ଓଡ଼ିଆରେ ଗୋଟେ ଢଗ ଅଛି- “ବଡ଼ ବଡ଼ ଗଲେ ଫସର ଫାଟି, ସାନ ଆସିଛନ୍ତି ବେସର ବାଟି।” ଯେତେବେଳେ ବାର ଶହ କୁଶଳୀ ବଢ଼େଇମାନଙ୍କର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ କୋଣାର୍କ ମନ୍ଦିରର ମୁଣ୍ଡି ମରାଯାଇ ପାରିନଥିଲା ସେତେବେଳେ ବାଳକ ଧରମାର ଆବିର୍ଭାବ ଓ ଦମ୍ଭୋକ୍ତିକୁ ନେଇ ଏହି ଢଗଟି କୁହାଯାଇଥିଲା ବୋଲି ଶୁଣାଯାଏ। ଆଜି ଉତ୍ତରକାଶୀରେ ଏକ ମୂଷିକ ଗର୍ତ୍ତ ଖନନ ବାହିନୀ ଏହି ଢଗଟିକୁ ପୁନଶ୍ଚ ପ୍ରମାଣ କରିଦେଇଛି କାରଣ ଯେତେବେଳେ ଆମେରିକାର ଅତ୍ୟାଧୁନିକ ଅଗର ଖୋଦେଇ ଯନ୍ତ୍ର ଓ ଅଷ୍ଟ୍ରେଲିଆର ବିଶିଷ୍ଟ ଟନେଲ ବିଶାରଦ ସହିତ ଶହ ଶହ ଦେଶୀ ବିଦେଶୀ ଗୁମ୍ଫା ବିଶେଷଜ୍ଞ ଅସହାୟ ହୋଇପଡ଼ିଲେ ସେତେବେଳେ ଏହି ମୂଷିକ ବାହିନୀ ମାତ୍ର ଚବିଶ ଘଣ୍ଟାରେ ସତର ଦିନରୁ ଅଧିକ କାଳ ଫସି ରହିଥିବା ଏକଚାଳିଶ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସଫଳ ହୋଇପାରିଛି।
ଏହି ମୂଷିକ ଗର୍ତ୍ତ ବିଶାରଦଙ୍କ କୌଶଳ କ’ଣ? ଦ୍ୱାପର ଯୁଗ ମହାଭାରତରେ ଏହାର ସୂଚନା ରହିଛି। ଯେତେବେଳେ ଦୁର୍ଯ୍ୟୋଧନଙ୍କ ଚକ୍ରାନ୍ତରେ ପଞ୍ଚୁପାଣ୍ଡବ ଜଉଗୃହକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ସେତେବେଳେ ବିଦୂର ମହାଶୟ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏକାକୀ ଉପଦେଶ ଦେଇ କହିଥିଲେ ଯେ ବଣରେ ଯେତେବେଳେ ନିଆଁ ଲାଗିଯାଇଥାଏ ସେତେବେଳେ ମୂଷାମାନେ ଗାତ ଭିତରେ ପଶି ତାକୁ ଖୋଳି ତାଡ଼ି ଏପଟୁ ସେପଟକୁ ବାହାରିଯାଇଥାନ୍ତି ଓ ନିଆଁ କବଳରୁ ନିଜକୁ ରକ୍ଷା କରିଥାନ୍ତି। ଏହି କୌଶଳ ଅବଲମ୍ବନ କରି ପାଣ୍ଡବମାନେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଥିଲେ। ଆଜି ଏହି କୌଶଳକୁ ଅଣବୈଜ୍ଞାନିକ ବୋଲି କୁହାଯାଉଛି ଏବଂ ଏହାକୁ ବିପଜ୍ଜନକ ବୋଲି ନିଷିଦ୍ଧ ଘୋଷଣା କରାଯାଇଛି। କିନ୍ତୁ ମେଘାଳୟର କେତେକ ଅଧିବାସୀ ଏ ପର୍ଯ୍ୟନ୍ତ କୋଇଲା ଖଣିମାନଙ୍କରେ ମୂଷା ଭଳି ଏକ ସରୁ ଗାତ ଭିତରେ ପଶି ବେନିୟମ ଭାବରେ କୋଇଲା ଉତ୍ତୋଳନ କରି ତାଙ୍କର ବେପାର କରିଥାନ୍ତି।
ଜୀବନର ଅନ୍ତିମ ମୁହୂର୍ତ୍ତରେ ଯେତେବେଳେ ସବୁଆଡୁ ମଣିଷ ଅସହାୟ ହୋଇପଡ଼େ ସେତେବେଳେ ସେ ଆଉ ନିୟମ ବେନିୟମ ବିଚାର କରିନଥାଏ। ଭୂପ୍ରସ୍ଥ ଖନନରେ ଯେତେବେଳେ ବିଦେଶୀ ଅଗର ଯନ୍ତ୍ରଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ସେତେବେଳେ ‘ଦଳେଇ ଆଇଲେ ମୂଳରୁ ଗାଆ’ ସଦୃଶ ଏକ ଭୂଲମ୍ବ ଖୋଦନ ପାଇଁ ନୂଆ ଯନ୍ତ୍ରର ବ୍ୟବସ୍ଥା କରାଗଲା। ଶେଷ ମୁହୂର୍ତ୍ତରେ ଘୋଷଣା କରାଗଲା ଯେ ଏହି ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବ। ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ ବୋଲି ବିଶେଷଜ୍ଞମାନଙ୍କ ଦ୍ୱାରା ଆଶଙ୍କା ପ୍ରକାଶ କରାଗଲା। ଚାରିଆଡୁ ହତାଶ ହୋଇ ଏହି ମୂଷିକ ବାହିନୀଙ୍କ ସହାୟତା ଲୋଡ଼ାଗଲା ଏବଂ ଆଶ୍ଚର୍ଯ୍ୟ ଲାଗିଲା ଯେ ଯେଉଁ ଲୌହ ସଦୃଶ ଚଟାଣକୁ ଅଗର ମେସିନ ଭାଙ୍ଗି ନ ପାରି ଖଣ୍ଡ ଖଣ୍ଡ ହୋଇଯାଇଥିଲା ତାକୁ ଏମାନେ ମାତ୍ର ଚବିଶ ଘଣ୍ଟା ମଧ୍ୟରେ ହାତରେ ଭାଙ୍ଗିରୁଜି ଶ୍ରମିକମାନଙ୍କୁ ଉଦ୍ଧାର କରିଦେଲେ। ମୃତ୍ୟୁ ଉପରେ ଜୀବନର ଏହା ଠାରୁ ଆଉ ବଡ଼ ବିଜୟ କ’ଣ ହୋଇପାରେ?
ଉତ୍ତରକାଶୀର ଏହି ଦୁର୍ଘଟଣା ଆମକୁ ଦୁଇଟି ବଡ଼ ଶିକ୍ଷା ଦେଇଛି। ପ୍ରଥମଟି ହେଉଛି ରାତିଦିନ ଅକ୍ଳାନ୍ତ ପରିଶ୍ରମର କୌଣସି ବିକଳ୍ପ ନାହିଁ, ଯାହାକି ଏହି ଉଦ୍ଧାର କାର୍ଯ୍ୟରେ ଜଡ଼ିତ ଏନଡିଆରଏଫ, ସେନାବାହିନୀ ଓ ସ୍ଥାନୀୟ ପ୍ରଶାସନ ସମସ୍ତେ ମିଳିମିଶି କରି ଦେଖାଇ ଦେଇଛନ୍ତି। ଦ୍ୱିତୀୟଟି ହେଉଛି ଜୀବନରେ କେତେବେଳେ କାହାକୁ ବି ଛୋଟ ମଣନ୍ତୁ ନାହିଁ କି ହେୟଜ୍ଞାନ କରନ୍ତୁ ନାହିଁ, ଯାହାକି ଏହି ମୂଷିକ ଗର୍ତ୍ତ ଖନନ ବାହିନୀ ପ୍ରମାଣ କରିଦେଇଛନ୍ତି। କିଏ ଜାଣେ କେତେବେଳେ କିଏ ଆପଣଙ୍କ କାମରେ ଆସିପାରେ ଓ ଅସମୟରେ ଆପଣଙ୍କୁ ସହଯୋଗର ହାତ ବଢ଼େଇ ପାରେ?
ଉଦାହରଣଟିଏ ଦେଉଛି। ଗାଡ଼ି କମ୍ପାନିମାନଙ୍କର ଉନ୍ନତମାନ ଗାଡ଼ି ପ୍ରସ୍ତୁତିର ଏକ ପ୍ରତିଯୋଗିତା ହେଉଥିଲା। ପୃଥିବୀର ବଡ଼ ବଡ଼ କମ୍ପାନି ଏହି ପ୍ରତିଯୋଗିତାରେ ଭାଗ ନେଉଥିଲେ ଏବଂ ପ୍ରତିଯୋଗୀମାନଙ୍କର ଅଗୋଚରରେ ନିଜ ନିଜ କାରଖାନାରେ ଉନ୍ନତମାନ କୌଶଳର ଗାଡ଼ି ନିର୍ମାଣରେ ବ୍ୟସ୍ତ ଥିଲେ। ପ୍ରତିଯୋଗିତା ଦିନ ସମସ୍ତେ ନିଜ ନିଜର ଗାଡ଼ି ପ୍ରଦର୍ଶନୀକୁ ଆଣିଲେ କିନ୍ତୁ ଗୋଟିଏ କମ୍ପାନିର ନିର୍ମିତ ଗାଡ଼ିଟିର ଉଚ୍ଚତା କାରଖାନାର ମୁଖ୍ୟ ଦ୍ୱାର ଠାରୁ ଦୁଇ ଇଞ୍ଚ ଉଚ୍ଚ ହୋଇଯାଇଥିଲା। ଗାଡ଼ି ନିର୍ମାଣରେ ସମସ୍ତେ ଏତେ ବ୍ୟସ୍ତ ରହିଥିଲେ ଯେ ଏଇ କଥାଟିକୁ କେହି ଦୃଷ୍ଟି ଦେଇ ନଥିଲେ। ଗାଡ଼ି ଚକାଚକ ହୋଇ ଯେତେବେଳେ କାରଖାନାରୁ ବାହାରିଲା ମୁଖ୍ୟ ଦ୍ୱାର ଫାଟକ ପାଖରେ ଅଟକିଗଲା। କ’ଣ କରାଯିବ? ବିଶେଷଜ୍ଞମାନଙ୍କୁ ଡକାଗଲା। କିଏ କହିଲା ଗାଡ଼ିଟିକୁ ତିନି ଇଞ୍ଚ କାଟିବାକୁ ପଡ଼ିବ ତ କିଏ କହିଲା ମୁଖ୍ୟ ଦ୍ବାରକୁ ଭାଙ୍ଗିଦେବାକୁ ପଡ଼ିବ। ଦୁଇଟିଯାକ ସମୟସାପେକ୍ଷ ଥିଲା। ସମସ୍ତେ ଚିନ୍ତାଗ୍ରସ୍ତ ଥିଲେ। ଏହି ସମୟରେ ସେହି ବାଟ ଦେଇ ଜଣେ ଛୋଟିଆ କାର ମେକାନିକ୍‌ ଯାଉଥିଲା। ଏମାନଙ୍କର ସମସ୍ୟା ଜାଣିପାରି କହିଲା “ଆଜ୍ଞା, ଗାଡ଼ି କାଟିବା ଦରକାର ନାହିଁକି କାରଖାନାର ମୁଖ୍ୟ ଦ୍ୱାର ଭାଙ୍ଗିବା ଦରକାର ନାହିଁ, କେବଳ ଗାଡ଼ିର ଚାରିଟି ଯାକ ଚକାରୁ ତିନି ଇଞ୍ଚ ପବନ ବାହାର କରି ଦିଅନ୍ତୁ ଓ ବାହାରିଲା ପରେ ପୁଣି ପବନ ଭର୍ତ୍ତି କରିଦିଅନ୍ତୁ।” ଏକଥା ଶୁଣି ହଠାତ୍ ତାଳି ମାଡ଼ ଆରମ୍ଭ ହୋଇଗଲା। ଆରେ ସତ ତ! ଏହି କଥାଟି କେମିତି କାହିଁକି କାହା ମୁଣ୍ଡକୁ ଢୁକୁ ନଥିଲା।
ବନ୍ଧୁଗଣ, ଏହି ଉଦ୍ଧାର କାର୍ଯ୍ୟରେ ସମସ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ଏତିକି କୁହାଯାଇପାରିବ ଯେ ଏହି ମୂଷିକ ଗର୍ତ୍ତ ଖନନ ବାହିନୀଙ୍କ କଥା ଯଦି ଆଗରୁ କାହା ମୁଣ୍ଡକୁ ଢୁକିଥାନ୍ତା ତେବେ ହୁଏତ ସତର ଦିନ ବଦଳରେ ମାତ୍ର ସାତ ଦିନ ଭିତରେ ଏହି ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇ ପାରିଥାନ୍ତା। ସେ ଯାହା ହେଉ ନା କାହିଁକି, ଶେଷକୁ ଏତିକି ମାନିବାକୁ ପଡ଼ିବ ଯେ ଯାହାର ଅନ୍ତ ଭଲ ହୋଇଛି ତାହାର ସବୁ ଭଲ ହୋଇଛି।
ମୋ: ୯୪୩୭୦୬୭୫୬୭