ସାମାଜିକ ଗଣତନ୍ତ୍ର ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ରର ଭିତ୍ତିଭୂମି। ରାଷ୍ଟ୍ରର ସଫଳତା ଓ ବିଫଳତା ଏହା ଉପରେ ନିର୍ଭର କରେ। ସାମାଜିକ ଗଣତନ୍ତ୍ରର ପରିଭାଷା କହେ, ଏହା ସେଠାରେ ସମ୍ଭବ ହୋଇଥାଏ, ଯେଉଁଠାରେ ସାମାଜିକ ସମାନତା, ସାମାଜିକ ନ୍ୟାୟ, ସ୍ବତନ୍ତ୍ରତା ଓ ଭ୍ରାତୃତ୍ବ ପ୍ରତିଷ୍ଠା ଲାଭ କରିଥାଏ। ବିଶେଷ କରି ଏହା ଏଭଳି ଏକ ସମାଜ ଯହିଁରେ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଗତ ଭେଦ ଭାବ ନଥିବ। ଲର୍ଡ ବ୍ରାଇସଙ୍କ ମତରେ ପ୍ରକୃତ ଗଣତନ୍ତ୍ର ତାହାକୁ କୁହାଯାଏ, ଯେଉଁ ଗଣତନ୍ତ୍ରରେ କ୍ଷମତା ଗୋଟିଏ ଶ୍ରେଣୀ ହାତରେ ନ୍ୟସ୍ତ ନ ରହି ସମଗ୍ର ସମାଜ ହାତରେ ନ୍ୟସ୍ତ ଥାଏ। ସେହି ସଂଦର୍ଭରେ ଭାରତରେ ସାମାଜିକ ଗଣତନ୍ତ୍ରର ମୂଲ୍ୟାଙ୍କନ କରିବାର ଏକ ପ୍ରୟାସ କରାଯାଉ। ଏହା ବିଶେଷ କରି ଆଜି ପ୍ରାସଙ୍ଗିକ କାରଣ ଆଜି ହେଉଛି ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଦିନ ଏବଂ ସମସ୍ତେ ଜାଣନ୍ତି ଯେ ବାବା ସାହେବ ଥିଲେ ସାମାଜିକ ଗଣତନ୍ତ୍ରର ସୂତ୍ରଧର। ସମାଜରୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଶ୍ରେଣୀଗତ ଭେଦଭାବ ଦୂର ହେଲେ ଯାଇ ପ୍ରକୃତ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ବୋଲି ସେ ଦୃଢ଼ ଯୁକ୍ତି ବାଢ଼ିଥିଲେ।
ବାବା ସାହେବ ଆମ୍ବେଦକର ଦଳିତ ଜାତିରେ ଜନ୍ମଲାଭ କରିଥିବାରୁ ସାମାଜିକ ତାଡ଼ନାର ଶିକାର ହୋଇଥିଲେ। ତଥାପି ସେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ଡିଗ୍ରୀଧାରୀ ହୋଇପାରିଥିଲେ। କିନ୍ତୁ ବିଡ଼ମ୍ବନା, ତା’ ସେତ୍ତ୍ବ ଏ ସମାଜ ତାଙ୍କୁ ଉଚିତ ସମ୍ମାନ ଦେଇ ନ ଥିଲା। ଏକ ବିକାରଗ୍ରସ୍ତ ସମାଜ ବିରୋଧରେ ସେ ତାଙ୍କର ଲଢ଼େଇ ଆରମ୍ଭ କରିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ସେ ଥିଲେ ପ୍ରଥମ ସଂସ୍କାରକ, ଯିଏ ଯୁକ୍ତି ବାଢ଼ିଥିଲେ ଯେ ସାମାଜିକ ପରିବର୍ତ୍ତନ, ପ୍ରଗତି, ସାମାଜିକ ନ୍ୟାୟ ଓ ସମାନତା ହାସଲ କଲା ପରେ ଯାଇ ରାଜନୈତିକ ସ୍ବାଧୀନତାର ଦାବି ଯଥାର୍ଥ ହେବ। କାରଣ ଗୋଟିଏ ଦେଶ ସ୍ବାଧୀନତା ଲାଭ କରିପାରେ; କିନ୍ତୁ ଯଦି ସାମାଜିକ ଗଣତନ୍ତ୍ର ପ୍ରତିଷ୍ଠା ନ ହୋଇଛି, ତେବେ ଦେଶବାସୀ ପ୍ରକୃତ ପେକ୍ଷ ପରାଧୀନ ହୋଇ ରହିଯିବେ। ସେମିତି ସ୍ଥଳେ ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚ ଜାତି ବା ଧନିକ ଶ୍ରେଣୀର ଶାସନ ଚାଲିବ, ଯାହା ଏକ ବିପଜ୍ଜନକ ପରଂପରା ସୃଷ୍ଟି କରିବ। ରାଜନୈତିକ ଗଣତନ୍ତ୍ରର ସଫଳତା ପାଇଁ ଏକ ସଂସ୍କାରୀ, ପ୍ରଗତିବାଦୀ, ସଚେତନଶୀଳ ସମାଜର ଆବଶ୍ୟକତା ରହିଛି। ତାଙ୍କ ମତରେ ଏକ ଅଗଣତାନ୍ତ୍ରିକ ସରକାର ଅପେକ୍ଷା ରକ୍ଷଣଶୀଳ ବା ରୁଢ଼ିବାଦୀ ସମାଜ ବ୍ୟକ୍ତିକୁ ଅଧିକ ନିର୍ଯାତନା ଦିଏ। ତେଣୁ ସେ ସାମାଜିକ ପରିବର୍ତ୍ତନ ଓ ସାମାଜିକ ଗଣତନ୍ତ୍ର ଉପରେ ଅଧିକ ଗୁରୁତ୍ବ ଦେଇଥିଲେ।
ଭାରତରେ ସାମାଜିକ ପରିବର୍ତ୍ତନ ପାଇଁ ତାଙ୍କ ଆହ୍ବାନରେ ସାମାଜିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ୧୯୩୦ ମସିହା ମେ ମାସରେ। ନାସିକ ଠାରେ ଅବସ୍ଥିତ କାଲାରାମ ମନ୍ଦିରକୁ ଦଳିତମାନଙ୍କୁ ପ୍ରବେଶ ନିଷେଧ ଥିଲା। ପ୍ରାୟ ୧୫୦୦ ପୁରୁଷ ଓ ୫୦୦ ମହିଳାଙ୍କୁ ଧରି ସେ ସତ୍ୟାଗ୍ରହ ଆରମ୍ଭ କରିଥିଲେ; ଉଦ୍ଦେଶ୍ୟ ଥିଲା ଦଳିତମାନଙ୍କର ମନ୍ଦିର ପ୍ରବେଶ ଅଧିକାରକୁ ସାବ୍ୟସ୍ତ କରିବା। କିନ୍ତୁ ମନ୍ଦିରର ଦ୍ବାରକୁ ବନ୍ଦ କରିଦିଆଗଲା। ଏହି ସାମାଜିକ ଆନ୍ଦୋଳନ ଯେଉଁ ବାର୍ତ୍ତା ଦେଇଥିଲା, ତାହା ହେଲା ଈଶ୍ବରଙ୍କ ପାଇଁ ସମସ୍ତେ ସମାନ। ମଣିଷକୃତ ଭେଦଭାବ ଦୂର କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା। ଆମ୍ବେଦକରଙ୍କ ପୂର୍ବରୁ ଅନେକ ସମାଜ ସଂସ୍କାରକ ଭାରତରେ ଜନ୍ମ ନେଇଛନ୍ତି। ଖ୍ରୀଷ୍ଟପୂର୍ବ କାଳରୁ ଗୌତମ ବୁଦ୍ଧଙ୍କ ଠାରୁ ପ୍ରାରମ୍ଭ କରି କବୀର ହୁଅନ୍ତୁ ବା ମହାରାଷ୍ଟ୍ରର ଜ୍ୟୋତିବା ଫୁଲେ ହୁଅନ୍ତୁ ବା କେରଳର ନାରାୟଣ ଗୁରୁ ହୁଅନ୍ତୁ; ଏମାନେ ସମସ୍ତେ ଜାତି ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ, କିନ୍ତୁ ଦଳିତ, ଜନଜାତି, ପଛୁଆ ବର୍ଗ ଓ ନାରୀମାନଙ୍କୁ ସାମାଜିକ ନ୍ୟାୟ ଓ ଆଇନଗତ ଅଧିକାର ପ୍ରଦାନ କରାଇବାରେ ଆମ୍ବେଦକର ଥିଲେ ପ୍ରଥମ ସମାଜ ସଂସ୍କାରକ।
ଆମ୍ବେଦକର ଦଳିତମାନଙ୍କର ପ୍ରତିନିଧି ଭାବରେ ଲଣ୍ଡନ ଠାରେ ହୋଇଥିବା ପ୍ରଥମ ଗୋଲ ଟେବଲ ବୈଠକରେ ୧୯୩୦ ମସିହା ନଭେମ୍ବର ମାସରେ ଯୋଗ ଦେଇଥିଲେ। ବ୍ରିଟିସ୍ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ସେ ସେଠାରେ ଦଳିତମାନଙ୍କ ସହିତ କିପରି ଅମାନବିକ ବ୍ୟବହାର କରାଯାଉଛି, ତା’ର ଏକ ଭାବଗର୍ଭକ ବର୍ଣ୍ଣନା କରିଥିଲେ। ସେଠାରେ ସେ ବ୍ରିଟିସ୍ ସରକାରଙ୍କୁ ସମାଲୋଚନା କରିବା ସହିତ କହିଥିଲେ ଯେ ୧୫୦ ବର୍ଷର ବ୍ରିଟିସ୍ ଶାସନ ଦଳିତମାନଙ୍କର ସ୍ଥିତିରେ କୌଣସି ପରିବର୍ତ୍ତନ ଆଣି ନ ପାରିବା ହେଉଛି ଅତ୍ୟନ୍ତ ଦୁଃଖଦାୟକ। ତେଣୁ ସେ ଦଳିତମାନଙ୍କ ଲାଗି ସ୍ବତନ୍ତ୍ର ରାଜନୈତିକ ଅଧିକାର ଦାବି କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୮ ମସିହାରେ ମାଡ୍ରାସ ବିଧାନ ପରିଷଦ ଦ୍ବାରା Removal of civil disability act ଗୃହୀତ ହୋଇଥିଲା ଓ ଆଇନତଃ ଦଳିତମାନଙ୍କୁ ମନ୍ଦିର ପ୍ରବେଶ ଅଧିକାର ମିଳିଥିଲା। ପରେ ପରେ ଗାନ୍ଧୀଜୀ ଓ ଜାତୀୟ କଂଗ୍ରେସ ଅସ୍ପୃଶ୍ୟତା ଉଚ୍ଛେଦ ଆନ୍ଦୋଳନକୁ ଆଗକୁ ନେଇଥିଲେ।
ସେହିପରି ଆମ୍ବେଦକର ମହିଳାମାନଙ୍କର ଅଧିକାର ପାଇଁ ମଧ୍ୟ ଲଢ଼େଇ କରିଥିଲେ। ସେ କହୁଥିଲେ ଯେ ମହିଳାମାନଙ୍କର ପ୍ରଗତି ଦ୍ବାରା ହିଁ ସମାଜର ପ୍ରଗତି ସମ୍ଭବ ଏବଂ ମହିଳାମାନଙ୍କ ପ୍ରଗତିର ଚିତ୍ର ହେଉଛି ସମାଜର ମନୋଭାବ ମାପିବାର ବ୍ୟାରୋମିଟର। ମହିଳାମାନଙ୍କ ଲାଗି ସମାନ ଅଧିକାର ଦେବା ପାଇଁ ସମ୍ବିଧାନର ଧାରା ୧୫ ଏକ ବଡ଼ ଅସ୍ତ୍ର। ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଦୃଷ୍ଟିଭଙ୍ଗୀର ଏହା ଏକ ପ୍ରମାଣ। ଏହି ଧାରା ୧୫ ଅନୁସାରେ ରାଷ୍ଟ୍ର ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରିପାରିବ ନାହିଁ। ବରଂ ଶିକ୍ଷା ଓ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଆରକ୍ଷଣ ବ୍ୟବସ୍ଥା ରହିବ। ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ଅଧିକାର ରହିବ।
ଆମ୍ବେଦକର ବ୍ରିଟିସ୍ ଭାଇସରଏଙ୍କ କାର୍ଯ୍ୟକାରୀ ପରିଷଦରେ ସଭ୍ୟ ଥିଲେ। ସେତିକି ବେଳେ ଶ୍ରମିକମାନଙ୍କ ମଙ୍ଗଳ ପାଇଁ ସେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ସରକାରଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ସମାଜ ହାତରେ ରହିବା ଉଚିତ। ଭାରତ କେବଳ ସ୍ବାଧୀନତା ପାଇଯିବା ବଡ଼ କଥା ନୁହେଁ; ବରଂ କାହା ହାତରେ କ୍ଷମତା ରହୁଛି ତାହା ହିଁ ନିର୍ଦ୍ଧାରଣ କରିବ ଭାରତୀୟ ଗଣତନ୍ତ୍ରର ଭାଗ୍ୟ ଏବଂ ତାହା ହେଉଛି ଅଧିକ ଗୁରୁତ୍ବପୂର୍ଣ୍ଣ। ଏପ୍ରିଲ ୧୯୪୪ ମସିହାରେ ଶ୍ରମିକମାନଙ୍କୁ ଦରମା ସହିତ ଛୁଟି ପ୍ରଦାନ କରିବା ପ୍ରସ୍ତାବ ସେ ଦେଇଥିଲେ। ଏତଦ୍ ବ୍ୟତୀତ ଶ୍ରମିକ ସଂଘକୁ ସ୍ବୀକୃତି ଦେବା, ମହିଳା ଶ୍ରମିକମାନଙ୍କ ପାଇଁ ପ୍ରସବକାଳୀନ ଛୁଟି ପ୍ରଦାନ କରିବା ଇତ୍ୟାଦିର ପ୍ରସ୍ତାବ ସେ ଦେଇଥିଲେ।
ସେ ଏପରି ଏକ ସମ୍ବିଧାନ ତିଆରି କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲେ, ଯହିଁରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳାଙ୍କୁ ସମାନ ଅଧିକାରର ବ୍ୟବସ୍ଥା ରହିବ। ଭାରତରେ ସାମାଜିକ ଗଣତନ୍ତ୍ର ପ୍ରତିଷ୍ଠିତ ହେବା ତାଙ୍କର ଲକ୍ଷ୍ୟ ଥିଲା। ସମ୍ବିଧାନର ୧୭ ଧାରା ଅନୁସାରେ ଅସ୍ପୃଶ୍ୟତା ଉଚ୍ଛେଦ କରାଯାଇଥିଲା। ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ପାଇଁ ସ୍ବତନ୍ତ୍ର ସ୍ଥାନ ଆରକ୍ଷଣ କରାଯାଇଥିଲା। ତେବେ, ଏହା ମଧ୍ୟ ସତ ଯେ ଦୂରଦୃଷ୍ଟିସଂପନ୍ନ ଆମ୍ବେଦକର ଏଭଳି ମତ ମଧ୍ୟ ରଖିଥିଲେ ଯେ ଏହି ବ୍ୟବସ୍ଥାର ପ୍ରତି ଦଶ ବର୍ଷରେ ଥରେ ସମୀକ୍ଷା କରାଯିବା ଉଚିତ। ସେ ଚାହୁଁଥିଲେ ଯେ ସୀମାନ୍ତରିତ ବର୍ଗ ସଶକ୍ତ ହୁଅନ୍ତୁ, କିନ୍ତୁ କୌଣସି ଦୀର୍ଘକାଳୀନ ସ୍ବତନ୍ତ୍ର ସୁବିଧା ଏକ ଆଶାବାଡ଼ିରେ ପରିଣତ ନ ହେଉ। ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ପ୍ରଣୀତ ସମ୍ବିଧାନର ଲକ୍ଷ୍ୟ ଥିଲା ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ବ ପ୍ରତିଷ୍ଠା। ତେବେ, ଏହା ଆଜି କେତେ ଦୂର ସମ୍ଭବ ହୋଇପାରିଛି, ତାହା ଏକ ଭିନ୍ନ ପ୍ରସଙ୍ଗ।
ତେବେ ଦୁର୍ଭାଗ୍ୟଜନକ ଭାବେ ଆଜି ପର୍ଯ୍ୟନ୍ତ ଦଳିତମାନଙ୍କ ଉପରେ ଅତ୍ୟାଚାର ଚାଲିଛି। ଜାତିଗତ ବିଦ୍ବେଷ ଏବେ ସୁଦ୍ଧା କାଏମ ଅଛି। ଏଠାରେ ସ୍ମରଣଯୋଗ୍ୟ ଯେ କିଛି ବର୍ଷ ତଳେ କେନ୍ଦ୍ରାପଡ଼ାର କେରେଡ଼ା ଗଡ଼ ଠାରେ ଦଳିତମାନଙ୍କୁ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିବାକୁ ଦିଆ ନଯିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଲା ୨୦୨୦ ମସିହା ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶ ହଥରସ ଠାରେ ଏକ ଦଳିତ କନ୍ୟାକୁ ଯେପରି ଗଣଧର୍ଷଣ କରି ମାରି ଦିଆଗଲା ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏବେ ମଧ୍ୟ ଅନେକ ଅଞ୍ଚଳରେ ଦଳିତ ଯୁବକ ସବର୍ଣ୍ଣ କନ୍ୟାଙ୍କୁ ବିବାହ କଲେ ସମାଜ ଆଖିରେ ଦୋଷୀ ଭାବେ ପରିଗଣିତ ହୋଇ ଦଣ୍ଡ ସ୍ବରୂପ ଜୀବନ ମଧ୍ୟ ଦେଉଛନ୍ତି। ଅତି ସାଧାରଣ ଭାବେ ଗ୍ରହଣ କରି ନିଆଯାଉଥିବା ଭଳି ଘଟଣାରେ ଏହା ବି ଦେଖାଯାଉଛି ଯେ ସ୍କୁଲର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଦଳିତ ପରିବାରର ପିଲାମାନେ ଅଲଗା ଭାବେ ଭୋଜନ କରୁଛନ୍ତି। ସେମିତି ନାରୀମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ଯେପରି ବଢ଼ିବାରେ ଲାଗିଛି, ତାହା ଭାରତରେ ସାମାଜିକ ଗଣତନ୍ତ୍ରର ସଫଳତା ନେଇ ସନ୍ଦେହ ସୃଷ୍ଟି କରୁଛି। ଜାତୀୟ ଅପରାଧ ବ୍ୟୁରୋ ଅନୁସାରେ ପ୍ରତି ୨୦ ମିନିଟ୍ରେ ଭାରତରେ ଜଣେ ନାରୀ ବଳାତ୍କାରର ଶିକାର ହୁଅନ୍ତି। ଶିଶୁ କନ୍ୟାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି। ଏବେ ମଧ୍ୟ ଝିଅମାନଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ବାସ୍ତବତାଠାରୁ ବହୁତ ଦୂରରେ। ପରିବାର ଭିତରେ ନିଜର ଅତ୍ୟନ୍ତ ନିକଟତମ ସଂପର୍କୀୟମାନଙ୍କ ଦ୍ବାରା ମଧ୍ୟ ସେମାନଙ୍କ ପ୍ରତି ପାତରଅନ୍ତର କରାଯାଉଛି। ରାଜନୀତିରେ ମହିଳାମାନଙ୍କର ସଂଖ୍ୟା ଅତି ନଗଣ୍ୟ ଓ ରାଜ୍ୟ ବା ଜାତୀୟ ସ୍ତରୀୟ ରାଜନୀତିରେ ସେମାନଙ୍କ ଅଧିକ ପ୍ରବେଶକୁ ପ୍ରେତ୍ସାହନ ଦେବା ଲାଗି ଆରକ୍ଷଣ ବ୍ୟବସ୍ଥା କରିବା ନେଇ କୌଣସି ରାଜନୈତିକ ଦଳ ଆଗ୍ରହୀ ନୁହନ୍ତି। ସେମିତି ଜନଜାତିମାନଙ୍କ କଥା ମଧ୍ୟ ଅତ୍ୟନ୍ତ ହତାଶାଜନକ। େସମାନେ ଏବେ ସୁଦ୍ଧା ସବୁଠାରୁ ଦରିଦ୍ର ବର୍ଗରେ ଯାଆନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସୁବିଧାରୁ ଏମାନେ ବଞ୍ଚିତ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ଜନଜାତିମାନେ ହିଁ ସବୁଠାରୁ ଅଧିକ ବାସ୍ତୁହରା ହୁଅନ୍ତି। ସୁତରାଂ, ଏବେ ସମୟ ଆସିଛି ବୁଦ୍ଧିଜୀବୀମାନେ ନିରବ ନ ରହି ଦେଶରେ ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଆଗଭର ହୁଅନ୍ତୁ। ଜାତିପ୍ରଥା ବିରୋଧରେ ବା ଲିଙ୍ଗଗତ ସାମ୍ୟ ସକାଶେ ଦେଶରେ ଆଇନ ଅଛି, କିନ୍ତୁ ମାନସିକତାରେ ପରିବର୍ତ୍ତନ ନ ଆସିଲେ ବିଶେଷ ଲାଭ ନାହିଁ। କହିବା ଅନାବଶ୍ୟକ ଯେ ଆମ୍ବେଦକର ଆରମ୍ଭ କରିଥିବା ସାମାଜିକ ଆନ୍ଦୋଳନର ପ୍ରାସଙ୍ଗିକତା ଏବେ ବି ରହିଛି। ମାନବିକ ଅଧିକାର ପ୍ରତି ସମ୍ମାନ ହିଁ ହେଉଛି ସାମାଜିକ ଗଣତନ୍ତ୍ରର ମୂଳ ଭିତ୍ତି। ସମସ୍ତେ ମନେ ରଖିବା ଉଚିତ ଯେ ସାମାଜିକ ଗଣତନ୍ତ୍ର ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ରାଜନୈତିକ ଗଣତନ୍ତ୍ର ଅସଂପୂର୍ଣ୍ଣ ହୋଇ ରହିବ। ବାବା ସାହେବ ଆମ୍ବେଦକର ଠିକ ଏହା ହିଁ କହୁଥିଲେ।
ମାତୃନିବାସ
କୋପରେଟିଭ୍ କଲୋନି, ରାୟଗଡ଼ା
ମୋ-୯୪୩୭୮୬୩୨୯୯