ଆମେରିକାର ଘରୋଇ ରକେଟ୍ କମ୍ପାନି ‘ସ୍ପେସ୍ଏକ୍ସ’ର ମହତ୍ତ୍ବାକାଂକ୍ଷୀ ‘ଇନ୍ସ୍ପିରେସନ୍ ୪’ ଅଭିଯାନରେ ଯାଇଥିବା ଚାରି ଜଣ ମହାକାଶଚାରୀ ଅନ୍ତରୀକ୍ଷରେ ତିନି ଦିନ କାଟି ଗତ ଶନିବାର ଦିନ ସଫଳତାର ସହ ପୃଥିବୀକୁ ଫେରିଆସିଛନ୍ତି। ଏହି ମହାକାଶ ଅଭିଯାନ ସ୍ବତନ୍ତ୍ର ଓ ଐତିହାସିକ କାରଣ ଏହି ଅଭିଯାନରେ ଯାଇଥିବା ସମସ୍ତ ମହାକାଶଚାରୀ ମହାକାଶ ବା ରକେଟ୍ ବିଜ୍ଞାନ ନେଇ ସଂପୂର୍ଣ୍ଣ ଅନଭିଜ୍ଞ। ଏହା ପୃଥିବୀକୁ ତା’ର କକ୍ଷପଥରେ ପ୍ରଦକ୍ଷିଣ କରିଥିବା ପ୍ରଥମ ମାନବ ମହାକାଶ ଯାନ ଯେଉଁଥିରେ ସମସ୍ତ ମହାକାଶଚାରୀ ଘରୋଇ ଭାବେ ମହାକାଶ ଭ୍ରମଣ କରିଛନ୍ତି।
‘ସିଫ୍ଟ ୪ ପେମେଣ୍ଟସ୍’ ନାମକ କମ୍ପାନିର ସିଇଓ ଜାରେଡ୍ ଆଇଜାକ୍ମ୍ୟାନ୍ ଏହି ଅଭିଯାନ ପାଇଁ ‘ସ୍ପେସ୍ଏକ୍ସ’ ଠାରୁ ଏହି ମହାକାଶ ଯାନର ଚାରିଟି ଯାକ ସିଟ୍ ହାସଲ କରିଥିଲେ। ଜାରେଡ୍ ଜଣେ ଅଭିଜ୍ଞ ପାଇଲଟ୍ ହୋଇଥିବାରୁ ସେ ନିଜେ ଏହି ଅଭିଯାନର ନେତୃତ୍ବ ନେଇଥିଲେ। ସେ ଏହାର ଦୁଇଟି ସିଟ୍ ସେଣ୍ଟ୍ ଜୁଡ୍ ଚିଲ୍ଡ୍ରେନ୍ ରିସର୍ଚ ହସ୍ପିଟାଲକୁ ଦାନ କରିଥିଲେ ଯେଉଁଥିରୁ ଗୋଟିଏ ସିଟ୍ ପାଇଥିଲେ ସେହି ହସ୍ପିଟାଲର କର୍ମଚାରୀ ହାୟଲି ଆର୍କେନିଅକ୍ସ। ସେଣ୍ଟ୍ ଜୁଡ୍ ହସ୍ପିଟାଲ୍ ପକ୍ଷରୁ ଅନ୍ୟ ଏକ ସିଟ୍କୁ ଶିଶୁଙ୍କ କର୍କଟ ଗବେଷଣା ନିମନ୍ତେ ୨୦ କୋଟି ଡଲାର୍ ସଂଗ୍ରହ ପାଇଁ ଲଟେରି ମାଧ୍ୟମରେ ବିକ୍ରି କରାଯାଇଥିଲା। ୭୨,୦୦୦ ଆବେଦନକାରୀଙ୍କ ମଧ୍ୟରୁ ଆମେରିକା ବାୟୁସେନାର ଖ୍ରୀଷ୍ଟୋଫର୍ ସେମ୍ବ୍ରୋସ୍କି ମନୋନୀତ ହୋଇଥିଲେ। ଶେଷ ସିଟ୍ଟିକୁ ଏକ ବ୍ୟାବସାୟିକ ପ୍ରତିଯୋଗିତା ମାଧ୍ୟମରେ ଉଦ୍ୟୋଗୀ ସିଆନ୍ ପ୍ରୋକ୍ଟୋର୍ଙ୍କୁ ମିଳିଥିଲା। ସମସ୍ତ ଚାରି ଜଣ ମହାକାଶ ଭ୍ରମଣକାରୀ ପୃଥିବୀ ଛାଡ଼ିବା ପୂର୍ବରୁ ‘ସ୍ପେସ୍ଏକ୍ସ’ ଦ୍ବାରା ମହାକାଶଚାରୀ ପ୍ରଶିକ୍ଷଣ ନେଇଥିଲେ।
ଏଥି ସହିତ ସଂପୂର୍ଣ୍ଣ ରୂପେ ଘରୋଇ ଭାବେ ମହାକାଶ ପର୍ଯ୍ୟଟନର ଯୁଗ ଆରମ୍ଭ ହୋଇଯାଇଛି। ଆଗକୁ ଅଭିନେତା ଟମ୍ କ୍ରୁଜ୍ ମଧ୍ୟ ‘ସ୍ପେସ୍ଏକ୍ସ’ ରକେଟ୍ରେ ମହାକାଶ ଯାଇ ଚଳଚ୍ଚିତ୍ର ସୁଟିଂ କରିବାର ଯୋଜନା ରଖିଛନ୍ତି। ତେବେ ପ୍ରଶ୍ନ ହେଲା ମାନବର ଅନୁପ୍ରବେଶ ସବୁ ସ୍ଥାନକୁ କଳୁଷିତ କଲା ଭଳି ଆମ ଅନ୍ତରୀକ୍ଷକୁ କରିବ ନାହିଁ ତ?