ଭାରତ ଅଧିକ କୋଇଲା ଉତ୍ତୋଳନରୁ କ୍ଷାନ୍ତ ରହୁ

ବିଜୟ କେତନ ପଟ୍ଟନାୟକ

ବିଶ୍ବର ବିଭିନ୍ନ ଦେଶରେ ଗଚ୍ଛିତ ଥିବା କୋଇଲା ଭଣ୍ତାର ସାରଣୀରେ ଭାରତର ସ୍ଥାନ ପଞ୍ଚମ। କିନ୍ତୁ କୋଇଲା ଉତ୍ପାଦନକୁ ବିଚାରକୁ ନେଲେ, ଆମ ଦେଶ ବିଶ୍ବର ଦ୍ବିତୀୟ ପ୍ରମୁଖ ଦେଶ। ଦେଶରେ କୋଇଲା ଉତ୍ପାଦନ ଲକ୍ଷ୍ୟ ୨୦୨୧ ମସିହା ପାଇଁ ୭୫୦ ମିଲିୟନ୍‌ (ନିୟୁତ) ଟନ୍‌ ଧାର୍ଯ୍ୟ କରାଯାଇଥିବା ବେଳେ, ୨୦୨୪ ମସିହା ବେଳକୁ ଏହି ଲକ୍ଷ୍ୟ ଏକ ବିଲିୟନ୍‌ (୧୦୦୦ ମିଲିୟନ୍‌) ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଏ। ୨୦୧୮ ମାର୍ଚ୍ଚ ସୁଦ୍ଧା ଦେଶରେ କୋଇଲା ଭଣ୍ତାରରେ ଗଚ୍ଛିତ ଥିବା କୋଇଲାର ପରିମାଣ ଥିଲା ୩୨୦ ବିଲିୟନ ଟନ୍‌। ତନ୍ମଧୢରୁ ୭୦% ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଯଥା ଝାଡ଼ଖଣ୍ତ, ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହିଛି। ଦେଶରେ ଗଚ୍ଛିତ କୋଇଲା ଭଣ୍ତାରର ପରିମାଣକୁ ବିଚାରକୁ ନେଲେ, ଝାଡ଼ଖଣ୍ତ ରାଜ୍ୟ ତଳକୁ ଓଡ଼ିଶାର ସ୍ଥାନ ଦ୍ବିତୀୟ। ଆମ ରାଜ୍ୟରେ ପାଖାପାଖି ୮୦ ବିଲିୟନ୍‌ ଟନ୍‌ କୋଇଲା ଗଚ୍ଛିତ ରହିଛି, ଯାହାକି ଦେଶର ମୋଟ ଗଚ୍ଛିତ ପରିମାଣର ୨୪%ରୁ ଅଧିକ। ଅବିଭକ୍ତ ଢେଙ୍କାନାଳ (ସ˚ପ୍ରତି ଅନୁଗୁଳ), ସମ୍ବଲପୁର ଏବ˚ ସୁନ୍ଦରଗଡ଼ (ଝାରସୁଗୁଡ଼ା) ଜିଲ୍ଲାରେ ସର୍ବାଧିକ ପରିମାଣରେ କୋଇଲା ମହଜୁଦ୍‌ ଅଛି। ସା˚ପ୍ରତିକ ସ୍ଥିତିରେ ‘ଶକ୍ତି’ ହିଁ ବିକାଶର ମାପକାଠି। ଦେଶର ତଥା ବିଶ୍ବର ପ୍ରଗତିରେ ‘ଶକ୍ତି’ର ଅବଦାନ ଅପରିକଳ୍ପନୀୟ। ଆମ ଦେଶରେ ୭୦% ଶକ୍ତି ଉତ୍ପାଦନ, କୋଇଲା ଭିତ୍ତିକ ତାପଜ ଶକ୍ତି କେନ୍ଦ୍ରରୁ ହୋଇଥାଏ। ତେଣୁ କୋଇଲାକୁ ପ୍ରକାରାନ୍ତରେ ‘କଳା ହୀରା’ କୁହାଯାଏ।

କୋଇଲାକୁ ଇନ୍ଧନ ରୂପେ ବ୍ୟବହାର କରି ଆମେ ୭୦ରୁ ୭୫% ଶକ୍ତି ଉତ୍ପାଦନ କରୁ‌େଛ। ପୂର୍ବରୁ କୁହାଯାଇଛି କୋଇଲା ଉତ୍ପାଦନରେ ବିଶ୍ବରେ ଭାରତ ଦ୍ବିତୀୟ ପ୍ରମୁଖ ଦେଶ। କିନ୍ତୁ ଏଣେ କୋଇଲା ଭଳି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ହିଁ ବାୟୁ ପ୍ରଦୂଷଣ ଓ ବିଶ୍ବ ତାପରେ ପ୍ରମୁଖ କାରଣ। ତଥାପି ବିକାଶର ପ୍ରବର୍ତ୍ତକମାନେ ପ୍ରଶ୍ନ କରନ୍ତି ଯେ ଆମେ କୋଇଲା ଉତ୍ପାଦନରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ନ ରହି ପ୍ରଥମ ହୋଇପାରିବା ନାହିଁ କାହିଁକି? ସୁତରାଂ, ଏହି ଚିନ୍ତାଧାରାରେ ୨୦୨୦ ମସିହା ଜୁନ୍‌ ମାସରେ ଦେଶର ଆଉ ୪୧ଟି କୋଇଲା ଭଣ୍ତାରକୁ ନିଲାମ କରି ବାଣିଜ୍ୟିକ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ବିଚାର କରାଗଲା। ଏହି ୪୧ଟି ବ୍ଲକ୍‌ ମଧୢରେ ଆମ ଓଡ଼ିଶାର ୯ଟି କୋଇଲା ବ୍ଲକ୍‌ ରହିଛି। ସେଗୁଡ଼ିକ ହେଉଛି ବ୍ରାହ୍ମଣ ବିଲ- କରଡ଼ାବାହାଲ, ଛେଣ୍ତିପଦା (୧), ଛେଣ୍ତିପଦା (୨), ମାଛକଟା, ମହାନଦୀ, ଫୁଲଝରି (ପୂର୍ବ), ଫୁଲଝରି (ପଶ୍ଚିମ), ରାଧିକାପୁର (ପୂର୍ବ) ଓ (ପଶ୍ଚିମ)। ଏ ସମସ୍ତ କୋଇଲା ବ୍ଲକ୍‌ ତାଳଚେର କୋଇଲା ବ୍ଲକ୍‌ ଅନ୍ତର୍ଗତ ଓ ଏବେକାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ। ଅନ୍ୟ କୁରଲୋଇ (୧) ବ୍ଳକ୍‌ଟି ଇବ୍‌ ଭ୍ୟାଲି କୋଇଲା ବ୍ଲକ୍‌ ଅନ୍ତର୍ଗତ ଓ ଝାରସୁଗୁଡ଼ା ଜିଲ୍ଲାରେ ରହିଛି। ଦେଖିବାକୁ ଗଲେ ତାଳଚେର କୋଇଲା ବ୍ଲକ୍‌ ଓଡ଼ିଶାର ସର୍ବବୃହତ୍‌ ଏବ˚ ୫୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ, ଏହି କୋଇଲା ବ୍ଲକ୍‌ରୁ ୩୬୬.୫ ମିଲିୟନ୍‌ ଟନ୍‌ ଉତ୍ତୋଳନ କରିବାର କ୍ଷମତା ରହିଛି। ଦ୍ବିତୀୟ ବୃହତ୍‌ ଇବ୍‌ ଉପତ୍ୟକା କୋଇଲା ଭଣ୍ତାରରୁ ୨୫୪୭ ମିଲିୟନ୍‌ ଟନ୍‌ କୋଇଲା ଉତ୍ତୋଳନ କ୍ଷମତା ରହିଛି।
ଏହି ନିଲାମ ପ୍ରକ୍ରିୟାକୁ ଯଥାର୍ଥ ପ୍ରତିପାଦନ କରିବାକୁ ଯାଇ କୁହାଗଲା, ଦୃଢ଼ ଖଣି ଖନନ ନୀତି ଓ ଖଣିଜଦ୍ରବ୍ୟ ସମ୍ବଳ ବିନା ଆତ୍ମନିର୍ଭରଶୀଳ ଭାରତ ଗଠନ ସମ୍ଭବ ନୁହେଁ। କାରଣ ଆମ ଅର୍ଥନୀତିର ଏହି ଦୁଇଟି ସୁଦୃଢ଼ ଖମ୍ବ ସଦୃଶ। ଅବଶ୍ୟ କୋଇଲା ଭଳି ଜୀବାଶ୍ମ ଇନ୍ଧନ ଦହନରୁ ସବୁଜଗୃହ ବାଷ୍ପ ଉତ୍ସର୍ଜନ କରିବା ନିମନ୍ତେ କେନ୍ଦ୍ର ସରକାର ଚାରିଗୋଟି ପ୍ରକଳ୍ପ ମାଧୢମରେ ୨୦୩୦ ମସିହା ସୁଦ୍ଧା ୨୦,୦୦୦ କୋଟି ଟଙ୍କା ବିନିମୟରେ ୧୦୦ ନିୟତ ଟନ୍‌ କୋଇଲାକୁ ସବୁଜ ଇନ୍ଧନରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି।

ସମସ୍ତେ ଜାଣନ୍ତି ଯେ ବିଶ୍ବ ତାପନର ପ୍ରମୁଖ କାରକ ସବୁଜ କୋଠରି ବାଷ୍ପ ନିର୍ଗମନ କୋଇଲା ଦହନର ପ୍ରମୁଖ ଉପଜାତ। କିନ୍ତୁ କେବଳ ତାହା ନୁହେଁ, ଭୂଗର୍ଭରେ ଗଚ୍ଛିତ ଅଧିକା˚ଶ କୋଇଲା ଭଣ୍ତାର ଘଞ୍ଚ ବୃକ୍ଷଲତା ପରିପୂର୍ଣ୍ଣ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଥିବାରୁ ଯେତିକି ନୂଆ ନୂଆ କୋଇଲା ବ୍ଲକ୍‌ ନିଲାମ କରାଯିବ, ସେତିକି ଅଧିକ ଅକ୍ଷତ ଜଙ୍ଗଲ ଏବ˚ ସେଠାରେ ବସବାସ କରୁଥିବା ଆଦିମ ଜନଜାତି କ୍ଷତିଗ୍ରସ୍ତ ହେବାର ଭୟ ରହିଛି। କହିବା ବାହୁଲ୍ୟ ଯେ ଏହି ଜନଜାତି ସଂପ୍ରଦାୟର ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ଆମ ଦେଶରେ ବାଣିଜ୍ୟିକ ଭିତ୍ତିରେ କୋଇଲା ଖନନ ୧୭୭୪ ମସିହାରେ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗର ଦାମୋଦର ନଦୀ ଉପତ୍ୟକାରେ ତତ୍‌କାଳୀନ ଇଷ୍ଟ ଇଣ୍ତିଆ କମ୍ପାନି ଦ୍ବାରା କୋଇଲା ଖଣି ଖନନ ଆରମ୍ଭ କରାଯାଇଥିଲା। ଆକଳନ ଅନୁସାରେ ଯେଉଁ ୪୧ଟି କୋଇଲା ବ୍ଲକ୍‌କୁ ୨୦୨୦ ମସିହା ଜୁନ୍‌ ମାସରେ ନିଲାମ କରିବା ପାଇଁ ସ୍ଥିର କରାଗଲା, ତାହା ଫଳରେ ୧୯,୬୧୪ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହେବ; ୧.୦୨ ମିଲିୟନ ଗଛ କଟାଯିବ ଏବ˚ ୧୦,୧୫୧ ପରିବାର ବାସଚ୍ୟୁତ ହେବେ।

୧୯୮୦ ମସିହାରେ ଜଙ୍ଗଲ କିସମ ପରିବର୍ତ୍ତନ ଆଇନ ପ୍ରବର୍ତ୍ତନ ହେବା ପରଠାରୁ ଗତ ୪୦ ବର୍ଷ ଭିତରେ ଆମ ଦେଶରେ ୫ ଲକ୍ଷ ୩୦ ହଜାର ହେକ୍ଟର ଜଙ୍ଗଲ ଜମି ଖଣି ଖନନ ନିମନ୍ତେ ବଳି ପଡ଼ି ସାରିଛି। ଏଥିରୁ ଅଧିକ ଭାଗ କୋଇଲା ଉତ୍ତୋଳନ ନିମନ୍ତେ ଉଦ୍ଦିଷ୍ଟ। ସେହିପରି ଏକ ପ୍ରକାଶିତ ତଥ୍ୟ ଅନୁସାରେ ୨୦୦୭ ପରଠାରୁ ଅଦ୍ୟାବଧି ଖଣି ଖନନ ହେତୁ ୭ ଲକ୍ଷ ୨୦ ହଜାର ଲୋକ ବାସଚ୍ୟୁତ ହୋଇ ସାରିଲେଣି। ଦେଖିବାକୁ ଗଲେ ୯୦% କୋଇଲା ଭଣ୍ତାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମ କୋର୍ଟ ୧୯୯୭ ମସିହାରେ ପଞ୍ଚମ ପରିଚ୍ଛେଦରେ ଥିବା ଆଦିବାସୀ ଇଲାକାରେ ବେସରକାରୀ ଉଦ୍ୟମରେ କୋଇଲା ଖନନକୁ ବାରଣ କରିଥିଲେ। ଏହି ନିର୍ଦ୍ଦେଶନାମା ମୁଖ୍ୟ ଅଦାଲତର ‘ସମତା’ ନିଷ୍ପତ୍ତି ନାମରେ ଖ୍ୟାତ। ୨୦୧୦ ମସିହାରେ ଭାରତ ସରକାରଙ୍କର କୋଇଲା ମନ୍ତ୍ରାଳୟ ଓ ପରିବେଶ ଜଙ୍ଗଲ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏକ ମିଳିତ ଅନୁଶୀଳନ କରାଯାଇଥିଲା ଏବ˚ ଦେଶର ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା କୋଇଲା ଭଣ୍ତାର ଅଞ୍ଚଳକୁ ‘ଗୋ’ ଓ ‘ନୋ-ଗୋ’ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଅର୍ଥାତ୍‌ କେଉଁ ସ୍ଥାନରେ କୋଇଲା ଖନନ କରାଯାଇ ପାରିବ ଏବ˚ କେଉଁ ସ୍ଥାନରେ ଘଞ୍ଚ ଜଙ୍ଗଲ ଥିବାରୁ କୋଇଲା ଖନନ କରାଯିବ ନାହିଁ। ଭୂଗର୍ଭ ଜଳସ˚ପଦ, ପ୍ରାକୃତିକ ପରିବେଶ, ବନ୍ୟ ଜୀବ ସ˚ପଦ, ସମୃଦ୍ଧ ଜୈବ ବିବିଧତା, ଜଙ୍ଗଲର ପ୍ରକାର ଓ ସାନ୍ଦ୍ରତା ନେଇ ଏହି ବିଭକ୍ତୀକରଣ କରାଯାଇଥିଲା। କିନ୍ତୁ ନିକଟରେ ଯେଉଁ ୪୧ଟି କୋଇଲା ବ୍ଲକ୍‌ ନିଲାମ ନିମନ୍ତେ ଚିହ୍ନଟ କରାଯାଇଛି, ତନ୍ମଧୢରୁ ୧୨ଟି ବ୍ଲକ୍‌ ‘ନୋ-ଗୋ’ ଅଞ୍ଚଳରେ ପଡୁଛି। ଓଡ଼ିଶାରେ ଥିବା ତାଳଚେର କୋଇଲା ବ୍ଲକ୍‌ର ଫୁଲଝରି ଖଣି ଏହି ନିଷିଦ୍ଧ ଇଲାକା ମଧୢରେ ଆସୁଛି।

୨୦୧୯ ମସିହାରେ ଭାରତ ସରକାରଙ୍କର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ବାର୍ଷିକ ବିବରଣୀ ରିପୋର୍ଟରୁ ଜଣାପଡ଼େ, ସେହି ବର୍ଷ ଜାନୁଆରି ୧ ତାରିଖରୁ ନଭେମ୍ବର ୬ ତାରିଖ ମଧୢରେ ମୋଟ ୧୧୪୬୭.୮୩ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇଛି। ତନ୍ମଧୢରୁ ୨୨ଟି କ୍ଷେତ୍ରରେ ୩୮୦୪୬.୦୯ ହେକ୍ଟର ଜଙ୍ଗଲ ଜମି ଖଣି ଖନନ ପାଇଁ ଦିଆଯାଇଛି ବା କିସମ ପରିବର୍ତ୍ତନ କରାଯାଇଛି। ମୋଟ ୧୧୪୬୭.୮୩ ହେକ୍ଟର ମଧୢରୁ ଓଡ଼ିଶାରେ ୧୪ଟି ପ୍ରକଳ୍ପ ନିମନ୍ତେ ୪୫୧୪ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ସେହି ବର୍ଷ କିସମ ପରିବର୍ତ୍ତିତ ହୋଇଥିବା ମୋଟ ଜଙ୍ଗଲର ୫୪% ମଧୢମ ଧରଣର ଘଞ୍ଚ ଜଙ୍ଗଲ (ମୁକୁଟ ସାନ୍ଦ୍ରତା ୪୦ରୁ ୭୦%) ଏବ˚ ୪% ଅତି ଘଞ୍ଚ ଜଙ୍ଗଲ (ସାନ୍ଦ୍ରତା ୭୦%ରୁ ଅଧିକ)। ଓଡ଼ିଶାରେ ଅବସ୍ଥିତ ତାଳଚେର କୋଇଲା ଭଣ୍ତାର ଅଞ୍ଚଳରେ ୪୦.୩୭% ଜଙ୍ଗଲ ଥିବାବେଳେ ଇବ୍‌ ଉପତ୍ୟକାରେ ଥିବା କୋଇଲା ଭଣ୍ତାର ଇଲାକାରେ ୪୮.୮୪% ଜଙ୍ଗଲ ରହିଛି। ଯଦି ଓଡ଼ିଶାର ମାନଚିତ୍ରଟିଏ ନେଇ, କେଉଁ କେଉଁ ସ୍ଥାନରେ କୋଇଲା ଭଣ୍ତାର ଅଛି ଚିହ୍ନଟ କରାଯାଏ, ଏବ˚ ଏହି ମାନଚିତ୍ରଟିକୁ ରାଜ୍ୟର ଜଙ୍ଗଲ ଅଞ୍ଚଳ ଚିହ୍ନିତ ମାନଚିତ୍ର ଉପରେ ପକାଯାଏ, ତେବେ ଦେଖାଯିବ, ପ୍ରାୟତଃ ଯେଉଁଠି ଭୂଗର୍ଭରେ କୋଇଲା ରହିଛି, ସେଠି ଭୂପୃଷ୍ଠରେ ଘନ ଜଙ୍ଗଲ ବା ମଧୢମ ଘନ ଜଙ୍ଗଲ ରହିଛି। ତେଣୁ ଏହା ଅନିବାର୍ଯ୍ୟ ଯେ, ଦେଶ ବା ରାଜ୍ୟରେ ବିକାଶଧାରାକୁ ବଜାୟ ରଖିବା ନିମନ୍ତେ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ, ଭୂଗର୍ଭରୁ ଯେତିକି ଅଧିକ କୋଇଲା ଉତ୍ତୋଳନ କରାଯିବ, ଭୂପୃଷ୍ଠରେ ସେତିକି ଜଙ୍ଗଲ କ୍ଷୟ ହେବ, ଅଧିକରୁ ଅଧିକ ଗଛ କଟାଯିବ; ଜୈବ ବିବିଧତା ମଧୢ ନଷ୍ଟ ହେବ। ମାନଚିତ୍ରରୁ ଏକଥା ମଧୢ ସ୍ପଷ୍ଟ ହେବ, ଘଞ୍ଚ ଜଙ୍ଗଲ ଇଲାକାରୁ ହିଁ ଅଧିକା˚ଶ ଛୋଟ, ବଡ଼ ନଦୀର ଉତ୍ପତ୍ତି। ଏହା ମଧୢ ବନ୍ୟଜୀବ ଓ ଆଦିମ ଜନଜାତି ତଥା ବନବାସୀଙ୍କର ଆବାସସ୍ଥଳୀ, ଖଣି ଖନନ ପାଇଁ ଜଙ୍ଗଲ ଓ ଜୈବ ବିବିଧତା ନଷ୍ଟ ହୋଇଯିବା ଦ୍ବାରା, ଜଙ୍ଗଲ ଉପରେ ନିର୍ଭରଶୀଳଆଦିମ ଜନଜାତି ଓ ଜଙ୍ଗଲ ନିକଟରେ ବସବାସ କରୁଥିବା ଗୋଷ୍ଠୀ ବାସହରା ହେବେ ଓ ନିଜର ଜୀବନଜୀବିକା ହରାଇ ବସିବେ।
ଖଣିି ଖାଦାନ ଖନନ ଓ କୋଇଲା ଉତ୍ତୋଳନ ବୃଦ୍ଧି ସପକ୍ଷରେ ଯୁକ୍ତି କରାଯାଏ ଯେ ଏହାଦ୍ବାରା ସ୍ଥାନୀୟ ଅଧିବାସୀଙ୍କୁ ଅଧିକ ନିଯୁକ୍ତି ମିଳିଥାଏ। ରାଜ୍ୟ ବା ଦେଶର ମୋଟ ଘରୋଇ ଉତ୍ପାଦ ମଧୢ ବୃଦ୍ଧି ପାଇଥାଏ। କିନ୍ତୁ ଅନ୍ୟ ପକ୍ଷରେ ପରିବେଶ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ, ଜୀବଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀର ସ˚କୋଚନ, ସ୍ଥାନୀୟ ଅଞ୍ଚଳର ବାୟୁ, ଜଳ ପ୍ରଦୂଷଣ, ଜୈବବିବିଧତା ହ୍ରାସ ଓ ଜଙ୍ଗଲବାସୀଙ୍କର ବିସ୍ଥାପନ ଆଦି ଭଳି ସମସ୍ୟା ଦେଖାଥାଏ। ପ୍ରାକୃତିକ ପରିବେଶର ଏହି ଅସନ୍ତୁଳନକୁ ଏଡ଼ାଇବା ପାଇଁ କୋଇଲା ବ୍ଲକ୍‌ ଆବଣ୍ଟନ ବେଳେ ଅର୍ଥନୈତିକ ଅଭିବୃଦ୍ଧି ତଥା ପରିବେଶ ନିରାପତ୍ତା ମଧୢରେ ସମନ୍ବୟ ରକ୍ଷା କରାଯିବା ଉଚିତ। କିନ୍ତୁ ଏହାର ପାଳନ କରାଯାଇନାହିଁ ବୋଲି ଦର୍ଶାଇ ଝାଡ଼ଖଣ୍ତ ରାଜ୍ୟ ସରକାର କୋଇଲା ଖଣି ଆବଣ୍ଟନ ପ୍ରକ୍ରିୟା ବାତିଲ୍‌ କରିବା ପାଇଁ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଦରଖାସ୍ତ କରିଥିଲେ। ଝାଡ଼ଖଣ୍ତ ସରକାରଙ୍କର ଆବେଦନ ଥିଲା ଯେ ନିରପେକ୍ଷ, ସ୍ବାଧୀନ ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ଏବ˚ କମିଟି ସ୍ଥାନ ପରିଦର୍ଶନ କରି କୋଇଲା ଖଣିଗୁଡ଼ିକ ପରିବେଶ, ସ˚ବେଦନଶୀଳ ଅଞ୍ଚଳ ଓ ହାତୀ ଚଲାପଥ ରାସ୍ତାରେ ଆସୁଛି ନା ନାହିଁ, ତାହା ଦେଖନ୍ତୁ। ମାନ୍ୟବର ସୁପ୍ରିମ କୋର୍ଟ ଶେଷ ନିଷ୍ପତ୍ତି ଜଣାଇବା ପୂର୍ବରୁ କୌଣସି ଗଛ କଟାଯିବ ନାହିଁ ବୋଲି ନିଜର ଅନ୍ତରୀଣ ଆଦେଶରେ ଉଲ୍ଲେଖ କରିଛନ୍ତି।

ପରିଶେଷରେ ଏତିକି କୁହାଯାଇପାରେ, କଳା ହୀରାର ସାମ୍ରାଜ୍ୟ ସ˚କୁଚିତ ହେବା ଅୟମାରମ୍ଭ ହୋଇ ସାରିଲାଣି କହିଲେ ଚଳେ। ୨୦୧୫ ମସିହା ସେପ୍ଟେମ୍ବର ମାସରେ ମିଳିତ ଜାତିସ˚ଘ ଦ୍ବାରା ପ୍ରସ୍ତାବିତ ୧୭ଟି ସହନୀୟ ବିକାଶ ଲକ୍ଷ୍ୟ ମଧୢରେ ୨୦୩୦ ସୁଦ୍ଧା ବିଶ୍ବବାସୀଙ୍କୁ ସହଜରେ, ସୁବିଧାରେ, ବିଶ୍ବସନୀୟ ଆଧୁନିକ ଶକ୍ତି ଯୋଗାଣ ହେଉଛି ସପ୍ତମ ଲକ୍ଷ୍ୟ। ସହନୀୟ ବିକାଶର ଅନ୍ୟ କେତେକ ଲକ୍ଷ୍ୟ ହେଉଛି ସ୍ବଚ୍ଛ ଜଳ, ଜଳବାୟୁ ନୀତି ନିର୍ଦ୍ଧାରଣ ଜଳ ଓ ଭୂପୃଷ୍ଠରେ ଜୀବନ ଇତ୍ୟାଦି। ଏ ସମସ୍ତ ଲକ୍ଷ୍ୟ ହାସଲ କରିବା ଲାଗି ଜୀବାଶ୍ମ ଇନ୍ଧନ ବଦଳରେ ସବୁଜ ଶକ୍ତିର ବହୁଳ ବ୍ୟବହାର ଆବଶ୍ୟକ। ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ଓ ସ୍ବାସ୍ଥ୍ୟ ସମସ୍ୟା ହେତୁ ବିଶ୍ବ ଅର୍ଥନୀତି ବର୍ଷକୁ ୫ ଟ୍ରିଲିୟନ୍‌ ଡଲାର କ୍ଷତି ସହୁଛି। ସେହି ମର୍ମରେ ଶକ୍ତି ଉତ୍ପାଦନ ସ୍ବାସ୍ଥ୍ୟର ଶତ୍ରୁ ନ ହୋଇ ସହାୟକ ହେଉ। ଆଶା କରାଯାଉଛି ୨୦୨୬-୨୦୨୭ ବେଳକୁ ବିଶ୍ବ ନବୀକରଣୀୟ ଶକ୍ତି ଉପରେ ଅଧିକ ନିର୍ଭର କରିବ। ଆମ ଦେଶ ଭାରତ ମଧୢ ୨୦୧୭ରୁ ୨୦୨୭ ମଧୢରେ ଦେଶରେ ପ୍ରତ୍ୟେକ ୧ ମେଗାଵାଟ୍‌ କୋଇଲା ଭିତ୍ତିକ ତାପଜ ଶକ୍ତି ଉତ୍ପାଦନ ପାଇଁ ୩ ମେଗାଵାଟ୍‌ ସୌରଶକ୍ତି ଓ ପବନଶକ୍ତି ଉତ୍ପାଦନ କରିବ। ଫଳତଃ ୨୦୨୬-୨୦୨୭ ବେଳକୁ ସୌର ଶକ୍ତି ଓ ପବନ ଶକ୍ତି ପ୍ରାଧାନ୍ୟ ବିସ୍ତାର କରିବାର ଆଶା କରାଯାଏ। ଏହା ଯଦି ସମ୍ଭବ ହୁଏ ତେବେ ଶକ୍ତି ଉତ୍ପାଦନ ସହିତ ତାଳ ଦେଇ ସୁସ୍ଥ ଜୀବନର ପ୍ରତିଶ୍ରୁତି ମିଳିବ।
ପ୍ରଧାନମୁଖ୍ୟ ବନସ˚ରକ୍ଷକ (ବନ୍ୟପ୍ରାଣୀ), ଓଡ଼ିଶା
ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର