ଚଙ୍ଗୁ-ମଙ୍ଗୁ କଥା

ସୃଜନ ପ୍ରକାଶ ଦାସ

ପ୍ରଥମ ଥର ପାଇଁ ସେ ଦୁଇ ଜଣଙ୍କୁ ଯେବେ ଆମେ ଦେଖିଥିଲୁ, ସେତେବେଳେ ସେମାନେ ସେମାନଙ୍କର ମା’ ସହିତ ପଡ଼ୋଶୀଙ୍କ ଛାତ ଉପରେ ଖେଳି ବୁଲୁଥିଲେ। ଲାଗୁଥିଲା ସତେ ଯେମିତି ମା’ ତାର ଛୁଆ ଦୁହିଁଙ୍କୁ ପାଦେ ପାଦେ ଜଗି ଏ ଜଟିଳ ପୃଥିବୀକୁ ଚିହ୍ନଉଥିଲା। ଜୀବନ ଯାତ୍ରାର ସଂଘର୍ଷର କଳାକୁ ତ ପୁଣି କରାୟତ୍ତ କରିବାକୁ ପଡ଼ିବ! ବଡ଼ ବଡ଼ ଆତଙ୍କିତ ଆଖିରେ ସେମାନେ ଆମକୁ ଦୂରରୁ ହିଁ ଦେଖୁଥିଲେ। କୁନି କୁନି ଦୁଇଟି କଳା-ଧଳା ରଙ୍ଗର ସୁନ୍ଦର ବିଲେଇ ଆମକୁ ଖୁବ୍‌ ଲୋଭନୀୟ ମନେ ହୋଇଥିଲା। ବାଲକୋନିରୁ ଠିଆ ହୋଇ ବିସ୍କୁଟ ଖଣ୍ଡ ସେମାନଙ୍କ ଆଡ଼କୁ ଛାଟି ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଥିଲୁ। ହେଲେ ସେମାନଙ୍କର ବିଶ୍ୱାସ ମାପକାଠିରେ ଆମେ ହୁଏତ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲୁ। ବିସ୍କୁଟ ଖାଇବା ତ ଦୂରର କଥା, ସେ ଦୁହେଁ ଡରି ମରି ଆହୁରି ଦୂରକୁ ପଳେଇଥିଲେ। କିଏ ଜାଣେ ସେମାନଙ୍କର ମା’ ଚାଲାକ ଚତୁର ମଣିଷମାନଙ୍କୁ ଏତେ ଶୀଘ୍ର ବିଶ୍ୱାସ ନ କରିବାକୁ ପରାମର୍ଶ ହୁଏତ ଦେଇଥିଲା। ଦେହ ତୁଳନାରେ ଲମ୍ବା ଲାଞ୍ଜକୁ ଏକଡ଼ ସେକଡ଼ କରି ସତେ ଯେମିତି ସେମାନେ ଆମକୁ କହିବାକୁ ଚାହୁଁଥିଲେ ଆମେ ଏତେ ଶୀଘ୍ର ତୁମ ହାତରେ ଧରା ଦେବୁ ନାହିଁ। ଅଥଚ କିଛି ଦିନର ବ୍ୟବଧାନ ପରେ ସେ ଦୁହେଁ ଅଚାନକ ଆମ ବାଲକୋନି ବାଟ ଦେଇ ନିଃଶବ୍ଦ ପାଦରେ ଘର ଭିତରକୁ ପ୍ରବେଶ କରିଥିଲେ। ସେ ଦୁହିଁଙ୍କର କଅଁଳିଆ ମିଉ ମିଉ ଡାକ ଆମ ଭିତରେ ଆନନ୍ଦର ଲହରୀ ଖେଳେଇ ଦେଇଥିଲା। ନିକଟରେ ଭାଇକୁ ହରାଇଥିବାର ଶୋକକୁ ଲାଘବ କରିବା ପାଇଁ କ’ଣ ସେମାନଙ୍କୁ କେହି ଆମ ପାଖକୁ ପଠାଇଥିଲା? ଏହା କ’ଣ ଥିଲା କେବଳ ମାତ୍ର ଏକ ସଂଯୋଗ ନା କୌଣସି ଅଲୌକିକ ବ୍ୟାପାର- ତାହା ଆଜି ଯାଏ ଆମ ବୋଧଗମ୍ୟ ବାହାରେ।

ସେ ଦୁଇ ଜଣଙ୍କ ରଙ୍ଗ କଳା-ଧଳା। ଯାହାର କଳା ରଙ୍ଗ, ଧଳା ରଙ୍ଗ ତୁଳନାରେ ଅଧିକ, ତାର ନାଁ ରଖିଲୁ ଚଙ୍ଗୁ। ପୁଣି ଯାହାର ଧଳା ରଙ୍ଗ, କଳା ରଙ୍ଗ ତୁଳନାରେ ଥିଲା ଅଧିକ, ତାର ନାଁ ମଙ୍ଗୁ। ପୋଷା ପ୍ରାଣୀମାନଙ୍କ ପ୍ରତି ଦୁର୍ବଳତା ଥିଲେ ମଧ୍ୟ, ମାର୍ଜାର ପ୍ରତି ଆମର ସେତେଟା ଦୁର୍ବଳତା ନଥିଲା- ଏ କଥା ସ୍ୱୀକାର କରିବାରେ ଦ୍ବିଧା ନାହିଁ। ମାତ୍ର, ଏହି ସରଳ, ନିଷ୍ପାପ ମାର୍ଜାର ଶିଶୁ ଦୁଇଟି ମଧ୍ୟରେ କି ଆକର୍ଷଣ ଥିଲା କେଜାଣି, ସେମାନଙ୍କୁ ଘରୁ ତଡ଼ିବା ପାଇଁ ମନ କହି ନଥିଲା। କେହି ବୋଧହୁଏ ଯଥାର୍ଥରେ କହିଥିଲେ ଶିଶୁ, ସଂଗୀତ ଓ ଫୁଲକୁ ଭଲ ପାଉନଥିବା ମଣିଷ ବୋଧହୁଏ ବିରଳ। ଶିଶୁ ମାର୍ଜାର ଦୁଇଟିର ମିଉ ମିଉ ଡାକରେ ଅନାବିଳ, ଅପତ୍ୟ ସ୍ନେହର ବାସନା ଆମେ ପାଇଥିଲୁ। ସେମାନଙ୍କର ପ୍ରତିଟି କାର୍ଯ୍ୟ- ଖେଳିବା, ଦୌଡ଼ିବା, ଖାଇବା, ଏପରିକି ବିଭିନ୍ନ ଶୈଳୀରେ ଶୋଇବାର ଠାଣି ଆମକୁ ଅମୋଦିତ କରିବାକୁ ଲାଗିଲା। ସେମାନଙ୍କର ମିଉ ମିଉ ଡାକରେ ଲାଗୁଥିଲା ସତେଯେମିତି ସେମାନେ ସମସ୍ତ ସ୍ନେହ ମମତା ଦେଇ ମା’ ମା’ ବୋଲି ଡାକୁଛନ୍ତି। ଏମାନଙ୍କୁ ପୁଣି ତଡ଼ିଥା’ନ୍ତୁ କିଭଳି? ବହୁ ଶୁଭେଚ୍ଛୁ ଯେ ସେମାନଙ୍କ ଦ୍ୱାରା ବ୍ୟାପୁଥିବା ରୋଗ ବିଷୟରେ ଆମକୁ ସଚେତନ କରି ନାହାନ୍ତି- ତାହା ନୁହଁ। ହେଲେ ପ୍ରେମ ତ ଅନ୍ଧ। ବରଂ ପ୍ରତି ପଦକ୍ଷେପରେ, ପ୍ରତି ମୁହୂର୍ତ୍ତରେ ସେ ଦୁହିଁଙ୍କର ଫଟୋ ଉଠାଇ whatsapp ମାଧ୍ୟମରେ ପଠାଇବା ପରେ ମଧ୍ୟ ମନ ସ୍ଥିର ରହେ ନାହିଁ। କାରଣ ଦେଖଣାହାରୀର ପ୍ରତିକ୍ରିୟା ତ ପୁଣି ଆବଶ୍ୟକ! ସେଥି ଲାଗି ଚଙ୍ଗୁ-ମଙ୍ଗୁଙ୍କ ବିଷୟରେ ଟିପ୍ପଣୀ ଶୁଣିବା ପାଇଁ ମନ ଅଥୟ ହୁଏ।

ଚଙ୍ଗୁ-ମଙ୍ଗୁ ଆସିବା ପରଠୁ ଆମ୍ଭମାନଙ୍କର ଜୀବନଶୈଳୀ ଯେ କେତେବେଳେ ବଦଳିବାକୁ ଆରମ୍ଭ କରି ଦେଇଥିଲା- ତାହା ଜାଣି ପାରି ନଥିଲୁ। ଧୀରେ ଧୀରେ ତାହା ମାର୍ଜାର କୈନ୍ଦ୍ରିକ ହୋଇ ଉଠୁଥାଏ। ସକାଳୁ, ବିଳମ୍ବିତ ରାତ୍ରି ଯାଏ- ଖାଇବା, ବସିବା, ଶୋଇବା- ସବୁ କିଛିର ସମୟ ସାରଣୀ ମଧ୍ୟ ବଦଳିଯାଏ ଆମ ଅଗୋଚରରେ। ଗବେଷଣା ଉପଲବ୍‌ଧ ତଥ୍ୟ ଅନୁଯାୟୀ ସାମାଜିକ, ବୃତ୍ତିଗତ ଏବଂ ପାରିବାରିକ ଜୀବନର ଛୋଟ ଛୋଟ ମତାନ୍ତର- ଯାହା କାଲି ଯାଏ ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିଲା, ସେଗୁଡ଼ିକ ଏବେ ଗୌଣ ହୋଇ ଉଠନ୍ତି। ସେଗୁଡ଼ିକ ଏତେ ଗୁରୁତ୍ୱହୀନ ହୋଇଯାଏ ଯେ ତାହା ଦୃଷ୍ଟିଗୋଚର ବି ହୁଏନାହିଁ। ମନ ଭିତରେ ଦୀର୍ଘ ଦିନରୁ ବସାବାନ୍ଧି ଥିବା ଦୁଶ୍ଚିନ୍ତା ଉଭେଇ ଯାଏ। ଜୀବନ ପ୍ରତି ବ୍ୟକ୍ତିର ଦୃଷ୍ଟିକୋଣରେ ପରିବର୍ତ୍ତନ ଆସେ। ଆମେ ସୁଖୀ ହୋଇ ଉଠୁ। ଗବେଷଣା ଏ କଥା ମଧ୍ୟ ପ୍ରମାଣ କରିଛି- ଘରେ ପୋଷା ପ୍ରାଣୀଟିଏ ଥିଲେ ଆମେ ଏକାକୀତ୍ୱ/ନିଃସଙ୍ଗତା ଜନିତ ହତାଶା, ଗ୍ଲାନି ପରିବର୍ତ୍ତେ ଆଶାନ୍ବିତ ହୋଇ ଉଠୁ। ରକ୍ତ ଚାପ, ରକ୍ତ ଶର୍କରା ମଧ୍ୟ ସାଧାରଣ ସ୍ତରକୁ ଚାଲି ଆସେ। ଚଙ୍ଗୁ-ମଙ୍ଗୁ ଦୁଇ ଭାଇ। ସେମାନଙ୍କ ଭିତରେ ଥିବା ବୁଝାମଣା ଆମକୁ ଆଶ୍ଚର୍ଯ୍ୟ କରେ, ପୁଣି ଶିକ୍ଷା ମଧ୍ୟ ଦିଏ। ଗୋଟିଏ ଥାଳିରେ ଖାଇବା ବେଳେ ଝଗଡ଼ା ନ କରି ସେମାନଙ୍କର ଭାଗବଣ୍ଟା କରି ଖାଇବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇଥାଏ। ପରସ୍ପରକୁ ଗୋଡ଼ାଗୋଡ଼ି କରି ଖେଳି ଖେଳି ଯେବେ ଥକି ପଡ଼ନ୍ତି, ଅଚିରେ ଶୋଇ ପଡ଼ନ୍ତି ସେମାନଙ୍କ ଶେଜ ଉପରେ। ଜଣେ ଯେତେବେଳେ ଅନ୍ୟ ଜଣକୁ ଚାଟି ଚାଲେ, ଅନ୍ୟ ଜଣକ ଆଖି ବୁଜି, ପୁଣି କେବେ କେବେ ଆଖି ମିଞ୍ଜିମିଞ୍ଜି କରି ଉପଭୋଗ କରେ। ଜଣକର ପାଳି ସରିଗଲେ, ଅନ୍ୟ ଜଣେ ତା’ ଭାଇକୁ ଚାଟି ଚାଟି ସଫା କରିଦିଏ। ଜାଗ୍ରତ ଅବସ୍ଥାରେ ସେ ଦୁହେଁ ପ୍ରବଳ ଚଳଚଂଚଳ। ପୁଣି ଶୋଇବା ବେଳେ ସେମାନଙ୍କୁ ଦେଖି ଲାଗେ ସେମାନେ ନିଶ୍ଚିନ୍ତରେ ଶୋଇ ଯାଇଛନ୍ତି ଆମରି ଭରସାରେ। କୌଣସି ବିପଦ ଆପଦକୁ ତାଙ୍କର ଯେମିତି ଖାତିର ନାହିଁ।

ହେଲେ ଭୁଆଁ ବିଲେଇର ଡର ତ ଲାଗି ରହିଥାଏ। ଠିକ ଯେମିତି ଚଙ୍ଗୁ-ମଙ୍ଗୁ କ୍ଷେତ୍ରରେ ହୋଇଥିଲା। କୁଆଡୁ କେଜାଣି ଦିନେ ଦ୍ବିପ୍ରହରରେ ଭୁଆଁ ବିଲେଇଟେ ଆସିଥିଲା। ଅତର୍କିତ ଆକ୍ରମଣ କରି କ୍ଷତାକ୍ତ କରିଥିଲା ଆମ ଚଙ୍ଗୁ-ମଙ୍ଗୁଙ୍କୁ। ସେହି ଅବସ୍ଥାରେ ଚିତ୍କାର କରୁକରୁ ଦୁଇ ଭାଇ ଆମର ଶରଣ ପଶିଥିଲେ, ସତେ ଯେମିତି ନେହୁରା ହୋଇ ବିନତି କରୁଥିଲେ ଆମକୁ ବଞ୍ଚାଅ, ଆମକୁ ବଞ୍ଚାଅ। ପରବର୍ତ୍ତୀ କିଛି ଦିନ ପାଇଁ ଚଙ୍ଗୁ-ମଙ୍ଗୁ ଯେ କେବଳ ବାକ୍‌ଶକ୍ତିହୀନ, ଚଳତ୍‌ଶକ୍ତିହୀନ ହୋଇଯାଇଥିଲେ ତାହା ନୁହଁ, ଆମେ ମଧ୍ୟ ମ୍ରିୟମାଣ ହୋଇଉଠିଥିଲୁ। ସେମାନଙ୍କର ଆଶୁ ଆରୋଗ୍ୟ କାମନା କରି ଠାକୁରାଣୀଙ୍କ ପାଖରେ ମାନସିକ କରିଛୁ। ପ୍ରତି ସାହିତ୍ୟରେ ପୁଷି ମାଉସୀକୁ ନେଇ କେତେ କେତେ ଗପ ଲେଖା ଯାଇଛି। ମାତ୍ର ନିଜ ଜୀବନରେ ସେମାନଙ୍କୁ ନେଇ ଆମର ଅଳ୍ପ ଦିନର ଅଭିଜ୍ଞତା ଓ ଅନୁଭୂତି ସତରେ ନିଆରା। କେହି କେହି କହନ୍ତି ପୁରୁଷ ବିଲେଇ ବେଶୀ ଦିନ ଗୋଟାଏ ଘରେ ରହନ୍ତି ନାହିଁ। ମାୟା ଲଗେଇ ଚାଲିଯା’ନ୍ତି। ସତ ବି ହୋଇ ପାରେ। ଦିନେ ହୁଏତ ଶାରୀରିକ ଆବଶ୍ୟକତା ଦୃଷ୍ଟିରୁ ସେମାନେ ଅନ୍ୟତ୍ର ଚାଲି ଯାଇ ପାରନ୍ତି। ସେମାନଙ୍କର ତ ପୁଣି ନିଜସ୍ୱ ଜୀବନଟିଏ ଅଛି। ଚାଲିଗଲେ ମଧ୍ୟ ସେମାନେ ଆମ ମନରେ ସବୁ ଦିନ ପାଇଁ ରହିବେ। ସେମାନେ ଆମ ସହିତ କଟାଇଥିବା ପ୍ରତିଟି ମୁହୂର୍ତ୍ତ ଆମ ହୃଦୟରେ ଚିରଦିନ ପାଇଁ ସାଇତା ହୋଇ ରହିବ।
ମୋ-୯୪୩୮୧ ୪୯୭୬୧
[email protected]

ସମ୍ବନ୍ଧିତ ଖବର