କେବଳ ସେତିକି ନୁହେଁ, ଆପଣାକୁ ଅତ୍ୟନ୍ତ ପ୍ରଗତିଶୀଳ ଏବଂ ଉଦାରବାଦୀ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରୁଥିବା କାନାଡା ଏବଂ ତା’ର କତିପୟ ସମର୍ଥକ ୟୁରୋପୀୟ ଗଣତାନ୍ତ୍ରିକ ରାଷ୍ଟ୍ର ‘ଅଭିବ୍ୟକ୍ତିର ସ୍ବାଧୀନତା’ ଆଳରେ ଆତଙ୍କବାଦକୁ ମଧ୍ୟ ପ୍ରଶ୍ରୟ ଦେବାରେ ଉଦ୍ଗ୍ରୀବ, ଅର୍ଥାତ୍ ସେମାନେ ଇରାନ ଠାରୁ ବିଶେଷ ଭିନ୍ନ ନୁହନ୍ତି! ଏଠାରେ ପ୍ରକାଶ ଥାଉ କି କାନାଡାର ମୁଖ୍ୟ ଟେଲିଭିଜନ ଚ୍ୟାନେଲ ‘ସି.ବି.ସି.’ ଏ ପର୍ଯ୍ୟନ୍ତ ଇସ୍ରାଏଲ୍ ଉପରେ ହୋଇଥିବା ହମାସ୍ର ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ରୂପେ ଅଭିହିତ କରି ନାହିଁ କି ହମାସ୍କୁ ଏକ ଆତଙ୍କବାଦୀ ସଂଗଠନ ବୋଲି ମଧ୍ୟ କହି ନାହିଁ। ଏଭଳି ସ୍ଥଳେ ଯୁଦ୍ଧ ସମେତ ଆତଙ୍କବାଦ ବିଲୋପନର ବିଭିନ୍ନ ଉଦ୍ୟମ ଅବଲୀଳା କ୍ରମେ ନିରର୍ଥକ ହୋଇଯିବା ଅବଶ୍ୟମ୍ଭାବୀ ହୋଇ ପଡ଼େ ନାହିଁ କି?
୧୯୯୩ ମସିହା, ମାର୍ଚ୍ଚ ମାସରେ ସିରିଏଲ୍ ବୋମା ବିସ୍ଫୋରଣରେ ମୁମ୍ବାଇ ମହାନଗରୀ ପ୍ରକଂପିତ ହୋଇ ଉଠିଥିଲା, ଯହିଁରେ ୨୫୭ ଲୋକ ପ୍ରାଣ ହରାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ର ଏହାର ନିନ୍ଦା କରିଥିଲେ ହେଁ ତାହା ନିଃସର୍ତ୍ତ ନ ଥିଲା; ସେମାନଙ୍କ ଅଭିବ୍ୟକ୍ତିରେ ମୃଦୁ ଭାବେ ଉଚ୍ଚାରିତ ‘କିନ୍ତୁ’ମାନ ରହିଥିଲେ; ଯେମିତି କି ଏହାର କାରଣ ବାବ୍ରୀ ମସଜିଦ୍ର ପତନ ବା ଭାରତରେ ବୃଦ୍ଧି ପାଉଥିବା ହିନ୍ଦୁ-ମୁସଲମାନ ସାଂପ୍ରଦାୟିକ ବିଭାଜନ ବା ଅଛିଣ୍ଡା ହୋଇ ରହିଥିବା କାଶ୍ମୀର ସମସ୍ୟା ଇତ୍ୟାଦି! ‘ଦ ପ୍ରିଣ୍ଟ’ର ମୁଖ୍ୟ ସଂପାଦକ ଶେଖର ଗୁପ୍ତା ଏ ସଂଦର୍ଭରେ କହିଥାଆନ୍ତି ଯେ ୨୦୦୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଭୟାବହ ଆତଙ୍କବାଦୀ ଆକ୍ରମଣ (୯/୧୧) ସଂଘଟିତ ହେବା ପରେ ଯାଇ ଆତଙ୍କବାଦ ନିଃସର୍ତ୍ତ ନିନ୍ଦାର ଶରବ୍ୟ ହେବାକୁ ଲାଗିଲା, ଅର୍ଥାତ୍ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଆଲୋଚନା ବେଳେ ‘କିନ୍ତୁ’ ଲାଗି ଆଉ କୌଣସି ଅବକାଶ ରହିଲା ନାହିଁ; ଆଫଗାନିସ୍ତାନ ଏବଂ ଇରାକ୍ ଉପରେ ଘମାଘୋଟ ଆକ୍ରମଣ କରିବା ସହିତ ଯୁକ୍ତରାଷ୍ଟ୍ର ଆମେରିକା ‘ଆତଙ୍କବାଦ ବିରୋଧରେ ଯୁଦ୍ଧ’ ପ୍ରାରମ୍ଭ କରିଦେଲା, ଯାହା ଅକୁଣ୍ଠ ସମର୍ଥନ ମଧ୍ୟ ଲାଭ କଲା। ସେହି ଦୃଷ୍ଟିରୁ ଆଶା କରାଯାଉ ନ ଥିଲା ଯେ ‘ହମାସ୍’ ବିନାଶ ଉଦ୍ଦେଶ୍ୟରେ ଇସ୍ରାଏଲ୍ ପ୍ରାରମ୍ଭ କରିଥିବା ନିର୍ଣ୍ଣାୟକ ଯୁଦ୍ଧ ପରିପ୍ରେକ୍ଷୀରେ ପୁନର୍ବାର ଅନେକ ‘କିନ୍ତୁ’ର ଆବିର୍ଭାବ ଘଟିବ! କିନ୍ତୁ ତାହା ହିଁ ଘଟିଛି। ତେଣୁ ମନରେ ପ୍ରଶ୍ନ ଉଠେ ଏଭଳି ‘କିନ୍ତୁ’ଗୁଡ଼ିକ ପୁନର୍ବାର ଉଭା ହେଲେ କାହିଁକି?
ପ୍ରକାଶ ଥାଉ କି ୨୦୦୧ ମସିହାରେ ଆମେରିକା ଦ୍ବାରା ସଂଘଟିତ ‘ଆତଙ୍କବାଦ ବିରୋଧୀ ଯୁଦ୍ଧ’ର ମୂଳ ଉଦ୍ଦେଶ୍ୟ ଥିଲା ‘ଅଲ କାଏଦା’ ଏବଂ ତାକୁ ପ୍ରଚ୍ଛନ୍ନ ସହଯୋଗ କରୁଥିବା ସଂଗଠନ ‘ତାଲିବାନ’ର ସଂପୂର୍ଣ୍ଣ ବିନାଶ; କାରଣ ‘ଅଲ କାଏଦା’ ଆତଙ୍କବାଦୀଙ୍କ ରଚିତ ଆକ୍ରମଣରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଧରାଶାୟୀ ହେବା ସହିତ ୨,୯୭୭ ସଂଖ୍ୟକ ଆମେରିକୀୟ ପ୍ରାଣ ହରାଇଥିଲେ। ସୁତରାଂ, ପ୍ରଥମେ ଆଫଗାନିସ୍ତାନ ଏବଂ ତା’ ପର ବର୍ଷ ଇରାକ୍ ଘମାଘୋଟ ଆମେରିକୀ ଆକ୍ରମଣର ଶିକାର ହୋଇଥିଲେ। ଏହାର ଦୁଇ ଦଶନ୍ଧି ପରେ ଯଦି ଏହି ଆମେରିକା ପ୍ରାୟୋଜିତ ଯୁଦ୍ଧର ଫଳାଫଳ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖିବାକୁ ମିଳିବ ଯେ ଅଲ କାଏଦାର ମୁଖ୍ୟ ଓସାମା ବିନ ଲାଦେନ ଓ ଇରାକର ଶାସକ ସଦ୍ଦାମ ହୁସେନଙ୍କୁ ନିପାତ କରାଯିବା ଛଡ଼ା ଅନ୍ୟ କୌଣସି ସଫଳତା ଉପଲବ୍ଧ ହୋଇନାହିଁ। ତାଲିବାନ ବିରୋଧୀ ଆକ୍ରମଣର ଦୁଇ ଦଶନ୍ଧି ପରେ ସେହି ଆତଙ୍କବାଦୀ ସଂଗଠନ ହାତରେ ଆଫଗାନିସ୍ତାନକୁ ଅର୍ପଣ କରି ଯୁକ୍ତରାଷ୍ଟ୍ର ଆମେରିକା ସ୍ବଦେଶ ବାହୁଡ଼ିବାକୁ ବାଧ୍ୟ ହୋଇଛି। ସେହି ଭଳି ଆମେରିକୀୟ ଆକ୍ରମଣ ‘ଅଲ କାଏଦା’ର ସମୂଳ ବିଲୟ ଘଟାଇ ପାରନାହିଁ; ବରଂ ତହିଁରୁ ‘ଆଇ.ଏସ୍.ଆଇ.ଏସ୍’ ଭଳି ଏକ ଅଧିକ ରକ୍ତ ପିପାସୁ, ନିର୍ମମ ଓ କଟ୍ଟର ଆତଙ୍କବାଦୀ ସଂଗଠନର ସୃଷ୍ଟି ହୋଇଛି। ଅବଶ୍ୟ, କେହି କେହି କହି ପାରନ୍ତି ଯେ ଆମେରିକା ହାତରେ ‘ଆଇ.ଏସ୍.ଆଇ.ଏସ୍’ର ମୁଖ୍ୟ ଅଲ-ବଗଦାଦୀ ନିହତ ହେବା ସହିତ ସେହି ସଂଗଠନ ମୃତପ୍ରାୟ ହୋଇଯାଇଛି ଏବଂ ତା’ର ପୂର୍ବର ଭୌଗୋଳିକ ପ୍ରଭୁତ୍ବ ନିଶ୍ଚିହ୍ନ ହୋଇଛି। କିନ୍ତୁ, ଏକ ବିଡ଼ମ୍ବିତ ବାସ୍ତବତା ହେଲା ‘ଅଲ କାଏଦା’ ହେଉ ଅଥବା ‘ଆଇ.ଏସ୍.ଆଇ.ଏସ୍’; ଏହି ସଂଗଠନଗୁଡ଼ିକର ମୂଳାଦର୍ଶର ବିଲୁପ୍ତି ଘଟି ନାହିଁ ଏବଂ ଏବେ ମଧ୍ୟ ଏହି ସଂଗଠନର ଆଦର୍ଶକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ‘ଲୋନ୍ ଉଲ୍ଫ’ ବା ‘ନିଃସଙ୍ଗ ଗଧିଆ’ ସୁଲଭ ଅନ୍ତର୍ଘାତୀ ଆକ୍ରମଣମାନ ଘଟାଉଛନ୍ତି ଏବଂ ତାହାର ଭିଡିଓଗୁଡ଼ିକୁ ସଦର୍ପ ପ୍ରସାର କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଆଇ.ଏସ୍.ଆଇ.ଏସ୍’ ବା ‘ଅଲ କାଏଦା’ ପୂର୍ବ ଭଳି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଭାବଶାଳୀ ହୋଇ ରହିନାହାନ୍ତି ସତ, ତେବେ, ଭୌଗୋଳିକ ସରହଦ ଅତିକ୍ରମ କରି ପୃଥିବୀର ବିଭିନ୍ନ ସ୍ଥାନରେ, କେତେବେଳେ ବାଂଲାଦେଶରେ ତ କେତେବେଳେ ଶ୍ରୀଲଙ୍କାରେ ତ ପୁଣି କେତେବେଳେ ସୁଦୂର ଆଫ୍ରିକୀୟ ଦେଶମାନଙ୍କରେ ସନ୍ତର୍ପଣରେ ମୁଣ୍ଡ ଟେକିବାରେ ଲାଗିଛନ୍ତି। ସୁତରାଂ, ଆତଙ୍କବାଦ ବିଲୋପନ ଯୁଦ୍ଧ ଅନୁଭୂତିରୁ ପ୍ରଥମ ‘କିନ୍ତୁ’ର ସୃଷ୍ଟି, ଯାହା ହେଲା ବୀଭତ୍ସ ଓ ଭୟାବହ ଆତଙ୍କବାଦ ଆକ୍ରମଣ ପରିପ୍ରେକ୍ଷୀରେ ଯୁଦ୍ଧ ତ ଏକ ସ୍ବାଭାବିକ ପ୍ରତିଶୋଧପରାୟଣ ପ୍ରତିକ୍ରିୟା, କିନ୍ତୁ ଏଭଳି ଯୁଦ୍ଧ ଆତଙ୍କବାଦର ବିନାଶ କରିବାକୁ ସମର୍ଥ କି?
ପ୍ରକାଶ ଥାଉ କି ଗଲା ଶତାବ୍ଦୀର ଚତୁର୍ଥ ଦଶକରେ ଇସ୍ରାଏଲ୍ ଅସ୍ତିିତ୍ବକୁ ଆସିବାର ଏକ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୩୫ ମସିହାରୁ ହମାସ୍ ରହି ଆସିଛି ଏବଂ ହମାସ୍କୁ ନିଃଶେଷ କରିବା ଲାଗି ଇସ୍ରାଏଲ୍ ପକ୍ଷରୁ ଏ ଯାବତ୍ ଚଉଦ ଥର ଆକ୍ରମଣ ସଂଘଟିତ ହୋଇ ସାରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ। ଏହାର କାରଣ ହେଲା ଗାଜା ପଟିକୁ ଆପଣା ନିୟନ୍ତ୍ରଣରେ ରଖିଥିବା ହମାସ୍ ଇରାନରୁ ପୁଂଜି ଓ ପ୍ରଶିକ୍ଷଣ ପାଇ ପରିପୁଷ୍ଟ ହୋଇଥାଏ। ଏହା ସୁବିଦିତ ହୋଇଥିଲେ ହେଁ ଇରାନ ସହିତ ଅନେକ ରାଷ୍ଟ୍ର ବେଶ୍ ସହଜ କୂଟନୈତିକ ସଂପର୍କ ରଖି ଆସିଛନ୍ତିି। କେବଳ ସେତିକି ନୁହେଁ, ସିରିଆରେ ଚାଲିଥିବା ଗୃହ ଯୁଦ୍ଧ ପ୍ରକୃତରେ ଏକ ‘ପ୍ରକ୍ସି ଯୁଦ୍ଧ’ ଯହିଁରେ ସିରିଆର ଶାସକ ବାସେର ଅଲ ଆସାଦଙ୍କ ସମର୍ଥନରେ ଇରାନ ଦ୍ବାରା ହମାସ୍ ନିୟୋଜିତ। ଏହା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଆତଙ୍କବାଦକୁ ପ୍ରକାଶ୍ୟ ସମର୍ଥନ ପ୍ରଦାନ କରୁଥିବା ରାଷ୍ଟ୍ର ଇରାନ କିନ୍ତୁ ଏକ ଗୋଠ ଛଡ଼ା ରାଷ୍ଟ୍ର ନୁହେଁ। ଏହାର ସମର୍ଥକଙ୍କ ତାଲିକାରେ ଚୀନ ଏବଂ ରୁଷିଆକୁ ଦେଖିବାକୁ ମିଳିଥାଏ। ସୁତରାଂ, ଏହା ଏକ ବିଡ଼ମ୍ବନା ନୁହେଁ କି ଯେ ପୃଥିବୀର ନେତୃତ୍ବ ନେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସହିତ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ଚୀନ ଏକ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ରର ସମର୍ଥକ ଏବଂ ଏହା ସତ୍ତ୍ବେ ପୃଥିବୀର ସମସ୍ତ ରାଷ୍ଟ୍ର ଚୀନ ସହିତ ଠିକଣା ସଂପର୍କ ରଖିବାକୁ ଇଚ୍ଛୁକ! ଏଭଳି ଏକ ପରିବେଶରେ ଆତଙ୍କବାଦର ମୂଳୋତ୍ପାଟନ ସମ୍ଭବ କି? ଏହା ଦ୍ବିତୀୟ ‘କିନ୍ତୁ’।
ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ ସୃଷ୍ଟ ପ୍ରମୁଖ ସଂଗଠନ ‘ଜାତିସଂଘ’ ସଂପ୍ରତି ଏକ ଦନ୍ତହୀନ ଅନୁଷ୍ଠାନ; ଯାହାର ଉଦ୍ବେଗ, ଅନୁଶୋଚନା, ପରାମର୍ଶ ଏଭଳି କି ବାସନ୍ଦ ଭଳି କାର୍ଯ୍ୟାନୁଷ୍ଠାନ ସେତ୍ତ୍ବ ପୃଥିବୀର ଅନେକ ରାଷ୍ଟ୍ର ଯୁଦ୍ଧରେ ଲିପ୍ତ; ଦେଶଗୁଡ଼ିକର ସାର୍ବଭୌମତ୍ବ ଭୂଲୁଣ୍ଠିତ ଏବଂ ଯୁଦ୍ଧ ଅପରାଧମାନ ନିରଙ୍କୁଶ ଭାବେ ଘଟି ଚାଲିଛି। କେବଳ ସେତିକି ନୁହେଁ, ଆପଣାକୁ ଅତ୍ୟନ୍ତ ପ୍ରଗତିଶୀଳ ଏବଂ ଉଦାରବାଦୀ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରୁଥିବା କାନାଡା ଏବଂ ତାର କତିପୟ ସମର୍ଥକ ୟୁରୋପୀୟ ଗଣତାନ୍ତ୍ରିକ ରାଷ୍ଟ୍ର ‘ଅଭିବ୍ୟକ୍ତିର ସ୍ବାଧୀନତା’ ଆଳରେ ଆତଙ୍କବାଦକୁ ମଧ୍ୟ ପ୍ରଶ୍ରୟ ଦେବାରେ ଉଦ୍ଗ୍ରୀବ, ଅର୍ଥାତ୍ ସେମାନେ ଇରାନ ଠାରୁ ବିଶେଷ ଭିନ୍ନ ନୁହନ୍ତି! ଏଠାରେ ପ୍ରକାଶ ଥାଉ କି କାନାଡାର ମୁଖ୍ୟ ଟେଲିଭିଜନ ଚ୍ୟାନେଲ ‘ସି.ବି.ସି.’ ଏ ପର୍ଯ୍ୟନ୍ତ ଇସ୍ରାଏଲ୍ ଉପରେ ହୋଇଥିବା ହମାସ୍ର ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ରୂପେ ଅଭିହିତ କରି ନାହିଁ କି ହମାସ୍କୁ ଏକ ଆତଙ୍କବାଦୀ ସଂଗଠନ ବୋଲି ମଧ୍ୟ କହି ନାହିଁ। ଏଭଳି ସ୍ଥଳେ ଯୁଦ୍ଧ ସମେତ ଆତଙ୍କବାଦ ବିଲୋପନର ବିଭିନ୍ନ ଉଦ୍ୟମ ଅବଲୀଳା କ୍ରମେ ନିରର୍ଥକ ହୋଇଯିବା ଅବଶ୍ୟମ୍ଭାବୀ ହୋଇ ପଡ଼େ ନାହିଁ କି? ଏହା ହେଉଛି ତୃତୀୟ ‘କିନ୍ତୁ’। ଏହିଭଳି ଅନେକ ‘କିନ୍ତୁ’ ବିଦ୍ୟମାନ ଯାହାର ଆଲୋଚନା ଅଧିକ ସ୍ଥାନ ଦାବି କରେ; କିନ୍ତୁ ମୂଳ ପ୍ରଶ୍ନ ହେଲା ଏହି ‘କିନ୍ତୁ’ଗୁଡ଼ିକ ଦୂର ହେବ କିପରି?