ଆସନ୍ତା କାଲି ଦେଶର ସର୍ବତ୍ର ପବିତ୍ର ଦୀପାବଳି ଉତ୍ସବ ଯଦିଓ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯିବ, ଅନେକଙ୍କ ମତରେ ପୂର୍ବର ଦୀପାବଳିଗୁଡ଼ିକ ଭଳି ଏଥିରେ ହୁଏତ ବୈଦ୍ୟୁତିକ ଉଲ୍ଲାସ ପରିଦୃଷ୍ଟ ହୋଇ ନ ପାରେ; ଯାହା ଅବାଧ ବାଣ ଫୁଟାରୁ ମିଳିଥାଏ। ଏହା ସୁବିଦିତ ଯେ ରାଜଧାନୀ ଦିଲ୍ଲୀ ଅଞ୍ଚଳର ବାୟୁମଣ୍ଡଳ ଅସହନୀୟ ଭାବେ ପ୍ରଦୂଷିତ ହୋଇଯାଇଥିବା କାରଣରୁ ଏହି ଦୀପାବଳିରେ ସେଠାରେ ସମସ୍ତ ପ୍ରକାର ଆତସବାଜିକୁ ବନ୍ଦ ରଖିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ଏହି ଆଦେଶ ଅନୁସାରେ ଦେଶରେ ସର୍ବତ୍ର ସାଧାରଣ ବାଣ ପରିବର୍ତ୍ତେ କେବଳ ‘ସବୁଜ ବାଣ’ ହିଁ ଫୁଟି ପାରିବ। ଏହି ପରିପ୍ରେକ୍ଷୀରେ ଗୋଟିଏ ଗୋଷ୍ଠୀ ଯୁକ୍ତି କରିଥାନ୍ତି ଯେ ଯାନବାହନ ଏବଂ କଳ-କାରଖାନାରୁ ନିର୍ଗତ ହେଉଥିବା ଧୂଆଁ ଓ ଧୂଳି ପ୍ରତି ଦିନ ବାୟୁମଣ୍ଡଳକୁ ପ୍ରଦୂଷିତ କରି ଚାଲିଥିବା ବେଳେ ଅଧିକ ପ୍ରଦୂଷଣ ସୃଷ୍ଟିର ଆକ୍ଷେପ ଲଗାଇ ଭାରତୀୟମାନଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ଉତ୍ସବଟିରୁ ମିଳୁଥିବା ମାତ୍ର ଗୋଟିଏ ଓଳିର ଔଜ୍ଜ୍ବଲ୍ୟ ଓ ଉଲ୍ଲାସକୁ ଏଭଳି ନିଷ୍ପ୍ରଭ କରି ଦିଆଯିବା ଆଦୌ ଉଚିତ ନୁହେଁ। ଏଭଳି ସ୍ଥଳେ ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ସଂଦର୍ଭରେ ଯେଉଁ ଏକ ମୌଳିକ ପ୍ରଶ୍ନ ଉଠିଥାଏ, ତାହା ହେଲା ବାଣ ଫୁଟା ପ୍ରକୃତରେ କେତେ ମାତ୍ରାରେ ପ୍ରଦୂଷଣ ସୃଷ୍ଟି କରିଥାଏ? ଏହା ନିର୍ଦ୍ଧାରଣ କରିବା ଲାଗି ଗଲା ୨୦୧୬ ମସିହାରେ ‘ଚେଷ୍ଟ୍ ରିସର୍ଚ ଫାଉଣ୍ଡେସନ୍’ ବା ‘ସି.ଆର୍.ଏଫ୍’ ପକ୍ଷରୁ ଗୋଟିଏ ୫୦ ଘନ ମିଟର ନିବୁଜ କୋଠରିରେ ‘ଲାଇଟ୍ ସ୍କାଟରିଂ ଫଟୋମିଟର’ ବ୍ୟବହାର କରି ଦୀପାବଳିର ସର୍ବାଧିକ ଲୋକପ୍ରିୟ ପାଞ୍ଚଟି ବାଣ ଯେପରିକି ଫୁଲଝରି, କୁଂପି, ଚକ୍ରି, ସାପ ଟାବଲେଟ୍ ଏବଂ ଲଙ୍କା ବାଣ (କେତେକ ସ୍ଥାନରେ ଚାଇନା-ବାଣ ଭାବେ ଜଣା) ଜଳାଇ ତହିଁରୁ ନିର୍ଗତ ହେଉଥିବା ‘ପି.ଏମ୍-୨.୫’ କଣିକାର ସ୍ତର ନିର୍ଦ୍ଧାରଣ କରାଯାଇଥିଲା। ତହିଁରୁ ଜଣାପଡ଼ିଥିଲା ଯେ ଗୋଟିଏ ଫୁଲଝରିରୁ ୭୪ଟି ସିଗାରେଟ୍, ଗୋଟିଏ କୁଂପିରୁ ୩୪ଟି ଏବଂ ଗୋଟିଏ ଲଙ୍କା ବାଣରୁ ୨୭୭ଟି ସିଗାରେଟ୍ ଦ୍ବାରା ସୃଷ୍ଟ ପ୍ରଦୂଷଣ ତଥା ‘ପି.ଏମ୍-୨.୫’ ଜାତ ହୋଇଥାଏ। ସୁତରାଂ, ଏଥିରୁ ବାଣ ଫୁଟା ଜନିତ ପ୍ରଦୂଷଣର ଭୀଷଣତା ନେଇ ଏକ ଧାରଣା କରି ହୁଏ। ଦୀପାବଳିର ବାଣ ଫୁଟା କାରଣରୁ ଦିଲ୍ଲୀର ବାୟୁମଣ୍ଡଳ କିଭଳି ପ୍ରଦୂଷିତ ହୋଇଥାଏ, ତାହାର ସୂଚନା ଗଲା ବର୍ଷ ସରକାରୀ ଭାବେ ଆୟୋଜିତ ‘ମନିଟରିଂ ରିପୋର୍ଟରୁ ମିଳିଥିଲା, ଯାହା ଅନୁସାରେ ଦୀପାବଳି ପୂର୍ବ ସନ୍ଧ୍ୟାରେ ପ୍ରତି ଘନମିଟର ବାୟୁମଣ୍ଡଳରେ ‘ପି.ଏମ୍-୨.୫’ର ସର୍ବାଧିକ ପରିମାଣ ୨୨୦ ମାଇକ୍ରୋଗ୍ରାମ ଥିବା ବେଳେ ଦୀପାବଳି ପରେ ଏହା ବୃଦ୍ଧି ପାଇ ହୋଇଥିଲା ପ୍ରତି ଘନ ମିଟରରେ ୭୦୦ ମାଇକ୍ରୋଗ୍ରାମ, ଯାହା ଥିଲା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ.’ ଦ୍ବାରା ଜାରି କରାଯାଇଥିବା ମାନବ ସହନୀୟ ସ୍ତରର ୪୦ ଗୁଣରୁ ଅଧିକ। ସୁତରାଂ, ଗୋଟିଏ ଦୀପାବଳି ସନ୍ଧ୍ୟା ବାୟୁମଣ୍ଡଳକୁ କିଭଳି ବିପଜ୍ଜନକ କରିଥାଏ, ତାହା ଏଥିରୁ ସ୍ପଷ୍ଟ ଏବଂ କେଇ ଘଣ୍ଟା ଲାଗି ହେଲେ ମଧ୍ୟ ଦିଲ୍ଲୀ ନିବାସୀ କେଇ ଶହ ସିଗାରେଟ୍ ଧୂଆଁ ସମ ପ୍ରଦୂଷଣକୁ ପ୍ରଶ୍ବାସରେ ନେବାକୁ ବାଧ୍ୟ ହୁଅନ୍ତି। ସେହି ଦୃଷ୍ଟିରୁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶରେ ଯଥାର୍ଥତା ରହିଥିବା ଭଳି ମନେ ହୁଏ।
ଆଜିକୁ ପ୍ରାୟ ଦେଢ଼ ହଜାର ବର୍ଷ ପୂର୍ବେ ଅର୍ଥାତ୍ ୮୦୦ ଖ୍ରୀଷ୍ଟାବ୍ଦରେ ଚୀନର ଜଣେ ପରିଚୟହୀନ ରସାୟନବିତ୍ ତାଙ୍କ ଗବେଷଣା କାଳରେ ପ୍ରଥମ ଥର ଲାଗି ଦୈବାତ୍ ବାରୁଦ ଗୁଣ୍ଡ ସହ ଭେଟାଭେଟି ହୋଇ ଯାଇଥିଲେ; ସେ ଅମର ରହିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରୁଥିବା ସଲଫର, ପୋଟାସିଅମ ନାଇଟ୍ରେଟ୍ ଏବଂ ଅଙ୍ଗାର ଚୂର୍ଣ୍ଣର ଏକ ରାସାୟନିକ ମିଶ୍ରଣ କୌଣସି କାରଣରୁ ସାମାନ୍ୟ ଅଗ୍ନିକଣାର ସଂସ୍ପର୍ଶରେ ଆସି ବିସ୍ଫୋରଣ ଘଟାଇଥିଲା। ଏହି ମିଶ୍ରଣ ଥିଲା ପୃଥିବୀର ପ୍ରଥମ ବାରୁଦ ଗୁଣ୍ଡ, ଯାହାର ପ୍ରସ୍ତୁତି ଜ୍ଞାନ ମଙ୍ଗୋଲ ବୀର ଚେଙ୍ଗିଜ୍ ଖାଁଙ୍କ ଅଧୀନକୁ ଆସିବା ପରେ କ୍ରମେ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପିଥିଲା। କହିବା ବାହୁଲ୍ୟ ଯେ ଏହି ବାରୁଦ ଗୁଣ୍ଡ ହିଁ ପରବର୍ତ୍ତୀ କାଳରେ ବ୍ୟକ୍ତି ଓ ରାଷ୍ଟ୍ର ଶକ୍ତିର ପରାକାଷ୍ଠାକୁ ନୂତନ ଭାବେ ପରିଭାଷିତ କଲା, ଯୁଦ୍ଧର ରୂପରେଖ ବଦଳାଇ ପୃଥିବୀର ଇତିହାସକୁ ନୂଆ ମୋଡ଼ ଦେଲା। ତେବେ, ସେ ଯାହା ହେଉ, ଏହା ସହିତ ଚମକପ୍ରଦ ଆତସବାଜିର ନୂଆ ଅଧ୍ୟାୟ ମଧ୍ୟ ଆରମ୍ଭ ହୋଇଥିଲା, ଯାହା ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଭାରତକୁ ଆସି ସାରିଥିଲା। ତତ୍କାଳୀନ ସମ୍ରାଟମାନଙ୍କ ପୃଷ୍ଠପୋଷକତାରେ ବିଶାଳ ଆତସବାଜି ଉତ୍ସବମାନ ଅନୁଷ୍ଠିତ ହେଉଥିବାର ବିବରଣୀ ଓ ଚିତ୍ରମାନ ଉପଲବ୍ଧ। ଦାକ୍ଷିଣାତ୍ୟର ବିଜୟନଗରମ ସାମ୍ରାଜ୍ୟରୁ ନେଇ ଉତ୍ତର ଭାରତର ମୋଗଲ ସାମ୍ରାଜ୍ୟ ପର୍ଯ୍ୟନ୍ତ ଆତସବାଜିର ଉତ୍ସବମାନ ଅତ୍ୟନ୍ତ ଲୋକପ୍ରିୟ ଥିଲା। ତେବେ, ଅନ୍ଧକାର ରାତ୍ରିରେ ବାଣ ରୋଶଣିର ଅପରୂପ ସୌନ୍ଦର୍ଯ୍ୟର ଛଟାକୁ ଆହୁରି ଆକର୍ଷଣୀୟ କରିବା ଲାଗି କ୍ରମେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟକୁ ବ୍ୟବହାର କରାଯାଇ ନୂଆ ନୂଆ ପ୍ରକାର ବାରୁଦ ଗୁଣ୍ଡମାନ ପ୍ରସ୍ତୁତ ହେଲା, ଯାହା ବାଣ ଆଲୋକର ଔଜ୍ଜ୍ବଲ୍ୟ ଏବଂ ଶବ୍ଦର ତୀବ୍ରତାକୁ ବୃଦ୍ଧି କଲା ସିନା, ବିଷାକ୍ତ ଧୂଆଁ ଓ ସୂକ୍ଷ୍ମାତିସୂକ୍ଷ୍ମ କଣିବା (‘ପି.ଏମ୍-୨.୫’) ଜାତ କରି ପରିବେଶକୁ ପ୍ରଦୂଷିତ କରିବାକୁ ଲାଗିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ କେନ୍ଦ୍ର ସରକାରଙ୍କ ଗବେଷଣା ଅନୁଷ୍ଠାନ ‘ନେସନାଲ ଏନଭିରନମେଣ୍ଟାଲ ଇଂଜିନିଅରିଂ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ଦ୍ବାରା ପ୍ରସ୍ତୁତ ‘ସବୁଜ ବାଣ’ ଏକ ଅଭିନବ ପ୍ରୟାସ; ଯେଉଁଥିରେ ସର୍ବାଧିକ ପ୍ରଦୂଷଣକାରୀ ବାରିଅମ ପାଉଡରକୁ ଆଦୌ ବ୍ୟବହାର କରାଯାଇ ନ ଥାଏ। କେବଳ ସେତିକି ନୁହେଁ, କେତେକ ‘ସବୁଜ ବାଣ’ରେ ଜଳୀୟ ବାଷ୍ପ ନିର୍ଗତ ହେବାର ବ୍ୟବସ୍ଥା କରାଯାଇ ‘ପି.ଏମ୍.-୨.୫’କୁ ବାୟୁ ମଣ୍ଡଳରେ ଖେଳି ବୁଲିବାକୁ ଦିଆ ଯାଇ ନ ଥାଏ। ଏହି ବାଣରୁ ନିର୍ଗତ ପ୍ରଦୂଷଣର ମାତ୍ରା ଓ ଶବ୍ଦର ତୀବ୍ରତା ସାଧାରଣ ବାଣ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍। ସୁତରାଂ, ଏହାର ବ୍ୟବହାର ପ୍ରଦୂଷଣକୁ ତୁଳନାତ୍ମକ ଭାବେ ହ୍ରାସ କରୁଥିବା ବେଳେ ବାଣ ଫୁଟାଇବାର ଉଲ୍ଲାସ ପ୍ରଦାନ କରିବା ଦିଗରେ ବାଧା ସୃଷ୍ଟି କରିବ ନାହିଁ।
ଭାରତର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କାର୍ତ୍ତିକ ତ୍ରୟୋଦଶୀ ଠାରୁ ପ୍ରାରମ୍ଭ ହୋଇ ତିନି ଦିନ ଧରି ଚାଲି ଦୀପାବଳି ଅମାବାସ୍ୟାରେ ସମାପ୍ତ ହୋଇଥାଏ। କାର୍ତ୍ତିକ ତ୍ରୟୋଦଶୀକୁ ‘ଦେବ ବୈଦ୍ୟ ଧନ୍ବନ୍ତରୀ ତ୍ରୟୋଦଶୀ’ ବୋଲି ମଧ୍ୟ କୁହାଯାଏ, ଯାହା ‘ଧନତେରାସ’ ଭାବେ ଲୋକପ୍ରିୟ; ଯଦିଓ ଅନେକ ଭାରତୀୟ ଏବେ ‘ଧନତେରାସ’କୁ ‘ଧନ’ ସହିତ ଯୋଡ଼ି ଏହାକୁ କୁବେରଙ୍କ ପୂଜା ବୋଲି କହିଥାଆନ୍ତି। ତେବେ, ସେ ଯାହା ହେଉ ଶାସ୍ତ୍ର ବ୍ୟାଖ୍ୟାକାରମାନେ କହିଥାଆନ୍ତି ଯେ ପୃଥିବୀ ଘନଘୋର ଶୀତ କାଳ ମଧ୍ୟକୁ ପ୍ରବେଶ କରିବାର ଅବ୍ୟବହିତ ପୂର୍ବରୁ କାର୍ତ୍ତିକ ତ୍ରୟୋଦଶୀ ଦିନ ସୁସ୍ବାସ୍ଥ୍ୟ କାମନା କରି ଧନ୍ବନ୍ତରୀଙ୍କ ଆଶିଷ ଲୋଡ଼ାଯାଇଥାଏ। ଦୀପାବଳି ଅମାବାସ୍ୟାକୁ ମହାମାୟୀ ମା’ ଲକ୍ଷ୍ମୀଙ୍କ ପବିତ୍ର ଜନ୍ମ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ। ମହାଲକ୍ଷ୍ମୀ ପରିଷ୍କାର-ପରିଚ୍ଛନ୍ନତାକୁ ଭଲ ପାଉଥିବାରୁ ଦୀପାବଳି ପୂର୍ବ ଦିନ ଅସଂଖ୍ୟ ଭାରତୀୟ ପରିବାର ନିଜ ଗୃହକୁ ଅଳିଆ, ଆବର୍ଜନା ଏବଂ ପ୍ରଦୂଷଣମୁକ୍ତ କରି ‘ଶ୍ରୀ’ବୃଦ୍ଧିର କାମନା କରନ୍ତି। ଆମେ ଆଶା କରିବା ଯେ ଦୀପାବଳିର ଏହି ପବିତ୍ର ଭାବନା ବଳବତ୍ତର ରହୁ; ଏହି ଭାବନା ଆମ କ୍ଷୁଦ୍ର ବାସଗୃହମାନଙ୍କରୁ ବାହାରି ଆମକୁ ଆଶ୍ରୟ ଦେଇଥିବା ଏହି ଗ୍ରହ-ଗୃହକୁ ସଂପ୍ରସାରିତ ହେଉ; ପ୍ରଦୂଷଣ ମୁକ୍ତ ପରିଚ୍ଛନ୍ନ ପରିବେଶ ସମ୍ଭବ ହେଲେ ଆମ ପୃଥିବୀ ଉପରେ ମା’ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆଶୀର୍ବାଦ ଝରି ପୃଥିବୀବାସୀଙ୍କ ‘ଶ୍ରୀ’ବୃଦ୍ଧି ହେବା ସହିତ ‘ସୁସ୍ବାସ୍ଥ୍ୟ’ ସମ୍ଭବ ହେବ। ଏବଂ ‘ଧନତେରାସ’କୁ ଧନର ପର୍ବ ରୂପେ ବିବେଚନା କରୁଥିବା ଭାରତୀୟମାନେ ମଧ୍ୟ ହୃଦୟଙ୍ଗମ କରିବା ଉଚିତ ଯେ ସ୍ବାସ୍ଥ୍ୟ ହିଁ ପ୍ରକୃତ ଧନ ବା ସଂପଦ।
ଦୀପାବଳି ଅନୁଚିନ୍ତା
/sambad/media/post_attachments/wp-content/uploads/2023/05/sampadakiya.jpg)