ସରସ ରସ, ଆ, ନିଦ ଆ

ସୁଭାଷ ପଟ୍ଟନାୟକ

କୁନି ପିଲାଟି ଏ ପର୍ଯ୍ୟନ୍ତ ଶୋଇନି। ମା’ ତା’ର କାନ୍ଧରେ ପକାଇ ଡାକୁଛି ନିଦ ମାଉସୀକୁ!
ଜନ୍ମ ହେବା ଠାରୁ ଶେଷ ନିଦ୍ରା ପର୍ଯ୍ୟନ୍ତ ମନୁଷ୍ୟ ଯାହା ସହିତ ଏକାନ୍ତ ଅନ୍ତରଙ୍ଗ, ସିଏ ହେଉଛି ତା’ ନିଦ। ଥକି ପଡ଼ିଲା ବେଳକୁ ଏକମାତ୍ର ସହାୟ ମା’ର, ନ ହେଲେ ନିଦର ପଣତକାନି। ସେଇଥି ପାଇଁ ତ ସିଏ ଆମ ପ୍ରିୟ ନିଦ ମାଉସୀ। ମନୁଷ୍ୟ ତା’ ଜୀବନ କାଳର ପଚିଶ ବର୍ଷ କେବଳ ଶୋଇ ଶୋଇ ବିତାଇ ଦିଏ। ପଖାଳ ବେଲାଏ ଖାଇ ଦେଲେ ଘର ପିଣ୍ଡା ହେଉ, ଗଛ ମୂଳ ହେଉ, ନିଦଟା ସଙ୍ଗେ ସଙ୍ଗେ ଘୋଟି ଆସେ। ନିଦ ଯାହାର ଆଖିରେ ନାହିଁ, ସେ କେତେ ହୀନସ୍ତା ହୁଏ। ଯାବତୀୟ ନିଶା ଔଷଧର ସାହାଯ୍ୟ ନିଏ। ଚିନ୍ତା, ଅଶାନ୍ତି, ବିଫଳତା; ସବୁ କିଛିର ସରଳ ସମାଧାନ ହେଉଛି ନିଦ। ଶୋଇ ପଡ଼ନ୍ତୁ, ଉଠିଲା ବେଳକୁ ସମାଧାନର ରାସ୍ତା ମୁଣ୍ଡ ଭିତରକୁ ଆସି ଯାଇଥିବ। ଗୋଟିଏ ଖୋଲା ହସ ଓ ଏକ ସୁଖକର ନିଦ୍ରା ଯେ କୌଣସି ରୋଗର ଶ୍ରେଷ୍ଠ ନିଦାନ। ନିଦ ନ ହେଲେ ମିଜାଜ ବିଗିଡ଼ି ଯାଏ। ବିଜ୍ଞମାନେ କୁହନ୍ତି ଶୋଇପଡ଼ିଲେ ମସ୍ତିଷ୍କ ଆମ ଶରୀର ଭିତରେ ଝାଡୁ ମାରି ଆବର୍ଜନା ସଫା କରେ। ଏବେ ତ ନିଦର ଜୟ ଜୟକାର ପାଇଁ ବିଶ୍ବ ନିଦ୍ରା ଦିବସ ପାଳନ ହେଲାଣି। ଡାକ୍ତର କହିଲେଣି ନିଦ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ନିଦକୁ କିଛି ଲୋକ ସାମୟିକ ମୃତ୍ୟୁ ବୋଲି କୁହନ୍ତି। ମୃତ୍ୟୁର ଛୋଟ ଛୋଟ ଖଣ୍ଡ ହେଉଛି ନିଦ। କୁହାଯାଏ ଜୀବନ ଏକ ସ୍ବପ୍ନ। ନିଦରେ ନ ଶୋଇଲେ ମନୁଷ୍ୟ ସ୍ବପ୍ନ ଦେଖିବ କେମିତି? ନିଦରେ ଯଦି ଶୋଇବାର ଅଛି, ସ୍ବପ୍ନକୁ ବି ସାଇତିବାକୁ ପଡ଼ିବ; ନ ହେଲେ ସ୍ବପ୍ନ କେତେବେଳେ ଚୋରି ହୋଇ ଯାଇଥିବ!

ପ୍ରବାଦ ଅଛି ‘ଖାଇ ଶୋଇଲେ ବଢ଼ଇ ଆୟୁ।’ କଥାଟି ଠିକ୍। ନିଦ ହେଉଛି ବିନା ମୂଲ୍ୟରେ ମିଳୁଥିବା ସ୍ବାସ୍ଥ୍ୟ ବୀମା। ଯେତେ ଶୋଇବେ ସେତେ ଅଧିକ ଦିନ ବଞ୍ଚିବେ। ସଅଳ ଶୋଇ ସଅଳ ଉଠିଲେ ମନୁଷ୍ୟ କୁଆଡ଼େ ସ୍ବାସ୍ଥ୍ୟବାନ, ଧନବାନ ଓ ବୁଦ୍ଧିମାନ ହୁଏ। ଇଏ ଆଜିକା ଯୁଗରେ ଅସମ୍ଭବ! ଏବେ ତ ସମସ୍ତେ ସବୁ କ୍ଷେତ୍ରରେ ଆଗରେ ରହିବାକୁ ବ୍ୟଗ୍ର। ଏଥି ପାଇଁ ଦିନକର ଚବିଶ ଘଣ୍ଟା ନିଅଣ୍ଟ ପଡ଼େ। ତେଣୁ ଚଡ଼କ ପ‌େଡ଼ ନିଦ ଉପରେ, ଆଠ ଘଣ୍ଟା ସ୍ଥାନରେ ଚାରି ପାଞ୍ଚ ଘଣ୍ଟା ମିଳେ ନିଦ ପାଇଁ। ସମସ୍ତେ ତ ଆଉ ଆଇନଷ୍ଟାଇନ ହୋଇ ନାହାନ୍ତି ଯେ ଦିନକୁ ବାର ଘଣ୍ଟା ଶୋଇ ମଧ୍ୟ ଏକ ନମ୍ବର ସ୍ଥାନରେ ରହିବେ! ଆମ ପୁରାଣ ଶାସ୍ତ୍ର ଦେଖନ୍ତୁ, ନିଦର କିପରି ଆଦର! ଠାକୁର ଆମର ସମୁଦ୍ର ମଝିରେ, ସାପର ପିଠି ଉପରେ କି ଗାଢ଼ ନିଦରେ ଶୋଇଥା’ନ୍ତି! ନିଦ ଭାଙ୍ଗିଲେ ଅମୃତ ମଣୋହି, ତା’ପରେ ପୁଣି ସେଇ ନିଦ। କବି ସଚ୍ଚି ରାଉତରାୟ ପରା ଲେଖିଛନ୍ତି;
‘ମନେହୁଏ ସମସ୍ତ ସର୍ଜନା ସେ ନିଦରୁ ଜନ୍ମ ଲଭେ, ସେ ନିଦରେ ହୋଇଯାଏ ଲୀନ,
ସେ ନିଦରେ ଲିଭିଯାଏ ଚରାଚର ବାସୀଙ୍କ ପ୍ରାର୍ଥନା, ଯେତେ କକର୍ଥନା।’

କୁମ୍ଭକର୍ଣ୍ଣ ତ ଛଅ ମାସ ଶୋଇ ଆଉ ଛଅ ମାସ ଖାଇବାରେ ବିତାଉ ଥିଲା। ଶ୍ରୀକୃଷ୍ଣ ଶୋଉଥିଲେ ଯୋଗ ନିଦ୍ରାରେ। ଜାଗ୍ରତ ଓ ଗଭୀର ନିଦ୍ରାର ମଧ୍ୟବର୍ତ୍ତୀ ଚେତନା, ଏକ ଆନନ୍ଦମୟ ବିଶ୍ରାମର ଅବସ୍ଥା। ମନୁଷ୍ୟ ତା’ ଜୀବନର ସ୍ବପ୍ନ ସବୁ ସାକାର କରିବାରେ ସର୍ବଦା ଲାଗି ପଡ଼ିଥାଏ। ଏ ସ୍ବପ୍ନର ଜନ୍ମ ସେଇ ନିଦରୁ। ଭବିଷ୍ୟତ୍‌ଟା ସ୍ବପ୍ନ ଉପରେ ନିର୍ଭର କରେ ବୋଲି ଅବେଳରେ ଶୋଇ ରହିଲେ ତ କଥା ସରିଲା! ରବର୍ଟ ଫ୍ରଷ୍ଟ୍ ଲେଖିଥିଲେ, ‘ଆଇ ହାଭ୍ ପ୍ରମିସେସ୍ ଟୁ କିପ୍, ଏଣ୍ଡ୍ ମାଇଲ୍‌ସ୍ ଟୁ ଗୋ, ବିଫୋର୍‌ ଆଇ ସ୍ଲିପ୍’, ଅର୍ଥାତ୍‌ ମତେ ମୋର ସଂକଳ୍ପ ପୂରା କରି ଶୋଇଯିବା ପୂର୍ବରୁ ଆହୁରି ଅନେକ ବାଟ ଅତିକ୍ରମ କରିବାକୁ ହେବ। ଏହାର ଅର୍ଥ ଚିର ନିଦ୍ରା ଆସିବା ପୂର୍ବରୁ ସମସ୍ତ କର୍ତ୍ତବ୍ୟ ସମାପନ କରିବାକୁ ହେବ। କିନ୍ତୁ ଫ୍ରଷ୍ଟ୍‌ଙ୍କୁ ଟିକିଏ ବଦଳାଇ ଦେଲେ କେମିତି ହୁଅନ୍ତା? ‘ଆଇ ହାଭ୍ କେପ୍‌ଟ ମାଇଁ ପ୍ରମିସେସ୍ ଏଣ୍ଡ୍‌ ଅର୍ନଡ୍‌ ମାଇଁ ସ୍ଲିପ୍? ଏହାର ଅର୍ଥ ମୁଁ ମୋ କର୍ତ୍ତବ୍ୟ ପାଳନ କରି ସାରି ସୁଖ ନିଦ୍ରାଟିଏ ଅର୍ଜନ କରିଛି।’ ହଁ, ଏଇଟା ଠିକ୍।

ଗପଟି ଆପଣ ତ ଶୁଣିଥିବେ। ଜଣେ ଜମିଦାର ଗୋଟିଏ ହଳିଆ ନିଯୁକ୍ତ କଲେ। ସାକ୍ଷାତ୍‌କାର ସମୟରେ ଲୋକଟିକୁ ପଚାରିଲେ, ତୁମେ କେଉଁ କାମ ସବୁଠାରୁ ଅଧିକ ଭଲରେ କରିପାର? ଲୋକଟି କହିଲା, ପ୍ରଚଣ୍ଡ ଝଡ଼ବାତ୍ୟାରେ ମଧ୍ୟ ମୁଁ ଗଭୀର ନିଦରେ ଶୋଇପାରେ। ଜମିଦାର ଶୁଣି ଦ୍ବିଧାରେ ପଡ଼ିଲେ। କିଛି ଦିନ ପରେ ରାତିରେ ଦିନେ ଝଡ଼ବାତ୍ୟା ଆସିଲା। ଜମିଦାର ନିଦରୁ ଉଠି ହଳିଆକୁ ଯେତେ ଉଠାଇଲେ ବି ନିଦ ତା’ର ଭାଙ୍ଗିଲାନି। ଅଗତ୍ୟା ସେ ନିଜେ ଝଡ଼ ପାଇଁ ପ୍ରସ୍ତୁତ ରହିବାକୁ ଯାଇ ଦେଖିଲେ, ଖଳାରେ ପଡ଼ିଥିବା ଧାନ ଅମାର ଭିତରେ ଅଛି, କଳେଇ ଗଦାରେ ପାଲ ଘୋଡ଼ିଆ ହୋଇଛି, ଟ୍ରାକ୍ଟର ଗ୍ୟାରେଜ ଭିତରେ ଅଛି ଓ ଗାଈଗୋରୁଙ୍କୁ ଝଡ଼ରୁ ରକ୍ଷା କରିବାକୁ ଗୁହାଳ ଚାରି ପଟେ ତାଟି ବନ୍ଧା ହୋଇଛି। ଝଡ଼ ଆସୁଥିବା ଜାଣି ହଳିଆ ଆଗତୁରା ସବୁ କାମ ସାରି ଦେଇ ଶାନ୍ତିରେ ଶୋଇ ପଡ଼ିଛି। ଏବେ ଜମିଦାର ବୁଝିଗଲେ ତା’ର କହିଥିବା କଥାର ମର୍ମ। ଝଡ଼ ବର୍ଷାରେ ମଧ୍ୟ ସେ ଆରାମରେ ଶୋଇପାରେ। ମନେ ରଖିବାର କଥା, ଭଲରେ ବିତିଥିବା ଦିନର ଶେଷରେ ଯେମିତି ଭଲ ନିଦଟିଏ ହୁଏ, ଭଲରେ ବିତାଇଥିବା ଜୀବନର ଶେଷରେ ସେହିପରି ସୁଖକର ଚିର ନିଦ୍ରାଟିଏ ଆସିଥାଏ।

ଏବେ ସେଇ କୁନି ପିଲାଟି ପାଖକୁ ଫେରିଯିବା, ଯାହା ପାଇଁ ଆଗକୁ ଆମର ଏ କଥାର ଅନେକ ଗୁରୁତ୍ୱ ଅଛି। କେତେବେଳେ ସେ ନିଦରେ ଶୋଇ ଅନେକ କିଛି ହରାଇବ ତ’ ଆଉ କେତେବେଳେ ନିଦ ଟିକିଏ ପାଇଁ ବିକଳ ହେଉଥିବ। ଏ ପର୍ଯ୍ୟନ୍ତ ସେ ଶୋଇନି। ନିଦ ମାଉସୀକୁ ଅପେକ୍ଷା କରିଛି। ମା’ ତା’ର କାନ୍ଧରେ ପକାଇ ଲୋରି ଶୁଣାଉଛନ୍ତି, ‘କୁନି କୁନି ଆଖି ଦିଏ ତତେ ଡାକି, ରାତି ଅଛି ବାକି, ସ୍ବପ୍ନ ସବୁ ଖଞ୍ଜି ଦେଇଯା/ ଆ, ଆ, ଆ, ନିଦ ଆ…’।
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର