ସୁନ୍ଦରବନର ସୁଖ ଓ ଦୁଃଖ

ଅଭିରାମ ବିଶ୍ବାଳ

ଜମି, ଜଳ ଓ ଜଙ୍ଗଲ ସାଙ୍ଗକୁ ଜୀବଜନ୍ତୁଙ୍କ ଜୀବନକୁ ଜଞ୍ଜାଳ ଭିତରକୁ ଠେଲି ଦେଉଥିବା ବହୁଚର୍ଚ୍ଚିତ ଜଳବାୟୁ ପରିବର୍ତ୍ତନ ସା˚ପ୍ରତିକ କରୋନା ସ˚କ୍ରମଣର ଅନ୍ୟତମ ମୂଳ କାରଣ ବୋଲି କେତେକ ମହଲରୁ ମତ ପ୍ରକାଶ ପାଉଛି। ଏପରିକି ‘ଅଠର ଜୁଆରର ଭୂଖଣ୍ତ’ ଭାବେ ଜଣା ଓ ଜୈବ ବିବିଧତାର ଗନ୍ତାଘର ଭାବେ ପରିଗଣିତ ସୁନ୍ଦରବନ ଜଳବାୟୁ ପରିବର୍ତ୍ତନର ପ୍ରକୋପରୁ ବର୍ତ୍ତିପାରିନି। ସୁନ୍ଦରବନ ମାନେ ସେଇ ସୁନ୍ଦରିଆ ବଣ ଓ ସୁନ୍ଦରୀ ଗଛର ହେନ୍ତାଳ ବନ, ଯାହା ସହ ସବୁବେଳେ ଯୋଡ଼ା ରୟାଲ୍‌ ବେଙ୍ଗଲ ବାଘ, କୁମ୍ଭୀର, ମହୁମାଛି, ସାପ, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ମାଙ୍କଡ଼, ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ତ୍ରିକୋଣ ଭୂମି, କାଦୁଆ ପଠା, ‘ବନବିବି’, ବାଘ-ବିଧବା, ବାତ୍ୟା, ଶରଣାର୍ଥୀଙ୍କ ଆଗମନ- ପ୍ରତ୍ୟାଗମନ, ସରୀସୃପ, ସ୍ତନ୍ୟପାୟୀ, ଉଭୟଚର ଓ ସ୍ଥାନୀୟ ଅଧିବାସୀଙ୍କୁ ନେଇ କେତେ ନା କେତେ ମନୋରମ ଓ କରୁଣ ଏବ˚ ସୁଖ ଓ ଦୁଃଖ ଭରା କାହାଣୀ। ଗଲା ଅମ୍ଫାନ ବାତ୍ୟା ବେଳେ ଏବ˚ ଏ କରୋନା କାଳରେ ସୁନ୍ଦରବନର ବାଘ, କୁମ୍ଭୀର, ମହୁମାଛି ଓ ମଣିଷମାନେ କରୁଥିଲେ ବା କରୁଥାନ୍ତି କ’ଣ?

ଲୋଭନୀୟ ଭୂଗୋଳ ସହ ସାଧାରଣତଃ ରହସ୍ୟମୟ ଇତିହାସ ଓ ସମସ୍ୟା ଜର୍ଜରିତ ରାଜନୀତି ଗୁନ୍ଥି ହୋଇଥାଏ। ସୁନ୍ଦରବନ ସେମିତି ଏକ ଇଲାକା ଯେଉଁଠି ଜଳଭାଗକୁ ସ୍ଥଳଭାଗ ଓ ଜଙ୍ଗଲ ଠାରୁ, ସମୁଦ୍ରକୁ ନଈଠାରୁ ଅଲଗା କରି ଦେଖିବା ସହଜ କି ସମ୍ଭବ ନୁହେଁ। ହଠାତ୍‌ ମାଡ଼ି ଆସିବ ଜୁଆର, ବୁଡ଼ିଯିବ ଜମି ଓ ଜଙ୍ଗଲ, ଲାଗିବ ଶହ ଶହ କିଲୋମିଟର ବ୍ୟାପୀ ପାଣି ଆଉ ପାଣି, ପୁଣି କିଛି ଘଣ୍ଟା ପରେ ଯେଉଁ ଜମି ଓ ଜଙ୍ଗଲକୁ ସେଇ ଜମି ଓ ଜଙ୍ଗଲ। ଯାହାର କାଦୁଅ ପଠାରୁ ଲୋକେ ପେଟପାଟଣା ପାଇଁ ଧରୁଥିବେ ଲାଲ୍‌ ଭୂତ କଙ୍କଡ଼ା। ଆଉ ଯେଉଁଥିରୁ ବାରି ହେଉଥିବ ବାଘର ସଦ୍ୟ ପଦ ଚିହ୍ନ। ପୁଣି ଖୋଜି ଚାଲିଲେ ଯେଉଁ କର୍ଦ୍ଦମାକ୍ତ, ସନ୍ତସନ୍ତିଆ ତଟଭୂମିରୁ ସେତେଟା ମିଳୁ ନ ଥିବ କଞ୍ଚା ଓ ଝଡ଼ାପତ୍ର।

ପ୍ରକୃତି, ମଣିଷ ଓ ବଣ୍ୟପ୍ରାଣୀଙ୍କ ସ˚ଘର୍ଷ ଆଉ ସହାବସ୍ଥାନର ସ୍ବାକ୍ଷର ବହନ କରୁଥିବା ସୁନ୍ଦରବନର ଅଧିଷ୍ଠାତ୍ରୀ ଦେବୀ ‘ବନବିବି’। କାହା ପାଇଁ ବଣ ଦେବୀ ତ ଆଉ କାହା ପାଇଁ ବନ ଦୂର୍ଗା କିମ୍ବା ବ୍ୟାଘ୍ର ଦେବୀ। ଯାହାଙ୍କୁ ନେଇ ଅସୁମାରି କାହାଣୀ, ଲୋକକାବ୍ୟ, କି˚ବଦନ୍ତି ଓ ଅତି କଥା। ବିଶ୍ବାସ କରାଯାଏ ମହୁ ସ˚ଗ୍ରହକାରୀ, ମାଛ ଧରାଳୀ ଓ କାଠ କଟାଳୀମାନେ ‘ବନବିବି’ଙ୍କୁ ପ୍ରଥମେ ସୁମରଣ କରି ଘରୁ ବାହାରନ୍ତି- ମା’ ‘ବନବିବି’ ଆମ ସାହା ଭରସା, ଆମକୁ ସିଏ ବିପଦ ଆପଦରୁ ନିଶ୍ଚେ ରକ୍ଷା କରିବେ। ଏକାଧିକ ଲୋକ କଥା ମୁତାବକ ‘ବନବିବି’ ନିଜ ଭାଇ ଜଙ୍ଗଲୀ ଶାହାଙ୍କ ସହ ଆସିଥିଲେ ଏ ଅଠର ଜୁଆରର ଇଲାକାକୁ କାହିଁ କେତେ ଦରିଆ ପାର ହୋଇ ବାଘ-ଦାନବ-ରାଜା(?) ଦକ୍ଷିଣ ରାଏଙ୍କ ଦାଉରୁ ନିରୀହ ସୁନ୍ଦର ବନବାସୀଙ୍କୁ ସୁରକ୍ଷା ଦେବା ପାଇଁ। ଭାଇଭଉଣୀ ଦୁହିଁଙ୍କୁ କୁଆଡ଼େ ଦୁଇଟି କୁହୁକ ଟୋପି ଉଡ଼େଇ ଆଣିଥିଲା ସୁନ୍ଦରବନକୁ। ସେମାନେ ପହଞ୍ଚିବା ଖବର ପାଇ ଦକ୍ଷିଣ ରାଏ ହୁଙ୍କାର ଦେଲେ- ମୋ ସାମ୍ରାଜ୍ୟରେ ଏ ଦୁଇ ଅଲୋଡ଼ା ବିଦେଶାଗତ କିଏ? ରାଏ ଲଢ଼ିବାକୁ ଝପଟି ପଡ଼ନ୍ତେ ତାଙ୍କ ମା’ ନାରାୟଣୀ ତାଙ୍କୁ ବାରଣ କରି କହିଲେ, ‘ବନବିବି’ ଜଣେ ମହିଳା ହୋଇଥିବାରୁ ତାଙ୍କ ସହ ଜଣେ ମହିଳା ଲଢ଼ିବା ଠିକ୍‌ ହେବ। ଭୂତପ୍ରେତଙ୍କ ସେନାର ସାହାଯ୍ୟ ନେଇ ନାରାୟଣୀ ଲଢ଼ି ଲଢ଼ି ହାରି ଯିବାରୁ ‘ବନବିବି’ଙ୍କ ଶରଣ ପଶି ତାଙ୍କ ସହ ସଇ ବା ମିତ ହେଲେ। ସେ ପ୍ରକ୍ରିୟାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ଘାଜି ବାବା। ନ ହେଲେ ‘ବନବିବି’ଙ୍କ ଠାରୁ ନିସ୍ତାର ପାଇ ନଥାନ୍ତେ ଦକ୍ଷିଣ ରାଏ ଓ ନାରାୟଣୀ। ଶେଷରେ କରୁଣାମୟୀ ‘ବନବିବି’ ରାୟ ଦେଲେ- ଏଣିକି ଏ ଜଙ୍ଗଲ ସବୁ ଅଧିବାସୀଙ୍କର। ଦକ୍ଷିଣ ରାଏଙ୍କର ନୁହେଁ।

ଆଉ ଏକ ସ˚ପର୍କିତ ଲୋକକାହାଣୀ ଦୁଖେକୁ ନେଇ। ଦୁଖେ ଥିଲା ଜଣେ ଗରିବ ପଶୁପାଳକ ବାଳକ। ଥରେ ଧନାଇ ଓ ମନାଇ ମହୁ ସ˚ଗ୍ରହ ଅଭିଯାନରେ ଘଞ୍ଚ ଜଙ୍ଗଲକୁ ବାହାରିଲେ ସଦଳବଳ ସାତଟି ଡଙ୍ଗାରେ। ସାଙ୍ଗରେ ନେଇ ଯାଇଥିଲେ ଦୁଖେକୁ। କହିବା ବାହୁଲ୍ୟ ସେ ଘଞ୍ଚ ଜଙ୍ଗଲ ଥିଲା ଦକ୍ଷିଣ ରାଏଙ୍କ ସାମ୍ରାଜ୍ୟ। ଧନାଇ ଭୁଲି ଯାଇଥିଲେ ଦକ୍ଷିଣ ରାଏଙ୍କୁ ଅଗ୍ରିମ ଭେଟି ଦେବା କଥା। ଦକ୍ଷିଣ ରାଏ ତେଣୁ ରାଗି ପଞ୍ଚମ। ସ୍ବପ୍ନରେ ଧନାଇ ଠୁଁ ଚାହିଁଲେ ନର ବଳି। ନୋହିଲେ ମହୁ ଫହୁ ଓ ମହମ ଫହମ କିଛି ମିଳିବନି। ଧନାଇ ଓ ମନାଇଙ୍କ ମନ ଡହଳ ବିକଳ ହେଉଥାଏ କେବଳ ମହୁ ଓ ମହମ ପାଇଁ। କିଛି ବାଛ ବିଚାର ନ କରି ଦୁହେଁ ଦୁଖେକୁ ନର ବଳି ରୂପେ ସମର୍ପି ଦେଲେ ଦକ୍ଷିଣ ରାଏଙ୍କୁ। ବାଘ ସାଜି ଦକ୍ଷିଣ ରାଏ ଦୁଖେକୁ ମାରିବାକୁ ଉଦ୍ୟତ ହୁଅନ୍ତେ ସେ ‘ବନବିବି’ଙ୍କୁ ଆକୁଳ ପ୍ରାର୍ଥନା କଲା। ତତ୍‌କ୍ଷଣାତ୍‌ ସେଠି ଉଭା ହୋଇ ‘ବନବିବି’ ଉଦ୍ଧାର କଲେ ଦୁଖେକୁ ଦକ୍ଷିଣ ରାଏ କବଳରୁ ଏବ˚ ନିଜ ପୋଷା କୁମ୍ଭୀର ସେକୋ ପିଠିରେ ବସେଇ ଦୁଖେକୁ ପଠେଇ ଦେଲେ ତା’ ଗାଁକୁ। ଆଉ ସାଙ୍ଗରେ ଦେଇଥାନ୍ତି ସାତ ଟୋକେଇ ଭର୍ତ୍ତି ବଢ଼ିଆ ବଢ଼ିଆ ଚିଜ। ଗାଁରେ ପହଞ୍ଚି ‘ବନବିବି’ଙ୍କ ମହିମାର ବୃତ୍ତାନ୍ତ ବଖାଣି ଚାଲିଲା ଦୁଖେ। ଅଭିଭୂତ ଗ୍ରାମବାସୀ ଆରମ୍ଭ କରି ଦେଲେ ‘ବନବିବି’ଙ୍କ ନିୟମିତ ପୂଜା।

ଆଧୁନିକ ସମୟର ଦୁଇଜଣ ବିଖ୍ୟାତ ଲେଖକଙ୍କ ଲେଖାରେ ସୁନ୍ଦରବନର ଚମତ୍କାର ଉଲ୍ଲେଖ ରହିଛି। ‘‘ମିଡ୍‌ନାଇଟ୍‌ସ ଚିଲ୍‌ଡ୍ରେନ୍‌’’ (୧୯୮୧) ଉପନ୍ୟାସରେ ସଲ୍‌ମାନ୍‌ ରୁସ୍‌ଦି ଲେଖିଛନ୍ତି- ‘ସୁନ୍ଦରବନର ଜଙ୍ଗଲ ଏତେ ଘଞ୍ଚ ଯେ ସେଠିକି ପଶିବାକୁ ଇତିହାସ କ୍ବଚିତ୍‌ ବାଟ ପାଏ।’ ତାଙ୍କ ଉପନ୍ୟାସର ଚରିତ୍ରମାନଙ୍କ ପାଇଁ ଅରଣ୍ୟ ସେଇ ପୀଠ ଯାହା କୁହୁକ ଓ ବିପଦର; ଯାହା ପୁଣି ଅତିକଥାର ସେଇ ଇଲାକା, ଯେଉଁଠୁ ମୁକୁଳିବା ଏକ ପ୍ରକାରେ ଅସମ୍ଭବ। ‘ସୁନ୍ଦରବନକୁ ମଣିଷ ମଣ କରିପାରେନି; ମଣିଷମାନଙ୍କୁ ବର˚ ସୁନ୍ଦରବନ ଗିଳି ଦେଇପାରେ।’ ଅମିତାଭ ଘୋଷ୍‌ଙ୍କ ‘ଦି ହ˚ଗ୍ରି ଟାଇଡ୍‌’ (୨୦୦୪) ଉପନ୍ୟାସର ପୃଷ୍ଠଭୂମି ସୁନ୍ଦରବନ। ସେଥିରେ ପୁଣି ରହିଛି ଦୁଃଖର କାହାଣୀ ସାଙ୍ଗକୁ ମରିଚଝାପି ଗଣସ˚ହାର (୧୯୭୯)ର ଆଭାସ। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉତ୍‌ଥାପନ କରିଥିବା ତାଙ୍କ ଆଲୋଚନା ଗ୍ରନ୍ଥ ‘ଦି ଗ୍ରେଟ୍‌ ଡିରେଞ୍ଜମେଣ୍ଟ’ (୨୦୧୬)ରେ ମଧୢ ସିଏ ସୁନ୍ଦରବନ, ମଣିଷ ଖିଆ ବାଘ, ଦୁଖେ ଓ ଦକ୍ଷିଣ ରାଏ କଥା ସୂଚେଇଛନ୍ତି। ‘ବନବିବିର କରାମତି’ ଓ ‘ବନବିବିର ଜହୁରନାମା’ ଦୁଇଟି ଅତି ଜଣାଶୁଣା ଲୋକଶାସ୍ତ୍ର। ଡିବି ଓ ଲଣ୍ଠନ ଜଳେଇ ଏବେ ବି ସୁନ୍ଦରବନରେ ପାଠ କରାଯାଉଥିବା ‘ବନବିବି’ର ପାଲା ଆଧାରିତ ଚଟି ବହି ଓଡ଼ିଶାରେ ଆଦୃତ ସତ୍ୟନାରାୟଣ ପାଲା ପୁସ୍ତିକା ସହ କିଛି ପରିମାଣରେ ତୁଳନୀୟ।

ସତ କହିବାକୁ ଗଲେ ସୁନ୍ଦରବନର ବାସ୍ତବ ବଣର ବାଘ କାହାଣୀ ଓ କି˚ବଦନ୍ତିର ବାଘ ଠାରୁ ଅଲଗା। ଏ ବାସ୍ତବ ବାଘ ନଈରେ, ପାଣିରେ ପହଁରି ଜାଣେ। ସୁନ୍ଦରବନର ହେନ୍ତାଳ ବନ ଆଉ ଆଗ ଭଳି ସେତେ ଘଞ୍ଚ ନାହିଁ। ତେଣୁ ଇତିହାସ ସାଙ୍ଗକୁ ବର୍ତ୍ତମାନ ଓ ରାଜନୀତି ତା’ଭିତରକୁ ଅନାୟସରେ ଗଳି ପଶିଯାଉଛି ଏବ˚ ବାଘ ଜନବସତି ଆଡ଼କୁ ଚାଲିଆସୁଛି। ଅନେକ ସମୟରେ ଗାତରୁ ସାପ, ପାଣିରୁ କୁମ୍ଭୀର ଓ ବଣବୁଦାରୁ ବାଘ ବାହାରି ସ୍ଥାନୀୟ ଅଧିବାସୀଙ୍କୁ ଦହଗଞ୍ଜ କରନ୍ତି। ବାଘ ଆକ୍ରମଣ ଜନିତ ମଣିଷ ମୃତ୍ୟୁର ସର୍ବାଧିକ ଦୁର୍ଦଶା ଭୋଗନ୍ତି ମହିଳାମାନେ କାରଣ ସେମାନେ ସେମାନଙ୍କ ସ୍ବାମୀମାନଙ୍କ ସହ ଜଣେ ଜଣେ ରୋଜଗାରିଆ ସଦସ୍ୟଙ୍କୁ ବି ହରେଇ ବସନ୍ତି। ଲୋକେ ସେମାନଙ୍କୁ ଜାଣନ୍ତି ‘ବାଘ ବିଧବା’ ଭାବେ। କେତେକ ଇଲାକା ମଧୢ (ବାଘ) ବିଧବା ପଡ଼ା ବା ପଲ୍ଲୀ ଭାବେ ଜଣା। ବାଘ ମୁହଁରେ ସ୍ବାମୀ ହରେଇ ଥିବା ମହିଳାମାନେ କେବଳ ଅଧିକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଆନ୍ତି ନାହିଁ; ସେମାନଙ୍କୁ ଅକାରଣରେ ନାନା ସାମାଜିକ ବାସନ୍ଦ ଓ ତିରସ୍କାରର ସମ୍ମୁଖୀନ ହେବାକୁ ପଡ଼େ। ଅମିତାଭ ଘୋଷଙ୍କ ଲେଖା ମୁତାବକ ସୁନ୍ଦରବନରେ ଏମିତି ଅନେକ ଗାଁ ଅଛି ଯେଉଁଠୁ କି ପ୍ରତି ପରିବାରରୁ ଅତି କମ୍‌ରେ ଜଣେ ଲେଖାଏଁ ବାଘ ମୁହଁରେ ଜୀବନ ହରେଇଛନ୍ତି; ସେଠି ପ୍ରତ୍ୟେକଙ୍କର କାହାଣୀଟିଏ କହିବାର ଥାଏ ଓ ରହିଛି।

ବାଘର ମାରାତ୍ମକ ଆକ୍ରମଣ ସାଙ୍ଗକୁ ସୁନ୍ଦରବନର ଅସ˚ଖ୍ୟ ମହିଳା ମଧୢ ଜଳବାୟୁ ପରିବର୍ତ୍ତନ ଜନିତ ଏକାଧିକ ବାତ୍ୟାର ଶିକାର। ଜଣେ ମହିଳାଙ୍କ ମତରେ- ‘ଅମ୍ଫାନ୍‌’ ଆମ ଜୀବିକା ଛଡ଼େଇ ନେଲା, ଆମ ପୋଖରୀରୁ ମାଛ ଉଡ଼େଇ ନେଲା, ଆଉ ବାଘ ଖାଇଦେଲା ମୋ ବରକୁ ଯିଏ ବଣକୁ ଯାଇଥିଲେ ବିକଳ୍ପ ଜୀବିକାର ସନ୍ଧାନରେ। ଅନ୍ୟ ଜଣେ ମହିଳା କହନ୍ତି- ଆସିଥିଲା ବାତ୍ୟା ‘ଆଇଲା’ ଆଉ ନଷ୍ଟଭ୍ରଷ୍ଟ କରି ଦେଲା ଆମର ସବୁଯାକ ଫସଲ। ପରିବାରର ଚୁଲି ଜଳିବ ବୋଲି ମୋ ସ୍ବାମୀ ଅନନ୍ୟୋପାୟ ହୋଇ ଘରୁ ବାହାରିଗଲେ କଙ୍କଡ଼ା ଧରିବାକୁ ଯେ ବାଘ ହାବୁଡ଼ରେ ପଡ଼ି ଆଉ ଫେରି ପାରିଲେନି। ନିଜ ମାନସିକ ଚାପ ଓ ବିଷାଦକୁ ଜଣେଇବାକୁ ନ ଦେଇ (ତାଙ୍କ ସ୍ବାମୀ ମଧୢ ବାଘ ଆକ୍ରମଣରେ ପ୍ରାଣ ହରେଇଥିଲେ) ଆଉ ଜଣେ ମହିଳା କହନ୍ତି- ଗଲା ବର୍ଷ ବାତ୍ୟା ‘ବୁଲ୍‌ବୁଲ୍‌’ ଆସିଥିଲା ଓ ଉଡ଼େଇ ନେଇଥିଲା ଆଜ୍‌ବେଜ୍‌ଷ୍ଟସ୍‌। ଏଗାର ବର୍ଷ ତଳେ ଆସିଥିବା ‘ଆଇଲା’ ଯୋଗୁଁ କ୍ଷେତରେ ମାଡ଼ି ଯାଇଥିଲା ସମୁଦ୍ରର ଲୁଣିଆ ପାଣି ଓ ଉଜୁଡ଼ି ଯାଇଥିଲା ଚାଷ। ଆଉ ଏ ‘ଅମ୍ଫାନ୍‌’ ବେଳକୁ ଛାତ ବୋଇଲେ ମୁଣ୍ତ ଉପରେ କୋତୋଟି ଚିରା ଶାଢ଼ିର ଗୁନ୍ଥାଗୁନ୍ଥି ଛପର। ବାତ୍ୟା ସାଙ୍ଗକୁ କରୋନା- ବାବାରେ, ଦୁଇ ଦାରୁଣ ବିପର୍ଯ୍ୟୟର କି ବିଷାକ୍ତ ମହାମେଣ୍ଟ! ୧୭୩୭ ମସିହା ପରେ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିବା ସବୁଠୁ ଭୟାବହ ବାତ୍ୟା ଥିଲା ଅମ୍ଫାନ୍‌। ହେଲେ ତା’ଦ୍ବାରା କଲିକତା ଠୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ସୁନ୍ଦରବନ। କରୋନା ଯୋଗୁଁ ଲୋକେ ଅନ୍ୟତ୍ର ଗମନ କରିପାରିିନଥିଲେ।

ଇତିହାସ ଜଣେଇ ଦିଏ ଯେ ବିଭିନ୍ନ ପ୍ରକାରର ଓ ପର୍ଯ୍ୟାୟର ବାହାରିଆ-ଆଗମନ ସୁନ୍ଦରବନର ସ୍ଥାନୀୟ ଜନ-ଜଙ୍ଗଲ ଜୀବନକୁ ଭିନ୍ନ ଭିନ୍ନ ଢଙ୍ଗରେ ବଦଳେଇ ଦେଇଛି। ସେ ଆଗନ୍ତୁକଙ୍କ ଭିତରେ ଅଛନ୍ତି ସାହେବ, ସମ୍ଭ୍ରାନ୍ତ, ରାଜାରାଜୁଡ଼ା, ଜମିଦାର, ଗବେଷକ, କର୍ମୀ, ଭାବୁକ, ଲେଖକ-ଲେଖିକା, ପର୍ଯ୍ୟଟକ, ଶିକାରୀ, ସତ ଓ ଛଦ୍ମ ବିପ୍ଳବୀ, ପରିବେଶବିତ୍‌ ଓ ରାଜ୍ୟ-ରାଷ୍ଟ୍ର-ବିଶ୍ବର ପ୍ରତିନିଧି; ପୁଣି ସମସ୍ତେ ଅଲଗା ଅଲଗା କାର୍ଯ୍ୟସୂଚି ନେଇ। ଅନର୍ଥ ଆରମ୍ଭ ହୋଇଗଲା ୧୭୯୩ର ଚିରସ୍ଥାୟୀ ବନ୍ଦୋବସ୍ତ ବେଳୁ। ଘଞ୍ଚ ଜଙ୍ଗଲ ଭରା ସୁନ୍ଦରବନ ଉପରେ ଲୋଲୁପ ଦୃଷ୍ଟି ପଡ଼ିଲା ବିଭିନ୍ନ କର୍ମ ପାଇଁ। ଆଗରୁ ସୁନ୍ଦରବନର ଲୋକେ ବୁଣାବୁଣି ଓ ଲୁଣମରା କାମରେ ମନୋନିବେଶ କରିଥିଲେ। ୧୯୧୦ ସମୟକୁ ସେଠିକି ଆସିଗଲା ଜମିଦାରୀ। ସେଥିପାଇଁ ପାର˚ପରିକ ହେନ୍ତାଳବନ ସଫା କରି ନୂତନ ବ୍ୟବସାୟିକ ବୃକ୍ଷରୋପଣ ଓ କୃଷି ଆରମ୍ଭ ହୋଇଗଲା। ବାହାରୁ ଆଗମନର ଆଉ ଏକ ଢେଉ ଅନୁଭୂତ ହୋଇଥିଲା ୧୯୪୩ର ବଙ୍ଗ ଦୁର୍ଭିକ୍ଷ ସମୟରେ। ସେ ଆଗମନକାରୀଙ୍କ ଭିତରୁ ଅନେକ ଥିଲେ ମେଦିନୀପୁରର। ସେମାନଙ୍କ ମୁଣ୍ତରେ ଧାରଣା ପୂରେଇ ଦିଆଯାଇଥିଲା ଯେ ଚାଉଳର ଅଭାବ ପଡ଼ିଲେ ବି ମାଛ ଧରି ପେଟ ପୋଷିହେବ। ୧୯୪୭ ମସିହାରେ ଆଗମନର କାରଣ ଥିଲା ଦେଶର ବିଭାଜନ। ପୂର୍ବ ପାକିସ୍ତାନ (ଏବେକାର ବଙ୍ଗଳାଦେଶ)ରୁ ଆସି ଯାଇଥିଲେ ୪୦,୦୦୦ ସରିକି ଲୋକ ଓ ବସବାସ କରିଥିଲେ ଯାଇ ମରିଚଝାପି ଅଞ୍ଚଳରେ। ସେଠି ସେଭଳି ବସବାସ କରୁଥବା ଅନେକ ଶରଣାର୍ଥୀ କହନ୍ତି- ଆଗରୁ ଏଠି ଖାଲି ବୁଦା ଥିଲା। ଆମେ ଜଙ୍ଗଲ, ଜନବସତି ଓ ସଭ୍ୟତା ସମ୍ଭବ କରେଇଲୁ। ସରକାରଙ୍କ ଦୃଷ୍ଟିରେ ତାହା ଥିଲା ସ˚ରକ୍ଷିତ ଜଙ୍ଗଲ ଜମି। ତେଣୁ ଲୋକଙ୍କୁ ସେଠୁ ହଟେଇବାର କଠିନ ଓ ଜଟିଳ ନିଷ୍ପତ୍ତି ନିଆଯାଇଥିଲା ଯାହାର ଅନ୍ୟତମ କୁପରିଣତି ଥିଲା ମରିଚଝାପି ଗଣସ˚ହାର।

ଆଗରୁ ସୁନ୍ଦରବନ ଅଞ୍ଚଳରେ ହୁଲିଡଙ୍ଗା ଚାଲୁଥିଲା। ସମୟକ୍ରମେ ଆସିଲା ଭୁଟ୍‌ଭୁଟି, ଲଞ୍ଚ୍‌ ଓ କାତ-ଆହୁଲା ବିହୀନ ଯନ୍ତ୍ରଚାଳିତ ବଡ଼ ବଡ଼ ନୌକା ଏବ˚ ସେସବୁ ସହ ପ୍ରଦୂଷଣ, ବିକାଶର ଆଧୁନିକ ପ୍ରକଳ୍ପ ଓ ଜଗତ୍‌କରଣ। ସୁନ୍ଦରବନରେ ଜୁଆର ଓ ବାତ୍ୟାର ପ୍ରତିରୋଧ ପୂର୍ବଭଳି ସମ୍ଭବ ହୋଇପାରୁନି; କାରଣ ହେନ୍ତାଳ ବନ ପତଳା ଓ ଦୁର୍ବଳ ହେବାରେ ଲାଗିଛି। ମରୁଭୂମି ତିଆର କରିବା ସହଜ; ଜଙ୍ଗଲ ନୁହେଁ। ଏକ ପ୍ରଖ୍ୟାତ ମନ୍ତବ୍ୟ ଅନୁସାରେ, ବର୍ଷା ସୃଷ୍ଟ ଜଙ୍ଗଲକୁ ଧ୍ବ˚ସ କରିବା ଯାହା ନବ ଜାଗରଣ ବା ରେନାସାଁର ଚମତ୍କାର ଚିତ୍ରକୃତିକୁ ଜଳେଇ ବକ୍ତେ ଭୋଜନ ପ୍ରସ୍ତୁତ କରିବା ତାହା। ସେଇଥିପାଇଁ ତ ବାତ୍ୟା ଓ କରୋନା କାଳରେ ବାଘ, କୁମ୍ଭୀର, ମହୁମାଛି ଓ ସୁନ୍ଦରବନବାସୀ ମିଳିମିଶି ନବ୍ୟ ଜୀବଜନ୍ତୁ କାବ୍ୟ ରଚି ଗାଆନ୍ତି- ବାତ୍ୟା ଯାଉ, କରୋନା ଯାଉ; ଆମ ସୁନ୍ଦରବନର ଦୁଃଖ ଯାଉ, ସୁଖ ଥାଉ।
ବେହୁରିଆ ଭବନ, ଗୌର ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର