ଭୁଲ୍‌ ପ୍ରସଙ୍ଗରେ ପଦେ

ଆମରି କଥା/ନାରାୟଣ ମିଶ୍ର

ଭୁଲ୍‌ ସମସ୍ତେ କରନ୍ତି। ମଣିଷମାନେ ଭୁଲ୍‌ କରନ୍ତି। ଦେବତାମାନେ ବି ଭୁଲ୍‌ କରନ୍ତି। ସିଦ୍ଧିଲାଭ ଉଦ୍ଦେଶ୍ୟରେ କଠିନ ତପସ୍ୟା କରୁଥିବା ମୁନି ଋଷିମାନେ ମଧୢ ବେଳେ ବେଳେ ଭୁଲ୍‌ ବାଟରେ ଯିବାର ଉଦାହରଣ ଶାସ୍ତ୍ରରେ ମିଳେ। ଏଇ ଯେମିତି ରାଜର୍ଷିରୁ ବ୍ରହ୍ମର୍ଷି ହେବା ପାଇଁ ତପସ୍ୟାରତ ବିଶ୍ବାମିତ୍ରଙ୍କ ତପସ୍ୟା ଭଙ୍ଗ କରିବାକୁ ଇନ୍ଦ୍ର ନିଜ ପଦ ରକ୍ଷା କରିବାକୁ ସ୍ବର୍ଗର ଅପ୍‌ସରା ମେନକାଙ୍କୁ ପ୍ରେରଣ କରିଥିଲେ ଏବ˚ ମେନକାଙ୍କ ଦ୍ବାରା ତପସ୍ୟା ଭଙ୍ଗ ହେବା ପରେ ତାଙ୍କ ସହ ମିଶି ବିଶ୍ବାମିତ୍ର ଶକୁନ୍ତଳାଙ୍କ ପିତା ହେଲେ। କଠୋର ତପସ୍ୟାରେ ରହିଥିବା ଜଣେ ଋଷିଙ୍କର ଏହା ଏକ ଭୁଲ୍‌ ଆଚରଣ ଥିଲା। ଗୁରୁଙ୍କ ସ୍ଥାନ ବହୁ ଉଚ୍ଚରେ ଥିଲେ ବି ଦ୍ରୋଣାଚାର୍ଯ୍ୟ ନିଜ ଶିଷ୍ୟମାନଙ୍କୁ ଶ୍ରେଷ୍ଠ ବୋଲି ଦେଖାଇବା ପାଇଁ ଏକଲବ୍ୟର ବୃଦ୍ଧାଙ୍ଗୁଳି ଦକ୍ଷିଣା ଭାବେ ମାଗି ନେଇ ସମଗ୍ର ଗୁରୁକୁଳ ପାଇଁ ନିନ୍ଦା ଅର୍ଜନ କରିଥିଲେ। ନିଜ ଶିଷ୍ୟ କର୍ଣ୍ଣଙ୍କର କ୍ଷତ୍ରିୟ ପରିଚିତିକୁ ବ୍ରାହ୍ମଣ ଦର୍ଶାଇବାର ସାମାନ୍ୟ ଭୁଲ୍‌ରୁ ଗୁରୁ ପର୍ଶୁରାମ ତାଙ୍କୁ ‘ଠିକ୍‌ ସମୟରେ ଠିକ ମନ୍ତ୍ର ମନେ ନ ପଡ଼ିବାର’ ଅଭିଶାପ ଦେଇ କର୍ଣ୍ଣଙ୍କ ମୃତ୍ୟୁର ବାଟ ପରିଷ୍କାର କରି ଦେଇଥିଲେ। ଯୁଧିଷ୍ଠିର ଧର୍ମପଥରେ ଥାଇ ମଧୢ ବାରମ୍ବାର ଦୁର୍ଯ୍ୟୋଧନ ସହ ପଶା ଖେଳିବାକୁ ରାଜି ହେବା, ପଶାଖେଳରେ ନିଜ ଧନଦୌଲତ ସହ ନିଜ ପତ୍ନୀ, ଭାଇମାନଙ୍କୁ ବାଜି ଲଗାଇବା ଏବ˚ ଦୁର୍ଯ୍ୟୋଧନ ପାଇଁ ଶକୁନିଙ୍କୁ ପଶା ଖେଳିବାକୁ ଅନୁମତି ଦେବା ଓ ନିଜ ପାଇଁ ଶ୍ରୀକୃଷ୍ଣଙ୍କୁ ପଶା ଖେଳିବାକୁ ନ କହିବା ଇତ୍ୟାଦି ମଧୢ ଭୁଲ୍‌ରେ ଗଣାଯାଏ। ପୂର୍ଣ୍ଣ ସଭାରେ ଦ୍ରୌପଦୀଙ୍କୁ ଦୁଃଶାସନ ବିବସ୍ତ୍ର କରାଇବାକୁ ଉଦ୍ୟମ କରାଯିବା ପୂର୍ବରୁ ଦ୍ରୌପଦୀଙ୍କ ଆକୁଳ ପ୍ରାର୍ଥନା ଓ ନ୍ୟାୟ ମାଗିବା ସମୟରେ ଭୀଷ୍ମ ଚୁପ୍‌ ରହିବା ମଧୢ ଅନୁଚିତ ଓ ଭୁଲ୍‌ ଥିଲା ବୋଲି ଅନେକ କହନ୍ତି। ଶାସ୍ତ୍ରଲିଖିତ ଏସବୁ ବର୍ଣ୍ଣନାର ଏକମାତ୍ର ଉତ୍ତର ହେଉଛି ଏ ସବୁ ନିୟତିର ଖେଳ। ଭଗବାନ ତାଙ୍କ ଯୋଜନାରେ ଏ ସମସ୍ତ କର୍ମ କରାଇଛନ୍ତି। ଗୀତାର ଅଷ୍ଟାଦଶ ଅଧୢାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି- ‘ଈଶ୍ବର ସର୍ବଭୂତାନା˚ ହୃଦେଶେର୍ଜୁନ ତିଷ୍ଠତି, ଭ୍ରାମୟାନ୍‌ ସର୍ବଭୁତାନି ଯନ୍ତ୍ର ରୂଢ଼ାନି ମାୟୟା।’ ତା’ ନ ହେଲେ ଇନ୍ଦ୍ର ସ୍ବର୍ଗର ରାଜା ହୋଇ ମଧୢ ଗୌତମ ଋଷିଙ୍କ ଛଦ୍ମବେଶ ନେଇ ସତୀ ଅହଲ୍ୟାଙ୍କ ସହ ମିଶି ସତୀଙ୍କ ପାଇଁ ଆଣି ଦେଇଥିବା ଗୌତମଙ୍କ ଅଭିଶାପ, ତ୍ରେତୟା ଯୁଗରେ ଶ୍ରୀରାମଙ୍କ ସ୍ପର୍ଶରେ ପଥରରୁ ନାରୀ ହେବାର ଅଲୌକିକ କାର୍ଯ୍ୟରେ ଶ୍ରୀରାମଙ୍କ ମହିମା ଲୋକଲୋଚନକୁ ଆଣିବା ସହିତ ସମାହିତ ହୋଇ ନ ଥାଆନ୍ତା।

ଭୁଲ୍‌ ଦୁଇ ପ୍ରକାର- ଅଜାଣତରେ କରାଯାଉଥିବା ଭୁଲ୍‌ ଓ ଜାଣିଶୁଣି କରାଯାଉଥିବା ଭୁଲ୍‌। ଅଜାଣତରେ କରାଯାଉଥିବା ଭୁଲ୍‌ର କ୍ଷମା ଅଛି। ପ୍ରାୟଶ୍ଚିତ୍ତ ଅଛି; କିନ୍ତୁ ଜାଣିଶୁଣି କରାଯାଉଥିବା ଭୁଲ୍‌ ପାଇଁ କ୍ଷମା ନ ଥାଏ; ସେଥି ଲାଗି କେବଳ ସମାନୁପାତିକ ଦଣ୍ତବିଧାନ କରାଯାଏ ବୋଲି ଶାସ୍ତ୍ର କହେ। କେତେକ ମହାପୁରୁଷ କହିଛନ୍ତି ଯେଉଁ ନୀତିବିହୀନ କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିବା ଉଚିତ ମନେ କରାଯାଏନି, ତାହା ଭୁଲ୍‌ ନୁହେଁ। କିନ୍ତୁ ମୃତ୍ୟୁ ପୂର୍ବରୁ ଯଦି କେବେ ବି ମନ ଭିତରେ ଆସେ ଯେ ଏହା କରିବା ଠିକ୍‌ ନ ଥିଲା, ତେବେ ସଙ୍ଗେ ସଙ୍ଗେ ସେ କର୍ମଟି ଦୋଷ ବା ପାପ ବୋଲି ପରିଗଣିତ ହୁଏ ଏବ˚ ଦଣ୍ତ ବିଧାନର ଯୋଗ୍ୟ ହୋଇଯାଏ। ପ୍ରତିଦିନ ଛେଳି କାଟୁଥିବା ଲୋକଟି ଜୀବହି˚ସା ପାପରେ ପଡ଼ିବା କଥା ମନ ଭିତରକୁ ଆଣେନି କି ପଶ୍ଚାତ୍ତାପ ବି କରେନି; କାରଣ ଏଇଟା ତା’ ପେଟପାଟଣା ପାଇଁ କରାଯାଉଥିବା ନିତ୍ୟନୈମତ୍ତିକ କର୍ମ।

ନିଜକୁ ରକ୍ଷା କରିବାକୁ ଓ ନିଜର ସ୍ବାର୍ଥ ରକ୍ଷା ପାଇଁ ଅନେକଙ୍କର କ୍ଷତି ସାଧନା କରିବାର ଚେଷ୍ଟା ନିଶ୍ଚିତ ଦୋଷ, ପାପ ବା ଭୁଲ୍‌ (ଅନ୍ୟାୟ) ବୋଲି ପରିଗଣିତ ହେବା ସ୍ବାଭାବିକ। ସବୁ ସମୟରେ ସବୁ ସ୍ତରରେ ରାଶି ରାଶି ଭୁଲ୍‌ କଲେ ବି ଅହ˚କାରର ବଶବର୍ତ୍ତୀ ହୋଇ ଅନେକ ତାହା ମାନନ୍ତି ନାହିଁ। ଦୁର୍ଯ୍ୟୋଧନର ଜଳଭାଗକୁ ଖସିପଡ଼ିବାରେ ‘ଅନ୍ଧର ପୁଅ ଅନ୍ଧ’ ବୋଲି ଦ୍ରୌପଦୀଙ୍କ କହି ହସିବାର ଭୁଲ୍‌ ଯୋଗୁ ପଶାଖେଳ ଯୋଜନା ଓ ପ୍ରକାରାନ୍ତରେ କୁରୁଯୁଦ୍ଧ ହୋଇଥିଲେ ବି ଏହା ଯେ ନିୟତିର ଖେଳ ଥିଲା; ତାହା କେହି ଅସ୍ବୀକାର କରିପାରିବେ ନାହିଁ। ସରକାରୀ ସ୍ତରରେ ସବୁ ପ୍ରକାର ଗଣ୍ତଗୋଳ ପାଇଁ ତଦନ୍ତ କମିସନ ବସାଇବା ଏବ˚ ବହୁ ବିଳମ୍ବରେ ଆସୁଥିବା କମିସନ୍‌ର ରିପୋର୍ଟକୁ ଡଷ୍ଟବିନ୍‌ ଆଡ଼କୁ ମୁହାଁଇ ଦେବା ଯେତିକି ଭୁଲ୍‌, ସରକାରଙ୍କ ସମସ୍ତ କାର୍ଯ୍ୟର ରାଜନୀତୀକରଣ କରି ଜନସାଧାରଣଙ୍କୁ ଉସୁକେଇ ରାଜରାସ୍ତା ଅବରୋଧ କରିବା ମଧୢ ତା’ ଠାରୁ ଅଧିକ ବଡ଼ ଭୁଲ୍‌।

ଏବେ ପାଠକମାନଙ୍କ ସମ୍ମୁଖରେ ଏକ ପୁରାତନ ଶାସ୍ତ୍ରୀୟ ଗଳ୍ପର ଅବତାରଣା କରିବା ଉଚିତ ହେବ। ଜଣେ ରାଜା ଅନେକ ବ୍ରାହ୍ମଣଙ୍କୁ ଖାଇବାକୁ ଦେବାକୁ ସମ୍ମାନର ସହ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ପାଇଁ ସ୍ବାଦିଷ୍ଠ ଖିରି ତିଆରି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଆକାଶରେ ଏକ ବିଷାକ୍ତ ସାପକୁ ଥଣ୍ଟରେ ନେଉଥିବା ଛଞ୍ଚାଣର ଥଣ୍ଟ ଚାପରେ ସାପ ପାଟିରୁ ପୁଳାଏ ବିଷ ସେ ଖିରି ହାଣ୍ତିରେ ପଡ଼ିଗଲା। ବିଷାକ୍ତ ଖିରି ଖାଇ ସମସ୍ତ ନିମନ୍ତ୍ରିତ ବ୍ରାହ୍ମଣ ମରିଗଲେ। ବ୍ରାହ୍ମଣମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ- ଏ ସମ୍ବନ୍ଧରେ ଯମପୁରରେ ବିଚାର ଚାଲିଲା। ରାଜା ତ ଦାୟୀ ନୁହନ୍ତି, ଛଞ୍ଚାଣ ବି ଦାୟୀ ନୁହେଁ, ସାପ ପାଟିରୁ ତା’ ବିନା ଜାଣତରେ ବିଷ ଝରିଥିବାରୁ ସାପ ବି ଦାୟୀ ନୁହେଁ। ତେଣୁ ଏ ବିଷୟଟି ବିନା ବିଚାରରେ ଚିତ୍ରଗୁପ୍ତଙ୍କ ପାଖରେ ଯମାଳୟରେ ପଡ଼ିରହିଲା। ଅନେକ ଦିନ ପରେ ସେ ରାଜ୍ୟର ରାଜରାସ୍ତାରେ ଯାଉଥିବା ଜଣେ ପଥିକ ରାଜବାଟିର ଠିକଣା ପଚାରିବାରୁ ଜଣେ ସ୍ତ୍ରୀ ଲୋକ ପଚାରିଲା- କେଉଁ ରାଜା କଥା କହୁଛ? ଯିଏ ବିଷ ଦେଇ ଅନେକ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲେ ସେଇ ରାଜା? ଏତକ ଶୁଣି ଚିତ୍ରଗୁପ୍ତ କହିଲେ- ବ୍ରହ୍ମହତ୍ୟାର ସମସ୍ତ ଦୋଷ ସେ ସ୍ତ୍ରୀ ଲୋକ ମୁଣ୍ତରେ ରଖାଯାଉ। କାରଣ, ଜଣଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନ ଜାଣି ଏବ˚ ତାଙ୍କ ଅବର୍ତ୍ତମାନରେ ସେ ତାଙ୍କର କୁତ୍ସାରଟନା କଲା। ସୁତରା˚, ସେ ହିଁ ସେହି ପାପର ଭାଗୀଦାର।
୨୭୮, ସ୍ବର୍ଗ ବ୍ରହ୍ମପୁର
ଜଗତ୍‌ସି˚ହପୁର

ସମ୍ବନ୍ଧିତ ଖବର