ଓଡ଼ିଶା ଚାଷୀଙ୍କ ଦୟନୀୟ ସ୍ଥିତି

ସରଳ ବିଚାର - ସରଳ କୁମାର ଦାସ

ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନ୍‌.ଏସ୍‌.ଓ) ଦ୍ୱାରା ଦେଶରେ କୃଷକ ପରିବାରଙ୍କ ସ୍ଥିତିକୁ ଜାଣିବା ପାଇଁ ଜୁଲାଇ ୨୦୧୮ରୁ ଜୁନ୍‌ ୨୦୧୯ ମଧ୍ୟରେ ହୋଇଥିବା ୭୭ତମ ସର୍ଭେର ୪୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟ‌୍ଟି ସେପ୍‌ଟେମ୍ୱର ୨୦୨୧ରେ ପ୍ରକାଶିତ ହୋଇଛି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ୨୦୧୬ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ତେଣୁ, ଇତିମଧ୍ୟରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ବଢ଼ିଛି ତାହା ଜାଣିବା ଲାଗି ଏହି ରିପୋର୍ଟ‌୍ଟିର ଗୁରୁତ୍ୱ ଯଥେଷ୍ଟ ଅଧିକ। ଓଡ଼ିଶାର ଚାଷୀ ଜାତୀୟ ସ୍ତର ସହ ତାଳ ଦେଇ ଚାଲିଛନ୍ତି କି ନାହିଁ; ତାହା ଜାଣିବା ପାଇଁ ଏହା ସହାୟକ ହେବ।

ସର୍ଭେ ଅନୁଯାୟୀ ଭାରତରେ ପ୍ରାୟ ୯.୩୦ କୋଟି କୃଷକ ପରିବାର ବସବାସ କରନ୍ତି, ଯାହା ଗ୍ରାମାଞ୍ଚଳର ପରିବାର ସଂଖ୍ୟାର ପ୍ରାୟ ୫୪ ପ୍ରତିଶତ। ସେହି ପରିବାରକୁ କୃଷକ ପରିବାର ରୂପେ ଗ୍ରହଣ କରାଯାଇଛି ଯେଉଁମାନେ ଫସଲ ଚାଷ, ଉଦ୍ୟାନ ଚାଷ, ଘାସ ଚାଷ, ବୃକ୍ଷ ରୋପଣ, ପଶୁ ପାଳନ, କୁକୁଡ଼ା, ମତ୍ସ୍ୟ, ଘୁଷୁରି, ମହୁମାଛି, ଜିଆ ଚାଷ, ରେଶମ ଚାଷ ଭଳି ଯେ କୌଣସି କୃଷି କର୍ମ କରି ଉତ୍ପାଦିତ ସାମଗ୍ରୀରୁ ଅନ୍ତତଃ ୪୦୦୦ ଟଙ୍କା ପାଇଥିଲେ ଓ ସେହି ପରିବାରର ଅନ୍ତତଃ ଜଣେ ସଦସ୍ୟ ପୂର୍ବ ବର୍ଷକ ମଧ୍ୟରେ ମୁଖ୍ୟ ବା ସହାୟକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ। ପୂରାପୂରି କୃଷି ଶ୍ରମ ନିର୍ଭର, ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ, ଗ୍ରାମ୍ୟ କାରିଗର ଓ କୃଷି ସେବା ଯୋଗାଉଥିବା ପରିବାରଗୁଡ଼ିକୁ କୃଷକ ପରିବାର ଭାବେ ଗ୍ରହଣ କରାଯାଇନାହିଁ। ଜାତୀୟ ସ୍ତରରେ ୨୦୧୨-୧୩ରେ ଗୋଟିଏ କୃଷକ ପରିବାରର ହାରାହାରି ମାସିକ ଆୟ ୬୪୨୬ ଟଙ୍କା ଥିଲା ବେଳେ ୨୦୧୮-୧୯ରେ ତାହା ବୃଦ୍ଧି ପାଇ ୧୦୨୧୮ ଟଙ୍କା ହେଲା। ଏହି ଆୟରୁ ୪୦୬୩ ଟଙ୍କା ମଜୁରି ଆକାରରେ ମିଳିଥିଲା ବେଳେ, ଜମି ଭଡ଼ାରୁ ୧୩୪ ଟଙ୍କା, ଫସଲ ଚାଷରୁ ୩୭୯୮ ଟଙ୍କା, ପଶୁପାଳନରୁ ୧୫୮୨ ଟଙ୍କା ଓ ଅଣକୃଷି କ୍ଷେତ୍ରରୁ ୬୪୧ ଟଙ୍କା ମିଳିଥିଲା। ଗୋଟିଏ ଚାଷୀ ପରିବାର ଚାଷ କରି ଯେତିକି ଟଙ୍କା ଆୟ କରିଥିଲା, ତା’ଠାରୁ ଅଧିକ ଟଙ୍କା ମଜୁରିରୁ ପାଇଥିଲା। ୨୦୧୨-୧୩ରେ ଚାଷୀ ପରିବାରଟିଏ ଫସଲ ଚାଷ କରି ମାସିକ ହାରାହାରି ୩୦୮୧ ଟଙ୍କା ପାଉଥିଲା, ଯାହା ଏହି ଛଅ ବର୍ଷ ଭିତରେ ମାତ୍ର ୭୧୭ ଟଙ୍କା ବଢ଼ିଛି। ଅନ୍ୟ ପକ୍ଷରେ ମଜୁରି ବାବଦ ମିଳୁଥିବା ୨୦୭୧ ଟଙ୍କା ପ୍ରାୟ ଦୁଇ ଗୁଣ ବଢ଼ିଛି। ଅର୍ଥାତ୍ ସେମାନେ କ୍ରମଶଃ କୃଷକରୁ କୃଷି ଶ୍ରମିକ ବା ଶ୍ରମିକ ହେବା ଦିଗରେ ଅଗ୍ରସର ହେଉଛନ୍ତି।

ସେହିପରି ପଶୁପାଳନରୁ ଆୟ ୭୬୩ ଟଙ୍କାରୁ ବଢ଼ି ଦୁଇ ଗୁଣ ହୋଇଛି। ୨୦୧୬ରେ ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରାଯିବ ବୋଲି ଘୋଷଣା କଲା ପରେ ୨୦୧୫-୧୬ରେ ଚାଷୀଙ୍କ ଆୟ ୯୬୭୦୩ ଟଙ୍କାକୁ ଆଧାର କରି ଛଅ ବର୍ଷ ମଧ୍ୟରେ ତାକୁ ୨୧୯୭୨୪ ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହେଲା। ୨୦୧୮-୧୯ ସୁଦ୍ଧା ଅଧା ସମୟ ବିତି ଯାଇଥିଲେ ବି ବାର୍ଷିକ ଆୟ ମାତ୍ର ୧୨୨୬୧୬ ଟଙ୍କାରେ ପହଞ୍ଚି ପାରିଛି, ଅର୍ଥାତ୍ ୩ ବର୍ଷ ମଧ୍ୟରେ ବଢ଼ିଛି ମାତ୍ର ୨୫୯୧୩ ଟଙ୍କା। ତେଣୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଆଉ ପ୍ରାୟ ୧ ଲକ୍ଷ ଟଙ୍କା ବଢ଼ି ଦୁଇ ଗୁଣ ହେବାର ସାମାନ୍ୟତମ ସମ୍ଭାବନା ପରିଲକ୍ଷିତ ହେଉନାହିଁ।

ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟର ଚାଷୀ ପରିବାରଙ୍କ ଆୟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଝାରଖଣ୍ଡରେ ହାରାହାରି ମାସିକ ଆୟ ସର୍ବନିମ୍ନ ୪୮୯୫ ଟଙ୍କା ହୋଇଥିଲା ବେଳେ ମେଘାଳୟ ଚାଷୀ ପରିବାରଙ୍କ ଆୟ ସର୍ବାଧିକ ୨୯୩୪୮ ଟଙ୍କା। ପଞ୍ଜାବ ଓ ହରିଆଣାର ଚାଷୀ ପରିବାରର ହାରାହାରି ମାସିକ ଆୟ ଯଥାକ୍ରମେ ୨୬୭୦୧ ଟଙ୍କା ଓ ୨୨୮୪୧ ଟଙ୍କା ଥିଲା। ଅଠରଟି ରାଜ୍ୟରେ ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟ ଜାତୀୟ ହାରାହାରି ଆୟ ଠାରୁ ଅଧିକ। ସେଗୁଡ଼ିକ ହେଲେ (ଉପରୋକ୍ତ ୩ଟି ରାଜ୍ୟକୁ ବାଦ୍‌ ଦେଇ) ଅରୁଣାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ମିଜୋରାମ, କେରଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଗୁଜୁରାଟ, ରାଜସ୍ଥାନ, ସିକିମ, ହିମାଚଳ ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ମଣିପୁର, ଆସାମ ଓ ଆନ୍ଧ୍ରପ୍ରଦେଶ। ସେହିପରି ଜାତୀୟ ସ୍ତର ଠାରୁ କମ୍‌ ଆୟକାରୀ ରାଜ୍ୟ ତାଲିକାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ନାଗାଲାଣ୍ଡ, ତ୍ରିପୁରା ଅଛନ୍ତି।

ଓଡ଼ିଶାରେ କୃଷକ ପରିବାରଙ୍କ ସଂଖ୍ୟା ୪୮.୧୫ ଲକ୍ଷ, ଯାହା ଗ୍ରାମାଞ୍ଚଳର ସମୁଦାୟ ପରିବାର ସଂଖ୍ୟାର ପ୍ରାୟ ୫୯ ପ୍ରତିଶତ। ଏଠାକାର ୧୩ ପ୍ରତିଶତ ଜମିହୀନ ପରିବାରଙ୍କୁ ବାଦ୍‌ ଦେଲେ ଅନ୍ୟ ପରିବାରଙ୍କ ନିକଟରେ ହାରାହାରି ୧.୦୮ ଏକର ଚାଷ ଜମି ରହିଛି, ଯାହା ଜାତୀୟ ସ୍ତରରେ ଥିବା ୧.୩୯ ଏକର ଅପେକ୍ଷା ୨୨ ପ୍ରତିଶତ ଊଣା। ଓଡ଼ିଶା ଚାଷୀ ପରିବାରର ହାରାହାରି ମାସିକ ଆୟ ୨୦୧୨-୧୩ର ୪୯୭୬ ଟଙ୍କାରୁ ମାତ୍ର ୧୩୬ ଟଙ୍କା ବଢ଼ି ୨୦୧୮-୧୯ରେ ୫୧୧୨ ଟଙ୍କା ହୋଇଥିଲେ ବି ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ତାହା ଯଥେଷ୍ଟ କମିଛି। ଅର୍ଥାତ୍, ଏହି ଛଅ ବର୍ଷରେ ଜାତୀୟ ସ୍ତରରେ ଚାଷୀ ପରିବାରର ଆୟରେ ବାର୍ଷିକ ୮ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଓଡ଼ିଶା ଚାଷୀ ପରିବାରର ଆୟରେ କୌଣସି ବୃଦ୍ଧି ନ ହେବା ଅତ୍ୟନ୍ତ ଉଦ୍‌ବେଗଜନକ। ଓଡ଼ିଶା ଚାଷୀ ପରିବାର ତୁଳନାରେ ମେଘାଳୟ, ପଞ୍ଜାବର ଚାଷୀ ପରିବାରର ଆୟ ପ୍ରାୟ ୫-୬ ଗୁଣ ଅଧିକ। କେବଳ ଝାରଖଣ୍ଡକୁ ବାଦ ଦେଲେ ଦେଶରେ ଅନ୍ୟ କୌଣସି ରାଜ୍ୟର ଚାଷୀ ପରିବାରଙ୍କ ଆୟ ଏତେ କମ୍‌ ନୁହେଁ । ଏହା ଜାତୀୟ ହାରାହାରି ମାସିକ ଆୟର ମାତ୍ର ୫୦ ପ୍ରତିଶତ। ଏହାର ଏକ ବଡ଼ କାରଣ ଓଡ଼ିଶାରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ହାରାହାରି ମାସିକ ଆୟ ଯଥାକ୍ରମେ ୪୫୨୮ ଓ ୪୯୫୯ ଟଙ୍କା, ଯାହା କି ଜାତୀୟ ସ୍ତରରେ ଯଥାକ୍ରମେ ୮୫୭୧ ଓ ୧୧୪୪୯ ଟଙ୍କା। ଓଡ଼ିଶା ଚାଷୀ ପରିବାରର ଆୟରୁ ୨୬୪୯ ଟଙ୍କା ବା ଆଧାରୁ ଅଧିକ ମଜୁରି ଆକାରରେ ଆସିଥିବା ବେଳେ ଫସଲ ଚାଷରୁ ମାତ୍ର ୧୫୬୯ ଟଙ୍କା ମିଳିଥିଲା। ସେହିପରି ଜମି ଭଡ଼ାରୁ ୨୯ ଟଙ୍କା, ପଶୁପାଳନରୁ ୪୧୬ ଟଙ୍କା ଓ ଅଣ କୃଷି କାର୍ଯ୍ୟରୁ ୪୪୯ ଟଙ୍କା ମିଳିଥିଲା। ଜାତୀୟ ସ୍ତରରେ ଚାଷୀ ପରିବାରଟିଏ ଫସଲ ଚାଷରୁ ଯେତିକି ଆୟ କରି ପାରିଥିଲା, ଓଡ଼ିଶା ଚାଷୀଟିଏ ତା’ର ଅଧା ଆୟ ବି କରି ପାରିନାହିଁ।

ଓଡ଼ିଶାର ଚାଷୀ ପରିବାରଙ୍କ ମଧ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ଅନ୍ୟ ବର୍ଗର ଚାଷୀ ପରିବାରଙ୍କ ପ୍ରତିଶତ ଯଥାକ୍ରମେ ୧୮, ୨୭, ୩୭, ଓ ୧୮। ଜାତୀୟ ସ୍ତର ଅପେକ୍ଷା ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ଚାଷୀ ପରିବାର ପ୍ରାୟ ୧୧ ପ୍ରତିଶତ ଅଧିକ। ଓଡ଼ିଶାର ବିଭିନ୍ନ ସାମାଜିକ ବର୍ଗର ଚାଷୀ ପରିବାରଙ୍କ ଆୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୨୦୧୮-୧୯ରେ ଅନୁସୂଚିତ ଜାତି ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟ ୪୬୨୨ ଟଙ୍କା ଥିଲା ବେଳେ ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ତାହା ୪୯୪୫ ଟଙ୍କା ଥିଲା। ସେହିପରି ପଛୁଆ ବର୍ଗ ଓ ଅନ୍ୟ ବର୍ଗର ହାରାହାରି ମାସିକ ଆୟ ଯଥାକ୍ରମେ ୫୦୦୯ ଟଙ୍କା ଓ ୬୦୫୬ ଟଙ୍କା ଥିଲା। ଅର୍ଥାତ୍ ବିଭିନ୍ନ ସାମାଜିକ ବର୍ଗର ଚାଷୀ ପରିବାରଙ୍କ ଆୟରେ ଖୁବ ବେଶି ତାରତମ୍ୟ ନ ଥିଲେ ବି ଅନୁସୂଚିତ ଜାତି ଓ ଅନ୍ୟ ବର୍ଗର ଚାଷୀ ପରିବାରଙ୍କ ମାସିକ ଆୟରେ ପ୍ରାୟ ୧୪୦୦ ଟଙ୍କାର ତଫାତ୍‌ ଥିଲା। ଅନ୍ୟ ବର୍ଗର ଏହି ବର୍ଦ୍ଧିତ ଉପାର୍ଜନ ମୁଖ୍ୟତଃ ଫସଲ ଚାଷ ଓ ଅଣକୃଷି କ୍ଷେତ୍ରରେ ଅଧିକ ଆୟରୁ ହୋଇଥିଲା। ବିଭିନ୍ନ ବର୍ଗ ମଧ୍ୟରେ ଥିବା ଆୟର ଏହି ଫରକକୁ ଦୂର କରାଯାଇ ପାରିଲେ ରାଜ୍ୟରେ ଚାଷୀଙ୍କ ହାରାହାରି ମାସିକ ଆୟ ପ୍ରାୟ ୧୦୦୦ ଟଙ୍କା ବୃଦ୍ଧି ପାଇବ।

ଜାତୀୟ ସ୍ତରରେ ୨୦୧୮-୧୯ରେ ଚାଷୀ ପରିବାର ପିଛା ହାରାହାରି ଋଣ ଭାର ଥିଲା ୭୪୧୨୧ ଟଙ୍କା। ଆନ୍ଧ୍ର ପ୍ରଦେଶ ଚାଷୀ ପରିବାରଙ୍କ ହାରାହାରି ଋଣ ପରିମାଣ ସର୍ବାଧିକ ୨.୪୬ ଲକ୍ଷ ଟଙ୍କା ହୋଇଥିବା ବେଳେ କେରଳ, ପଞ୍ଜାବ ଓ ହରିଆଣାରେ ତାହା ଯଥାକ୍ରମେ ୨.୪୨, ୨.୦୩ ଓ ୧.୮୩ ଲକ୍ଷ ଟଙ୍କା। ସର୍ବାଧିକ ଆୟକାରୀ ମେଘାଳୟ ଚାଷୀ ପରିବାରର ହାରାହାରି ଋଣ ଭାର ମାତ୍ର ୨୨୩୭ ଟଙ୍କା ଥିଲା ବେଳେ ଅରୁଣାଚଳରେ ତାହା ମାତ୍ର ୩୫୮୧ ଟଙ୍କା। ଅର୍ଥାତ୍ ଚାଷ ପାଇଁ ଋଣ ଏକ ଆବଶ୍ୟକ ଉପାଦାନ ହୋଇଥିଲେ ବି ହାରାହାରି ଆୟ ବୃଦ୍ଧି ସହ ଏହାର ସିଧାସଳଖ ସମ୍ପର୍କ ଥିଲା ପରି ଜଣାପଡୁ ନାହିଁ। ୨୦୧୮-୧୯ରେ ଓଡ଼ିଶା ଚାଷୀ ପରିବାର ଉପରେ ହାରାହାରି ଋଣ ଭାର ୩୨୭୨୧ ଟଙ୍କା ଥିଲା, ଯାହା ୨୦୧୨-୧୩ରେ ଥିବା ୨୮୨୦୦ ଟଙ୍କା ଅପେକ୍ଷା ପ୍ରାୟ ୪୫୦୦ ଟଙ୍କା ଅଧିକ। ଚିନ୍ତାର କାରଣ ହେଉଛି ଜାତୀୟ ସ୍ତରରେ ମାତ୍ର ୫୦ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ ହୋଇଥିଲା ବେଳେ ଓଡ଼ିଶାରେ ଚାଷୀ ପରିବାରଙ୍କ ମଧ୍ୟରୁ ୬୧.୨ ପ୍ରତିଶତ ଋଣଗ୍ରସ୍ତ, ଯାହା ୨୦୧୨-୧୩ରେ ୫୭.୫ ପ୍ରତିଶତ ଥିଲା। କେବଳ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ତାମିଲନାଡୁ ରାଜ୍ୟକୁ ବାଦ ଦେଲେ ଅନ୍ୟ କେଉଁ ରାଜ୍ୟରେ ଓଡ଼ିଶା ଭଳି ଏତେ ଅଧିକ କୃଷି ପରିବାର ଋଣଗ୍ରସ୍ତ ନୁହନ୍ତି। ଅଧିକ ଋଣଗ୍ରସ୍ତ ହୋଇ ଆୟ ସର୍ବନିମ୍ନ ସ୍ତରରେ ରହିବାର ଅର୍ଥ ଋଣ ରାଶି ଉତ୍ପାଦନ ଅଭିମୁଖୀ କାର୍ଯ୍ୟରେ ବିନିଯୋଗ ନ ହୋଇ ଉପଭୋଗ ବା ଜରୁରିକାଳୀନ ଉଦ୍ଦେଶ୍ୟରେ ବିନିଯୋଗ ହେବା। ଉଦ୍‌ବେଗର ବିଷୟ ଯେ ଏହି ଋଣରୁ ୩୭.୫ ପ୍ରତିଶତ ମହାଜନଙ୍କ ଭଳି ଅଣଆନୁଷ୍ଠାନିକ ସୂତ୍ରରୁ ନିଆଯାଇଛି, ଯେଉଁମାନେ ସାଧାରଣତଃ ଅତ୍ୟଧିକ ସୁଧ ଆଦାୟ କରିଥାଆନ୍ତି। ଫଳରେ ଅନ୍ତତଃ ପକ୍ଷେ ମାସକର ବା ଦୁଇ ମାସର ଆୟ ସୁଧ ବାବଦକୁ ବ୍ୟୟ ହୋଇ ପରିବାରଟି କ୍ରମେ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯିବା ସ୍ୱାଭାବିକ।

ଭାରତରେ ଚାଷୀଙ୍କ ସ୍ଥିତି ଅନ୍ୟ ବୃତ୍ତିଧାରୀଙ୍କ ତୁଳନାରେ ଖରାପ। ପୁଣି ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ଓଡ଼ିଶାରେ ଚାଷୀଙ୍କ ସ୍ଥିତି ଅଧିକ ଦୟନୀୟ। ବିଡ଼ମ୍ୱନାର ବିଷୟ ଯେ ଏହା ସତ୍ତ୍ୱେ ଅନ୍ୟ ରାଜ୍ୟର ଚାଷୀଙ୍କ ପରି ନିଜ ସମସ୍ୟାକୁ ସର୍ବ ସମକ୍ଷରେ ଉପସ୍ଥାପନ କରିବାରେ ସେ ସେପରି ମୁଖର ନୁହେଁ। ଏକ ପକ୍ଷରେ ଏଠାକାର ଚାଷୀ ପରିବାରର ଆୟ ଦେଶର ଦ୍ୱିତୀୟ ସର୍ବନିମ୍ନ ସ୍ତରରେ ଥିବା ବେଳେ ଋଣଗ୍ରସ୍ତ ଚାଷୀ ପରିବାରଙ୍କ ହାର ଦୃଷ୍ଟିରୁ ଏହା ଉପର ଆଡୁ ଷଷ୍ଠ ସ୍ଥାନରେ ଅଛି। ଆୟ ଦୃଷ୍ଟିରୁ ସବା ତଳେ ଥିବା ଝାରଖଣ୍ଡ ରାଜ୍ୟର ଚାଷୀ ପରିବାରର ମାସିକ ଆୟ ଓଡ଼ିଶା ଚାଷୀଙ୍କ ଅପେକ୍ଷା ମାତ୍ର ୨୧୭ ଟଙ୍କା କମ୍‌ ହୋଇଥିଲେ ବି ଓଡ଼ିଶାର ଚାଷୀ ପରିବାର ସେମାନଙ୍କ ଠାରୁ ୪ ଗୁଣ ଅଧିକ ଋଣଗ୍ରସ୍ତ। ଋଣର ସୁବିନିଯୋଗକୁ ସୁନିଶ୍ଚିତ ନ କରି ସେମାନଙ୍କୁ ଅବିଚାରିତ ଭାବେ ଋଣ ପ୍ରଦାନ କରାଯିବା ଦ୍ୱାରା ସେମାନେ ଅଧିକ ଋଣଗ୍ରସ୍ତ ହେଉଛନ୍ତି, ହେଲେ ତାହା ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେଉନାହିଁ। ଏ ପରିସ୍ଥିତିରେ ଓଡ଼ିଶାର ଚାଷୀ ପରିବାରର ଆୟ ୨୦୨୨ ସୁଦ୍ଧା ବାର୍ଷିକ ୧.୫ ଲକ୍ଷ ଟଙ୍କା ବା ମାସିକ ୧୨୫୦୦ ଟଙ୍କାରେ ପହଞ୍ଚିବା କଥା ଭାବିବା ଦିବା ସ୍ୱପ୍ନ ସଦୃଶ। ତେଣୁ ରାଜ୍ୟ ସରକାର ଆନ୍ତରିକତା ପ୍ରଦର୍ଶନ ପୂର୍ବକ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଚାଷୀ ପରିବାରର ଆୟକୁ ଅନ୍ତତଃ ଜାତୀୟ ହାରାହାରି ଆୟର ସମକକ୍ଷ କରିପାରିଲେ ବି ତାହା ଏକ ବଡ଼ ଉପଲବ୍‌ଧି ହେବ। ଫସଲ ଚାଷରୁ ଆୟ ଆକର୍ଷଣୀୟ ଭାବେ ବୃଦ୍ଧି ପାଉ ନ ଥିବାରୁ ଅନ୍ୟ ସୂତ୍ରରୁ ଚାଷୀଙ୍କ ରୋଜଗାର ବଢ଼ାଇବା ଲାଗି ଉଦ୍ୟମ ହେବା ଆବଶ୍ୟକ। ଅନ୍ୟ ପକ୍ଷରେ ଚାଷୀ ପରିବାରଗୁଡ଼ିକୁ ଋଣ ଯନ୍ତା କବଳରୁ ରକ୍ଷା କରିବାକୁ ହେଲେ ରାଜ୍ୟରେ ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଅବିଚାରିତ ଋଣ ଲଗାଣ ଉପରେ ଲଗାମ କଷାଯିବା ଆବଶ୍ୟକ। ନ ହେଲେ ଭବିଷ୍ୟତ୍‌ରେ ସ୍ଥିତି ଅଧିକ ଭୟାବହ ହୋଇ ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ।

ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର