ଥରେ ପରୀକ୍ଷା କରିବା ନିମନ୍ତେ ଗୋଟେ ଚାରି ପାଞ୍ଚ ବର୍ଷ ବୟସର ଛୋଟ ପିଲାକୁ ବଡ଼ ହାତୁଡ଼ିଟିଏ ଧରେଇ ଦିଅନ୍ତୁ। ହାତୁଡ଼ିଟି ପାଇ ସେ ଏତେ ଖୁସି ହୋଇଯିବ ଯେ ସତେ ଯେମିତି ଏକ ଅମୂଲ୍ୟ ନିଧି ପାଇଯାଇଛି। ଘରର ସମସ୍ତ ଆସବାବପତ୍ର ଓ ଯନ୍ତ୍ରପାତିଠୁ ନେଇ କାନ୍ଥବାଡ଼ ଓଗେରା ଯାହା ତାକୁ ଦୃଶ୍ୟମାନ ହେବ, ସମସ୍ତେ ସେହି ହାତୁଡ଼ି ଦ୍ବାରା ପିଟା ହେବା ପାଇଁ ଯୋଗ୍ୟ ବୋଲି ସେ ଭାବି ନେବ। ଏ କଥା ନିଶ୍ଚିତ ଯେ ହାତୁଡ଼ିଟି ପାଇଲା ମାତ୍ରେ ସେ ପିଟା ପିଟି ଆରମ୍ଭ କରିଦେବ, ଆଉ ତାକୁ ଯଦି ପ୍ରତିରୋଧ କରା ନ ଯାଏ, ତେବେ ସେ ଅଳ୍ପ ସମୟ ଭିତରେ କେବଳ ଯନ୍ତ୍ରପାତି ଓ କାନ୍ଥବାଡ଼ ନୁହେଁ, ଏ ପରିକି ଘରର କୁକୁର ବିଲେଇଠୁ ନେଇ ମଣିଷମାନଙ୍କୁ ମଧ୍ୟ ପିଟି ପକେଇବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ କୁହନ୍ତି ପୃଥିବୀର ବିଶିଷ୍ଟ ମନସ୍ତତ୍ତ୍ବବିତ୍ ଆବ୍ରାହାମ ମାସଲୋଙ୍କ ଉପକରଣ ନିୟମାନୁଯାୟୀ ‘ହାତୁଡ଼ି ତତ୍ତ୍ବ’। ଏହି ତତ୍ତ୍ବ ଅନୁଯାୟୀ ଯଦି ଆପଣଙ୍କ ହାତରେ କେବଳ ମାତ୍ର ଗୋଟିଏ ହାତୁଡ଼ି ଅଛି, ତେବେ ଆପଣଙ୍କ ସମସ୍ତ ସମସ୍ୟା ଆପଣଙ୍କୁ ଗୋଟିଏ ଗୋଟିଏ କଣ୍ଟା ଭଳି ଲାଗିବ ଆଉ ଆପଣ ତାକୁ ପିଟା ପିଟି କରି ଦୂର କରିବାକୁ ଆରମ୍ଭ କରିଦେବେ ଅର୍ଥାତ୍ ଆପଣଙ୍କ ହାତରେ ଥିବା ଗୋଟିଏ ସାଧନ ସମସ୍ତ ସମସ୍ୟାର ଏକମାତ୍ର ସମାଧାନର ସୂତ୍ର ବୋଲି ଭାବି ନେଇ ତାକୁ ସବୁଠି ପ୍ରୟୋଗ କରି ବସିବେ। ଫଳରେ ଏହା ସମସ୍ୟାର ସମାଧାନ ତ କରିବ ନାହିଁ, ବରଂ ସମସ୍ୟାକୁ ଅାହୁରି ଗୁରୁତର କରି ବିପରୀତ ଫଳ ଦେବାକୁ ଆରମ୍ଭ କରିଦେବ।
ବର୍ତ୍ତମାନ ବିଭିନ୍ନ ରାଜ୍ୟର ସରକାରମାନଙ୍କୁ ଆବ୍ରାହମ ମାସଲୋଙ୍କ ତତ୍ତ୍ବ ଅନୁଯାୟୀ କରୋନା ସଂକଟକୁ ରୋକିବା ପାଇଁ ଲକ୍ଡାଉନ୍ ଭଳି ଏକ ବଡ଼ ହାତୁଡ଼ି ମିଳିଯାଇଛି ଏବଂ ଏହା ହିଁ କରୋନାର ଏକମାତ୍ର ସମାଧାନ ବୋଲି ସମସ୍ତେ ଭାବୁଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇ, ପୁନେ ଓ ନାଗପୁର ଓଗେର ସହରମାନଙ୍କରେ ରାତ୍ରିକାଳୀନ ଓ ସପ୍ତାହାନ୍ତ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଛତିଶଗଡ଼ ସରକାର ରାୟପୁର ସହରରେ ଆସନ୍ତା ସପ୍ତାହରୁ ଦଶ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ସରକାର ଅନେକ ସହରରେ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ରାଜ୍ୟର ଦଶଟି ଜିଲ୍ଲାରେ ସଂପୂର୍ଣ୍ଣ ରାତ୍ରିକାଳୀନ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହା ହିଁ କରୋନା ସମସ୍ୟାର ଏକମାତ୍ର ସମାଧାନ ବୋଲି ଦର୍ଶାଇ ବେଳକୁ ବେଳ ଲୋକମାନଙ୍କ ମନରେ ରାତ୍ରିକାଳୀନ, ଦିନକାଳୀନ ଓ ସମ୍ପୂର୍ଣ୍ଣ ଲକ୍ଡାଉନ୍ର ଭୟ ମଧ୍ୟ ସୃଷ୍ଟି କରାଯାଉଛି।
ପ୍ରଶ୍ନ ଉଠେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରୋନାର ଏକମାତ୍ର ପ୍ରତିକାର କି? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇ କହିଛନ୍ତି ଯେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରୋନାର ସମାଧାନ ନୁହେଁ। ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେଲେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେଲେ ସ୍ଥାନୀୟ ସଂକ୍ରମଣ ବଢ଼ିବ ଓ ଲକ୍ଡାଉନ୍ ସରିବା ପରେ ଏହା ଏକ ଭୟାନକ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ତୃତୀୟ ଲହର ପାଇଁ ରାସ୍ତା ଖୋଲିଦେବ ବୋଲି ସେ ସତର୍କ କରେଇ ଦେଇଛନ୍ତି। ଡକ୍ଟର ସ୍ବାମୀନାଥନଙ୍କ ସହିତ ଏକମତ ହୋଇ ଅନେକ ବିଶେଷଜ୍ଞ ମତ ପ୍ରକାଶ କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଦ୍ବାରା ଜୀବନ ତ ସଂରକ୍ଷିତ ରହିବ ନାହିଁ ବରଂ ତାହା ସହିତ ଜୀବିକା ବି ବୁଡ଼ିଯିବ। ତେଣୁ ଏ ଦିଗରେ ଅତ୍ୟନ୍ତ ସତର୍କତା ଅବଲମ୍ବନ ଅପରିହାର୍ଯ୍ୟ ଅଟେ।
ସମସ୍ତ ବିଶେଷଜ୍ଞ କିନ୍ତୁ ଗୋଟିଏ କଥାରେ ଏକମତ ହୋଇଛନ୍ତି ଯେ ବର୍ତ୍ତମାନ ଲକ୍ଡାଉନ୍ ବିଷୟ ଚିନ୍ତା ନ କରି ସଂକ୍ରମଣର ଏକ ନୂଆ ଲହର ବ୍ୟାପି ଚାଲିଥିବାରୁ ଟିକାକରଣକୁ ଗୁରୁତ୍ବ ଦିଆଯାଉ ଓ ଏହାର ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରାଯାଉ। ଦୁର୍ଭାଗ୍ୟର ବିଷୟ ଯେ ବର୍ତ୍ତମାନ ଟିକାକରଣକୁ ନେଇ ଅଗ୍ରଗତି ଚିନ୍ତା କରିବା ବଦଳରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ତୀବ୍ର ରାଜନୀତି ଆରମ୍ଭ ହୋଇଯାଇଛି। ଟିକାର ଅଭାବ ଯୋଗୁ ଟିକାକରଣ ଅଭିଯାନ ବନ୍ଦ ରହିବ ବୋଲି ରାଜ୍ୟ ସରକାରମାନଙ୍କର ଅଭିଯୋଗକୁ କେନ୍ଦ୍ର ସରକାର ବାରମ୍ବାର ଖଣ୍ଡନ କରିଚାଲିଛନ୍ତି। ଏହିପରି ଅଭିଯୋଗ ଓ ମନ୍ତବ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇ ପଡ଼ିଥିବା ସମୟରେ ସାଧାରଣ ଲୋକମାନଙ୍କ ମନରେ ଟିକାର ଅଭାବକୁ ନେଇ ଅଯଥା ଭୟ ସୃଷ୍ଟି ହେଉଛି ଓ ଶେଷକୁ ପରିସ୍ଥିତି ଅସମ୍ଭାଳ ହେଲେ ହାତରେ ଥିବା ସେହି ଗୋଟିଏ ଅସ୍ତ୍ର ଲକ୍ଡାଉନ୍ ଘୋଷଣା କରାଯାଉଛି।
ଏ କଥା ସତ ଯେ ଲକ୍ଡାଉନ୍ର ଆବଶ୍ୟକତା ଓ ଉପଯୋଗିତା ବିଷୟରେ ବିଚାର ବିମର୍ଶ ନ କରି ଏହାକୁ ଲାଗୁ କରିଦେଲେ ଜୀବନ ଓ ଜୀବିକା ମଧ୍ୟରେ ଯେଉଁ ସନ୍ତୁଳନ ରହିଛି ତାହା ଦୁର୍ବଳ ହୋଇ ପଡ଼ି ଦୁହିଁକି ସଂକଟାପନ୍ନ କରିଦେବ। କିନ୍ତୁ କର୍ତ୍ତୃପକ୍ଷଙ୍କୁ ଏହା କହିବ କିଏ? ସେମାନଙ୍କୁ ଯେଉଁ ହାତୁଡ଼ିଟି ମିଳିଯାଇଛି ତା’ ବ୍ୟତୀତ ତାଙ୍କୁ ଆଉ କିଛି ଦୃଶ୍ୟମାନ ହେଉ ନାହିଁ। ଏହି ହାତୁଡ଼ି ପ୍ରୟୋଗ ଦ୍ବାରା ଅନ୍ୟମାନଙ୍କର ଅଶେଷ କ୍ଷୟକ୍ଷତି ହେଉଥିବା ବେଳେ ପ୍ରୟୋଗକାରୀଙ୍କ ଶରୀରରେ ଆଦୌ ଆଞ୍ଚ ଆସୁନାହିଁ। ଧରନ୍ତୁ ସରକାର ଏହି ହାତୁଡ଼ି ଦ୍ବାରା ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଦେଲେ। ଫଳରେ ଚା’ବାଲାଠୁ ନେଇ ଅଟୋବାଲା, ଫଳବାଲାଠୁ ନେଇ ଟ୍ୟାକ୍ସିବାଲା, ଫୁଲବାଲାଠୁ ନେଇ ବାଜାବାଲା ସମସ୍ତଙ୍କର ଏହାର ପ୍ରହାରରେ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଗଲା। ସ୍ବାବଲମ୍ବୀ ବ୍ୟବସାୟୀ ଓ ଦୋକାନ ବଜାର କର୍ମଚାରୀଙ୍କଠୁ ନେଇ ପ୍ରତିଦିନ ଠାକୁରଙ୍କୁ ଭୋଗଟିକେ ଲଗେଇ ଦକ୍ଷିଣା ପାଉଥିବା ପୂଜାରୀମାନଙ୍କର ହାତ ଗୋଡ଼ ମଧ୍ୟ ଏହାର ଚୋଟରେ ଭାଙ୍ଗିଗଲା। କିନ୍ତୁ ଯିଏ ଏହି ହାତୁଡ଼ିଟି ଧରିଛି ଓ ପ୍ରୟୋଗ କରୁଛି ତା’ର କିଛି କ୍ଷୟକ୍ଷତି ହେଉଛି କି?
ପ୍ରଶ୍ନ ଉଠେ ମୁଣ୍ଡ ଫାଟୁ କି ଗୋଡ଼ ଭାଙ୍ଗୁ, ଶେଷକୁ ହାତୁଡ଼ିର ପ୍ରହାର ଫଳପ୍ରଦ ହେଲା କି? ଧନହାନି ଓ ପ୍ରାଣପୀଡ଼ା ସଦୃଶ କଥାର ଅନ୍ତ ହେବନି ତ? ଥରେ ଜଣେ ଲୋକର ପାଦ ଦୁଇଟି ନୀଳ ବର୍ଣ୍ଣ ପଡ଼ିଗଲା। ଡାକ୍ତର ବାବୁ ପାଦ ଦୁଇଟି ବିଷାକ୍ତ ହୋଇଯାଇଛି ବୋଲି କହି କାଟି ଦେବା ପାଇଁ ମତାମତ ଦେଲେ। ପାଦ ଦୁଇଟିର ଅଭାବରେ ତାହାର ଜୀବିକା ନିର୍ବାହ, ପ୍ରଶ୍ନ ଉଠିବାରୁ ସମେସ୍ତ ଜୀବିକା ନୁହେଁ ଜୀବନ ଉପରେ ପ୍ରାଧାନ୍ୟ ଦେବାକୁ ଉପଦେଶ ଦେଲେ। ପାଦ ଦୁଇଟି କଟା ହୋଇଗଲା। ତଥାପି ପାଦ ଉପରକୁ ଥିବା ଗୋଡ଼ ଦୁଇଟି ପୁନଶ୍ଚ ନୀଳବର୍ଣ୍ଣ ପଡ଼ିଲା। ଅନୁସନ୍ଧାନରୁ ଜଣାପଡ଼ିଲା ନୀଳ ବର୍ଣ୍ଣ ବିଷାକ୍ତ ରକ୍ତ ଯୋଗୁ ନୁହେଁ, ତା’ ପିନ୍ଧୁଥିବା ଲୁଙ୍ଗିର ଦୁର୍ବଳ ନୀଳରଙ୍ଗ ଯୋଗୁ ହେଉଛି। ବନ୍ଧୁଗଣ, କଥାଟି ହାସ୍ୟାତ୍ମକ ହୋଇପାରେ କିନ୍ତୁ ଏହା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରି ପଚାରୁଛି ଯେ ଯେଉଁ ଜୀବନ ପାଇଁ ଆମେ ଜୀବିକାକୁ ଉତ୍ସର୍ଗ କରିଦେଉଛେ, ତା’ ସତ୍ତ୍ବେ ବି ଆମ ଜୀବନ ସୁରକ୍ଷିତ ରହିବ ତ?
୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭