କଥାରେ ହାଵା

ସୁଧାକର ଦାସ

ମେ’ ମାସ ଶେଷ ସପ୍ତାହର ଅସହ୍ୟ ଗରମ ଆଉ ଗୁଳୁଗୁଳି। ଠିକ୍‌ ରାତି ୧୧ଟା ବେଳକୁ ମୋ ରୁମ୍‌ ଏସି କାମ କଲାନି, ମୋର ବୁଦ୍ଧି ହଜିଗଲା। ବଡ଼ ବ୍ୟସ୍ତ ହେଇପଡ଼ିିଲି, କେମିତି ଶୋଇବି? ମୋ’ଠୁ ଅଧିକ ବ୍ୟସ୍ତ ହେଇପଡ଼ିିଲେ ମୋ’ ପତ୍ନୀ। ସେ କହି‌ଲେ, ‘କେବେଠୁ କହିଲିଣି ନୂଆ ଗୋଟେ ନେଇଆସ, ହେଲେ ତୁମେ ଶୁଣୁନା।’ ମୋର ମନେପଡ଼ିିଗଲା ମଣ୍ଟୁ କଥା। ଗାଁ ଆଡ଼ୁ ସ˚ପର୍କରେ ଶଳା ହିସାବ ହେବ। ବିଡ଼ାନାସୀରେ ପରିବାର ଧରି ରହୁଛି। କାମରେ ଯେମିତି ଓସ୍ତାଦ୍‌, କଥାରେ ସେମିତି ଫରଵାଡ। ବର୍ଷ ୫-୭ଟା ଭିତରେ କଟକ ସହରରେ ଆସ୍ଥାନ ଜମେଇ ସାରିଲାଣି ଜଣେ ଭଲ ଇଲେକ୍ଟ୍ରିି ଆଉ ଏସି ମିସ୍ତ୍ରି ଭାବେ। ମଣ୍ଟୁ କଥା ଭାବୁ ଭାବୁ ସ୍ତ୍ରୀ କହିଲେ, ‘ଏତେ ରାତିରେ କୋଉ ମେକାନିକକୁ ଡାକିଲେ କିଏ କ’ଣ ଆସିବ?’ ମୁଁ କହିଲି ‘ରୁହ ରୁହ ଟିକେ ଟ୍ରାଏ କରୁଛି।’ ମଣ୍ଟୁକୁ ଫୋନ୍‌ ଲଗେଇଲି। ତା’ର ‘ହାଲୋ ଭାଇ ନମସ୍କାର’ ଶୁଣିବା ପରେ ମୁଁ ଆକାଶରୁ କଥା ତୋଳିଆଣି କହିଲି, ‘ଆରେ ତୁ ତ ବିଡ଼ାନାସୀରେ ରହିବା ଲୋକ, ରାତି ୧୧ଟାରେ ଆମ ଘର ପାଖେ କ’ଣ କରୁଚୁ?’
‘ମତେ ଦେଖିଲ କି’ – ପଚାରିଲା ମଣ୍ଟୁ। ମୁଁ ପୁଣି ସେମିତି ହାଵା ମାରି କହିଲି, ‘ହଁ, ତୁ ଆଉ ତୋ’ ଆସିଷ୍ଟାଣ୍ଟ ଦି’ଜଣଙ୍କୁ ଦେଖିଲି।’ ଏଥର ମଣ୍ଟୁ କହିଲା- ‘ଓହୋ, ଏଇ ୧୦-୧୫ ମିନିଟ୍‌ ତଳେ ତମ ଗାଡ଼ିି ଏଇ ପଟେ ପାସ୍‌ କଲା କି? ତେସ୍ତରି କୋଡ଼ିିଏ, ପଛ ସିଟ୍‌ ଉପରେ ବାଘ କଣ୍ଢେଇ ଶୋଇଛି?’
ମୁଁ କହିଲି ‘ଏତେ ରାତିରେ କ’ଣ କରୁଛ ସେଠି?’
ମଣ୍ଟୁ କହିଲା- ‘ପ୍ରଧାନ ଟ୍ରାନସ୍‌ପୋର୍ଟରେ ଦି’ଟା ନୂଆ ଏସି ଲଗଉଥିଲି। କାମ ଶେଷ ପରେ ଦି’ଜଣ ସାଙ୍ଗ ହେଇ ଟିକେ ଚିଲ୍‌ଡ ବିଅର ପିଉଥିଲୁ। ଏବେ ବାହାରିଲୁ ଘରକୁ।’
ମୁଁ ଆଉ ସୁଯୋଗ ହାତଛଡ଼ା ନକରି କହିଲି, ‘ଆରେ ନା। ତୁ ଟିକେ ଘରକୁ ଆ’। ମୋ ରୁମ୍‌ ଏସିଟା କାମ କରୁନି। ରାତି ସାରା ହଇରାଣ ହେଇଯିବି। ଆ’ ଆ’… ଟିକେ ହାତ ମାରି ଦେଇ ଯା, ମୋ’ ଭାଇଟା ପରା!’ ମଣ୍ଟୁ ସେପଟୁ କହିଲା ‘ନା’ ଭାଇ। ପାଟି ଫାଟି ଗନ୍ଧ ହେବ, ଅପା ଆଉ ପିଲାଛୁଆ ଅଛନ୍ତି। ମତେ ଭଲ ଲାଗିବନି।’ ମୁଁ ଟିକେ ଅଭିମାନ ଭରା ଗଳାରେ କହିଲି, ‘ହଉ, ତୋ’ ଇଚ୍ଛା।’
ମଣ୍ଟୁ ଅଗତ୍ୟା କହିଲା, ‘ହଉ ହଉ ଯାଇ ପହଞ୍ଚୁଛି।’
ଏବେ ମୁଁ କଲ୍‌ଟା କାଟି ସ୍ତ୍ରୀଙ୍କୁ କହିଲି ‘ଦେଖିଲ ତ, ବର୍ତ୍ତମାନ ହେଉଛି ଏମିତି ହାଵା ମାରି କଥା କହିବାର ଯୁଗ। ତା ହୋଇ ନ ଥିଲେ ମଣ୍ଟୁ କହିଥାଆନ୍ତା , କାଲି ସକାଳକୁ ଯାଇ ଦେଖିଦେଇ ଆସିବି।’’
ହେଲେ ମଣ୍ଟୁ ଆସୁନି କାହିଁକି? ପନ୍ଦର କୋଡ଼ିିଏ ମିନିଟ୍‌ ପରେ ଆଉ ଥରେ ଫୋନ୍‌ ଲଗେଇଲି। ମଣ୍ଟୁର ଫୋନ୍‌ ରିଙ୍ଗ୍‌ ହେଲା,ହେଲେ ସେ ଉଠେଇଲାନି। ମୁଁ ଭାବିଲି, ହୁଏତ ନିଶାରେ ଭୁଲିଗଲା। ମୋ’ ଭିତରେ ବ୍ୟସ୍ତତା ବଢିବାରେ ଲାଗିଲା, ଖାଲି ମୁଁ ଗେଟ୍‌ ଯାଏ ଯାଉଥାଏ ଆସୁଥାଏ। ଏମିତି ଆହୁରି ୧୫ ମିନିଟ୍‌ ଗଡ଼ିଗଲା। ପୁଣି ଥରେ ଫୋନ୍‌ ଲଗେଇଲି। ଏଥର ସେପଟୁ ଶୁଭିଲା ଯେ ଫୋନ୍‌ଟି ସୁଇଚ୍‌ ଅଫ୍‌ ଅଛି। ଏବେ ମୋ ବିଶ୍ବାସ କମିବାକୁ ଲାଗିଲା। ବାରମ୍ବାର ଫୋନ୍‌ ଲଗାଇ ଚାଲିଥାଏ, କିନ୍ତୁ କୌଣସି ଫଳ ନାହିଁ।
ପର ଦିନ ସକାଳୁ ଉଠି ମୁଁ ଯୋଗ କରୁଥାଏ, ମଣ୍ଟୁ ପହଞ୍ଚିଲା ତା’ ଆସିଷ୍ଟାଣ୍ଟ ସହିତ। ମୋ’ ରାଗ କହିଲେ ନସରେ। ମଣ୍ଟୁ ଏ ସବୁ ବୁଝି ପାରିଲା ନିଶ୍ଚୟ। ଧୀରେ ମୋ’ପାଖକୁ ଆସି ମୋ କଡ଼ରେ ଠିଆ ହେଇ ପକେଟ୍‌ରୁ ଖଣ୍ତେ ପାନ ବାହାର କରି ମୋ’ଆଡ଼କୁ ବଢ଼େଇ ଦେଇ କହିଲା, ‘ଭାଇ ପାନ।’ ତା ପରେ ମୋ ହାତ ଧରିପକେଇ କହିଲା- ‘ଭାଇ, ରାଗନି। ବିଶ୍ବାସ କର, ଟୋଟାଲ୍‌ କାଲି ମୁଁ କଟକରେ ନଥିଲି। ଗାଁକୁ ଯାଇଥିଲି। ଦେଖିବ ଯାଅ ତମ ଗେଟ୍‌ ବାହାରେ ମୋ’ବାଇକରେ ଗାଁ ଚାଉଳ ବସ୍ତା ବନ୍ଧା ହେଇଛି।’ ମୁଁ କିଛି ବୁଝି ନ ପାରି ପଚାରିଲି, ‘‘କିନ୍ତୁ ଯୋଉ କହିଲୁ ମୋ ଗାଡ଼ି ପାସ୍‌କଲା ତୁ ଦେଖିଛୁ, ତେସ୍ତରି କୋଡ଼ିଏ, ପଛସିଟ୍‌ ଉପରେ ବାଘ କଣ୍ଢେଇ ଶୋଇଛି, ଏ ସବୁ?’
ଏଥର ସେ ନଇଁସଇଁ କହିଲା, ‘ଭାଇ, ତମେ ଯେମିତି ଆକାଶରୁ ତୋଳି ଆଣି ମତେ କହିଲ, ମୁଁ ବି ସେମିତି ଆଉ ଦି’ ପାଦ ହାଵା ମାରିବାରେ ଆଗେଇ ଗଲି। ମୋ ଭାଇଟା ପରା ମୋ ଉପରେ ରାଗିବନି।’
ମୋ ଭିତରେ ଗୋଟାଏ ପରାଜୟର ଗ୍ଳାନି ଜମାଟ ବାନ୍ଧିଗଲା। ତଥାପି ତାକୁ କହିଲି, ‘ତୁ ବେଶ୍‌ ଧୂର୍ତ୍ତ ହେଇଗଲୁଣି ୟା’ ଭିତରେ!’
ମୁଁ ସେମିତି ଅନେକ ବେଳ ଯାଏ ବସି ରହିଥିଲି। ମଣ୍ଟୁ ଟଙ୍କା ଦୁଇଶ’ ନେଇ କେତେବେଳେ ଗଲା ଜାଣି ପାରିଲିନି। ମୋ ସ୍ତ୍ରୀ ମୋ ମନ କଥା ବୁଝିପାରୁଥିଲେ। ମୋ ହାତକୁ ଲେମ୍ବୁ ପାଣି ଗିଲାସଟିଏ ବଢ଼ାଇ ଦେଉ ଦେଉ କହିଲେ, ‘ସେ ମହା ବିଚକ୍ଷଣ। ନହେଲେ ପାଞ୍ଚ ସାତ ବର୍ଷ ଭିତରେ ସହରକୁ ଆସି ତ୍ରିଶୁଳିଆ ଆଉ ଜଗତପୁରରେ ଦି’ଟା ଜାଗା କିଣି ପାରିନଥାନ୍ତା।’
ସ୍ବାହା, କେନାଲ୍‌ ରୋଡ୍‌,
ଛତ୍ର ବଜାର, କଟକ
ମୋ: ୯୪୩୭୨୭୪୮୫୭

ସମ୍ବନ୍ଧିତ ଖବର