ଗାନ୍ଧୀଙ୍କର ଶେଷ ସେକ୍ରେଟାରି ପ୍ୟାରେଲାଲ ନିଜର ପୁସ୍ତକ ‘ମହାତ୍ମା ଗାନ୍ଧୀ: ଦ ଲାଷ୍ଟ୍ ଫେଜ୍‌’ରେ ଲେଖିଛନ୍ତି- ‘୧୯୪୭ରେ ଭାରତର ବିଭାଜନ ଏବ˚ ତଜ୍ଜନିତ ଭୟଙ୍କର ହି˚ସା, ହିନ୍ଦୁ ଦେଶପ୍ରେମର ଉତ୍ପତ୍ତି ପାଇଁ ପଥ ସୁଗମ କରିଥିଲା। ଏହାର ସବୁଠାରୁ ଗମ୍ଭୀର ପରିପ୍ରକାଶ ଥିଲା, ହିନ୍ଦୁ ମଧ୍ୟମ ବର୍ଗ ଏପରିକି ସରକାରୀ ସେବା କ୍ଷେତ୍ରରେ ମଧ୍ୟ ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘ (ଆର‌୍‌ଏସ୍‌ଏସ୍‌)ର ଅନୁପ୍ରବେଶ। କ˚ଗ୍ରେସ୍‌ରେ ଥିବା ହିନ୍ଦୁଙ୍କର ଏକ ଗୋଷ୍ଠୀ ମଧ୍ୟ ଆର‌୍‌ଏସ୍‌ଏସ୍‌ ପ୍ରତି ଗୁପ୍ତ ଅନୁରାଗ ଓ ସହାନୁଭୂତି ରଖିବା ଆରମ୍ଭ କରିଥିଲା।’ ହିନ୍ଦୁ ଦେଶପ୍ରେମର ଏହି ସ˚ଗଠନ କାହିଁକି ଛିଡ଼ା ହୋଇଥିଲା ଏବ˚ ଏହାର ଲକ୍ଷ୍ୟ କ’ଣ ଥିଲା ସେ କଥା ତା’ ପରେ ପ୍ୟାରେଲାଲ ନିଜର ପାଠକଙ୍କ ପାଇଁ ରେଖାଙ୍କିତ କରିଛନ୍ତି। ସେ ଲେଖିଛନ୍ତି- ‘ଆର‌୍‌ଏସ୍‌ଏସ୍‌, ମହାରାଷ୍ଟ୍ରରୁ ନିୟନ୍ତ୍ରିତ ଏକ ସା˚ପ୍ରଦାୟିକ, ଅର୍ଦ୍ଧ-ସାମରିକ, ଫାସିବାଦୀ ସ˚ଗଠନ। ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଏହାର ଘୋଷିତ ଲକ୍ଷ୍ୟ। ଏହା ଗ୍ରହଣ କରିଥିବା ସ୍ଲୋଗାନ୍‌- ମୁସଲମାନ, ଭାରତ ଛାଡ଼। ସେତେ ବେଳେ ଏହି ସ˚ଗଠନର ସଦସ୍ୟମାନେ ଖୋଲାଖୋଲି ଭାବେ ଏତେଟା ସକ୍ରିୟ ନ ଥିଲେ। ତେବେ, ସମସ୍ତ ହିନ୍ଦୁ ଓ ଶିଖଙ୍କୁ ପଶ୍ଚିମ ପ˚ଜାବରୁ ଅଣାଯିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ। ପରବର୍ତ୍ତୀ ଲକ୍ଷ୍ୟ ଥିଲା ଭାରତରେ ଥିବା ମୁସଲମାନମାନଙ୍କ ଉପରେ ପ୍ରତିଶୋଧପରାୟଣ ହୋଇ ଝାମ୍ପିପଡ଼ିବା।’

Advertisment

ସେତେବେ‌େଳେ ସଦ୍ୟ ସ୍ବାଧୀନ ହୋଇଥିବା ଭାରତ ବିଭାଜନର ଯନ୍ତ୍ରଣାରେ ଛଟପଟ ହେଉଥିବା ଏବ˚ ଶରଣାର୍ଥୀମାନେ ଘୋର ଦୁର୍ଗତି ମଧ୍ୟରେ ଗତି କରୁଥିବା ବେଳେ ଆମ ଦେଶ ଏକ ଗୁରୁତର ଅଭ୍ୟନ୍ତରୀଣ ସ˚କଟ, କହିବାକୁ ଗଲେ ଏକ ଅଭ୍ୟନ୍ତରୀଣ ଶତ୍ରୁର ସାମନା କରିଥିଲା। ଏହା ଥିଲା ହିନ୍ଦୁ ଦେଶପ୍ରେମର ଉତ୍‌ଥାନ। ୧୯୪୭ର ଦ୍ବିତୀୟାର୍ଦ୍ଧରେ ଆର‌୍‌ଏସ୍‌ଏସ୍‌, ହିନ୍ଦୁ ମଧ୍ୟମ ବର୍ଗ, ବରିଷ୍ଠ ସରକାରୀ କର୍ମଚାରୀ ଏବ˚ କିଛି ହିନ୍ଦୁ ରାଜନୀତିଜ୍ଞଙ୍କ ସମର୍ଥନ ଲାଭ କରିଥିଲା। ତେବେ, ଦୁଇ ଜଣ ଅସାଧାରଣ ହିନ୍ଦୁ ସା˚ପ୍ରଦାୟିକତା ଏବ˚ ହିନ୍ଦୁ ଦେଶପ୍ରେମ ବିରୋଧରେ ଦୃଢ଼ତାର ସହ ଛିଡ଼ା ହୋଇ ତାର ମୁକାବିଲା କରିଥିଲେ। ଭାରତରେ ରହିବାକୁ ବାଛିଥିବା ମୁସଲମାନମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଦୁହେଁ ସ୍ବ-ଇଚ୍ଛାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେହି ଦୁଇ ଜଣ ଅସାଧାରଣ ହିନ୍ଦୁ ଥିଲେ- ପ୍ରଧାନମନ୍ତ୍ରୀ ପଣ୍ତିତ ଜଵାହରଲାଲ ନେହରୁ ଏବ˚ ତାଙ୍କର ଅଭିଜ୍ଞ ଉପଦେଷ୍ଟା, ଗୁରୁ, ପ୍ରେରଣାଦାତା ଓ ପଥ-ପ୍ରଦର୍ଶକ ମହାତ୍ମା ଗାନ୍ଧୀ। ପ୍ୟାରେଲାଲ ଲେଖିଛନ୍ତି- ‘କେବଳ ନିରବଦ୍ରଷ୍ଟା ନ ସାଜିବା ପାଇଁ ଗାନ୍ଧୀ ଦୃଢ଼-ପ୍ରତିଜ୍ଞ ଥିଲେ। ସେତେ ବେଳକୁ ଭାରତରେ ମୁସଲମାନମାନେ ସ˚ଖ୍ୟାଲଘୁ ହୋଇ ସାରିଥିଲେ। ତେବେ, ସେମାନେ ଭାରତର ସମାନ ନାଗରିକ ଥିଲେ। ତେଣୁ, ସେମାନେ ନିଜର ଭବିଷ୍ୟତ୍‌ ବାବଦରେ କାହିଁକି ଅସୁରକ୍ଷିତ ଭାବନା ନେଇ ଚଳିବେ? କେହି ନିଜ ଦେଶରେ ମଥା ଉଠାଇ ଚାଲି ନ ପାରିବା ଏବ˚ ଭୟଭୀତ ଅବସ୍ଥାରେ ବଞ୍ଚିବା ଗାନ୍ଧୀଙ୍କୁ ଗଭୀର ଭାବେ ଆଘାତ ଦେଉଥିଲା। ଭାରତୀୟ ମୁସଲମାନମାନଙ୍କୁ ସୁରକ୍ଷିତ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ।’

ସତୁରିରୁ ଅଧିକ ବର୍ଷ ତଳେ ଘଟିଥିବା ଘଟନାର ବର୍ଣ୍ଣନା କରୁଥିବା ଏହି ପୁସ୍ତକର ଭାଷା ଏବେ ବି ମହତ୍ତ୍ବ ରଖେ। ୧୯୪୭ର ଦ୍ବିତୀୟାର୍ଦ୍ଧରେ ଭାରତୀୟ ରାଜନୀତି ଓ ସାର୍ବଜନୀନ ଜୀବନରେ ଆର‌୍‌ଏସ୍‌ଏସ୍‌ର ଭୂମିକା ନଗଣ୍ୟ ଥିଲା। ସେହି ସମୟର ସା˚ପ୍ରଦାୟିକ ଉତ୍ତେଜନାକୁ ଆୟୁଧ ଓ ମାଧ୍ୟମ କରି ଏହା ନିଜର ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରିଥିଲା। ତେବେ, ସୌଭାଗ୍ୟବଶତଃ ଗାନ୍ଧୀ ଓ ନେହରୁଙ୍କ ଦୃଢ଼ପ୍ରତିଜ୍ଞ କାର୍ଯ୍ୟକ୍ରମ ଯୋଗୁଁ ଏହି ସ˚ଗଠନ ନିଜର ଉଦ୍ୟମରେ ସଫଳ ହୋଇପାରି ନ ଥିଲା। ଏହାର ଉତ୍‌ଥାନ ବାଧାପ୍ରାପ୍ତ ହୋଇଥିଲା। ଭାରତ ଏକ ହିନ୍ଦୁ ପାକିସ୍ତାନରେ ପରିଣତ ହେବନାହିଁ ବୋଲି ନେହରୁ ନିଜ ସରକାରରେ ଥିବା ସମସ୍ତଙ୍କୁ ସ୍ପଷ୍ଟ କରିଥିଲେ। ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟ ମଧ୍ୟରେ ଭ୍ରାତୃତ୍ବ ଭାବ ସ୍ଥାପନ ପାଇଁ ଗାନ୍ଧୀ କଲକାତା ଓ ଦିଲ୍ଲୀରେ ଅନଶନ କରି ସଫଳତା ପାଇଥିଲେ। ୩୦ ଜାନୁଆରି ୧୯୪୮ରେ ଜଣେ ଆର‌୍‌ଏସ୍‌ଏସ୍‌ କର୍ମୀଙ୍କ ଦ୍ବାରା ଗାନ୍ଧୀଙ୍କ ହତ୍ୟା ହୋଇଥିଲା। ମହାତ୍ମାଙ୍କର ସହିଦତ୍ବ ପ୍ରାପ୍ତି ତାଙ୍କର ହିନ୍ଦୁ ଅନୁଗାମୀମାନଙ୍କୁ ଲଜ୍ଜିତ ଓ ଶ˚କିତ କରିଥିଲା। ସେମାନେ ନିଜର ଚେତନା ଫେରି ପାଇଥିଲେ। ପରିଣାମ ସ୍ବରୂପ ଆର‌୍‌ଏସ୍‌ଏସ୍‌ର ଯୋଜନା ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ, ଏବେ ଏହା ଲେଖୁଥିବା ବେଳେ ଆର‌୍‌ଏସ୍‌ଏସ୍‌ ଆଉ ନଗଣ୍ୟ ଭୂମିକାରେ ନାହିଁ; ଭାରତୀୟ ରାଜନୀତି ଓ ସାର୍ବଜନୀନ ଜୀବନରେ ଏହା ବେଶ୍‌ ଆଧିପତ୍ୟ ବିସ୍ତାର କରିସାରିଲାଣି। ଏହାର ରାଜନୈତିକ ସାମ୍ମୁଖ୍ୟ- ଭାରତୀୟ ଜନତା ପାର୍ଟି, କେନ୍ଦ୍ର ସରକାର ଓ ଅନେକ ପ୍ରଦେଶକୁ ଚଳାଉଛି। ହିନ୍ଦୁ ମଧ୍ୟମ ବର୍ଗର ଏକ ବଡ଼ ଭାଗ ଆଉ ଗୁପ୍ତରେ ନୁହେଁ, ଖୋଲାଖୋଲି ଭାବେ ଏହାର ରାଜନୈତିକ ଓ ଆଦର୍ଶଗତ ଇସ୍ତାହାରକୁ ସମର୍ଥନ ଦେଉଛି। ଅନେକ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ, କୂଟନୀତିଜ୍ଞ ଏପରିକି କିଛି ସାମରିକ ଅଧିକାରୀ ମଧ୍ୟ ନିଜର ସାମ୍ବିଧାନିକ କାର୍ଯ୍ୟ ସ˚ପାଦନ ନ କରି, ହିନ୍ଦୁତ୍ବ ଏବ˚ ଶାସକ ଦଳକୁ ଖୋଲା ସମର୍ଥନ ଦେଉଛନ୍ତି।

୧୯୪୭ରେ ଆର‌୍‌ଏସ୍‌ଏସ୍‌ର କେନ୍ଦ୍ରୀୟ ବିଶ୍ବାସ ସ˚ପର୍କରେ ପ୍ୟାରେଲାଲ ଲେଖିଥିଲେ- ‘ହିନ୍ଦୁ ରାଷ୍ଟ୍ର ସ୍ଥାପନ ଏହାର ଘୋଷିତ ଲକ୍ଷ୍ୟ। ଏହା ଗ୍ରହଣ କରିଥିବା ସ୍ଲୋଗାନ୍‌- ମୁସଲମାନ ଭାରତ ଛାଡ଼।’ ଏହି ଲେଖାର ପ୍ରଥମ ଭାଗ ଏବେ ବି ବଳବତ୍ତର ରହିଛି। ଦ୍ବିତୀୟ ଭାଗକୁ କିଛି ମାତ୍ରାରେ ବଦଳା ଯାଇଛି। ବିଭାଜନ ପରେ ଆର‌୍‌ଏସ୍‌ଏସ୍‌ର ଅନେକ ନେତା, ଭାରତକୁ ସ˚ପୂର୍ଣ୍ଣ ଭାବେ ମୁସଲମାନ-ମୁକ୍ତ କରିବାକୁ ଚାହୁଁଥିଲେ। ତେବେ, ଏହା ସ˚ଭବ ନୁହେଁ ବୋଲି ୧୯୫୦ ବେଳକୁ ସେମାନେ ବୁଝିଯାଇଥିଲେ। ମୁସଲମାନ ସ˚ପ୍ରଦାୟର ଆକାର ବେଶ୍‌ ବଡ଼ ଥିଲା ଏବ˚ ଏହା ସାରା ଦେଶରେ ଖେଳାଇ ହୋଇ ରହିଥିଲା। ତେଣୁ, ସେମାନଙ୍କୁ ସ˚ପୂର୍ଣ୍ଣ ଭାବେ ବିତାଡ଼ିତ କରିବା ଅସମ୍ଭବ ଥିଲା। ଏବେ ଭାରତୀୟ ମୁସଲମାନମାନଙ୍କ ପ୍ରତି ଆର‌୍‌ଏସ୍‌ଏସ୍‌ର ଦୃଷ୍ଟିଭଙ୍ଗୀ ଏହି ପରି: ଯେଉଁ ମୁସଲମାନମାନେ ଏଠାରେ ଜନ୍ମ ହୋଇଛନ୍ତି ଏବ˚ ବାସ କରୁଛନ୍ତି, ସେମାନେ ଏଠାରେ ରହନ୍ତୁ। ତେବେ, ସେହି ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସେମାନେ ଭାରତରେ ହିନ୍ଦୁ ସ˚ପ୍ରଦାୟର ରାଜନୈତିକ, ସାମାଜିକ, ଧାର୍ମିକ, ଆନୁଷ୍ଠାନିକ ଓ ନୈତିକ ପ୍ରାଧାନ୍ୟ ବା ଆଧିପତ୍ୟକୁ ଗ୍ରହଣ କରିବେ।

ବିଡ଼ମ୍ବନାର ବିଷୟ ହେଲା ଆର‌୍‌ଏସ୍‌ଏସ୍‌ର ଏହି ଦୃଷ୍ଟିଭଙ୍ଗୀ ଆସିଛି ଇସଲାମରୁ- ମଧ୍ୟ ଯୁଗୀୟ ଇସଲାମରୁ। ଖଲିଫା ରାଜତ୍ବ କାଳରେ ଇହୁଦୀ ଓ କିରସ୍ତାନଙ୍କ ଉପରେ ମୁସଲମାନଙ୍କର ଆଧିପତ୍ୟ ଥିଲା। ସେମାନଙ୍କୁ ଅଧିକ ଅଧିକାର ଦିଆଯାଇଥିଲା। ଯଦିଓ ଇହୁଦୀ ଓ କିରସ୍ତାନମାନଙ୍କୁ ନିର୍ଯାତନା ଦିଆଯାଉ ନ ଥିଲା; ତେବେ, ଦ୍ବିତୀୟ ଶ୍ରେଣୀ ତଥା ନିକୃଷ୍ଟ ବିବେଚନା କରାଯାଉଥିଲା। ସେମାନଙ୍କ ଜୀବନ-ଜୀବିକା ପାଇଁ ସମସ୍ତ କ୍ଷେତ୍ର ଉନ୍ମୁକ୍ତ ନ ଥିଲା। ଏବର ଭାରତରେ ଯଦି ଆର‌୍‌ଏସ୍‌ଏସ୍‌ ନିଜର ପୂର୍ଣ୍ଣ କର୍ତ୍ତୃତ୍ବ ଜାହିର କରିବା ପାଇଁ ସୁଯୋଗ ପାଏ, ମୁସଲମାନମାନଙ୍କୁ ଦ୍ବିତୀୟ ଶ୍ରେଣୀର ନାଗରିକତ୍ବକୁ ଗ୍ରହଣ କରିବାକୁ ପଡ଼ିବ। ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ଇତିହାସ ଓ ସମାଜ ବିଜ୍ଞାନ ଉପରେ ବିଦ୍ବାନ୍‌ମାନେ ଅନେକ କିଛି ଲେଖିଛନ୍ତି। ନିଜ ବାବଦରେ ମଧ୍ୟ ଆର‌୍‌ଏସ୍‌ଏସ୍‌ ପକ୍ଷରୁ ଅନେକ କିଛି ଲେଖାଯାଇଛି, ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି। ଯେଉଁମାନେ ଏହାର ସଦସ୍ୟ ନୁହନ୍ତି, ସେମାନଙ୍କୁ ନିଜର ଆଭିମୁଖ୍ୟ ବୁଝାଇବା ପାଇଁ ପ୍ରଚାର ପତ୍ର ବଣ୍ଟାଯାଉଛି। ସେସବୁର ସାର କଥା ବା ସାର ମର୍ମ ପାଞ୍ଚଟି ଶବ୍ଦରେ ସୀମିତ: ଆମେ ମୁସଲମାନମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇଦେବୁ।

ଆର‌୍‌ଏସ୍‌ଏସ୍‌ ଦାବି କରେ ଯେ ହିନ୍ଦୁ ଗରିମାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଏହାର ସୃଷ୍ଟି। ତେବେ, ବିଶ୍ବାସ, କାର୍ଯ୍ୟ ଓ ବ୍ୟବହାରରେ ଏହି ସ˚ଗଠନ ତଥା ଏହାର ରାଜନୈତିକ ସାମ୍ମୁଖ୍ୟ କୌଣସି ଗରିମା ପରିବର୍ତ୍ତେ ଭ୍ରାନ୍ତି ଏବ˚ ପାଗଳାମି ଦ୍ବାରା ପରିଚାଳିତ। ଭାଜପା ପରିଚାଳିତ ବିଭିନ୍ନ ରାଜ୍ୟ ସରକାର ଏବ˚ ଏବର କେନ୍ଦ୍ର ସରକାରର କାର୍ଯ୍ୟକଳାପ ଦେଖିଲେ ଏ ଭଳି ଲାଗୁଛି। ଜାମ୍ମୁ-କାଶ୍ମୀର ପ୍ରଦେଶର ଧ୍ବ˚ସ, ଅଯୋଧ୍ୟାରେ ଏକ ମନ୍ଦିର ନିର୍ମାଣ ନିମନ୍ତେ ଏହାର ବିଜୟ-ଗର୍ବ, ଅନ୍ତଃ ଧର୍ମୀୟ ବିବାହ ବିରୋଧରେ ଆଇନ ଏବ˚ ନାଗରିକତ୍ବ ସ˚ଶୋଧନ ଆଇନ ତଥା ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ଉତ୍ପୀଡ଼କ କାର୍ଯ୍ୟାନୁଷ୍ଠାନ ଆଦି ‘ମୁସଲମାନମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇଦେବାର’ ନମୁନା ନୁହେଁ କି? ପ୍ୟାରେଲାଲ ନିଜର ପୁସ୍ତକରେ ସେପ୍‌ଟେମ୍ବର‌୍‌ ୧୯୪୭ରେ ଦିଲ୍ଲୀରେ ଶୁଣିଥିବା ଏକ ବାର୍ତ୍ତାଳାପକୁ ସ୍ଥାନ ଦେଇଛନ୍ତି। ତାହା ଏହି ପରି- ‘ଵାଘାସ୍ଥିତ ଏକ ଶରଣାର୍ଥୀ ଶିବିରରେ ଆର‌୍‌ଏସ୍‌ଏସ୍‌ କର୍ମୀମାନେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଥିବା ଗାନ୍ଧୀଙ୍କ ଦଳର ଜଣେ ସଦସ୍ୟ କହିଲେ। ସେମାନେ ଶୃଙ୍ଖଳିତ, ସାହସୀ, କର୍ମ ପ୍ରେରିତ ଏବ˚ ସମର୍ଥ। ତାହା ଶୁଣିବା ପରେ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଭୁଲ ନାହିଁ ଯେ ହିଟ୍‌ଲର‌୍‌ଙ୍କ ନାଜି ଏବ˚ ମୁସୋଲିନିଙ୍କର ଫାସିବାଦୀମାନେ ମଧ୍ୟ ସେହିପରି ଥିଲେ। ଗାନ୍ଧୀ, ଆର‌୍‌ଏସ୍‌ଏସ୍‌କୁ ଏକଛତ୍ରବାଦୀ ଚିନ୍ତାଧାରା ଥିବା ଏକ ସା˚ପ୍ରଦାୟିକ ଶରୀର ଭାବେ ଆଖ୍ୟାୟିତ କରିଥିଲେ।’

ଆର‌୍‌ଏସ୍‌ଏସ୍‌ ଉପରେ ଗାନ୍ଧୀଙ୍କ ଦୃଷ୍ଟିକୋଣ ବାସ୍ତରି ବର୍ଷ ପରେ ବି ଯଥାର୍ଥ। ତେବେ, ଗାନ୍ଧୀ ଏକ ଶୃଙ୍ଖଳାରେ ପ୍ରୟୋଗ କରିଥିବା କେତେକ ବିଶେଷଣ କେବଳ ଯାହା ଓଲଟିଯାଇଛି। ଏବେ ଆର‌୍‌ଏସ୍‌ଏସ୍‌ ସା˚ପ୍ରଦାୟିକ ଚିନ୍ତାଧାରା ଥିବା ଏକ ଏକଛତ୍ରବାଦୀ ଶରୀର ପାଲଟିଯାଇଛି। ୧୯୪୭ରେ ଆର‌୍‌ଏସ୍‌ଏସ୍‌ ଭାରତୀୟ ଜୀବନର କୂଳରେ ଥିଲା; ଏବେ ୨୦୨୦ରେ ଏହା ଭାରତୀୟ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି। କେନ୍ଦ୍ର ସରକାରକୁ ନିୟନ୍ତ୍ରଣ କରୁଥିବା ଆର‌୍‌ଏସ୍‌ଏସ୍‌ର ସଦସ୍ୟମାନେ ଗଣମାଧ୍ୟମକୁ ଧମକ ଦେଉଛନ୍ତି, ନ୍ୟାୟପାଳିକାକୁ ପ୍ରଭାବିତ କରୁଛନ୍ତି ଏବ˚ ଅନ୍ୟ ଦଳ ଦ୍ବାରା ଗଠିତ ପ୍ରାଦେଶିକ ସରକାରଗୁଡ଼ିକୁ ଭାଙ୍ଗିବା ପାଇଁ ବଳ ପ୍ରୟୋଗ କରିବା ସହ ଲାଞ୍ଚ ମଧ୍ୟ ଦେଉଛନ୍ତି। ହିନ୍ଦୁତ୍ବବାଦୀ ଆଦର୍ଶକୁ ଗ୍ରହଣ କରୁ ନ ଥିବା ସମସ୍ତ ସ୍ବେଚ୍ଛାସେବୀ ସ˚ଗଠନକୁ ଦମନ କରିବା ପାଇଁ ନୂଆ ଆଇନ ସୃଷ୍ଟି କରାଯାଇଛି। ରାଜନୈତିକ ପ୍ରକ୍ରିୟା, ସମସ୍ତ ରାଷ୍ଟ୍ରୀୟ ଅନୁଷ୍ଠାନ, ନାଗରିକ ସମାଜ ଉପରେ ଆର‌୍‌ଏସ୍‌ଏସ୍‌ ଏବ˚ ଭାଜପା ଏବେ ପୂର୍ଣ୍ଣ କର୍ତ୍ତୃତ୍ବ ଓ ଆଧିପତ୍ୟ ଚାହେଁ। ଏପରିକି ଲୋକେ କ’ଣ ଖାଇବେ, କ’ଣ ପିନ୍ଧିବେ ଏବ˚ କାହାକୁ ବାହା ହେବେ ଓ କାହାକୁ ହୋଇପାରିବେନାହିଁ, ଏହା ମଧ୍ୟ ଆର‌୍‌ଏସ୍‌ଏସ୍‌ ଏବ˚ ଭାଜପା କହିବ। ରାଷ୍ଟ୍ରୀୟ ଜୀବନର ପ୍ରତ୍ୟେକ ସ୍ବରୂପ ତାହା ରାଜନୈତିକ ହେଉ ବା ସାମାଜିକ ବା ଆନୁଷ୍ଠାନିକ ବା ଆଦର୍ଶଗତ ସବୁକୁ ନିୟନ୍ତ୍ରଣ କରିବାର କାମନାର ପୋଥିଗତ ସ˚ଜ୍ଞା ତ ‘ଏକଛତ୍ରବାଦ’। ଆଉ ମୁସଲମାନମାନଙ୍କୁ କ୍ରମାଗତ ଭାବେ ଧମକଚମକ ଦେଇ ଭୟଭୀତ କରାଯାଉଛି। ଏହା ଆର‌୍‌ଏସ୍‌ଏସ୍‌ ଓ ଭାଜପାର ସା˚ପ୍ରଦାୟିକ ଚିନ୍ତାଧାରାର ନିଦର୍ଶନ। ତେଣୁ, ୧୯୪୭ର ଦ୍ବିତୀୟାର୍ଦ୍ଧରେ ମହାତ୍ମା ଗାନ୍ଧୀ, ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ଯେଉଁ ସ˚ଜ୍ଞା ନିରୂପଣ କରିଥିଲେ, ତାହା ଏବେ ବି ଯଥାର୍ଥ। କ୍ଷମତାରେ ଥାଉ ବା ନ ଥାଉ, ଆର‌୍‌ଏସ୍‌ଏସ୍‌ ଏକଛତ୍ରବାଦୀ ଚିନ୍ତାଧାରା ଥିବା ଏକ ସା˚ପ୍ରଦାୟିକ ଶରୀର ଭିନ୍ନ ଅନ୍ୟ କିଛି ନୁହେଁ; ଏହାଠାରୁ କିଛି କମ୍‌ ବା କିଛି ଅଧିକ ନୁହେଁ।

(ମତାମତ ଲେଖକଙ୍କ ନିଜସ୍ବ)