ବିଷମ ସମସ୍ୟା

୨୦୧୩ରେ ଫରାସୀ ଅର୍ଥନୀତିଜ୍ଞ ଥମାସ୍‌ ପିକେଟିଙ୍କର ସାତ ଶହ ପୃଷ୍ଠା ସମ୍ବଳିତ ବିଶାଳ ପୁସ୍ତକ, ‘କ୍ୟାପିଟାଲ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ୍ ସେଞ୍ଚୁରି’ (‘ଏକବି˚ଶ ଶତାବ୍ଦୀରେ ସମ୍ପଦ’) ପ୍ରକାଶିତ ହୋଇ ଉଭୟ ସାମ୍ୟବାଦୀ ଓ ପୁଞ୍ଜିବାଦୀ ପରିସରରେ ପୃଥିବୀବ୍ୟାପୀ ଚହଳ ପକାଇଲା ପର ଠାରୁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ନାଗରିକମାନଙ୍କ ମଧୢରେ ଆୟ ଓ ସମ୍ପଦର ଅତ୍ୟନ୍ତ ବିଷମ ବଣ୍ଟନ ନିୟମିତ ଚର୍ଚ୍ଚାର ବିଷୟବସ୍ତୁ ହୋଇ ଆସିଛି। ଏଇ ମାତ୍ର ଅଳ୍ପଦିନ ତଳେ ସମସ୍ତଙ୍କୁ ଚକିତ କଲା ଭଳି ଭାରତରେ ଏହି ବିଷମ ବଣ୍ଟନରୁ ସର୍ବାଧିକ ଲାଭବାନ୍‌ ହୋଇଥିବା ‘ରିଲାଏନ୍‌ସ ଇଣ୍ତଷ୍ଟ୍ରିଜ୍‌’ର ମାଲିକ ତଥା ପୃଥିବୀର କତିପୟ ସର୍ବଶ୍ରେଷ୍ଠ ଧନୀମାନଙ୍କ ମଧୢରୁ ଅନ୍ୟତମ ରୂପେ ପରିଗଣିତ ମୁକେଶ ଅମ୍ବାନି ମଧୢ ଏହି ବଣ୍ଟନ ବୈଷମ୍ୟ ସମ୍ପର୍କରେ ଘୋର ଚିନ୍ତା ପ୍ରକଟ କରିବା ଦେଖାଯାଇଥିଲା।

ସେଇ ଚିନ୍ତାକୁ ଯଥାର୍ଥ ପ୍ରତିପାଦିତ କଲା ଭଳି ଭାରତରେ ‘ନେସନାଲ ସାମ୍ପଲ୍‌ ସର୍ଭେ’ (‘ଏନ୍‌ଏସ୍‌ଏସ୍‌’) ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ବର୍ତ୍ତମାନ ପ୍ରକାଶ ପାଇଛି। ଏହା ହେଉଛି ୨୦୧୯ ପାଇଁ ‘ଏନ୍‌ଏସ୍‌ଏସ୍‌’ ଦ୍ବାରା କରାଯାଇଥିବା ‘ଅଲ୍‌ ଇଣ୍ତିଆ ଡେଟ୍‌ ଆଣ୍ତ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ସର୍ଭେ’ (‘ସର୍ବଭାରତୀୟ ଋଣ ଓ ନିବେଶ ସର୍ବେକ୍ଷଣ’)ରୁ ଉପଲବ୍‌ଧ ହୋଇଥିବା ତଥ୍ୟରାଜି। ଏହା ଅନୁସାରେ ୨୦୧୯ ଜାନୁଆରିରୁ ଡିସେମ୍ବର ମଧୢରେ ଦେଶର ମୋଟ ପାର୍ଥିବ ଓ ବିତ୍ତୀୟ ସମ୍ପଦର ୫୦ ଶତା˚ଶରୁ ଅଧିକ ଥିଲା ଦେଶର ସର୍ବାଧିକ ଧନୀ ୧୦ ଶତା˚ଶ ଲୋକଙ୍କର ମାଲିକାନାରେ। ଅପର ପକ୍ଷେ ତଳେ ଥିବା ୫୦ ଶତା˚ଶ ଲୋକଙ୍କର ମାଲିକାନାରେ ଥିଲା ମୋଟ ପାର୍ଥିବ ଓ ବିତ୍ତୀୟ ସମ୍ପଦର ଏକ ନଗଣ୍ୟ ୧୦ ଶତା˚ଶ ମାତ୍ର। ସେହିପରି ଅଧିକ ମୂଲ୍ୟବାନ୍‌ ହୋଇଥିବା ସହରାଞ୍ଚଳ ସମ୍ପଦର ପ୍ରାୟ ୫୬ ଶତା˚ଶ ସର୍ବାଧିକ ଧନୀ ୧୦ ଶତା˚ଶ ଲୋକଙ୍କ ହାତରେ ଥିବା ବେଳେ ଗ୍ରାମାଞ୍ଚଳ ସମ୍ପଦର ପ୍ରାୟ ୫୧ ଶତାଂଶ ସର୍ବାଧିିକ ଧନୀ ୧୦ ଶତାଂଶ ଲୋକଙ୍କ ମାଲିକାନାରେ ଥିବା ଦେଖାଯାଇଥିଲା। ଗ୍ରାମାଞ୍ଚଳର ତଳ ୫୦ ଶତା˚ଶ ଲୋକଙ୍କ ମାଲିକାନାରେ ମାତ୍ର ୧୦ ଶତା˚ଶ ସମ୍ପଦ ଥିବା ବେଳେ ସହରାଞ୍ଚଳରେ ଏହି ଚିତ୍ର ଆହୁରି ଶୋଚନୀୟ ଥିବା ଦେଖାଯାଇଥିଲା: ସେଠାରେ ତଳ ୫୦ ଶତା˚ଶ ଲୋକଙ୍କ ମାଲିକାନାରେ ଥିଲା ମୋଟ ସମ୍ପଦର ମାତ୍ର ପ୍ରାୟ ୬ ଶତା˚ଶ।

ଏହା ସର୍ବଭାରତୀୟ ଚିତ୍ର ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରେ ଏଥିରେ ଘୋର ତାରତମ୍ୟ ଥିବା ପରିଲକ୍ଷିତ ହୋଇଥିଲା। ଉଦାହରଣ ସ୍ବରୂପ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ସହରାଞ୍ଚଳ ସମ୍ପଦର ପ୍ରାୟ ୬୮ ଶତା˚ଶ ଉପର ୧୦ ଶତା˚ଶ ଲୋକଙ୍କର ମାଲିକାନାରେ ଥିବା ବେଳେ, ତଳ ୫୦ ଶତା˚ଶ ଲୋକଙ୍କ ମାଲିକାନାରେ ମାତ୍ର ପ୍ରାୟ ୩.୫ ଶତା˚ଶ ସମ୍ପଦ ରହିଥିବା ଦେଖାଯାଇଥିଲା। ସେ ରାଜ୍ୟରେ ଗ୍ରାମାଞ୍ଚଳରୁ ମିଳିଥିବା ଚିତ୍ର ଏହା ଠାରୁ ମଧୢ ଆହୁରି ନିରାଶାଜନକ: ସେଠାରେ ଉପର ୧୦ ଶତା˚ଶ ଲୋକ ପ୍ରାୟ ୮୧ ଶତା˚ଶ ସମ୍ପଦର ମାଲିକ ହୋଇଥିବା ବେଳେ, ତଳ ୫୦ ଶତା˚ଶ ଲୋକଙ୍କର ମାଲିକାନାରେ ଅଛି ମାତ୍ର ୨ ଶତା˚ଶ ପ୍ରାୟ।

ଏଠାରେ ଯାହା ଲକ୍ଷ୍ୟ କରିବା କଥା, ତାହା ହେଲା ସର୍ବେକ୍ଷଣଟିର ସମୟ କାଳ। ଏହି ସମୟ କାଳ ହେଉଛି ଦେଶରେ ଚୀନା କରୋନାର ଆବିର୍ଭାବ ଘଟି ଦେଶର ଅର୍ଥନୀତି ଓ ସମାଜକୁ ଧ୍ବସ୍ତବିଧ୍ବସ୍ତ କରିଦେବାର ପୂର୍ବବର୍ତ୍ତୀ କାଳ। ଇତି ମଧୢରେ ସମ୍ପଦର ବଣ୍ଟନ ଯେ କୋଭିଡ୍‌ ଆଘାତରେ ଆହୁରି ଅସମତୁଲ ହୋଇ ଯାଇଥିବ, ଏଥିରେ କୌଣସି ସନ୍ଦେହ ନାହିଁ! ଏହି ସମ୍ଭାବନା ପଛରେ ଅନେକ କାରଣ ନିହିତ ଅଛି। ଏହା ସୁବିଦିତ ଯେ କୋଭିଡ୍‌ ଯୋଗୁଁ ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇଛି। ଯେଉଁ ଯୁବକଯୁବତୀମାନେ ନୂଆ କରି ଶ୍ରମ ବଜାରରେ ପ୍ରବେଶ କରିବାକୁ ଅପେକ୍ଷା କରି ରହିଥିଲେ, ସେମାନଙ୍କ ପାଇଁ ସେହି ପ୍ରବେଶ ବିଳମ୍ବିତ ହୋଇ ଯାଇଛି। ଏହି ବିଳମ୍ବିତ ପ୍ରବେଶର ତାତ୍କାଳିକ ପ୍ରଭାବ ସେମାନଙ୍କର ଆୟ ଓ ସମ୍ପଦରେ ହ୍ରାସ ରୂପେ ଅନୁଭୂତ ହେଉଥିଲେ ହେଁ, ଏହାର ଦୀର୍ଘକାଳୀନ ପ୍ରଭାବ ଅଧିକ ଗୁରୁତର ହେବା ନିଶ୍ଚିତ। ବର୍ତ୍ତମାନ ବେକାର ହୋଇ ଘରେ ବସିବା ସମୟରେ ସେମାନଙ୍କର ମୂଲ୍ୟବାନ୍‌ କାର୍ଯ୍ୟ ଅନୁଭୂତି, କାର୍ଯ୍ୟଦକ୍ଷତା ଆଦି ସ˚ଗ୍ରହରେ ଯେଉଁ କ୍ଷତି ଘଟିବ, ସେଥିଯୋଗୁଁ ସେମାନଙ୍କର ସାରା ଜୀବନ କାଳର ସମ୍ଭାବ୍ୟ ଆୟ ଅର୍ଜନ ବାଧାପ୍ରାପ୍ତ ହେବ। ବିଶେଷ କରି ଅପେକ୍ଷାକୃତ ଅସ୍ବଚ୍ଛଳ ପରିବାରର ପିଲାମାନେ ଓ ତଳିଆ ଜ୍ଞାନକୌଶଳ ବ୍ୟବହାରକାରୀମାନେ ଏହା ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହେବେ।

ଦେଖାଯାଇଛି ଯେ କୋଭିଡ୍‌ ସମୟରେ ପୁରୁଷମାନଙ୍କ ଅପେକ୍ଷା ମହିଳା କର୍ମଚାରୀମାନେ ଅଧିକ ଅନୁପାତରେ ଛଟେଇର ସମ୍ମୁଖୀନ ହୋଇଛନ୍ତି। ଏହା ଭବିଷ୍ୟତ୍‌ରେ ମହିଳା ନିଯୁକ୍ତି ଓ ପାରିଶ୍ରମିକ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଚାଲିବ। ସମ୍ପଦ ଓ ଆୟର ବଣ୍ଟନକୁ ଏହା ଆହୁରି ଅସମତୁଲ କରି ତୋଳିବ।
କୋଭିଡ୍‌ ଭଳି ସ˚କଟର ମୁକାବିଲା ପାଇଁ ଗରିବ ପରିବାରମାନ ଯେଉଁ ସବୁ କୌଶଳ ଅବଲମ୍ବନ କରିବାକୁ ବାଧୢ ହୁଅନ୍ତି, ତାହା ଭବିଷ୍ୟତ୍‌ରେ ସେମାନଙ୍କର କାର୍ଯ୍ୟ କ୍ଷମତା ଓ ଆୟ ଅର୍ଜନ କ୍ଷମତାରେ ହ୍ରାସ ଘଟାଇବାର ଦୃଢ଼ ସମ୍ଭାବନା ଥାଏ। କୋଭିଡ୍‌ ଜନିତ ବେକାରି ଓ ଆୟ ହାନି ଯୋଗୁଁ ସେମାନେ ଶକ୍ତିବର୍ଦ୍ଧକ ପୁଷ୍ଟିକର ଖାଦ୍ୟ ଗ୍ରହଣରେ ତୀକ୍ଷ୍‌ଣ ସ˚କୋଚନ ଘଟାଇଥାନ୍ତି। ସେହିପରି ଅଭାବରେ ପଡ଼ି ସେମାନେ ନିଜର ଉତ୍ପାଦନଶୀଳ ସମ୍ପଦ ବିକ୍ରି କରିଦେବାକୁ ମଧୢ ବାଧୢ ହୁଅନ୍ତି। ଏହାର ଫଳ ସ୍ବରୂପ ଆଗାମୀ ଦିନ ମାନଙ୍କରେ ସେମାନଙ୍କର ଉପଲବ୍‌ଧ ମାନବ ସମ୍ବଳ ଓ ବସ୍ତୁଗତ ସମ୍ବଳରେ ହ୍ରାସ ଘଟିବ, ଯାହା ସେମାନଙ୍କର ଆୟ ଓ ସମ୍ପଦରେ ହ୍ରାସ ଘଟାଇବ। କୋଭିଡ୍‌ କାଳରେ ଅଭାବ ଯୋଗୁଁ ମା’ ଓ ଶିଶୁମାନଙ୍କର ପୁଷ୍ଟି ସାଧନରେ ଯେଉଁ ବାଧା ପହଞ୍ଚେ, ତାହା ଯୋଗୁଁ ସେମାନଙ୍କର ଦୀର୍ଘକାଳୀନ ଆୟ ଅର୍ଜନ କ୍ଷମତା ଗୁରୁତର ଭାବରେ ହ୍ରାସ ପାଇବ।
ବୋଧହୁଏ କୋଭିଡ୍‌ର ସର୍ବାଧିକ ଭୟଙ୍କର ପ୍ରଭାବ ସୃଷ୍ଟି ହୋଇଥାଏ ଯେଉଁଥିରୁ, ତାହା ହେଉଛି ଏଥିଯୋଗୁଁ ଦୀର୍ଘକାଳ ଧରି ଶିକ୍ଷାନୁଷ୍ଠାନମାନ ବନ୍ଦ ହୋଇ ପଡ଼ି ରହିବା। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାରଣମାନ ଯୋଗୁଁ ଅନ୍‌ଲାଇନ୍‌ ଶିକ୍ଷାଦାନ ଆଦୌ ମୁହାଁମୁହିଁ ଶିକ୍ଷାଦାନ ସହିତ ଫଳପ୍ରଦତା ଦୃଷ୍ଟିରୁ ସମକକ୍ଷ ନୁହେଁ। ବିଶେଷକରି ଅଭାବଗ୍ରସ୍ତ ପିଲାମାନଙ୍କ ପାଖରେ ଲ୍ୟାପ୍‌ଟପ୍‌ଟିଏ ବା ସ୍ମାର୍ଟ ଫୋନ୍‌ଟିଏ ନ ଥିବା ଯୋଗୁଁ ସେମାନେ ମୂଳରୁ ଏଥିରେ ଅ˚ଶଗ୍ରହଣ ହିଁ କରି ପାରନ୍ତି ନାହିଁ। ବର୍ଷାଧିକ କାଳ ବିଦ୍ୟାଳୟରୁ ନିର୍ବାସିତ ହୋଇ ଏଇ ପିଢ଼ିର ପିଲାମାନଙ୍କର ମାନସିକ ଅଭିବୃଦ୍ଧିରେ ଯେଉଁ ସ୍ଥାଣୁତା ଦେଖାଯାଏ, ତାହା ଭବିଷ୍ୟତ୍‌ରେ ଭରଣା ହେବା କଷ୍ଟସାଧୢ ହେବ, ଯାହା ସେମାନଙ୍କର ଆୟ ଅର୍ଜନ କ୍ଷମତାକୁ ବ୍ୟାହତ କରିବ। ଯେତେବେଳେ ‘ଏନ୍‌ଏସ୍‌ଏସ୍‌’ ୨୦୨୦ କୋଭିଡ୍‌ ଗ୍ରସ୍ତ କାଳ ପାଇଁ ଏକ ସର୍ବେକ୍ଷଣ କରିବ, ସେତେବେଳେ ଏହି ସମସ୍ତ କାରଣମାନ ଯୋଗୁଁ ଯଦି ସମ୍ପଦ ବଣ୍ଟନରେ ଅସମତୁଲତା ଆହୁରି ଭୟଙ୍କର ହୋଇଥାଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆଗାମୀ ସମୟରେ ଏଥିରେ ସୁଧାର ଆଣିବା ପାଇଁ ସରକାରଙ୍କୁ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରି କାର୍ଯ୍ୟକାରୀ କରିବାକୁ ହେବ।

ସମ୍ବନ୍ଧିତ ଖବର