ଦୃଷ୍ଟିପାତ, ମାନବ ଅଧିକାରର ଚିତ୍ର ଓ ଚରିତ୍ର

ଶରତ ଚନ୍ଦ୍ର ମିଶ୍ର

ପାଶ୍ଚାତ୍ୟ ଦେଶମାନଙ୍କରେ ମାନବିକ ଅଧିକାର ଭାବଧାରା ପ୍ରଥମ କରି ଇ˚ଲଣ୍ତରେ ‘ମାଗନା କାର୍ଟ’’ ଦ୍ବାରା ଉପଲବ୍‌ଧ ହୋଇଥିଲା। ୧୬୮୯ ମସିହାରେ ଗୌରବମୟ ବିପ୍ଳବ ପରେ ‘ହେବିୟସ କରପ୍‌ସ’ ଆଇନ ଦ୍ବାରା ବ୍ୟକ୍ତି ଅଧିକାର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଆମେରିକା ସ୍ବାଧୀନତା ସ˚ଗ୍ରାମ ଓ ଫରାସୀ ବିପ୍ଳବ ପରେ ପରେ ପାଶ୍ଚାତ୍ୟ ସମାଜରେ ମାନବ ଅଧିକାର ସମ୍ବନ୍ଧୀୟ ମୂଲ୍ୟବୋଧଗୁଡ଼ିକୁ ଆଇନ-ସମ୍ମତ କରିବା ନିମନ୍ତେ ଭାବନା ସୃଷ୍ଟି ହେଲା। ପ୍ରଥମ କରି ଆମେରିକା ସମ୍ବିଧାନରେ ଏହା ଲିଖିତ ଭାବରେ ସ୍ଥାନ ପାଇଲା। ପରେ ଅନ୍ୟାନ୍ୟ କେତେକ ଦେଶ ମଧୢ ନିଜର ସମ୍ବିଧାନ ପ୍ରଣୟନ ସମୟରେ ମୌଳିକ ଅଧିକାର ଉପରେ ଗୁରୁତ୍ବ ଦେଲେ ଓ କାନାଡାରେ ଏଥି ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୀତ ହେଲା। ଆମେରିକା ଗୃହଯୁଦ୍ଧ ସମୟରେ ସୁଇଜରଲାଣ୍ତର କତିପୟ ନାଗରିକ ରେଡ୍‌କ୍ରସ୍‌ର ପରିକଳ୍ପନା କଲେ ଓ ଗୃହଯୁଦ୍ଧରେ ଆହତ ବ୍ୟକ୍ତିମାନଙ୍କର ଚିକିତ୍ସାର ବ୍ୟବସ୍ଥା କଲେ। ସାଧାରଣ ନାଗରିକଙ୍କର ଜୀବନ ଓ ଚିକିତ୍ସା ନିମନ୍ତେ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇବାର ଏହା ଥିଲା ପ୍ରଥମ ଉଦାହରଣ। କ୍ରମେ ଆନ୍ତର୍ଜାତିକ ମାନବ ଅଧିକାର ଆଇନର ପରିପ୍ରକାଶ ଘଟିଲା ଓ ଜେନିଭାରେ ଚାରିଟି ସଭା (convention) ଆହୂତ ହୋଇ ଯୁଦ୍ଧାହତ, ଯୁଦ୍ଧବନ୍ଦୀ ଓ ଯୁଦ୍ଧରେ ଉତ୍‌ପୀଡ଼ିତ ବ୍ୟକ୍ତିଙ୍କ ଅଧିକାର ବିଷୟରେ ବିଭିନ୍ନ ଦେଶମାନଙ୍କ ମଧୢରେ ରାଜିନାମା ହେଲା। ଏଇ ଚୁକ୍ତି ଅନୁସାରେ ଢାକ୍କାରେ ଆତ୍ମସମର୍ପଣ କରିଥିବା ୯୩୦୦୦ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ଭାରତ ପକ୍ଷରୁ ଯଥୋଚିତ ବ୍ୟବହାର ସହିତ ବେତନ ମଧୢ ପ୍ରଦାନ କରାଯାଇଥିଲା।

ପ୍ରଥମ ମହାଯୁଦ୍ଧ କେବଳ ସୈନ୍ୟବାହିନୀ ମଧୢରେ ସୀମିତ ନ ରହି ସାଧାରଣ ଜନଜୀବନ ଓ ସ˚ପତ୍ତି ନଷ୍ଟ କଲା ଓ ବହୁ ବେସାମରିକ ବ୍ୟକ୍ତି ପ୍ରାଣ ହରାଇଲେ। ସେତିକି ବେଳେ ପ୍ରତୀତ ହେଲା ଯେ ଯୁଦ୍ଧରେ କେହି ବିଜୟୀ ବା ବିଜିତ ହୁଅନ୍ତି ନାହିଁ; ଉଭୟ ପକ୍ଷ ଯୁଦ୍ଧରେ କ୍ଷତିଗ୍ରସ୍ତ ହୁଅନ୍ତି। ଏହି ମାନସିକତା ମଧୢରୁ ମିଳିତ ରାଷ୍ଟ୍ର ସ˚ଘ (League of Nations)ର ଜନ୍ମ ଓ ରାଷ୍ଟ୍ରସ˚ଘ ପ୍ରଥମ କରି ଆନୁଷ୍ଠାନିକ ଭାବରେ ଟ୍ରଷ୍ଟି ଦାୟିତ୍ବରେ ଥିବା ଦେଶମାନଙ୍କୁ ସେମାନଙ୍କର ଉପନିବେଶର ସ˚ଖ୍ୟାଲଘୁ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବାକୁ ଓ ସେମାନଙ୍କର ଅଧିକାରଗୁଡ଼ିକ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲା। ପ୍ରଥମ ମହାଯୁଦ୍ଧ ସମ୍ବନ୍ଧୀୟ ଭର୍ସେଲିସ ଚୁକ୍ତିରୁ ଆନ୍ତର୍ଜାତିକ ଶ୍ରମିକ ଅନୁଷ୍ଠାନ (ILO)ର ଜନ୍ମ। ଏହି ଶ୍ରମିକ ଅନୁଷ୍ଠାନର ପ୍ରଚେଷ୍ଟା ଫଳରେ ପରବର୍ତ୍ତୀ ସମୟରେ ଶ୍ରମିକମାନଙ୍କ ଅଧିକାର ଓ ମାନବିକ ଅଧିକାର ସମ୍ବନ୍ଧୀୟ ଅନେକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଦ୍ବିତୀୟ ମହାଯୁଦ୍ଧର କରାଳ ବିଭୀଷିକା ପ୍ରଥମ ମହାଯୁଦ୍ଧ ଠାରୁ କ୍ରୂରତର ଥିଲା ଓ ଯୁଦ୍ଧ ଶେଷ ନ ହେଉଣୁ ମିତ୍ରଶକ୍ତିର ନେତୃବୃନ୍ଦ ମାନବ ଅଧିକାର ସମ୍ବନ୍ଧରେ ସଚେତନ ହୋଇ ଉଠିଲେ। ଵାସି˚ଟନ୍‌ସ୍ଥିତ ତୁମ୍ବାରଟନ-ଓକସ ଠାରେ ଆମେରିକା, ରୁଷ, ଚୀନ୍‌ ଓ ଇ˚ଲଣ୍ତ ମଧୢରେ ଏକ ରାଜିନାମା ହୋଇ ମାନବ ଅଧିକାରକୁ ଜାତିସ˚ଘ ସନନ୍ଦରେ ସ୍ଥାନ ଦିିଆଗଲା। ଯୁଦ୍ଧକାଳୀନ ଆମେରିକା ରାଷ୍ଟ୍ରପତି ରୁଜଭେଲ୍‌ଟଙ୍କ ବିଧବା ପତ୍ନୀ ଏଲିନୋର ରୁଜଭେଲ୍‌ଟଙ୍କ ସଭାପତିତ୍ବରେ ମାନବ ଅଧିକାରର ସାର୍ବଜନୀନ ଘୋଷଣା ପତ୍ର (Universal declaration of human Rights) ପ୍ରସ୍ତୁତ ହେଲା ଓ ୧୦.୧୨.୧୯୪୮ରେ ଜାତିସ˚ଘ ତାହାକୁ ଅନୁମୋଦନ କଲା। ସେହିଦିନ ଠାରୁ ଡିସେମ୍ବର ୧୦ ତାରିଖଟି ମାନବ ଅଧିକାର ଦିବସ ଭାବରେ ସାରା ବିଶ୍ବରେ ପାଳିତ ହୋଇ ଆସୁଛି। ଏହି ଘୋଷଣା ପତ୍ରରେ ୨୯ଟି ଅନୁଚ୍ଛେଦ ରହିଛି। ସେଥିରୁ ୨୩ଟି ଅନୁଚ୍ଛେଦ ପରବର୍ତ୍ତୀ କାଳରେ ଆମ ସମ୍ବିଧାନରେ ମୌଳିକ ଅଧିକାର ଓ ‘ଡିରେକ୍ଟିଭ୍‌ ପ୍ରନସିପଲ୍‌ସ ଅଫ ଷ୍ଟେଟ୍‌ ପଲିସି’ ଭାବେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ସ୍ଥାନ ପାଇଛି। ପାଶ୍ଚାତ୍ୟ ଦେଶମାନେ ରାଜନୈତିକ ଓ ନାଗରିକ ଅଧିକାର ଉପରେ ଗୁରୁତ୍ବ ପ୍ରଦାନ କରନ୍ତି। ସ୍ବଳ୍ପାନ୍ନତ ଦେଶମାନେ ଅର୍ଥନୈତିକ ଓ ସାମାଜିକ ଅଧିକାରରେ ଅଧିକ ଆଗ୍ରହୀ। ପାଶ୍ଚାତ୍ୟ ଦେଶମାନେ ମାନବ ଅଧିକାର ଉଲ୍ଲ˚ଘନକାରୀମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ଦଣ୍ତବିଧାନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ମାନବ ଅଧିକାର ରକ୍ଷା କ୍ଷେତ୍ରରେ ବହୁ ସ୍ବେଚ୍ଛାସେବୀ ସ˚ସ୍ଥା ମଧୢ ସକ୍ରିୟ। Amnesty International (ଆନ୍ତର୍ଜାତିକ କ୍ଷମା ସ˚ସ୍ଥା), ଏସିଆ ଵାଚ୍‌ ଓ ଆମ ଦେଶର Peoples Union for Civil Liberty ଓ Citizen for Democracy ଏ ଦିଗରେ ଅଗ୍ରଣୀ। ଏମାନେ ମୁଖ୍ୟତଃ ସରକାରୀ କର୍ମଚାରୀ ଓ ନିରାପତ୍ତା ବାହିନୀ ଦ୍ବାରା ଅଧିକାର ଉଲ୍ଲ˚ଘନ ଉପରେ ବିଶେଷ ଜୋର ଦିଅନ୍ତି। ସନ୍ତ୍ରାସବାଦୀମାନଙ୍କ ଦ୍ବାରା ଘଟୁଥିବା ମାନବ ଅଧିକାର ଉଲ୍ଲ˚ଘନ ସେମାନଙ୍କର କାର୍ଯ୍ୟର ପରିସରଭୁକ୍ତ ନୁହେଁ ବୋଲି ମତ ପ୍ରକାଶ କରନ୍ତି। ଇଉରୋପରେ ‘Commission of Human Right’ ନାମରେ ଗୋଟିଏ ଅନୁଷ୍ଠାନ ୧୯୫୪ରୁ କାର୍ଯ୍ୟରତ। ଇ˚ଲଣ୍ତ କିନ୍ତୁ ସେଥିରେ ସାମିଲ ନୁହେଁ। ଆମେରିକାରେ କଳା ଲୋକଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ Civil Rights Commission ଏବ˚ ଚାକିରି କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ନିମନ୍ତେ Equal Employment opportunity Commission ଅଛି। ଆମେରିକାରେ ମାନବ ଅଧିକାର କମିସନ ନାହିଁ। ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ରାଜିନାମା ସବୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ବିଭିନ୍ନ ସରକାରଙ୍କର ଓ ବହୁ କ୍ଷେତ୍ରରେ ଏହି ଆଦର୍ଶାତ୍ମକ ଚୁକ୍ତିନାମାଗୁଡ଼ିକ କାର୍ଯ୍ୟକ୍ଷେତ୍ରରେ ରୂପାୟିତ ହୁଏ ନାହିଁ।

ଆମ ଦେଶର ଶାସ୍ତ୍ର, ପୁରାଣ, ଐତିହ୍ୟ ଓ ପର˚ପରାରେ ମାନବ ଅଧିକାର ଧାରଣା ଶାଶ୍ବତ। ସମସ୍ତେ ମଣିଷ, ସମସ୍ତେ ଭଗବାନଙ୍କ ଦ୍ବାରା ସୃଷ୍ଟ, ତେଣୁ ଏ ପୃଥିବୀ ଉପରେ ସମସ୍ତଙ୍କର ସମାନ ଅଧିକାର। ଏ ଦେଶର ପର˚ପରାରେ ନିଜ ପରର ଭେଦ ନାହିଁ। ଆମ ଦର୍ଶନ ହେଲା ‘ଅୟ˚ ନିଜଃ ପରୋ ବେତି ଗଣନା ଲଘୁଚେତସାମ, ଉଦାର ଚରିତାନାମ୍‌ ତୁ ବସୁଧୈବ କୁଟୁମ୍ବକମ୍‌’’। ମାନବ ଅଧିକାର ଆମର ପର˚ପରାଗତ ଓ ଶାସ୍ତ୍ରାନୁମୋଦିତ। ଜାତୀୟ ଆନ୍ଦୋଳନର ପ୍ରାରମ୍ଭରୁ ହିଁ ନାଗରିକ ଅଧିକାର ହାସଲ ଗୋଟିଏ ମୌଳିକ ଲକ୍ଷ୍ୟ ଥିଲା ଓ ୧୯୩୫ ଭାରତ ଶାସନ ଆଇନ ତିଆରି ସମୟରେ ସେଥିରେ କିଛି ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିବା ନିମନ୍ତେ କ˚ଗ୍ରେସ ତରଫରୁ ଦାବି ହୋଇଥିଲା। ବ୍ରିଟିସ ସରକାର ତାହା ଗ୍ରହଣ କରିନଥିଲେ। ସ୍ବାଧୀନତା ପରେ ସମ୍ବିଧାନରେ ମୌଳିକ ଅଧିକାରର ବ୍ୟବସ୍ଥା ସହିତ ନିଜର ବଞ୍ଚିବାର ଅଧିକାରକୁ ସମ୍ମାନର ସହିତ ତଥା ମୌଳିକ ଆବଶ୍ୟକତାର ସହିତ ବଞ୍ଚିବାର ଅଧିକାର ବୋଲି ଅଦାଲତ ବ୍ୟାଖ୍ୟା କରିଛନ୍ତି। ଦେଶର ବିଚାର ବିଭାଗ ମାନବ ଅଧିକାରର ପ୍ରମୁଖ ସହାୟକ ଭୂମିକା ଗ୍ରହଣ କରିଛନ୍ତି। ଦେଶର ଗଣମାଧୢମ ଓ କେତେକ ସ୍ବେଚ୍ଛାସେବୀ ସ˚ସ୍ଥା ମଧୢ ମାନବ ଅଧିକାରର ସୁରକ୍ଷା ଦିଗରେ ସଫଳ ଭୂମିକା ଗ୍ରହଣ କରିଛନ୍ତି।

ଆମ ଦେଶରେ ଏ ସମସ୍ତ ଆଇନଗତ ବ୍ୟବସ୍ଥା ଓ ସ୍ବାଧୀନ ବିଚାର ବିଭାଗ ଥିବା ସତ୍ତ୍ବେ କେତେକ କ୍ଷେତ୍ରରେ ମାନବ ଅଧିକାରର ଉଲ୍ଲ˚ଘନ ହେଉଛି ବୋଲି ବିଶ୍ବ କ୍ଷମା ସ˚ସ୍ଥା, ଆମେରିକା ପରରାଷ୍ଟ୍ର ବିଭାଗ ଓ ବାଣିଜ୍ୟ ବିଭାଗ ପକ୍ଷରୁ ବେଳେ ବେଳେ ଅଭିଯୋଗ ହୁଏ। ଏ ଦେଶରେ ନିରାପତ୍ତା ବାହିନୀ ଦ୍ବାରା ଅତ୍ୟଧିକ ବଳ ପ୍ରୟୋଗ, ପୁଲିସର ନକଲି ଏନ୍‌କାଉଣ୍ଟର ଓ ହାଜତରେ ମୃତ୍ୟୁର ଅଭିଯୋଗ କରନ୍ତି। ଭାରତରେ ଥିବା କେତେକ ମାନବ ଅଧିକାର ସୁରକ୍ଷା ସ˚ସ୍ଥା ମଧୢ ପୁଲିସ, ସୈନ୍ୟବାହିନୀ ଓ ଜେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ମାନବ ଅଧିକାର ହନନର ଅଭିଯୋଗ କରନ୍ତି। ଆମ ଦେଶରେ ଶିଶୁ ଶ୍ରମିକମାନଙ୍କର ବ୍ୟବହାର ସମ୍ବନ୍ଧରେ ଅଭିଯୋଗ ହୁଏ। ଏ ଅଭିଯୋଗ ଗୁଡ଼ିକରେ ଥିବା ଅତିର˚ଜନକୁ ବାଦ ଦେଲେ ମଧୢ ଏହା କେତେକା˚ଶରେ ସତ୍ୟ। ମାମଲା ଅନୁସନ୍ଧାନ ସମୟରେ ପୁଲିସ ଦ୍ବାରା ‘ଥାର୍ଡ ଡିଗ୍ରୀ’ ଅବଲମ୍ବନ କଥା ବେଶ୍‌ ଜଣାଶୁଣା। ଏହା ବେଆଇନ। ବଳ ପ୍ରୟୋଗକାରୀ ପୁଲିସ ଅଧିକାରୀ ବ୍ୟକ୍ତିଗତ ଭାବରେ ଏଥିରେ ଦାୟୀ ହେବା ଉଚିତ।

ଏହି ଦେଶୀ ଓ ବିଦେଶୀ ଅନୁଷ୍ଠାନମାନଙ୍କର ସମାଲୋଚନାରେ ଆକ୍ରାନ୍ତ ହୋଇ ଓ ଆମେରିକା ସରକାରଙ୍କ ଚାପରେ ୧୯୯୩ ମସିହାରେ କେନ୍ଦ୍ର ସରକାର protection of Human Rights Commission Act ତିଆରି କରି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଜାତୀୟ ମାନବ ଅଧିକାର କମିସନ ପ୍ରତିଷ୍ଠା କରିଛନ୍ତି। ପ୍ରତି ରାଜ୍ୟମାନଙ୍କରେ ମଧୢ ମାନବ ଅଧିକାର କମିସନ ଗଠିତ ହୋଇଛି। ଏହି କମିସନଗୁଡ଼ିକ ନାଗରିକ ଅଧିକାର ରକ୍ଷା ଦିଗରେ କାର୍ଯ୍ୟରତ। ତେବେ ଏ ସବୁ ଆହୁରି ସକ୍ରିୟ ହେବା ଦରକାର ବୋଲି ମତ ପ୍ରକାଶ ପାଇଥାଏ। ମାନବ ଅଧିକାରର ଅନ୍ୟ ଦିଗଟି ଯଥା, ଅର୍ଥନୈତିକ, ସାମାଜିକ ଓ ସା˚ସ୍କୃତିକ ଅଧିକାର ଯଥା ସବଳ ଲୋକଙ୍କୁ କର୍ମସ˚ସ୍ଥାନ, ସମସ୍ତଙ୍କ ନିମନ୍ତେ ଚିକିତ୍ସା, ଶିକ୍ଷା ଓ ବାସଗୃହର ବ୍ୟବସ୍ଥା ଆଦି ଦିଗରେ ମଧୢ ଭାରତ ସନ୍ତୋଷଜନକ ଅଗ୍ରଗତି କରିପାରିନାହିଁ। ଦେଶର ଦରିଦ୍ର ଜନସାଧାରଣଙ୍କ ନିମନ୍ତେ ମାନବ ଅଧିକାର ଯେତେଟା ଆଇନଗତ ସମସ୍ୟା ନୁହେଁ ତାହାଠାରୁ ଅଧିକ ଆର୍ଥିକ ଓ ସାମାଜିକ ସମସ୍ୟା। ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ଦେଶର ସାମୂହିକ ଅର୍ଥନୈତିକ ପ୍ରଗତି ଓ ସାମାଜିକ ଚେତନାର ବିକାଶ ଆବଶ୍ୟକ।
ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର