ସଭ୍ୟତାର ବିକାଶରେ ମାନବ ଅଧିକାର

ଧନେଶ୍ବର ସାହୁ

ସଭ୍ୟତାର ଆରମ୍ଭ ପର୍ବରୁ ବିଭିନ୍ନ ସମାଜରେ ଓ ଦେଶରେ ରହି ଆସିଥିବା ନାନା ଭେଦଭାବ, ହି˚ସା, ମାନବିକ ନିଷ୍ଠୁରତା, ବିଦ୍ବେଷ ଓ ଅମାନବିକତାର କାହାଣୀ ବେଶ୍‌ ହୃଦୟ ବିଦାରକ। କ୍ରୀତଦାସ ପ୍ରଥା ଗୋଟିଏ ସମୟରେ ଆମେରିକା ଓ ଅନ୍ୟାନ୍ୟ ଭୂଖଣ୍ତରେ ରହିବା ଏକ ଐତିହାସିକ ଘଟଣା। ମଣିଷମାନଙ୍କୁ ପଶୁତୁଲ୍ୟ ମନେ କରି ବିକାକିଣା କରିବାର କାହାଣୀ ସୁବିଦିତ। ଭାରତ ଭୂଖଣ୍ତରେ ରହି ଆସିଥିବା ଅସ୍ପୃଶ୍ୟତା ଅନ୍ୟ ଏକ କଳଙ୍କ। ମଣିଷ ପଶୁମାନଙ୍କୁ ପବିତ୍ର ମନେ କରିବ କିନ୍ତୁ ମନୁଷ୍ୟକୁ ଅସ୍ପୃଶ୍ୟ କରି ରଖିବ; ଏହା ଏକ ଦୌରାତ୍ମ୍ୟର ଚିତ୍ର ଦେଇଥାଏ। ବି˚ଶ ଶତାବ୍ଦୀରେ ଦୁଇ ଦୁଇଟି ବିଶ୍ବଯୁଦ୍ଧ ଓ ତାର ଭୟାବହତା ସଭ୍ୟତାର ଅନ୍ଧକାରର କାହାଣୀ। ବି˚ଶ ଶତାବ୍ଦୀରେ ଜର୍ମାନୀରେ ଲକ୍ଷ ଲକ୍ଷ ଇହୁଦୀମାନଙ୍କର ଗଣହତ୍ୟା ଓ ଭାରତର ସ୍ବାଧୀନତା ପୃଷ୍ଠଭୂମିରେ ଘଟି ଯାଇଥିବା ସାମ୍ପ୍ରଦାୟିକ ବର୍ବରତା ଅମାନୁଷିକ। ପ୍ରାକୃତିକ ଦୁର୍ବିପାକ ଅପେକ୍ଷା ମାନବକୃତ ଅତ୍ୟାଚାର ଓ ନିଷ୍ଠୁରତା ଅଧିକ ହୃଦୟ ବିଦାରକ ଏବ˚ ତାହା ସଭ୍ୟତାର ଅନ୍ଧକାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ଦୃଷ୍ଟିରୁ ୧୯୪୮ ମସିହା ଡିସେମ୍ବର ଦଶ ତାରିଖ ଦିନ ଜାତିସ˚ଘରେ ମାନବିକ ଅଧିକାରର ଯେଉଁ ବିଶ୍ବ ଘୋଷଣାନାମା ଗୃହୀତ ହୋଇଥିଲା, ତାହା ଥିଲା ଇତିହାସର ଏକ ଉଲ୍ଲେଖନୀୟ ଘଟଣା। ସଭ୍ୟତାର ନୈତିକ ଓ ସା˚ସ୍କୃତିକ ଉତ୍ତରଣ କ୍ଷେତ୍ରରେ ଏହାର ମହତ୍ତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ତେବେ, ମାନବିକ ଅଧିକାର ନେଇ ଯେଉଁ ରାଜନୈତିକ ଚେତନା ସୃଷ୍ଟି ହୋଇଥିଲା ତାହା ପଶ୍ଚାତରେ ରହିଥିଲା ଏକ ସୁଦୀର୍ଘ ଐତିହାସିକ ପୃଷ୍ଠଭୂମି। ମଧୢଯୁଗୀୟ ଅନ୍ଧକାର ବିରୋଧରେ ୟୁରୋପୀୟ ନବଜାଗରଣ ଥିଲା ଏକ ସା˚ସ୍କୃତିକ ଉନ୍ମେଷ। ପଞ୍ଚଦଶ ଶତାବ୍ଦୀର ମଧୢ ଭାଗରୁ ଦୀର୍ଘ ଅଢ଼େଇ ଶହ ବର୍ଷ ଧରି ୟୁରୋପରେ ଯେଉଁ ସା˚ସ୍କୃତିକ ନବଜାଗରଣ ସୃଷ୍ଟି ହୋଇଥିଲା ସେଥିରୁ ଦୁଇଟି ବୌଦ୍ଧିକ ଧାରା ସୃଷ୍ଟି ହୋଇଥିଲା। ଗୋଟିଏ ଥିଲା ଆଧୁନିକ ବିଜ୍ଞାନର ବିକାଶ ଓ ଅନ୍ୟଟି ଥିଲା ମାନବବାଦୀ ଜୀବନବୋଧର ଅଭ୍ୟୁଦୟ। ଦୁଇଟି ବୌଦ୍ଧିକ ଅବବୋଧରୁ ବିଜ୍ଞାନର ବିକାଶ କ୍ରମବର୍ଦ୍ଧିଷ୍ଣୁ ଭାବେ ଅନେକ ଦିଗନ୍ତକୁ ସ୍ପର୍ଶ କଲା। ପ୍ରକୃତିରେ ଯାହା କିଛି ଘଟଣା ଘଟେ ବା ଯାହା କିଛି ରହିଛି ସେସବୁ ପଶ୍ଚାତରେ କେବଳ ପ୍ରାକୃତିକ କାରଣ ବା ନିୟମ ରହିଛି। ପ୍ରକୃତିରେ ଅସ˚ଖ୍ୟ ରହସ୍ୟ ରହିଛି, ହେଲେ ଅତି ପ୍ରାକୃତିକତା କିଛି ନାହିଁ। ଯାହା ସ୍ଥାନ-କାଳ (Space-Time) ଓ କାର୍ଯ୍ୟକାରିତା ନିୟମର ପରିପନ୍ଥୀ ତାହା ଅତି ପ୍ରାକୃତିକ ବା ‘ସୁପର‌୍‌ ନାଚୁରାଲ’। ସେହିପରି ଏହି ବିଶାଳ ବିଶ୍ବ ଓ ଜଟିଳ ପ୍ରକୃତିକୁ ଜାଣିବାର ପଦ୍ଧତି ହେଉଛି ପର୍ଯ୍ୟବେକ୍ଷଣ-ପରୀକ୍ଷଣ। ପର୍ଯ୍ୟବେକ୍ଷଣ-ପରୀକ୍ଷଣ ପଦ୍ଧତି ଓ କାର୍ଯ୍ୟକାରିତା ନିୟମ ଆଧାରରେ ବିଜ୍ଞାନ ପ୍ରକୃତିର ଅସ˚ଖ୍ୟ ରହସ୍ୟକୁ ବ୍ୟାଖ୍ୟା କରିବାରେ ସମର୍ଥ ହେଲା। ନବଜାଗରଣର ଦ୍ବିତୀୟ ପରିଣତିଟି ଥିଲା ମାନବବାଦର ପ୍ରସାରଣ। ସାମନ୍ତବାଦ, ରାଜତନ୍ତ୍ର, ଏକଛତ୍ରବାଦ ଇତ୍ୟାଦି ବିରୋଧରେ ଗଣତାନ୍ତ୍ରିକ ବିଚାର ଧାରାର ବିକାଶ ଥିଲା ଅନ୍ୟ ଏକ ବଡ଼ ଜାଗରଣ। ସପ୍ତଦଶ ଶତାବ୍ଦୀରେ ଇ˚ଲଣ୍ତରେ ସମ୍ରାଟଙ୍କ ଅପେକ୍ଷା ସ˚ସଦର କ୍ଷମତା ଅଧିକ ଦୃଢ଼ ହେଲା। ସ˚ସଦୀୟ ଗଣତନ୍ତ୍ର, ମୁକ୍ତଚିନ୍ତାର ପରିବେଶ ଓ ନାଗରିକ ଅଧିକାର ନେଇ ସାମାଜିକ ଚେତନାର ସ୍ତର ବିକଶିତ ହେବାକୁ ଲାଗିଲା। ସେହିପରି ଅଷ୍ଟାଦଶ ଶତାବ୍ଦୀର ଅନ୍ୟ ଦୁଇଟି ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ପାଇଁ ମଧୢ ପ୍ରେରଣା ଯୋଗାଇଥିଲା। ଆମେରିକାରେ ଉପନିବେଶବାଦର ବିଲୋପ ଘଟି ରାଜନୈତିକ ସ୍ବାଧୀନତା ଆସିବା ଓ ଗଣତନ୍ତ୍ରର ପ୍ରତିଷ୍ଠା ହେବା ଥିଲା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। ଆମେରିକା ସମ୍ବିଧାନରେ କୁହାଗଲା ଯେ ସବୁ ମଣିଷ ସମାନ ହୋଇ ସୃଷ୍ଟି ହୋଇଛନ୍ତି ଓ ବ୍ୟକ୍ତିର ଜୀବନ, ସ୍ବାଧୀନତା ଓ ସୁଖକର ସ୍ଥିତି ପାଇଁ ପ୍ରୟାସ ବ୍ୟକ୍ତିଠାରୁ ପୃଥକ୍‌ କରାଯାଇପାରିବ ନାହିଁ। ସେହିପରି ରାଜତନ୍ତ୍ରର ବିଲୋପ ଘଟାଇ ଗଣତନ୍ତ୍ରର ପ୍ରତିଷ୍ଠା କ୍ଷେତ୍ରରେ ଫରାସୀ ରାଷ୍ଟ୍ର ବିପ୍ଳବ ଇତିହାସର ଅନ୍ୟ ଏକ ଯୁଗାନ୍ତକାରୀ ଘଟଣା ଥିଲା। ସ୍ବାଧୀନତା, ସମତା ଓ ଭ୍ରାତୃତ୍ବଭାବ ମୂଲ୍ୟବୋଧ ସାମାଜିକ ଓ ରାଜନୈତିକ ଭାବଧାରାରେ ବୈଚାରିକ ଆଲୋଡ଼ନ ସୃଷ୍ଟି କରିଥିଲା।

ରାଜନୈତିକ ସ୍ତରରେ ଗଣତାନ୍ତ୍ରିକ ବ୍ୟବସ୍ଥା ଯେପରି ଏକ କ୍ରାନ୍ତିକାରୀ ବିଚାର ଥିଲା, ଅର୍ଥନୈତିକ ସ୍ତରରେ ସମାଜବାଦ ମଧୢ ଏକ ବୈପ୍ଳବିକ ଭାବନାର ସୂତ୍ରପାତ କରିଥିଲା। କାର୍ଲ ମାର୍କସ ଓ ଏଙ୍ଗେଲସ ଏକ ଶ୍ରେଣୀହୀନ, ଶୋଷଣମୁକ୍ତ ସାମ୍ୟ ସମାଜର ବିକଳ୍ପ ଦେଇଥିଲେ। ଶିଳ୍ପବିପ୍ଳବ ପରବର୍ତ୍ତୀ ପୃଥିବୀରେ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ଯେଉଁ ଅର୍ଥନୈତିକ ବୈଷମ୍ୟ ସୃଷ୍ଟି କରିଥିଲା ତାହା ବିରୋଧରେ ମାର୍କସଙ୍କର ସାମ୍ୟବାଦ ଏକ ନୂତନ ବିକଳ୍ପ ସୃଷ୍ଟି କରିଥିଲା। ସାମନ୍ତବାଦ, ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ସମାଜକୁ ଅର୍ଥନୈତିକ ମାନଦଣ୍ତରୁ ବିଭାଜିତ କରି ଅଗଣିତ ମଣିଷଙ୍କୁ ସର୍ବହରା ଶ୍ରେଣୀରେ ରୂପାନ୍ତରିତ କରିଥିଲା। ମାର୍କସ ସମାଜର ଅର୍ଥନୈତିକ ବ୍ୟବସ୍ଥାର ବିଶ୍ଳେଷଣ କରି ମଣିଷର ଦୁଃଖ-ଦୁର୍ଦଶା ଯେ ଏକ ଶୋଷଣଭିତ୍ତିକ ଶ୍ରେଣୀଗତ ବ୍ୟବସ୍ଥାର ପରିଣତି ଏହା ଦର୍ଶାଇଲେ। ଏକ ସମତା-ଭିତ୍ତିକ ସାମ୍ୟ ସମାଜର ପ୍ରତିଷ୍ଠା ଦ୍ବାରା ସମାଜରୁ ସକଳ ଅନ୍ୟାୟ, ଭେଦଭାବ ଓ ମାନବୀୟ ଦୁଃଖ ଦୁର୍ଦଶା ଯେ ଦୂର ହୋଇପାରିବ ମାର୍କସଙ୍କର ଏହି ବିଚାର ଏକ ଯୁଗାନ୍ତକାରୀ ବିକଳ୍ପର ସମ୍ଭାବନା ଦେଇଥିଲା।

ଦାର୍ଶନିକ ଅବବୋଧରେ ଏହି ବିଚାର ସୃଷ୍ଟି ହୋଇଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ମନୁଷ୍ୟ ହିସାବରେ କେତେକ ପ୍ରାକୃତିକ ଅଧିକାରର ଅଧିକାରୀ। ରାଷ୍ଟ୍ର, ସମାଜର ବିକାଶ ପୂର୍ବରୁ ମନୁଷ୍ୟ ପ୍ରକୃତି ଭିତରେ ଯେଉଁ ଅଧିକାର ଉପଭୋଗ କରି ଆସିଛି ତାହା ତା’ଠାରୁ ପୃଥକ୍‌ କରାଯାଇ ପାରିବ ନାହିଁ। ବଞ୍ଚିବା, ବଞ୍ଚିବା ପାଇଁ ସ୍ବାଧୀନତା ଉପଭୋଗ କରିବା, ଜୀବନଧାରଣ ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ପ୍ରତ୍ୟେକ ବ୍ୟକ୍ତିର ପ୍ରାକୃତିକ ଅଧିକାର। ବ୍ୟକ୍ତିକୁ ତାର ପ୍ରାକୃତିକ ଅଧିକାରରୁ ବଞ୍ଚିତ କରିବା ଅନ୍ୟାୟ ଓ ଅମାନବିକ। ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାବହତା, ବିଜ୍ଞାନର ଅପପ୍ରୟୋଗ ତଥା ସଭ୍ୟତା-ବିଧ୍ବ˚ସୀ ଆଣବିକ ଅସ୍ତ୍ର ନିର୍ମାଣରୁ ଏହିପରି ଏକ ଆଶଙ୍କା ଦାର୍ଶନିକ ଓ ରାଷ୍ଟ୍ରନୀତିଜ୍ଞଙ୍କ ମଧୢରେ ସୃଷ୍ଟି ହୋଇଥିଲା ଯେ ଯଦି ପୃଥିବୀରେ ତୃତୀୟ ବିଶ୍ବଯୁଦ୍ଧର ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହା ମାନବ ସଭ୍ୟତାର ମୃତ୍ୟୁ ଘଣ୍ଟି ବଜାଇବ। ଏହି ସ୍ଥିତିରେ ଜାତିସ˚ଘର ପ୍ରତିଷ୍ଠା ବିଶ୍ବ ଇତିହାସରେ ଥିଲା ଏକ ଉଲ୍ଲେଖନୀୟ ଘଟଣା। ସକଳ ମାନବିକ ସମସ୍ୟା ଓ ରାଷ୍ଟ୍ର ରାଷ୍ଟ୍ର ମଧୢରେ ରହିଥିବା ବିବାଦମାନଙ୍କର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାତିସ˚ଘ ମାଧୢମରେ ପ୍ରୟାସ କରିବାକୁ ସଚେତନତା ସୃଷ୍ଟି ହୋଇଥିଲା। ଜାତିସ˚ଘର ପ୍ରତିଷ୍ଠା ପରେ ମାନବିକ ଅଧିକାର ସମ୍ବନ୍ଧରେ ଏକ ଦଲିଲ ପ୍ରସ୍ତୁତ କରିବା ପାଇଁ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ରୁଜଭେଲ୍‌ଟଙ୍କ ପତ୍ନୀ ଏଲମୋର ରୁଜଭେଲ୍‌ଟଙ୍କ ସଭାପତିତ୍ବରେ କେତେକ ବିଶିଷ୍ଟ ବୁଦ୍ଧିଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଗଲା। ମାନବିକ ଅଧିକାର ସମ୍ବନ୍ଧରେ ସେମାନେ ଯେଉଁ ଦଲିଲଟି ପ୍ରସ୍ତୁତ କଲେ ତାହା ଜାତିସ˚ଘରେ ୧୯୪୮ ଡିସେମ୍ବର ୧୦ ତାରିଖ ଦିନ ଗୃହୀତ ହୋଇଥିଲା ଯାହା ‘‘ମାନବିକ ଅଧିକାରର ବିଶ୍ବଘୋଷଣାନାମା’’ ଭାବରେ ଇତିହାସରେ ଜ୍ଞେୟ।

ମାନବିକ ଅଧିକାରର ଘୋଷଣାନାମାର ପ୍ରଥମ ଦୁଇଟି ଧାରାରେ ଯାହା କୁହାଯାଇଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରଥମ ଧାରାରେ ରହିଛି- ‘‘ସବୁ ମନୁଷ୍ୟ ସମାନ ଓ ସ୍ବାଧୀନ ହୋଇ ଜନ୍ମ ହୋଇଛନ୍ତି। ଏଣୁ ସବୁ ମଣିଷଙ୍କର ସମାନ ଅଧିକାର ଓ ଆତ୍ମମର୍ଯ୍ୟାଦା ରହିଛି। ପ୍ରତ୍ୟେକ ବ୍ୟକ୍ତି ଭିତରେ ବିବେକ ଓ ବିଚାରଶୀଳତା ରହିଛି, ଏଣୁ ପ୍ରତ୍ୟେକେ ଅନ୍ୟ ପ୍ରତି ଭ୍ରାତୃତ୍ବର ମନୋଭାବ ପୋଷଣ କରିବା ସମୀଚୀନ’’। ସବୁ ମଣିଷ ‘ସମାନ’ କହିବାର ତାତ୍ପର୍ଯ୍ୟ ଏହା ନୁହେଁ ଯେ ସମସ୍ତଙ୍କର ଶାରୀରିକ, ମାନସିକ ସାମର୍ଥ୍ୟ ବା ଦକ୍ଷତା ସମାନ। ବର˚ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଭିନ୍ନ। ମଣିଷ ମଣିଷ ଭିତରେ ଯାହା କିଛି ଭିନ୍ନତା ରହିଥିଲେ ମଧୢ କେହି ଭେଦଭାବ ବା ଅମର୍ଯ୍ୟାଦାର ଶିକାର ହେବେ ନାହିଁ। ସବୁ ମଣିଷ ସମାଜରେ ସମ୍ମାନର ସହ ବଞ୍ଚିବାର ଅବକାଶ ପାଇବେ। ସେହିପରି ସବୁ ମଣିଷ ସ୍ବାଧୀନ ହୋଇ ଜନ୍ମ ହୋଇଛନ୍ତିର ତାତ୍ପର୍ଯ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟର ବିକାଶ ପାଇଁ ସମାଜରେ ଉପଯୁକ୍ତ ପରିବେଶ ପାଇବ ଓ ଜଣେ ଉପଯୁକ୍ତ ନାଗରିକ ହୋଇ ଜୀବନ ଧାରଣ କରିବ। ସ୍ବାଧୀନତାର ଅର୍ଥ କୌଣସି ଅରାଜକତା ବା ବିଶୃଙ୍ଖଳା ନୁହେଁ। ଦ୍ବିତୀୟ ଧାରାଟିରେ କୁହାଯାଇଛି କୌଣସି ବ୍ୟକ୍ତି ଜାତି, ଧର୍ମ, ବର୍ଣ୍ଣ, ଭାଷା ଜାତୀୟତା, ସାମାଜିକ ପରିଚୟ ବା ରାଜନୈତିକ ମତବାଦ ପାଇଁ କୌଣସି ଭେଦଭାବର ଶିକାର ହେବ ନାହିଁ। ସେହିପରି କୌଣସି ଗୋଷ୍ଠୀ, ଅଞ୍ଚଳ ବା ଭୂଖଣ୍ତର ଜନଗଣଙ୍କୁ ନ୍ୟୂନ କରାଯିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ରାଷ୍ଟ୍ରରେ ଆଇନ ଦୃଷ୍ଟିରେ ସମାନ ବିବେଚିତ ହେବ ଓ ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରୟୋଗ ହେବ। ଘୋଷଣାନାମାରେ ତିରିଶଟି ଧାରା ରହିଛି ଓ ସେ ସବୁଥିରେ ମାନବିକ ଅଧିକାରର ବିଭିନ୍ନ ଦିଗ ଓ ସେସବୁର ବିଶ୍ଳେଷଣ କରାଯାଇଛି।

ଜାତିସ˚ଘରେ ମାନବିକ ଅଧିକାର ଘୋଷଣାନାମା ଗୃହୀତ ହେବା ପରେ ଜାତିସ˚ଘର ବିଭିନ୍ନ କମିଟି ଓ ଅନୁଷ୍ଠାନ ମାଧୢମରେ ବହୁଗୁଡ଼ିଏ ସମ୍ମିଳନୀ କରାଯାଇ ନାନା ପ୍ରସଙ୍ଗ ଉପରେ ସନନ୍ଦମାନ ପ୍ରକାଶ ପାଇଛି। ବିଶ୍ବ ସ୍ତରରେ ସମସ୍ତଙ୍କର କେଉଁ ଅଧିକାର ରହିବା ଆବଶ୍ୟକ ତାହାର ବର୍ଣ୍ଣନା କରାଯାଇଛି। ସମସ୍ତ ଜନଗଣ ନିଜ ରାଷ୍ଟ୍ରରେ ନାଗରିକ ଅଧିକାର ପାଇବେ ଓ କେହି ସେଥିରୁ ବଞ୍ଚିତ ହେବେ ନାହିଁ। ରାଜନୈତିକ ଅଧିକାର ସହ ଅର୍ଥନୈତିକ, ସାମାଜିକ ଓ ସା˚ସ୍କୃତିକ ଅଧିକାର ନିଜ ରାଷ୍ଟ୍ରରେ ଜନଗଣ ଉପଭୋଗ କରିବେ। ପ୍ରାକୃତିକ ଅଧିକାର ଭିତରେ ଜୀବନ ବଞ୍ଚିବା, ବଞ୍ଚିବା ପାଇଁ ଖାଦ୍ୟ, ପୋଷାକ, ବାସଗୃହ ପାଇବା ଓ ବିବେକ ଦ୍ବାରା ପରିଚାଳିତ ହେବା ଅନ୍ତର୍ଭୁକ୍ତ କରାଯାଏ। ନିଜ ଦେଶର ରାଜନୈତିକ ବ୍ୟବସ୍ଥାରେ ଅ˚ଶଗ୍ରହଣ କରିବା, ସାମାଜିକ ନ୍ୟାୟରୁ ବଞ୍ଚିତ ନ ହେବା, ଅର୍ଥନୈତିକ ସ୍ତରରେ ଶୋଷିତ ନ ହେବା, ନିଜର ଧାର୍ମିକ ଓ ସା˚ସ୍କୃତିକ ଜୀବନ ବଞ୍ଚିବାର ସୁଯୋଗ ପାଇବା ଓ କୌଣସି ବିଷୟରେ ମତବ୍ୟକ୍ତ କରିବାର ଅବକାଶ ପାଇବା ନାଗରିକ ଅଧିକାରର ପରିସରଭୁକ୍ତ। ପ୍ରତ୍ୟେକ ରାଷ୍ଟ୍ର ନିଜର ନାଗରିକଙ୍କୁ ଏହି ସୁଯୋଗ ଓ ଅଧିକାର ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ଏହା ସହିତ ପ୍ରତ୍ୟେକ ନାଗରିକକୁ ଶିକ୍ଷା ପ୍ରଦାନ କରିବା, ସ୍ବାବଲମ୍ବୀ ହୋଇ ଜୀବନ ବଞ୍ଚିବାର ଅବକାଶ ଦେବା ଓ ପରିବାର ଗଠନ କରିବାର ଅଧିକାର ଦେବା ରାଷ୍ଟ୍ରର ଦାୟିତ୍ବ। କୌଣସି ଦେଶର ସରକାର ତାର ଜନଗଣଙ୍କୁ ଏସବୁ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ। ବିଭିନ୍ନ ଦେଶର ସାମାଜିକ ଓ ସା˚ସ୍କୃତିକ ପରିବେଶରେ ମହିଳା ଓ ଶିଶୁମାନେ ବିଭିନ୍ନ ଭେଦଭାବର ଶିକାର ହେବା ଓ ମାନବିକ ଅଧିକାରରୁ ବଞ୍ଚିତ ହେବା ଦେଖାଯାଏ। ସୁତରା˚ ମହିଳାମାନଙ୍କର ଅଧିକାର ଓ ଆତ୍ମମର୍ଯ୍ୟାଦା ରକ୍ଷା କରିବା ଓ ଶିଶୁମାନଙ୍କର ଶୈଶବ ଯେପରି ନଷ୍ଟ ନ ହୁଏ ସେମାନଙ୍କୁ ସୁରକ୍ଷା ଦେବା ମଧୢ ରାଷ୍ଟ୍ରର କର୍ତ୍ତବ୍ୟ। ମହିଳା, ଶିଶୁ ଓ ଭିନ୍ନକ୍ଷମମାନଙ୍କୁ ସୁରକ୍ଷା ଦେବା ଓ ସେମାନେ ଯେପରି କୌଣସି ଭେଦଭାବର ସମ୍ମୁଖୀନ ନ ହୋଇ ସମ୍ମାନର ସହ ଜୀବନ ଅତିବାହିତ କରିପାରିବେ ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁକୁ ମାନବିକ ଅଧିକାରରେ ସ˚ପୃକ୍ତ କରାଯାଇଛି। ସାମୂହିକ ଜୀବନ ପ୍ରବାହରେ ବିକାଶ ଓ ପରିବେଶର ସୁରକ୍ଷାକୁ ମାନବିକ ଅଧିକାର ଭିତରେ ନିଆଯାଇଛି। ମାନବିକ ଅଧିକାରର ଘୋଷଣା ପରଠାରୁ ଏହି ସାତ ଦଶକ ମଧୢରେ ଏହାର ପରିସର, ପରିଭାଷାକୁ ବ୍ୟାପକ କରାଯାଇଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ନିର୍ବିଶେଷରେ ମାନବ ସମାଜ କିପରି ଏକ ସଭ୍ୟ, ଭ୍ରାତୃତ୍ବପୂର୍ଣ୍ଣ ଓ ସହଭାଗିତାର ଜୀବନ ବଞ୍ଚିପାରିବ ସେଥିପାଇଁ ବିଶ୍ବସ୍ତରରେ ଗମ୍ଭୀର ସ˚ପୃକ୍ତି ପ୍ରକାଶ ପାଇଛି।

ମାନବିକ ଅଧିକାରର ଘୋଷଣାନାମା ପରେ ବିଭିନ୍ନ ଦେଶରେ ମାନବିକ ଅଧିକାର କମିସନମାନ ଗଠନ କରାଯାଇ ନାଗରିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ତଥାପି ସାମାଜିକ ଭେଦଭାବ, ସା˚ପ୍ରଦାୟିକ ମାନସିକତା ଓ ସନ୍ତ୍ରାସବାଦ ବିଭିନ୍ନ- ଦେଶରେ ରହିଛି। ଏକ ମାନବବାଦୀ ଜୀବନଦୃଷ୍ଟିର ପ୍ରସାର ଯେତେ ବ୍ୟାପକ ଭିତ୍ତି ନେବ ମାନବିକ ଅଧିକାର ଓ ବ୍ୟକ୍ତିର ମର୍ଯ୍ୟାଦାପୂର୍ଣ୍ଣ ନାଗରିକ ଜୀବନ ସେତେ ଦୃଢ଼ ହୋଇପାରିବ। ତେବେ ସଭ୍ୟତାର ସା˚ସ୍କୃତିକ ଓ ନୈତିକ ବିକାଶଧାରାରେ ମାନବିକ ଅଧିକାରର ଘୋଷଣାନାମା ଯେ ଏକ ମାଇଲଖୁଣ୍ଟ ଏହା କୁହାଯାଇପାରେ।
ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ
ମୋ: ୯୪୩୮୫୪୭୮୯୫

ସମ୍ବନ୍ଧିତ ଖବର