‘ଆପଣଙ୍କ ପରି ଜଣେ ବୁଦ୍ଧିଜୀବୀ କେମିତି ଜାତିଗତ ଜନଗଣନା ପରି ଦେଶଭଙ୍ଗା କଳ୍ପନାକୁ ସମର୍ଥନ କରୁଛନ୍ତି? ଆପଣଙ୍କ ସହିତ ନିଶ୍ଚିତ ଭାବରେ ମତପାର୍ଥକ୍ୟ ରହିଛି। କିନ୍ତୁ ମୁଁ ମାନୁଛି ଯେ, ଆପଣ ଅନ୍ତତଃ ସାମାଜିକ ସୌହାର୍ଦ୍ଦରେ ବିଶ୍ବାସ କରନ୍ତି। ମୁଁ ଏଥିରେ ଆଶ୍ଚର୍ଯ୍ୟଚକିତ ହେଉଛି।’
ଉଦ୍ୟାନରେ ବୁଲୁଥିବା ବେଳେ ପ୍ରାୟତଃ ଭେଟ ହେଉଥିବା ଏହି ବୟୋଜ୍ୟେଷ୍ଠଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଥିଲା। ସେ ବିଜେପିର ସମର୍ଥକ, ମୋଦୀଜୀଙ୍କର ଭକ୍ତ ଏବଂ କଠୋର ଆରକ୍ଷଣ ବିରୋଧୀ। ରାଜନୈତିକ ମତଭେଦ ସତ୍ତ୍ବେ ସେ ସର୍ବଦା ମୋତେ ସ୍ନେହରେ ଅଭିବାଦନ ଜଣାନ୍ତି ଏବଂ ପରିବାରର ଭଲମନ୍ଦ ପଚାରି ବୁଝନ୍ତି। ତେବେ ଆଜି ତାଙ୍କ ସ୍ବରରେ ଟିକେ ତିକ୍ତତା ରହିଥିଲା। ପ୍ରଥମେ ତ ପ୍ରତିକ୍ରିୟାଶୀଳ ହୋଇ କିଛି କହିଦେବା ପାଇଁ ଇଚ୍ଛା ହେଲା। ଭାବିଲି ତାଙ୍କୁ ଥରେ ପଚାରିବା ଉଚିତ ହେବ କି, ଦିନରାତି ହିନ୍ଦୁ-ମୁସଲମାନ ହେବା ପରେ ଆପଣଙ୍କୁ ଦେଶର ଏକତା ନେଇ କେବେଠାରୁ ଚିନ୍ତା ଘାରିଲାଣି? ତେବେ ନିଜକୁ ସମ୍ଭାଳିନେଲି। ଯୁକ୍ତିର ଜବାବ ଆରୋପରେ ନୁହେଁ, ଯୁକ୍ତିରେ ହିଁ ଦେବାକୁ ପଡ଼ିବ। ସେ ଯେଉଁ କଥା କହୁଛନ୍ତି, କିଏ ଜାଣେ କେତେ ଲୋକଙ୍କ ମନରେ ତାହା ରହିଥିବ! ତାହାର ଏକ ତାର୍କିକ ତଥା ସଠିକ୍‌ ଉତ୍ତର ଦେବା ଦରକାର। ତେଣୁ ମୁଁ ମୋର କ୍ରୋଧ ସମ୍ବରଣ କରି କହିଲି, ‘ଆପଣ ଠିକ୍‌ କହୁଛନ୍ତି। ଆପଣ କି ମୁଁ ଭୁଲ୍‌ରେ ମଧ୍ୟ ଏପରି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ଦେଶକୁ ବିଭାଜିତ ହେବାର ବିପଦରେ ପକାଇବ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ ଜାତିଗତ ଜନଗଣନାରେ ଆପଣଙ୍କୁ ଏହି ବିପଦ ଦେଖାଯାଉଛି। ମାତ୍ର ମୁଁ ଏକଥା ଭାବି ଚକିତ ଯେ ଆପଣଙ୍କ ପରି ବ୍ୟକ୍ତି ଜାତିଗତ ଜନଗଣନାକୁ କାହିଁକି ସମର୍ଥନ କରୁନାହାନ୍ତି?’

Advertisment

ତାଙ୍କ ମୁହଁରେ ଆଶ୍ଚର୍ଯ୍ୟର ଅଭିବ୍ୟକ୍ତି ପଢ଼ିବା ପରେ ମୁଁ କଥାକୁ ଆଗକୁ ବଢ଼ାଇଲି। ‘ଦେଖନ୍ତୁ, ଆପଣ ଓ ମୋ’ ଭିତରେ ଯାହା ବି ମତଭେଦ ଥାଉ ନା କାହିଁକି, ଆମେ ନିଶ୍ଚିତ ସହମତ ହେବା ଯେ, ଜାତି ପ୍ରଥା ଭାରତୀୟ ସମାଜର ଏକ ବିରାଟ ବେମାର। ଏହି ରୋଗର ଚିକିତ୍ସା କରାଯିବା ଉଚିତ କି ନୁହେଁ?’ ଅନିଚ୍ଛା ସତ୍ତ୍ବେ ସେ ରାଜି ହୋଇ କହିଲେ, ‘ରୋଗ ତ ରହିଛି। ତେବେ ତୁମେ କେଉଁଠି ତାହାର ଚିକିତ୍ସା କରୁଛ? ଜାତିଗତ ଜନଗଣନା ଦ୍ବାରା ତୁମେ ତ ବେମାରକୁ ଆହୁରି ବଢ଼ାଇ ଦେଉଛ! ଜାତିଗତ ଜନଗଣନା ଦ୍ବାରା ଜାତିପ୍ରଥା କେମିତି ଶେଷ ହୋଇଯିବ?’

ବର୍ତ୍ତମାନ ସୁଦ୍ଧା ବିହାର ସରକାର କେବଳ ତଥ୍ୟର ପ୍ରଥମ କିସ୍ତି ଉପସ୍ଥାପନ କରିଛନ୍ତି। ବିଧାନସଭା ଅଧିବେଶନରେ ଯେତେବେଳେ ଦ୍ବିତୀୟ କିସ୍ତି ଆସିବ, ସେତେବେଳେ ବିହାରର କେଉଁ ଜିଲ୍ଲାର କେଉଁ ତହସିଲରେ କେଉଁ ଜାତିର କେତେ ଲୋକ ଅଶିକ୍ଷିତ, କେତେ ଜଣ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି, କେତେ ଜଣ ସ୍ନାତକଧାରୀ, କେତେ ଜଣ ସରକାରୀ ଚାକିରିରେ ଅଛନ୍ତି, କାହା ପାଖରେ କେତେ ଜମି ରହିଛି, କାହା କାହା ଘରେ ଜିପ୍‌, କାର୍‌ କି କମ୍ପ୍ୟୁଟର ଅଛି ଏବଂ କିଏ ଦିନମଜୁରି କରି ନିଜର ଗୁଜରାଣ ମେଣ୍ଟାଉଛି, ସବୁ କଥା ଜଣାପଡ଼ିଯିବ। ଅର୍ଥାତ୍‌ ଜାତିଗତ ଜନଗଣନାରେ ପ୍ରତ୍ୟେକ ଜାତିର ପଛୁଆ ବର୍ଗ ଓ ଉନ୍ନତ ବର୍ଗଙ୍କର ସଂପୂର୍ଣ୍ଣ ଚିତ୍ର ମିଳିଯିବ। ତେଣୁ ମୁଁ ଏହାକୁ ଏକ ଏକ୍ସ-ରେ ବୋଲି ବିବେଚନା କରୁଛି।

କଥା ତ ଆରମ୍ଭ ହୋଇସାରିଥିଲା। ତେଣୁ ମୁଁ ଯୁକ୍ତି ଉପସ୍ଥାପନା କରିବା ଆରମ୍ଭ କରି କହିଲି, ‘ଦେଖନ୍ତୁ, ଯଦି ଆମର କିଛି ରୋଗ ଅଛି, ତେବେ ଆମେ ଡାକ୍ତରଙ୍କ ପାଖକୁ ଯାଉଛେ ନା ନାହିଁ? ଡାକ୍ତର ଆମକୁ ଦେଖିବା ପରେ କିଛି ନା କିଛି ପରୀକ୍ଷା କରିବା ପାଇଁ କହନ୍ତି ନା ନାହିଁ? ହାତ ଫୁଲିଥିଲେ ଏକ୍ସ-ରେ, ପେଟରେ ଯନ୍ତ୍ରଣା ଥିଲେ ଅଲ୍‌ଟ୍ରାସାଉଣ୍ଡ୍‌ କିମ୍ବା ଜ୍ବର ଲାଗିରହିଲେ ରକ୍ତ ପରୀକ୍ଷା କରିବା ପାଇଁ କହନ୍ତି ନା ନାଇଁ? ଦେଖନ୍ତୁ, ଏଭଳି କିଛି ପରୀକ୍ଷା କରିଦେଲେ ରୋଗ ଉପଶମ ହୋଇଯିବନି, ମାତ୍ର ରୋଗର ଚିକିତ୍ସା ପାଇଁ ଏସବୁ ପରୀକ୍ଷା ହେଉଛି ପ୍ରଥମ ପଦକ୍ଷେପ। ତେଣୁ ଆପଣ ଏକଥା ବୁଝନ୍ତୁ କି ଜାତିପ୍ରଥା ନାମକ ବେମାରର ଚିକିତ୍ସା ପାଇଁ ଜାତିଗତ ଜନଗଣନା ହେଉଛି ଏକ୍ସ-ରେ ସଦୃଶ।’
ମୋ’ କଥାରେ ପ୍ରତିବାଦ କରି ସେ କହିଲେ, ‘ଏହା ଏକ୍ସ-ରେ ନୁହେଁ, ବରଂ ଏକ ଓଜନଯନ୍ତ୍ର। କେଉଁ ଜାତିର କେତେ ଜନସଂଖ୍ୟା, ତାହାକୁ ଗଣନା କରି କିପରି ଜାତିପ୍ରଥା ରୋଗର ଯାଞ୍ଚ କରିହେବ?’ ତାଙ୍କ ମୁହଁରେ ସ୍ମିତହାସ୍ୟ ଖେଳିବା ଆଗରୁ ମୁଁ ଉତ୍ତର ଦେବା ଆରମ୍ଭ କରିଦେଲି। ‘ଏହା ହିଁ ତ ହେଉଛି ଜାତିଗତ ଜନଗଣନା ବାବଦରେ ସବୁଠୁ ଭ୍ରାନ୍ତ ଧାରଣା। ଜନଗଣନାର ଉଭୟ ସମର୍ଥକ ଓ ବିରୋଧୀ ଏକଥା ବୁଝନ୍ତି ନାହିଁ। ଭଲ ହେଲା, ଆପଣ ପଚାରିଦେଲେ। ଏମିତି ତ ରୋଗୀର ଓଜନ ଦେଖିବା ଜରୁରୀ, ମାତ୍ର ଜନଗଣନା କେବଳ ଓଜନ କି ଆକାର ମାପିବାର ମାଧ୍ୟମ ନୁହେଁ। ଜାତିଗତ ଜନଗଣନା ଆମକୁ ପ୍ରତ୍ୟେକ ଜାତିର ଶିକ୍ଷାଗତ, ସାମାଜିକ ଓ ଆର୍ଥିକ ସ୍ଥିତିର ବିବରଣୀ ପ୍ରଦାନ କରିଥାଏ। ବର୍ତ୍ତମାନ ସୁଦ୍ଧା ବିହାର ସରକାର କେବଳ ତଥ୍ୟର ପ୍ରଥମ କିସ୍ତି ଉପସ୍ଥାପନ କରିଛନ୍ତି। ବିଧାନସଭା ଅଧିବେଶନରେ ଯେତେବେଳେ ଦ୍ବିତୀୟ କିସ୍ତି ଆସିବ, ସେତେବେଳେ ବିହାରର କେଉଁ ଜିଲ୍ଲାର କେଉଁ ତହସିଲରେ କେଉଁ ଜାତିର କେତେ ଲୋକ ଅଶିକ୍ଷିତ, କେତେ ଜଣ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି, କେତେ ଜଣ ସ୍ନାତକଧାରୀ, କେତେ ଜଣ ସରକାରୀ ଚାକିରିରେ ଅଛନ୍ତି, କାହା ପାଖରେ କେତେ ଜମି ରହିଛି, କାହା କାହା ଘରେ ଜିପ୍‌, କାର୍‌ କି କମ୍ପ୍ୟୁଟର ଅଛି ଏବଂ କିଏ ଦିନମଜୁରି କରି ନିଜର ଗୁଜରାଣ ମେଣ୍ଟାଉଛି, ସବୁ କଥା ଜଣାପଡ଼ିଯିବ। ଅର୍ଥାତ୍‌ ଜାତିଗତ ଜନଗଣନାରେ ପ୍ରତ୍ୟେକ ଜାତିର ପଛୁଆ ବର୍ଗ ଓ ଉନ୍ନତ ବର୍ଗଙ୍କର ସଂପୂର୍ଣ୍ଣ ଚିତ୍ର ମିଳିଯିବ। ତେଣୁ ମୁଁ ଏହାକୁ ଏକ ଏକ୍ସ-ରେ ବୋଲି ବିବେଚନା କରୁଛି।’
ଏହା ଶୁଣି ସେ ତାଙ୍କ ସ୍ବରକୁ ଟିକେ ନରମ କରି କହିଲେ, ‘ତୁମେ ଯଦି ଏ କଥା କହୁଛ, ମୁଁ ମାନି ନେଉଛି। ମାତ୍ର କିଏ ଆଗରେ ଅଛି, କିଏ ପଛରେ ଅଛି, ତାହାର ଆକଳନ ପ୍ରକାଶ କରି କ’ଣ ଲାଭ ହେବ? ବରଂ ସମାଜରେ ଈର୍ଷା ଭାବ ଓ ଝଗଡ଼ା ବୃଦ୍ଧି ପାଇବ।’
ମୁଁ ଉତ୍ତର ଦେଲି, ‘ମୁଁ ଭାବୁଥିଲି କି ଆପଣ ଏହି କାରଣରୁ ହିଁ ଜାତିଗତ ଜନଗଣନାକୁ ସମର୍ଥନ କରିବେ। ଦେଖନ୍ତୁ, ଆପଣଙ୍କର ବିଶ୍ବାସ ହେଉଛି ଯେ ଏହି ଦେଶରେ କେବଳ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି, ଆଉ ଜାତିର ପାର୍ଥକ୍ୟ ଧୀରେ ଧୀରେ ଶେଷ ହୋଇଯାଇଛି। ଯଦି ଆପଣଙ୍କ ଭାବନା ସଠିକ୍‌ ବୋଲି ଆପଣ ବିଚାର କରୁଛନ୍ତି, ତେବେ ଜାତିଗତ ଜନଗଣନା ଦ୍ବାରା ତାହାର ପୁଷ୍ଟି ହୋଇପାରିବ। ସବୁ ଜାତି ଭିତରେ ଗରିବ ଓ ଧନୀଙ୍କ ଅନୁପାତ କମ୍‌‌ କି ବେଶୀ କି ସମାନ ତାହା ସେଥିରୁ ଜଣାପଡ଼ିବ। ତେଣୁ ଆପଣ ତ ସେଭଳି ଆକଳନକୁ ସ୍ବାଗତ କରିବା ଦରକାର। ଆପଣ ଅସୁରକ୍ଷାବୋଧ କରୁଛନ୍ତି କାହିଁକି?’
ପରିସ୍ଥିତି ବଦଳିବା ଦେଖି ସେ ଟିକେ ବିରକ୍ତି ପ୍ରକାଶ କରି କହିଲେ, ‘ଯଦି ଆପଣଙ୍କର ଏକ୍ସ-ରେ ଏତେ ଭଲ, ତେବେ ତାହା କେବଳ ହିନ୍ଦୁ ସମାଜ ପାଇଁ କାହିଁକି? ମୁସଲମାନଙ୍କ ଭିତରେ ବି ବିଭିନ୍ନ ଜାତି ଅଛି। ସେମାନଙ୍କର ଜାତିଗତ ଜନଗଣନା କାହିଁକି କରୁନ?’ ପ୍ରଶ୍ନଟି ଅତି ସରଳ ଥିଲା ଏବଂ ମୋର ଉତ୍ତର ବି- ‘ଲାଗୁଛି, ଆପଣ ବିହାରର ଜାତିଗତ ଜନଗଣନା ସର୍ବେକ୍ଷଣର ରିପୋର୍ଟ ପଢ଼ିନାହାନ୍ତି। ହିନ୍ଦୁଙ୍କର ପ୍ରତି ଜାତିର ଗଣନା ପରି ମୁସଲମାନଙ୍କର ମଧ୍ୟ ଦୁଇ ଡଜନ ଜାତିକୁ ପୃଥକ୍‌ ଭାବେ ଗଣନା କରାଯାଇଛି। ଏହି ଜନଗଣନାରେ ପ୍ରଥମ ଥର ପାଇଁ ମୁସଲମାନମାନଙ୍କ ଭିତରେ ଥିବା ପଛୁଆବର୍ଗ ବାବଦରେ ଥିବା ସତ୍ୟତା ସାମନାକୁ ଆସିଛି।’
ଶେଷରେ ଏହି କଥାରେ ସେ ମୋଦୀଜୀଙ୍କୁ ପ୍ରସଙ୍ଗ ଭିତରକୁ ଟାଣି କହିଲେ, ‘ଦେଶର ପ୍ରଧାନମନ୍ତ୍ରୀ ତ କହିଛନ୍ତି ଯେ, ଜାତିଗତ ଜନଗଣନା ଦେଶର ଏକତା ପ୍ରତି ବିପଦ।’ ଏ କଥା ଶୁଣି ମୁଁ ନ ହସି ରହିପାରିଲିନି ଏବଂ ଉତ୍ତର ଦେଲି, ‘ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ଯେ ୨୦୧୦ରେ ସଂସଦରେ ଜାତିଗତ ଜନଗଣନାକୁ ସମର୍ଥନ କରି ବିଜେପି ଦେଶକୁ ବିଭାଜିତ କରିବାର ଅପରାଧ କରିଛି? ୨୦୧୮ରେ ତାଙ୍କ ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ କାହିଁକି ଜାତିଗତ ଜନଗଣନାର ଆଶ୍ବାସନା ଦେଇଥିଲେ? ବିହାରର ବିଜେପି ଆଜି ମଧ୍ୟ କାହିଁକି ଜାତିଗତ ଜନଗଣନାକୁ ସମର୍ଥନ କରୁଛି?’ ଭଦ୍ରବ୍ୟକ୍ତି ଜଣକ ମୋ’ ଉତ୍ତରକୁ ଆଉ ଅପେକ୍ଷା ନକରି ଆଗକୁ ଚାଲିଯାଇଥିଲେ।
ଅଧ୍ୟକ୍ଷ, ସ୍ବରାଜ ଇଣ୍ଡିଆ