ଏବେ ଦୁଇଟି କଥା ଏକା ସାଙ୍ଗରେ ଘଟୁଛି। ଗ୍ରୀଷ୍ମ କାଳରେ ପ୍ରବଳ ଉତ୍ତାପ ଜୀବନକୁ ଅସହ୍ୟ ଭାବେ ଶୁଷ୍କ କରି ଦେଉଥିବା ବେଳେ ଗ୍ରୀଷ୍ମ ପରେ ବୃଷ୍ଟିର ଆଗମନରେ ମାତ୍ରାଧିକ ବର୍ଷା ଜୀବନକୁ ନିଶ୍ଚିହ୍ନ କଲା ଭଳି ଜଳମଗ୍ନ କରି ପକାଉଛି। ସୁତରାଂ, ଦୁଇ ଚରମ ବିନ୍ଦୁ ମଧ୍ୟରେ ଏବେ ମଣିଷ ଜୀବନ ସନ୍ତପ୍ତ।
ଗଲା ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତଳ ଏବଂ ନାତିଶୀତୋଷ୍ଣ ପାଶ୍ଚାତ୍ୟ ଦେଶମାନ ଅସହନୀୟ ଗ୍ରୀଷ୍ମ ତାପର ପ୍ରତ୍ୟକ୍ଷ କରିଛି। ଭୂମଧ୍ୟସାଗରୀୟ ଦେଶ ଯେମିତି କି ପର୍ତ୍ତୁଗାଲ, ସ୍ପେନ, ଇଟାଲୀ, ଗ୍ରୀସ୍ ସହିତ ଶୀତ ପ୍ରଧାନ ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ୍, ଉତ୍ତର ମେରୁ ପାଖାପାଖି ଅଞ୍ଚଳ କାନାଡା ଇତ୍ୟାଦି ଦେଶ ଆଗରୁ କେବେ ଦେଖି ନ ଥିବା ଭଳି ଗ୍ରୀଷ୍ମ ଲହରିର ପ୍ରାଦୁର୍ଭାବ ଭୋଗିଛନ୍ତି। ଜୁନ୍ ୨ରୁ ଜୁନ୍ ୨୩ ମଧ୍ୟରେ ତାପମାତ୍ରା ଗଲା ୧୭୪ ବର୍ଷର ରେକର୍ଡ ଅତିକ୍ରମ କରି ସର୍ବାଧିକ ଉତ୍ତପ୍ତ ଅବଧି ଭାବରେ ପରିଗଣିତ ହୋଇଛି। ଜୁଲାଇ ଓ ଅଗଷ୍ଟ ମାସ ଦ୍ବୟ ଗଲା ପଚାଶ ବର୍ଷ ମଧ୍ୟରେ ସର୍ବାଧିକ ଉତ୍ତପ୍ତ ମାସ ହୋଇଛନ୍ତି। ଆମ ଦେଶରେ ଗଲା ଅଗଷ୍ଟ ମାସ ଥିଲା ଗତ ୧୨୦ ବର୍ଷ ମଧ୍ୟରେ ସର୍ବାଧିକ ଶୁଷ୍କ ଓ ଉତ୍ତପ୍ତ।
ଏଭଳି ସ୍ଥିତିରେ ଅନେକ ପାଶ୍ଚାତ୍ୟ ଦେଶରେ ବନାଗ୍ନି ବା ଜଙ୍ଗଲ ନିଆଁ ପରିସ୍ଥିତିକୁ ଅଧିକ ଚିନ୍ତାଜନକ କରିଛି। ଜଙ୍ଗଲ ନିଆଁରେ କାନାଡା, ଗ୍ରୀସ୍, ଇଟାଲୀ, ସ୍ପେନ, ପର୍ତୁଗାଲ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଆଦି ଉଦ୍ବେଗଜନକ ଭାବେ ଆକ୍ରନ୍ତ ହୋଇଛନ୍ତି। ପରିସ୍ଥିତି ଏମିତି ଯେ ୟୁରୋପୀୟ ବା ଉତ୍ତର ଆମେରିକୀୟ ରାଷ୍ଟ୍ରଗୁଡ଼ିକ ଏଭଳି ଅଗ୍ନ୍ୟୁତ୍ପାତ ସେମାନଙ୍କ ଜୀବଦ୍ଦଶାରେ କେବେ ଦେଖିବେ ବୋଲି ଆଶା କରି ନ ଥିବେ।
ଗୋଟିଏ ପଟେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ମାତ୍ରାଧିକ ବୃଷ୍ଟି ପ୍ରଳୟଙ୍କରୀ ବନ୍ୟାର କାରଣ ହୋଇଛି। ଗଲା ବର୍ଷ ଅଷ୍ଟ୍ରେଲିଆ, ବ୍ରାଜିଲ ଓ ପାକିସ୍ତାନ ଏବଂ ଏହି ବର୍ଷ ବାଂଲାଦେଶ, ଇଣ୍ଡୋନେସିଆ, ହାଇତି, କାନାଡା, ଇଜିପ୍ଟ, ଚୀନ୍ ଓ ଆଫଗାନିସ୍ତାନ ନାହିଁ ନ ଥିବା ପ୍ରଳୟଙ୍କରୀ ବନ୍ୟାର ଶିକାର ହୋଇଛନ୍ତି। କିଛି ଦିନ ପୂର୍ବରୁ ହଂକଂରେ ହୋଇଥିବା ବନ୍ୟା ଗତ ୧୪୦ ବର୍ଷରେ ସର୍ବାଧିକ ଭୀଷଣ ବୋଲି କୁହାଯାଉଛି। ଭାରତର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକ ଅପ୍ରତ୍ୟାଶିତ ବାଦଲଫଟା ବର୍ଷା କାରଣରୁ ଧନ ଓ ଜୀବନର ଯେଉଁ ଭଳି କ୍ଷୟକ୍ଷତି ଭୋଗିଛନ୍ତି, ତାହା ବର୍ଣ୍ଣନାତୀତ। ଗଲା ବର୍ଷ ପାକିସ୍ତାନକୁ ଯେଉଁ ବନ୍ୟା ସଂପୂର୍ଣ୍ଣ ମଗ୍ନ କରିଦେଇଥିଲା, ତାହାକୁ ବାଇବେଲରେ ବର୍ଣ୍ଣିତ ପ୍ରଳୟ ସହିତ ତୁଳନା କରାଯାଉଛି।
ସମସ୍ତେ ଜାଣନ୍ତି ଯେ ଏ ଭଳି ସ୍ଥିତି ଲାଗି ଯାହା ମୂଳତଃ ଦାୟୀ ତାହା ହେଲା ତାପମାତ୍ରାରେ କ୍ରମାଗତ ଓ ମାତ୍ରାଧିକ ବୃଦ୍ଧି। ଏହି ଘଡ଼ିସନ୍ଧି କାଳରେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ‘ଜି-୨୦’ ଶିଖର ସମ୍ମିଳନୀରେ ‘ଏକ ପୃଥିବୀ’ ଶୀର୍ଷକ ଅଧିବେଶନରେ ନିଷ୍ପତ୍ତି ନିଆଯାଇଛି ଯେ ୨୦୩୦ ମସିହା ସୁଦ୍ଧା ସବୁଜ ଘର ଗ୍ୟାସ୍ ନିର୍ଗମନରେ ୪୩% ହ୍ରାସ ଘଟାଯିବ, ଶହେ ନିୟୁତ ଡଲାର ବିଶ୍ବ ଜଳବାୟୁ ପାଣ୍ଠି ସୃଷ୍ଟି କରାଯିବ ଓ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ବୈଷୟିକ ଜ୍ଞାନ କୌଶଳର ହସ୍ତାନ୍ତରଣ କରାଯିବ। କିିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଜଳବାୟୁ ସମସ୍ୟାକୁ େନଇ ହେଉଥିବା ଗୁରୁତ୍ବପୂର୍ଣ୍ଣ ଶିଖର ସମ୍ମିଳନୀଗୁଡ଼ିକରେ ନିଆଯାଉଥିବା ସିଦ୍ଧାନ୍ତକୁ ଅମାନ୍ୟ କରାଯାଉଛି। ବିକାଶିତ ରାଷ୍ଟ୍ରଗୁଡ଼ିକର ଉପଭୋକ୍ତାବାଦୀ ଜୀବନଶୈଳୀ ସର୍ବାଧିକ ସବୁଜ ଘର ଗ୍ୟାସ ନିର୍ଗମନର କାରଣ ହେଉଥିବା ସ୍ଥଳେ ସେମାନେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ଉପରେ ଚାପ ପକାଇବାରେ ବ୍ୟସ୍ତ ଯେ ସେମାନେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ବନ୍ଦ କରନ୍ତୁ, ଯାହା ମଧ୍ୟ ସବୁଜ ଘର ଗ୍ୟାସ ସୃଷ୍ଟିର ଏକ ବଡ଼ କାରଣ। କିନ୍ତୁ ଏହା ଜଣାଶୁଣା ଯେ ନିମ୍ନ ବା ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଶକ୍ତିର ଉତ୍ସ ହେଉଛି ଜୀବାଶ୍ମ ଇନ୍ଧନର ଦହନ। ତେଣୁ କହିଲେ ଭୁଲ୍ ହେବ ନାହିଁ ଯେ ବିକଶିତ ରାଷ୍ଟ୍ରଗୁଡ଼ିକର ଚାପ ହେଉଛି ଅହଂକାରୀ ବଡ଼ଭାଇପଣିଆ ପ୍ରସୂତ। ତେଣୁ ଜଳବାୟୁ ସମସ୍ୟା ସନ୍ଧର୍ଭରେ ଏଭଳି ଅନେକ ମତ ବୈଷମ୍ୟ ଦେଖିବାକୁ ମିଳୁଛି। ପ୍ରକାଶ ଥାଉ କି ଏଭଳି ଗୋଟିଏ ପ୍ରଭାବଶାଳୀ ବର୍ଗ ଅଛନ୍ତି େଯଉଁମାନେ ଏବେ ବି ଜଳବାୟୁ ପରିବର୍ତ୍ତନଜନିତ ବିପଦର ଆଶଙ୍କାକୁ ମିଥ୍ୟା ଓ କପୋଳକଳ୍ପିତ ବୋଲି ଭାବନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ ଏହିଭଳି ବିଶ୍ବାସର ବଶବର୍ତ୍ତୀ। ତେଣୁ କହି ହେବ ଯେ ଜଳବାୟୁ ପରିବର୍ତ୍ତନର ବିଭୀଷିକା ପୃଥିବୀକୁ ଗ୍ରାସ କରିବାକୁ ବସିଥିବା ବେଳେ ମଣିଷର ସ୍ବାର୍ଥପରତା, ଅହଂକାର ଏବଂ ନିର୍ବୋଧତା ଏହି ସମସ୍ୟାକୁ ଅଧିକ ଜଟିଳ କରି ପକାଇଛି।
ମୋ: ୯୪୩୭୦୮୦୨୩୩
ଉତ୍ତପ୍ତ ପୃଥିବୀ, ମଗ୍ନ ପୃଥିବୀ
ଜିତଶତ୍ରୁ ମହାନ୍ତି
/sambad/media/post_attachments/wp-content/uploads/2023/11/sfhsfhsfhfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)