନ ସାନ ସହର ମଧୢ ବଡ଼ ବଡ଼ ସମ୍ଭାବନାର ଠିକଣା। କାରଣ ଅତାବିରା ଏବେ ବିଶ୍ବ କ୍ରୀଡ଼ା ମାନଚିତ୍ରର ପ୍ରମୁଖ ବିନ୍ଦୁ।

ମୋ- ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର