ପ୍ରଧାନମନ୍ତ୍ରୀ କହିଲେ ‘ହ୍ୟାଟ୍ରିକ୍‌’। ବାକି ସମସ୍ତେ ବି ପାଳି ଧରିଲେ ‘ହ୍ୟାଟ୍ରିକ୍‌’। ସକାଳ ହେଉ ହେଉ ସାରା ଦେଶରେ ଏକ ସନ୍ଦେଶ ବ୍ୟାପିଗଲା କି, ତିନି ରାଜ୍ୟରେ ବିଜୟ ପରେ ବିଜେପିକୁ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ବାଜି ମାରିବାରୁ କେହି ରୋକିପାରିବେ ନାହିଁ। ବିଜେପିର ସମର୍ଥକମାନେ ଏବେ ବିଜୟୋନ୍ମାଦରେ ଭାସି ବୁଲୁଥିବା ବେଳେ ବିରୋଧୀମାନେ ଉଦାସ ଦେଖାଯାଉଛନ୍ତି। ଏହି ନିଷ୍କର୍ଷ ସତ କି ନୁହେଁ, ତାହା ପଚାରିବାକୁ କାହା ପାଖରେ ଫୁରୁସତ ନାହିଁ। ମନୋବିଜ୍ଞାନର ଖେଳ ଏପରି ଖେଳାଯାଇଥାଏ ଏବଂ ବିଜୟ ହାସଲ ହୋଇଥାଏ। ସତ୍ୟର ଏକ ଛୋଟ ବେଲୁନ୍‌କୁ ଫୁଙ୍କି ଏତେ ବଡ଼ କରିଦିଅ ଯେ, ସେଥିରେ ପ୍ରତ୍ୟେକ ବିରୋଧାଭାସୀ ସତ ଲୁଚିଯିବ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯଦି ପ୍ରତିପକ୍ଷର ମନୋବଳ ନଷ୍ଟ ହୋଇଯାଏ, ତେବେ ମ୍ୟାଚ୍‌ରେ ବ୍ୟାକ୍‌-ଓଭର ତ ମିଳିଯିବ। ସେଥିପାଇଁ ଆମେ ଥଣ୍ଡା ମନରେ ଏହି ଦାବିର ଯାଞ୍ଚ କରିବା ଜରୁରୀ।

Advertisment

ପ୍ରଥମ ପଦକ୍ଷେପ: ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌ରୁ ସେହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଉ। ଚାରି ରାଜ୍ୟରେ ସବୁ ଦଳଙ୍କୁ ମିଳିଥିବା ସମସ୍ତ ଭୋଟ୍‌କୁ ଯୋଡ଼ି ଦିଆଯାଉ। ବିଜୟର ଶଙ୍ଖନାଦ ବଜାଉଥିବା ବିଜେପିକୁ ମୋଟ ୪,୮୧,୩୩,୪୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ହାରିଯାଇଥିବା କଂଗ୍ରେସକୁ ମିଳିଛି ୪,୯୦,୭୭,୯୦୭ ଖଣ୍ଡ ଭୋଟ। ଅର୍ଥାତ୍‌ ମୋଟାମୋଟି ଭାବେ କଂଗ୍ରେସକୁ ବିଜେପି ଅପେକ୍ଷା ପ୍ରାୟ ସାଢ଼େ ନଅ ଲକ୍ଷ ଭୋଟ ଅଧିକ ମିଳିଛି! ତଥାପି ଚାରିଆଡ଼େ ଚର୍ଚ୍ଚା ହେଉଛି ଯେପରି କଂଗ୍ରେସକୁ ବିଜେପି ସଂପୂର୍ଣ୍ଣ ଭାବେ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ତିନିଟିଯାକ ହିନ୍ଦୀଭାଷୀ ରାଜ୍ୟର ଆସନ ସଂଖ୍ୟା ଯଦି ବିଚାରକୁ ନିଆଯାଏ, ତେବେ ଚାରିଆଡ଼େ ନଜରରେ କେବଳ ବିଜେପି ହିଁ ବିଜେପି ଦେଖାଯିବ। ମାତ୍ର ବାସ୍ତବରେ ଦୁଇ ଦଳ ମଧ୍ୟରେ ଭୋଟ ବ୍ୟବଧାନ ବେଶୀ ନାହିଁ। ରାଜସ୍ଥାନରେ ବିଜେପିକୁ ୪୧.୭% ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୩୯.୬% ଭୋଟ ମିଳିଛି। ଅର୍ଥାତ୍‌ ଭୋଟ ବ୍ୟବଧାନ ହେଉଛି ମାତ୍ର ଦୁଇ ପ୍ରତିଶତ। ସେହିପରି ଛତିଶଗଡ଼ରେ ବିଜେପିକୁ ୪୬.୩% ଭୋଟ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୪୨.୨%। ଅର୍ଥାତ୍‌ ଭୋଟ ବ୍ୟବଧାନ ଏଠାରେ ମାତ୍ର ୪ ପ୍ରତିଶତ ରହିଛି। କେବଳ ମଧ୍ୟପ୍ରଦେଶରେ ଭୋଟ ବ୍ୟବଧାନ ୮ ପ୍ରତିଶତରୁ ଅଧିକ ରହିଛି। ସେଠାରେ ବିଜେପିକୁ ୪୮.୬% ଭୋଟ ମିଳିଥିବା ବେଳେ କଂଗ୍ରେସ ହାତରେ ପଡ଼ିଛି ୪୦ ପ୍ରତିଶତ ଭୋଟ। ଏହି ତିନିଟିଯାକ ରାଜ୍ୟରେ ହାରିବା ସତ୍ତ୍ବେ କଂଗ୍ରେସର ଭୋଟ ଭାଗ ୪୦ ପ୍ରତିଶତ ବା ତା’ଠାରୁ ଅଧିକ ରହିଛି। ତେଣୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହେବ ନାହିଁ। ଏହି ତିନିଟି ରାଜ୍ୟରେ ବିଜେପିକୁ ଯେତିକି ଅଧିକ ଭୋଟ ମିଳିଛି, କେବଳ ତେଲେଙ୍ଗାନା ରାଜ୍ୟରେ କଂଗ୍ରେସ ତାହାର ଭରଣା କରିପାରିଛି। ସେଠାରେ କଂଗ୍ରେସ ଦଳକୁ ୩୯.୪% ଭୋଟ (୯୧ଲକ୍ଷରୁ ଅଧିକ) ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୧୩.୯ ପ୍ରତିଶତ (୩୨ ଲକ୍ଷରୁ ବି କମ୍‌)। ୨୦୧୮ ପରେ ଯେଉଁ ରାଜ୍ୟର ନିର୍ବାଚନୀ ଦୌଡ଼ରେ କଂଗ୍ରେସ ବାହାରିଯିବ ବୋଲି ଜଣାପଡୁଥିଲା, ସେଠାରେ ଏପରି ଶୀର୍ଷରେ ପହଞ୍ଚିବା ହେଉଛି ରାଜନୈତିକ ଅଭ୍ୟୁଦୟର ଲକ୍ଷଣ।
ଦ୍ବିତୀୟ ପଦକ୍ଷେପ: ‘ହ୍ୟାଟ୍ରିକ୍‌’ ପୁରାଣର ଯାଞ୍ଚ କରିବା ପାଇଁ ଇତିହାସର ସମୀକ୍ଷା କରିବା ଜରୁରୀ। ବିଗତ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନର କିଛି ମାସ ପରେ ଲୋକସଭା ନିର୍ବାଚନ ହୋଇ ଆସୁଛି। ଗତ ଥର ୨୦୧୮ରେ ଏହି ତିନି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ହାରିଥିଲା। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ କି କୌଣସି ଗଣମାଧ୍ୟମ ୨୦୧୯ର ଲୋକସଭା ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ ବୋଲି ଦାବି କରିନଥିଲେ। ଯେବେ ସଂସଦୀୟ ନିର୍ବାଚନ ହେଲା, ବିଜେପି ଏହି ତିନି ରାଜ୍ୟ ସମେତ ଅନ୍ୟ ହିନ୍ଦୀଭାଷୀ ଅଞ୍ଚଳରେ ବିପୁଳ ବିଜୟ ହାସଲ କରିଥିଲା। ସେହିପରି ୨୦୦୩ରେ କଂଗ୍ରେସ ଏହି ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ହାରିଥିଲେ ହେଁ ତାହାର କିଛି ମାସ ପରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଦଳ ଆଶାତୀତ ସଫଳତା ଲାଭ କରିଥିଲା। ଏହାର ଅର୍ଥ ହେଉଛି, ବିଧାନସଭା ଓ ଲୋକସଭା ନିର୍ବାଚନର ପ୍ରକୃତି ପରସ୍ପରଠାରୁ ସଂପୂର୍ଣ୍ଣ ଅଲଗା। ତେଣୁ ବିଧାନସଭା ଫଳାଫଳରୁ ସିଧାସଳଖ ଲୋକସଭା ପାଇଁ ନିଷ୍କର୍ଷ ବାହାର କରିବା ଭୁଲ୍‌ ହେବ। ଯଦି ବିଜେପି ଏହାକୁ ବଦଳାଇପାରୁଛି, ତେବେ କଂଗ୍ରେସ କାହିଁକି ପାରିବନି?
ତୃତୀୟ ପଦକ୍ଷେପ: ୨୦୨୪ରେ କ୍ଷମତା ପରିବର୍ତ୍ତନର ସମୀକରଣକୁ ଦେଖାଯାଉ। ହିନ୍ଦୀ ଭାଷାଭାଷୀ ଏହି ତିନିଟି ରାଜ୍ୟ ଉପରେ ବିଜେପି ନିର୍ଭରଶୀଳ ଥିଲା ବେଳେ ବିରୋଧୀଙ୍କ ଆଶା ଏହି ରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁ ନାହିଁ। ଇନ୍‌ଡିଆ ମେଣ୍ଟର ନିର୍ବାଚନ ଗଣିତ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗରେ ବିଜେପିର ଆସନ ହ୍ରାସ ଉପରେ ନିର୍ଭର କରୁଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ମୋଟ ୬୫ଟି ସଂସଦୀୟ ଆସନ ମଧ୍ୟରୁ ବିଜେପି ଖାତାରେ ୬୧ଟି ଓ କଂଗ୍ରେସ ଭାଗରେ ମାତ୍ର ୩ଟି ଆସନ ରହିଛି। ତେଣୁ ବିଜେପି ପାଇଁ ଆହ୍ବାନ ହେଉଛି, ଏହି ସବୁ ଆସନକୁ ବଜାୟ ରଖିବା ସହ ତେଲେଙ୍ଗାନାରେ ଜିତିଥିବା ଚାରିଟିଯାକ ଆସନକୁ ଯଥା ସମ୍ଭବ ଧରି ରଖିବା। ଏପଟେ ଏହି ରାଜ୍ୟଗୁଡ଼ିକରେ କଂଗ୍ରେସର ହରାଇବା ଲାଗି କିଛି ନାହିଁ। ଅର୍ଥାତ୍‌, ଏହି ବିଧାନସଭା ନିର୍ବାଚନରେ ବିଜେପି କିଛି ନୂଆ ସଫଳତା ହାସଲ କରିପାରିନାହିଁ।
ଚତୁର୍ଥ ପଦକ୍ଷେପ: ବିଧାନସଭାର ଏହି ପରିଣାମକୁ ଲୋକସଭା ହିସାବରେ ଗଣାଯାଉ। ପ୍ରକୃତରେ କଂଗ୍ରେସକୁ ଲୋକସଭା ନିର୍ବାଚନରେ ଏଇ ବିଧାନସଭା ନିର୍ବାଚନ ଫଳାଫଳକୁ ପାଲଟାଇବାକୁ ପଡ଼ିବ ନାହିଁ। କାରଣ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ୍‌ରେ ମୋଟ ୮୩ ଲୋକସଭା ଆସନ ମଧ୍ୟରୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୬୫ଟି ଆସନ ମିଳିଛି। କଂଗ୍ରେସକୁ କେବଳ ୬ଟି ଆସନ ମିଳିଥିବା ବେଳେ ବାକି ସବୁ ଆସନ ବିଆର୍‌ଏସ୍‌, ଏମ୍‌ଏନ୍‌ଏଫ୍‌ ଓ ଏମ୍‌ଆଇଏମ୍‌ ଆଦି ଦଳ ହାତରେ ରହିଛି।
ବିଜେପି ଓ କଂଗ୍ରେସକୁ ୨୦୨୩ ବିଧାନସଭା ନିର୍ବାଚନରେ ଯେତିକି ଭୋଟ ମିଳିଛି, ଯଦି ୨୦୨୪ ଲୋକସବା ନିର୍ବାଚନରେ ପ୍ରତି ବିଧାନସଭା କ୍ଷେତ୍ରରେ ଠିକ୍‌ ସେତିକି ଭୋଟ ସେମାନଙ୍କୁ ମିଳିବ, ତେବେ ସେମାନଙ୍କ ଲୋକସଂଖ୍ୟା ଆସନ ସଂଖ୍ୟା ଏହିପରି ହେବ: ରାଜସ୍ଥାନରେ ବିଜେପି ୧୪ ଓ କଂଗ୍ରେସ ୧୧; ଛତିଶଗଡ଼ରେ ବିଜେପି ୮ ଓ କଂଗ୍ରେସ ୩; ମଧ୍ୟପ୍ରଦେଶରେ ବିଜେପି ୨୫ ଓ କଂଗ୍ରେସ ୪; ତେଲେଙ୍ଗାନାରେ କଂଗ୍ରେସ ୯ ଓ ବିଜେପି ଶୂନ (ବିଆର୍‌ଏସ୍‌କୁ ୭ ଓ ଏମ୍‌ଆଇଏମ୍‌କୁ ୧) ଏବଂ ମିଜୋରାମରେ ଜେଏମ୍‌ପିକୁ ଗୋଟିଏ ଆସନ ମିଳିବ। ବିଧାନସଭା ନିର୍ବାଚନ ହିସାବରେ ଲୋକସଭାର ମୋଟ ୮୩ଟି ଆସନ ମଧ୍ୟରୁ ବିଜେପିକୁ ୪୬ଟି ଓ କଂଗ୍ରେସକୁ ୨୮ଟି ଆସନ ମିଳିବ। ଅର୍ଥାତ୍‌ ଏହି ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ, ବିଜେପିକୁ ଲାଭ ବଦଳରେ ୧୯ଟି ଆସନର କ୍ଷତି ସହିବାକୁ ପଡୁଥିବା ବେଳେ କଂଗ୍ରେସକୁ ୨୨ଟି ଆସନର ଲାଭ ମିଳିବ। ତେବେ କଂଗ୍ରେସକୁ ଏତିକି ନିଶ୍ଚିତ କରିବାକୁ ହେବ କି, ବିଧାନସଭା ନିର୍ବାଚନରେ ମିଳିଥିବା ଭୋଟ ଯେପରି ଲୋକସଭା ନିର୍ବାଚନରେ ମିଳେ।
କେହି ବି କହପାରନ୍ତି ଯେ ଇଏ ତ ସାଦା ଗଣିତ ମାତ୍ର। ଆପଣ ଏଠାରେ ‘ମୋଦୀ ମ୍ୟାଜିକ’କୁ ହିସାବକୁ ନେଇ ନାହାନ୍ତି। ମୋଦୀଙ୍କର ମ୍ୟାଜିକ ଯଦି କାମ କଲା ତେବେ ଏହି ସବୁ ରାଜ୍ୟରେ ଗୈରିକ ତରଙ୍ଗ ବହିବ ଏବଂ କଂଗ୍ରେସକୁ ମାଟି କାମୁଡ଼ିବାକୁ ପଡ଼ିବ। କିନ୍ତୁ ଯଦି ‘ମୋଦୀ ଥିଲେ ସବୁ କିଛି ସମ୍ଭବ’, ତା’ହେଲେ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ର ତର୍କ ଉପସ୍ଥାପନ କରିବାର ଆବଶ୍ୟକତା କ’ଣ? ମ୍ୟାଜିକ୍ ଉପରେ ଯଦି ଭରସା ଅଛି, ତେବେ ତାହାକୁ ଆସ୍ଥା କୁହନ୍ତୁ, ବିଧାନସଭା ନିର୍ବାଚନର ଫଳାଫଳକୁ ଆଳ କରିବାର ଆବଶ୍ୟକତା କ’ଣ?
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନା