ଦୃଷ୍ଟିପାତ, ଯେତେ ମାଠିବୁ ମାଠ

‘ନଭେଲ କରୋନା ଭାଇରସ୍‌’ର ସଂକ୍ରମଣ ଯେତେବେ‌ଳେ ଚୀନକୁ ଏକ ଅତ୍ୟନ୍ତ ଗୁରୁଗମ୍ଭୀର ମାନବୀୟ ଧ୍ବଂସଲୀଳାର କେନ୍ଦ୍ରରେ ଛିଡ଼ା କରାଇଛି, ସେତିକି ବେଳେ ‘ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ’ ନ୍ୟାୟରେ ଚୀନାବାସୀଙ୍କ ସର୍ବଗ୍ରାସୀ କ୍ଷୁଧା ତଥାପି ପ୍ରଶମିତ ହୋଇ ନ ଥିବାର ସମ୍ବାଦ ପ୍ରକାଶିତ ହେଲାଣି। ଏବେ ପୃଥିବୀର ସମସ୍ତଙ୍କୁ ଜଣା ଯେ ଲକ୍ଷ ଲକ୍ଷ ସଂଖ୍ୟାରେ ସଂକ୍ରମଣର ଶିକାର କରି ଏବଂ ପ୍ରତି ଦିନ ଶହ ଶହ ବ୍ୟକ୍ତିଙ୍କ ମୃତ୍ୟୁର ଅନ୍ଧକୂପ ଭିତରକୁ ଠେଲି ଦେଇଥିବା ଏହି ଅତ୍ୟନ୍ତ ଘାତକ କରୋନା ଭୂତାଣୁ ବାଦୁଡ଼ି ବା ମତାନ୍ତରେ ସାପ ବା ପାଙ୍ଗୋଲିନ୍‌ ଭଳି ଜନ୍ତୁର ମାଂସରୁ ମଣିଷ ଶରୀରକୁ ଆସିବା ପରେ ଶ୍ବାସ ପ୍ରକ୍ରିୟାରେ ଜଣେ ମଣିଷ ଠାରୁ ଅନ୍ୟ ଜଣଙ୍କ ପାଖକୁ ଡେଇଁ ଏହି ମାନବୀୟ ବିପର୍ଯ୍ୟୟ ଘଟାଇଛି। ସେଥିଲାଗି ଚୀନରେ ଅତ୍ୟନ୍ତ ଲୋକପ୍ରିୟ ମାଂସ ବଜାର ବା ‘‌େୱଟ୍‌ ମାର୍କେଟ୍‌’କୁ ବନ୍ଦ କରି ଦିଆଯାଇଛି। ସବୁ ପ୍ରକାର ଆମିଷ ବିକ୍ରି ଓ ଭକ୍ଷଣ ଉପରେ ରୋକ ଲଗାଯାଇଛି। କିନ୍ତୁ ଏହା ଦ୍ବାରା ସାପ, କୁମ୍ଭୀର, ବାରହା, କୁକୁର, ଗୋଧି, ନେଉଳ, ଗୁଣ୍ଡୁଚି ମୂଷା, ବାଦୁଡ଼ି ଠାରୁ ଆରମ୍ଭ କରି ଅକ୍ଟୋପସ୍, ସମୁଦ୍ର କାକୁଡ଼ି ପର୍ଯ୍ୟନ୍ତରେ ବିଭିନ୍ନ ପ୍ରାଣୀ କିଛି ଦିନ ଲାଗି ଆୟୁଷର ରିହାତି ପାଇଗଲେ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ତାହା ଆପାତତଃ ଭୁଲ ବୋଲି ପ୍ରମାଣିତ ହେଲାଣି। କାରଣ ରଏଟର୍ସ ଦ୍ବାରା ପ୍ରକାଶିତ ଏକ ସମ୍ବାଦ ଅନୁସାରେ ଗଲା ସପ୍ତାହ‌େର ଚୀନ ସରକାରଙ୍କ ପକ୍ଷରୁ ବିଭିନ୍ନ ରେସ୍ତୋରାଁ, ଘର, ବଜାର ଆଦିରେ କରାଯାଇଥିବା ଚଢ଼ାଉରେ ପ୍ରାୟ ୭୦୦ ଲୋକଙ୍କୁ ନିୟମ ଅମାନ୍ୟ କାରଣରୁ ଗିରଫ କରାଯାଇଛି ଏବଂ ୪୦,୦୦୦ ପ୍ରାଣୀଙ୍କୁ ଆବଦ୍ଧ ଅବସ୍ଥାରେ ବିକ୍ରି ହେବା ଲାଗି ରହିଥିବା ବେଳେ ଜବତ କରାଯାଇଛି।

ଏହା ଅନେକଙ୍କୁ ଚକିତ କରିଥାଇପାରେ, କିନ୍ତୁ ଔଷଧୀୟ ଗୁଣ କାରଣରୁ ହେଉ ବା ସ୍ବାଦର ମୋହ କାରଣରୁ ହେଉ ବିନା ବାଛ ବିଚାରରେ ଯାବତୀୟ ପ୍ରକାର ପ୍ରାଣୀଙ୍କ ମାଂସ, ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଓ ରକ୍ତ ଇତ୍ୟାଦିକୁ କଞ୍ଚା ବା ରନ୍ଧନ ପରେ ଭକ୍ଷଣ କରିବାରେ ଚୀନାବାସୀଙ୍କ ଜାନ୍ତବ କ୍ଷୁଧାକୁ ଜାଣିଥିବା ଲୋକଙ୍କ ଲାଗି ଏହା ଆଦୌ ବିସ୍ମୟପ୍ରଦ ନୁହେଁ। ଅନେକ ନୃତତ୍ତ୍ବବିତ୍‌ଙ୍କ ମତରେ ମନୁ‌ଷ୍ୟର ଦନ୍ତପଂକ୍ତି ଏବଂ ପାଚନ ଯନ୍ତ୍ରର ଗଠନରୁ ଜଣାପଡ଼େ ଯେ ମନୁଷ୍ୟ ମୂଳତଃ ଶାକାହାରୀ। ଆମିଷହାରୀ ପ୍ରାଣୀଙ୍କ ଭଳି ମନୁଷ୍ୟର ‘କ୍ୟାନାଇନ୍‌’ ଦାନ୍ତ ଆଦୌ ସୁଗଠିତ ନାହିଁ। କିନ୍ତୁ ମଣିଷ ଆଜି କେବଳ ଆମିଷ ଭକ୍ଷଣରେ ନିଜକୁ ସୀମିତ ରଖିନାହିଁ, ସେ ସର୍ବଭୁକ୍‌ ହୋଇଯାଇଛି। ଏହାର ଏକ କୁପରିଣାମ ରୂପେ ‘କରୋନା ଭଳି ଭୟାବହ ଭୂତାଣୁଙ୍କ ସଂକ୍ରମଣ’ର ଶିକାର ହୋଇ ଏଭଳି ବିଚ୍ୟୁତି ଲାଗି କଡ଼ା ମୂଲ୍ୟ ଦେବାକୁ ବାଧ୍ୟ ହେଉଛି।

ସମ୍ବନ୍ଧିତ ଖବର