ଶ୍ରୀମନ୍ଦିର ଅବ୍ୟବସ୍ଥା, ମୂଲ୍ୟବାନ ସୁପାରିସ କାର୍ଯ୍ୟକାରୀ ହେଉନାହିଁ

ବସନ୍ତ ଦାସ

ବିଦେଶରେ ବା ଦେଶର ବିଭିନ୍ନ ରାଜ୍ୟରେ ବା ପ୍ରାନ୍ତରେ ଓଡ଼ିଆମାନେ ସେମାନଙ୍କ ପରିଚୟ ଦେବା ଲାଗି ଜଗନ୍ନାଥ ଧାମ ପୁରୀ ଯେଉଁ ରାଜ୍ୟରେ ଅବସ୍ଥିତ, ସେହି ରାଜ୍ୟରୁ ଆସିଥିବା କଥା କହିଥାଆନ୍ତି। ପୁରୀର ଶ୍ରୀମନ୍ଦିର କେବଳ ଆମ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ପରିଚିତି ପ୍ରଦାନ କରି ନ ଥାଏ, ଏହା ହେଉଛି ଓଡ଼ିଆମାନଙ୍କ ପରମ ଆସ୍ଥା କେନ୍ଦ୍ର। ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଊର୍ଦ୍ଧ୍ବ ବାହୁ ହୋଇଗଲେ ପ୍ରତ୍ୟେକ ଓଡ଼ିଆ ଭାବନ୍ତି ଯେ ସ˚କଟ ଟଳିଯିବ। କିନ୍ତୁ ବିଡ଼ମ୍ବନା ହେଉଛି ଏହା ଯେ ଜନ ପ୍ରତ୍ୟୟର ଏଭଳି ଏକ ଆସ୍ଥା ମୂଳ ଶ୍ରୀମନ୍ଦିର ଖୋଦ ବିଭିନ୍ନ ସମୟରେ ସ˚କଟ ଓ ବିବାଦ ଘେରରେ ନିଜକୁ ଆବିଷ୍କାର କରୁଛି। ରାଜ୍ୟ ବାହାରୁ ଆସୁଥିବା ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କାଳରେ ବିଭିନ୍ନ ପ୍ରକାର ହଇରାଣ ହରକତର ଶିକାର ହେଉଥିବା ବା ଶୋଷଣର ସାମନା କରୁଥିବା ଅଭିଯୋଗ କରିଥାଆନ୍ତି, ଯାହା ରାଜ୍ୟ ବାହାରେ ଶ୍ରୀଜଗନ୍ନାଥ ପୀଠକୁ ନେଇ ଏକ ପ୍ରତିକୂଳ ଧାରଣା ମଧୢ ସୃଷ୍ଟି କରିଥାଏ। ଅବଶ୍ୟ ଶ୍ରୀମନ୍ଦିରର ସୁପରିଚାଳନା କରିବା ସକାଶେ ଗଲା ଛଅ ଦଶନ୍ଧି ଧରି ପ୍ରୟାସ ଚାଲିଛି, ଅନେକ କମିସନ ଓ କମିଟି ଗଠିତ କରାଯାଇ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପରାମର୍ଶ ଲୋଡ଼ା ଯାଇଛି ଏବ˚ କମିଟି ଓ କମିସନଗୁଡ଼ିକ ମଧୢ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ତଥା ମୂଲ୍ୟମାନ ସୁପାରିସ ପ୍ରଦାନ କରିଛନ୍ତି; କିନ୍ତୁ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନାହିଁ। ଯାହା ଦେଖିବାକୁ ମିଳୁଛି ତାହା ହେଲା ରାଜ୍ୟକୁ ଶାସନ କରୁଥିବା ବିଭିନ୍ନ ସରକାର ଏହି ପ୍ରସ୍ତାବ ବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଉତ୍ସାହ ଏବ˚ ନିଷ୍ଠା ପ୍ରଦର୍ଶନ କରି ନାହାନ୍ତି। ସୁତରା˚, ଶ୍ରୀମନ୍ଦିରରେ ପରିଚାଳନାଗତ ଅବ୍ୟବସ୍ଥା ଏକ ଦୁରାରୋଗ୍ୟ ବ୍ୟାଧି ଭଳି ପ୍ରଲମ୍ବିତ ହୋଇ ଚାଲିଛି।

ପ୍ରଣିଧାନଯୋଗ୍ୟ ଯେ ରାଜ୍ୟ ସରକାର ୧୯୫୪ ମସିହାରେ ‘ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟ-୧୯୫୪’ ପ୍ରଣୟନ କରି ୧୯୬୦ ମସିହା ଅକ୍ଟୋବର ମାସରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ହାତକୁ ନେଇଥିଲେ। ଯେଉଁ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଥିଲେ, ତାହା ଏତେ ଦୀର୍ଘ କାଳ ଅତିବାହିତ ହୋଇଗଲା ପରେ ମଧୢ ସାଧିତ ହୋଇଥିଲା ପରି ମନେ ହୁଏ ନାହିଁ। ଶ୍ରୀଜିଉମାନଙ୍କର ସେବା ପୂଜା, ନୀତିକାନ୍ତିକୁ ଶୃଙ୍ଖଳିତ କରିବା, ରାଜ୍ୟ ଏବ˚ ରାଜ୍ୟ ବାହାରୁ ଆସୁଥିବା ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ମହାପ୍ରଭୁଙ୍କ ଦର୍ଶନ ଇତ୍ୟାଦିକୁ ସୁଗମ କରିବା ଏବ˚ ଶ୍ରୀମନ୍ଦିର କିପରି ସୁରକ୍ଷିତ ହୋଇ ରହିପାରିବ ତାହା ଦେଖିବା ଲାଗି ଇତି ମଧୢରେ ପାଞ୍ଚଟି ତଦନ୍ତ କମିସନ ଏବ˚ ଅନ୍ୟ ଦୁଇଟି ତଦନ୍ତ କମିଟି ଗଠିତ ହୋଇସାରିଛି। ସେସବୁ କମିଟି ଓ କମିସନ ବିଭିନ୍ନ ଦୃଷ୍ଟିରୁ ସମସ୍ୟାର ଭିତରକୁ ଯାଇ ତାର ସମାଧାନ ସକାଶେ ସୁଚିନ୍ତିତ ପ୍ରସ୍ତାବ ଓ ପରାମର୍ଶ ଦେବା ସହିତ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ମାତ୍ର ବିଭିନ୍ନ ସମୟରେ ରାଜ୍ୟ ସରକାର ସେସବୁ ରିପୋର୍ଟକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି କି ନାହିଁ; ସେ ସମ୍ପର୍କରେ ପ୍ରାମାଣିକ ସୂଚନା ମିଳେ ନାହିଁ। ଏହି କମିସନ ଓ କମିଟିଗୁଡ଼ିକ ମଧୢରୁ ୧୯୭୮ ମସିହାରେ ତଦାନୀନ୍ତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧୢକ୍ଷତାରେ ଗଠିତ କମିଟି ଓ ୨୦୧୬ ମସିହାରେ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସଙ୍କ ଅଧୢକ୍ଷତାରେ ବସିିଥିବା ଜଣିକିଆ ବିଚାର ବିଭାଗୀୟ କମିସନଙ୍କ ସୁପାରିସ ଏ ସ˚ଦର୍ଭରେ ପ୍ରଣିଧାନଯୋଗ୍ୟ। ରାଜ୍ୟପାଳ ଶର୍ମାଙ୍କ ଅଧୢକ୍ଷତାରେ ଗଠିତ କମିଟିରେ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଓ ବିଶ୍ବନାଥ ଦାଶ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ନିତ୍ୟାନନ୍ଦ କାନୁନ୍‌ଗୋ, ‘ସମାଜ’ର ସ˚ପାଦକ ରାଧାନାଥ ରଥ, ନ୍ୟାୟମୂର୍ତ୍ତି ହରିହର ମହାପାତ୍ର, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ନନ୍ଦ କିଶୋର ଦାସ, ମହନ୍ତ ମହାରାଜ ଅଯୋଧୢା ନାଥ ଦାସ ଓ ପୁରୀର ଗଜପତି ମହାରାଜା ଦିବ୍ୟସି˚ହ ଦେବ ସଦସ୍ୟ ରହିଥିଲେ। କମିଟି ରିପୋର୍ଟରେ କ୍ଷୋଭ ପ୍ରକାଶ କରାଯାଇ କୁହାଯାଇଥିଲା- ‘ଶ୍ରୀମନ୍ଦିର ପରିଚାଳନା ସ୍ତର ସର୍ବନିମ୍ନକୁ ଖସି ଯାଇଛି, ଯେତେବେଳେ ରାଜା ବାସ୍ତବରେ ବିଭିନ୍ନ ସେବକ ଏବ˚ ମନ୍ଦିରର ଅନ୍ୟ କର୍ମଚାରୀଙ୍କ ଉପରୁ ତାଙ୍କର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବରେ ହରାଇ ସାରିଛନ୍ତି। ରୋଜଗାର ପାଇଁ ଝଗଡ଼ା ଏବ˚ ନୈତିକ ଅଧଃପତନ ସେମାନଙ୍କୁ ସେବା ମନୋବୃତ୍ତିରୁ ଅନ୍ୟ ଦିଗକୁ ନେଇ ଯାଇଛି। ଲୁଣ୍ଠନ, ଚୋରି, ବିଶୃଙ୍ଖଳା ସହିତ ଭକ୍ତମାନଙ୍କୁ ହଇରାଣ, ହରକତ ଏବ˚ ଶୋଷଣ କରିବା କେତେକଙ୍କର ଦୈନନ୍ଦିନ କାର୍ଯ୍ୟରେ ପରିଣତ ହେଲାଣି। ଗତ ଅଠର ବର୍ଷ ମଧୢରେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ଉନ୍ନତି ଘଟିବା ପରିବର୍ତ୍ତେ ସବୁକ୍ଷେତ୍ରରେ ଅବନତି ଦେଖା ଦେଇଛି।’ ଗୋଟିଏ ମନ୍ଦିର ପରିଚାଳନା କମିଟି ଗଠନ କରିବା ପାଇଁ ଶର୍ମା କମିଟି ଯେଉଁ ପରାମର୍ଶ ଦେଇଥିଲେ, ତାହା ଏ ଯାବତ୍‌ ସୂର୍ଯ୍ୟାଲୋକ ଦେଖି ପାରିଲା ନାହିଁ। ସେଥିରେ କୁହାଯାଇଥିଲା ଯେ, ଓଡ଼ିଶାର ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବ˚ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଗଠିତ ଏକ ମନୋନୟନ କମିଟି ଦ୍ବାରା ଶ୍ରୀମନ୍ଦିର ପରିଚାଳନା କମିଟିମାନେ ମନୋନୀତ ହେବା ଆବଶ୍ୟକ। କମିଟିର ଅଧୢକ୍ଷ ଓ ସଦସ୍ୟମାନଙ୍କର କାର୍ଯ୍ୟ କାଳ ପାଞ୍ଚ ବର୍ଷ ହେବା ଦରକାର। ମାତ୍ର ରାଜ୍ୟ ସରକାର ସେ ସୁପାରିସକୁ ଗ୍ରହଣ କରିବା ପରିବର୍ତ୍ତେ ଟେମ୍ପଲ ଆକ୍ଟରେ ସ˚ଶୋଧନ କରି ମୁଖ୍ୟ ପ୍ରଶାସକଙ୍କ ସୁପାରିସ କ୍ରମେ ପରିଚାଳନା କମିଟି ସଦସ୍ୟମାନଙ୍କୁ ମନୋନୀତ କରୁଛନ୍ତି। ଏହା ଫଳରେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସରକାରଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁଛି। ଶ୍ରୀମନ୍ଦିରର ନୀତିକାନ୍ତି, ସେବାପୂଜା, ମହାପ୍ରସାଦ ପ୍ରସ୍ତୁତ ଓ ବିକ୍ରି ବ୍ୟବସ୍ଥାକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଶର୍ମା କମିଟି ଅନ୍ୟ ଯେଉଁ ସୁପାରିସ କରିଥିଲେ, ତାହା ମଧୢ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ମନେହୁଏ। କମିଟି କହିଥିଲେ ଯେ ଶ୍ରୀମନ୍ଦିର ଆଇନ ଅନୁଯାୟୀ ପ୍ରସ୍ତୁତ ‘ରେକର୍ଡ ଅଫ୍‌ ରାଇଟସ୍‌’ରେ ସ୍ଥାନ ପାଇଥିବା ସେବକ ଓ ସେବାୟତମାନଙ୍କର ବ˚ଶାନୁକ୍ରମିକ ଅଧିକାରକୁ ଉଚ୍ଛେଦ କରି ଯେଉଁମାନେ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ, ସେମାନଙ୍କୁ କ୍ଷତିପୂରଣ ଦିଆଯିବା ଦରକାର। ସେଥି ସହିତ ଠାକୁରମାନଙ୍କ ବିଭିନ୍ନ ନୀତି ସ˚ପାଦନ କରୁଥିବା ଭିନ୍ନ ଭିନ୍ନ ବର୍ଗର ସେବାୟତମାନଙ୍କୁ ପାରିଶ୍ରମିକ ଭିତ୍ତିରେ ନିଯୁକ୍ତ ଦିଆଯିବା ଦରକାର। ସେବକମାନଙ୍କ ନିଯୁକ୍ତି ସମୟରେ ବ˚ଶାନୁକ୍ରମିକ ସେବାପୂଜାରୁ ଯେଉଁମାନେ ଉଚ୍ଛେଦ ହେବେ, ସେମାନଙ୍କ ପରିବାରର ଉପଯୁକ୍ତ ଏବ˚ ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ। ଏହା ସହିତ ମହାପ୍ରସାଦ ବିକ୍ରି ସମ୍ପର୍କରେ କମିଟିର ସୁପାରିସରେ କୁହାଯାଇଥିଲା ଯେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁମତି ଏବ˚ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଏବ˚ ପରିଚାଳନା କମିଟି ଦ୍ବାରା ସ୍ଥିରୀକୃତ ଦର ଠାରୁ ଅଧିକ ଦରରେ କେହି ମହାପ୍ରସାଦ ବିକ୍ରି କରିପାରିବେ ନାହିଁ। ମାତ୍ର ଏସବୁ ସୁପାରିସକୁ କାର୍ଯ୍ୟରେ ପରିଣତ କରାଯାଇପାରିନାହିଁ।

ଗତ ୨୦୧୬ ମସିହାରେ ଅନୁଷ୍ଠିତ ନବ କଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ଓ ନୀଳାଦ୍ରି ବିଜେକୁ କେନ୍ଦ୍ର କରି ଯେଉଁ ବିଭ୍ରାଟ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସଙ୍କୁ ଜଣିକିଆ କମିସନ ରୂପେ ନିଯୁକ୍ତ କରିଥିଲେ। ସମାଜର ବିଭିନ୍ନ ବର୍ଗରୁ ଦଶ ହଜାରରୁ ଅଧିକ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଥିଲା। ସେସବୁ ସତ୍ୟପାଠକୁ ଅନୁଧୢାନ କରି ତା’ ଉପରେ ମତାମତ ରଖିବା ପାଇଁ ଯେତିକି ସମୟର ଆବଶ୍ୟକତା ଥିଲା, ତା’ ପୂର୍ବରୁ ସରକାର ଅଚାନକ କମିସନଙ୍କ କାର୍ଯ୍ୟକାଳକୁ ବନ୍ଦ କରିଦେଲେ। କମିସନ କାର୍ଯ୍ୟରତ ଥିବା ସମୟରେ ଦୁଇଟି ମଧୢବର୍ତ୍ତୀକାଳୀନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି ଶ୍ରୀମନ୍ଦିରର ସେବାପୂଜାକୁ ବ୍ୟବସ୍ଥିତ କରିବା ସହିତ ପରିଚାଳନା କମିଟିକୁ ଅଧିକ ସକ୍ରିୟ ଓ କ୍ଷମତା ସମ୍ପନ୍ନ କରିବା ନିମିତ୍ତ କେତେକ ସୁପାରିସ କରିଥିବା କଥା ଜଣାପଡ଼ିଛି। ଜଣାଯାଏ ଯେ ନ୍ୟାୟମୂର୍ତ୍ତି ଦାସ ଶ୍ରୀମନ୍ଦିରର ଫଳପ୍ରଦ ଏବ˚ ଉପଯୁକ୍ତ ତଦାରଖ ନିମନ୍ତେ ଅବିଭକ୍ତ ପୁରୀ ଜିଲ୍ଲା (ପୁରୀ, ଖୋର୍ଦ୍ଧା ଓ ନୟାଗଡ଼) ପାଇଁ ଏକ ସ୍ବତନ୍ତ୍ର ରାଜସ୍ବ ଡିଭିଜନ (ଆର.ଡି.ସି) ସୃଷ୍ଟି କରାଯାଇ ତା’ର ସଦର ମହକୁମା ପୁରୀରେ ରଖିବାକୁ ସୁପାରିସ କରିଥିଲେ। ଏହି ନୂତନ ବ୍ୟବସ୍ଥାରେ ପୁରୀ ରାଜସ୍ବ ଡିଭିଜନ କମିସନରଙ୍କୁ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ବ ଦିଆଯାଇପାରିବ। ଏହା ଫଳରେ ମନ୍ଦିରର କାର୍ଯ୍ୟ ଅଧିକ ସୁସ˚ହତ ହେବା ସହିତ ମନ୍ଦିର ପ୍ରଶାସନ ଓ ପ୍ରଶାସନିକ-କଳ ମଧୢରେ ତାତ୍ପର୍ଯ୍ୟପୂର୍ଣ୍ଣ ସମନ୍ବୟ ରକ୍ଷା କରାଯାଇପାରିବ। ସେଥି ସହିତ ଅବିଭକ୍ତ ପୁରୀ ଜିଲ୍ଲା ପାଇଁ ଏକ ନୂତନ ପୁଲିସ ରେଞ୍ଜ ସୃଷ୍ଟି କରାଯାଇ ନୂତନ ରେଞ୍ଜ ଅଧିକାରୀ ଡି.ଆଇ.ଜି କିମ୍ବା ଆଇ.ଜି.ଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ୧୯ ଧାରା ଅନୁଯାୟୀ ମନ୍ଦିର ପରିଚାଳନା କମିଟିର ‘ଏକ୍ସ-ଅଫିସିଓ’ ସଦସ୍ୟ ଭାବରେ ଗ୍ରହଣ କରାଯାଇ ପାରିବ। ପୁରୀ ପୁଲିସ ଜିଲ୍ଲାକୁ ପୁରୀ ସହର ଓ ପୁରୀ ଗ୍ରାମ୍ୟ ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇ ଦୁଇ ଜଣ ଏସ.ପି.ଙ୍କୁ ଅବସ୍ଥାପିତ କରିବାକୁ କମିସନ ସୁପାରିସ କରିଥିବା କଥା ଜଣାପଡ଼ିଛି। ଏହାଦ୍ବାରା ପୁରୀ ସହର ପାଇଁ ନିଯୁକ୍ତ ଏସ.ପି.ଙ୍କୁ ଶ୍ରୀମନ୍ଦିରର ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଧିକ ଧୢାନ ଦେବାକୁ ଯଥେଷ୍ଟ ସମୟ ବା ସୁଯୋଗ ମିଳିବ। ଶ୍ରୀମନ୍ଦିର ଭିତରେ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ସ୍ଥାନରେ ଏକ ପୁଲିସ ସହାୟକ ଫାଣ୍ତି ପ୍ରତିଷ୍ଠା କରାଗଲେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ନିମିତ୍ତ ଆସୁଥିବା ଭକ୍ତମାନଙ୍କ ଉପରେ ବିଭିନ୍ନ ସମୟରେ ଅପରାଧୀମାନଙ୍କ ଦ୍ବାରା କରାଯାଉଥିବା ଆକ୍ରମଣ ବା ଅସଦ୍‌ ବ୍ୟବହାର ସମ୍ପର୍କରେ ସେମାନେ ଅଭିଯୋଗ କରିବାକୁ ସୁଯୋଗ ପାଇପାରିବେ ବୋଲି କମିସନ ତାଙ୍କ ସୁପାରିସରେ ଉଲ୍ଲେଖ କରିଥିବା କଥା ଜଣାପଡ଼ିଛି।

ଗତ କିଛିବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନ ଓ ସେବାରେ ନିଯୁକ୍ତ ସେବାୟତମାନଙ୍କ ମଧୢରେ ପୂର୍ବ ଭଳି ଆଉ ସୁ-ସମ୍ପର୍କ ନ ଥିବାର ଦେଖାଯାଉଛି। ସେମାନେ ପରସ୍ପରର ସହଯୋଗୀ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ ଦୁଇଟି ଭିନ୍ନ ଗୋଷ୍ଠୀରେ ପରିଣତ ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତଥ୍ୟ ଅନୁଯାୟୀ ୨୦୧୨ ମସିହାରୁ ୨୦୧୭ ମସିହା ମଧୢରେ ୭୩ଟି ଏଭଳି ଘଟଣା ଘଟିଛି, ଯହିଁରେ ଭାରତୀୟ ପିଙ୍ଗଳ କୋଡ୍‌ର ଗୁରୁତର ଦଫା ୩୦୭ ଲାଗିଛି। ସେଥି ମଧୢରୁ ସେବକ ଓ ଭକ୍ତମାନଙ୍କ ଭିତରେ ଘଟିଥିବା ଘଟଣାକୁ କେନ୍ଦ୍ର କରି ୩୩ଟି, ବିଭିନ୍ନ ବର୍ଗର ସେବକମାନଙ୍କ ଭିତରେ ଘଟିଥିବା ଘଟଣା ୧୯ଟି ଏବ˚ ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧୢରେ ୨୧ଟି ଘଟଣା ଅନ୍ତର୍ଭୁକ୍ତ। ଗତ ୨୦୧୮ ମସିହା ଡିସେମ୍ବର ୨୭ ତାରିଖ ଦିନ ଏକ ଅପ୍ରୀତିକର ଗଣ୍ତଗୋଳ ଘଟି ଠେଲାପେଲା, ଧସ୍ତାଧସ୍ତି ଓ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ତା’ ପରଦିନ ସେବାୟତମାନେ ସେବାକାର୍ଯ୍ୟ ବନ୍ଦ କରି ଦେଇଥିଲେ। ଭୋର ତିନିଟା ବଦଳରେ ସନ୍ଧ୍ୟା ପାଞ୍ଚଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୧୪ ଘଣ୍ଟା କାଳ କୌଣସି ବେଦ ନୀତି କରାଗଲା ନାହିଁ। ଶ୍ରୀମନ୍ଦିରରେ ଘଟୁଥିବା ଅସ˚ଖ୍ୟ ଅପ୍ରୀତିକର ଘଟଣା ମଧୢରୁ ଏହା ଗୋଟିଏ ମାତ୍ର। ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ତାରର ଚାବି ହଜିବା ଓ ମୂଳ ଚାବିର ଡୁପ୍ଲିକେଟ୍‌ ଚାବି ମିଳିବା ଘଟଣା ଲକ୍ଷାଧିକ ଜଗନ୍ନାଥ ଭକ୍ତଙ୍କ ମନରେ ବିସ୍ମୟ ଓ ବିଭିନ୍ନ ପ୍ରକାର ସନ୍ଦେହ ସୃଷ୍ଟି କରିଛି। ଏ ଘଟଣାର ତଦନ୍ତ ପାଇଁ ନିଯୁକ୍ତ ରଘୁବୀର ଦାସ କମିସନ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିବା କଥା ଜଣାପଡ଼ିଛି। ଏହି ରିପୋର୍ଟ ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ କଥା ଅଗୋଚର ରହିଛି। ଆଉ କେତେ କମିସନ ଓ କମିଟି ବସିଲେ ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆସିବ, ଶ୍ରଦ୍ଧାଳୁମାନେ ବିନା ହଇରାଣ ହରକତ ହୋଇ ଠାକୁରମାନଙ୍କୁ ଦର୍ଶନ କରିପାରିବେ, ଠିକ୍‌ ସମୟରେ ଉପଯୁକ୍ତ ମୂଲ୍ୟ ଦେଇ ଶ୍ରୀମହାପ୍ରସାଦ ସେବନ କରିପାରିବେ ସେକଥା କେବଳ ଜଗତର ନାଥ ହିଁ କହିପାରିବେ।
ମୋ:୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର