ବିଂଶ ଶତାବ୍ଦୀର ପ୍ରଖ୍ୟାତ ଔପନ୍ୟାସିକ ରୁଷିଆ-ଜନ୍ମିତ ଭ୍ଲାଡିମିର୍ ନାବକଭ୍ ପୃଥିବୀସାରା ସାହିତ୍ୟ ଅନୁରାଗୀମାନଙ୍କ ନିକଟରେ ସୁପରିଚିତ। ନିକଟରେ ‘ନ୍ୟୁୟର୍କ ଟାଇମ୍ସ’ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠାରେ ତାଙ୍କୁ ମାର୍ସେଲ୍ ପ୍ରୁଷ୍ଟ୍ ଓ ଜେମ୍ସ ଜଏସ୍ଙ୍କ ସହିତ ତୁଳନୀୟ ବୋଲି ପ୍ରଦାନ କରାଯାଇଥିବା ଏକ ମନ୍ତବ୍ୟ ‘ଲୋଲିଟା’ର ଏହି ରଚୟିତାଙ୍କ ଖ୍ୟାତି ସମ୍ବନ୍ଧରେ ଆମକୁ ଏକ ସ୍ପଷ୍ଟ ଧାରଣା ଦେଇଥାଏ। ଆଶ୍ଚର୍ଯ୍ୟର କଥା ଖୋଦ୍ ନାବକଭ୍ କିନ୍ତୁ ଏହି ସାହିତ୍ୟିକ ଖ୍ୟାତି ଅପେକ୍ଷା ଅନ୍ୟ ଯେଉଁ ଖ୍ୟାତି ପ୍ରତି ଅଧିକ ଆଗ୍ରହୀ ଥିଲେ, ତାହା ହେଲା, ଗୋଟିଏ ପ୍ରଜାପତିକୁ ତାଙ୍କ ନାମରେ ନାମିତ କରାଯିବା।
ସେ ତାଙ୍କର ଏହି ଆନ୍ତରିକ ଇଚ୍ଛାକୁ ୧୯୪୩ରେ ପ୍ରକାଶିତ ତାଙ୍କର କବିତା, ‘ଅନ୍ ଡିସ୍କଭରିଙ୍ଗ୍ ଏ ବଟର୍ଫ୍ଲାଏ’ (‘ଏକ ପ୍ରଜାପତିର ଆବିଷ୍କାର ପରେ’)ରେ ଅତ୍ୟନ୍ତ ରୋଚକ ଢଙ୍ଗରେ ଲିପିବଦ୍ଧ କରିଥିଲେ। ତାହାର ଏକ ନମୁନା ଏଠାରେ ଉଦ୍ଧାର କରିବା ବୋଧହୁଏ ଅସଙ୍ଗତ ହେବ ନାହିଁ। ‘‘ଆଇ ଫାଉଣ୍ଡ୍ ଇଟ୍ ଇନ୍ ଏ ଲେଜେଣ୍ଡାରୀ ଲ୍ୟାଣ୍ଡ୍/ ଅଲ୍ ରକ୍ସ ଆଣ୍ଡ୍ ଲାଭେଣ୍ଡର୍ ଆଣ୍ଡ୍ ଟଫ୍ଟେଡ୍ ଗ୍ରାସ୍,/ ହ୍ବେଆର୍ ଇଟ୍ ୱାଜ୍ ସେଟ୍ଲ୍ଡ ଅନ୍ ସମ୍ ସଡନ୍ ସ୍ୟାଣ୍ଡ୍/ ହାର୍ଡ ବାଏ ଦି ଟରେଣ୍ଟ୍ ଅଫ୍ ଏ ମାଉଣ୍ଟେନ୍ ପାସ୍/... ଆଇ ଫାଉଣ୍ଡ୍ ଇଟ୍ ଆଣ୍ଡ୍ ନେମ୍ଡ ଇଟ୍, ବିଙ୍ଗ୍ ଭର୍ସ୍ଡ ଇନ୍ ଟ୍ୟାକ୍ସୋନୋମିକ୍ ଲାଟିନ୍; ଦସ୍ ବିକେମ୍/ ଗଡ୍ଫାଦର୍ ଟୁ ଆନ୍ ଇନ୍ସେକ୍ଟ ଆଣ୍ଡ୍ ଇଟ୍ସ ଫାଷ୍ଟ ଡେସ୍କ୍ରାଇବର୍/ ଆଣ୍ଡ୍ ଆଇ ୱାଣ୍ଟ୍ ନୋ ଅଦର୍ ଫେମ୍।’’ ଏହାର ସଂକ୍ଷିପ୍ତ ମର୍ମ ହେଲା, ଏକ ପାହାଡ଼ୀ ଝରଣା କୂଳର ଓଦା ବାଲିରେ ବସିଥିବା ଏକ ପ୍ରଜାପତିକୁ ଆବିଷ୍କାର କରି ଲାଟିନ୍ରେ ନାମକରଣ ପଦ୍ଧତି ସହିତ ପରିଚିତ ନାବକଭ୍ ତା’ର ସର୍ବପ୍ରଥମ ବିଜ୍ଞାନସମ୍ମତ ନାମକରଣ କରି ନିଜକୁ ସେ ପ୍ରଜାପତିର ‘ଗଡ୍ଫାଦର୍’ ବୋଲାଇବାର ଗୌରବ ଲାଭ କଲା ପରେ କହିଛନ୍ତି ଯେ ଏହାପରେ ତାଙ୍କର ଅନ୍ୟ କୌଣସି ଖ୍ୟାତିର ଆବଶ୍ୟକତା ନାହିଁ।
ପ୍ରଜାପତି ନାମକ ଏକ ପତଙ୍ଗକୁ ନାବକଭ୍ ଏଭଳି ମର୍ଯ୍ୟାଦା ପ୍ରଦାନ କରିବାର କାରଣ ଖୋଜି ପାଇବା ପାଇଁ ଅନୁସନ୍ଧାନକାରୀମାନେ ତାଙ୍କର ବାଲ୍ୟାବସ୍ଥାକୁ ଫେରି ଯାଇଥାନ୍ତି। ତତ୍କାଳୀନ ବଲ୍ସେଭିକ୍ ବିପ୍ଳବ ଆକ୍ରାନ୍ତ ରୁଷିଆର ସାମାଜିକ-ରାଜନୈତିକ ଅସ୍ଥିରତା ଜନିତ ମାନସିକ ଚାପ ସହନ କରିବାରେ ଏହି ସୁନ୍ଦର କୋମଳ ଚଳଚଞ୍ଚଳ ପତଙ୍ଗମାନେ ବାଳକ ଭ୍ଲାଡିମିର୍ଙ୍କୁ ସାହଚର୍ଯ୍ୟ ପ୍ରଦାନ କରୁଥିଲେ। ପ୍ରଜାପତି ସଂଗ୍ରହ କରିବା ଥିଲା ଅତ୍ୟନ୍ତ ସଂଭ୍ରାନ୍ତ ତଥା ଧନିକ ପରିବାରର ସନ୍ତାନ ଭ୍ଲାଡମିର୍ଙ୍କର ବାଲ୍ୟକାଳର ନିଶା। ସେ ଯେତେବେଳେ ଥିଲେ ଆଠ ବର୍ଷ ବୟସର ବାଳକ, ରାଜନୈତିକ କାରଣରୁ ତାଙ୍କ ପିତାଙ୍କୁ କାରାଦଣ୍ଡ ମିଳିଲା। ବାଳକ ଭ୍ଲାଡିମିର୍ ତାଙ୍କ ପିତାଙ୍କୁ ଦେଖା କରିବା ପାଇଁ ଯେତେବେଳେ ଜେଲ୍କୁ ଯାଆନ୍ତି, ପିତାଙ୍କର ମାନସିକ ଚାପ ହାଲୁକା କରିବା ପାଇଁ ହାତରେ ପ୍ରଜାପତିଟିଏ ଧରି ଯାଆନ୍ତି। ବିପ୍ଲବୀମାନଙ୍କ ହାତରେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କର ସମସ୍ତ ପାରିବାରିକ ସଂପଦ ହରାଇ ନାବକଭ୍ ୨୦ ବର୍ଷ ବୟସରେ ପ୍ରଥମେ ଇଉରୋପ୍ ଓ ପରେ ଆମେରିକାକୁ ପଳାୟନ କରିବା ପରେ ମଧ୍ୟ ପ୍ରଜାପତିମାନଙ୍କ ସହିତ ତାଙ୍କର ସ୍ନେହ ବନ୍ଧନ ପୂର୍ବଭଳି ଅତୁଟ ରହିଥିଲା, ଯାହାର ସ୍ବାକ୍ଷର ବହନ କରିଥାଏ ୪୪ ବର୍ଷ ବୟସରେ ନାବକଭ୍ ରଚନା କରିଥିବା ଉପରୋକ୍ତ କବିତା।
ଏହା ଏକ ଘଷରା ସତ୍ୟ ଯେ ପରିବର୍ତ୍ତନଶୀଳ ସମୟର ପ୍ରଭାବରେ ଦୁନିଆରେ ସବୁକିଛି ବଦଳିବାରେ ଲାଗିଥାନ୍ତି; ଯେମିତି ନାବକଭ୍ଙ୍କର ବାଲ୍ୟକାଳର ଜାର୍ ଶାସିତ ରୁଷିଆର ରୂପାନ୍ତର ଘଟି ସେଠାରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେବା ପରେ, ପୁଣି ତା’ର ବିଲୟ ଘଟି ସେଠାରେ ଏଯାଏଁ ଗଣତନ୍ତ୍ର ପ୍ରତିଷ୍ଠାର ଅସଫଳ ଉଦ୍ୟମ ଚାଲିଛି। ଏହି ଅନିବାର୍ଯ୍ୟ ପରିବର୍ତ୍ତନ ମଧ୍ୟରେ ଯାହା କିନ୍ତୁ ସର୍ବଦା ଅପରିବର୍ତ୍ତିତ ରହିଛି, ତାହା ହେଉଛି ସର୍ବତ୍ର ମନୁଷ୍ୟ ସମ୍ମୁଖୀନ ହେଉଥିବା ଚାପ। ଯୁଗ ବଦଳିବା ସହିତ ଚାପର ଚରିତ୍ର ବଦଳି ଚାଲିଥାଏ; କିନ୍ତୁ ମନୁଷ୍ୟ ସେଇଭଳି ଚାପଗ୍ରସ୍ତ ହୋଇ ରହିଥାଏ। ଚାପର ଉପଚାର ନିମିତ୍ତ ମନୁଷ୍ୟ ସର୍ବଦା ନୂଆ ନୂଆ କୌଶଳମାନଙ୍କର ଅନୁସନ୍ଧାନରେ ଲାଗିଥାଏ- ଔଷଧ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ପର୍ଯ୍ୟନ୍ତ, ଆଚରଣ ନିୟନ୍ତ୍ରଣ ଠାରୁ ଆରମ୍ଭ କରି କୌଣସି ଦୀକ୍ଷା ଗ୍ରହଣ ପର୍ଯ୍ୟନ୍ତ।
ଏହି ଧାରାର ଅଂଶ ସ୍ବରୂପ ପ୍ରକୃତି ସହିତ ସଂଯୋଗ ସ୍ଥାପନ କରିବା ଚାପ ହ୍ରାସର ଏକ ଫଳପ୍ରଦ ଉପାୟ ରୂପେ ବ୍ୟାପକ ସ୍ବୀକୃତି ଲାଭ କରିବାରେ ଲାଗିଛି। ଏହାର ଏକ ଅଂଶ ସ୍ବରୂପ ଏବେ ବିହଙ୍ଗ ଦର୍ଶନ ବା ‘ବାର୍ଡ ୱାଚିଙ୍ଗ୍’ କ୍ରମେ ଅଧିକରୁ ଅଧିକ ଲୋକପ୍ରିୟତା ହାସଲ କରିବା ଦେଖା ଯାଉଛି। କିନ୍ତୁ କେଜାଣି କାହିଁକି ଏକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବାର କ୍ଷମତା ବହନ କରୁଥିବା ନାବକଭ୍ଙ୍କର ପ୍ରଜାପତିମାନେ େଯତିକି ସ୍ବୀକୃତି ଲାଭ କରିବା କଥା ଓ ଲୋକପ୍ରିୟତା ଅର୍ଜନ କରିବା କଥା ତାହା ସେମାନଙ୍କୁ ମିଳି ନାହିଁ।
ଅଥଚ ଯିଏ ଯେଉଁଠି ଥାଉ ନା କାହିଁକି, ଏହି ମନୋମୁଗ୍ଧକର ପତଙ୍ଗଟି କାହାରି ପାଇଁ ହେଲେ ଆଦୌ ଅପହଞ୍ଚ ହୋଇ ନ ଥାଏ। ଗାଁ ଗହଳିରେ ତ ସେମାନେ ଅବାଧରେ ଉଡ଼ି ବୁଲୁଥାନ୍ତି, ସହରର ଆତ୍ମାହୀନ ସିମେଣ୍ଟ୍ କଂକ୍ରିଟ୍ର ରାଜତ୍ବ ସତ୍ତ୍ବେ େଯତିକି ସବୁଜିମା ବଞ୍ଚି ରହିଥାଏ, ସେତିକିକୁ ଆଶ୍ରୟ କରି ସେଠାରେ ମଧ୍ୟ ପ୍ରଜାପତିମାନେ ନିଜର ବଂଶ ବିସ୍ତାର କରି ମନୁଷ୍ୟର ମନୋରଂଜନ ପାଇଁ ଭିଡ଼କୁ ଭ୍ରୂକ୍ଷେପ ନ କରି ଉଡ଼ି ବୁଲୁଥାନ୍ତି; ସେଇ ସୁରକ୍ଷିତ ସବୁଜିମା ପାଇଁ ମନୁଷ୍ୟ ପ୍ରତି କୃତଜ୍ଞତା ପ୍ରକାଶ ସ୍ବରୂପ। ଆମେମାନେ କିନ୍ତୁ ପ୍ରକୃତିର ଏହି ଅମୂଲ୍ୟ ଉପହାର ପ୍ରତି ଏଭଳି ଉଦାସୀନ ଥାଉ ଯେ, ତାହାକୁ ଆଦର କରିବା ଦୂରେ ଥାଉ, ତା’ର ଉପସ୍ଥିତି ମଧ୍ୟ ଅନୁଭବ କରି ନ ଥାଉ।
ପ୍ରକୃତିର ଏହି ପରୀମାନଙ୍କୁ ଆଦର କରିବାର ପ୍ରଥମ ପଦକ୍ଷେପ ହେଉଛି ସେମାନଙ୍କୁ ଚିହ୍ନଟ କରିବା। ଚିହ୍ନଟ ପରେ ଆଗ୍ରହ ସୃଷ୍ଟି ହେଲେ ସେମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ ଆଜିର ଇଣ୍ଟର୍ନେଟ୍ ଓ ସ୍ମାର୍ଟ୍ଫୋନ୍ ଯୁଗରେ ଅସୁମାରି ଉତ୍ସ ଉପଲବ୍ଧ ଅଛି। ଆଗ୍ରହୀମାନଙ୍କ ପାଇଁ ଏଠାରେ ଆମ ରାଜ୍ୟରେ ବ୍ୟାପକ ଭାବରେ ଦେଖିବାକୁ ମିଳୁଥିବା ବିଭିନ୍ନ ଜାତିର ପ୍ରଜାପତିମାନଙ୍କ ମଧ୍ୟରୁ ଛ’ଟିଙ୍କର ଅତି-ସଂକ୍ଷିପ୍ତ ଉପସ୍ଥାପନା କରାଯାଇଛି। ଏଗୁଡ଼ିକ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ନିୟମିତ ଦୃଷ୍ଟିଗୋଚର ହୋଇଥାନ୍ତି।
ତହିଁରୁ ଗୋଟିଏ ହେଲା କମନ୍ ମର୍ମନ୍। ପୁରୁଷ କମନ୍ ମର୍ମନ୍ ସଂପୂର୍ଣ୍ଣ କଳା। ପଛପଟ ଦୁଇ ଡେଣା ଉପର ମଧ୍ୟସ୍ଥଳରେ ଧାଡ଼ିଏ ଲେଖାଏଁ ବଡ଼ ବଡ଼ ଶେତା ଦାଗ। ଆଗପଟ ଦୁଇ ଡେଣା ଉପର ଧାରରେ ଧାଡ଼ିଏ ଲେଖାଏଁ ଛୋଟ ଛୋଟ ଶେତା ଦାଗ। ସ୍ତ୍ରୀ ତିନି କିସମର ଦେଖା ଯାଇଥାନ୍ତି। ଗୋଟିଏ ହେଉଛି ଦେଖିବାକୁ ପୁରୁଷ ଭଳି କିନ୍ତୁ ତା’ର ପଛ ଡେଣା ଯୋଡ଼ିକର ତଳପଟର ଧାରରେ ସ୍ପଟ ଲାଲ୍ ବାଙ୍କୁଲି ଦାଗମାନ ପରିଦୃଷ୍ଟ ହୋଇଥାଏ। ଦ୍ବିତୀୟ ଓ ତୃତୀୟଙ୍କର ରଙ୍ଗ ଗାଢ଼ କଳା ହୋଇ ନ ଥାଏ। ଦ୍ବିତୀୟଟିର ପଛପଟ ଡେଣା ଉପରେ ମୋଟା ଲାଲ୍ ଦାଗମାନ ଉପରୁ ତଳକୁ ଲମ୍ବିଥିବା ବେଳେ ତୃତୀୟଟିର ସେଇ ଦାଗଗୁଡ଼ିକ ଧଳା ରଙ୍ଗର ହୋଇଥାନ୍ତି। ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ପଛପଟ ଦୁଇ ଡେଣା ତଳକୁ ଦୁଇଟି ଛୋଟ ଛୋଟ ଲାଞ୍ଜ ବାହାରିଥାଏ। ଏମାନେ ଫୁଲ ପ୍ରତି ଆକର୍ଷିତ ହୋଇଥାନ୍ତି ଓ ତା’ ସହିତ ଗୋବର ତଥା କାଦୁଅ ଉପରେ ବସିବାକୁ ଭଲ ପାଆନ୍ତି। ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ଉଦର ରଙ୍ଗ କଳା।
ଆଉ ଗୋଟିଏ ହେଲା କମନ୍ ରୋଜ୍। ଏହା ଦେଖିବାକୁ ପ୍ରାୟ ‘କମନ୍ ମର୍ମନ୍’ ପରି କିନ୍ତୁ ଏହାର ଉଦର ରଙ୍ଗ ହେଉଛି ଲାଲ୍। ଆଗପଟ ଡେଣା ଯୋଡ଼ିକ ଲମ୍ବାଳିଆ ଏବଂ କେବଳ ସେଇ ଆଗପଟ ଡେଣା ଦୁଇଟିକୁ ହଲାଇ ଅଳ୍ପ ଉଚ୍ଚତାରେ ବୁଦା ଉପରେ ଉଡ଼ିଥାଏ।
ତୃତୀୟ ପ୍ରକାରର ନାମ କ୍ରିମ୍ସନ୍ ରୋଜ୍, ଯାହା ଦେଖିବାକୁ କମନ୍ ରୋଜ୍ ପରି କିନ୍ତୁ ପଛପଟ ଡେଣାରେ କେବଳ ଲାଲ୍ ଚିହ୍ନମାନ ଥାଏ; ଆଦୌ ଧଳା ଚିହ୍ନ ନ ଥାଏ। ଆଗପଟ ଦୁଇ ଡେଣା ଉପରେ ଦୁଇଟି ଲେଖାଏଁ ଧଳା ପଟି ଉପରୁ ତଳକୁ ଲମ୍ବି ଥାଏ। ଉଡ଼ିବା ମନ୍ଥର। ନାଗ ଅଇରୀ ଫୁଲକୁ ଭଲ ପାଏ।
ନୀଳ ଓ କଳା ରଙ୍ଗର କମନ୍ ଜେଏ ପ୍ରଜାପତି ତା’ର ରଙ୍ଗ ପାଇଁ ଓ ତା’ର ଦ୍ରୁତ ଅଙ୍କାବଙ୍କା ଉଡ଼ାଣ ପାଇଁ ତତ୍କ୍ଷଣାତ୍ ଆମର ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ପୁରୁଷ ଓ ସ୍ତ୍ରୀ ଦେଖିବାକୁ ଏକା ଭଳି। କଳା ଡେଣାର ଉପର ପଟେ ମଧ୍ୟ-ଭାଗରେ ଆଗରୁ ମୂଳ ପର୍ଯ୍ୟନ୍ତ ମୋଟା ନୀଳ ପଟି ଲମ୍ବିଥାଏ। ଡେଣାର ଧାରରେ ନୀଳ ବିନ୍ଦୁମାନଙ୍କର ମାଳ ଲମ୍ବିଥାଏ। ଉଭୟ ଫୁଲକୁ ଭଲ ପାଆନ୍ତି; ପୁରୁଷ କାଦୁଅ ଉପରେ ବସିବା ଦେଖାଯାଏ।
ଉଭୟ ପୁରୁଷ ଓ ସ୍ତ୍ରୀ ଟେଲ୍ଡ ଜେଏ ଦେଖିବାକୁ ଏକା ଭଳି। କଳା ଡେଣା ଉପରେ ଉଜ୍ଜ୍ବଳ ସବୁଜ ବିନ୍ଦୁ ଓ ଦାଗମାନଙ୍କର ସମାହାର ଏହାକୁ ଚମକପ୍ରଦ ଭାବରେ ଦୃଶ୍ୟମାନ କରିଥାଏ। ପଛପଟ ଡେଣା ତଳକୁ ଲାଂଜଟିଏ ଲମ୍ବିଥାଏ। ଦ୍ରୁତ ଗତିରେ ଉଡ଼େ ଏବଂ କେଉଁଠି କ୍ବଚିତ୍ ସ୍ଥିର ହୋଇ ବସିଥାଏ। ଉଭୟ ଫୁଲକୁ ଭଲ ପାଆନ୍ତି।
ଷଷ୍ଠ ପ୍ରକାରଟି ହେଉଛି ବ୍ଲୁ ମୁନ୍। ପୁରୁଷ ବ୍ଲୁ ମୁନ୍ ଆମ୍ବପତ୍ର ଉପରେ କିମ୍ବା ସୁଗନ୍ଧରାଜ ପତ୍ର ଉପରେ ଡେଣା ଦୁଇଯୋଡ଼ାକୁ ମେଲାଇ ଶୁଆଇ ଦେଇ ବିଶ୍ରାମ ନେଉଥିବା ବେଳେ ଦୁଇ ପଛପଟ ଡେଣା ଉପରେ ଉପରେ ଥିବା ଦୁଇଟି ଜକ୍ଜକ୍ କରୁଥିବା ଅର୍ଦ୍ଧବୃତ୍ତାକାର ନୀଳ-ଧଳା ଚିହ୍ନ ଦୁଇଟି ନୀଳ ଜହ୍ନ ଭଳି ମନେ ହୋଇଥାନ୍ତି। ଆଗପଟ ଡେଣାର ଅଗ୍ରଭାଗରେ ଏହି ରଙ୍ଗର ଦାଗ ଥାଏ। ସ୍ତ୍ରୀର ଆକାର ପୁରୁଷ ଠାରୁ ବଡ଼ ହୋଇଥାଏ, କିନ୍ତୁ ଡେଣାରେ ନୀଳ ଜହ୍ନ ଚିହ୍ନ ନ ଥାଏ। ଉଡ଼ାଣ ଶକ୍ତିଶାଳୀ ହୋଇଥାଏ। ଉଭୟ ଫୁଲକୁ ଭଲ ପାଇଥାନ୍ତି।
ଏମାନେ ହେଉଛନ୍ତି ଆମ ଦେଶରେ ଦେଖା ଯାଉଥିବା ୧୩୦୦ରୁ ଅଧିକ ଓ ଆମ ରାଜ୍ୟରେ ଦେଖା ଯାଉଥିବା ପ୍ରାୟ ୨୦୦ ଜାତିର ପ୍ରଜାପତିମାନଙ୍କ ମଧ୍ୟରୁ କେତୋଟି ମାତ୍ର। ଏମାନଙ୍କ ସହିତ ବନ୍ଧୁତା ତେଣୁ ହେଉଛି ମନୁଷ୍ୟ ପାଇଁ ଚାପ ଉପଶମର ଏକ ସହଜ ଉପଲବ୍ଧ ଉପାୟ, ଯାହାକୁ ଏକ ମିଶ୍ରଭାଷା ବ୍ୟବହାର କରି ଆମେ ନାମ ପ୍ରଦାନ କରି ପାରିବା: ‘ପତଙ୍ଗପାଥି’।
୫୨-ଏ, ଶିବ ନଗର, ଚିଲି ପୋଖରୀ
ଟଙ୍କପାଣି ରୋଡ୍, ଭୁବନେଶ୍ବର
ପତଙ୍ଗପାଥି
ପ୍ରଭାତ କୁମାର ମହାପାତ୍ର
/sambad/media/post_attachments/wp-content/uploads/2023/11/ffshfhhffhhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)