ପର୍ବତ ଘେରରେ ଘର

ଅଭିରାମ ବିଶ୍ବାଳ

ଅନ୍ୟତମ ଅତି ଖ୍ୟାତ ଓ ପାଠକ-ପାଠିକା ପ୍ରିୟ ଲେଖକ ରସ୍କିନ୍‌ ବଣ୍ଡ୍‍ଙ୍କ ଆଦୃତି ଆଉ ଆବେଦନର ପ୍ରମୁଖ କାରଣମାନଙ୍କ ଭିତରୁ ଗୋଟିଏ ହେଲା ତାଙ୍କ ଲେଖା ପଢ଼ିଲାବେଳେ ବୁଝିବା ପାଇଁ ସାଧାରଣତଃ ଅଭିଧାନ ବା ଡିକ୍‌ସିନାରିର ସାହାଯ୍ୟ ଲୋଡ଼ା ପଡ଼େନି। ହେଲେ ନିକଟରେ ସିଏ ହାତରେ ଧରିଥିବା ଅଭିଧାନର ଛବିଟି ଏବେ ଚାରିଆଡ଼େ ଖେଳି ବୁଲୁଛି, ଭାଇରାଲ୍‌ ହୋଇଯାଇଛି। ବୁଝୁ ବୁଝୁ କଥା କ’ଣ ନା ସେ ପୁସ୍ତକଟି ତାଙ୍କର ଜଣେ ଆତ୍ମୀୟଙ୍କର। ଆଉ ଏ କରୋନା କାଳରେ ସେ ଓଜନିଆ ବହିଟିକୁ ହାତରେ ଉପର ତଳ କରିବା ଦ୍ବାରା ତାଙ୍କର ବ୍ୟାୟାମ ହୋଇ ପାରୁଛି। ନିଜ ଶରୀରର ସନ୍ତୁଳନ ମଧୢ ପରଖି ନେଉଛନ୍ତି ସିଏ। ସେଥିରୁ ଖାଲି ଶବ୍ଦର ଅର୍ଥ ଖୋଜୁନାହାନ୍ତି।

ସତୁରି ବର୍ଷରୁ ଅଧିକ ସମୟ ଅନବରତ ଲେଖି ଚାଲିଥିବା ରସ୍କିନ୍‌ ବଣ୍ଡ୍‍ଙ୍କର ଆଜି ଜନ୍ମଦିନ। ସ୍ପଷ୍ଟ, ପରିଚ୍ଛନ୍ନ, ସରଳ, ସ୍ବଚ୍ଛନ୍ଦ, ସୁନ୍ଦର, ବୋଧଗମ୍ୟ ଓ ସୁଖପାଠ୍ୟ ତାଙ୍କ ଗପ, ଉପନ୍ୟାସ, ଭ୍ରମଣ ବୃତ୍ତାନ୍ତ, ଆଲେଖ୍ୟ ଓ ଆତ୍ମ-କଥନ, ଯେଉଁଥିରେ କୋହ, ମୂର୍ଚ୍ଛନା ସ୍ମୃତି ଚାରଣ, ସ୍ବପ୍ନ ଅବତାରଣା ଓ ବାସ୍ତବ ବଖାଣ ଥାଏ ଅନୁଚ୍ଚାରିତ ଓ ଅଳ୍ପୋଚାରିତ ଚାଟୁଳ ହାସ୍ୟ ରସ ସହ; ହେଲେ ନଥାଏ ତିକ୍ତତା, ବିଷାଦ, ବିଷଣ୍ଣତା, କଟାକ୍ଷ ଓ ତାଚ୍ଛଲ୍ୟ। ପାହାଡ଼ ପର୍ବତ ଘେରରେ ତାଙ୍କ ଘର। ପ୍ରକୃତି ଓ ପରିବେଶର ପ୍ରଶାନ୍ତି ତାଙ୍କ ମନୋବଳକୁ ଟାଣ କରିବା ସାଙ୍ଗକୁ ମନୋବୃତ୍ତିକୁ କୋମଳ କରିଦିଏ। ଟ୍ରେନ୍‌, ସୁଡ଼ଙ୍ଗ, ବାଘ, ସାପ, ଚଢ଼େଇ, ପିମ୍ପୁଡ଼ି, ବିଲୁଆ, ମାଙ୍କଡ଼, ରାସ୍ତାଘାଟ, ବଜାର, କୋଳି, ଆମ୍ବ, ଗଛ ପତ୍ର ଓ ଭଳିକି ଭଳି ମଣିଷଙ୍କ ଦୃଶ୍ୟ, ରଙ୍ଗ ଓ ବାସ୍ନାରେ ମହକୁ ଥାଏ ତାଙ୍କ ଲେଖା, ଯାହା କୋଳାହଳକୁ କଳରବରେ ପରିଣତ କରିଦିଏ। ପଢ଼ିଲା ବେଳେ, ପଢ଼ି ସାରିଲା ପରେ ପାଠକ-ପାଠିକାଙ୍କ ଆଗରେ ଆଦୃଶ୍ୟ ସମ୍ପନ୍ନ ଦୃଶ୍ୟ ଜଗତ୍‌ଟିଏ ଉଙ୍କି ମାରେ। ନିଜେ ରସ୍କିନ୍‌ କହନ୍ତି- ମୁଁ ଜଣେ ‘ଭିଜୁଆଲ୍‌’ ରାଇଟର‌୍‌। ସେଇଥି ପାଇଁ ତ ପରିଣତ ବୟସରେ ତାଙ୍କୁ ପଢ଼ିଲେ ନିଜର ଶୈଶବକୁ, ପିଲା ଦିନକୁ ଜଣେ ଫେରିଯାଇ ପାରିବ ଏବ˚ ପିଲାଟିଏ ଭାବେ ପଢୁଥିଲା ବେଳେ ଜଣେ ନିଜର ସ୍ବାଭାବିକ ବ୍ୟକ୍ତିତ୍ବ ଯେ ମର୍ଯ୍ୟାଦାବନ୍ତ, ତାହା ବୁଝିପାରିବ। ସିଏ ପିଲାଙ୍କ ପାଇଁ ଲେଖିଛନ୍ତି; କିନ୍ତୁ ପିଲାଳିଆ ଲେଖା ଲେଖି ନାହାନ୍ତି। ତାଙ୍କ ପାଇଁ ଲେଖାଲେଖି ହେଉଛି ଜୀବନ ପାଇଁ ଅମ୍ଳଜାନ ଭଳି।

ଗଲା ବର୍ଷ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟ ବା ପ୍ରଥମ ଲହର ସମୟରେ ତାଙ୍କୁ ଜଣେ ପଚାରିଥିଲେ ଘର କାମ କରିବା ବିଷୟଟିକୁ ଆପଣ କେମିତି ଦେଖନ୍ତି। ସିଏ ପ୍ରଶ୍ନର ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ- ମୁଁ ତ ସବୁବେଳେ ଘର କାମ କରେ, ଘରେ ଥାଇ ଲେଖେ। ତାଙ୍କ ଚିରନ୍ତନ ଏକାନ୍ତ ବାସ କଥା ସଭିଁଏ ଜାଣନ୍ତି। କିନ୍ତୁ ତାଙ୍କ ବାଟ ଦେଇ ଜଣେ ନିଃସଙ୍ଗତା, ଏକାକୀତ୍ବ, ନିର୍ଜନତା ଓ ବିଜନତା ଭିତରର ସୂକ୍ଷ୍ମାତି ସୂକ୍ଷ୍ମ ପାର୍ଥକ୍ୟ ଭଲ ଭାବେ ଧରି ପାରେ। ସିଏ ଏକାକୀତ୍ବର ଲେଖକ, ନିଃସଙ୍ଗତାର ନୁହେଁ। ରସ୍କିନ୍‌ଙ୍କ କଥା ଉଠିଲେ ସାଙ୍ଗେ ସାଙ୍ଗେ ଆସେ ମସୌରୀ ଓ ଲଣ୍ଡୁର୍‍ର କଥା; ଯେମିତି ପ୍ରସିଦ୍ଧ କଥାଶିଳ୍ପୀ ଓ କାହାଣୀକାର ମନୋଜ ଦାସଙ୍କୁ ଶ˚ଖାରୀ ଗାଁ ଓ ପୁଡୁଚେରୀକୁ ବାଦ୍‌ ଦେଇ କଳନା କରି ହୁଏନି। ଦୁହେଁ ବନ୍ଧୁ ଥିଲେ। ମନୋଜ ଦାସଙ୍କ ସ˚ପର୍କରେ ରସ୍କିନ୍‌ ବଣ୍ଡ୍‍ କହିଥିଲେ- ପୃଥିବୀରେ ଏବେ ଅଳ୍ପ କେଇଜଣ ଭଲ କାହାଣୀକାର ଅଛନ୍ତି। ମନୋଜ ଦାସ ସେମାନଙ୍କ ଭିତରୁ ଜଣେ। ଆଉ ରସ୍କିନ୍‌ଙ୍କ ବାବଦରେ ମନୋଜ ବାବୁ କହିଥିଲେ- ମୋ ବନ୍ଧୁ ରସ୍କିନ୍‌ଙ୍କ ଭଳି ପାହାଡ଼ ପର୍ବତର କଥା ଓ କାହାଣୀ ଆଉ କିଏ ବା ଭଲ ବଖାଣି ପାରିବ।

ରସ୍କିନ ବଣ୍ଡ୍‍ ନିଜ ଟିପାଖାତାରେ ମହାମାରୀ ଓ ତାଲା ବନ୍ଦ କାଳୀନ ଜୀବନ ସମ୍ବନ୍ଧରେ ଯାହା ଚିନ୍ତା ଚେତନା ଲିପିବଦ୍ଧ କରିଥିଲେ ସେସବୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଇହୁଦୀ ଧର୍ମଗୁରୁ ହିଲେଲ୍‌ (ବଡ଼)ଙ୍କୁ ଉଦ୍ଧାର କରି ସେ ଲେଖିଥିଲେ- ମୁଁ ଯଦି ମୋ ପାଇଁ ନୁହେଁ, ତେବେ ଆଉ କିଏ ମୋ ପାଇଁ ହେବ? ଏବ˚, ମୁଁ ଯଦି ଅନ୍ୟ ମାନଙ୍କ ପାଇଁ ନୁହେଁ, ତା’ହେଲେ ମୁଁ ସତରେ କ’ଣ? ଯଦି ଏବେ ନୁହେଁ, ଆଉ ତେବେ କେବେ? ପ୍ରକୃତି ଓ ସ˚ପତି ପ୍ରସଙ୍ଗକୁ ଫେରି ସିଏ ଲେଖୁଛନ୍ତି- ମୋ ଶୋଇବା ଘର ଝରକା ଦେଇ ମୁଁ ଦେଖିପାରୁଛି ଦୂର ପାହାଡ଼ରେ ଝଡ଼ ଆରମ୍ଭ ହେବା। ଆକାଶରେ ଅନ୍ଧାର ଘୋଟି ଗଲାଣି। ଗଛପତ୍ର ବାଟେ ପବନର ସୁସୁ ଶୁଭିଲାଣି। ତୁହାକୁ ତୁହା ବିଜୁଳି; ପ୍ରକୃତିର ଭୀମ-ସୌମ୍ୟ ରୂପ କହିଲେ ନ ସରେ। ଝଡ଼ ଓ ବିଜୁଳି ମୋ ପାଇଁ ଅଭିପ୍ରେତ ନୁହେଁ। ପ୍ରକୃତି ପକ୍ଷପାତିତା କରେନି। ମୁଁ ଝରକା ବନ୍ଦ କରି ଟେଲିଭିଜନ୍‌ ଖୋଲେ। ସିରିଆର କ୍ଲାନ୍ତ, ଉଦ୍‌ବିଗ୍ନ ଶରଣାର୍ଥୀଙ୍କ ରହଣିସ୍ଥଳ ଉପରେ ଘନ ଘନ ବୋମା ମାଡ଼। ରହିବା ଘର ସନ୍ଧାନରେ ସେମାନେ ଘୂରିଘୂରି ଶେଷରେ ଆଉ ଏକ ସୀମାନ୍ତରୁ ଫେରିଆସନ୍ତି।
ନିଜର ଭାରତୀୟତା ବାବଦରେ ବେଶ୍‌ ଗର୍ବ ଓ ଗୌରବ ରସ୍କିନ୍‌ଙ୍କର। ତାଙ୍କ ମତରେ ବର୍ଣ୍ଣ କି ଧର୍ମ ତାଙ୍କୁ ଭାରତୀୟ କରିନି; ଇତିହାସ ବଳରେ (ସେ) ‘‘ମୁଁ’’ ଭାରତୀୟ। ଭାରତରେ ଇତିହାସର ଗୁରୁତ୍ବ ବହୁତ କିଛି। ତେଣୁ ଭାରତବର୍ଷରେ ‘ଦେଶ’ର ଐତିହାସିକ ପରିକଳ୍ପନା ଭିତରେ ନିଶ୍ଚୟ ରହିବ ଶ˚ଖାରୀ (ଗାଁ), ମାଲ୍‌ଗୁଡ଼ି (ଆର‌୍‌. କେ. ନାରାୟଣଙ୍କ କାଳ୍ପନିକ ସହରାଞ୍ଚଳ ମାଲ୍‌ଗୁଡ଼ି) ଏବ˚ ରସ୍କିନ୍‌ ବଣ୍ଡ୍‍ଙ୍କ ଚଢ଼େଇ (ମସୌରୀ-ଲଣ୍ତୁର‌୍‌-ପାର୍ବତ୍ୟାଞ୍ଚଳ) ତାଙ୍କ ଝରକା ସେପଟେ ଓ ବାରଣ୍ତାରେ ବସିଥିବା ଚଢ଼େଇଙ୍କୁ ରସ୍କିନ୍‌ କେବେ ହୁରୁଡ଼େଇ ଦିଅନ୍ତିନି; ସେମାନଙ୍କ କିଚିରିମିଚିରି ପ୍ରତି ଆକର୍ଷଣ ବାହାରେ ବଣ୍ଡ୍‍ ଜାଣନ୍ତି ସେ ଚଢ଼େଇ ସବୁ କେବେ ବି ତାଙ୍କର ଘରେ ଥିବା କମ୍ପ୍ୟୁଟରକୁ ଖୁ˚ପିବେନି କି ସେଥିରୁ କିଛି ଚୋରେଇ, ହ୍ୟାକ୍‌ କରି ନେଇଯିବେ ବୋଲି ସିଏ ଆଦୌ ଆଶଙ୍କା କରନ୍ତିନି।
(ରସ୍କିନ୍ ବଣ୍ଡ୍‍ଙ୍କ ଜନ୍ମଦିନ ଅବସରରେ)
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର