ଏଭଳି ଘଟଣା ଘଟିବାକୁ ନ ଦେବା ନିମିତ୍ତ ସରକାର ଏକ ‘ଏଆଇ’ ନିୟନ୍ତ୍ରଣ ବ୍ୟବସ୍ଥା ସୃଷ୍ଟି କରିବା ଆବଶ୍ୟକ ଯିଏ ଏହି ନୂତନ ପ୍ରବିଧିର ବ୍ୟବହାର ଉପରେ ଏକ ଶ୍ୟେନ ଦୃଷ୍ଟି ରଖିବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ୨୩ ବର୍ଷର ପୁରାତନ ‘ଆଇଟି ଆକ୍ଟ, ୨୦୦୦’ ସ୍ଥାନରେ ଏକ ଅନ୍ତର୍ଭୁକ୍ତକାରୀ ନୂତନ ‘ଡିଜିଟାଲ୍ ଇଣ୍ଡିଆ ଆକ୍ଟ’ ପ୍ରଣୟନ ପାଇଁ ଦେଇଥିବା ପ୍ରସ୍ତାବ ସମ୍ପୂର୍ଣ୍ଣ ଯଥାର୍ଥ ମନେ ହୁଏ। ଯେଉଁଭଳି ବିଦ୍ୟୁତ୍ ବେଗରେ ‘ଏଆଇ’ ଜ୍ଞାନକୌଶଳରେ ଅଗ୍ରଗତି ଘଟି ଚାଲିଛି, ତା’ ସହିତ ତାଳ ଦେବା ପାଇଁ ଏହି ନୂତନ ଆଇନ ପ୍ରଣୟନରେ ସରକାର ଆଦୌ ବିଳମ୍ବ କରିବା ଉଚିତ ନୁହେଁ।
‘‘ଆହା ଧନୁର୍ଦ୍ଧର ବୀରବର, ଧନୁଶର କି ନ ଥିଲା କର?/ ଯାହାର ବାଣ ବ୍ରହ୍ମାଣ୍ଡ ଦହିପାରେ, ତାକୁ ମାରିଲା ଛାର ପାମର!’’ ସୀତାମାତାଙ୍କ ସମ୍ମୁଖରେ ରାବଣ ଶ୍ରୀରାମଙ୍କ କଟାମୁଣ୍ଡ ଆଣି ଥୋଇ ଦେବା ପରେ ଏହା ଥିଲା ଘୋର ଶୋକ ଜର୍ଜରିତା ସୀତାଙ୍କର ମର୍ମଭେଦୀ ବିଳାପ। ଏହି ଅବସରରେ ରାବଣର ସେନାପତି ରାକ୍ଷସ ପ୍ରହସ୍ତ କୌଣସି ଏକ ଜରୁରୀ କାର୍ଯ୍ୟ ଯୋଗୁଁ ରାବଣକୁ ସେଠାରୁ ଅନ୍ୟତ୍ର ଡକାଇ ନେଇ ଯିବା ପରେ ପରେ ରାମଙ୍କର ଛିନ୍ନ ମସ୍ତକ ସେଠାରୁ ଉଭାନ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟ ଅଭିଭୂତା ସୀତାଙ୍କୁ ସହଚରୀ ସରମା ବୁଝାଇ ଦେଇଥିଲା ଯେ ରାମଚନ୍ଦ୍ରଙ୍କର କଟାମୁଣ୍ଡ ସତସତିକା ନ ଥିଲା, ତାହା ଥିଲା ମାୟାବୀ ରାବଣ ଦ୍ବାରା ସୃଷ୍ଟ ଏକ ମାୟା ମାତ୍ର- ଆଜିର ଭାଷାରେ, ‘ଡିପ୍ ଫେକ୍’।
ସୀତାଙ୍କ ସୌଭାଗ୍ୟ, ପ୍ରହସ୍ତର ଆବିର୍ଭାବ ସେ ‘ଡିପ୍ ଫେକ୍’ର ଅନ୍ତର୍ଦ୍ଧାନ ଘଟାଇଥିଲା। ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମାନ୍ଦାନ୍ନା କିନ୍ତୁ ସେଭଳି ସୌଭାଗ୍ୟର ଅଧିକାରିଣୀ ନୁହଁନ୍ତି। ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ତାଙ୍କର ମସ୍ତକକୁ ଜାରା ପଟେଲ୍ ନାମ୍ନୀ ଅନ୍ୟ ଜଣେ ମହିଳାଙ୍କ ଶରୀରରେ ଖଞ୍ଜି ଦିଆଯାଇଛି। ଜାରା ପଟେଲ୍ ହେଉଛନ୍ତି ସୋସିଆଲ୍ ମିଡିଆରେ ସକ୍ରିୟ ବ୍ରିଟିସ୍-ଭାରତୀୟ ମୂଳର ଜଣେ ତଥାକଥିତ ‘ପ୍ରଭାବ ସୃଷ୍ଟିକାରିଣୀ’ ବା ‘ଇନ୍ଫ୍ଲୁଏନ୍ସର୍’ ଯିଏ ଯୌନଦ୍ଦୀପକ ବିଷୟବସ୍ତୁ ପ୍ରସାର ପାଇଁ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀମାନଙ୍କ ନିକଟରେ ପ୍ରସିଦ୍ଧ। ସମ୍ପୃକ୍ତ ଭିଡିଓରେ ତେଣୁ ଜାରାଙ୍କ ଶରୀରରେ ରଶ୍ମିକାଙ୍କ ମସ୍ତକକୁ ନିଖୁଣ ଭାବରେ ଖଞ୍ଜି ଦିଆଯାଇଥିବା ଆବିଷ୍କାର କରିବା ପରେ ରଶ୍ମିକା କିପରି ବିବ୍ରତ ବୋଧ କରୁଥିବେ, ତାହା ଅନୁମାନ କରିବା କଷ୍ଟକର ନୁହେଁ।
କେବଳ ବିବ୍ରତ ନୁହେଁ, ସେ ମଧ୍ୟ ଘୋର ଅସହାୟ େବାଧ କରୁଥିବେ ଯେ ଆଜିର ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (‘ଏଆଇ’) ଯୁଗରେ ସେ ଆଉ ତାଙ୍କ ନିଜ ଶରୀର କିମ୍ବା ଏପରିକି ନିଜ ବ୍ୟକ୍ତିତ୍ବର ମଧ୍ୟ ମାଲିକ ନୁହନ୍ତି; ଯେଉଁ ଭୟ କ୍ରମେ ଏବେ ସମସ୍ତ ସେଲିବ୍ରିଟିମାନଙ୍କୁ - ସିନେମାରୁ ଆରମ୍ଭ କରି ଖେଳକୁଦ ଓ ରାଜନୀତି ପର୍ଯ୍ୟନ୍ତ - ଗ୍ରାସ କରିବାକୁ ଆରମ୍ଭ କଲାଣି। ରଶ୍ମିକା ମାନ୍ଦାନ୍ନା ଯେଉଁଭଳି ଛବି ବଦଳର ଶିକାର ହୋଇଛନ୍ତି, ତାହା ଏତେ ସହଜରେ କରି ଦିଆଯାଇପାରୁଛି, ଯାହାର ପହୁଞ୍ଚରୁ କେହି ନିରାପଦ ନୁହନ୍ତି। ଆହୁରି ଯାହା ବିପଜ୍ଜନକ, ‘ଡିଫ୍ ଫେକ୍’ କୌଶଳ ପ୍ରୟୋଗ କରି ଛବି ସହ ସ୍ବର ମଧ୍ୟ ବଦଳାଇ ଦିଆଯାଇପାରୁଛି; ଅର୍ଥାତ୍ ସମ୍ପୃକ୍ତ ଘଟଣାରେ ରଶ୍ମିକା-ଜାରା ମିଶ୍ର ଶରୀରଟି ରଶ୍ମିକାଙ୍କ ସ୍ବରରେ କଥାବାର୍ତ୍ତା କରିପାରିଥାଏ କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ସ୍ବର ସେ ଉଦ୍ଦେଶ୍ୟରେ ବ୍ୟବହାର କରା ଯାଇ ପାରିଥାଏ। ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ବଦଳାଇବା ନିମିତ୍ତ ଆବଶ୍ୟକ କୌଶଳ ଆଉ ଟିକିଏ ଜଟିଳ ହୋଇଥିଲେ ମଧ୍ୟ ତାହା ମଧ୍ୟ ସମ୍ଭବ ହୋଇପାରୁଛି।
‘ଡିପ୍ ଫେକ୍’ର ଆକ୍ଷରିକ ଅନୁବାଦ ହେଉଛି- ‘ଗଭୀର ନକଲ’। ଏଆଇ ମଡେଲ ତାଲିମ୍ରେ ବ୍ୟବହୃତ ‘ଡିପ୍ ଲର୍ନିଙ୍ଗ୍’ ବା ‘ଗଭୀର ଜ୍ଞାନ ଆହରଣ’ରୁ ‘ଡିପ୍’କୁ ଆଣି ‘ଫେକ୍’ ସହିତ ସଂଯୁକ୍ତ କରି ‘ଡିପ୍ ଫେକ୍’ ଶବ୍ଦର ଉଦ୍ଭାବନ କରାଯାଇଛି। ଇଣ୍ଟର୍ନେଟ୍ରେ ଥିବା ଅନେକ ଅବାଧ-ଉପଲବ୍ଧ ବା ‘ଓପନ୍ସୋର୍ସ ମଡେଲ୍’ମାନ ବ୍ୟବହାର କରି ‘ଡିପ୍ ଫେକ୍’ ଉତ୍ପାଦନ କରିହେବ। କେତେକ ୱେବ୍ସାଇଟ୍ ଦାବି କରିବା ଦେଖାଯାଉଛି ଯେ ସେମାନେ ମାତ୍ର ପାଞ୍ଚ ସେକେଣ୍ଡର ଅଡିଓକୁ ବ୍ୟବହାର କରି ଏକ ସ୍ବରର ନିଖୁଣ ନକଲ କରିଦେଇ ପାରିବେ। ଯେଉଁ ସେଲିବ୍ରିଟିମାନଙ୍କର ଅପର୍ଯ୍ୟାପ୍ତ ଛବି ଓ ଭିଡିଓ ଇଣ୍ଟର୍ନେଟ୍ରେ ଉପଲବ୍ଧ ହୋଇଥାଏ, ସେମାନେ ‘ଡିପ୍ ଫେକ୍’ର ଶରବ୍ୟ ହେବା ତେଣୁ ସହଜ ହୋଇଥାଏ।
ଏହା ଅବଶ୍ୟ ମଧ୍ୟ ସତ ଯେ ‘ଡିପ୍ ଫେକ୍’ ହେଉଛି ଏକ ମାଧ୍ୟମ ମାତ୍ର ଯାହାର ଫଳାଫଳ ତା’ର ପ୍ରୟୋଗ ଉପରେ ନିର୍ଭର କରିଥାଏ, ଯେମିତି ଏକ ଛୁରୀ ସାହାଯ୍ୟରେ ପରିବା କଟାଯାଇପାରେ କିମ୍ବା ନରହତ୍ୟା କରାଯାଇପାରେ। ଉଦାହରଣ ସ୍ବରୂପ ଜଣେ ସିନେମା ପ୍ରଯୋଜକ ଚାହିଁଲେ କେବଳ ‘ଏଆଇ’ ସୃଷ୍ଟ କଳାକାରମାନଙ୍କୁ ବ୍ୟବହାର କରି ଏକ ସିନେମା ତିଆରି କରି ଦେଇପାରିବେ; ‘ଡିପ୍ ଫେକ୍’ ପ୍ରୟୋଗ କରି ଷ୍ଟଣ୍ଟ ଦୃଶ୍ୟଗୁଡ଼ିକୁ ଅଧିକ ଚମକପ୍ରଦ କରାଯାଇପାରିବ; ‘ଏଆଇ’ ସୃଷ୍ଟ ଟେଲିଭିଜନ୍ ଉପସ୍ଥାପକ ତ ଏକ ବାସ୍ତବତାରେ ପରିଣତ ହୋଇ ସାରିଲାଣି। ‘ଡିପ୍ ଫେକ୍’ର ଏଭଳି ପ୍ରୟୋଗ ବିପଜ୍ଜନକ ହୋଇନଥାଏ। କିନ୍ତୁ ସମସ୍ୟା ସୃଷ୍ଟି ହୁଏ ଯେତେବେଳେ ‘ଡିପ୍ ଫେକ୍’କୁ ରଶ୍ମିକା-ଜାରା ଭିଡିଓ ପ୍ରସ୍ତୁତ କରିବା ଭଳି କୌଣସି କାର୍ଯ୍ୟରେ ନିୟୋଜିତ କରାଯାଏ।
ଦେଖିବାକୁ ଗଲେ ରଶ୍ମିକା-ଜାରା ଭିଡିଓ ଠାରୁ ଆହୁରି ବହୁଗୁଣ ବିପଜ୍ଜନକ ଉଦ୍ଦେଶ୍ୟ ସାଧନରେ ‘ଡିପ୍ ଫେକ୍’କୁ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ବରୂପ ଏହାକୁ ବ୍ୟବହାର କରି ସତ ମନେ ହେଉଥିବା ଭଳି ‘ପ୍ରତିଶୋଧ-ଯୌନ’ ବା ‘ରିଭେଞ୍ଜ୍-ପର୍ନ’ ଭିଡିଓ ଆଦି ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହରକତ କରାଯାଇପାରିବ। ସେଇଭଳି କୌଣସି ପ୍ରଭାବଶାଳୀ ରାଜନେତାଙ୍କ ତୁଣ୍ଡରେ ମିଥ୍ୟା ବକ୍ତବ୍ୟ ପ୍ରଦାନ କରି ସାମାଜିକ ଅସ୍ଥିରତା ସୃଷ୍ଟି କରି ଦିଆଯାଇପାରିବ। ‘ଡିପ୍ ଫେକ୍’ର ଏପରି ଦୁରୁପଯୋଗର ତାଲିକା ବେଶ୍ ଲମ୍ବା ହୋଇଥାଏ।
ବର୍ତ୍ତମାନର ଘଟଣାରେ ଅଭିନେତ୍ରୀ ରଶ୍ମିକା ମାନ୍ଦାନ୍ନା ସାମାନ୍ୟ ଆଶ୍ବସ୍ତ ହେଉଥିବେ ଯେ କେନ୍ଦ୍ର ସରକାର ଏହାର ପ୍ରତିକ୍ରିୟା ସ୍ବରୂପ ସାବଧାନ କରି ଦେଇଛନ୍ତି ଯେ ‘ଆଇଟି ରୁଲ୍ସ ୨୦୨୩’ ଅନୁଯାୟୀ ସମ୍ପୃକ୍ତ ପ୍ଲାଟଫର୍ମମାନେ ଏଭଳି ନକଲି ବିଷୟବସ୍ତୁକୁ ହଟାଇବା ପାଇଁ ଆଇନତଃ ବାଧ୍ୟ। ସେମାନଙ୍କ ଦୃଷ୍ଟିକୁ ଅଣାଯିବାର ୩୬ ଘଣ୍ଟା ମଧ୍ୟରେ ପ୍ଲାଟ୍ଫର୍ମମାନେ ଏହାକୁ ହଟାଇବା ଆବଶ୍ୟକ ବୋଲି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ କରି ଦେଇଛନ୍ତି। ଏହି ଘଟଣାରେ ଅବଶ୍ୟ ଦୁଇ ପ୍ରଭାବିତ ପକ୍ଷମାନଙ୍କ ମଧ୍ୟରୁ କେହି ଅଭିଯୋଗ ଦାଖଲ କରିନଥିଲେ ହେଁ, ତୃତୀୟ ପକ୍ଷମାନଙ୍କ ସୂତ୍ରରୁ ପ୍ରଘଟ ହୋଇ ଘଟଣାଟି ସମ୍ପୃକ୍ତ ପ୍ଲାଟଫର୍ମମାନ ଓ ସରକାରଙ୍କ ନଜରକୁ ଆସିଛି। ସରକାର ଉଚିତ ପଦେକ୍ଷପ ନେଇ ପ୍ଲାଟ୍ଫର୍ମମାନଙ୍କୁ ସାବଧାନ କରି ଦେଇଛନ୍ତି ଯେ ବିଧିବଦ୍ଧ ଅଭିଯୋଗ ଦାଖଲ ହୋଇନଥିଲେ ମଧ୍ୟ, ଘଟଣାଟି ଲୋକଲୋଚନକୁ ଆସିବା ପରେ ପ୍ଲାଟଫର୍ମମାନେ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବାଧ୍ୟ। ଯଦି ସେମାନେ ଏଥିରେ ଅବହେଳା ପ୍ରଦର୍ଶନ କରନ୍ତି, ତା’ହେଲେ ସେମାନେ ଆଇଟି ଆକ୍ଟ, ୨୦୦୦, ଧାରା ୭୯ (୧) ଅନୁସାରେ ସେମାନଙ୍କୁ ପ୍ରଦାନ କରାଯାଉଥିବା ‘ନିରାପଦ ପୋତାଶ୍ରୟ ସୁରକ୍ଷା’ (‘ସେଫ୍ ହାର୍ବର୍ ପ୍ରୋଟେକ୍ସନ୍) ହରାଇବେ।
ଏହା କିନ୍ତୁ ହେଉଛି ଏକ ପ୍ରତିକ୍ରିୟାଭିତ୍ତିକ ପଦକ୍ଷେପ। ଏଭଳି ଘଟଣା ଘଟିବାକୁ ନ ଦେବା ନିମିତ୍ତ ସରକାର ଏକ ‘ଏଆଇ’ ନିୟନ୍ତ୍ରଣ ବ୍ୟବସ୍ଥା ସୃଷ୍ଟି କରିବା ଆବଶ୍ୟକ ଯିଏ ଏହି ନୂତନ ପ୍ରବିଧିର ବ୍ୟବହାର ଉପରେ ଏକ ଶ୍ୟେନ ଦୃଷ୍ଟି ରଖିବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ୨୩ ବର୍ଷର ପୁରାତନ ‘ଆଇଟି ଆକ୍ଟ, ୨୦୦୦’ ସ୍ଥାନରେ ଏକ ଅନ୍ତର୍ଭୁକ୍ତକାରୀ ନୂତନ ‘ଡିଜିଟାଲ୍ ଇଣ୍ଡିଆ ଆକ୍ଟ’ ପ୍ରଣୟନ ପାଇଁ ଦେଇଥିବା ପ୍ରସ୍ତାବ ସମ୍ପୂର୍ଣ୍ଣ ଯଥାର୍ଥ ମନେ ହୁଏ। ଯେଉଁଭଳି ବିଦ୍ୟୁତ୍ ବେଗରେ ‘ଏଆଇ’ ଜ୍ଞାନକୌଶଳରେ ଅଗ୍ରଗତି ଘଟି ଚାଲିଛି, ତା’ ସହିତ ତାଳ ଦେବା ପାଇଁ ଏହି ନୂତନ ଆଇନ ପ୍ରଣୟନରେ ସରକାର ଆଦୌ ବିଳମ୍ବ କରିବା ଉଚିତ ନୁହେଁ। ସରକାରଙ୍କୁ ହିଁ ଏଠାରେ ପ୍ରହସ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ ‘ଏଆଇ’ ରୂପକ ରାବଣର ମାୟାକୁ ଅପସାରିତ କରିବାକୁ ପଡ଼ିବ।