ଭୟ ଏଥିପାଇଁ ରହିଛି ଯେ ତାହା ପ୍ରାଣୀମାନଙ୍କୁ ସୁରକ୍ଷିତ ରହିବାରେ ସାହାଯ୍ୟ କରେ। ଆଦିମାନବ ଠାରୁ ଚାଲି ଆସିଥିବା ବିବର୍ତ୍ତନର ଧାରାରେ ହେଉ ବା ସୃଷ୍ଟି ତତ୍ତ୍ବର ଏକ ଅଙ୍ଗ ଭାବେ ହେଉ; ଭୟ ଗୋଟିଏ ମୌଳିକ ପ୍ରବୃତ୍ତି ରୂପେ ଜୀବ ଜଗତ୍ରେ ରହିଥାଏ। ଭୟର ମୂଳଦୁଆ ଉପରେ ହିଁ ସଭ୍ୟତାର ସ୍ଥାପତ୍ୟ ଉଭା ହୋଇଛି। ଅର୍ଥନୈତିକ, ରାଜନୈତିକ, ସାମାଜିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ମଣିଷ ଯେପରି ଭୟଶୂନ୍ୟ ହୋଇପାରିବ, ସେଥିପାଇଁ ଗଠିତ ହୋଇଛି ନାନାଦି ସଂଗଠନ, ବିଧାନ ଓ ଅନୁଷ୍ଠାନ। ତେବେ, ବିଡ଼ମ୍ବନାର ବିଷୟ ଯେ ଏ ସବୁ ସତ୍ତ୍ବେ ସୁରକ୍ଷା ଖୋଜିବାରେ ମଣିଷର ସମଗ୍ର ଜୀବନ ଅତିବାହିତ ହୋଇଯାଏ।
ଆମର ସମସ୍ତ କୋମଳ ଅନୁରାଗ ତଥା ସାରସ୍ବତ କର୍ମ ପଛରେ ମଧ୍ୟ ବ୍ୟକ୍ତି ଓ ସମାଜର ଚେତନାରେ ବିଶ୍ବ ସତ୍ତା ଖୋଜିବାର ଭାବଟିଏ ଯୋଡ଼ି ହୋଇଥାଏ। ସାଧାରଣ ଜୀବନଯାତ୍ରାରେ ତ ସେଇ ଭାବଟି ପ୍ରମୁଖ। ଦୁଃଖ ଶୋକର ଭୟ ଏଡ଼ାଇବା ପାଇଁ ପ୍ରାଣୀ ଆଜୀବନ ବ୍ୟସ୍ତ ରହେ। କ୍ଷୁଧାର ଉପଶମ ପାଇଁ ଖାଦ୍ୟ ସଂଚୟ କରେ। ଜୈବିକ ଆବେଗର ପରିତୃପ୍ତି ପାଇଁ କେବଳ ନୁହେଁ, ନିଃସଙ୍ଗତାର ଭୟରୁ ମୁକ୍ତି ପାଇବା ନିମନ୍ତେ ଜୀବନ ସାଥୀ ଲୋଡ଼େ। ଏବଂ ଚରମ ସ୍ତରରେ ସମସ୍ତ ଦୁଃଖର ଆତଙ୍କ ବା ଭୟ ନିର୍ମୂଳ କରିବା ପାଇଁ ନିର୍ବାଣ ବା ମୁକ୍ତିର ଲକ୍ଷ୍ୟ ଧରି ସାଧନାରେ ଅନୁପ୍ରେରିତ ହୁଏ। ଆତଙ୍କଜଡ଼ିତ ମଣିଷମାନେ ହିଁ ସମାଜ ଗଠନ କରନ୍ତି। ପୁଣି ସେଇ ସମାଜ ମଧ୍ୟ ନାନାଦି ଆତଙ୍କ ସୃଷ୍ଟି କରେ। ହତଚକିତ ସନ୍ତ୍ରସ୍ତ ମନୁଷ୍ୟ ଜାତି ଆଜି ବିଳ ଭିତରକୁ ପଶିଯାଇ ସୁରକ୍ଷା ଲୋଡ଼ିବାର ଜୀବ ସ୍ଥିତି ସେଇ ସମାଜ ଦ୍ବାରା ସୃଷ୍ଟ। ଏହି ଦୈନ୍ୟର ସ୍ଥିତିରେ ସହଜରେ ଜାଣିହୁଏ, କିପରି ଅଧିକାଂଶ ଲୋକ, କେବଳ ନିଜର ଏବଂ ନିଜ ଗୋଷ୍ଠୀର ଭୟ ନିବାରଣ କରିବାରେ ବ୍ୟସ୍ତ। ଏଇ ଅବସ୍ଥାରେ ସେମାନେ ଭୁଲିଯାଆନ୍ତି ଯେ ଫେର୍ ଯଦି ସେଇ ପୁରୁଣା ଜାତୀୟତାବାଦୀ, ସାମ୍ପ୍ରଦାୟିକ, ଶ୍ରେଣୀଗତ ଓ ଜାତିଗତ ଗୋଷ୍ଠୀ ସଂଘର୍ଷରେ ଲିପ୍ତ ରହିବା, ତେବେ କ୍ରମେ ଅଧିକରୁ ଅଧିକ ବିନାଶକାରୀ ପରିସ୍ଥିତି ନୂଆ ନୂଆ ରୂପରେ ଉଭା ହେବ। ଏହା ଏଡ଼ାଇବା ପାଇଁ ହୁଏତ କୌଣସି ଯୁଗାନ୍ତକାରୀ ସାମାଜିକ ବିପ୍ଳବଟିଏ ଚାଲି ଆସିବ ବୋଲି ଭାବିବା ଏକ ଅବାସ୍ତବ କଳ୍ପନା। ସାମାଜିକ ଭାବଭଙ୍ଗୀ ଓ ଆଚରଣ ସେମିତି ବଦଳେ ନାହିଁ। ଜ୍ଞାନୀମାନେ କହିଛନ୍ତି ଏବଂ ଇତିହାସ ମଧ୍ୟ ବହୁ ପ୍ରମାଣ ଗୋଟାଇଛି ଯେ ବ୍ୟକ୍ତି ସ୍ତରରେ ହିଁ ସେଭଳି ଆନ୍ଦୋଳନ ଆରମ୍ଭ ହୁଏ। ହୁଏତ କେବେ କେମିତି ଜଣେ ବୁଦ୍ଧ ବା ଗାନ୍ଧୀ ସଂଗ୍ରାମ କରି ଆତ୍ମବିଜେତା ହେବା ପରେ ପ୍ରସାରିତ କ୍ଷେତ୍ରରେ ସଂସ୍କାର ଆଗ୍ରହକୁ ବଳବତୀ କରନ୍ତି। ମାତ୍ର ସାଧାରଣ ସ୍ତରରେ ନେତୃତ୍ବ ମଧ୍ୟ କ୍ରମେ ପ୍ରଭାବ ବିସ୍ତାର କରିଥାଏ ଏବଂ ଗୋଟିଏ ଆନ୍ଦୋଳନର ରୂପ ନିଏ। ଆଗେ ଗୋଟିଏ ବଦ୍ଧମୂଳ ଧାରଣା ବା ବଦ୍ଧ ବିଚାର ଭଙ୍ଗୀର ମାର୍ଜନ ପାଇ ଶହ ଶହ ବର୍ଷ ଲାଗୁଥିଲା। ଆଜିକାର ଜନପ୍ରିୟ ବୈଷୟିକ କୌଶଳ ହେତୁ ଅଳ୍ପ କାଳ ମଧ୍ୟରେ ସେଭଳି ପରିବର୍ତ୍ତନର ସମ୍ଭାବନା ଅଧିକ ହୋଇଛି। ବିଶେଷତଃ ସାମାଜିକ ଗଣମାଧ୍ୟମର ପ୍ରଭାବ ଦୂରଗାମୀ ଓ ପ୍ରଶସ୍ତ ହେବାର ଉଦାହରଣ ରାଜନୈତିକ କ୍ଷେତ୍ରରେ ଏକାଧିକ ବାର ପ୍ରତ୍ୟକ୍ଷ ହେଲାଣି। ତେବେ, ବ୍ୟକ୍ତି ସ୍ତରରେ ନବୀକରଣ ମୁଖ୍ୟ କଥା। ତାହା ବ୍ୟାପକ ହେଲେ ନୂଆ ଭାବବୋଧ, ନୂଆ ବିଧାନ, ନୂଆ ଆଚରଣ ପ୍ରତ୍ୟକ୍ଷ ହୁଏ। ପ୍ରଥମ ଓ ଶେଷ କଥା ହେଉଛି ବ୍ୟକ୍ତି ଚେତନାର ନିରାମୟତା। ଦିନ ଥିଲା ସଭ୍ୟତା ପରିଚ୍ଛନ୍ନତା, ଶୁଦ୍ଧତା ଏବଂ ମାନବ ପ୍ରେମ ଶିଖାଉ ଥିଲା। ଆଜିର ସଭ୍ୟତା ସବୁ ସ୍ତରରେ ପ୍ରଦୂଷଣ ଏବଂ ସଂକୀର୍ଣ୍ଣତାକୁ ପ୍ରଶ୍ରୟ ଦେଉଛି। ଆଜି ଆମର ସମାଜ-ପ୍ରୀତି ଓ ଦେଶପ୍ରେମ ମଧ୍ୟ ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଓ ଗୋଷ୍ଠୀ ସ୍ବାର୍ଥସର୍ବସ୍ବ। ଗୋଷ୍ଠୀ ଚେତନାରୁ ଆରମ୍ଭ କରି ତଳକୁ ତଳକୁ ଆଣବିକ ପରିବାର ଏବଂ ବୈକ୍ତିକ ସୋପାନ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅହଂ-ସନ୍ତୁଷ୍ଟି ହିଁ ଦେଖିବାକୁ ମିଳୁଛି। ଆମେ ସ୍ବାର୍ଥାନ୍ଧ। ଆମ ଚେତନା ଶୁଦ୍ଧ ମଣିଷ ପ୍ରେମର ସ୍ବାଦ ପାଇ ପାରୁନାହିଁ, ବିଶ୍ବପ୍ରେମ ଏବଂ ସମଗ୍ର ସୃଷ୍ଟି ପାଇଁ ସମ୍ବେଦନଶୀଳତା ତ ବହୁ ଦୂରର ବିଷୟ। ଏହି ପରିପ୍ରେକ୍ଷୀରେ କରୋନା ବାଧ୍ୟ କରୁଥିବା ପାରିବାରିକ ଘନିଷ୍ଠତାର ଅବସର ବା ଗୃହବନ୍ଦୀ ସ୍ଥିତିକୁ ନେଇ ଅଣନିଶ୍ବାସୀ ହେବାର ବ୍ୟବସ୍ଥାରେ ଆମ ଲାଗି ଆତ୍ମଶୁଦ୍ଧି ଓ ବିଶ୍ବମୈତ୍ରୀ ପାଇଁ ମନନଶୀଳ ହେବାର ସୁଯୋଗଟିଏ ଆସିଛି। ଏହା ଭଲ ଭାବେ ହୃଦୟଙ୍ଗମ କରିବାର ସୁଯୋଗଟିଏ ଆସିଛି ଯେ ଆମେ ଅନିବାର୍ଯ୍ୟ ଭାବେ ବିଶ୍ବସଂପୃକ୍ତ। ଏହା ବୁଝିବା ପାଇଁ ମନନଶୀଳ ହେବାର ଅବସର ଆସିଛି ଯେ ବିଶ୍ବ ସ୍ବାର୍ଥର ଅନୁଗତ ନ ହେଲେ ବ୍ୟକ୍ତି ସ୍ବାର୍ଥ ବାସ୍ତବରେ ଆତ୍ମବୈର ଅଟେ।
ସଂସ୍ପର୍ଶ କାରଣରୁ କରୋନା ବ୍ୟାପୁଛି। ଏହି ଉଦ୍ବେଗ ମଧ୍ୟରେ କିଛି ଶିକ୍ଷା ଆହରଣ କରିବାର ସୁଯୋଗ ରହିଛି। ଆଜିକାଲି ବହୁ ଲୋକ ନିଃସଙ୍ଗ ଅନୁଭବ କରୁଛନ୍ତି। ବିଶେଷତଃ ପାଶ୍ଚାତ୍ୟ ଦେଶରେ ବା ବିକାଶଶୀଳ ଦେଶର ମହାନଗରମାନଙ୍କରେ ଏହା ଅନୁଭୂତ। ଅଥଚ, ବିଡ଼ମ୍ବନା ଏହା ଯେ ନିଃସଙ୍ଗତାର ସୃଷ୍ଟିଶୀଳ ଓ ଆଧ୍ୟାତ୍ମିକ ଦିଗ ପ୍ରତି ସେମାନେ ସଚେତନ ହେଉ ନାହାନ୍ତି। ସାମାଜିକ ବନ୍ଧନ ପ୍ରତି ଅନାଗ୍ରହୀ, ଅଥଚ ଗୋଷ୍ଠୀଭୁକ୍ତ ହୋଇ ଉତ୍ତେଜନା ଖୋଜିବା ପାଇଁ ସେମାନେ ବ୍ୟଗ୍ର। ଗହଳି ଭିତରେ ରହି ଖେଳକୁଦ, ରାଜନୈତିକ ରାଲି ବା ସଭାସମିତିର ଉତ୍ତେଜନାପୂର୍ଣ୍ଣ ନିର୍ଘୋଷ ମଧ୍ୟରେ ଆପଣାର ମାନବୀୟ ଆବେଗର ଦୈନ୍ୟ ପାଶୋରି ଯିବାର ନିଶାରେ ବହୁ ବ୍ୟକ୍ତି ଆକ୍ରାନ୍ତ। ବ୍ୟକ୍ତିନିଷ୍ଠତା ଓ ନୈର୍ବ୍ୟକ୍ତିକତାର କଲ୍ୟାଣକର ସଂଯୋଗକୁ ନେଇ ଯେଉଁ ଯୁକ୍ତିଯୁକ୍ତ ପରାମର୍ଶ ଆମ ଧର୍ମଶାସ୍ତ୍ରମାନଙ୍କରେ ବା ବହୁ ସାହିତ୍ୟିକ ରଚନାରେ ମିଳେ, ତହିଁର ଆଚରଣ ତ ଦୂରର କଥା, ତାହାର ଅବବୋଧ ପାଇଁ ମଧ୍ୟ ସେମାନେ ଅକ୍ଷମ। ବିଭିନ୍ନ ବୈଷୟିକ କୌଶଳ ଆପଣେଇ ନିଜକୁ ଅନ୍ୟମନସ୍କ କରିବାର ଆଗ୍ରହରେ ଆବାଳବୃଦ୍ଧବନିତା ଆଜି ନିମଗ୍ନ। ବାସ୍ତବତା ଛାଡ଼ି ପ୍ରତୀୟମାନ ବାସ୍ତବତା (virtual reality)ରେ ସେମାନେ ଆବଦ୍ଧ। ଗୋଟିଏ ଗୋଷ୍ଠୀର ଲୋକେ ଭାବନ୍ତି ଯେ ଧର୍ମ ଗୋଟିଏ ନିଶା। ତାହା ବାସ୍ତବତାର ଆକର୍ଷରେ ଗୋଟିଏ ଦୁରାରୋଗ୍ୟ ନିଶା ପାଲଟି ଗଲାଣି। ସଂସ୍ପର୍ଶର କୁପରିଣାମରୁ ଆପଣାକୁ ସୁରକ୍ଷିତ ରଖି ଆତ୍ମଶୁଦ୍ଧି ଏବଂ ଗୋଷ୍ଠୀ ନିରାମୟତା ସୁନିଶ୍ଚିତ କରିବାର ଏବଂ ବାସ୍ତବ ମାନବୀୟତା ପ୍ରତି ଉନ୍ମୁଖ ହେବାର ସଂକଳ୍ପ କରିବା ପାଇଁ କରୋନା ଗୋଟିଏ ସୁଯୋଗ ଆଣିଛି। ଦୁର୍ଯୋଗ ମଧ୍ୟରୁ ସୁଯୋଗ ଆବିଷ୍କାର କରି ତାହାର ସଦୁପଯୋଗ କରିବା ହିଁ ବୁଦ୍ଧିମତ୍ତାର ପରିଚୟ। ବିବର୍ତ୍ତନର ଧାରାରେ ପ୍ରତିଟି ମଣିଷ ଭିତରେ ପ୍ରେମ, କରୁଣା, ସମ୍ବେଦନାର ଉପାଦାନ ଉତ୍ସ ରହିଛି। ତାହା ଜରିଆରେ ସେ ଲୋଡ଼େ ଜଗତ୍ରେ ଏକ ଶାନ୍ତ, ନିରୁପଦ୍ରବ ସ୍ଥିତି। ବହୁ କାଳରୁ ମଣିଷର ସଂପ୍ରୀତି ଓ ସମାଜବୋଧକୁ ବିଶେଷତଃ କଳାକାର, ବିଶ୍ବପ୍ରେମୀ ବା ଧର୍ମବୋଧ ବ୍ୟକ୍ତିଙ୍କ ସୁସଭ୍ୟ ଚେତନାର ବିଷୟ ବୋଲି ଗ୍ରହଣ କରାଯାଇ ଆସିଛି। ସେମାନେ ହିଁ ଏହାକୁ ସମାଜରେ ମହିମାମଣ୍ଡିତ କରିଛନ୍ତି। ମାତ୍ର ଏ ଭାବଟି ବାସ୍ତବରେ ଏକ ସାଧାରଣ ମାନବୀୟ, ଜୈବିକ ଉପାଦାନ। ଆଜି ବିସ୍ମୟକର ଭାବେ ବିଜ୍ଞାନ ଏ ବିଷୟଟି ପ୍ରତିପାଦନ କରି ସାରିଲାଣି ଯେ ଆମର ପ୍ରତିଟି କୋଷ ଗର୍ଭରେ ରହିଥିବା ‘ଡିଏନ୍ଏ’ରେ ବିଶେଷ ଭାବେ ଆଦିମ ଭାବ ସହିତ ଭଲପାଇବା, ଭଲକୁ ଭଲପାଇବା ଏବଂ ସାମାଜିକ ଭାବବୋଧରେ ଆବେଗିତ ହେବାର ଉପାଦାନ ମଧ୍ୟ ମୁଦ୍ରିତ। (ବି.ଦ୍ର.: Blueprint : The Evolutionary Origins by a good society, N.A. Christakis, March 2019)। ମାନବ ଜାତି ଏହି ଉପାଦାନଟିକୁ ଅଧିକ ବିକଶିତ କରିଥିଲେ ଏକ କରାଳ ଭବିଷ୍ୟତର ଚିତ୍ର ଆଜି ଦିଶୁ ନ ଥାନ୍ତା। ଦାର୍ଶନିକ, କବି, ମନୀଷୀ ଏବଂ ଆଧ୍ୟାତ୍ମିକ ଗୁରୁବର୍ଗ ସେ ଦିଗରେ ବହୁ ଭାବରେ ଯେଉଁ ଉଦ୍ୟମ କରିଥିଲେ, ତାହା ଆମେ ସଫଳ କଲେ ନାହିଁ। ବିଭୀଷିକାଗ୍ରସ୍ତ ମାନବ ସମାଜ ଅନ୍ତତଃ ଆଜି ସଜାଗ ହେବାକୁ ଶିଖିବା ଆବଶ୍ୟକ।
ବ୍ୟାବସାୟିକ ଜଗତ୍କରଣ ବଦଳରେ ମାନବୀୟ ସଂପ୍ରୀତିଯୁକ୍ତ ବିଶ୍ବାତ୍ମିକତାର ବିକାଶ ବିନା ମଣିଷ ଜାତିର ଦୁଃସ୍ଥିତି ଏଡ଼ାଇବା ଅସମ୍ଭବ ବୋଲି କରୋନା ଭାଇରସ୍ ଚାରିପଟେ ସତର୍କ ଘଣ୍ଟି ବଜାଇ ଚାଲିଛି। ଏ ଉଦ୍ଘୋଷଣା ମଧ୍ୟ କିଛି କାଳ ପରେ ନିରବ ହୋଇଯିବ; କାରଣ ଆଜି ଆମକୁ ଆତଙ୍କିତ କରୁଥିବା ଭାଇରସ୍ର ବିକଟତା ସବୁଦିନ ରହିବ ନାହିଁ। କରୋନା ଆସିଛି। ବାତ୍ୟା ବା ଭୂକମ୍ପ ପରି ସବୁ କିଛି ଓଲଟପାଲଟ କରି ଦେଇଛି। ଧନୀ-ଦରିଦ୍ର, ବଡ଼-ସାନ, ଜ୍ଞାନୀ-ଅଜ୍ଞାନ କିଛି ବି ବାଛବିଚାର କରୁ ନାହିଁ। ଜାତି, ଧର୍ମ, ଲିଙ୍ଗ ଭିତ୍ତିକ କୌଣସି ଭେଦଭାବ ନ ରଖି ବଢ଼ିଚାଲିଛି। ସମସ୍ତେ ଅସ୍ତବ୍ୟସ୍ତ। ତା ସହ ସଭିଙ୍କର ଏକା ସଙ୍ଗରେ ଛକାପଂଝା। ସବୁ ବର୍ଗର ଏକ ମାତ୍ର ଉପାୟ ହେଲା ସାର୍ବଜନୀନ ସୁରକ୍ଷା ପାଳନ। ବିଶେଷ ବିକଶିତ ଦେଶମାନଙ୍କରେ ମଧ୍ୟ ବ୍ୟୁତ୍ପାତ ଦେଖା ଦେଇଛି। ପ୍ରତି ଦେଶ ଆପଣାକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜକୁ ସୀମାବଦ୍ଧ କରି ଦେଇଛନ୍ତି। ତଥାପି ଅସମ୍ଭାଳ ଅବସ୍ଥା। ହୁଏତ ପ୍ରତି ଦେଶରେ ଆତ୍ମରକ୍ଷାର ବିଫଳତାର କାରଣ ଥିଲା ଅନ୍ତରୀଣ ଦ୍ବନ୍ଦ୍ବ। ଏଥିରୁ ଲାଗୁଛି, ହୁଏତ ଜାଗତିକ ଏକତ୍ବବୋଧ ଆସିପାରି ନାହିଁ। କିନ୍ତୁ ସଚେତନତା ଆସିଛି। ଆନ୍ତର୍ଜାତିକ ସ୍ତରରେ ଦେଶ ଦେଶ ମଧ୍ୟରେ ସମ୍ପର୍କ କୂଟନୈତିକ। ଏହା ଇଂରେଜୀ ଶବ୍ଦ diplomacyର ଅନୁବାଦ। କୂଟନୀତି ଜରିଆରେ ସମ୍ପର୍କ କେବଳ ସ୍ବାର୍ଥସିଦ୍ଧି ପାଇଁ ହେବ। କୌଣସି ମାନବୀୟ, ହୃଦୟ ସମ୍ବାଦ ପାଇଁ ଏହା ନୁହେଁ। କିନ୍ତୁ ଆମେ ଆଲୋଚନା କରିଥିବା ମାର୍ଗ ଅନୁଯାୟୀ ଆଗକୁ ଏ କ୍ଷେତ୍ରରେ ମଧ୍ୟ ଦେଶ ସ୍ତରରେ ଚେତନାର ବିସ୍ତାର ହିଁ ମୂଳ କଥା। ମନୀଷୀମାନେ ଏହା କହି ଆସିଛନ୍ତି ଯେ ସର୍ବ ମଙ୍ଗଳରେ ହିଁ ଆତ୍ମ ମଂଗଳ ସମ୍ଭବପର ଏବଂ ବ୍ୟକ୍ତି ସ୍ତରରେ ଆଚରଣ ଓ ଆବେଗ ଜରିଆରେ ହିଁ ସର୍ବମଙ୍ଗଳ ସମ୍ଭବପର। ଏ ଦିଗରେ ଭାରତ ସମ ଅନ୍ୟ କୌଣସି ସଂସ୍କୃତିରେ ଉଦାର ଚେତନା ଓ ବିଶ୍ବ-ମଂଗଳ ପ୍ରତି ଗଭୀର ଅନୁରାଗର ମହାନ ପରମ୍ପରା ନାହିଁ। ବାୟୁ, ଔଷଧ ସବୁ କ୍ଷେତ୍ରରେ ଶାନ୍ତି କାମନା ଏବଂ ସମଗ୍ର ବିଶ୍ବରେ ମଧୁମୟତାର ମହୋତ୍ସବ- ଏହା ଆମର ପ୍ରାଚୀନ ପରମ୍ପରା। ଏହାର ଭିତ୍ତିଭୂମିରେ ଆମେ କାମନା କରି ଆସିଛେ-‘ସର୍ବେ ସନ୍ତୁ ନିରାମୟା’ ଏବଂ ‘ମା କଶ୍ଚିତ୍ ଦୁଃଖଭାଗ ଭବତ’ ଭଳି ଋଷି ବାଣୀ ଆମେ ଭୁଲି ନାହୁଁ; ମାତ୍ର ତାକୁ ସମ୍ମାନ ଜଣାଉ ନାହୁଁ। କରୋନା ଆସିଛି ରୁଦ୍ର ରୂପରେ। ଆମେ ଅନ୍ତରସ୍ଥ ପ୍ରେମ ଭାବ ଧରି ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଆମର ରୀତି ପ୍ରବୃତ୍ତିର ଜାଗରଣ ଦିଗରେ କୃତସଂକଳ୍ପ ହେଲେ ଆମର ତଥା ବିଶ୍ବର ପରିତ୍ରାଣ ମାର୍ଗ ପ୍ରଶସ୍ତ ହୋଇଯିବ। ଆମେ ସମସ୍ତେ ଏକ ହୋଇ ସୁରକ୍ଷା ଲାଭ କରୁ, ଏହା ହିଁ ଆଜିର ସମୟର ଭାବନା ହେଉ।
ରୁଗୁଡ଼ିପଡ଼ା, ବଲାଙ୍ଗୀର