ଆମେରିକା ବିଶ୍ବାସଘାତକତା କଲା। ରୁଷିଆ ଆଉ ଗୁରୁତ୍ବ ଦେଉନାହିଁ। ଚୀନ ଏବଂ ପାକିସ୍ତାନ ହାତ ମିଳାଇ ଶତ୍ରୁତା କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଆଫଗାନିସ୍ତାନ ମାମଲାରେ ଭାରତ ଦୟନୀୟ ଭାବେ ଏକୁଟିଆ ହୋଇଯାଇଛି। ଏଥିରୁ ଭାରତର ବୈଦେଶିକ ନୀତି କେତେ ଦୁର୍ବଳ ତାହା ପଦାରେ ପଡ଼ିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୪ରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଦେଶ ଗସ୍ତ କରି ରାଷ୍ଟ୍ରର ନେତାମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ପ୍ରତିଷ୍ଠା କରି ଭାରତର ବୈଦେଶିକ ନୀତିର ଯେଉଁ ନୂଆ ଢାଞ୍ଚା ତିଆରି କରିଥିଲେ, ତାହା ଏବେ ଭୁଶୁଡ଼ି ଯାଇଥିବା ଭଳି ମନେ ହେଉଛି। କାରଣ ଏବେ ଦକ୍ଷିଣ ଏସୀୟ ଅଞ୍ଚଳରେ ମଧ୍ୟ ଭାରତର ପ୍ରତିପତ୍ତି ହ୍ରାସ ପାଇଛି। ତାକୁ ଚୀନ କ୍ଷୟ କରି ଚାଲିଥିବା ଦେଖିବାକୁ ମିଳୁଛି।
ଆମେରିକା ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ତାଲିବାନ ନେତାମାନଙ୍କ ସହିତ େଦାହାରେ ଅନେକ ଥର ଆଲୋଚନା କରିଛି। କିନ୍ତୁ ଏଥିରେ ଏହି ମିତ୍ର ରାଷ୍ଟ୍ର ଭାରତକୁ ସଂପୃକ୍ତ କରିବା ତ ଦୂରର କଥା, ଏ ବିଷୟରେ ଚର୍ଚ୍ଚା କରିବାକୁ ମଧ୍ୟ ଉଚିତ ମନେ କରିନାହିଁ। ଅଥଚ ଆଫଗାନିସ୍ତାନ ନିର୍ମାଣ ପ୍ରକଳ୍ପରେ ଭାରତ ଆମେରିକାକୁ ସହଯୋଗ କରିଥିଲା ଏବଂ ସେଠାରେ ପ୍ରାୟ ୧୦୦ ବିଲିଅନ ଡଲାର ବିନିଯୋଗ କରିଛି। ଅବଶ୍ୟ ପରବର୍ତ୍ତୀ ସମୟରେ ଭାରତକୁ ଆଲୋଚନା ପ୍ରକ୍ରିୟାରେ ସାମିଲ କରାଯାଇଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକରେ କେବଳ ଆମେରିକା, ପାକିସ୍ତାନ, ରୁଷିଆ ଏବଂ ଚୀନକୁ ହିଁ ଅଗ୍ରାଧିକାର ଦିଆଯାଇଛି।
ଆଫଗାନିସ୍ତାନରେ ତାଲିବାନ ସରକାର ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି। କାରଣ କାଶ୍ମୀରରେ ଆତଙ୍କବାଦୀଙ୍କୁ ସହାୟତା ଦେବାରେ ତାଲିବାନର ଏକ ଭୂମିକା ରହିଛି। କୌଣସି ଦେଶ ବିରୋଧରେ ହିଂସା ପାଇଁ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ତାଲିବାନ ନେତାମାନେ ଭାରତକୁ ଅାଶ୍ବାସନା ଦେଇଥିଲେ ମଧ୍ୟ ଏହା ଆଦୌ ବିଶ୍ବାସଯୋଗ୍ୟ ହେଉନାହିଁ। କାରଣ ତାଲିବାନ ଏବେ ସଂପୂର୍ଣ୍ଣ ରୂପେ ପାକିସ୍ତାନ ନିୟନ୍ତ୍ରଣରେ ରହିଛି। ତେଣୁ ଭାରତରେ ଅସ୍ଥିରତା ସୃଷ୍ଟି କରିବା ଲାଗି ପାକିସ୍ତାନ ତାଲିବାନକୁ ବ୍ୟବହାର କରିବାର ଆଶଙ୍କା ଅମୂଳକ ନୁହେଁ। ପାକିସ୍ତାନ ଓ ତାଲିବାନକୁ ଏଥିରୁ ନିବୃତ୍ତ ରହିବା ଲାଗି କେବଳ ଆମେରିକା ଓ ରୁଷିଆ ହିଁ ଚାପ ପକାଇ ପାରିବେ। ଏହି ଉଦ୍ଦେଶ୍ୟରେ ଦୁଇ ଦେଶ ସହିତ ଭାରତ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଦେଇଛି। କିନ୍ତୁ ଭାରତ ସେମାନଙ୍କ ଉପରେ କିଭଳି ପ୍ରଭାବ ବିସ୍ତାର କରିପାରିବ ତାହା ଭବିଷ୍ୟତ ହିଁ କହିବ।
ପୁରୁଣା ତାଲିବାନ ସରକାରର ନୀତିକୁ ନେଇ ଭାରତର ସର୍ବଦା ଆପତ୍ତି ରହି ଆସିଛି। କିନ୍ତୁ ନୂଆ ତାଲିବାନ ସରକାର ସହିତ ସଂପର୍କ କ’ଣ ରହିବ ତାହାକୁ ନେଇ ଭାରତ ଦ୍ବନ୍ଦ୍ବରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏହି ସରକାରକୁ ପୂର୍ଣ୍ଣ ବିରୋଧ କରିନାହିଁ କି ସମର୍ଥନ ବି ଜ୍ଞାପନ କରିନାହିଁ। ଏହି ଦ୍ବନ୍ଦ୍ବର ମୁଖ୍ୟ କାରଣ ହେଲା ଆମେରିକା, ରୁଷିଅା, ଚୀନ, ବ୍ରିଟେନ ଭଳି ମହାଶକ୍ତି ତାଲିବାନ ସରକାରକୁ ସ୍ବୀକୃତି ଦେବେ ବୋଲି ସୂଚନା ଦେଇ ସାରିଲେଣି। ପାକିସ୍ତାନ, ଇରାନ ଓ ତୁର୍କି ମଧ୍ୟ ସମର୍ଥନ ଜଣାଇବା ନିଶ୍ଚିତ। ପୁଣି ନୂଆ ତାଲିବାନ ସରକାର ଦାୟିତ୍ବ ନେବା ପରେ କତାର, ଉଜବେକିସ୍ତାନ, ତାଜିକିସ୍ତାନ ଏବଂ କିରଗିଜସ୍ତାନ ଭଳି ଦେଶ ସ୍ବୀକୃତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଭାରତ ଏ ନେଇ କ’ଣ କରିବ ସେ ନେଇ ସଂଶୟରେ।
ଯଦି ତାଲିବାନକୁ ସ୍ବୀକୃତି ପ୍ରଦାନ କରିବାକୁ ଭାରତ ସ୍ଥିର କରେ, ତେବେ ଅତି କମ୍ରେ ଦୁଇଟି ସର୍ତ୍ତ ରଖିବା ଜରୁରୀ। ପ୍ରଥମଟି ହେଲା ଭାରତ-ବିରୋଧୀ କୌଣସି କାର୍ଯ୍ୟକଳାପକୁ ତାଲିବାନ ସରକାର ପ୍ରଶ୍ରୟ ଦେବେନାହିଁ। ଦ୍ବିତୀୟଟି ହେଉଛି ଆଫଗାନିସ୍ତାନରେ ଭାରତ ନିର୍ମାଣ କରିଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପକୁ ସୁରକ୍ଷା।
ଦୋହାରେ ଭାରତର ପ୍ରତିନିଧି ତାଲିବାନ ନେତାମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଅନ୍ୟ ଦେଶମାନଙ୍କୁ ସାମିଲ କରିବାକୁ ଭାରତ ପକ୍ଷରୁ ଉଦ୍ୟମ ଚାଲିଛି। ନିକଟରେ ଆମେରିକା, ରୁଷିଆ ଏବଂ ବ୍ରିଟେନର ଗୁଇନ୍ଦା ମୁଖ୍ୟମାନେ ନୂଆଦିଲ୍ଲୀ ଆସିଥିଲେ। ସେମାନେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ କଥାବାର୍ତ୍ତା କରି ପାକିସ୍ତାନ ଯାଇଛନ୍ତି। ସେଠାରେ ସେମାନେ ପାକିସ୍ତାନୀ ନେତାଙ୍କୁ ଭେଟି ଭାରତର ଉଦ୍ବେଗ ଜଣାଇଛନ୍ତି। ଡୋଭାଲଙ୍କ ଉଦ୍ୟମରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ କୌଣସି ଉଦ୍ୟମ ଏକ ଉପସଂହାରରେ ପହଞ୍ଚି ପାରୁନାହିଁ।
ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏତିକି ବେଳେ ଭାରତର ଆଫଗାନିସ୍ତାନ ନୀତିର ପ୍ରଭାବ ନିର୍ବାଚନ ଉପରେ ପଡ଼ିପାରେ। ତେଣୁ ଏ ବାବଦରେ ମୋଦୀ ସରକାର କୌଣସି ନିଷ୍ପତ୍ତି ନେବା ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା କାରଣରୁ ତଥା ରାଜ୍ୟ ନିର୍ବାଚନରେ ବିଜେପିର ପ୍ରଦର୍ଶନ ପରିପ୍ରେକ୍ଷୀରେ ଅଗ୍ନି ପରୀକ୍ଷା ସଦୃଶ ହେବ।