କମୁଛି ଚାଷ ଜମି

ନାରାୟଣ ଚନ୍ଦ୍ର ବିଶ୍ବାଳ

କରୋନାର ‘ଲକ୍‌ଡାଉନ୍‌’ ସମୟ ଭିତରେ ସରକାର ପ୍ରାଥମିକ ଭାବେ କୃଷି କାର୍ଯ୍ୟକୁ ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାବାସୀଙ୍କ ମୁଖ୍ୟ ଆର୍ଥିକ ଅବଲମ୍ବନ ହେଉଛି କୃଷି। କିନ୍ତୁ ଶିଳ୍ପାୟନର ବିଶାଳକାୟ ଆଁ ମୁହଁରେ ଓଡ଼ିଶାର ଚାଷ ଜମି ଗଳି ଯାଉଛି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳର ଚାଷୀ କ୍ଷେତ ଉପରେ ମଧ୍ୟ କ˚କ୍ରିଟର ଭୀମକାୟ ରୂପ ମାଡ଼ି ଚାଲୁଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ କହେ ଯେ ଗଲା ଚାରି ବର୍ଷ ଭିତରେ ଓଡ଼ିଶାର ଚାଷଉପଯୋଗୀ ଜମି ପରିମାଣ ୨,୮୫,୦୦୦ ହେକ୍‌ଟର କମିଛି। କେବଳ ଓଡ଼ିଶାରେ ନୁହେଁ ଭାରତର ପ୍ରାୟ ସର୍ବତ୍ର ଏଭଳି ପରିସ୍ଥିତି। ତହିଁରୁ ଆଶଙ୍କା ପ୍ରକାଶ ପାଉଛି ଯେ ବର୍ତ୍ତମାନ ସିନା ଦେଶର ଖାଦ୍ୟ ନିରାପତ୍ତା ପାଇଁ ଏହା କୌଣସି ସମସ୍ୟା ସୃଷ୍ଟି କରି ନ ପାରେ, ତେବେ ପରବର୍ତ୍ତୀ ସମୟରେ ଏହା ଖାଦ୍ୟ ନିରାପତ୍ତାକୁ ଆକ୍ରାନ୍ତ କରିବ। ଦେଶରେ ଜନସ˚ଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଖାଦ୍ୟଶସ୍ୟର ଚାହିଦା ବଢ଼ି ଚାଲିଥିବା ବେଳେ ଚାଷ ଜମିର ଆୟତନ ହ୍ରାସ ଏ କ୍ଷେତ୍ରରେ ପ୍ରତିକୂଳ ସାବ୍ୟସ୍ତ ହେବ। ଗତ ସପ୍ତାହରେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ତଥ୍ୟ କହୁଛି ଯେ ପ୍ରଗତିର ଶୀର୍ଷ ସ୍ଥାନରେ ରହୁଥିବା ଦେଶର କୃଷିଭିିତ୍ତିକ କୋଡ଼ିଏଟି ରାଜ୍ୟରେ ଚାଷ ଉପଯୋଗୀ ଜମିର ପରିମାଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏହି ରାଜ୍ୟ ସବୁରେ ଚାଷ ଉପଯୋଗୀ ଜମି ପରିମାଣ ପ୍ରାୟ ୭,୯୦,୦୦୦ ହେକ୍‌ଟର କମିଛି। ସେମାନେ ଦର୍ଶାଇଛନ୍ତି ଯେ ଏହି ଚାଷ ଜମିକୁ ଗୃହନିର୍ମାଣ ଓ ଶିଳ୍ପ ତଥା ଅନ୍ୟ ଔଦ୍ୟୋଗିକ କାର୍ଯ୍ୟରେ ବ୍ୟବହାର କରାଯାଉଛି।

ତେବେ, ୨୦୦୭ ମସିହାର ରାଷ୍ଟ୍ର ପୁନର୍ବସତି ଓ ପୁନର୍ଥଇଥାନ ନୀତି ଅନୁସାରେ ସରକାର ଚାଷ ଜମି ହ୍ରାସକୁ ରୋକିବା ଦିଗରେ ଉଦ୍ୟମ କରିଛନ୍ତି। ତେବେ ଏହା ମଧୢ ନିରାଟ ସତ୍ୟ ଯେ ଶିଳ୍ପାୟନ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତଥା ରେଳ ବା ସଡ଼କ ପ୍ରକଳ୍ପ ଲାଗି ଭିତ୍ତିଭୂମି ସ୍ଥାପନ ଲାଗି ଜମି ଅଧିଗ୍ରହଣ କରିବାକୁ ହେଉଛି, ଯହିଁରେ ଚାଷ ଜମିର ପରିମାଣ ହ୍ରାସ ପାଉଛି। କିନ୍ତୁ ଏହାର ବେଗକୁ ମନ୍ଥର କରିବାକୁ ହେବ।

ନିକଟରେ ଲୋକସଭାରେ ଉପସ୍ଥାପିତ କୃଷି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପାଞ୍ଚଟି ରାଜ୍ୟରେ ଚାଷ ଜମିର ପରିମାଣ ବୃଦ୍ଧି କରିବା ନେଇ ପଦକ୍ଷେପ ନିଆଯାଉଛି। ତେବେ ଚାଷ ଜମିଗୁଡ଼ିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଯେପରି ଗୋଆ, ସିକିମ୍‌, ଆସାମ ରାଜ୍ୟ ସେମାନଙ୍କ ନିଜର ସ୍ବତନ୍ତ୍ର ନୀତି ଅନୁସରଣ କରୁଛନ୍ତି, ସେଭଳି ନୀତି ଅନ୍ୟ ରାଜ୍ୟମାନେ ମଧୢ ଗ୍ରହଣ କରିବା ଆବଶ୍ୟକ। ତେବେ, ଗୁଜୁରାଟ, ଜାମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମିଜୋରମ ଭଳି କିଛି ରାଜ୍ୟରେ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି। ତେବେ ଚାଷ ଜମି ସର୍ବାଧିକ ହ୍ରାସ ପାଇଥିବା ରାଜ୍ୟ ହେଉଛି ହରିଆଣା। ମୁଖ୍ୟତଃ ‘ରିଅଲ୍‌ ଇଷ୍ଟେଟ୍‌’ ପାଇଁ ଚାଷ ଜମି ପରିମାଣ ଏଠାରେ କମିଥିବା କଥା କୁହାଯାଉଛି। ଏବେ ସମୟ ଆସିଛି ଶିଳ୍ପାୟନ ଲାଗି ଜମି ଦିଆଯିବା ବେଳେ ଚାଷ ଜମିକୁ ବିବେଚନା ନ କରି କୃଷି ଲାଗି ନିୟୋଜିତ ହେଉ ନ ଥିବା ଜମି ଉପରେ ଗୁରୁତ୍ବ ଦିଆଯାଉ। ସେହିଭଳି ଜନବସତି ଲାଗି ଚାଷ ଜମିର ବ୍ୟବହାର ଉପରେ କଟକଣା ଲାଗିବା ଦରକାର। କାରଣ ଚାଷ ଜମିର ସୁରକ୍ଷା ଭାରତ ଭଳି ଏକ ଜନବହୁଳ ଦେଶ ଲାଗି ଅତ୍ୟନ୍ତ ଜରୁରୀ। ତା’ ନ ହେଲେ ଭାରତକୁ ବିଭିନ୍ନ କୃଷିଜାତ ଦବ୍ୟ ଲାଗି ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ହେବ ଯାହା ପ୍ରକାରାନ୍ତରେ ଦେଶକୁ ପରନିର୍ଭରଶୀଳ କରି ପକାଇବ।
କଟିକଟା, ମଙ୍ଗଳପୁର, ଯାଜପୁର
ମୋ- ୯୪୩୮୨୭୬୭୬୦

ସମ୍ବନ୍ଧିତ ଖବର