ଯେତେବେଳେ କୌଣସି ଏକ ଦଳ ବା ଗୋଷ୍ଠୀର ଧର୍ମ ନିରପେକ୍ଷ ବୁଦ୍ଧିଜୀବୀ, ଆମ ସମୟର ଧର୍ମ ନିରପେକ୍ଷ ରକ୍ଷଣଶୀଳତାକୁ ଆହ୍ବାନ କରେ, ଏବ˚ ଯଦି କୌଣସି ପ୍ରତିକ୍ରିୟା ମିଳେନାହିଁ, ତେବେ, ଧରିନେବାକୁ ହେବ ଯେ ଆମ ଭାରତରେ ଧର୍ମ ନିରପେକ୍ଷତାବାଦ କଳ୍ପନାତୀତ ଭାବେ ସ˚କଟରେ। ହୁଏ ତ ଏହା ନିଜର ସଦା-ସଙ୍କୋଚନଶୀଳ ଖୋଳପା ଭିତରେ ଆତ୍ମ-ତୃପ୍ତିରେ ମଗ୍ନ ଅଥବା ପରାଜୟ ସ୍ବୀକାର କରିସାରିଲାଣି କି˚ବା ଉଭୟ।
ଜଣେ ବୁଦ୍ଧିଜୀବୀ ହେଉଛନ୍ତି ଅଭୟ ଦୁବେ; ସେ ‘ସେଣ୍ଟର୍ ଫର୍ ଦ ଷ୍ଟଡି ଅଫ୍ ଡେଭ୍ଲପି˚ ସୋସାଇଟିଜ୍’ (ସିଏସ୍ଡିଏସ୍) ସହ ସ˚ପୃକ୍ତ ଜଣାଶୁଣା ବିଦ୍ବାନ, ଯାହାଙ୍କର ଗୁଡ଼ିଏ ଅଧ୍ୟୟନମୂଳକ ଲେଖା ପ୍ରକାଶିତ। ବିଭିନ୍ନ ଭାରତୀୟ ଭାଷାରେ ସାମାଜିକ ବିଜ୍ଞାନର ପ୍ରଚାର-ପ୍ରସାରରେ ସେ ଜଣେ ଅଗ୍ରଣୀ ପଥ ପ୍ରଦର୍ଶକ ଓ ଯାତ୍ରୀ; ଟେଲିଭିଜନ୍ରେ ଜଣେ ପରିଚିତ ଟୀକାକାର। ଏକଦା ସେ ଥିଲେ କମ୍ୟୁନିଷ୍ଟ୍ ଦଳର ସକ୍ରିୟ ସଦସ୍ୟ। ଭାରତୀୟ ଜନତା ପାର୍ଟି ରାଜନୀତିର ତୀବ୍ର ସମାଲୋଚକ; ଏହି ଦଳରେ ଯୋଗ ଦେବାର କୌଣସି ସ˚ଭାବନା ନ ଥିବା ବୁଦ୍ଧିଜୀବୀ। ନାଗରିକତା ସ˚ଶୋଧନ ଆଇନ ବିରୋଧୀ ଆନ୍ଦୋଳନ ଚରମ ସୀମାରେ ଥିବା ବେଳେ ଫେବ୍ରୁଆରିରେ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା। ପୁସ୍ତକର ନାମ- ‘ହିନ୍ଦୁ ଏକତା ବନାମ ଜ୍ଞାନର ରାଜନୀତି’ ବା ଇ˚ରେଜୀରେ ‘ହିନ୍ଦୁ ୟୁନିଟି ଭର୍ସେସ୍ ପଲିଟିକ୍ସ ଅଫ୍ ନଲେଜ୍’। ଆମ ଦେଶରେ ଧର୍ମ ନିରପେକ୍ଷତାବାଦ ଯେ ଏବେ ଗମ୍ଭୀର ଆହ୍ବାନର ସାମନା କରୁଛି, ତାହାର ବିବରଣୀ ଏହି ପୁସ୍ତକରୁ ମିଳେ। ଭାରତୀୟ ଧର୍ମ ନିରପେକ୍ଷତା ଦୃଷ୍ଟିକୋଣରୁ ଦେଖିଲେ ଏହା ଉନ୍ନତ ମାନର ଗବେଷଣା ଆଧାରିତ ପୁସ୍ତକ। ସମ୍ୟକ୍ ବର୍ଣ୍ଣନା ଥିବା ଏ ଭଳି ପୁସ୍ତକ ଏ କ୍ଷେତ୍ରରେ ପ୍ରଥମ ଏବ˚ ବେଶ୍ ଉତ୍ତେଜନା ସୃଷ୍ଟିକାରୀ।
ଅନ୍ୟ ଯେ କୌଣସି ଦେଶରେ ଏ ଭଳି ପୁସ୍ତକଟିଏ ପ୍ରକାଶ ପାଇଲେ, ଆଗ୍ରହର ସହ ରାଜନୈତିକ ବିତର୍କ ଆରମ୍ଭ ହୁଅନ୍ତା। ସମୀକ୍ଷା ଓ ଅନ୍ୟ ଲିଖିତ ପ୍ରତିକ୍ରିୟା ପ୍ରକାଶ ପାଆନ୍ତା। ତେବେ, ଇତି ମଧ୍ୟରେ ଚାରି ମାସ ବିତି ଯାଇଥିଲେ ହେଁ ସେ ଭଳି କିଛି ଘଟିନାହିଁ। ମୋ ଆଖିରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଗମ୍ଭୀର ସମୀକ୍ଷା ପଡ଼ିନାହିଁ। ଭାଷା ଯୋଗୁଁ ବୋଧହୁଏ କୌଣସି ପ୍ରାରମ୍ଭିକ ପ୍ରତିକ୍ରିୟା ଆସିପାରିନାହିଁ। ଅଭୟ ଦୁବେ ହିନ୍ଦୀରେ ଲେଖିଛନ୍ତି ଏବ˚ ଅତି ଉଚ୍ଚକୋଟୀର ହିନ୍ଦୀରେ; ଯାହାକୁ ବୁଝିବା ପାଇଁ ମୋତେ ବାରମ୍ବାର ଶବ୍ଦକୋଷ ଦେଖିବାକୁ ପଡ଼ିଛି। ହିନ୍ଦୀରେ ଲେଖିଥିବା କାରଣରୁ ଆମେ ତାଙ୍କର ସମାଲୋଚନା କରିପାରିବାନାହିଁ କି˚ବା ତାଙ୍କର ବିରୋଧୀ ହୋଇପାରିବାନାହିଁ। ହଁ, ଆମେ ଯଦି କେବଳ ଅନର୍ଗଳ ଇ˚ରେଜୀ ଝାଡ଼ୁଥିବା ସ୍ବତନ୍ତ୍ର ବର୍ଗର ହୋଇଥିବା ଭିନ୍ନ କଥା! ଅବଶିଷ୍ଟ ଭାରତ ସହ ଇ˚ରେଜୀ ପଢ଼ୁଆ ମଧ୍ୟବିତ୍ତ ଉଦାରବାଦୀ-ଧର୍ମ ନିରପେକ୍ଷତାବାଦୀଙ୍କର କୌଣସି ସ˚ପର୍କ ନ ଥିବା, ସେ ନିଜ ପୁସ୍ତକରେ ଦର୍ଶାଇଛନ୍ତି। ସେ ଏଥିରେ ଧର୍ମ ନିରପେକ୍ଷ ବୁଦ୍ଧିଜୀବୀଙ୍କର ସମାଲୋଚନା କରିଥିଲେ ବି ଏହା ସେମାନଙ୍କ ପାଖରେ ପହଞ୍ଚିନାହିଁ।
ଦୁବେଙ୍କ ପୁସ୍ତକ ସ˚ପର୍କରେ ଗାଢ଼ ନିରବତାର ମୁଖ୍ୟ କାରଣ ହେଉଛି ଏହା ଆମକୁ ଏ ଭଳି ସତ୍ୟ ସହ ମୁହାଁ-ମୁହିଁ କରାଉଛି, ଯାହା ଆମ ପାଇଁ ଅତ୍ୟନ୍ତ ଅସହଜ। ଏହା ଆମକୁ ସ୍ପଷ୍ଟ କହୁଛି ଯେ ଯଦି ଧର୍ମ ନିରପେକ୍ଷତାବାଦ ଏକ ଐତିହାସିକ ପରାଜୟକୁ ପ୍ରତ୍ୟକ୍ଷ କରୁଛି, ସେଥି ପାଇଁ ଏହା ସ୍ବୟ˚ ଦାୟୀ। ଏଥି ପାଇଁ ଅନ୍ୟ କାହାକୁ ଦୋଷ ଦେବାର କିଛି ନାହିଁ। ମୁଖ୍ୟତଃ ଭାଜପାର କିଛି ଚତୁର, ଛଳନାପୂର୍ଣ୍ଣ ଓ ଶଠ ରାଜନୈତିକ ଚାଲ ଦ୍ବାରା ଧର୍ମ ନିରପେକ୍ଷ ରାଜନୀତି ଧରାଶାୟୀ ହୋଇଥିବା ଗ୍ରହଣ କରିନେବା ଅଯଥାର୍ଥ। ଦୁବେଙ୍କ ଭାଷାରେ ଧର୍ମ ନିରପେକ୍ଷ ରାଜନୀତିର ହାର ଧର୍ମ ନିରପେକ୍ଷବାଦ ଆଦର୍ଶର ହିଁ ପରାଜୟ। ଧର୍ମ ନିରପେକ୍ଷ ଭାରତ ପାଇଁ ଏହି ଆଦର୍ଶର ଲଢ଼େଇରେ ଯେଉଁ ଯୋଦ୍ଧାମାନଙ୍କୁ ବିଶ୍ବାସକୁ ନିଆଯାଉଛି, ସେମାନେ ଲଢ଼ିବା ପାଇଁ କୁଣ୍ଠିତ- ଅନିଚ୍ଛୁକ; ମିତ୍ର (ମେଣ୍ଟ ଅଂଶୀଦାର)ମାନେ ସ୍ଥିତିହୀନ। ଏହି ଆଦର୍ଶ ପାଇଁ ଅତୀତର କାଳ୍ପନିକ ଗାଥାମାନ ଏବେ ମୂଲ୍ୟହୀନ; ଅତୀତ ଉପରେ ଆଧାରିତ ବର୍ତ୍ତମାନ ମଧ୍ୟ ଅର୍ଥହୀନ। ଆଉ ବିରୋଧୀଙ୍କୁ ପରିହାସ ଏବ˚ ହେୟ ଜ୍ଞାନ ଏକ ଅନୁଚିତ ରଣନୀତି। ଦୁବେ ଆମକୁ ଏକ ଆଇନା ଦେଖାଇଛନ୍ତି। ଏହି ଆଇନାରେ ଆମେ କେବଳ ନିଜକୁ ଦେଖିବା ଏବ˚ ବୁଝିପାରିବା ଯେ ଏ ଭଳି ଅବସ୍ଥା ପାଇଁ ଦାୟୀ କିଏ? ତାଙ୍କ ଯୁକ୍ତିକୁ ଅସ୍ବୀକାର କରିହେବନାହିଁ। କାରଣ ସେ ନିଚ୍ଛକ ସତ୍ୟ ଉପସ୍ଥାପନ କରିଛନ୍ତି। ତଥାପି ଆମେ ତାହା ଗ୍ରହଣ କରିପାରିବାନାହିଁ। କାରଣ, ଆମେ ବଞ୍ଚୁଥିବା ବିଶ୍ବର ମାନଚିତ୍ର ସହ ଏହା ଖାପ ଖାଉନାହିଁ।
ଅଭୟ ଦୁବେ ବଡ଼ ସାହସର ସହ ସତ୍ୟ ବଖାଣିଛନ୍ତି। ସେଥି ପାଇଁ ସେ ବାହାବା ପାଇବାକୁ ହକ୍ଦାର। ବ୍ୟବସ୍ଥାଗତ ଭାବେ ସ˚ଘ ପରିବାରକୁ ବୁଝିବାରେ ବିଫଳ ହୋଇ ଧର୍ମ ନିରପେକ୍ଷତାବାଦ ଧରାଶାୟୀ ହୋଇଥିବା ସେ ଲେଖିଛନ୍ତି। ଉଦାରବାଦୀ-ଧର୍ମ ନିରପେକ୍ଷ ବୁଦ୍ଧିଜୀବୀମାନେ ପାଶ୍ଚାତ୍ୟ ଶିକ୍ଷା ଦ୍ବାରା ଅନୁପ୍ରାଣିତ। ସେମାନେ କ୍ରମାଗତ ଭାବେ ପ୍ରତ୍ୟେକ ସ୍ତରରେ ହିନ୍ଦୁବାଦୀମାନଙ୍କୁ ହେୟଜ୍ଞାନ କରିଆସିଛନ୍ତି। ଧର୍ମରୁ ପ୍ରେରଣା ପାଉଥିବା ରାଜନୈତିକ ଦଳକୁ କେହି ଗ୍ରହଣ କରିବେନାହିଁ, ଏ ଭଳି ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ ହୋଇଛନ୍ତି। ତେଣୁ, ସ˚ଘ ପରିବାରର ମୌଳିକ ଚିନ୍ତାଧାରା ସହ ପରିଚିତ ହୋଇ ପାରିନାହାନ୍ତି। ସ˚ଘୀମାନେ ହିନ୍ଦୁ ଧର୍ମ ପରିସରରେ ରହି ସ˚ସ୍କାରୀ। ସେମାନେ ଇସଲାମ ଓ ମୁସଲମାନ ବିରୋଧୀ। ମୁସଲମାନ ବିରୋଧୀ ଅଭିଯାନରେ ସଫଳତା ପାଇବା ପାଇଁ ସେମାନେ ନିମ୍ନ ଜାତିର ହିନ୍ଦୁଙ୍କୁ ନିଜ ପକ୍ଷକୁ ଆଣିବାରେ ସଫଳକାମ ହୋଇଛନ୍ତି। ଆଧୁନିକ ସାମ୍ବିଧାନିକ ଗଣତନ୍ତ୍ର ସହ ବୁଝାମଣା କରି ଏହାକୁ ବ୍ରାହ୍ମଣବାଦୀ ଓ ଫାସିବାଦୀ ତନ୍ତ୍ରରେ ରୂପାନ୍ତରିତ କରିଛନ୍ତି। ଧର୍ମ ନିରପେକ୍ଷତାବାଦୀମାନେ ସେମାନଙ୍କୁ ବୁଝିବାରେ ବିଫଳ ହେବାରୁ, ହିନ୍ଦୁତ୍ବବାଦୀଙ୍କ ଆଦର୍ଶର ଗ୍ରହଣଯୋଗ୍ୟତା ବଢ଼ିଛି।
ଦୁବେଙ୍କ ଏହି ପୁସ୍ତକ, ଭାରତର ଅତୀତ ଓ ଏବର ଧର୍ମ ନିରପେକ୍ଷତାବାଦୀଙ୍କୁ ନେଇ। ଦୁବେଙ୍କ ଭାଷାରେ ଧର୍ମ ନିରପେକ୍ଷ ଐତିହାସିକମାନଙ୍କ ପାଇଁ ‘ହିନ୍ଦୁ’ ଏକ କୃତ୍ରିମ ସ˚ଖ୍ୟାଗରିଷ୍ଠତାର ନାମ। ଏହା ଗ୍ରହଣ କରିନେଇ ସେମାନେ ଆତ୍ମ-ତୃପ୍ତି ପାଆନ୍ତି; ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି। ବିବିଧତା ମଧ୍ୟରେ ମାତ୍ରାଧିକ ବୁଡ଼ିରହିବା କାରଣରୁ ସେମାନେ ଅନେକ ଦିଗକୁ ଅଣ-ଦେଖା କରନ୍ତି; ହିନ୍ଦୁ ଏକତାକୁ ବିଶ୍ବାସ କରନ୍ତିନାହିଁ। ଏହି ମଧୁର କଳ୍ପନାରେ ବୁଡ଼ି ରହିବା କାରଣରୁ ସେମାନେ ଧରି ନେଇଛନ୍ତି ଯେ, ବହୁବାଦ, ବିବିଧ ସାମାଜିକ ସ˚ସ୍କୃତି ଓ ଉଦାରବାଦୀ ଗଣତାନ୍ତ୍ରିକ ରାଜନୀତି ଆଗରେ ହିନ୍ଦୁ ସ˚ଖ୍ୟାଗରିଷ୍ଠତା ତିଷ୍ଠିବାର ସ˚ଭାବନା ନାହିଁ। ଅପର ପକ୍ଷେ ଦୁବେ ଦର୍ଶାଇଛନ୍ତି, ହିନ୍ଦୁତ୍ବର ଆତ୍ମ-ସ˚ଜ୍ଞା, ହିନ୍ଦୁ ଏକତାର ପରିକଳ୍ପନା ଔପନିବେଶିକ କାଳ ପୂର୍ବର ବିଷୟ। ବହୁ ପୂର୍ବରୁ ମୁସଲମାନମାନଙ୍କ ବିରୋଧରେ ହିନ୍ଦୁମାନେ ଏକତ୍ର ହୋଇଥିଲେ। ଏହି ଏକତ୍ରୀକରଣର ଧାରା ବହୁ ବର୍ଷ ହେଲା ଗଡ଼ିଆସିଲାଣି। ଆଧୁନିକ କାଳରେ ଏହାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ହିନ୍ଦୁତ୍ବବାଦୀ ଆଦର୍ଶ ପାଇଁ ଧର୍ମ ନିରପେକ୍ଷତାବାଦ ଏବେ ହିନ୍ଦୁଧର୍ମ-ବିରୋଧୀ।
ଅଭୟ ଦୁବେ ଧର୍ମ ନିରପେକ୍ଷ ରାଜନୀତିର ଗୁରୁତ୍ବପୂର୍ଣ୍ଣ ଦୁର୍ବଳତାଗୁଡ଼ିକୁ ଦର୍ଶାଇଛନ୍ତି: ସ˚ଖ୍ୟାଲଘୁଙ୍କ ଅଧିକାର ଉପରେ ଅଧିକ ଧ୍ୟାନ, ସ˚ଖ୍ୟାଲଘୁ ସା˚ପ୍ରଦାୟିକତାବାଦ ପ୍ରସଙ୍ଗରେ ନିରବତା, ହିନ୍ଦୁ ସା˚ପ୍ରଦାୟିକତାବାଦ ପ୍ରସଙ୍ଗରେ ବଡ଼ ବଡ଼ ଭାଷଣ, କ˚ଗ୍ରେସ୍ର ଅଭ୍ୟନ୍ତରୀଣ ବ୍ୟାପାରରେ ଅସଙ୍ଗତି, ଧର୍ମ ନିରପେକ୍ଷ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଫଳତା। ସେ ଅତ୍ୟନ୍ତ ସାହସିକତାର ସହ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି: ବ୍ରାହ୍ମଣବାଦ ବିରୋଧରେ ବିଦ୍ରୋହ, ସ˚ଖ୍ୟାଗରିଷ୍ଠତା ବିରୋଧରେ ବହୁଜନ ଏକତା, ଦଳିତ-ମୁସଲମାନ ଏକତା। ଦୁବେଙ୍କ ପ୍ରତ୍ୟେକ ସମାଲୋଚନା ସହ ହୁଏ’ତ ପାଠକମାନେ ଏକମତ ହୋଇ ନ ପାରନ୍ତି। ତାଙ୍କର ଐତିହାସିକ ବିଶ୍ଳେଷଣ ବାବଦରେ ମଧ୍ୟ। ତଥାପି ଏକ ସ˚କଟ କାଳରେ ଧର୍ମ ନିରପେକ୍ଷ ଆଦର୍ଶର ଯେଉଁ ଦୁର୍ବଳତାଗୁଡ଼ିକ ସେ ଦର୍ଶାଇଛନ୍ତି, ସେଥି ପାଇଁ ତାଙ୍କୁ ପ୍ରଶ˚ସା ନ କରି ରହିହେବନାହିଁ।
ସେ କେବଳ ଜଣେ ସମାଲୋଚକ ମାତ୍ର ନୁହନ୍ତି। ସେ ବିକଳ୍ପ ମାର୍ଗ ମଧ୍ୟ ଦେଖାଇଛନ୍ତି। କିନ୍ତୁ, ଧର୍ମ ନିରପେକ୍ଷତାବାଦୀ ଶିବିରରେ ସେଗୁଡ଼ିକୁ ଅଣ-ଦେଖା କରାଯାଉଛି। ଏହା ଧର୍ମ ନିରପେକ୍ଷତାବାଦୀଙ୍କ ଦୂରଦୃଷ୍ଟିହୀନତାକୁ ପ୍ରତିପାଦିତ କରୁଛି। ସେ, ଐତିହାସିକ ଧର୍ମା କୁମାର; ସମାଜବିଜ୍ଞାନୀ ସତୀଶ ସଭରଵାଲ, ଇମତିଆଜ ଅହମଦ ଓ ଡିଏଲ୍ ସେଠ; ରାଜନୈତିକ ବିଜ୍ଞାନୀ ସୁହାସ ପଲଶିକର, ରଜନୀ କୋଠାରୀ ଏବ˚ ରାଜୀବ ଭାର୍ଗବ ଆଦିଙ୍କ ଲେଖା ବା ମତରୁ ଉଦ୍ଧାର କରି ବିକଳ୍ପଗୁଡ଼ିକ ବାବଦରେ କହିଛନ୍ତି। ସେସବୁକୁ ଭଲ ଭାବେ ଅନୁଧ୍ୟାନ କଲେ ଆଗାମୀ ସଫଳ କର୍ମ-ପନ୍ଥା ନିର୍ଦ୍ଧାରଣ କରିହେବ। ଧର୍ମ ନିରପେକ୍ଷତା ପ୍ରସଙ୍ଗରେ ସେ, ମହାତ୍ମା ଗାନ୍ଧୀ, ରାମ ମନୋହର ଲୋହିୟା ତଥା ସେମାନଙ୍କର ଅନୁଗାମୀ ଏବ˚ ଏପରିକି ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ସମର୍ଥକ ଚିନ୍ତକ ଧର୍ମପାଲ ଓ ନିର୍ମଳ ବର୍ମା ଆଦିଙ୍କ ଚିନ୍ତାଧାରା ଉପରେ ମଧ୍ୟ ଆଲୋଚନା କରିଛନ୍ତି।
ଏମିତି ଏକ ପୁସ୍ତକ ଏବ˚ ଏ ଭଳି ସ୍ପଷ୍ଟ ମତ ପ୍ରକାଶକୁ ଭାଜପା ସରକାର ବରଦାସ୍ତ କରିବନାହିଁ। ପୁଣି, ଲେଖକ ଯଦି ହିନ୍ଦୁତ୍ବବାଦୀ ହୋଇ ନ ଥିବେ ତ କିଛି ବି ଘଟିପାରେ! ଲେଖକ ମଧୢ ଏହା ଭଲ ଭାବେ ଜାଣନ୍ତି। ଧର୍ମ ନିରପେକ୍ଷତାବାଦ ଭୁଲ୍ ରାସ୍ତାରେ ଚାଲିଛି ଏବ˚ ଏହାକୁ ନିଜକୁ ସୁଧାରିବାକୁ ହେବ। ନ ହେଲେ ଉଦାରବାଦ ଏବ˚ ଏହାର ପରାଜୟ ଚାଲିଥିବ। ଶେଷରେ ସମସ୍ତେ ଆଶା ହରାଇବେ। ଅଭୟ ଦୁବେ ଏକ ବିତର୍କ ଆରମ୍ଭ କରିଛନ୍ତି। ଏବେ ନିରବତା ଭାଙ୍ଗି ଆଲୋଚନାର ବେଳ ଆସିଛି। ଏହି ପୁସ୍ତକର ଇ˚ରେଜୀ ଅନୁବାଦ, ଏହି କ୍ଷେତ୍ରରେ ଏକ ପ୍ରଥମ ପଦକ୍ଷେପ ହୋଇପାରେ।
[email protected]