ଜାଣନ୍ତୁ, ଏହା ଆପଣଙ୍କ ମୌଳିକ ଅଧିକାରର ହନନ

ପି. ସାଇନାଥ

ଏହି କୃଷି ଆଇନଗୁଡ଼ିକରେ ନାଗରିକକୁ ମୌଳିକ ଅଧିକାର ହାସଲ ପାଇଁ ଆଇନଗତ ସହାୟତା ନେବାରୁ ଏପରି ବ˚ଚିତ କରାଯାଇଛି, ଯାହା କି ୧୯୭୫-୭୭ର ଏମରଜେନ୍‌ସି ସମୟ ବ୍ୟତୀତ ଆଉ କେବେ ‌େଦଖିବାକୁ ମିଳି ନ ଥିଲା। ଏହି ଆଇନ ଅନୁଯାୟୀ ବା ଏହାର ନିୟମ ମୁତାବକ କୌଣସି ସରକାରୀ ଅଧିକାରୀ ବା କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇଥିବା କୌଣସି କାର୍ଯ୍ୟ ବା ନିଆଯାଇଥିବା କୌଣସି ପଦକ୍ଷେପକୁ ନେଇ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ବିରୋଧରେ ଅଥବା କେନ୍ଦ୍ର ବା ରାଜ୍ୟ ସରକାରଙ୍କର ସେହି କର୍ତ୍ତୃପକ୍ଷ, ଅଫିସର ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମକଦ୍ଦମା, ଅଭିୟୋଜନ ବା କୌଣସି ଆଇନଗତ ପ୍ରକ୍ରିୟା କରାଯାଇ ପାରିବ ନାହିଁ। ଏହା ହେଉଛି କୃଷି ଉତ୍ପାଦର ବାଣିଜ୍ୟ କାରବାର ବିଲ୍‌-୨୦୨୦ (ଏପିଏମ୍‌ସିର ବିନାଶ ଲକ୍ଷ୍ୟରେ କରାଯାଇଥିବା ଆଇନ)ର ଧାରା ୧୩ର ଘୋଷଣା।

ଅଥଚ ଆପଣ ଭାବିଲେ ଯେ ନୂଆ ଆଇନ କେବଳ କୃଷକମାନଙ୍କ ପାଇଁ ସମସ୍ୟା ଆଣିବାକୁ ଯାଉଛି! ଦେଶରେ ନିଶ୍ଚିତ ଭାବରେ ଅନ୍ୟ ଅନେକ ଆଇନ ଅଛି, ଯାହା ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ ଆଇନଗତ କର୍ତ୍ତବ୍ୟ କରିବା ସମୟରେ ଆଇନଗତ ଉତ୍ପୀଡ଼ନରୁ ବ˚ଚାଇଥାଏ। କିନ୍ତୁ ଏହି ଆଇନଟି ସେ ସବୁର ଉପରକୁ ଚାଲି ଯାଇଛି। ଏଥିରେ ସେମାନଙ୍କ ପକ୍ଷରୁ ନିଆଯାଉଥିବା ଯେ କୌଣସି ପଦକ୍ଷେପକୁ ସେମାନେ ସଦ୍‌ଭାବନାମୂଳକ ଭାବେ ବା ‘ଗୁଡ୍‌ ଫେଥ୍‌’ ଆଧାରରେ ନେଇଛନ୍ତି ବୋଲି ବିଚାର କରାଯାଇ ଯେପରି ପ୍ରତିଷେଧମୂଳକ କ୍ଷମା ବ୍ୟବସ୍ଥା ଖ˚ଜାଯାଇଛି, ତା’ର ପ୍ରଭାବ ନିଶ୍ଚିତ ସୁଦୂରପ୍ରସାରୀ। କେବଳ ସେତିକି ନୁହେଁ, ସେମାନେ ଏ ପର୍ଯ୍ୟନ୍ତ କରି ନ ଥିବା ଅଥଚ ସେମାନଙ୍କ ଦ୍ବାରା ହେବାର ସମ୍ଭାବନା ଥିବା ଦୋଷ ପାଇଁ ମଧ୍ୟ ସେମାନଙ୍କୁ କ୍ଷମା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ହେଉଛି ଏ ବାବଦରେ ନ୍ୟାୟାଳୟରୁ ମଧ୍ୟ ଆପଣଙ୍କୁ କୌଣସି ସହାୟତା ମିଳିବାର ନାହିଁ।

ଏ ବିଷୟ ଉପରେ ହୋଇଥିବା ମକଦ୍ଦମାର ଶୁଣାଣି କରିବା କୌଣସି ସିଭିଲ କୋର୍ଟର ଅଧିକାର କ୍ଷେତ୍ରର ଅନ୍ତର୍ଭୁକ୍ତ ହେବ ନାହିଁ। କେବଳ ସେହି ବ୍ୟକ୍ତି ବା ପ୍ରାଧିକାରୀ ଯିଏ ତାହା କରିଛନ୍ତି ବା କରିବା ପାଇଁ ଏହି ଆଇନ ଦ୍ବାରା ଅଧିକୃତ ହୋଇଛନ୍ତି କେବଳ ଅଭିଯୋଗ ତାଙ୍କ ଗୋଚରକୁ ହିଁ ଅଣାଯାଇପାରିବ। ଏଠାରେ ପ୍ରଶ୍ନ ଉଠୁଛି ଏହା କିଭଳି ସଦ୍‌ଭାବନା ଯେ ଯାହା ଦ୍ବାରା ପରିଚାଳିତ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକୁ କେହି କୋର୍ଟରେ ମଧ୍ୟ ପ୍ରଶ୍ନ କରିପାରି‌େବ ନାହିଁ। ପ୍ରକାଶ ଥାଉ କି ଯେଉଁ କର୍ପୋରେଟ ବ୍ୟକ୍ତିବିଶେଷଙ୍କ ନାମ ଆନ୍ଦୋଳନକାରୀ କୃଷକମାନେ ସେମାନଙ୍କ ପ୍ରଦର୍ଶନ ସମୟରେ ନେଉଥିଲେ, ତା’କୁ ଶୁଣିବା ପାଇଁ ଚେଷ୍ଟା କରନ୍ତୁ। ଅମ୍ବାନୀ ଭାଇଙ୍କ ନାଁ ମଧ୍ୟ ନିଆଯାଉଥିଲା। ଏହା ହେଉଛି ଆମ ଦେଶରେ ‘ଇଜ୍‌ ଅଫ୍ ଡୁଇଂ ବିଜ୍‌ନେସ’ ବା ସହଜରେ ବ୍ୟବସାୟ କରିବା ଲାଗି ମାର୍ଗ ପ୍ରଶସ୍ତ କରିବାର ଉଦାହରଣ। ଏହି ଆଇନର ବ୍ୟବସ୍ଥା ଅନୁସାରେ କୌଣସି ସରକାରୀ ଅଧିକାରୀଙ୍କ କାର୍ଯ୍ୟ ବିରୋଧରେ କୃଷକମାନେ ତ କୋର୍ଟରେ ମକଦ୍ଦମା କରି ପାରିବେ ନାହିଁ; କେହି ବି ମକଦ୍ଦମା କରି ପାରିବେ ନାହିଁ। ଜନସ୍ବାର୍ଥ ମାମଲା ଜରିଆରେ ମଧ୍ୟ ନୁହେଁ। ଅଣ ଲାଭକରୀ ଗୋଷ୍ଠୀ, ନା କୃଷକ ସ˚ଘ ବା କୌଣସି ନାଗରିକ ସମାଜ ତାଙ୍କର ତଥାକଥିତ ସଦ୍‌ଭାବନାମୂଳକ କାର୍ଯ୍ୟରେ ବି ହସ୍ତକ୍ଷେପ କରି ପାରିବେ ନାହିଁ।

ଏହା ହେଉଛି ଜଣେ ନାଗରିକକୁ ତାର ମୌଳିକ ଅଧିକାର ପାଇଁ ନ୍ୟାୟାଳୟକୁ ଯିବାର ବାଟ ବନ୍ଦ କରାଯିବାର ଏକ ବଡ଼ ଉଦାହରଣ। ୧୯୭୫ରୁ ୭୭ ମଧ୍ୟରେ ଏମରଜେନ୍‌ସି କାଳରେ ମଧ୍ୟ ଏଭଳି ହୋଇ ନ ଥିଲା। ଯଦିଓ ସେତେବେଳେ ସମସ୍ତ ମୌଳିକ ଅଧିକାରକୁ ନିଲମ୍ବନ କରି ଦିଆଯାଇଥିଲା। ସୁତରାଂ, ଏହା ଦ୍ବାରା ପ୍ରତ୍ୟେକ ଭାରତୀୟ ପ୍ରଭାବିତ ହେବେ। ଏହାର ଆଇନଗତ ଭାଷା ଅନୁଯାୟୀ ଜଣେ (ତଳ ସ୍ତରର) କାର୍ଯ୍ୟନିର୍ବାହୀ ବା ଅଫିସର ମଧ୍ୟ ନ୍ୟାୟପାଳିକାର ଭୂମିକାରେ ଅବତୀର୍ଣ୍ଣ ହୋଇଯାଇପାରନ୍ତି। କାରଣ ଅଧିକାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗର ଯୌକ୍ତିିକତାର ବିଚାର ସେ କରିବେ। ଏହା ସହିତ ସାଧାରଣ କୃଷକ ଓ ବଡ଼ କର୍ପୋରେଟ୍‌ ହାଉସ୍‌ମାନଙ୍କ ଭିତରେ ପ୍ରଥମରୁ କୃଷି ଉତ୍ପାଦନ ସାମଗ୍ରୀ ବିକ୍ରି, ଖର୍ଦ୍ଦି ମାମଲାରେ ଯେଉଁ କ୍ଷମତାର ଖାଇ ରହିଛି ଓ ଯାହାକୁ କୃଷକମାନେ ବହୁ ଦିନ ଧରି ସରଳ ଓ ଧନହୀନ ହୋଇଥିବା କାରଣରୁ ଭୋଗି ଆସୁଛନ୍ତି; ତାକୁ ସେମାନେ ଭବିଷ୍ୟତ୍‌ରେ ମଧ୍ୟ ଭୋଗିବେ। ତାହାକୁ ଏହି ଆଇନ ମହିମାମଣ୍ତନ କରି ଦେଇ ସାରିଛି।

ଚିନ୍ତାଗ୍ରସ୍ତ ଦିଲ୍ଲୀ ବାର୍‌ କାଉନସିଲ (ଓକିଲ ସ˚ଘ) ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ପ୍ରଶ୍ନ କରିଛି ଯେ ‘ନାଗରିକ ସ୍ବାର୍ଥ ଆଧାରିତ ଏକ ମକଦ୍ଦମା କାର୍ଯ୍ୟନିର୍ବାହୀ ପ୍ରଶାସନିକ ଅଧିକାରୀମାନଙ୍କୁ ବିଚାର ପାଇଁ କିପରି ଦିଆଯାଇ ପାରିବ?’ (ଏହି ପ୍ରଶାସନିକ ଅଧିକାରୀମାନଙ୍କ ଭିତରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସମସ୍ତେ ଆସିବେ, ଯେଉଁମାନେ କିଭଳି ‘ଗୁଡ୍‌ ଫେଥ୍‌’ରେ କାର୍ଯ୍ୟ କରନ୍ତି, ସେ କଥା ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି। ଏହି ବ୍ୟବସ୍ଥାକୁ ଦିଲ୍ଲୀ ବାର୍‌ କାଉନସିଲ ‘ବିପଜ୍ଜନକ’ ଏବ˚ ‘ଦୋଷଯୁକ୍ତ’ ରୂପେ ଅଭିହିତ କରିଛି। ଏହାର ପ୍ରଭାବ କିପରି ଆଇନ ପେସା ଉପରେ ପଡ଼ିବ ସେ ବିଷୟରେ ସେମାନେ ମଧ୍ୟ କହିଛନ୍ତି। ସେମାନଙ୍କ କହିବା କଥା ‘ଏହା ଜିଲ୍ଲା କୋର୍ଟଗୁଡ଼ିକୁ ନଷ୍ଟ କରିବା ସହିତ ଓକିଲମାନଙ୍କର ଚେର କାଟିବ।’ ତା’ ସତ୍ତ୍ବେ ଆପଣମାନେ ଭାବୁଛନ୍ତି ଯେ ଏହି ଆଇନରେ କେବଳ କୃଷକମାନଙ୍କ ପାଇଁ କୋର୍ଟକୁ ଯିବାକୁ ବାରଣ କରାଯାଇଛି?

ଦ୍ବିତୀୟ ଆଇନ- କୃଷିଜାତ ଦ୍ରବ୍ୟର ମୂଲ୍ୟ ଆଧାରରେ କୃଷକ ସଶକ୍ତୀକରଣ ଓ ସୁରକ୍ଷା ରାଜିନାମା ବିଲ-୨୦୨୦ (ବିଲ୍‌ର ଧାରା ୧୮ ଓ ୧୯)ରେ ନ୍ୟାୟପାଳିକାରୁ କାର୍ଯ୍ୟପାଳିକାକୁ କ୍ଷମତା ହସ୍ତାନ୍ତରଣ ତଥା ସଦ୍ଦିଚ୍ଛାମୂଳକ ବା ‘ଗୁଡ ଫେଥ୍‌’କୁ ବୁଝାଇବାକୁ ଯାଇ ତାର ଅଧିକ ଉଦାହରଣ ଦିଆଯାଇଛି। ବିଲ୍‌ର ଧାରା ୧୯ରେ କୁହାଗଲା ଯେ କୌଣସି ବିବାଦ ଉଠିଲେ ଯେଉଁ ସବ୍‌ଡିଭିଜନାଲ କର୍ତ୍ତୃପକ୍ଷ ବା ଆପିଲେଟ କର୍ତ୍ତୃପକ୍ଷ ଏହି ଆଇନ ବଳରେ ସେ ଅଭିଯୋଗର ଶୁଣାଣି କରିବାକୁ ଅଧିକାର ପ୍ରାପ୍ତ ହୋଇଥିବେ, ତାଙ୍କ ଉପରେ କୌଣସି ମକଦ୍ଦମା କୌଣସି ସିଭିଲ କୋର୍ଟରେ କରାଗଲେ ତାର ଶୁଣାଣି କରାଯିବାର ଅଧିକାର ସିଭିଲ କୋର୍ଟ ପରିସରଭୁକ୍ତ ହେବ ନାହିଁ। ଏହି ଆଇନ ବଳରେ ସେପରି ମକଦ୍ଦମା ହିଁ କରାଯାଇ ପାରିବ ନାହିଁ। ଏହା ସହିତ କୌଣସି କୋର୍ଟ ବା ଅନ୍ୟ ପ୍ରାଧିକାରୀ ଏହି ଆଇନ ଆଧାରରେ ଜାରି ହୋଇଥିବା କୌଣସି ଆଦେଶ ଉପରେ ଇ˚ଜଙ୍କସନ ବା ରହିତାଦେଶ ମଧ୍ୟ ଜାରି କରି ପାରିବେ ନାହିଁ। ଏବେ ଏକଥା କେମିତି ଭାବିବା ଯେ ବାକ୍‌ ଓ ଅଭିବ୍ୟକ୍ତିର ସ୍ବାଧୀନତା, ଶାନ୍ତିପୂର୍ଣ୍ଣ ଭାବେ ବିନା ଅସ୍ତ୍ରଶସ୍ତ୍ରରେ ଏକତ୍ର ହେବା, ସ˚ଘ ବା ସମିତି ଗଢ଼ିବା, ସମଗ୍ର ଭାରତୀୟ ଅ˚ଚଳରେ ମୁକ୍ତ ଭାବେ ବା ସ୍ବାଧୀନ ଭାବେ ଭ୍ରମଣ କରିବା, ଭାରତର ଯେ କୌଣସି ଅ˚ଚଳରେ ବସବାସ କରିବା, ଯେ କୌଣସି ବୃତ୍ତି ଆପଣେଇବାର ଯେଉଁ ଅଧିକାର ଯାହା ଭାରତୀୟ ସମ୍ବିଧାନ ଭାରତୀୟ ନାଗରିକଙ୍କୁ ଦେଇଛି ତାହା ସୁରକ୍ଷିତ ରହି ପାରିବ ତ! ନୂଆ କୃଷି ଆଇନର ଧାରା ୧୯ରେ ଯାହା ଅଛି ତାହା ଭାରତୀୟ ସମ୍ବିଧାନର ଧାରା ୩୨ର ଆତ୍ମାକୁ ନଷ୍ଟ କରି ଦେଉଛି, ଯେଉଁଥିରେ ସମ୍ବିଧାନରେ ଦିଆ ଯାଇଥିବା ଅଧିକାରକୁ ବଳବତ୍ତର ରଖିବା ନିମନ୍ତେ ନ୍ୟାୟାଳୟରେ ଉପଯୁକ୍ତ ମକଦ୍ଦମା କରିବା ବା ଉଚ୍ଚତମ ନ୍ୟାୟାଳୟକୁ ଯିବାର ଅଧିକାର ପ୍ରଦାନ କରାଯାଇଥାଏ।

ଏ କଥା ନିଶ୍ଚିତ ଯେ ଦେଶର ମୁଖ୍ୟସ୍ରୋତର ଗଣମାଧ୍ୟମ (ଯେଉଁଥିରେ ଦେଶର ୭୦% ଲୋକଙ୍କ କଥା ଅବଶ୍ୟ ପ୍ରକାଶିତ ହୁଏ ନାହିଁ) ନୂଆ କୃଷି ଆଇନ ଯୋଗୁ ଭାରତୀୟ ଗଣତନ୍ତ୍ର ଉପରେ ପଡ଼ିବାକୁ ଥିବା ଏହି ପ୍ରଭାବ ବିଷୟରେ ସଚେତନ ନୁହନ୍ତି ବୋଲି କହି ହେବ ନାହିଁ। କିନ୍ତୁ ମୁନାଫା ପଛରେ ଧାଇଁ ସେମାନେ ଗଣତନ୍ତ୍ର ବା ଜନହିତକାରୀ କଥାଟି ପ୍ରତି ହୁଏତ ଉପଯୁକ୍ତ ଧ୍ୟାନ ଦେଇ ନ ପାରନ୍ତି। ଏଥିରେ ସ୍ବାର୍ଥଗୁଡ଼ିକ ମଧ୍ୟରେ ଥିବା ସଂଘାତ ସଂପର୍କିତ ଭ୍ରାନ୍ତିକୁ ଛାଡ଼ି ଦିଅନ୍ତୁ। ଏହି ସବୁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ନିଗମ ବା କର୍ପୋରେସନ୍। ସବୁଠୁ ବଡ଼ କର୍ପୋରେସନ୍‌ର ଯିଏ ବିଗ୍‌ ବସ୍‌ ସିଏ ମଧ୍ୟ ଏହି ଦେଶର ସବୁଠାରୁ ଧନୀ ଓ ବୃହତ୍‌ ଗଣମାଧ୍ୟମର ମାଲିକ। ଇଣ୍ତିଆ ଗେଟ୍‌ଠାରେ କୃଷକମାନେ ସେହି ଆମ୍ବାନୀଙ୍କର ନାଆଁ ନେଇ ନାରା ଦେଉଥିଲେ। ତଳ ସ୍ତରରେ ମଧ୍ୟ ଆମେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ବାସ୍ତବ ସ୍ତମ୍ଭ ମଧ୍ୟରେ ଥିବା ବ୍ୟବଧାନ ବିଷୟକୁ ଆଲୋଚନାକୁ ଆଣିବା କଥାକୁ ଭୁଲି ଗଲୁଣି। ମୁଖ୍ୟ ଧାରାର ଗଣମାଧ୍ୟମଗୁଡ଼ିକ (କୃଷକ ତ ଛାଡ଼ନ୍ତୁ) ସାଧାରଣ ଜନତାକୁ କର୍ପୋରେସନ୍‌ଗୁଡିକର ସ୍ବାର୍ଥ ଉପରେ ରଖିବା ସପକ୍ଷରେ ନାହାନ୍ତି।

ସେମାନଙ୍କ ସମ୍ବାଦପତ୍ର ଓ ଚ୍ୟାନେଲରେ କେବଳ କିଛି ଘଟଣାକୁ ବାଦ ଦେଇ, ରାଜନୈତିକ ରିପୋର୍ଟଗୁଡ଼ିକରେ ଆନ୍ଦୋଳନରତ କୃଷକମାନଙ୍କୁ ଦୁଷ୍ଟ ଆଖ୍ୟା ଦେଇ ସେମାନଙ୍କୁ ନିରନ୍ତର ଭାବରେ ପ˚ଜାବରୁ ଆସିଥିବା ଧନୀ କୃଷକ, ଖଲିସ୍ତାନୀ, ଭୁଆଁବୁଲା, କ˚ଗ୍ରେସୀ ଚକ୍ରାନ୍ତକାରୀ ଆଦି ବିଭିନ୍ନ ବିଶେଷଣରେ ସମ୍ବୋଧନ କରାଯାଉଛି। ବଡ଼ ବଡ଼ ସମ୍ବାଦପତ୍ର ସମ୍ପାଦକୀୟ କିନ୍ତୁ ଟିକେ ଅଲଗା ରାସ୍ତା ଆପଣେଇଛନ୍ତି। କୁମ୍ଭୀର କାନ୍ଦଣା। ଏହାକୁ ସରକାର ଆହୁରି ଭଲରେ କରିପାରିବେ। ଏମାନେ ସବୁ ହେଉଛନ୍ତି ପୁଳାଏ ନିର୍ବୋଧ, ଯେଉଁମାନେ କିଛି ଦେଖି ପାରନ୍ତି ନାହିଁ, ଅଥଚ ସେମାନଙ୍କୁ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏବ˚ ପ୍ରଧାନମନ୍ତ୍ରୀଙ୍କ ପ୍ରତିଭା ସମ୍ପର୍କରେ ବୁଝାଇ ଦିଆଯାଏ ଯେ ଦେଖ ସେମାନେ କେତେ ଯତ୍ନକରି କୃଷକଙ୍କ ପାଇଁ ଏପରି ଆଇନ କରିଛନ୍ତି, ଯାହା କି କୃଷକ ଏବଂ ସର୍ବୋପରି ଦେଶର ଅର୍ଥନୀତି ପାଇଁ କେତେ ଆବଶ୍ୟକ ଓ କେତେ ଅନୁକୂଳ। ସେମାନେ ଜୋର ଦେଇ କହନ୍ତି ଯେ ଏହି ଆଇନ ଅତି ଗୁରୁତ୍ବପୂର୍ଣ୍ଣ; ତେଣୁ ଏହାକୁ ପାରିତ କରାଯିବା ନିହାତି ଦରକାର। ଏହା ହେଉଛି ବିଡ଼ମ୍ବନା।
ଅନୁବାଦ: ସୁରେନ୍ଦ୍ର ପାତ୍ର

ସମ୍ବନ୍ଧିତ ଖବର