ଦ୍ବନ୍ଦ୍ବରେ ମଦ୍ୟପ

ରାଜେନ୍ଦ୍ର ନାରାୟଣ ଦାସ

‘ଏ ଦେଶରେ ମୋର ଯେତେ ମୂର୍ତ୍ତି ଅଛି ସେ ସବୁ ଭାଙ୍ଗିଦିଅ। ପାର୍କ, ଛକ, ରାସ୍ତାରୁ ମୋ ନାମକୁ ହଟେଇ ଦିଅ। ଯଦି ମୋତେ କେଉଁଠି ରଖିବାର ଅଛି, ତେବେ ତୁମ ହୃଦୟରେ ରଖ।’ ଲୋକପ୍ରିୟ ଚଳଚ୍ଚିତ୍ର ‘ଲଗେ ରହୋ ମୁନ୍ନାଭାଇ’ର ଗାନ୍ଧୀଜୀଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ଏହି ସ˚ଳାପ ସାମ୍ପ୍ରତିକ ସ୍ଥିତିରେ ଅନେକ ଗୁରୁତ୍ବପୂର୍ଣ୍ଣ ବୋଲି ମନେହୁଏ। ନିକଟରେ ଆମେମାନେ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ମଧୢରେ ପାଳନ କରିଛୁ। ଗାନ୍ଧୀଜୀଙ୍କ ସମ୍ମାନ ନିମନ୍ତେ ଏଯାବତ୍‌ ତାଙ୍କ ପୂଜ୍ୟପୂଜାରେ ସାମାନ୍ୟତମ ହେଳା କରିବାର ଚେଷ୍ଟା ବି କରିନାହୁଁ। କିନ୍ତୁ ପରିବର୍ତ୍ତନଶୀଳ ଦୁନିଆର ଚାପରେ ତାଙ୍କର ଆଦର୍ଶ, ଉପଦେଶ ଓ ଦୃଷ୍ଟିଭଙ୍ଗୀ ଏଯାଏ ଆମ ହୃଦୟରେ ସ୍ଥାନ ପାଇପାରି ନାହିଁ।

ଆଜି ଭାରତର ଅସଲ ଆଭିମୁଖ୍ୟ ବଦଳି ଯାଇଛି। ସେହିପରି ବଦଳି ଯାଇଛି ମଧୢ ଗାନ୍ଧୀଜୀଙ୍କର ଛବି। ସେ ଆଜି କେବଳ ଛବିର ମଣିଷଟିଏ ପାଲଟି ଯାଇଛନ୍ତି। ବାସ୍ତବ ଗାନ୍ଧୀବାଦ ହଜି ହଜି ଯାଉଛି। ଗାନ୍ଧୀଜୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଯେଉଁମାନେ କିଛି କିଛି ଭଲ କାମ କରୁଥିଲେ, ସେମାନଙ୍କୁ ମଧୢ ‘ଏ ଯୁଗର ଗାନ୍ଧୀ’ ବୋଲି ଲୋକେ କହୁଥିଲେ। ଆନ୍ନା ହଜାରେଙ୍କଠାରୁ ଆରମ୍ଭ କରି ନେଲ୍‌ସନ୍‌ ମାଣ୍ତେଲାଙ୍କ ଯାଏଁ ଏପରି ଅସ˚ଖ୍ୟ ଉଦାହରଣ ଦେଶ ବିଦେଶରେ ଭରି ରହିଛି। ମାତ୍ର ଅସଲ ଆଭିମୁଖ୍ୟ ହଜିଯାଉଥିବାରୁ ଗାନ୍ଧୀ ଏକ ‘ନିର୍ଦ୍ଦିଷ୍ଟ ଆବେଦନ’ ହୋଇ ରହିଯାଉଛନ୍ତି ବୋଲି ମନେହୁଏ।

ଏତେସବୁ ଗୌରଚନ୍ଦ୍ରିକା ଦେବାର ପ୍ରସଙ୍ଗ ହେଉଛି, ଗାନ୍ଧୀଜୀ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ନିଶା ନିବାରଣକୁ ଖୁବ୍‌ ଗୁରୁତ୍ବ ଦେଇଥିଲେ। ସମଗ୍ର ଭାରତବର୍ଷରେ ମଦ ବ୍ୟବସାୟକୁ ନିଷେଧ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ସମୟରୁ ଦାବି ହୋଇ ଆସୁଛି। ଆମ ଓଡ଼ିଶାରେ ବର୍ଷୀୟାନ ଗାନ୍ଧୀବାଦୀ ପଦ୍ମଚରଣ ନାୟକଙ୍କର ନେତୃତ୍ବରେ ନିଶାନିବାରଣ ତଥା ମଦ ବିରୋଧୀ ଆନ୍ଦୋଳନ ମଧୢ ଦୀର୍ଘ କାଳ ଧରି ଚାଲିଆସୁଛି। ଗଣମାଧୢମରେ ଏ ସ˚ପର୍କରେ ମାଳମାଳ ଲେଖା ପ୍ରକାଶ ପାଉଛି। କେତେକ କ୍ଷେତ୍ରରେ ମହିଳାମାନେ ମଧୢ ଏହି ଆନ୍ଦୋଳନକୁ ସହଯୋଗ କରି ନେତୃତ୍ବ ନେଇଛନ୍ତି। ଗତ କେତେବର୍ଷ ଧରି ଓଡ଼ିଶାରେ ମଦବିରୋଧୀ ଆନ୍ଦୋଳନ ଅଧିକରୁ ଅଧିକ ସ˚ଗଠିତ ହୋଇଛି। ଏପରିକି ଆଦିବାସୀ ଅ˚ଚଳରେ ମହିଳାମାନେ ମଦଭାଟି ଓ ମଦଦୋକାନକୁ ଭଙ୍ଗାରୁଜା କରିବାର ଘଟଣା ଖବରକାଗଜଗୁଡ଼ିକରେ ପ୍ରକାଶ ପାଇଛି। ଗଣମାଧୢମରେ ମଧୢ ମଦ ବ୍ୟବସାୟ ବିରୋଧରେ ସଭ୍ୟ ସମାଜର ସ୍ବର ଜୋର‌୍‌ଦାର ହୋଇଛି। ତେବେ ମଧୢ ମଦ ପିଇବା ‘ଆଧୁନିକତାର ଛାପ’ ବୋଲି ଯୁବ ସ˚ପ୍ରଦାୟ ମନେ କରୁଛନ୍ତି। ନିର୍ବାଚନ ସମୟରେ ତ ମାଗଣା ମଦର ସୁଅ ଛୁଟିଯାଏ। ମନେହୁଏ, ସତେ ଯେପରି ମଦର ପ୍ରାବଲ୍ୟ ଭାରତୀୟ ନିର୍ବାଚନର ମହାନ୍‌ ଗଣତାନ୍ତ୍ରିକ ପରମ୍ପରାର ଅ˚ଶବିଶେଷ! ଭୋଟ ବେଳେ ସମସ୍ତଙ୍କ ପାଇଁ (ପ୍ରଚାରକ, କର୍ମକର୍ତ୍ତା ଓ ଭୋଟର) ମଦର ସାହାଣ ମେଲା।

ଦ୍ବିତୀୟ ପ୍ରସଙ୍ଗଟି ହେଉଛି, ‘ମଦ ଦୋକାନ ଖୋଲିବା ନା ବନ୍ଦ ରଖିବା’ର ପ୍ରଶ୍ନକୁ ନେଇ ସରକାରଙ୍କ ଅଡ଼ୁଆ ସ୍ଥିତି। ସରକାରମାନେ ମଦର ନିଷେଧ ପାଇଁ କୌଣସି ଆନ୍ଦୋଳନ ବା ଦାବିକୁ ସ୍ବାଭାବିକ ଭାବରେ ଗ୍ରହଣ କରିପାରନ୍ତି ନାହିଁ। ନିଶା ନିବାରଣ ବିରୋଧରେ ସରକାରଙ୍କର ଅନେକ ବଳିଷ୍ଠ ଯୁକ୍ତି ଅଛି। ସ˚ପୂର୍ଣ୍ଣ ନିଶା ନିବାରଣ ଆଦୌ ସମ୍ଭବ ନୁହେଁ। ସ˚ପୂର୍ଣ୍ଣ ନିଶାନିବାରଣର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ମଧୢ ସମ୍ଭବ ହେବ ନାହିଁ। ଏହା ଅଯଥାରେ ମଦର ଚୋରା କାରବାରକୁ ଉତ୍ସାହିତ କରିବ। ମଦ ବିକ୍ରିରୁ ମିଳୁଥିବା ରାଜସ୍ବକୁ ଓଲଟା ଚୋରା ବେପାରୀଙ୍କ ହାତରେ ଟେକି ଦେଲା ଭଳି ହେବ। ମଦ ବେପାରୀ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ନାନାଦି ସାମାଜିକ ସମସ୍ୟାର କାରଣ ହେବ। ମଦ ମୃତ୍ୟୁ ଜନିତ ଘଟଣାଗୁଡ଼ିକ ଅଧିକରୁ ଅଧିକ ଘଟିବ। ବର˚ ମଦ ଉପରେ ଅଧିକ ଟିକସ ଲାଗୁ କରି ଏହାକୁ ନିରୁତ୍ସାହିତ କରିବା ପାଇଁ ଉଦ୍ୟମ କଲେ ତାହାର ପ୍ରସାର ଉପରେ ଅଙ୍କୁଶ ଲାଗିବ। ସରକାରଙ୍କୁ ଯାବତୀୟ ଜନହିତକର କାର୍ଯ୍ୟ ପାଇଁ ରାଜସ୍ବ ମିଳିବ। ‘‘(ଆମ ଘରର ହାଲଚାଲ, ସମ୍ବାଦ, ୨୮.୫.୨୦)’’

ଏଠାରେ ପ୍ରଶ୍ନ ହୁଏ, ସରକାର ମଦ କାହିଁକି ହଟେଇବେ? ଜଣେ ଶାସକ ଯେତେ ମଙ୍ଗଳକାରୀ ହେଲେ ମଧୢ ରାଜସ୍ବ ଆଦାୟରେ ତାଙ୍କର ସବୁବେଳେ ଲୋଭ। ମଦ ବିକ୍ରିରୁ ମିଳୁଥିବା ରାଜସ୍ବରୁ କେତେ ଲାଭ ଓ କେତେ କ୍ଷତି ହେଉଛି ତାର ହିସାବ ସରକାରଙ୍କ ପକ୍ଷରେ ନଥାଏ। ଯଦି ବା ଥାଏ ସେହି ହିସାବଫର୍ଦ୍ଦକୁ କେହି ବି ଓଲଟାନ୍ତି ନାହିଁ। ସ୍ବାଧୀନତାର ୭୨ ବର୍ଷ ପରେ ବି ଏଇ ବ୍ୟବସ୍ଥାର କିଛି ପରିବର୍ତ୍ତନ ହେଇନି। ସେମିତି ମଦବିରୋଧୀ ଅଭିଯାନ, ମଦମୃତ୍ୟୁ, ମୃତକମାନଙ୍କୁ ସରକାରୀ କ୍ଷତିପୂରଣ ସହିତ ନୂଆ ମଦ ଦୋକାନ ଖୋଲିବା ପାଇଁ ଦୋକାନୀମାନଙ୍କୁ ସରକାରୀ ପ୍ରୋତ୍ସାହନ ବି ମିଳୁଛି। ତେଣୁ ସରକାର ଯେ ମଦ ବିଷୟରେ ସ˚ସ୍କାର ଆଣିବେ, ସେ କଥା ଏକ ଦିବାସ୍ବପ୍ନ ଭଳି ଲାଗେ।

ପ୍ରଥମ ଲକଡାଉନ୍‌ ଖୋଲିବା ପରେ ମଦଦୋକାନଗୁଡ଼ିକର ଅସମ୍ଭବ ଭିଡ଼ ଓ ବିଶୃଙ୍ଖଳ ପରିସ୍ଥିତିକୁ ଦେଖି ମାନ୍ୟବର ସୁପ୍ରିମକୋର୍ଟ ମେ ମାସ ୮ ତାରିଖ ଦିନ ମଦକୁ ‘ହୋମ୍‌ ଡେଲିଭରି’ କରିବାକୁ ସରକାରଙ୍କୁ ପରାମର୍ଶ ଦେଲେ। ଅର୍ଥାତ୍‌, ‘‘ମଳୁ ଖୋଜୁଥିଲା ଯାହା, ବଇଦ ବତାଇଲା ତାହା’’- ସରକାରଙ୍କୁ ଏହା ସୁହାଇଲା। ଏହି ସୁଯୋଗର ସଦ୍‌ବ୍ୟବହାର କରି ସରକାର ରାଜସ୍ବ ଭରଣା କରିଦେବେ ବୋଲି କେତେକ ବୁଦ୍ଧିଜୀବୀ ମଧୢ ଯୁକ୍ତି କରୁଛନ୍ତି। ପୁଣି ଆଜିର କରୋନା ଯୁଗ ମଦ୍ୟପମାନଙ୍କ ପାଇଁ ଏକ ବରଦାନ ଭାବରେ ଠିଆହୋଇଛି। ଭାଟି ଓ ଦୋକାନରୁ ଆସି ସମ୍ମାନର ସହିତ ଏବେ ‘ହୋମ୍‌ ଡେଲିଭରି’ ବ୍ୟବସ୍ଥା ମାଧୢମରେ ମଦ ଘରେ ପହଞ୍ଚୁଛି। କିନ୍ତୁ ମଦକୁ ନେଇ ସାମାଜିକ ଓ ସରକାରୀ କଟକଣା ଆଦି ଦେଖିଲା ବେଳକୁ ମଦ୍ୟପମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ମଦ ପିଇ ରାସ୍ତାରେ ଗଲେ ପୁଲିସ୍‌ ଜୋରିମାନା ନେଉଛି। ଘରେ ପିଇଲେ ପତ୍ନୀ ସହିତ ଗଣ୍ତଗୋଳ ହେଉଛି। ପୁଣି ଏପଟେ ମଦ ନ ପିଇଲେ ରାଜାର ରାଜସ୍ବ କମୁଛି। ବିଚରା ମଦ୍ୟପମାନେ ଏବେ କରିବେ କ’ଣ? ପ୍ରକୃତରେ ସେମାନେ ଦ୍ବନ୍ଦ୍ବରେ। ମଦବିରୋଧୀ ଆନ୍ଦୋଳନକାରୀ, ନିଶାମୁକ୍ତ ଗାନ୍ଧୀବାଦୀ ସଚେତନ ଅଭିଯାତ୍ରୀମାନଙ୍କୁ ରାସ୍ତାରେ ପତାକା ଧରି ଯିବାର ଦେଖି ମଦ କେବଳ ହସୁଛି। ଏ ହସ ମଦର ନୁହେଁ ଶାସକର ହସ। ଏଥିରେ ମଦ୍ୟପମାନେ ବି ଖୁସି। କାରଣ ସେମାନେ ଦେଖୁଛନ୍ତି, ସିଧାସଳଖ ସରକାର ସେମାନଙ୍କୁ ବିରୋଧ କରୁଥିଲେ ମଧୢ ପରୋକ୍ଷରେ ଉତ୍ସାହିତ କରୁଛନ୍ତି।

ଆତଙ୍କପ୍ରଦ କରୋନା ବହୁତ କିଛି ଛଡ଼ାଇ ନେଇଛି, ହେଲେ ମଦର ବିଜୟ ହୋଇଛି ବୋଲି ମନେହୁଏ। ଉପଲବ୍‌ଧ ତଥ୍ୟ ଅନୁସାରେ ଆମ ଦେଶରେ ବାର୍ଷିକ ପ୍ରାୟ ତିନି ଲକ୍ଷ ଲୋକ ମଦ୍ୟପାନ କରି ମୃତ୍ୟୁବରଣ କରନ୍ତି। ଏହି ମଦ୍ୟପମାନେ ପ୍ରକୃତରେ ଆମ ଦେଶର ରାଜସ୍ବ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରୁଛନ୍ତି। ଏମାନଙ୍କୁ କାହିଁକି ଆମ ଦେଶର ପ୍ରକୃତ ଯୋଦ୍ଧା କୁହାନଯିବ? ପୁଣି କରୋନା ପରିସ୍ଥିତିରେ ଲକ୍‌ଡାଉନ୍‌ ପ୍ରଭାବରୁ ଆର୍ଥିକ ବ୍ୟବସ୍ଥା ବିଗିଡ଼ୁଥିବା ବେଳେ ମଦ ଉପରେ ୭୦ ଶତକଡ଼ା ପର୍ଯ୍ୟନ୍ତ କର ବୃଦ୍ଧି କରି ରାଜ୍ୟ ସରକାରମାନେ ବେଶ୍‌ ଭଲ ରାଜସ୍ବ ଆଦାୟ କରିଛନ୍ତି। ମଦ୍ୟପମାନେ ସରକାରଙ୍କର ଏଭଳି ପ୍ରସ୍ତାବକୁ ଆଦୌ ପ୍ରତିବାଦ କରି ନାହାନ୍ତି। ତେଣୁ ଏମାନଙ୍କୁ କାହିଁକି ‘କରୋନା ଯୋଦ୍ଧା’ ବୋଲି କୁହା ନଯିବ?

ଆମ ଦେଶରେ ସାମ୍ୟବାଦୀ ଶାସନ ଯିବା ପରେ ଉଦାର ଗଣତନ୍ତ୍ର ଆସିଛି। ବୋଧହୁଏ ଏହି ‘ଦେଶପ୍ରେମୀ ମଦ୍ୟପ’ମାନଙ୍କର ବୀର ପୂଜାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଜଣାପଡ଼ିଲାଣି। କାରଣ ମଦ୍ୟପମାନେ ଦେଶପ୍ରେମୀ ହେବାର ଯେପରି ବାରଣ ନାହିଁ, ସେମିତି ଦେଶପ୍ରେମୀମାନେ ମଦ ପିଇବା ପାଇଁ କିଛି ନିୟମ ନାହିଁ। ତେବେ ଦେଶକୁ ପ୍ରେମ କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ବାହାନାରେ ନିଜକୁ ସ୍ବାସ୍ଥ୍ୟସଙ୍କଟ ମଧୢକୁ ଠେଲିଦେବା ସହିତ ନିଜ ପରିବାରର ଶକ୍ତି ଓ ସ˚ହତିକୁ ବିପନ୍ନ କରିବାର ଅଧିକାର ବୋଧହୁଏ କୌଣସି ‘ଦେଶପ୍ରେମୀ ମଦ୍ୟପ’ର ନାହିଁ। ଆମ ଦେଶରେ ଦେଶପ୍ରେମ ପ୍ରଦର୍ଶନ ପାଇଁ କେତେ ସୁନ୍ଦର ଅଭିନବ ବ୍ୟବସ୍ଥା ସତରେ!

ମଦ ବିକ୍ରିକୁ ନୁହେଁ; ବର˚ ମଦକୁ ସରକାର ତାଙ୍କ ଆୟର ଏକ ବଡ଼ ମାଧୢମ ରୂପେ ଗ୍ରହଣ କରି ତାର ବିକ୍ରୟ ପାଇଁ ବାହାନା ଖୋଜିବାକୁ ଏଇ ଲେଖକ ଯେଉଁ ବିରୋଧ କରୁଛି, ଏହା ତାର ବ୍ୟକ୍ତିଗତ ସମସ୍ୟା ନହେଲେ ବି ତାକୁ ଭାବିବାକୁ ହେଉଛି, କିଏ ଏଥିପାଇଁ ଦାୟୀ? ୭୨ ବର୍ଷ ଧରି ଆମକୁ ଶାସନ କରୁଥିବା ଏକ ଭାଣ୍ତ ଗଣତନ୍ତ୍ର ନା ଗଣତନ୍ତ୍ର ନାମକ ମେରୁଖୁଣ୍ଟରେ ବନ୍ଧାହୋଇ ବେଙ୍ଗଳା ବୁଲୁଥିବା ବୁଢ଼ା ବଳଦମାନେ କ’ଣ ଏଥିପାଇଁ ଦାୟୀ? ସମାଜର ଏପରି ଏକ ବିଚିତ୍ର ଅର୍ଥନୀତିର ରହସ୍ୟ ଚାଣକ୍ୟ, ମାକ୍‌ର୍ସ ଅଥବା ନୋବେଲ୍‌ଧାରୀ ଅମର୍ତ୍ତ୍ୟ ସେନ୍‌ଙ୍କୁ ମଧୢ ବଣା କରିଦେବ। ଆଜି ପଚାରିବାର ବେଳ ନିଶ୍ଚୟ! କିନ୍ତୁ କାହାକୁ? ଶୁଣିବାର ଚରିତ୍ରଟି କିଏ? ବୁଦ୍ଧିମାନ ଲୋକ ଆଗରୁ ନିଷ୍ପତ୍ତି ନେଇ ପଛେ ଅନ୍ୟକୁ ପଚାରେ, କାଳେ କିଏ କହିବ ଆମକୁ ପଚାରିନାହଁ ବୋଲି। ଆମ ଶାସକଗୋଷ୍ଠୀ କିନ୍ତୁ ଭାରି ଚତୁର। ଆମ ଦେଶରେ ନିଜକୁ ‘ବୁଦ୍ଧିଜୀବୀ ବା ଚିନ୍ତକ’ ବୋଲାଉଥିବା ଗୋଷ୍ଠୀ ତହୁଁ ବଳି ସୁବିଧାବାଦୀ। ତା’ ତଳବାଲାଏ ତାଙ୍କର ଦେଶ, ସମାଜ ଭାସିଗଲେ କିଛି ଯାଏ ଆସେ ନାହିଁ। ଏପରି କ୍ଷେତ୍ରରେ ଶୁଣିବ କିଏ? ମଦ୍ୟପମାନଙ୍କ ପରି ଆଜି ମୁଁ ବି ଦ୍ବନ୍ଦ୍ବରେ!
ଗିଲବାଖ ଷ୍ଟ୍ରାସେ ୯୫ ଏ, ୪୧୪୬୬ ନଏସ, ଜର୍ମାନୀ
[email protected]

ସମ୍ବନ୍ଧିତ ଖବର