ଜିତଶତ୍ରୁ ମହାନ୍ତି

ଗଲା ଜୁଲାଇ ୧୫ ତାରିଖରେ ଇଂରେଜୀ ସମ୍ବାଦପତ୍ର ‘ଟାଇମ୍‌ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ସମ୍ବାଦ ମର୍ମାହତ କରିଥିଲା। ଖବରଟି ଥିଲା ଝାଡ଼ଖଣ୍ଡ ରାଜ୍ୟର ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତା ଯାଇଥିବା ବୋମା ଉପରେ ପାଦ ଥାପି ଏକ ୬ ବର୍ଷୀୟ ମାଈ ହାତୀର ମୃତ୍ୟୁ ସମ୍ବନ୍ଧୀୟ। ସେହି ବେମା ବିସ୍ଫୋରଣରେ ନିଜ ଗୋଡ଼ ହରାଇଥିବା ହାତୁଣୀର ଆକୁଳ ଚିତ୍କାରରେ ସେ ଦିନ ସେହି ବନାଞ୍ଚଳ ଥରି ଉଠିଥିଲା। ସେହି ଖବରରେ ଏହା ମଧ୍ୟ ପ୍ରକାଶିତ ହୋଇଥିଲା ଯେ ସେହି ଅରଣ୍ୟରେ ଏକ ୧୫ ବର୍ଷ ବୟସ୍କ ଦନ୍ତାହାତୀର ମୃତ୍ୟୁ ଅନୁରୂପ ଭାବେ ଘଟିଥିଲା, ଯେଉଁ କଥା ଡ୍ରୋନ୍‌ ମାଧ୍ୟମରେ ଠାବ କରାଯାଇଥିଲା। ପ୍ରକାଶ ଥାଉ କି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳକୁ ବନ ବିଭାଗର କର୍ମଚାରୀମାନେ ଯାଆନ୍ତି ନାହିଁ। ସେମିତି ଗଲା ଜୁଲାଇ ମାସରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ମାନିକପଡ଼ା ଅଂଚଳରେ ବିଚରଣ କରୁଥିବା ହାତୀ ଦଳକୁ ସ୍ଥାନୀୟ ଲୋକେ ନିଆଁ ହୁଳା ନିକ୍ଷେପ କରି ଘଉଡ଼ାଇ ଆଣିବାରୁ ପଳାୟନରତ ହାତୀଗୁଡ଼ିକ ସହିତ ଚଳନ୍ତା ଟ୍ରେନର ଧକ୍କା ହୋଇ ୩ଟି ହାତୀଙ୍କ ପ୍ରାଣ ଚାଲି ଯାଇଥିଲା। ସେହି ମାସରେ ଝାଡ଼ଖଣ୍ଡର ରାମଗଡ଼ ବନଖଣ୍ଡରେ ଏକ ଗର୍ଭିଣୀ ହାତୀ ସୁରକ୍ଷିତ ପ୍ରସବ ସ୍ଥାନ ଅନ୍ୱେଷଣ କରୁଥିବା ବେଳେ ହାଲିଆ ହୋଇ ଅଗତ୍ୟା କାରକାକନା ଓ ହଜାରିବାଗ ମଧ୍ୟରେ ଥିବା ରେଳ ଲାଇନ ଉପରେ ଛୁଆ ଜନ୍ମ କରିବାକୁ ବାଧ୍ୟ ହେଲା। ଏଭଳି ଅନେକ ଘଟଣା ପ୍ରତ୍ୟହ ଘଟୁଛି, ଯହିଁରେ ହାତୀଙ୍କ କଷଣ ପରିସ୍ଫୁଟ।
ଏଥିରେ ଦ୍ବିମତ ହେବାର ନାହିଁ ଯେ ବିକାଶର ଚିହ୍ନ ସ୍ବରୂପ ରାଜପଥ ଓ ରେଳପଥମାନ ଜଙ୍ଗଲ ଭିତର ଦେଇ ଯାଇ ହାତୀମାନଙ୍କ ଆଶ୍ରୟ ସ୍ଥଳକୁ ବିପଦସଂକୁଳ କରି ପକାଇଛି। କେବଳ ସେତିକି ନୁହେଁ, ଖଣି ଖାଦାନ ଠାରୁ ନେଇ ମାଓବାଦୀଙ୍କ କାରବାର ପର୍ଯ୍ୟନ୍ତ କାର୍ଯ୍ୟକଳାପ ଘନ ଜଙ୍ଗଲକୁ ମଧ୍ୟ ହାତୀମାନଙ୍କ ସକାଶେ ବିପଦାପନ୍ନ କଲାଣି। ସଂପ୍ରତି ପୃଥିବୀର ମାତ୍ର ଦୁଇଟି ମହାଦେଶ ଯଥା ଆଫ୍ରିକା(୩୭ଟି ଦେଶ) ଓ ଏସିଆ(୧୩ଟି ଦେଶ)ରେ ହାତୀ ଦେଖିବାକୁ ମିଳୁଛନ୍ତି। ସେମିତି କେବଳ ତିନି ପ୍ରକାର ହାତୀ ଦେଖିବାକୁ ମିଳୁଛନ୍ତି, ଯେମିତି କି ଆଫ୍ରକୀୟ ଜଙ୍ଗଲୀ, ଆଫ୍ରିକୀୟ ତୃଣଭୂମୀୟ ଓ ଏସୀୟ। ବିଭିନ୍ନ ସୂତ୍ରରୁ ଆହୃତ ତଥ୍ୟ ଅନୁସାରେ ଏକ ଆ‌ନୁମାନିକ ଆକଳନ କହେ ଯେ ଆଫ୍ରିକାର ତୃଣଭୂମୀୟ ହାତୀଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୮୦ ହଜାର, ଜଙ୍ଗଲୀ ହାତୀଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ଏବଂ ଏସୀୟ ହାତୀଙ୍କ ସଂଖ୍ୟା ପ୍ରାୟ ୫୦ ହଜାର। ତେବେ ହାତୀମାନଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟୁଥିବାରୁ ବର୍ତ୍ତମାନ ତିନିଟି ଯାକ ବର୍ଗର ହାତୀଙ୍କ ସ୍ଥିତିକୁ ସଙ୍କଟାପନ୍ନ ବୋଲି ଲାଲ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି।
ଆମେରିକାର କୋଲୋରାଡୋ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଫ୍ରିକା ମହାଦେଶର ହାତୀଙ୍କ ବାସସ୍ଥଳୀ ରୂପେ ପରିଚିତ ୪୭୫ଟି ସ୍ଥାନରେ ୧୯୬୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୫୩ ବର୍ଷ ଧରି କରାଯାଇଥିବା ଅନୁସନ୍ଧାନମୂଳକ ସନ୍ଦର୍ଭ ଅନୁସାରେ ଜଙ୍ଗଲୀ ଓ ତୃଣଭୂମୀୟ ହାତୀଙ୍କ ସଂଖ୍ୟା ଯଥାକ୍ରମେ ୯୦ ଓ ୭୦ ପ୍ରତିଶତ କମିଛି, ଯାହାର ମୁଖ୍ୟ କାରଣ ଦାନ୍ତ ଲାଗି ହାତୀ ଶିକାର। ତେବେ, ଏସିଆର ସ୍ଥିତି କିନ୍ତୁ ଅଲଗା। ତାହା ହେଉଛି ହାତୀମାନଙ୍କ ବିଧ୍ୱସ୍ତ ଓ ବିଖଣ୍ଡିତ ବାସସ୍ଥଳୀ ଏବଂ ଲୋକମାନଙ୍କର ପ୍ରତିରୋଧାତ୍ମକ ଓ ପ୍ରତିଶୋଧାତ୍ମକ ଆଚରଣ। ୨୦୧୭ ମସିହାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଆମ ଦେଶରେ ୨୯,୯୬୪ଟି ହାତୀ ଥିଲା। ୨୦୨୨-୨୩ର ଡି.ଏନ୍‌.ଏ. ପ୍ରୋଫାଇଲ ଓ କ୍ୟାମେରା ଖଞ୍ଜାଯାଇ କରାଯାଇଥିବା ଗଣତିର ଫଳାଫଳ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ, ଯଦିଓ କେତେକ ସୂତ୍ର ଅନୁଯାୟୀ ହାତୀ ସଂଖ୍ୟାରେ ଇତି ମଧ୍ୟରେ ୨୦ ପ୍ରତିଶତ ହ୍ରାସ ଘଟିଛି। ଏହି ହ୍ରାସର ପରିମାଣ ଦକ୍ଷିଣ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଅଧିକ ବୋଲି ମଧ୍ୟ କୁହାଯାଉଛି। ଅପର ପକ୍ଷରେ ଆମ ରାଜ୍ୟରେ ବହୁ ବର୍ଷ ଧରି ୨,୦୦୦ ପାଖାପାଖି ଏକ ସ୍ଥିର ସଂଖ୍ୟକ ହାତୀ ବାସ କରି ଆସୁଥିବା କଥା କୁହାଯାଉଥିଲା। 
ହାତୀ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟା ମନୁଷ୍ୟ ସୃଷ୍ଟ। ଜଙ୍ଗଲ ନଷ୍ଟ କରି ମନୁଷ୍ୟ ବନ୍ୟ ପ୍ରାଣୀମାନଙ୍କର ଆହାରର ଉତ୍ସ ଓ ଆଶ୍ରୟ ସ୍ଥଳକୁ ଭୀଷଣ ସଂକୁଚିତ କରିଛି। ତେଣୁ ହାତୀ ସମେତ ଅନେକ ପ୍ରାଣୀ ବାଧ୍ୟ ହୋଇ ଜଙ୍ଗଲରୁ ବାହାରି ମନୁଷ୍ୟ ସହିତ ଅଗତ୍ୟା ମୁହାଁମୁହିଁ ହେଉଛନ୍ତି। ଏହି ସଂଘାତରେ ହାତୀମାନଙ୍କ ଅସ୍ବାଭାବିକ ମୃତ୍ୟୁ ଘଟୁଛି। ଏକ ଅନୁଧ୍ୟାନରୁ ଜଣାପଡ଼େ ଯେ ୬୯ ପ୍ରତିଶତ ହାତୀ ବିଦ୍ୟୁତ୍‌ ଆଘାତରେ ମରୁଥିବା ବେଳେ ୧୭ ପ୍ରତିଶତ ଶିକାରୀ ଗୁଳି ଓ ବିଷ ଦ୍ବାରା ଓ ୧୪ ପ୍ରତିଶତ ରେଳ ଧକ୍କାରେ ମରୁଛନ୍ତି। 
ହାତୀ ଏକ ଅତିକାୟ ଚତୁଷ୍ପଦ ଯାହା ଜଙ୍ଗଲ ଭିତରେ ଶହ ଶହ କିଲୋମିଟର ବାଟ ଚାଲେ। କିନ୍ତୁ ବିଡ଼ମ୍ବନା ହେଲା, ଜଙ୍ଗଲ କମି ଯାଇଥିବାରୁ ହାତୀ ଲାଗି ଏଭଳି ପାରିଧି ଆଉ ସମ୍ଭବପର ହେଉନାହିଁ। ତା’ର ପାରଂପରିକ ବିଚରଣ ପଥରେ ବସତିମାନ ଗଢ଼ି ଉଠି ମୁକ୍ତ ବିଚରଣରେ ବାଧା ଉତ୍ପନ୍ନ କରୁଛି। ଜଙ୍ଗଲରେ ଚାଲିଲା ବେଳେ ହାତୀ ପଲ ରାଜ୍ୟ-ରାଜ୍ୟ ଭିତରେ ଥିବା ଭୌଗୋଳିକ ସୀମାରେଖା ଦେଖନ୍ତି ନାହିଁ। କିନ୍ତୁ ମନୁଷ୍ୟ ନିଜ ବିଚାରର ସଂକୀର୍ଣ୍ଣତା ଦେଖାଇ ହାତୀମାନଙ୍କୁ ଝାଡ଼ଖଣ୍ଡୀ ବା ବଙ୍ଗାଳୀ ବା ଛତିଶଗଡ଼ୀ ହାତୀ ରୂପେ ସଂବୋଧନ କଲାଣି। ହାତୀ ଭଳି ବନ୍ୟ ଜନ୍ତୁଙ୍କ ତିଷ୍ଠି ରହିବାରେ ମନୁଷ୍ୟର ସଂକୀର୍ଣ୍ଣ ଓ ସ୍ବଳ୍ପ ଦୃଷ୍ଟି ସଂପନ୍ନ ବିଚାର ଯେ ସବୁଠାରୁ ଅଧିକ ବଡ଼ ପ୍ରତିବନ୍ଧକ ଏହା ଯେ କେହି ସ୍ବୀକାର କରି‌େବ। ଏଭଳି ସ୍ଥଳେ ଗଜ ଉଦ୍ଧାରଣ ଚିନ୍ତା କେବଳ ଚିନ୍ତାରେ ହିଁ ରହିଯିବା ଭଳି ଲାଗେ।
(ଗଲା ୧୨ ତାରିଖରେ ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଛି)
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩