ରାଜନୈତିକ ସ˚କଳ୍ପ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ସନାତନୀ ପୂଜା ପଦ୍ଧତିରେ ପୁରୋହିତ ଯଜମାନର ଅନାମିକା ଆଙ୍ଗୁଠିରେ କୁଶବଟୁ ପିନ୍ଧାଇ ଦିଅନ୍ତି ଓ ଯଜମାନ ବିଧି ଅନୁସାରେ ସ˚କଳ୍ପ କରନ୍ତି। ଏ ସ˚କଳ୍ପ ଏହି ଯେ ମନୋରଥ ସିଦ୍ଧି ପାଇଁ ଆୟୋଜିତ ପୂଜନକର୍ମ ନିର୍ବିଘ୍ନରେ ସ˚ପନ୍ନ ହେଉ। ପୂଜା ସ˚ପନ୍ନ ହେବା ପର୍ଯ୍ୟନ୍ତ କୁଶବଟୁ ଅନାମିକାରେ ରହନ୍ତି ଓ ଯଜମାନ ପୂଜନ କର୍ମରେ ହିଁ ଏକାଗ୍ର ରହନ୍ତି। ସ˚କଳ୍ପ ବଟୁ ଗ୍ରହଣ କଲା ପରେ ଯଜମାନ ଅନ୍ୟ କୌଣସି କର୍ମରେ ଲିପ୍ତ ହେବା ନିଷିଦ୍ଧ। ଭାରତୀୟଙ୍କ ସ˚ସ୍କାରରେ ସ˚କଳ୍ପର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ, କାରଣ କର୍ମକାଣ୍ତର ବ୍ରାହ୍ମଣ୍ୟ-ଅଧିକାର ଆରାଧନା ପଦ୍ଧତିକୁ ସାଧାରଣ ମଣିଷଙ୍କ ହାତରୁ ଅପସାରିତ କରିଆଣି ନିଜ ହାତରେ ଠୁଳ କରିବା ସହିତ ଯଜମାନୀର ଏକ ସର୍ବମାନ୍ୟ ପର˚ପରା କାଏମ୍‌ କରିଦେଲା। ଏ ପର˚ପରାରେ ମାନସିକ କରିଥିବା ବ୍ୟକ୍ତିକୁ ପୂଜନକର୍ମରେ ବାନ୍ଧି ରଖିବାର ସୂତ୍ର ସ˚କଳ୍ପରେ ରହିଲା। ପବିତ୍ର କୁଶଦୂର୍ବାର କୋମଳ ବନ୍ଧନଟିଏ ଅନାମିକାରେ, ଅଲ˚ଘ୍ୟ ହୋଇ ରହିଲା। ସଭ୍ୟତା ରଚିଥିବା ସ˚ସ୍କୃତିରେ, ସାଧାରଣ ଦୈନନ୍ଦିନ କାର୍ଯ୍ୟ ବି ଆସ୍ଥା ବ୍ୟବସ୍ଥାର ଛାୟାରେ ସମ୍ପାଦିତ ହୁଏ। ଏ ଆମର ସନାତନୀ ସଭ୍ୟତାର ଏକ ବିଶେଷ ଲକ୍ଷଣ, କାରଣ ଏଥିରେ ଧର୍ମ ଏକ ଜୀବନଧାରା, ଅନ୍ଧ ଅବଲମ୍ବନ ନୁହେଁ। ଭାରତୀୟଙ୍କ ସମାଜନୀତି, ଅର୍ଥନୀତି ଓ ରାଜନୀତିରେ ବି ଜୀବନଧାରାର ପ୍ରଭାବ ରହିବା କଥା। ଭାରତୀୟ ସମାଜରେ ବ୍ୟକ୍ତି ସହିତ ବ୍ୟକ୍ତି ଓ ବ୍ୟକ୍ତି ସହିତ ସମୂହର ସ˚ପର୍କକୁ ଆସ୍ଥା ବ୍ୟବସ୍ଥାର ବିଭିନ୍ନ ସୂତ୍ର ଦ୍ବାରା ବିକଶିତ ଓ ନିୟନ୍ତ୍ରିତ କରାଯାଏ।

ସେହିପରି ଅର୍ଥନୀତିରେ ବି ଜମା, ଋଣ, ଆୟ-ବ୍ୟୟ ଓ ବ୍ୟବସାୟକୁ ନେଇ ବିଭିନ୍ନ ସୂତ୍ର ଆସ୍ଥା ନିର୍ବାହର ବିବିଧ ପ୍ରୟୋଗରୁ ଆସି ଅର୍ଥନୀତିରେ ପ୍ରବେଶ କରିଚନ୍ତି। କିନ୍ତୁ ଆସ୍ଥା ସୂତ୍ର ସହିତ ଅର୍ଥନୀତିର ସ˚ପର୍କ କଟିଗଲା ଯେତେବେଳେ ବ୍ୟବସାୟିକ ସାମ୍ରାଜ୍ୟବାଦ, ରାଜା, ରାଜତ୍ବ, ବିତ୍ତ ଓ ବିକାଶ ସବୁର ଅର୍ଥ ବଦଳାଇ ଦେଲା। ସେହିପରି ରାଜନୀତିରେ ମଧୢ ଦେଶ, ରାଷ୍ଟ୍ର, ସତ୍ତା, ସାର୍ବଭୌମତା, ଶାସକ, ଶାସନ, ନାଗରିକ, ସ˚ଘୀୟତା, ଆଞ୍ଚଳିକତା, ଏସବୁ ଭାରତୀୟ ସଭ୍ୟତା ବାହାରର ବିପୁଳ ବିଶ୍ବରୁ ଆସି ପ୍ରବେଶ କରିଗଲେ। ଆସ୍ଥା-ବ୍ୟବସ୍ଥାର ବହୁମାନ୍ୟତା ଲୋକ-ପରିଚାଳିତ ସମାଜ ନୀତିରେ ରହିଗଲେ, କିନ୍ତୁ ଅର୍ଥନୀତି ଓ ରାଜନୀତିରେ ସବୁ କିଛି ବଦଳିଗଲା। ବସ୍ତୁତଃ ଅଲଗା ସ˚ସ୍କାରରେ ଉଜ୍ଜୀବିତ ଓ ପରିକଳ୍ପିତ ମାନ୍ୟତାମାନଙ୍କୁ ଆମ ଅର୍ଥନୀତି ଓ ରାଜନୀତିରେ ପ୍ରବେଶ କରାଇ ଦିଆଗଲା। କାରଣ ପର˚ପରା ବୋଧର ଆଧୁନିକ ନିର୍ମାଣରେ ସତତ ଯତ୍ନଶୀଳ ଯେଉଁ ଗାନ୍ଧୀଙ୍କ ନେତୃତ୍ବରେ ଭାରତୀୟମାନେ ସ୍ବାଧୀନତା ସ˚ଗ୍ରାମ ଲଢ଼ିଥିଲେ, ସେ ଗାନ୍ଧୀଙ୍କର ରାଷ୍ଟ୍ର ନିର୍ମାଣରେ କୌଣସି ଭୂମିକା ନ ଥିଲା। ଏଭଳି କାହିଁକି ହେଲା, ସେ ଏକ ଦୁଃଖଦ ପ୍ରସଙ୍ଗ। କହିପାରନ୍ତି ରାଷ୍ଟ୍ର ନିର୍ମାଣରେ ଗାନ୍ଧୀଙ୍କର ଅନାଗ୍ରହ ବା ବେଦଖଲୀ ଥିଲା ନୂଆ ଭାରତର ଅନ୍ତସ୍ଥଳରେ ଘୂର୍ଣ୍ଣି ଭଳି ଗୋଟେ ଅଶାନ୍ତ ମନ୍ଥନର ପରିଣତି। ଅଶାନ୍ତ ମନ୍ଥନ ଥିଲା ଉପନିବେଶମୁକ୍ତ ବିଶ୍ବରେ ଭାରତ ଭଳି ଏକ ସ୍ବାଧୀନ ଗଣରାଷ୍ଟ୍ରର ଭାବମୂର୍ତ୍ତିକୁ ନେଇ। ଭାରତ ଭାରତୀୟଙ୍କ ପାଇଁ ଏକ ଗ୍ରାମ୍ୟ ରାଷ୍ଟ୍ର (ଭିଲେଜ୍‌ ରିପବ୍ଲିକ୍‌) ହେବ ନା ବିଶ୍ବର ଅଗ୍ରଗାମୀ ରାଷ୍ଟ୍ରପ˚କ୍ତିରେ ଏକ ଆଧୁନିକ ରାଷ୍ଟ୍ର ଭାବରେ ନିଜର ସ୍ଥାନ ଗ୍ରହଣ କରିବ! ଗାନ୍ଧୀଙ୍କ ଗ୍ରାମ ସ୍ବରାଜରୁ ଗ୍ରାମ୍ୟ ରାଷ୍ଟ୍ରକୁ ରାସ୍ତା ସହଜ ନ ଥିଲା, କାରଣ ଏତେବଡ଼ ସ୍କେଲ୍‌ରେ ଗ୍ରାମ୍ୟ ମଡେଲ୍‌ର ବିସ୍ତାର ପାଇଁ ନା ସୂତ୍ର ଥିଲା, ନା ପ୍ରୟୋଗ ଧାରା ଥିଲା ନା ଦୃଷ୍ଟାନ୍ତ ଥିଲା। ଗାନ୍ଧୀ ସ୍ବୟ˚ ଆଧୁନିକ ବିଶ୍ବରେ ଗ୍ରାମ୍ୟ ରାଷ୍ଟ୍ରକୁ ନେଇ କୌଣସି ବ୍ଲୁ ପ୍ରିଣ୍ଟ୍‌ ତିଆରି କରିନଥିଲେ। ତାଙ୍କର ଆଶା ଓ ଭରସା ଥିଲା ତାଙ୍କର ଶିଷ୍ୟମାନଙ୍କ ଉପରେ। ଶିଷ୍ୟମାନେ ରାଷ୍ଟ୍ର ନିର୍ମାଣର ଦାୟିତ୍ବ ନେବା ପରେ ମୌଳିକ ଭାରତୀୟ ମଡେଲ ନିର୍ମାଣ କରିବାକୁ ଆଗ୍ରହୀ ହେଲେ ନାହିଁ। ସେମାନଙ୍କର ବିଶ୍ବଦୃଷ୍ଟି ଭାରତର ଭବିଷ୍ୟତ୍‌ ନିର୍ମାଣ କଲା।

ଏ ଭବିଷ୍ୟତ୍‌ ନିର୍ମାଣରେ ନୂଆ ରାଷ୍ଟ୍ରର ସମ୍ବିଧାନ ପ୍ରଣୟନ ଥିଲା ପ୍ରଥମ ପଦକ୍ଷେପ। ନୂଆ ରାଷ୍ଟ୍ରର ସମ୍ବିଧାନ ମୌଳିକ ଚିନ୍ତନର ଆଧାରରେ ବିକଶିତ ଏକ ରାଷ୍ଟ୍ରୀୟ ଜୀବନଧାରା ହେବ ନା ବିଶ୍ବର ବିବିଧ ଗଣତନ୍ତ୍ରମାନଙ୍କର ବହୁ ପରୀକ୍ଷିତ ସୂତ୍ରମାନଙ୍କୁ ଆଣି ଏକାଠି କରି ଏକ ସ˚ହିତ ପ୍ରାୟ ରଚନା ହେବ? ସମ୍ବିଧାନ ସଭାର ବିଦ୍ବାନ ସଦସ୍ୟମାନେ ନିଜ ନିଜ କ୍ଷେତ୍ରରେ ଅନୁଭୂତି ଓ ଜ୍ଞାନରେ ସମୃଦ୍ଧ ବ୍ୟକ୍ତି ଥିଲେ, ସେମାନଙ୍କର ମୌଳିକ ଚିନ୍ତନରେ ଆଗ୍ରହ ଥିଲା, କିନ୍ତୁ କାନୁନୀ ତର୍କରେ ବାବା ସାହେବ ଆମ୍ବେଦକରଙ୍କୁ ଭୁଲ୍‌ ପ୍ରମାଣିତ କରି ସମ୍ବିଧାନ ସଭାର ସଦସ୍ୟମାନଙ୍କର ସମର୍ଥନ ହାସଲ କରିବା ଅସମ୍ଭବ ଥିଲା। ଆମ୍ବେଦକରଙ୍କ ତର୍କ ପାଶ୍ଚାତ୍ୟ ସାମ୍ବିଧାନିକ ତର୍ଜମା ଓ ଉଦାରବାଦୀ ନ୍ୟାୟ ମାର୍ଗର ଥିଲା, ତାଙ୍କର କାନୁନ ଶିକ୍ଷା ମଧୢ ଗୁଣାତ୍ମକ ଅର୍ଥରେ ସମ୍ପୂର୍ଣ୍ଣ ଭାବରେ ପାଶ୍ଚାତ୍ୟ ଉଦାରବାଦୀ ଦର୍ଶନ ଓ ମାନବ ମୂଲ୍ୟ ଉପରେ ଆଧାରିତ ଥିଲା। ଭାରତୀୟ ପର˚ପରାର ବିଭେଦଗ୍ରସ୍ତ, ଜାତିବାଦୀ, ରୂଢ଼ି କବଳିତ, ବ୍ରାହ୍ମଣ୍ୟ ସ˚ସ୍କାର ଉପରେ ତାଙ୍କର ଆସ୍ଥା ନ ଥିଲା। ଏପରିକି ସେ ସମୟର ସ୍ରୋତର ବିପରୀତରେ ସେ ଜଣେ କଠୋର ଅଣ ଗାନ୍ଧୀବାଦୀ ଭାବରେ ସଗର୍ବେ ଠିଆ ହୋଇଥିଲେ। ତାଙ୍କର ତର୍କ ଅକାଟ୍ୟ ଥିଲା, କିନ୍ତୁ ମୋର କହିବାରେ ଆଦୌ ଦ୍ବିଧା ନାହିଁ ଯେ ଭାରତୀୟ ସଭ୍ୟତା ଓ ପର˚ପରା ପ୍ରତି ଟିକିଏ ଅଧିକ ସମ୍ବେଦନଶୀଳ ହୋଇଥିଲେ ହୁଏ’ତ ପ୍ରାଚୀନ ଭାରତ ସହିତ ନୂଆ ଭାରତର ଅଖଣ୍ତ ଯୋଗସୂତ୍ର ସ୍ଥାପିତ ହୋଇପାରିଥା’ନ୍ତା। ତହିଁରୁ ଯୋଡ଼ିଏ ବଡ଼ କଳ୍ପନା ସାକାର ହେବାର ପରିବେଶ ନିର୍ମିତ ହୋଇଥା’ନ୍ତା।

ଗୋଟିଏ ବଡ଼ କଳ୍ପନା ସ୍ଥାନ, କାଳ ଓ ପାତ୍ର ଆଧାରରେ ଅଖଣ୍ତ ଭାରତ। ଆଉ ଗୋଟିଏ ବଡ଼ କଳ୍ପନା ଭାରତୀୟତାର ବିବର୍ତ୍ତନ। ଭାରତୀୟ ସମ୍ବିଧାନ, ଭାରତୀୟ ପର˚ପରା, ଜାତୀୟ ସ୍ମୃତି ଓ ସଭ୍ୟତାକୁ ସ୍ପର୍ଶ କରିଥିଲେ ଅଖଣ୍ତ ଭାରତ ଓ ଭାରତୀୟତା ଆଉ ବିବାଦିତ କ୍ଷେତ୍ର ହୋଇ ରହିନଥା’ନ୍ତା। ହୁଏ’ତ ଆମର ସାମ୍ବିଧାନିକ ଚୈତନ୍ୟ-ବିକାଶ ସେହି ମାର୍ଗରେ ହୋଇଥା’ନ୍ତା। ବିଶ୍ବର ଗୁଡ଼ିଏ ସମ୍ବିଧାନକୁ ଧରି ତଉଲିଲେ ପରିଶେଷରେ ଏ ନିଷ୍କର୍ଷରେ ପହଞ୍ଚି ହୁଏ ଯେ ଗାନ୍ଧୀ, ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ବଳିଦାନ ଓ ପ୍ରାଚୀନ ସଭ୍ୟତା; ଏହି ତିନିଟି ସ୍ମୃତିର ସ୍ପର୍ଶରେ ଆମ ସମ୍ବିଧାନ କେବଳ ଏକ କାନୁନୀ ଦସ୍ତାବେଜ ନୁହେଁ, ଏକ ଜୀବନ୍ତ ଜାତୀୟ ସ˚କଳ୍ପରେ ପରିଣତ ହୋଇଥା’ନ୍ତା। ଯେତେଗୁଡ଼ିଏ ସମ୍ବିଧାନ ସ˚ଶୋଧନ କାନୁନ୍‌ ସମ୍ବିଧାନ ଅନ୍ତର୍ଭୁକ୍ତ ହୋଇଚନ୍ତି, ସେଗୁଡ଼ିକରେ ଏହି ତିନିଟି ସ୍ମୃତିର ସ୍ପର୍ଶ ନାହିଁ। ସ୍ମରଣରେ ରହୁ ଯେ ବିଶ୍ବର ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସମ୍ବିଧାନରେ ଉପୋଦ୍‌ଘାତ (ପ୍ରିଆମ୍ବଲ୍‌) ଭାବରେ ବା ପ୍ରଥମ ଧାରା ଭାବରେ ସେମାନଙ୍କର ଐତିହ୍ୟ ଓ ସ˚ଘର୍ଷମୟ ଅତୀତର ସୂଚନା ଅଛି। ଏ ସୂଚନା ଭାରତୀୟ ସମ୍ବିଧାନରେ ନାହିଁ। ଆମର ଅଛି କେବଳ ଗୋଟିଏ ମହାନ୍‌ ଶବ୍ଦ ‘ସ˚କଳ୍ପ’।

ଭାରତୀୟ ସମ୍ବିଧାନର ‘ପ୍ରିଆମ୍ବଲ୍‌’ ଆରମ୍ଭ ଏକ ଲୋକ-ସ˚କଳ୍ପରୁ। ‘‘ଆମେ, ଭାରତର ଲୋକେ ଭାରତକୁ ଏକ ସାର୍ବଭୌମ, ସମାଜତାନ୍ତ୍ରିକ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଗଣ ରାଜ୍ୟ ଭାବରେ ଗଢ଼ିବା ପାଇଁ କୃତସ˚କଳ୍ପ ହୋଇ ତଥା ଭାରତର ସବୁ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ; ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଓ ଉପାସନାର ସ୍ବତନ୍ତ୍ରତା; ପ୍ରତିଷ୍ଠା ଓ ଅବସରର ସମତା, ଏବ˚ ସେମାନଙ୍କ ମଧୢରେ ବ୍ୟକ୍ତିର ଗରିମା, ଦେଶର ଏକତା ଓ ଅଖଣ୍ତତାର ବୋଧ ସହିତ ଭ୍ରାତୃତ୍ବର ସମ୍ବର୍ଦ୍ଧନ ପାଇଁ କୃତସ˚କଳ୍ପ ହୋଇ ଏ ସମ୍ବିଧାନ ନିଜକୁ ନିଜେ ପ୍ରଦାନ କରୁଛୁ।’’

କୃତସ˚କଳ୍ପ ଭାରତର ଲୋକେ ଯେଉଁ ‘ସ˚କଳ୍ପ’ କଲେ ତାହା ରାଷ୍ଟ୍ରର ପ୍ରଥମ ରାଜନୈତିକ ସ˚କଳ୍ପ। ଏ ରାଜନୈତିକ ରାଷ୍ଟ୍ରର କଳ୍ପନା କଲା, ରାଷ୍ଟ୍ରକୁ ଜନ୍ମ ଦେଲା ଓ ତା’ର ଭାବମୂର୍ତ୍ତିର ଆକାର ଗଢ଼ି ଦେଲା। ସେ ଆକାରର ବ୍ୟବସ୍ଥାଗତ ନିୟମାବଳୀ ଓ ନୀତି ନିର୍ଦ୍ଦେଶିକାକୁ ନେଇ ସମ୍ବିଧାନର ପାଠ। ବ୍ୟବସ୍ଥା ଅନୁସାରେ ବା ଆଇନ ଅନୁସାରେ ରାଷ୍ଟ୍ର ଚାଲିଲା। ଅର୍ଥାତ୍‌ ରାଷ୍ଟ୍ରର ପ୍ରକୃତ ଶାସକ ଆଇନ। ସାମ୍ବିଧାନିକ ଗଣତନ୍ତ୍ର ଆଇନର ଶାସନ। ରୁଲ୍‌ ଅଫ୍‌ ଲ’।

ଭାରତୀୟ ରାଜନୀତିରେ ଦଳ ଓ ବିଚାର ଧାରା ନିର୍ବିଶେଷରେ ରାଜନେତାଙ୍କ ସ˚କଳ୍ପ କ’ଣ ହୋଇପାରେ? ଭାରତୀୟ ରାଜନୀତିରେ ରାଜନେତା, ଅନ୍ୟ ରାଷ୍ଟ୍ରର ରାଜନେତାଙ୍କ ଭଳି ନା ଅଲଗା? ଭାରତୀୟ ରାଜନୀତିର ସ˚କଳ୍ପ, ଅନ୍ୟ ରାଷ୍ଟ୍ରର ରାଜନୈତିକ ସ˚କଳ୍ପ ଠାରୁ କିଭଳି ଅଲଗା? ବ୍ୟକ୍ତିଗତ ସ୍ତରରେ ଏ ବିଷୟରେ କେତେକ ବିଚକ୍ଷଣ ଓ ସଫଳ ରାଜନେତାଙ୍କ ସହିତ ଆଲୋଚନାର ଅବସର ମିଳିଲା। ସେମାନେ ମୁଖ୍ୟତଃ ତିନିଟି କଥାକୁ ନେଇ ଦୃଢ଼ ନିଶ୍ଚିତ ଓ ଆଶାବାଦୀ ଜଣାପଡ଼ିଲେ। ସେମାନେ ନିର୍ବାଚନୀ ଆଚାର ସ˚ହିତାର ବିଫଳତା ବିଷୟରେ କହିଲା ବେଳେ, ତଥାପି ଆଶା କରୁଚନ୍ତି ଯେ ନିର୍ବାଚନ ନିଷ୍କଳୁଷ ହେଲେ ଯଥେଷ୍ଟ। ଦ୍ବିତୀୟରେ ସେମାନେ ରାଜନୀତିକୁ ଦଳୀୟ ରାଜନୀତି ବାହାରେ ଏକ ସ˚କଳ୍ପ-ପରିଚାଳିତ ନୈତିକ କାର୍ଯ୍ୟକ୍ରମ ଭାବରେ ଦେଖିବାକୁ ପ୍ରସ୍ତୁତ ନୁହନ୍ତି। ତୃତୀୟରେ ଭାରତୀୟ ରାଜନୀତିର ଚରିତ୍ର ସତୁରି ବର୍ଷ ଭିତରେ ନିର୍ମିତ ହୋଇସାରିଚି ଓ କୌଣସି ବଡ଼ ପରିବର୍ତ୍ତନର ଆଶା ନାହିଁ ବୋଲି ସେମାନେ ଦୃଢ଼ ନିଶ୍ଚିତ। ମୋଟ ଉପରେ ମନେହେଲା ଯେ ସମସ୍ତ ସଫଳତା ସତ୍ତ୍ବେ ଭାରତର ସଫଳତମ ରାଜନେତାମାନେ ମାନସ କ୍ଷେତ୍ରରେ ଅସୁରକ୍ଷିତ ଓ ବୈଚାରିକ ବୌଦ୍ଧିକତାର ଦୃଷ୍ଟିକୋଣରୁ ସନ୍ଦିଗ୍‌ଧ। ତା’ର କାରଣ ସମସ୍ତ ସୁଯୋଗ, ସୁବିଧା ଓ ସଫଳତା ସତ୍ତ୍ବେ ସେମାନଙ୍କର ରାଜନୀତି ସ˚କଳ୍ପହୀନ। ସମ୍ବିଧାନର ମାତୃ-ସ˚କଳ୍ପ ‘ରାଷ୍ଟ୍ର ନିର୍ମାଣ’ ସହିତ ରାଜନୈତିକ କ୍ରିୟାକଳାପକୁ ସେମାନେ ଯୋଡ଼ି ପାରିନାହାନ୍ତି। ଏଇଠି ଆମେରିକା, ଆୟର୍ଲାଣ୍ତ, ରୁଷ, ଜର୍ମାନି ଓ ଫ୍ରାନ୍‌ସର ସମ୍ବିଧାନରେ ଥିବା ଉପୋଦ୍‌ଘାତ (ପ୍ରିଆମ୍ବଲ୍‌) ସହିତ କେବଳ ରାଜନେତା ନୁହନ୍ତି, ସାଧାରଣ ନାଗରିକ କିଭଳି ସ˚ପୃକ୍ତ ହୁଅନ୍ତି ଗୋଟିଏ ବିଶାଳ ମାତୃ ସ˚କଳ୍ପର ଆଧାରରେ, ତା’ର ସାମାନ୍ୟ ଇଙ୍ଗିତ ଦେବି। ଏସବୁ ସମ୍ବିଧାନର ଉପୋଦ୍‌ଘାତରେ ବିଭିନ୍ନ ଭାବରେ କେଉଁଠି ପିତୃପୁରୁଷଙ୍କ ପ୍ରଦତ୍ତ ଉତ୍ତରାଧିକାର କଥା କୁହାଯାଇଚି ତ କେଉଁଠି ପର˚ପରା ଓ ଜୀବନ ମୂଲ୍ୟ ତଥା ଜୀବନ ସ˚ଘର୍ଷର କଥା କୁହାଯାଇଚି। ସମ୍ବିଧାନର କାନୁନୀ ଅଧିନିୟମ ବା ଧାରା ତ ପରକଥା। ଲୋକଙ୍କର ଓ ରାଜନେତାଙ୍କର ସିଧା ସ˚ପର୍କ ଉପୋଦ୍‌ଘାତରେ ବ୍ୟଞ୍ଜିତ ଜାତୀୟ ସ୍ମୃତି ସହିତ। ଆଗରୁ କହିଚି ଆମ ସମ୍ବିଧାନରେ ସେ ପ୍ରେରଣାଦାୟୀ ତତ୍ତ୍ବ ସ୍ଥାନରେ ରହିଚି ଆମର ସ˚କଳ୍ପ।

ଆମର ଦୁଃଖ ଏଇଠି ଯେ ରାଜନେତାମାନେ ସ˚କଳ୍ପ ଗୁଡ଼ିକ ନାଗରିକଙ୍କ ପାଳନ ପାଇଁ ଛାଡ଼ିଦେଇ ନିଜେ ତା’ର ଉଦ୍ୟୋକ୍ତା ହୋଇ ଯାଇଚନ୍ତି। ଅକ୍‌ଟୋବର ୩୧ ଭାରତରେ ରାଷ୍ଟ୍ରୀୟ ସ˚କଳ୍ପ ଦିବସ ଭାବରେ ପାଳିତ କରାଯାଏ। ଏହିଦିନ ଭାରତୀୟମାନେ ରାଷ୍ଟ୍ରୀୟ ଅଖଣ୍ତତାର ଶପଥ ନିଅନ୍ତି। କିନ୍ତୁ ରାଷ୍ଟ୍ରୀୟ ଏକତାର ମାନସିକତା ନିର୍ମାଣ ପାଇଁ ରାଜନେତାମାନେ ସ˚କଳ୍ପ କରିଚନ୍ତି କି? ଏ ମାନସିକତା ନିର୍ମାଣ ପାଇଁ ରାଜନେତାମାନେ ଏ ସ˚କଳ୍ପ କରିବା ଜରୁରୀ ଯେ ସେମାନେ ସରକାର ଯେଉଁ ବି ଦଳର ହେଉ ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ଦେବେ ନାହିଁ କି ରାଷ୍ଟ୍ରର ଅଖଣ୍ତତାକୁ ରାଜନୈତିକ ଲାଭ ପାଇଁ ବିବାଦିତ ବା ଅସମ୍ମାନିତ କରିବେ ନାହିଁ। ସମ୍ବିଧାନର ଉପୋଦ୍‌ଘାତରେ ଥିବା ମାତୃ-ସ˚କଳ୍ପରେ ବ୍ୟକ୍ତିର ଗରିମା, ରାଷ୍ଟ୍ରୀୟ ଏକତା ଓ ଭ୍ରାତୃତ୍ବର ସମ୍ବର୍ଦ୍ଧନ କଥା କୁହାଯାଇଚି। ଏ ସ˚କଳ୍ପର ଛାୟାରେ ରାଜନେତା ଦଳୀୟ ସ˚କୀର୍ଣ୍ଣତାର ଊର୍ଦ୍ଧ୍ବରେ କି ସ˚କଳ୍ପ ନେଇ ପାରିବେ? ରାଜନେତାମାନେ ଦୁର୍ବଳ ଓ ଦରିଦ୍ରର ବ୍ୟକ୍ତି-ଗରିମା କ୍ଷୁଣ୍ଣ ନ କରିବାର ସ˚କଳ୍ପ କରିପାରିବେ କି? ସେହିଭଳି ରାଷ୍ଟ୍ରୀୟ ଏକତା ଓ ଭ୍ରାତୃତ୍ବର ସମ୍ବର୍ଦ୍ଧନ ପାଇଁ ସୁନିର୍ଦ୍ଦିଷ୍ଟ ସ˚କଳ୍ପ ନେଇପାରିବେ କି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେପ୍‌ଟେମ୍ବର ୧୭ରୁ ୭ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ‘ସେବା ଓ ସମର୍ପଣ’ ଅଭିଯାନ କରିବ। ଦୁରଭିସନ୍ଧି ମୁକ୍ତ ହୋଇ କେବଳ ତଥ୍ୟର ଆଧାରରେ ବିଚାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେବେ ସେବା ଓ ସମର୍ପଣର ପୃଷ୍ଠଭୂମିରୁ ଆସିଥିବା ଏଭଳି ଜଣେ ସ୍ବ-ନିର୍ମିତ ରାଜନେତା ଯାହାଙ୍କର ତୁଳନା ଭାରତୀୟ ରାଜନୀତିରେ ନାହିଁ। ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ଜଣେ ପ୍ରଚାରକ ଭାବରେ ଜୀବନ ଆରମ୍ଭ କରିଥିବା ମୋଦୀଜୀ ନା ବ୍ୟକ୍ତି ଭାବରେ ନିଜ ମହତ୍ତ୍ବାକା˚କ୍ଷାକୁ ପରିପୁଷ୍ଟ କରିବାର କଳା ଶିଖିଚନ୍ତି, ନା ତାଙ୍କର କୌଣସି ମହତ୍ତ୍ବାକା˚କ୍ଷା ଅଛି। ବିରୋଧୀଙ୍କର ଅଶାଳୀନ ଓ ଆକ୍ରାମକ ଆଚରଣର ଉତ୍ତର ସେ ସେହି ଭାଷାରେ ଦେଇଚନ୍ତି ଖୁବ୍‌ କମ୍‌, ସହିଚନ୍ତି ବହୁତ। ମୁଁ ବୁଝିପାରେନି କାହିଁକି ତାଙ୍କୁ କିଛି ରାଜନେତା ବ୍ୟକ୍ତିଗତ ଶତ୍ରୁ ମନେକରନ୍ତି? କ’ଣ ଏଇଥିପାଇଁ ଯେ ସେ ଅପ୍ରତିଦ୍ବନ୍ଦ୍ବୀ? ଏ ଯେଉଁ ଦୁଇ ଭୟଙ୍କର ମହାମାରୀର ବର୍ଷ ଆମ ଉପର ଦେଇ ଗଲା; ଆପଣ କେବେ ଅନୁଭବ କରିଚନ୍ତି ଯେ ରାଷ୍ଟ୍ର ନିଶ୍ଚଳ, ନିର୍ବେଦ ବା କ୍ରିୟାଶକ୍ତିହୀନ? ଜଣେ ନାଗରିକ ଭାବରେ ମୁଁ ଦେଶରେ ସର୍ବୋଚ୍ଚ ସ୍ତରରେ ଅଟଳ ରାଜନୈତିକ ସ˚କଳ୍ପ ଦେଖିଚି, ଅନୁଭବ କରିଚି। ମୁଁ ଅଶିକ୍ଷିତ ନୁହେଁ, କୌଣସି ଦଳର ସଦସ୍ୟ ନୁହେଁ କି କାହା ଦ୍ବାରା ପ୍ରଭାବିତ ନୁହେଁ। ସ˚କଟରେ ସର୍ବୋଚ୍ଚ ନେତୃତ୍ବର ଅଟଳ ସ˚କଳ୍ପ କୋଟି କୋଟି ନାଗରିକଙ୍କୁ ଆଶ୍ବସ୍ତ କରିଚି, ସର୍ବନାଶର ଆତଙ୍କ ଦୂର କରିଚି ଓ ସକାରାତ୍ମକ ମୁକାବିଲାର ଏକ କ୍ରିୟାଶକ୍ତି ବିକଶିତ କରିଚି। ଏ ଯେଉଁ ସେବା ଓ ସମର୍ପଣର ଅଭିଯାନରେ ବାହାରିଚନ୍ତି ଭାଜପା, ତା’ର ପରିକଳ୍ପନାରେ ସ୍ବପ୍ନ କେତେ ସ˚କଳ୍ପ କେତେ ସେଇମାନେ ଭାବିନିଅନ୍ତୁ। ମୋ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ମୋଦୀ ସ˚କଳ୍ପର ମଣିଷ। ସେ ସ˚କଳ୍ପର ରଚନାରେ ଚାରିଟି ଉପାଦାନ: (୧) ସମ୍ଭାବନାରେ ଆସ୍ଥା, (୨) ସାମର୍ଥ୍ୟ‌େର ଆସ୍ଥା, (୩) କର୍ମରେ ଆସ୍ଥା, (୪) ବିଚାରଧାରାରେ ଆସ୍ଥା। ତାଙ୍କର କଠୋରତମ ରାଜନୈତିକ ଶତ୍ରୁ ବି ସ୍ବୀକାର କରିବ, ପ୍ରଥମ ତିନିଟି ଆସ୍ଥା, କେଉଁଥିରେ ବି ସେ ଦୁର୍ବଳ ନୁହନ୍ତି। ସମସ୍ୟା ତାଙ୍କର ବିଚାରଧାରାକୁ ନେଇ। ତାଙ୍କର ରାଜନୈତିକ ବିରୋଧୀଙ୍କ ପାଖରେ ଶତ୍ରୁତା ଆଚରଣ ଠାରୁ ଅଧିକ ସକାରାତ୍ମକ ବିକଳ୍ପ ଅଛି। ତାହା ହେଉଚି ତାଙ୍କ ନିଜ ବିଚାରଧାରାର ପ୍ରତିଷ୍ଠା।

ସେମାନଙ୍କର ବିଚାରଧାରା ପ୍ରକୃତରେ କ’ଣ ରାଜନୈତିକ ସ˚କଳ୍ପ ନିର୍ମାଣ ପାଇଁ ଯଥେଷ୍ଟ? କୋଉ ବିଚାରଧାରାର ଆଧାରରେ ସେମାନେ ଭାରତୀୟ ଗଣତନ୍ତ୍ରକୁ ଏକ ସଦାସଚଳ ପ୍ରକ୍ରିୟା କରି ରଖିପାରିବେ? ପ୍ରତି ଗଣତନ୍ତ୍ରର ସଚଳତାର ଗୋଟିଏ ସ୍ପର୍ଶକାତର ବିନ୍ଦୁ ଥାଏ, ଯାହାକୁ ସ୍ପର୍ଶ କଲେ ‘ଗଣ’ ସହିତ ବ୍ୟବସ୍ଥା ଯୋଡ଼ି ହୋଇଯାଏ ଓ କର୍ମ ସ˚କଳ୍ପରେ ପରିଣତ ହୁଏ। ୟୁରୋପ, ଆଫ୍ରିକା, ଆମେରିକା, ଲାଟିନ୍‌ ଆମେରିକା, ରୁଷ, ସ୍କାଣ୍ତିନେଭିଆ ଓ ଏସିଆରେ ରାଷ୍ଟ୍ରୀୟ ଅସ୍ମିତା ସେହି ସ୍ପର୍ଶକାତର ବିନ୍ଦୁ ବୋଲି ମୁକ୍ତ ମଞ୍ଚରେ କୁହାଚାଲିଚି। ରାଷ୍ଟ୍ରୀୟ ଅସ୍ମିତା ଭାରତୀୟଙ୍କ ପାଇଁ ଏକ ସଭ୍ୟତାଗତ ଉପଲବ୍‌ଧି। ତେଣୁ ରାଜନୀତିରେ ଚାରି ପ୍ରକାରର ଆସ୍ଥାର ସମନ୍ବୟ ଘଟିଲେ କିଭଳି ସ˚କଳ୍ପର ମଣିଷ ରାଜନୀତିର ଶିଖର ପୁରୁଷ ହୁଅନ୍ତି ତା’ର ଉଦାହରଣ ଆମ ଆଗରେ।

ଭାରତୀୟ ସମ୍ବିଧାନରେ ‘ଆମେ’ କହିଲେ ଯେଉଁ ଭାରତୀୟଙ୍କୁ ବୁଝାଏ, ସେମାନେ କିଏ? ସେମାନେ ସେତେବେଳର, ଏବର ଓ ଭବିଷ୍ୟତ୍‌ର ସବୁ ଭାରତୀୟ। ଅଲଗା ଅଲଗା ଭାରତୀୟଙ୍କୁ ‘ଆମେ ଭାରତୀୟ’ କରେ କିଏ? ଭାରତୀୟତା! ଭାରତୀୟତା ଏକ ଦର୍ଶନ, ଏକ ବୋଧ, ଏକ ବିଚାର, ଏକ ଆସ୍ଥା, ଏକ ସମ୍ଭାବନା, ଏକ ସାମର୍ଥ୍ୟ। ପ୍ରତି ଭାରତୀୟର ଗରିମା, ରାଷ୍ଟ୍ରୀୟ ଏକତା, ଭ୍ରାତୃତ୍ବ, ସେବା, ସମର୍ପଣ, ଏସବୁ କୃତସ˚କଳ୍ପ ଭାରତୀୟତାର ଉପଜ। ଭାରତୀୟତା କୁଶବଟୁ ଧାରଣ ନ କରି ଭାରତୀୟ ରାଜନୀତିରେ ଗଣତନ୍ତ୍ରର ଆରାଧନା ଅଶୁଦ୍ଧ। ଭାରତୀୟ ସମ୍ବିଧାନର ଉପୋଦ୍‌ଘାତରେ ଥିବା ‘ସ˚କଳ୍ପ’ ଶବ୍ଦଟି ବୋଧହୁଏ ଆମର ରାଜନୈତିକ ଜୀବନର ପ୍ରଥମ ଜରୁରୀ ଶବ୍ଦ, ଯାହା ଇଙ୍ଗିତ କରେ ଯେ ଗଣତନ୍ତ୍ର ଏକ ଉତ୍ପାଦ ନୁହେଁ, ଏକ ପ୍ରକ୍ରିୟା ଓ ଏ ପ୍ରକ୍ରିୟା ଜାତୀୟ ଜୀବନର ଏକ ଚିର ଅସମାପ୍ୟ ସ˚କଳ୍ପ।

ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର