ଜଣେ ରାଜାଙ୍କ ବୟସ ମାତ୍ର ଚାଳିଶ ବର୍ଷ ହୋଇଥିବା ବେଳେ ହଠାତ୍ ତାଙ୍କ ଆଗରେ ଯମରାଜ ଉପସ୍ଥିତ ହୋଇ କହିଲେ- ମୋ ସହିତ ଚାଲ।
ରାଜା ଏଥି ଲାଗି ସଂପୂର୍ଣ୍ଣ ଅପ୍ରସ୍ତୁତ ଥିଲେ। ସେ କାନ୍ଦି ବୋବେଇ ଯମରାଜଙ୍କ ଗୋଡ଼ ତଳେ ପଡ଼ି କହିଲେ- ଆଜ୍ଞା, ମୋତେ ଆଉ ଟିକିଏ ସମୟ ଦିଅନ୍ତୁ। ମୁଁ ଟିକିଏ ମାନସିକ ଭାବେ ପ୍ରସ୍ତୁତ ହୋଇଯାଏ, ଆପଣଙ୍କ ସହିତ ଖୁସିରେ ଯିବି। ମୋତେ ଏତିକି ଦୟା କରନ୍ତୁ। ଯମରାଜ ବି ବିଗଳିତ ହୋଇ ଅଗତ୍ୟା ରାଜି ହେଲେ। ରାଜା କାନ୍ଦି କାନ୍ଦି ଯମରାଜଙ୍କ ଠାରୁ ଏଭଳି ପ୍ରତିଶ୍ରୁତି ବି ହାସଲ କରିନେଲେ ଯେ ଭବିଷ୍ୟତ୍ରେ ଯମରାଜା ତାଙ୍କୁ ନେବା ଲାଗି ଆସିବା ପୂର୍ବରୁ ଅନ୍ତତଃ ତିନି ଥର ଇଙ୍ଗିତ କରିବେ। ତେବେ ରାଜା ପ୍ରସ୍ତୁତ ହୋଇ ରହିଥିେବ ଏବଂ ଯମରାଜ ଆସିଲା ମାତ୍ରକେ ବାହାରି ଯିବେ।
ଇତିମଧ୍ୟରେ କୋଡ଼ିଏ ବର୍ଷ ଗୋଟିଏ କ୍ଷଣ ଭଳି ବିତିଗଲା। ଯମରାଜଙ୍କ ଠାରୁ ଗୋଟିଏ ବି ଇଙ୍ଗିତ ଆସି ନ ଥିବାରୁ ରାଜା ନିଶ୍ଚିନ୍ତ ଥିଲେ। ସୁତରାଂ, ସେ ନାତି ସହିତ ମନ ଖୁସିରେ ଖେଳୁଥିବା ବେଳେ ପୁଣି ହଠାତ୍ ଯମରାଜ ଆସିଗଲେ। ଏଥର ବି ରାଜା ଯିବାକୁ ରାଜି ନ ଥିଲେ। ପ୍ରତିବାଦ କରି ସେ କହିଲେ- ଆପଣ କେମିତି ମୋତେ ଆଗତୁରା ଇଙ୍ଗିତ ନ ପଠାଇ ଏକା ବେଳକେ ଆସିଗଲେ? ଆପଣ ବଚନ ଭଙ୍ଗ କରିଛନ୍ତି।
ଯମରାଜ କହିଲେ- ବାବୁ ତୁ ବହୁତ ମହଲତ ପାଇଲୁଣି। ଏବେ ଚାଲ। ତୋତେ ତିନିଟି ଇଙ୍ଗିତ ଦେଇଛି। ଦଶ ବର୍ଷ ପରେ ତୋର ଆଣ୍ଠୁ ଖଞ୍ଜାରେ ଯନ୍ତ୍ରଣା ହେଲା। ପ୍ରଥମ ଇଙ୍ଗିତ। ତା’ ପରେ ତୋର ଦାନ୍ତ ଦୁଇଟି ଗଳି ପଡ଼ିଲେ। ଦ୍ବିତୀୟ ଇଙ୍ଗିତ। ତା’ ପରେ ତୋର ଆଖି ଖରାପ ହେଲା। ତୃତୀୟ ଇଙ୍ଗିତ। ଏବେ ମୋ ସହିତ ଚାଲ।