ଅନ୍ଧକାର ପର୍ଯ୍ୟଟନ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ରାତ୍ରିର ଘନ ଅନ୍ଧକାରକୁ ଯେ ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ରୂପେ ଉପଯୋଗ କରାଯାଇପାରେ, ଏହା ଥିଲା ମୋ ଧାରଣାର ବାହାରେ। ପର୍ଯ୍ୟଟନଜନିତ ଧାଁ ଦଉଡ଼ ସାଧାରଣତଃ ସୂର୍ଯ୍ୟୋଦୟ ପାଖରୁ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପାଖରେ ଶେଷ ହୋଇଥାଏ। ସନ୍ଧ୍ୟା ହେଲେ ଭ୍ରମଣକାରୀମାନେ ଦିନ ସାରାର କ୍ଳାନ୍ତି ମେଣ୍ଟାଇବା ପାଇଁ ନିଜ ନିଜର ହୋଟେଲ୍‌ ବା ଅନ୍ୟାନ୍ୟ ଆଶ୍ରୟ ସ୍ଥଳକୁ ଫେରିଥା’ନ୍ତି। ଯଦିଓ କିଛି ସ୍ଥାନରେ ସନ୍ଧ୍ୟା ଘୋଟି ଆସିବା ପରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌’ର ଆସର ଜମିଥାଏ, ଉଭୟ ଆଲୋକ ଓ ଧ୍ୱନି ରାତ୍ରିର ମୌଳିକ ପରିଚୟ ଯଥା କାଳିମା ଓ ନିଃଶବ୍ଦତାର କଠୋର ପରିପନ୍ଥୀ। ତେଣୁ ପର୍ଯ୍ୟଟନ-ପ୍ରତିକୂଳ ଅନ୍ଧାର ରାତିକୁ ଭ୍ରମଣ ଉପଯୋଗୀ କରି ଆଗନ୍ତୁକମାନଙ୍କୁ ପେସ୍‌ କରିବାର ସମ୍ବାଦ ମୋ ପାଇଁ ଥିଲା କୌତୂହଳପ୍ରଦ।

ଘଟଣାଟି ଏହିପରି। ଆମେରିକାର ଖଣି ପରିବେଷ୍ଟିତ ଏକ ଅନାମଧେୟ ସହର। ଏକଦା ରୁପା ଖଣିଗୁଡ଼ିକ କାର୍ଯ୍ୟରତ ଥିବା ବେଳେ ଇଲାକାଟି ଥିଲା ଚଳଚଞ୍ଚଳ, ହେଲେ ସେଗୁଡ଼ିକ ବନ୍ଦ ହୋଇଯିବା ପରେ ଆଜି ସହରଟି ଶ୍ରୀହୀନ ଓ କେତେ ଶହ ଅଧିବାସୀଙ୍କ ବ୍ୟତିରେକେ ପ୍ରାୟତଃ ପରିତ୍ୟକ୍ତ। ସହରକୁ ଘେରି ରହିଥିବା ନିଷ୍ପ୍ରାଣ ଖଣିଗୁଡ଼ିକର ଦିଗନ୍ତବିସ୍ତାରୀ ବ୍ୟାପ୍ତି ଓ ଉଚ୍ଚା-ନୀଚା ପୃଷ୍ଠତଳ ରାତ୍ରିର ଆବରଣ ତଳେ କେମିତି ଐନ୍ଦ୍ରଜାଲିକ ପରିବେଶଟିଏ ସୃଷ୍ଟି କରିପକାଏ। ଆଉ ସେହି ଅଧିଭୌତିକ ଅବହାୱାକୁ ଆହୁରି ଯାଦୁକରୀ କରି ତୋଳେ ଚନ୍ଦ୍ର ତାରା ଖଚିତ ଘନ କୃଷ୍ଣ ରାତିର ଖୋଲା ଆକାଶ। ବାସ୍‌, ରାତ୍ରିର ଏହି ମୋହିନୀ ରୂପକୁ ଅବଲମ୍ବନ କରି ଅଧିବାସୀମାନଙ୍କର ଏହି ଅଭିନବ ପର୍ଯ୍ୟଟନର ପରିକଳ୍ପନା। ସହରରୁ ଅନତି ଦୂରରେ ଖୋଲା ମୈଦାନରେ ଲାଗିଯାଏ ତମ୍ବୁମାନ, ପର୍ଯ୍ୟଟକମାନେ ଆକାଶର ସେ ଦୀପ୍ତିକୁ ଉପଭୋଗ କରିବା ସହ ସେଠାରେ ରାତ୍ରି ଯାପନ କରିବା ପାଇଁ। କ୍ରମଶଃ ଲୋକପ୍ରିୟ ହେଉଥିବା ଏହି ରାତ୍ରି ପର୍ଯ୍ୟଟନର ଚିନ୍ତାଧାରା, ହୁଏ’ତ ଆଉ କିଛି ପରିବର୍ତ୍ତିତ ରୂପରେ ଯେ ଦିନେ ଆମ ଦେଶ ଓ ପ୍ରଦେଶକୁ ବ୍ୟାପିଯିବ, ଏଥିରେ ସନ୍ଦେହ ନାହିଁ।

ଅଭିନବ ଧାରାଟିକୁ ସ୍ୱାଗତ ଜଣାଉଥିବା ମୋର ମନଟି କିନ୍ତୁ ହଠାତ୍‌ ହୋଇଯାଇଥିଲା ସ୍ମୃତି ଶିହରିତ। ପିଲାଦିନେ ଗାଁରେ ଖୋଲା ଅଗଣାରେ ଶୋଇ ଏମିତି ବିମୋହିତ ଆଖିରେ ମୁଁ ମହାଶୂନ୍ୟର ଚିକିମିକିଆ ତାରାମାନଙ୍କୁ ଚାହିଁ ରହୁଥିଲି, ଆଖିକୁ ନିଦ ଆସିବା ଯାଏଁ। ଜେଜେମା’ଙ୍କ କୁହୁକ କାହାଣୀ ସାଙ୍ଗକୁ ଅସୀମ ଆକାଶର ବୈଚିତ୍ର୍ୟ ଏକ ଅଦ୍ଭୁତ ଆକର୍ଷଣ ସୃଷ୍ଟି କରୁଥିଲା ମୋ ବାଳୁତ ମନରେ। ସେତେବେଳର ବିଜୁଳି ଆଲୋକ ରହିତ ଗ୍ରାମ୍ୟ ପରିବେଶର ବହଳ ଅନ୍ଧକାର ଚନ୍ଦ୍ର, ତାରା ଓ କେବେ କେମିତି ଲଞ୍ଜାତରାମାନଙ୍କୁ ପ୍ରଦାନ କରୁଥିଲା ବୈଦ୍ୟୁତିକ ଔଜ୍ଜଲ୍ୟର ପୃଷ୍ଠଭୂମି। ଆଉ ମଧ୍ୟ ପିଲାଦିନର କୁମାରପୂର୍ଣ୍ଣିମାର ଉଦ୍ଦୀପିତ ଜହ୍ନ, ରାତ୍ରିକୁ ମାୟାବିନୀ କରି ତୋଳୁଥିଲା।

ଆଉ ସେ ସାନ୍ଦ୍ର ଅନ୍ଧକାର କାହିଁ? ମଣିଷ ଯେମିତି ଧୀରେ ଧୀରେ ଅନ୍ଧକାରକୁ ତା’ର ଆଲୋକିତ ଜୀବନରୁ ବିତାଡ଼ିତ କରିବାକୁ ବଦ୍ଧପରିକର। ସତେ ଯେମିତି ଅନ୍ଧାର ତା’ର ପ୍ରଗତିର ପ୍ରତିରୋଧକ। ଗ୍ରାମ ଓ ନଗରର ରାତ୍ରି ଉଜ୍ଜ୍ବଳ ଓ ଶକ୍ତିଶାଳୀ ଆଲୋକମାଳାରେ ଉଦ୍‌ଭାସିତ ହୋଇ ଅନ୍ଧକାରକୁ ଫିକା କରି ପକାଇଲା। ଆଭାହୀନ ହୋଇଗଲେ ରାତ୍ରି ଆକାଶର ନକ୍ଷତ୍ର ମଣ୍ଡଳ। ମଣିଷ ଗଢ଼ି ଚାଲିଲା ଏମିତି ନଗରୀ ଯାହା କେବେ ନିଦ୍ରା ଯାଏନା।
ଅନ୍ଧକାର ପ୍ରତି ଏ ଦ୍ୱେଷ ପଛରେ ମଣିଷର ସଂକୀର୍ଣ୍ଣ ମାନସିକତା: ଅନ୍ଧାର ଅପେକ୍ଷା ଆଲୋକ ଶ୍ରେୟସ୍କର, କଳା ତୁଳନାରେ ଧଳା ଉତ୍ତମ। ଧର୍ମ କୁହନ୍ତୁ କି ସାହିତ୍ୟ ସଂସ୍କୃତି କୁହନ୍ତୁ; ସବୁଠି ଏହି ପକ୍ଷପାତିତା। ଅନ୍ଧକାରରୁ ଆଲୋକକୁ ବାଟ ଦେଖାଇବା ପାଇଁ ସବୁଠି ଆକୁଳ ଗୁହାରି। ନର୍କର ଗାଢ଼ ଅନ୍ଧାରରେ ଅନନ୍ତ କାଳ ପାଇଁ ସନ୍ତାପିତ ‘ପାରାଡାଇଜ ଲଷ୍ଟ’ର ସୈତାନ। ଏହି ଭେଦାଭେଦ ଭିତରେ ମଣିଷ ଭୁଲିଗଲା ଯେ ଦିବସ ଓ ରାତ୍ରି ଉଭୟେ ଉଭୟଙ୍କର ପରିପୂରକ; ଏକ ବିନା ଅନ୍ୟର ସତ୍ତା ଅର୍ଥହୀନ। ଏ କଥା ବି ସିଏ ଭୁଲିଗଲା ଯେ ଶିବଙ୍କର ସ୍ୱର୍ଗୀୟ ନୃତ୍ୟ ବା ଶ୍ରୀକୃଷ୍ଣଙ୍କର ଜନ୍ମ ତଥା ପିତା ବସୁଦେବଙ୍କ ସହିତ ଯମୁନା ନଦୀ ଆର ପାରି ଗୋକୁଳକୁ ଯାତ୍ରା; ସବୁ ଘଟିଥିଲା ନିଶା ଗର୍ଜୁଥିବା ବେଳେ। ନିରୀହ ଲୁବ୍‌ଧକର ସାରା ରାତି ଉଜାଗର ରହି ଶିବଙ୍କ ନାମ ଜପିବା ସଙ୍ଗେ ସଙ୍ଗେ ବୃକ୍ଷ ତଳକୁ ବେଲପତ୍ର ନିକ୍ଷେପଣର ଗାଥାକୁ ସ୍ମରଣ କରୁଥିବା ମହା ଶିବରାତ୍ରି ମଧ୍ୟ ପାଳିତ ହୁଏ ରାତିରେ। ସ୍ୱାଧୀନ ଭାରତ ବି ଜନ୍ମ ନେଇଥିଲା ସେହି ମଧ୍ୟ ରାତ୍ରିରେ।

ରାତ୍ରିର ଅନ୍ଧକାରକୁ ନିର୍ବାସିତ କରିବାର ଦୁର୍ବାର ପ୍ରଚେଷ୍ଟା କିନ୍ତୁ ଡାକି ଆଣିଛି ଏକ ନୂଆ ବିପଦ: ଆଲୋକ ପ୍ରଦୂଷଣ। ରାତିକୁ ଦିନ ରୂପେ ସଜେଇବାକୁ ଯାଇ ଓ ଅଧିକ ବେଳ ପର୍ଯ୍ୟନ୍ତ ନିଦ୍ରାକୁ ଏଡ଼େଇ ମଣିଷ ଆଜି ନାନା ଶାରୀରିକ ଓ ମାନସିକ ବ୍ୟାଧିର ଶିକାର ହେଉଛି। ମଣିଷ ଭିତରର ଜୈବ-ଘଡ଼ିଟି ଆଜି ହୋଇଯାଇଛି ପଥଭ୍ରଷ୍ଟ। ତେବେ, ମଣିଷ ତା’ର ବିଶୃଙ୍ଖଳାର ଫଳ ନିଜେ ଭୋଗୁ ଥାଆନ୍ତା ଭଲା! ଦୁଃଖର କଥା ମନୁଷ୍ୟକୃତ ଆଲୋକ ପ୍ରଦୂଷଣ ଦ୍ୱାରା ଆପଦଗ୍ରସ୍ତ ହେଉଛନ୍ତି ଅସଂଖ୍ୟ ପଶୁ ପକ୍ଷୀ, ଯେଉଁମାନଙ୍କ ଧରାବନ୍ଧା ଜୀବନଚର୍ଯ୍ୟାକୁ ଆଲୋକର ପ୍ରାଚୁର୍ଯ୍ୟ ଖିନଭିନ କରି ଦେଉଛି। ସେମାନେ ଦିଶାହରା ହୋଇ ନିଜର ସୁରକ୍ଷିତ ସ୍ଥାନ ଛାଡ଼ି ଇତଃସ୍ତତ ବୁଲି ବିପଦକୁ ଆବୋରି ନେଉଛନ୍ତି। ବିବିସି ନିର୍ମିତ ସୁବିଦିତ ‘ପ୍ଲାନେଟ୍‌ ଆର୍ଥ’ ପ୍ରାମାଣିକ ଚିତ୍ରରେ କଇଁଛ ଶାବକମାନେ ଜହ୍ନ ଆଲୁଅକୁ ଦେଖି ସମୁଦ୍ର ପାଣି ଆଡ଼କୁ ଯିବା ବଦଳରେ ନଗରର ଉଜ୍ଜ୍ବଳ ଆଲୋକ ଦ୍ୱାରା ବିଭ୍ରାନ୍ତ ହୋଇ ବ୍ୟସ୍ତ ରାସ୍ତା ଆଡ଼କୁ ଚାଲି ଆସି ନିଜ ଜୀବନକୁ ବିପନ୍ନ କରୁଥିବାର ଦୃଶ୍ୟ ଜନ ମାନସକୁ ବିବ୍ରତ କରିଛି।

ଗତ କିଛି ବର୍ଷ ହେଲା ଆଲୋକ ପ୍ରଦୂଷଣ ରୋକିବାର ସଚେତନତା ସୃଷ୍ଟି କରିବା ପାଇଁ ବର୍ଷରେ ଥରେ ଏକ ଘଣ୍ଟା ପାଇଁ ବିଦ୍ୟୁତ୍‌ ଆଲୋକ ବନ୍ଦ କରିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ୱାନ ଦିଆଯାଉଛି। ହେଲେ, ରାତ୍ରିକୁ ଅଧିକ ମନୋହର କରିବା ପାଇଁ ଅନ୍ଧକାର ପର୍ଯ୍ୟଟନ ଯେ ଏ ଦିଗରେ ଅଧିକ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ।

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର